ଜହ୍ନରାତି (JAHNA RATI)

 ଅସରାଏ ଦୁମ୍ କାଣିଆ ବର୍ଷା ହୋଇ ଛାଡିଗଲା । ଫରଚା ହୋଇ ଗଲା ଆକାଶ ,ପୁନେଇଁ ଜହ୍ନ ନଡିଆ ବାହୁଙ୍ଗା ଫାଙ୍କରେ ଖିଲ୍ ଖିଲ୍ ହୋଇ ହସୁଛି ।ନୀଳ ଆକାଶରେ ରୁପା ଥାଳି ପଟେ ହେବ କି କଣ ? ସୁଜିତ୍ ହାଟକୁ ଯାଇଥିଲା । ପରିବା ବ୍ୟାଗଟିକୁ ଖଟ ଉପରେ  ପକାଇ ଦେଇ ଛାତ ଉପରକୁ ଇଜି ଚେୟାରଟି ଧରି ଧାଇଁଲା । ଜହ୍ନ ଦେଖିବ ପରା ! ହଠାତ୍ ଶୀଲାର କର୍କଶ ରଡିରେ ଚମକି ପଡିଲା । ହେଇଲୋ ,କେତେ ଥର କହିଲି ହାଟକୁ ଯାଉଛ. ମାଛ କି ମାଂସ ଆଣିବ । ମାସଟା ସାରା ସିଝା ଖାଇ କଟିଲା । ତମର ଗପ କବିତା ଲେଖିବାକୁ କାଗଜ କଲମ ପାଇଁ ପଇସା ହେଉଛି ଟି ! ମନେ ମନେ ବିରକ୍ତ  ହୋଇ ଉଠିଲା ସୁଜିତ୍ !  ମଣିଷଟିକୁ ଶାନ୍ତିରେ ବସାଇ ଦେବନି ।ଏମିତିକା ଜୋଛନା ଭିଜା ନିରୋଳା ସଂଧ୍ୟାଟିଏ ବ୍ୟସ୍ତ ଭରା ଜୀବନରେ ପାଇବା କଷ୍ଟକର ,ହେଲେ ... ତଥାପି ସେ ନିଜକୁ ଭାବନା ରାଇଜରେ ହଜାଇ ଦେଲା ।
                              ଜହ୍ନ ଦେଖିଲେ ସ୍ମୃତିର ଏକ ଆଲବମ୍ ଆଖି ଆଗରେ ନାଚିଉଠେ । ମନେହୁଏ ଜହ୍ନ ସହିତ ପରିଚୟ ଅନେକ ଦିନରୁ  । କେତେ ଚିହ୍ନା ଅଚିହ୍ନା ମୁହଁ ଆଖି ଆଗରେ ନାଚିଉଠେ । ସତରେ ସେମାନେ କେତେ ଆପଣାର ! ସେମାନେ ତ ମୋ ଗାଁ ର ମଣିଷ ! ମନ ଆକାଶରେ ଗୋଟେ ଗୋଟେ ଦେଖାଯାନ୍ତି ପିଛିଲା ଦିନର ଘଟଣା ପରିକା ପରି । ସତରେ ଏଗୁଡିକ କେତେ ମଧୁର ଆଉ ଯନ୍ତ୍ରଣା ଦାୟକ ! ପ୍ରଥମେ ଆସେ ବୋଊ , ଯିଏ କୋଳରେ ବସାଇ ଜହ୍ନ ମାମୁଁ ବୋଲି ଦେଖାଇ ମୋର ସବୁ ଅଳି ଅଝଟ ଭାଂଗି ଦିଏ । ତା ପରେ ପିଲା ଦିନର ଜହ୍ନ ସହିତ ତାରା ମାନଂକର ମିଟିମିଟି ଖେଳ ଦେଖି ଆଈ ମା ର କାହାଣୀରେ ହଜିଯାଏ ଏ ମନ ! ହେଇ ଜହ୍ନ ରାଇଜକୁ ଘୋଡା ନେଇ ସପନ ସୁନ୍ଦରୀକୁ ଠାବ କରିବା ପାଇଁ ଯାଉଛି ।

                         ହେଲେ ଦିନେ  ମୁଁ ରାଜକୁମାର ସାଜି ସପନ ସୁନ୍ଦରୀକୁ ମନେ ମନେ ଖୋଜି ବସିବି ବୋଲି ମୁଁ ଜାଣି ନ ଥିଲି । ଲଙ୍ଗ ଜର୍ଣ୍ଣି କଲାବେଳେ  ବସ୍ ଝରକା ଖୋଲି  ଜୋଛନା ଭିଜା ପାହାଡକୁ ଦେଖେ ନିରିଖେଇ କରି । ପୁନେଇଁ ଜହ୍ନର ଜୋଛନାରେ ଭିଜି ଭିଜି କବିତା ଲେଖେ ତାକୁ ଦେବା ପାଇଁ । ହେଲେ ତାକୁ ମୁଁ ପାଏନି । କିନ୍ତୁ ମୁଁ ତାକୁ ଦିନେ ପାଇଗଲି । ସେ ମୋ ଆଈ ମା ର ରାଜକୁମାରୀ ନଥିଲା । ସେ ଥିଲା ନୀଳ ଚୁଡିଦାର ପିନ୍ଧା କଲେଜ୍ ଝିଅଟିଏ ! କଲେଜରେ ବି.କମ୍.ର ପ୍ରଥମ କ୍ଲାସରେ ପ୍ରଥମ ଦିନ ମୋ ନାଁ ସେ ପଚାରିବାରୁ ମୁଁ ଚିର୍ ଚିରା ମାରି ଲାଜ କରି ପଳାଇଲି । ସାଥୀରେ ମୋ ବନ୍ଧୁ  ରାଜୁ ଥାଇବି,ତା ପରେ ଆରମ୍ଭ ହେଲା ଆମର ଭଲ ପାଇବା । ଥରେ ପାର୍କରେ ଜହ୍ନ ରାତିରେ ଗପୁ ଗପୁ କହିଲା ଏଇ ତମେ ଲେଖା ଲେଖି ଛାଡି ଦିଅ । କଣ ମିଳୁଛି ସେଥିରୁ କହିଲ , ବରଂ ଅଯଥା ପଇସା ଖର୍ଚ ହେଉଛି । ଜାଣିଛନା ଏ ଗୁଡାକ କଲେ ପିଲା ଛୁଆ ପୋଷି ପାରିବନି । ମୋତେ ବି ଶେଷକୁ ହରାଇବ । କିନ୍ତୁ ମୁଁ ସଫା ସଫା ମନା କରିଦେଲି । ସେ ରାଗିକରି ସବୁଦିନ ପାଇଁ ମୋ ସହିତ କଟି ପକାଇ ଦେଲା ।
                                    କିଛି ବର୍ଷ ପରେ ଶୀଲା ମୋ ସହଧର୍ମିଣୀ ହୋଇ ମୋ ଜୀବନରେ ପାଦ ଦେଲା । ଯିଏ ସାହିତ୍ୟର ମାନେ ବୁଝେନି । ଲେଖାଲେଖି କରିବା ଏକ ବେକାରିଆ ଧନ୍ଦା  ଏବଂ ବ୍ୟୟ ବହୁଳ , ତେଣୁ  ମୁଁ ଲେଖିଥବା ଗପ କବିତାର କାଗଜକୁ  ଲୁଚାଇକରି ନିଆଁ ଲଗାଏ ।  ସତରେ ଜୀବନ ବିତାଇବା ପାଇଁ ଏକ ଦରଦୀ ମନର ମଣିଷଟେ ପାଇଁ ଦରଦୀ ମନଟିଏ ଦରକାର । ନ ହେଲେ ଜୀବନଟା ଶୂନ୍ୟତାରେ ଭରିଯାଏ । ହଠାତ୍ ଶୀଲାର  କର୍କଶ ରଡିରେ ଚମକି ପଡିଲା ଜହ୍ନକୁ ଦେଖି ଦେଖି ବୋଧେ ପେଟ ପୁରି ଯିବଣି , ଖାଇବା କଥା ଯଦି ଖାଇ ଦେଇ ରାତି ସାରା ବସ , ମୋର କିଛି କହିବାର ନାଁହି । ନ ହେଲେ ମୁଁ ଶୋଇବି ।  ସୁଜିତ୍ ଛାତିରେ ସତେ ଯେପରି କିଏ ହାତୁଡି ପିଟି ଦେଲା ।  ସତରେ ତାର କି ଅଭିଶପ୍ତ ଜୀବନ!
                                                                            ସଂପାଦକ: ଉଦୟଭାନୁ
           

No comments:

Post a Comment

ହୃଦୟର ଶରଧା ସହିତ...........