ଅକ୍ଟୋପସ୍

(ମାଧବାନନ୍ଦ ଭୋଇ)

(ଏ ଗଳ୍ପ ପ୍ରଚ୍ଛଦ ପଟରେ କିଛି କଥା ଆଉ ସତ କଥା- ଏକଦା ମୋର ପ୍ରିୟ ମାର୍ଗଦର୍ଶକ ତଥା ସ୍ରଷ୍ଟା ଇଶ୍ରାର ଖାନଙ୍କ ବିୟୋଗ ଜନିତ ଶୋକ ସଭା ସମାପନ ପରେ ଗବବସ୍ତ ବଜାରରେ ଚା ପାନ ସମୟରେ, ଲେଖିବା କଥା ଆଲୋଚନା ହେଉ ହେଉ, ମୋର ବଡ ଭାଇ ତଥା କବି ରାଧାଶ୍ୟାମ ମହାନ୍ତି ଏହି ଗପର ଥିମ୍ ଦେଇଥିଲେ । ବହୁତ ଥର ଭାବିଛି ଲେଖିବା ପାଇଁ  । ସମୟ ହୁଏ ନି  । ଆଜି ବି ସମୟ ନ ଥିଲା ।  ମୋର ବ୍ୟକ୍ତିଗତ ବିଭିନ୍ନ ସମସ୍ୟା ଥିଲେ ବି , ଗର୍ଭ ବେଦନା ସହି ନ  ପାରି  ତ୍ୱରିତ ପ୍ରସବ କରିବା ପରି ଏ ଗଳ୍ପଟି ଲେଖିଛି ଏକା ଥରକରେ  । ଗପରେ  ୯୦ ଭାଗ ସତ୍ୟ ଅଛି  ।  କାହାକୁ ଇଙ୍ଗିତ କରି ଲେଖି ନାହିଁ  । ଯଦି ଏ ଗପ କାହା ମନରେ  ଯନ୍ତ୍ରଣା ଦିଏ, ନିଜର  ସ୍ବଗୁଣରେ ମୋତେ କ୍ଷମା କରିଦେବା ପାଇଁ ଅନୁରୋଧ)
କୋଭିଡ୍ ଆସିଲା   । କାହାର ପୁଷ ମାସ, କାହାର ସର୍ବନାଶ ନ୍ୟାୟରେ କାହାର ମୁହଁରୁ ହସ ଛଡାଇ ନେଲା ତ  କାହାକୁ କୋଟିପତି କରି ଦେଲା ।  ଜନତା  ଜନାର୍ଦ୍ଦନ ତୁଣ୍ଡି ପିନ୍ଧି ଭୋକ ଉପାସରେ ଡହ ଡହ ହେଉଥିଲା ବେଳେ, ସୁଯୋଗ ମିଳିଛି ବୋଲି  କିଛି  ନେତା କୁଜିଙ୍କ ସହିତ ରାଜକୋଷକୁ ଲୁଟି ଚାଲିଥିଲେ;ଆସନ୍ତା ପିଢୀମାନଙ୍କ ପାଇଁ ନତୁବା ଆସନ୍ତା ନିର୍ବାଚନରେ ଟଙ୍କା ବାଂଟିବା ପାଇଁ । କିନ୍ତୁ  କଟ ବାବୁଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା । ଛାତି କୋରି ହେଉ ଯାଉଥିଲା ନିଜର ଭେଣ୍ଡା ପୁଅକୁ ହରାଇ  । ଏମିତି ତ ପୁଅ ଗୋଟେ ବେସରକାରୀ କଂପାନୀରେ କିରାଣୀ ଥିଲା । ହସ ଖୁସିରେ ଚାଲି ଯାଉଥିଲା ଛୋଟିଆ ସଂସାର  । ହେଲେ କୋଭିଡ୍ ଆସିଲା , ସବୁ କିଛି ସାରିଦେଲା । ଏହା ପରେ ବେଡି ଉପରେ କୋରଡା ମାଡ  ।  ପୁଅ ମରୁ ପଛେ , ଲୋକଙ୍କର କଣ ଭାସି ଯାଉଛି  । ବଡ ମରା ପରା;ଦଶ ଦିନେ ଦଶ ତୁଠ କରି  ଶୁଦ୍ଧି ହେବ  । ସାହି ଭାଇ ଛଅର ହେଲା ପରେ ନୁଆ ଲୁଗା ପିନ୍ଧିବେ  । ତା  ପର ଠୁ ବେଳାଏ ଆଉ ଦି ବେଳା ହୋଇ  ଚଉଦ ଦିନ ମେଳା ପର୍ଯ୍ୟନ୍ତ  ଖାଇ ଚାଲିଥିବେ । ନ ହେଲେ ତାର ଜୀବାତ୍ମା ନର୍କରେ ଘାଂଟି ହେବ  । ସତରେ କେତେ କୁତ୍ସିତ ପରମ୍ପରା  ଏଠି  । ସମ ବେଦନା ବଦଳରେ ନର୍କ ଯାତନା । କଟ ବାବୁ ମାସକର ପେନସନ୍ ଏ ଶୁଦ୍ଧଘର କାମରେ ସରିଗଲା ପରେ  ହାତ ଉଦ୍ଧାରି କିଛି ହୋଇ ଯାଇଥିଲା । ଘର ଚଳିବା ପାଇଁ ବି ନିକଟରେ ଟଙ୍କା ନ ଥିଲା ।
ପୁଅର ଟଙ୍କା କିଛି ବ୍ୟାଙ୍କରେ ଅଛି  । ହେଲେ ଉଠାଇବା ପାଇଁ, ବିନା ଉତରାଧିକାରୀ ପ୍ରମାଣପତ୍ରରେ  ଟଙ୍କା ମିଳିବ ନାହିଁ ବୋଲି ବ୍ୟାଙ୍କ ପରିଚାଳକ ମନା କରିଦେଲେ ।  ଉତରାଧିକାରୀ ପ୍ରମାଣ ପତ୍ର ପାଇଁ ଜନ  ସେବା କେନ୍ଦ୍ରରେ ଆବେଦନ କରିବା ପାଇଁ ପଡିବ  । କେତେ ପ୍ରକାର କାଗଜ ପତ୍ର ଦରକାର  । ଆଫିଡେଭିଟ୍   କରିବା ବ୍ରିଟିଶ ଅମଳର ପରମ୍ପରା ବୋଲି ରାଜ୍ୟ ସରକାର ମନା କରି ଦେଲା ପରେ ବି ତହସିଲଦାରମାନଙ୍କ ବ୍ରିଟିଶ ପ୍ରିତୀ ଯାଉନାହିଁ  । ବିନା ଆଫିଡେଭିଟ୍ ରେ ଉତରାଧିକାରୀ ପ୍ରମାଣପତ୍ର ଆବେଦନ କରା ଯାଇପାରିବ ନାହିଁ  । ନ ହେଲେ  ଦରଖାସ୍ତ ନାକଚ ହୋଇଯିବ  । ହେଲେ ମଂଜ କଥା ଯାଇ ଆଉ କେଉଁଠି ? ତହସିଲରେ ଓକିଲ ଗୁଡାକ ପୁଣି ବଂଚିବେ କେମିତି ଯେ ?  ପେଟ ପାଟଣା କଥା ଅଛି ନା  । ମନେ ମନେ ଚିଡି ଯାଉଥିଲେ କଟ ବାବୁ  ।   ତାପରେ ଆଉ ଗୋଟେ ସମସ୍ୟା ।  ରାଜସ୍ବ ନିରୀକ୍ଷକଟା ଭେଣ୍ଡିଆ ହେଲେ କଣ ହେବ,  କଂପୁ୍ୟଟରରେ ଅନ୍ ଲାଇନ୍ ରିପୋର୍ଟ କରି ଅପଲୋଡ୍ କରି ପାରିବନି  । ଦରଖାସ୍ତ ନେଇ ରିପୋର୍ଟ ପାଇଁ ଆର. ଆଇ. ଅଫିସ୍ ଚାଲ ।   ସେଥିରେ ବି କିଛି ପେଂଚ ଥିବ ବୋଧେ ।
ଉତରାଧିକାରୀ ପ୍ରମାଣ ପତ୍ର ପାଇଁ ଦରଖାସ୍ତ ଦେବାର ମାସେ ହୋଇ ଗଲାଣି ।  ଦି ଚାରି ଥର ଗଲା ପରେ ଆର.ଆଇ. ଟା ଆସୁନାହିଁ  ଗାଁଆକୁ ରିପୋର୍ଟ କରିବା ପାଇଁ  ।   ମନେ ମନେ ବିରକ୍ତ ହୋଇଯାଉଥିଲେ କଟ ବାବୁ  । ନିଜର ବହୁତ କାମ ଥିଲେ ବି  ସମୟ ନଷ୍ଟ କରି ଆର. ଆଇ. ଅଫିସ୍ ଦୌଡି  ଦୌଡି   ନୟାନ୍ତ ହୋଇଯାଇଥିଲେ ।  ଆଜି ଯାହା ବି ହେଉ, କଳେ ବଳେ କୌଶଳେ କାମଟା କରିବାକୁ ହେବ  ।  ନହେଲେ ପିଲା/ଛୁଆଙ୍କ ମୁହଁରେ ଆହାର ବି ଦେଇ ହେବ ନାହିଁ  । ଦିନ ବାରଟାରେ ଆର. ଆଇ. ଅଫିସରେ ପହଂଚିଲେ କଟ ବାବୁ  । ଆର. ଆଇ.  ମହାଶୟ ଲାପଟପରେ କଣ ଗୋଟେ କରୁଥିଲେ ବୋଧେ । ଶଃ, ଆଶ୍ଚର୍ଯ୍ୟ କଥା ତ ।  କଂପୁ୍ୟଟର କାମ ଜାଣି ନାହିଁ ବୋଲି ଅନ୍ ଲାଇନ୍ ରିପୋର୍ଟ କରିବନି  ।  ପୁଣି ଏକି ଫାର୍ସ ଚାଲିଛି । ନମସ୍କାର ଗୋଟେ ପକାଇ କାକୁସ୍ଥ ହୋଇ ଠିଆ ହୋଇ ରହିଲେ କଟ ବାବୁ । 
- କଣ ହେଲା, କାଇଁ ଆସିଛ ?
- ସାର୍! ଆମର ଉତରାଧିକାରୀ ପ୍ରମାଣ ପତ୍ର ପାଇଁ  ରିପୋର୍ଟ ଟା ହେଲା ନି ଯେ ?
- ଓହୋ, କେତେ କାମ କରିବ ଯେ, ହଉ, ବାହାରେ ଆମର ପିଅନ ଧେଡୁ ଭାଇନା ଅଛି ।   ତମେ ଟିକେ କଥା ହୋଇ, ତାକୁ କହିବ ତମ ଫର୍ମଟା ଟିକେ ଖୋଜି ମୋତେ ଦେଇଦେବ । ମୁଁ କରିଦେବି ।
    ଧେଡୁ ଭାଇନାକୁ ଖୋଜିବା ପାଇଁ ବେଶି ସମୟ ଲାଗିଲାନି ? ସେ ଦିନ ବୋଧେ ଅଫିସରେ ଆଇଁଷ ହୋଇଥିଲା ନା କଣ ? ଆର. ଆଇ. ଅଫିସଟା ଆଇଁଷିଆ ହୋଇ ମହ ମହ ବାସୁଥିଲା । ଧେଡୁ ଭାଇନା ଫିକ୍ କରି ହସିଦେଲା କଟ ବାବୁଙ୍କୁ ଦେଖି ।
- ଆପଣଙ୍କ କାମ ଆଜି ଯାଏ ହୋଇନି ଯେ  ।
- ଦେଖୁଚ ତ ଆସୁଛି, ପୁଣି ପଚାରୁଛ  ।
-କଣ କରିବା ? ସମୟ ତ  ହଉନି । କେଉଁ ଦିନ ଗୋଟେ ଯିବା ।
- ମାନେ! ଆରେ ଭାଇ, କଣ ଗୋଟେ କର  ।
- ହୁଁ! ଏଥର ଲାଇନ୍ ଉପରକୁ ଆସିଲ । କଣ ଗୋଟେ ଦବ । କରିଦେବା ଆଉ । ଆମ ଭିତର କଥା ।
                       ଧେଡୁ ଭାଇନା ସହିତ ମୁଲ ଚାଲ ଛିଡିଗଲା ।  ୩୦୦ ଟଙ୍କା ଲାଂଚରେ ରିପୋର୍ଟ ହୋଇଯିବ ବୋଲି ସଫା ହୋଇଗଲା । ହେଲେ ଏକ ସପ୍ତାହ ବିତି ଗଲା ପରେ ବି କଟ ବାବୁଙ୍କ ରିପୋର୍ଟ ହେଉ ନ ଥିଲା । ଆର. ଆଇ. ମହାଶୟଙ୍କୁ ଅପେକ୍ଷା କରି କରି ଆଖି ପାଣି ଆଖିରେ ମରୁଥିଲା । ହେଲେ ପରେ ପରେ ଦୁଇ ଥର ଆର. ଆଇ. ଅଫିସକୁ ଗଲା ପରେ ବି ଆର. ଆଇ. ମହାଶୟଙ୍କ ସହିତ ସାକ୍ଷାତ ହୋଇ ପାରୁ ନ ଥିଲା ।  କାମ ହୋଇଯିବ ବୋଲି ଧେଡୁ ଭାଇନା  କହୁଥିଲା ସିନା କଟ ବାବୁ ମୁହଁରେ କହି ନ ପାରୁଥିଲେ ବି ମନେ ମନେ ବିଡ୍ ବିଡ୍ ହୋଇ ଫେରି ଆସୁଥିଲେ । ସାଦା ସିଦା ମଣିଷମାନେ କଣ ବା କରି ପାରିବେ ? ସମାଜରେ ଦୁର୍ନିତୀର ଅକ୍ଟୋପସ୍ କିଲ୍ ବିଲ୍ କରି ସମାଜକୁ ଜାବୁଡି ଧରିଛି । ଝୁଣି ଝୁଣି କରି ଶୋଷୁଛି ନିରୀହ ଜନତାଙ୍କ ଝାଳବୁହା ରକତକୁ । ଆଜି ବି ନେତାମାନେ ଦୁର୍ନିତୀ ପଥର ପଥିକ । ବୁ୍ୟରୋକାଟଙ୍କ ଠାରୁ  ତଳିଆ କର୍ମଚାରୀମାନେ ମଧ୍ୟ ସେଇ ପଥର ପଥିକ । ଲାଂଚ ନ ଦେଲେ ଜନ ସାଧାରଣଙ୍କ କୌଣସି କାମ ହୋଇ ପାରିବ ନାହିଁ  । ବଡମାନେ ଖାଉଛନ୍ତି । ନେତା ମନ୍ତ୍ରୀମାନେ ଖାଉଛନ୍ତି  । ଆମେ ବାଦ୍ ପଡିବୁ କାହିଁକି ? ଆମେ କଣ ନିଆଁରେ ମୁତିଛୁ କି?
କଟ ବାବୁଙ୍କ ଧୈର୍ଯ୍ୟର ସୀମା ଲଙ୍ଘନ କରୁଥିଲା । ଶଃ..କୁ ଟଙ୍କା ଦେଇଛି  । ଆଜି ଯାହା ବି ହେଉ କରି କି ଆଣିବି  ।  ଶଃ..  ମୋତେ ମଫୁ ବୋଲି ଭାବିଛି  ।  ମନେ ମନେ ବିଡ୍ ବିଡ୍ ହୋଇ ଆର. ଆଇ. ଅଫିସରେ   କଟ ବାବୁ ପହଂଚିଲେ । ଆର. ଆଇ. ମହାଶୟ ଚଷମା ଟେକି ଦେଲେ ।
- ମଉସା, ଆପଣଙ୍କ କାମ ସରିନି କି ?
- ଭଲ କଥା କହୁଛନ୍ତି ସାରେ, ଯଦି ଆପଣ କରିଥାନ୍ତେ ମୁଁ କାହିଁ ଚୋର ପୁଲିସି ଖେଳିବା ପାଇଁ ଆସୁଥାନ୍ତି ।
- ହେଃ, ମଉସା ସେ କଥା ଛାଡ?  ତମ  ଘର ପାଖରେ କାହା ମୋବାଇଲ୍ ନମ୍ବର ଅଛି କହିଲ ?
- କାହିଁକି  । ହଉ ଦଉଛି?
                     ମୋବାଇଲ୍ ନମ୍ବର ଦେଲା ପରେ ଆର. ଆଇ. ମହାଶୟ ଫୋନ କରି କଟ ବାବୁଙ୍କର ପରିବାର କଥା ବୁଝିଦେଲେ  । ରିପୋର୍ଟ ଲେଖା ସରିଗଲା । ରିପୋର୍ଟ ତଳେ ଆର. ଆଇ. ମହାଶୟ ପାଂଚଟା ଛକି ମାରିଦେଲେ । ବହୁତ କାମ ଅଛି ବୋଲି ଆଉ ଯାଇ ହେବନି, ପାଂଚଟାଛକିରେ ପାଂଚଟା ସାକ୍ଷୀ  ଦସ୍ତଖତ କଲାପରେ ଜନସେବା କେନ୍ଦ୍ରରେ ଆବେଦନ କରିବା ପାଇଁ କହି ଆର. ଆଇ. ମହାଶୟ ଦରଖାସ୍ତ ଫର୍ମ ବଢାଇଦେଲେ କଟ ବାବୁଙ୍କୁ । କଟ ବାବୁ ମନେ ମନେ ରକ୍ତ ଚାଉଳ ଚୋବାଇ ଆର. ଆଇ.ର ଚଉଦ ପୁରୁଷକୁ ଗାଳି ଦେଇ ଘରେ ପହଂଚିବା ଛଡା ଅନ୍ୟ କିଛି ବାଟ ନ ଥିଲା ।
ଆଜି ଶୁକ୍ର ବାର । ଅଡଶପୁର ହାଟ ଅଛି । ପନିପରିବା କିଣିବା ପାଇଁ ପଡିବ  ।  ହାଟରେ କିଛି ବନ୍ଧୁ ଦେଖା ହେବା ସହିତ ବନ୍ଧୁ ମିଳନ ବି  ହୋଇଯିବ ।    ପାଇଟାଳ ଚା ଦୋକାନ ନିକଟରେ  ନିଜର ମଟର ସାଇକେଲଟିକୁ ପାର୍କିଂ କଲା ବେଳେ, ଧେଡୁ ଭାଇନା ଦେଖାହୋଇଗଲା ।  ଚୋର ଶଃ.. ତମେ ଶଃ .. ହଜାର ହଜାର ଟଙ୍କା  ଦରମା ପାଇ  ଜନ ସାଧାରଣଙ୍କୁ ଏମିତି ଚନ୍ଦେଇବ  ।  ଆମକୁ ଦୌଡାଇ ଦୌଡାଇ ପାଦରୁ ଗଲୁ ମାରିବ  । ଇଛା ହେଉଥିଲା ଦୋ ଅକ୍ଷରୀରେ ଦିପଦ ଝାଡି ଦେବା ପାଇଁ ଧେଡୁ ଭାଇନାକୁ  ।  ଆରେ ଦି ହାତରେ କଣ ବଡ ବଡ ପରିବା ବ୍ୟାଗ୍ କଣ ଧରିଛି ବେ  । ପୁଣି ସମାନ ସମାନ ପରିବା ବି ବ୍ୟାଗରେ ଦେଖାଯାଉଛି ।  ଆଳୁ କିଲୋ ଚାଳିଶ ଟଙ୍କା ଆଉ ତା ପରେ ବି  ଅନ୍ୟ ପନି ପରିବା ସବୁ ଅଶୀ ଟଙ୍କା ଉପରେ  । ମନେ ମନେ ଦ୍ୱନ୍ଦରେ ପଡୁଥିଲେ କଟ  ବାବୁ  । ଘଟଣାଟା କଣ ହୋଇ ପାରେ? ଶଃ..ପଟାଏ କାହାକୁ ମାରିଛି ବୋଧେ ?
-କଣ ମଉସା! ଏମିତି ଚାହୁଁଛ ଯେ ?
- ଆରେ ଧେଡୁ ଭାଇନା, ପରିବା କଣ ଶସ୍ତା ହୋଇଛି ନା କଣ? ହାଟଟା ଉଠାଇ ଆଣିଛ!
- ହେଃ!ଏମିତି ନେଇ ଆଣିଛି?
- କଣ ଏମିତି ଯେ, ଟିକେ ଖୋଲି କି କହୁନ ?
- କଣ କହିବି ମଉସା! ଗୋଟିଏ ବ୍ୟାଗ୍ ମୋର, ଆଉ ଗୋଟିଏ ଆର. ଆଇ.  ସାର୍ ଙ୍କର  । କାଲି ଦ୍ୱିତୀୟ ଶନିବାର ଅଛି ତ  । ସାର୍ ଆଜି ଗାଆଁକୁ ପଳାଇବେ । ତା ପରେ ବି  ଆମ କାମ ହେବ କିପରି ? କିଛି ଦେଲେ ତ ! ମୁଁ ଜାଣିଛି ମଉସା, ତମେ ଆମକୁ ଶୋଧୁଥିବ, ଲାଂଚ ଦଉଛ ବୋଲି  । ହେଲେ ଆମେ କଣ କରିବୁ?   ସେ ଆର.ଆଇ..ଶଃ..ଟା ବଡ ଚୋର । ଆମେ ତ ତଳିଆ ପିଅନ  । ଏଇ ଦେଖୁନ, ପରିବା ଭାଉ ଯାହା ହୋଇଛି,  ତା ପାଇଁ କାହିଁକି ପରିବା କିଣି ବୋହି ବୋହି  ଅଫିସ କ୍ୱାଟରକୁ ନେଇଥାନ୍ତି ।   ଭଲ ପରିବା ଆଣିଛି ମଉସା । ମାଡାମ ବହୁତ ଖୁସି ହେବେ  । ମୁଁ ଦେଇଛି ବୋଲି, ମୋ କାମ ବି ହୋଇଯିବ  । ଦେଖୁନ, ବର୍ତମାନ ଆମର କାମ ଭିଡ ଅଛି । ୱାରସ ସଂଶୋଧନ ଠାରୁ ମୁ୍ୟଟେସନ୍ ପର୍ଯ୍ୟନ୍ତ  । କଚେ ପୁଅ ବାର ?
କଟ ବାବୁଙ୍କର ଆଉ ଶୁଣିବାର ଧୈର୍ଯ୍ୟ ନ ଥିଲା ।    ପରିବା କିଣିବାକୁ ହେବ  ।   ନ ହେଲେ ଅନ୍ଧାର ହୋଇଯିବ  । ଏ ଯୁଗ ଯାହା ହେଲାଣି ନା, ଆଉ କିଛି କହି ହେବ ନାହିଁ ।
ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮, 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...