କେବେ ଏହି ପ୍ରେମ !
କୈଶୋରର ପ୍ରେମ କବିତା କେବେ ଦରକଂଚା କବିତା ପରି ଲାଗେ ।ତେବେ କଅଁଳିଆ ଡେଣାରେ ଖଣ୍ଡିଉଡା ଦେଇ, ନିଜର ବେସାହିବୀ ଢଙ୍ଗରେ ଲେଖୁଥିବା କବିତା କେବେ ଅଧାଲେଖା ଦସ୍ତାବିଜ୍ ହୋଇ ରହିଯାଏ ତ କେବେ କେବେ ସ୍ମୃତିର ଫରୁଆରେ ଚିକ୍ ମିକ୍ ମୋତିଟେ ପରି ଝଟକୁଥାଏ । ଅପେକ୍ଷା କରିଥାଏ ପୁଣି ପ୍ରିୟ ମଣିଷର ଅଭୁଲା ପରଶକୁ ।ପୁଣି ଶିଳାରୁ ଶାଳଗ୍ରାମ ହେବା ପାଇଁ । ଆଜି ଏହି କବିତା “କେବେ ଏହି ପ୍ରେମ !” ଆପଣମାନଙ୍କ ପାଇଁ, ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ । ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ପ୍ରେମ କେବେ ଜଳେ ନାହିଁ,ଦୀପଟିଏ ଜାଳିଦିଏ,
ପ୍ରେମ ହୁଏ,ଫୁଲ ଫୁଟେ,ଜୀବନକୁ ମହକାଏ । ।
ନିଦ ଭରା,ସ୍ବପ୍ନ ଭରା; ଭିଜା ଭିଜା ନୟନ,
ଦେଖାଏ ସେ କେତେ ରଙ୍ଗ, ମଧୁ ରାତି ସପନ । ।
ଛୋଟ ଛୋଟ କଥା କେବେ ଭାଙ୍ଗି ଦିଏ ସପନ,
କିଛି ସ୍ନେହ,କିଛି ପ୍ରେମ ଚାହେଁ କାହିଁ ଏ ମନ । ।
ପ୍ରେମ ଫୁଲ; ବଗିଚାରେ କେବେ ଫୁଟି ଝରିଯାଏ,
ଅଦିନ ବରଷା ପରି ହୃଦୟରେ ଝରିଯାଏ ।
ଶାମୁକା ମୁକତା ଦେଇ କାହିଁ କେବେ ହଜିଯାଏ,
ହେଲେ ପ୍ରେମ,ଦେବାରେ ଆନନ୍ଦ ଥାଏ,ନେବାରେ ତ ନଥାଏ ??
No comments:
Post a Comment
ହୃଦୟର ଶରଧା ସହିତ...........