ଓଲଟପୁର ଆହାର କେନ୍ଦ୍ରରେ ନିମ୍ନ ମାନର ଆହାର

           

ଆଜି ସତର ୦୪ ୨୦୨୧ । ସମୟ ଦିନ ଏଗାର ଘଟିକା ।    ପ୍ରିଂଟର୍ ଆଣିବା ପାଇଁ  ଭୁବନେଶ୍ୱର ଯିବା ପାଇଁ ଥିଲେ ମଧ୍ୟ  କୋଭିଡ୍ ପରିପ୍ରେକ୍ଷୀରେ ଓଲଟପୁରସ୍ଥିତ ଏସ୍.ଭି. ନିରତାର( ଏସିଆ ମହାଦେଶର ପ୍ରସିଦ୍ଧ ଅସ୍ଥି ଶଲ୍ୟ ଚିକିତ୍ସାଳୟ) ଯିବା ପାଇଁ ଆଗ୍ରହାନ୍ୱିତ ହୋଇ ବାଇକ୍ ବୁଲାଇଲି  । ଅଧୁନା ସମୟରେ ଆମ ଅଂଚଳରେ କୋଭିଡ ପଜିଟିଭ୍  ବୃଦ୍ଧି ପାଉଥିବା ସ୍ଥଳେ ମେଡିକାଲର ସ୍ଥିତାବସ୍ଥା ଜାଣିବାକୁ ଇଛା ଥିଲା ।  ସତରେ ମେଡିକାଲ ଶୁନ୍ ଶାନ୍ ଲାଗୁଥିଲା । ପ୍ରାୟ ଛାତ୍ରୀ/ଛାତ୍ର ଦେଖା ଯାଉନଥିବା ସ୍ଥଳେ ବିଶେଷ ରୋଗୀମାନେ ମଧ୍ୟ ଦେଖା ଯାଉ ନ ଥିଲେ । ଆହାର କେନ୍ଦ୍ର ସଂଗଠନ, ପୁରୀର ଏକ ବଂଟନ ଗାଡି, ଏସ୍.ଭି. ନିରତାରର ମେଡିକାଲ ଆହାର କେନ୍ଦ୍ର ସମ୍ୁଖରେ ଠିଆ ହୋଇଥିଲା  । ପ୍ରାୟ ୩୦/୪୦ ଜଣ ଖାଦ୍ୟ ସଂଗ୍ରହ ପାଇଁ  ମହିଳା / ପୁରୁଷ ଠିଆ ହୋଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବର୍ତମାନ ମହିଳା ମିଶନ ଶକ୍ତି ମାଧ୍ୟମରେ  ଟୋକନ ପିଛା ପାଂଚ  ଟଙ୍କାରେ ଏକ ମଗ ଭାତ, ଅଧ ମଗ ଡାଲି ଓ ଚା ଚାମୁଚରେ ଏକ  ଚାମୁଚ୍ ଆଚାର ଦିଆ ଯାଇଥାଏ  ।  ଯାହାକୁ  ଖାଦ୍ୟ ବଂଟନ କରୁଥିବା ସଂସ୍ଥା  ମିଲ୍ ପିଛା ସହଯୋଗୀ ରାଶି ପାଂଚ ଟଙ୍କା ବଦଳରେ  ତିରିଶ୍ ଟଙ୍କା ବିଲ୍ କରିଥାଏ  ।ପ୍ରାୟ ଆହାର କେନ୍ଦ୍ରରେ ଗୋଟିଏ ଟୋକନରେ ପେଟ ପୁରୁ ନ ଥିବା ହେତୁ  ପ୍ରାୟ  ଶତକଡା ୬୦ ଭାଗ ଲୋକ  ପାଂଚ ଟଙ୍କିଆ ଡବଲ୍ ଟୋକନ  କିଣିଥାନ୍ତି । 
କିଛି ସମୟ ପରେ ଆହାର କେନ୍ଦ୍ରରେ ପ୍ରବେଶ କଲି । କେନ୍ଦ୍ରର ପାରିପାଶ୍ୱିର୍କ ଅବସ୍ଥା ବିଶେଷ ସନ୍ତୋଷଜନକ ନ ଥିଲା ।  ଦୀର୍ଘ ଦିନ ଧରି ଏକ ଫ୍ୟାନ୍ ଖରାପ ହୋଇ ରହିଥିଲା । ତେବେ ଖାଦ୍ୟ ବଂଟନ ସମୟରେ ଖାଦ୍ୟ ବାବଦରେ ଭାତର ମାନ  ଚଳନୀୟ ହେଲେ ମଧ୍ୟ ଡାଲମା ଅତ୍ୟନ୍ତ ନିମ୍ନମାନର ଥିଲା । ଯାହା ମୁଁ ଉଠାଇଥିବା ଫଟୋରୁ ଆପଣ ଅନୁମାନ କରିପାରୁଥିବେ । ଏପରି ବୃହତମ ତଥା ପ୍ରସିଦ୍ଧ ଡାକ୍ତରଖାନାରେ ,ଦୀନ ଦୁଃଖୀଙ୍କ ପାଇଁ ଖାଦ୍ୟ ବଂଟନ କରୁଥିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଖାଦ୍ୟ ବିତରଣ ସଂସ୍ଥା, ଡାଲମାରେ ହରଡ ବଦଳରେ କାନ୍ଦୁଲ ଡାଲି ବ୍ୟବହୃତ ହୋଇଛି ବୋଲି ଅନୁମେୟ କରାଯାଉଥିଲା । ବର୍ତମାନ ସମୟରେ ପନିପରିବା ବହୁତ ଶସ୍ତା ଥିଲେ ମଧ୍ୟ ସେଥିରେ କେବଳ ଆଳୁ ପଡିଥିଲା ।   ଯାହା ଫଳରେ  ସେଠାରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ଏସଂପର୍କରେ ବଂଟନ କରୁଥିବା ମାଆମାନଙ୍କୁ ପଚାରିଲେ , ସେ ବାଂଟିବା ଲୋକ, ଖାଇବା ଜିନିଷ ଭଲ ହେଲା କି ମନ୍ଦ ହେଲା କହିପାରିବେ ନାହିଁ  । ଆପଣ ମାନେ ଭାବୁଥିବେ ଯେ, ପାଂଚ ଟଙ୍କାରେ କଣ ସରକାର ଏମାନଙ୍କୁ ମଟନ୍ ଚିକେନ୍ ଦେଇଥାନ୍ତା  ବୋଲି ପ୍ରଶ୍ନ କରି ପାରନ୍ତି ।ଏଠି ଏଲ/ସି/ଡି ପରଦାରେ  ମୁଖ୍ୟମନ୍ତ୍ରୀଙ୍କ ମୁଚୁକୁନ୍ଦା ହସ  ଏବଂ  ଖାଦ୍ୟ ପାଇଁ ଆଇ.ଏସ.ଆଇ. ପ୍ରମାଣପତ୍ର  ଦେଖିଲେ ଏହା ଏକ ପ୍ରହସନ ଲାଗେ । କିନ୍ତୁ   ଏଠାକୁ ବର୍ହି ରାଜ୍ୟରୁ ଆସୁଥିବା ରୋଗୀ ଏବଂ ତାଙ୍କର ସହଯୋଗୀମାନେ  ଏପରି ଖାଦ୍ୟ ଖାଇବା ଦ୍ୱାରା ଓଡିଶା ପ୍ରତି କେଉଁ ମନୋଭାବ ଅନୁଭବ କରୁଥିବେ, ଏହାକୁ ଖାଦ୍ୟ ବିତରଣ କରୁଥିବା ସଂସ୍ଥା ଆତ୍ମ  ସମୀକ୍ଷା କରିବା ଆବଶ୍ୟକ  । ଟୋକନ ପିଛା ପାଂଚ  ଟଙ୍କାରେ ଏକ ମଗ ଭାତ, ଅଧ ମଗ ଡାଲି ଓ ଚା ଚାମୁଚରେ ଏକ  ଚାମୁଚ୍ ଆଚାର ହେଲେ ମଧ୍ୟ  ବିଲ୍ ମାଧ୍ୟମରେ ସ୍ଥିରୀକୃତ ମୂଲ୍ୟ ୩୦ ଟଙ୍କା ଅଟେ ।  ଏପରି ନିମ୍ନ ମାନର ଖାଦ୍ୟ  ଓଲଟପୁର ମେଡିକାଲରେ ବଂଟନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକÿ  ଅଟେ । ଯାହା ନିର୍ଦ୍ଦେଶକ ସମେତ ପ୍ରଶାସନ ଦୃଷ୍ଟି ପ୍ରଦାନ କରିବା ସହିତ ବିହିତ ପଦକ୍ଷେପ ନେବା ଆବଶ୍ୟକ ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପଣା ସଂକ୍ରାନ୍ତି

ମାଧବାନନ୍ଦ ଭୋଇ


                                   ଆଜି ପଣା ସଂକ୍ରାନ୍ତି ଥିଲେ ମଧ୍ୟ ଘରେ ଆମର କିଛି ସେମିତି ମାହୋଲ ନ ଥିଲା । ପ୍ରତି ଦିନ ପରି ମୋର  ଜନ ସେବା କେନ୍ଦ୍ର ଖୋଲିବା ସହିତ  ଅନ୍ ଲାଇନ୍ ଫାଇଲ୍  କାମ ଉପରେ ଆଖି ବୁଲାଇ ଆଣିଲି । କାରଣ ଛୁଟି ଦିନରେ ପ୍ରାୟ ଲୋକ ସେମିତି କାମ ପାଇଁ ଆସନ୍ତି ନାହିଁ  । ସମୟ ପ୍ରାୟ ଆଠଟା ବାଜିଗଲା  । ଏହି ସମୟରେ  ଧଳା ଲୁଗା ପିନ୍ଧି ଜନୈକ ଭଦ୍ର ମହିଳା ମୋ ଅଫିସ୍ ଭିତରକୁ ଆସିଲେ  । ହାତରେ  କୌଣସି ଶାଢୀ ଦୋକାନର  ମଇଳା ଜରି  ଖଣ୍ଡେ  । ପିନ୍ଧିଥିବା ଏକମାତ୍ର ଶାଢୀ ଖଣ୍ଡକ ପରିଷ୍କାର ନ ଥିବା ସ୍ଥଳେ ଲୁଗା ଚିରା ଥିଲା । ହାତରେ ପିତଳ କାଚ ଦୁଇ ପଟ ବୈଧବର ସୂଚନା ବି ଦେଊଥିଲା ।  ଶାରୀରିକ ଦୃଷ୍ଟିକୋଣରୁ ମାଆ ଜଣକ ଅଶୀ ବର୍ଷରୁ ଅଧିକ ଜଣା ପଡୁଥିଲେ । ନଇଁ ନଇଁ ଚାଲୁଥିଲେ । ଆଖି ଦୁଇଟି ଛଳ ଛଳ ଲାଗୁଥିଲା । ଏହା ମଧ୍ୟରେ ମୋର  କଂପୁ୍ୟଟର ସ୍ପିକରରେ ଶ୍ରୀ ଚରଣ ମହାନ୍ତିଙ୍କ କଂଠରେ “ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ” ଗୀତର ସ୍ବର ପରିବେଶକୁ ଆହୁରି ଭାବ ଗମ୍ଭୀର କରୁଥିଲା ।
- କଣ ହୋଇଛି ମାଆ
- କଣ କରିବି ବାପା, ବୟସ ଅଧିକା ହୋଇଗଲାଣି  ୫୦୦ ଟଙ୍କା ଭତାରେ ମୁଁ କଣ ଚଳି ପାରିବି ?ଆଧାର କାର୍ଡଟା ହଜି ଯାଇଛି  । ଜେରକ୍ସ ଅଛି  । ସେଇଟା ବାହାର କରିଦେବୁ ଆଉ ଭୋଟର କାର୍ଡଟା ତୋ ପାଖରେ ରଖିଥିବୁ ।
- ତମର ଏ ଅରଜିନାଲ କାର୍ଡ ନେଇ ମୁଁ କଣ କରିବି  ।
- ନାଇଁରେ  । ଏ ଅରଜିନାଲ ଭୋଟର କାର୍ଡ ପଂଚାୟତ ଅଫିସରେ ଥିଲା ବୋଲି ପାଇଲି  । ନ ହେଲେ ବୋହୁ ମୋତେ ହଇରାଣ କରିବାରୁ ଝିଅ ଘରକୁ ଯାଇଥିଲି  । ଦି ମାସ ରହି କାଲି ଆସିଲି  । ହେଲେ ମୋ ଟ୍ରଙ୍କରେ ରଖିଥିବା କାଗଜ ପତ୍ର   ଯାହା ଥିଲା, ସବୁ ସେ ବୋହୁ ଲୁଚାଇ ଦେଇଥିବ ନ ହେଲେ କଣ କରିଥିବ ?
- ଏମିତି କାହିଁକି କହୁଚ ତାଙ୍କ ନାଆଁରେ... ...
- ବା... ...ପା,ପର ଝିଅ ନାମରେ କଣ ମିଛ କହିବି ? ଭେଣ୍ଡିଆ ପୁଅ ଚାଲି ଗଲା ପରେ ଏ ବୋହୁ ମୋତେ ବହୁତ ହଇରାଣ କରୁଛି । ଖାଇବାକୁ ଦି ବେଳା ଦଉନାହିଁ  । ମାସ ଶେଷକୁ ଭତା ଆସିଲେ ଛଡେଇ ନେଇଯିବ । ହେଲେ ଶୁଆସ ବେଳେ ବେଳେ ବାହାରୁଛି, ତା ପାଇଁ ଓଷଧ ଦରକାର ହେଲେ ପଇସାଟେ ଦବ ନାହିଁ  । ପର ଲୋକ ଠୁ ମାଗି  ଯାଚି ଓଷଧ ଆଣି ଖାଇବି  । କହିଲୁ ଧରମ ସହିବ । ମୋ ବିପିଏଲ ଚାଉଳ ମିଳୁଛି  । ଭତା ମିଳୁଛି  । ମୋ ଜାଗାରେ ଥାଇ ସବୁ ଖାଉଚି । ହେଲେ ମୋତେ ସବୁ ବେଳେ କନ୍ଦଊଛି କାହିଁକି କହିଲୁ ପୁଅ  ।
         ଏହା କହି ମୋ ହାତକୁ  ଏକ ଜେରକ୍ସ ଆଧାର କାର୍ଡ  ଓ ଏକ ଅରଜିନାଲ ଭୋଟର କାର୍ଡ ମାଆ ଜଣକ  ବଢାଇ ଦେଲେ । ଚେଆରରେ ବସିବାକୁ କହିଲେ ମଧ୍ୟ  ତଳେ ବସି  କାନିରେ ଆଖି ପୋଛି ସୁଁ ସୁଁ ହୋଇ କାନ୍ଦିବାରେ ଲାଗିଲେ  । କାର୍ଡ  ଦୁଇଟିକୁ ଚେକ୍ କରୁଥିଲି  ।  ମାଆ ଜଣଙ୍କୁ ଶାରିରୀକ ଦୃଷ୍ଟିରୁ ଅଶୀ ବର୍ଷ ହୋଇଥିଲେ ମଧ୍ୟ ଏନ.ଭି.ଏସ. ପି ପୋର୍ଟାଲରେ ଚେକ୍ କଲାପରେ ୭୫ ବର୍ଷ ଦେଖାଉଥିଲା ବେଳେ ବେଳେ ଜନ ସାଧାରଣଙ୍କ ଭତା କାମ କଲା ବେଳେ ଶାରିରୀକ ଦୃଷ୍ଟିରୁ ସେମାନଙ୍କୁ ଭତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ହିତାଧିକାରୀ ଭାବରେ ସର୍ବ ନିମ୍ନ ୬୦ ବର୍ଷ ହୋଇଥିଲେ  ମଧ୍ୟ ସେମାନେ ଭତା ପାଇ  ନଥାନ୍ତି  ।ଏହି କାରଣ ହେତୁ ବହୁତ ଗରିବ ବ୍ୟକ୍ତି ଏଥିରୁ ବଂଚିତ ହୋଇ ବହୁତ ଅନାଟନ ମଧ୍ୟରେ କଟାଇଥାନ୍ତି  । ଏତଦ୍ ବ୍ୟତୀତ ଅଶୀ ବର୍ଷରୁ ଅଧିକ ବ୍ୟକ୍ତି ୮୦୦ ଟଙ୍କା ପାଇଥାନ୍ତି । ତେବେ ଡାକ୍ତରଙ୍କ ଓସିଫିକେସନ ସାର୍ଟିଫିକେଟ ମାଧ୍ୟମରେ, ଯୋଗ୍ୟ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରଶାସନ ଏବଂ  ରାଜନେତାଙ୍କ ଆନ୍ତରିକତା ବିହୀନରୁ ଏହା ହୋଇ ପାରି ନ ଥାଏ । ପରେ ପରେ ମାଆ ଜଣକ ଆଧାର କାର୍ଡରେ ମୋବାଇଲ୍ ନଂ ନ ଥିବା ହେତୁ  ପୋର୍ଟାଲରେ ପ୍ରିଂଟ୍ ଅର୍ଡର ମାଧ୍ୟମରେ କାମ ହୋଇ ପାରିବ  ବୋଲି ସ୍ଥିର କରି ନେଲି  ।
ତେବେ ଭୋଟର କାର୍ଡରେ ତାଙ୍କ ସ୍ବାମୀଙ୍କ ନାମ  ଆଉ ଠିକଣା ଦେଖି ଚମକି ପଡିଲି  । ୟେ ତ ଆମ ପଡୋଶୀ ଗାଁ  ଜଗୁ  ବଡ ବାପାଙ୍କ ସ୍ତ୍ରୀ ବୋଧ ହୁଏ  । ଭୋଟର କାର୍ଡ ଫଟୋର ଅସ୍ପଷ୍ଟ ଚେହେରାରୁ ସେ ବୀଣା ବଡ ବୋଉ ବୋଲି ମୋତେ ଅଛପା ରହିଲାନି  । କାହିଁକି କେଜାଣି ପିଲା ଦିନର ବହୁତ କଥା ମନେ ପଡୁଥିଲା । ଜଗୁ ବଡ ବାପା  । କଳା ରଙ୍ଗର ଛଅ ଫୁଟିଆ ମଣିଷଟିଏ । ଗାଁରେ ସବୁବେଳ ନୀଳ ଲୁଙ୍ଗିଟିଏ ପିନ୍ଧିଥିବେ । ସେ ଏକ ବେସରକାରୀ  ଛାତ୍ରାବାସରେ  ରୋଷେଇଆ ଭାବରେ ଚାକିରୀ କରିଥିଲେ । ଗାଁରେ ତାଙ୍କର ତେଜରାତି ଦୋକାନ  । ବଡ ବାପା ଛାତ୍ରାବାସରେ ଥିବାରୁ ମଝିରେ ମଝିରେ ଡାଲି ,ଚାଉଳ ମସଲାଦି ସବୁ ହଡପ କରି ତାଙ୍କ ତେଜରାତି ଦୋକାନ ସଉଦା ସହିତ ମିଶାଇ ବେଶ୍ ହାତ ଚିକ୍କଣ କରିଥାନ୍ତି  । ଆଉ ବି ସେ କଟକରେ ଥିବାରୁ ପିଲାମାନଙ୍କ ପାଇଁ ଭଲ ଖେଳଣା ଆଣିଥାନ୍ତି  । ତାଙ୍କ ଦୋକାନରେ   ଟିକିଲି ଏବଂ ଲତା ଗୁଳି ମିଳୁଥିବାରୁ ସବୁ ଛୁଆଙ୍କର  ମାଡ ସେଇଠି  । ବଡ ବୋଉ ଦୋକାନରେ ବସନ୍ତି  ।
                           ଖରା ଦିନରେ  ଖରା ବେଳେ ଗୁଳି କିଣିବା ଅଭିଯାନ ଆରମ୍ଭ ହୁଏ । ସମସ୍ତଙ୍କ ଆଖିକୁ ଫାଙ୍କି କରି ବୀଣା ବଡ ବୋଉଙ୍କ ଦୋକାନରୁ ଗୁଳି କିଣିବା ପ୍ରତିଯୋଗିତା ହୁଏ ।   ତିନି ଟଙ୍କିଆ ବନ୍ଧୁକକୁ; ଟିକିଲି ଗୁଳି ଦଶ ପଇସା ଆଉ ଲତା ଗୁଳି  ପଚିଶି ପଇସା  । କିଣିଲା ବେଳେ ଯିଏ ଧରା ପଡିଲା, ସିଏ ଘର ଲୋକଙ୍କ ଠୁ ଛେଚା ଖାଇଲା । ହେଲେ ବଡ ବୋଉ ସମସ୍ତଙ୍କୁ ବୁଝାଇ ଦିଅନ୍ତି  । ଏକଦା  ଜଗୁ ବଡ ବାପା ଡାଇରିଆରେ ଚାଲି ଗଲେ । ଦୁଇ ଭଉଣୀରେ ମାଟ୍ରିକ୍ ପାସ କରିଥିବା ଜିତୁ ଭାଇ ପୁଣି ସେ ଛାତ୍ରା ବାସ ଦାୟିତ୍ୱ ନିଅନ୍ତି  । ପରେ ପରେ ଜିତୁ ଭାଇକୁ ବାହା ହୋଇ ଆସିଲେ ରୀନା ଭାଉଜ । ହେଲେ ଜିତୁ ଭାଇ ବଡ ବାପାଙ୍କ ପ୍ରକୃତି ଛାଡିଲେ ନାହିଁ  । ବଡ ବାପା ଛୋଟ ଚୋରୀ କରୁଥିଲେ,ଜିତୁ ଭାଇ ବଡ ଚୋରୀ କଲେ  । ଛାତ୍ରାବାସରୁ ତଡା ଖାଇଲେ । କିଛି ଦିନ ପରେ ଝିଅଟିଏ ଜନ୍ମ ହେଲା । ଝିଅ ଜନ୍ମ ହେତୁ ଆରମ୍ଭ ହୋଇଗଲା ରୀନା ଭାଉଜଙ୍କ ଉପରେ ମାଡ ପିଟ୍ । ଶେଷକୁ ଭାଉଜ କାନ୍ଦି କାନ୍ଦି ଘର ଛାଡି ଚାଲିଗଲେ  । ଦୁଇ ବର୍ଷ ପରେ ପୁଣି ଜିତୁ ଭାଇ ବିବାହ କଲେ । ପୁଅକୁ ଅପେକ୍ଷା କରୁ କରୁ ରାନୁ ଭାଉଜଙ୍କର ତିନି ଝିଅ ଆଉ ଗୋଟେ ପୁଅ । ଗାାଁରେ ଆସି ଜମି ବାଡି କିଣା ବିକାରେ ଦଲାଲ ଗିରି କରି ଚଳିଲେ ।  ସରକାରୀ କାର୍ଯରେ ମଧ୍ୟ ଦଲାଲ ଗିରି କରୁଥିଲେ । ଏହା ପରେ ମୁଁ କିଛି ଖବର ରଖି ନ ଥିଲି ।
ଦିନେ ଶୁଣିଲି ଜିତୁ ଭାଇ ବ୍ଲଡ କ୍ୟାନସରରେ ଚାଲି ଯାଇଛନ୍ତି । ମରିବା ପୂର୍ବରୁ ବହୁତ କରଜ କରିଛନ୍ତି ଆଉ  ଲୋକମାନଙ୍କୁ ବହୁତ ଠକିଛନ୍ତି । ବିଭିନ୍ନ ଫାଇନାସ୍ କଂପାନୀ କର୍ମଚାରୀ ଘରକୁ ଆସୁଥିଲେ ।ଏପରିକି ନିଜ ବଡ ଝିଅ ପୁଆଣି  ହୋଇ ଆସିଥିଲା ବେଳେ, ତାହାର ଅଳଙ୍କାର ଗୁଡିକ ମଧ୍ୟ ଜିତୁ ଭାଇ ବିକି ଦେଇଥିଲେ । ଯାହା ଫଳରେ ବାପା ଝିଅ ସଂପର୍କରେ ସବୁ ଦିନ ପାଇଁ ଡୋରୀ ବନ୍ଧା ହୋଇଯାଇଥିଲା । ବିଚରା ରୀନା  ଭାଉଜ ଚାରୋଟି ଛୁଆଙ୍କୁ ଧରି ଏକା  ଏକା  । ଦରଦାମ୍ ହୁ ହୁ ହୋଇ ବଢି ଚାଲିଥିଲା ବେଳେ ଦୁଇ ଜଣଙ୍କର ବିଧବା ଭତା ୧୦୦୦ ଟଙ୍କା ଆଉ ତିରିଶ କେଜି ବିପିଏଲ ଚାଉଳରେ ଛଅ ଜଣ ପରିବାର କିପରି ଚଳିବ ?  
ଏହା ପରେ  ରାନୁ ଭାଉଜଙ୍କ ପାଇଁ ବିଭିନ୍ନ ଗୁଜବର ଅୟମାରମ୍ଭ  ।  ଘର ଆଗରେ ଅଧିକ ରାତିରେ ଗାଡି ଲାଗିବା ଠାରୁ   ବିଭିନ୍ନ ହୋଟେଲରେ ରାତି କଟାଇବା କଥା ରାନୁ ଭାଉକଙ୍କ ନାମରେ ଶୁଣିବା ପାଇଁ  ମିଳେ  ।ଏମିତି କି ଫେସବୁକରେ   ଭାଉଜଙ୍କ ବିଅର ପିଇବା ଫଟୋ ଘୁରି ବୁଲୁଥିଲା । ଏହାପରେ ବଡ ବୋଉ ଅସହାୟ ହୋଇ ପଡିଥିଲେ । ଖାଇବାକୁ ଦୁଇ ବେଳା ମିଳୁ ନଥିବାରୁ ଅନେକ ସମୟ ଝିଅ ଘରେ ରହୁଥିଲେ ।  ବେଳେ ବେଳେ ରାନୁ ଭାଉଜ ବୀଣା ବଡ ବୋକୁ ପିଟୁଥିଲେ । ତାଙ୍କର ଦେହ ବି ଭଲ ରହୁ ନ ଥିଲା ।
ହଠାତ୍ ବଡ ବୋଉଙ୍କ ଡାକରାରେ ଚମକି ପଡିଲି  । କେତେ ସମୟ ଆଉ ଲାଗିବ ବୋଲି ପଚାରୁଥିଲି । କାର୍ଡ ଦୁଇଟି   ଫାଇଲରେ ରଖି ଅନ୍ୟାନ କାମ ସାରିବା ସହିତ  ବଡ ବୋଉଙ୍କୁ ଯିବା ପାଇଁ କହିଲି ।  ହେଲେ ବଡ ବୋଉ ନ ଛଡୋ ବନ୍ଧା  ।  “ ଆରେ ସେ ବୋହୁଟା ମୋ କାଗଜ ପତ୍ର ନେଇ ଯାଇଛି, ସେ ସଂପତି ସବୁ ମୋର ନେଇ ବିକ୍ରି କରି ଦେବ ନି ତ”  ବୋଲି ଫିସ୍ ଫିସ୍ ହୋଇ ବଡ ବୋଉ ନଇଁ ନଇଁ  ଚାଲିଗଲେ । ହେଲେ  ସମୟାନୁକ୍ରମେ ପରିସ୍ଥିତିର ଦାସ ହୋଇ ମଣିଷ କେତେ ଅସହାୟ ହୋଇ ଯାଏ? ବୟସର ସଂଜ ବେଳେ ନିଜର ସାହାରା ପାଇଁ ଆଶା ବାଟିଟିକୁ ହରାଇଲା ପରେ ଆଉ କଣ ବା ଥାଏ ।
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କୋଇଡାର ଭୋକ

ମାଧବାନନ୍ଦ ଭୋଇ
ପେଟର ଭୋକ ଅନେକ ସମୟରେ ମଣିଷକୁ ଅସହାୟ କରିଦିଏ  । ପେଟ ପାଇଁ ତ ସବୁ ନାଟ  । ୟେ ତ ଅଜ୍ଞାନ ମାଆ ଛେଉଣ୍ଡ  ଅଢେଇ ବର୍ଷର ଶିଶୁର କଥା ।  ତା ପେଟର ବ୍ୟଥା । କିଛି ଦିନ ପୂର୍ବେ ଭୋକ ସମ୍ଭାଳି ନ ପାରି  ସେ ଏକ ବିବାହ ଭୋଜିର ଅଇଁଠା ଖଲି ପତ୍ରକୁ ଚାଟିବା   ଜନ ମାନସରେ ଆଲୋଡନ ସୃଷ୍ଟି କରିପାରେ  । ମାତ୍ର ଏ ଘଟଣା ସୁନ୍ଦରଗଡରେ ଘଟିଥିଲେ ମଧ୍ୟ ସାରା ଓଡିଶାର ପ୍ରତି କୋଣ ଅନୁକୋଣରେ ନ ଘଟୁଛି ବୋଲି କିଏ କହିବ ? କାରଣ ଗରିବ ହିଁ ସବୁବେଳେ ଗରିବ  । ଏହି ପରିପ୍ରେକ୍ଷୀରେ ମୋର କବିତା କୋଇଡାର ଭୋକ ପାଠ କରି ମତାମତ ଦେବା ପାଇଁ ପ୍ରିୟ ପାଠିକା/ପାଠକଙ୍କୁ ଅନୁରୋଧ ।
କାଜଲ ପାଇଁ କି କଙ୍କଡା ଝୋଳ,
ଓଡିଶାରେ ହେଲା ବଡ ଖବର,
ଭୋକ ବିକଳରେ ଗରିବ ପିଲା,
ଅଇଁଠା ଖଲି ପତର ଚାଟିଲା । ।
ମାଆ ଛେଉଣ୍ଡ  ତା ବାପା ମୁରୁଖ,
କାଠକୁ ବିକିଲେ ପୂରଇ ପେଟ ।
ଘରେ ହାଣ୍ଡି ମାଙ୍କଡ ଚିତ୍  ମାରୁଛି,
ଖାଲି ପେଟରେ; ନାହି ଡେଉଁଛି । ।
 ଭୋକର ବେଦନା କିଏ ବୁଝିବ ?
ଗରିବ ଲୁହକୁ କିଏ ପୋଛିବ ।
ତେଲିଆ ମୁଣ୍ଡରେ ତେଲ ଭାଇ ସିନା,
ନୁଖୁରା ବାଳକୁ କିଏ ଚାହିଁବ ?
ଗରିବୀ ଭୋଟରେ ଜିତୁଛି ନେତା.
ଗାନ୍ଧୀ ଟୋପି ପିନ୍ଧି କାଟଇ ଫିତା,
ଉପରେ ଯୋଜନା ମାଳକୁ ମାଳ,
ଉପର ସୁନ୍ଦର ଭିତର ଖୋଳ । ।
ପେଟ ପୋଡିଗଲେ ନିଦ ଆସଇ,
ଲୁହ ପିଇ ପିଇ ଶୋଷ ମରଇ,
ଓଳିଏ ଖାଇଲେ  ଓଳିଏ ଉପାସ,
ଛିଣ୍ଡା ଲୁଗା ପିନ୍ଧେ ଲାଜ ଲୁଚାଇ । ।
ସେର ପୁରିଗଲେ,କାଳ ସରିବ,
ପଡି ପଡି କେବେ ଜୀବନ ଯିବ ?
ଆସିଛୁ ଲଙ୍ଗଳା,ଯିବୁ ତୁ ଫୁଙ୍ଗୁଳା,
ଭୋକିଲା ପେଟରେ ଦିନ ସରିବ  । ।
ସଂପାଦକ:ଉଦୟ ଭାନୁ, ସା:ଭୋଦଳ,ପୋ:ପାଟସୁନ୍ଦରପୁର,ବ୍ରାହ୍ମଣ ସାଇଲୋ,କଟକ-୦୪୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...