ନଦୀ ବଞ୍ଚାଅ, ଓଡ଼ିଶା ବଞ୍ଚାଅ

Participated INDIAN PENINSULAR RIVER COUNCIL (Odisha Chapter)  with Waterman Rajendra Singh Sudarsan Das.


ଆଜି ଓଡିଶା ନଦୀ ବଂଚାଅ ସମ୍ମିଳନୀରେ  ଆଂଚଳିକ ଦୃଷ୍ଟିକୋଣରୁ ବିଭିନ୍ନ ନଦୀମାନଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି  ଫୁଲ ନଖରା ଠାରୁ  ଅସ୍ତରଙ୍ଗ ପର୍ଯ୍ୟନ୍ତ ପ୍ରାଚୀ ଅବବାହିକା ଅବସ୍ଥାପିତ ହୋଇଥିଲା ବେଳେ, ଏହାର ପୁନରୁଦ୍ଧାର  ହେବା ଆବଶ୍ୟକ  । ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାଚୀ ପୁନରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟ କଳ କରାଯାଇଛି  । ତେବେ ପ୍ରାଚୀ ନଦୀ ପରି ଅନେକ ନଦୀ,ଉପ ନଦୀଗୁଡିକ ବିଲୁପ୍ତ ପ୍ରାୟ ହୋଇଥିବା ବେଳେ, ଅନେକ ନଦୀଗୁଡିକ ମୃତ  ।  ଏହି ଦୃଷ୍ଟି କୋଣରୁ ସରକାର ମଧ୍ୟ ବିଭିନ୍ନ ନଦୀମାନଙ୍କୁ  ସବୁଜ କ୍ଷେତ୍ର,ନୀଳ କ୍ଷେତ୍ର ଏବଂ ଲାଲ୍ କ୍ଷେତ୍ର ଭାବରେ ଦର୍ଶିତ କରିଛନ୍ତି । ଏହି ପରି ଭାବରେ ଆମର ନିକଟବର୍ତୀ ନଦୀଗୁଡିକ ଭାବରେ ପ୍ରାଚୀ, ଗଙ୍ଗୁଆ, କୁଶଭଦ୍ରା, ମାଲିଆ ଓ ବିରୁପା ନଦୀ ସଂପର୍କରେ ଆଲୋଚନା କରା ଯାଇଥିଲା । ତେବେ ନଦୀ ଗୁଡିକୁ ସଜୀବ କରିବା ପାଇଁ  ନଦୀ ଜବର ଦଖଲମୁକ୍ତ, ପ୍ରଦୁଷଣ ମୁକ୍ତ ଓଏହାକୁ ରେକର୍ଡ ଭୁକ୍ତ କରିବାର ଆବଶ୍ୟକ ରହିଛି । ମହାନଦୀ  କ୍ଷେତ୍ରରେ, ଛତିଶଗଡ ଏବଂ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କିଛି ସୁଫଳ ମିଳିବାର ଆଶା ରହିଛି  । ମାତ୍ର ପରିତାପର ବିଷୟ, ୨୦୦୪ ମସିହାରୁ ୨୦୧୬ ମଧ୍ୟରେ ଛତିଶଗଡ ସରକାର ମନମୁଖୀ ବ୍ୟାରେଜ୍ ଏବଂ ମହାନଦୀ ଉପତ୍ୟକାରେ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଅନୈତିକ ଭାବରେ ନିର୍ମାଣ କରିଥିବାରୁ  ଓଡିଶାବାସୀ ଭୀଷଣ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ଗ୍ରୀନ ମହାନଦୀ ମିଶନ ଗଠନ କରିଥିଲେ ମଧ୍ୟ, ତାହା ଫଳପ୍ରଦ ନ ହେବା, ରାଜ୍ୟ ସରକାରଙ୍କ ଅପାରଗତା ବ୍ୟତୀତ ଆଉ କଣ ଅଛି ? ଗ୍ରୀନ୍ ଟ୍ରିବୁ୍ୟନାଲରେ ଅସଫଳତା ହାସଲ କରିବା ଯେ, ଓଡିଶାବାସୀଙ୍କ ପ୍ରତି ବୈମାତୃକ  ମନୋଭାବ ବ୍ୟତୀତ ଆଉ କଣ ଆଶା କରାଯାଇପାରେ?  ଏତଦ୍ ବ୍ୟତୀତ ରାଜ୍ୟ ସରକାର କଳ କାରଖାନାକୁ ଜଳ ଗୁଡିକ ବିକ୍ରି କରୁଥିବା ସହିତ କଳ କାରଖାନାର ବିଭିନ୍ନ ବର୍ଜ୍ୟବସ୍ତୁଗୁଡିକ ଆସି ନଦୀ ଜଳକୁ ପ୍ରଦୂଷିତ କରୁଅଛି  । ଜଳ ହିଁ ଜୀବନ ନ୍ୟାୟରେ ଯଦି ବର୍ତମାନ ସମୟରୁ ଓଡିଶା ବାସୀମାନଙ୍କ ମଧ୍ୟରେ ଆମର ନଦୀ ସଂପର୍କରେ ଚିନ୍ତନ ଏବଂ ଜନ ଜାଗରଣ ସୃଷ୍ଟି ନ ହୁଏ, ନଅ ଅଙ୍କ ଦୁର୍ଭିକ୍ଷ ପରି ଘୋର ବିପଦର ସମ୍ମୁଖୀନ  ନ ହେବ , ତାହା ଏଡାଇ ଯାଇ ପାରିବ ନାହିଁ  । ଏଣୁ ଏଥିପାଇଁ ଜନ ଆନ୍ଦୋଳନର ନିତାନ୍ତ ଆବଶ୍ୟକତା ରହିଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ହିରଣ୍ୟଗର୍ଭା:ଗୌତମ ବୁଦ୍ଧ ଓଡ଼ିଆ କି ?

ହିରଣ୍ୟଗର୍ଭା
ଗୌତମ ବୁଦ୍ଧ ଓଡ଼ିଆ କି?


              ହୋଇପାରେ ଏହା ଏକ ବିବାଦୀୟ ପ୍ରଶ୍ନ, ମାତ୍ର ବିବାଦରୁ ହିଁ ଇତିହାସ ର ଅନେକ ସ୍ବର୍ଣ୍ଣିମ ସତ୍ୟ ଆବିଷ୍କୃତ ହୋଇପାରିଛି। ନିକଟ ଅତୀତରେ ରସଗୋଲା ଘଟଣା କୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ପୋଥିଗତ ତତ୍ବ ହିଁ ପ୍ରକୃତ ସତ୍ୟ ଏହା ଆମେ ସହଜରେ ମାନି ନେଉ କାରଣ ଆମ ଓଡ଼ିଆଙ୍କ ଠାରେ ଅନୁସନ୍ଧାନ ମନୋବୃତ୍ତିର ଘୋର ଅଭାବ। ଏହା ପ୍ରାୟତଃ ସମସ୍ତେ ମାନିନେଇ ସାରିଛନ୍ତି ଯେ ନେପାଳର କପିଳବାସ୍ତୁ ହିଁ ଗୌତମ ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। ମାତ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଲୋକକଥା ଏବଂ କିମ୍ବଦନ୍ତୀ, ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରାଚୀନତା, ବୌଦ୍ଧ ଧର୍ମକୁ ଓଡ଼ିଶାର ଅବଦାନ ଏବଂ ବୌଦ୍ଧ ସାହିତ୍ୟ କୁ ଆଧାର କରି ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଓଡ଼ିଶା ହିଁ ହେଉଛି ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। 
 
               ବିଶ୍ବର ପୁରାତନ ନଗର ମାନଙ୍କ ମଧ୍ୟରୁ ଭୁବନେଶ୍ଵର ଅନ୍ୟତମ। ଭୁବନେଶ୍ୱର କୁ ଛାଡ଼ିଦେଇ ଓଡ଼ିଶାର ଇତିହାସ କଳ୍ପନା କରାଯାଇନପାରେ। ଇତିହାସର ଅନେକ ଗୁରୁତ୍ତ୍ୱପୂର୍ଣ ତଥା ଗୌରବାବହ ଘଟଣାର ମୁକସାକ୍ଷୀ ଏ ସହର। ବିଷ୍ଣୁ ସ୍ବରୂପ ବୁଦ୍ଧ ଦେବ ଏହିଠାରେ ହିଁ ଜନ୍ମ ଗ୍ରହଣ କରିଥିଲେ ସେହିଦିଗରେ ଏକ ସମ୍ୟକ୍ ଦୃଷ୍ଟିପାତ।

         ୧୮୯୬ ମସିହାରେ ଜର୍ମାନୀ ଐତିହାସିକ ଆଲୋସି ଙ୍କ ଦ୍ଵାରା ନେପାଳର ତରାଇ ଶିଳାଲେଖ ଆବିଷ୍କୃତ ହୋଇଥିଲା। ସେହିଦିନଠାରୁ ଧରିନିଆଗଲା ଯେ ନେପାଳର କପିଳବାସ୍ତୁ ହେଉଛି ଗୌତମଙ୍କ ଜନ୍ମସ୍ଥାନ। ମାତ୍ର ବିଶ୍ବବିଖ୍ୟାତ ଐତିହାସିକ କନିଂହାମଙ୍କ ଆନସିଏଣ୍ଟ ଜୋଗ୍ରାଫି ଅଫ୍ ଇଣ୍ଡିଆ ରେ ମତ ପ୍ରକାଶ କରନ୍ତି ଯେ " ଏଠାରେ କପିଳର ନାମସୁଦ୍ଧା ନାହିଁ , କିନ୍ତୁ ଶିଳାଲେଖ ଆବିଷ୍କାର ଯୋଗୁଁ ୩୦ ବର୍ଷ ମଧ୍ୟରେ କପିଳବାସ୍ତୁ ଜିଲ୍ଲା ବାଧ୍ୟ ହୋଇ ସୃଷ୍ଟି କରାଯାଇଛି। 

        କପିଳବାସ୍ତୁ ର ଶିଳାଲେଖ ଆବିଷ୍କାର ହେବା କିଛିବର୍ଷ ପରେ ୧୯୨୮  ମସିହାରେ ପୁରୁଣା ଭୁବନେଶ୍ବରର କପିଳେଶ୍ୱର ଗ୍ରାମରେ ଅନ୍ୟ ଏକ ଶିଳାଲେଖ ଆବିଷ୍କାର କରାଗଲା। ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଦେବତା ମାନଙ୍କ ପ୍ରିୟଦର୍ଶୀ ରାଜା ଅଶୋକ ରଜ୍ୟାଭିଷେକ ର ଦ୍ବାଦଶ ବର୍ଷରେ ଏଠାକୁ ଆସି ପୂଜାର୍ଚ୍ଚନା କରାଇଲେ। ଶାକ୍ୟମୁନୀ ଗୌତମ ଏଠାରେ ଜନ୍ମଗ୍ରହଣ କରିଥିବାରୁ ଲୁମ୍ବିନୀ ପ୍ରଗଣାର ପ୍ରଜାଗଣ ଙ୍କୁ କରମୁକ୍ତ କରାଇଲେ।
   

      ଏଠାରେ ଉଲ୍ଲେଖଯୋଗ୍ୟ ଯେ କପିଳପ୍ରସାଦ ହେଉଛି ଲୁମ୍ବାଇ ପ୍ରଗଣାର ଅନ୍ତର୍ଗତ। କପିଳବାସ୍ତୁ ଏବଂ ଲୁମ୍ବିନୀ ର ଅପଭ୍ରଂଶ ଯଥାକ୍ରମେ କପିଳ ପ୍ରସାଦ ଏବଂ ଲୁମ୍ବାଇ ଅଟେ। କପିଳବାସ୍ତୁ ର ଶିଳାଲେଖ ଠାରୁ ଭୁବନେଶ୍ଵରର ଶିଳାଲେଖ ର ଗ୍ରହଣୀୟତା ଅଧିକ କାରଣ କପିଳବାସ୍ତୁ ଶିଳାଲେଖ ରେ ଲିପିକାରଙ୍କ ନାମ ଉଲ୍ଳେଖ ନାହିଁ କିନ୍ତୁ ଭୁବନେଶ୍ଵର ଠାରେ ମିଳିଥିବା ଶିଳାଲେଖରେ ଲିପିକାଙ୍କ ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।

          ଏହି ଶିଳାଲେଖ କୁ ଛାଡି ବୁଦ୍ଧଦେବ ଯେ ଓଡ଼ିଶା ରେ ଜନ୍ମଗ୍ରହଣ କରିଥିଲେ ତାହାର  ଅନେକ ପ୍ରମାଣ ରହିଛି। ପ୍ରଥମେ ବୁଦ୍ଧଦେବଙ୍କ ନାମକୁ ଆଲୋଚନା କରାଯାଉ, ପାଳି ଭାଷାରେ ବୁଦ୍ଧ ଶବ୍ଦର ଅର୍ଥ ହେଉଛି 'ଆଲୋକିତ'। ପାଳି ଭାଷା ହେଉଛି ଓଡ଼ିଶାର ପୁରାତନ ଭାଷା। ପାଳି ଭାଷାରେ ମଧ୍ୟ ଅନେକ ବୌଦ୍ଧ ସାହିତ୍ୟ ରଚନା କରାଯାଇଛି।  ଦ୍ବିତୀୟତଃ ବୁଦ୍ଧଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଦନ ଯାହାର ଅର୍ଥ ହେଉଛି ସିଦ୍ଧଅନ୍ନ। ଶୁଦ୍ଧୋଦନ ଙ୍କ ଭାଇଙ୍କ ନାମ ଥିଲା ଧୌତଦୋନ ଯାହାର ଅର୍ଥ ହେଉଛି ପ୍ରଖ୍ୟାଳନ କରାଯାଇଥିବା ଅନ୍ନରେ ଶ୍ରଦ୍ଧା ରଖୁଥିବା ବ୍ୟକ୍ତି। ସାଧାରଣ ରେ କହିଲେ ପଖାଳ ପ୍ରିୟ ମଣିଷ। ଓଡ଼ିଶାର ପଖାଳ ଯେ ପୃଥିବୀ ପ୍ରସିଦ୍ଧ ଏହା ସମସ୍ତଙ୍କୁ ଜଣା। ତୃତୀୟତଃ ବୁଦ୍ଧ ନିଜେ କହିଛନ୍ତି ଯେ ତାଙ୍କ ଜନ୍ମସ୍ଥାନ ହେଉଛି ଭାରତର ମଧ୍ୟ ଦେଶରେ।  ତାଙ୍କ କଥାକୁ ଯଦି ଗ୍ରହଣ କରାଯାଏ ହିମାଳୟ ର ପାଦଦେଶରେ ଥିବା କପିଳବାସ୍ତୁ ଯେ କିପରି ଭାରତର ମଧ୍ୟଦେଶ ହେବ ତାହା ଏକ ଚିନ୍ତାର ବିଷୟ ‌। ବରଂଚ ସେ ମଗଧର ରାଜସଭାରେ ବିମ୍ବିସାରଙ୍କୁ ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି ‌:-
ଭଜୁ ଜାନୋପଦୋରାଜା ହେମବନ୍ତସ୍ୟ ପସସତୋ।
ଧନି ବିରିୟେନ ସଂମ୍ପନ୍ନେ ତୋଷଳେସୁ ନିକେତିନୋ।।
ଏଠାରେ ହେମବନ୍ତ କୁ ସ୍ବର୍ଣ୍ଣାଦ୍ରୀ ଏବଂ ତୋଷଳକୁ ଭୁବନେଶ୍ୱର ବୋଲି ପ୍ରମାଣ ଦେବାର ଆବଶ୍ୟକତା ନାହିଁ।  ଜାତକ ନିଦାନ ର ବର୍ଣ୍ଣନା ଅନୁଯାୟୀ ରାଜା ଶୁଦ୍ଧୋଦନ ପ୍ରତିବର୍ଷ ହଳ ସାହାଯ୍ୟରେ ନିଜେ ଚାଷକାର୍ଯ୍ୟ ର ଶୁଭାରମ୍ଭ କରୁଥିଲେ ଏବଂ ସେହିଦିନ ନଗ୍ରର ଠାକୁର ମାନେ ଚନ୍ଦନ ଭୁଷିତ ହୋଇ ପାଲିଙ୍କି ରେ ରାଜଦାଣ୍ଡରେ ବିଜେ କରୁଥିଲେ। ଏବେ ମଧ୍ୟ ଆମ ଓଡ଼ିଶାରେ ଏହା ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ଭାବରେ ପାଳନ କରାଯାଇଥାଏ। ବୁଦ୍ଧଙ୍କ ପ୍ରଥମ ଦୁଇ ଜଣ ଶିଷ୍ୟ ଉତ୍କଳର ଦୁଇ ସାଧବ ଭ୍ରାତା ଥିଲେ ତପସୁ ଏବଂ ଭଲ୍ଲିକ ଯିଏକି ବୁଦ୍ଧଙ୍କୁ ମଧୁପିଷ୍ଟକ ଖାଇବାକୁ ଦେଇଥିଲେ ଏବଂ ସେମାନଙ୍କ ସେବାରେ ଶନ୍ତୁଷ୍ଟ ହୋଇ ଗୌତମ ସେମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ। 

             ବୁଦ୍ଧଦେବ ନିଜର ମାମୁଁଙ୍କ କନ୍ୟା କୁ ବିବାହ କରିଥିଲେ। ଏହି ପରମ୍ପରା ଓଡ଼ିଶା ସମେତ ଦକ୍ଷିଣ ଭାରତରେ ଦେଖାଯାଏ ମାତ୍ର ଉତ୍ତର ଭାରତରେ ଏହା କଦାଚିତ୍ ଦୃଷ୍ଟିଗୋଚର ହୁଏନାହିଁ। ବୁଦ୍ଧ ଜ୍ଞାନ ପ୍ରାପ୍ତି ପାଇଁ ଯିବା ସମୟରେ ନିଜ ସାରଥି ଛନ୍ଦକଙ୍କୁ ଏକ ଅରଣ୍ୟ ନିକଟରେ ବିଦାୟ ଦେଇଥିଲେ ତାଙ୍କ ନାମାନୁସାରେ ଅଦ୍ୟାବଧି ଚନ୍ଦକା ଜଙ୍ଗଲ ଏବଂ ଗ୍ରାମ ଅଦ୍ୟାବଧି ଭୁବନେଶ୍ୱର ଉପକଣ୍ଠରେ ବିଦ୍ୟମାନ। ଏହାପରେ ସେ ମହାନଇ ପାରହୋଇ କେଶନଗ୍ର ଆଡ଼କୁ ଯାଇଥିଲେ ଯାହାକୁ ବର୍ତ୍ତମାନ ମହାନଦୀ ଏବଂ କିଶନ ନଗର ଭାବରେ ଚିହ୍ନଟ କରାଯାଇଛି।

       ଦୁଃଖର ବିଷୟ ଯେ ଭୁବନେଶ୍ଵର ଠାରୁ ଉଦ୍ଧାର କରାଯାଇଥିବା ଶିଳାଲେଖଟି ଏବେ ଓଡ଼ିଶାରେ ନାହିଁ। ତାହାର କେବଳ ଏକ ଫଟୋଚିତ୍ର (ନିମ୍ନରେ ପ୍ରଦର୍ଶିତ) ଯାହା ଆମ ପାଖରେ ଅଛି। ଏହି ଶିଳାଲେଖ ଜଣେ ବଙ୍ଗାଳୀ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର କରାଯାଇଥିବାରୁ ସେ ତାହାକୁ କଲିକତାସ୍ଥ ଆଶୁତୋଷ ସଂଗ୍ରହାଳୟ କୁ ବିକ୍ରି କରି ଦେଇଥିଲେ। ସୂଚନାଯୋଗ୍ୟ ସେଠାରେ ମଧ୍ୟ ଉକ୍ତ ଶିଳାଲେଖଟି ନାହିଁ। ଏହାକୁ ଲୁପ୍ତ କରିଦେବା ପଛର ମନ୍ଦ ଉଦ୍ଦେଶ୍ୟ ହେଉଛି ଏହି ଶିଳାଲେଖ ନମିଳିଲେ ବୁଦ୍ଧଦେବ ଯେ ଭୁବନେଶ୍ୱର ରେ ଜନ୍ମଗ୍ରହଣ କରିଥିଲେ ଏହା ପ୍ରମାଣ କରିବା ଆମ୍ଭପକ୍ଷେ କଷ୍ଟସାଧ୍ୟ ହେବ।।😔

ବୁଦ୍ଧଂ ଶରଣଂ ଗଛ୍ଛାମି🙏🙏🙏
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବଡ ମେଡିକାଲରେ ଚିକିତ୍ସା ପାଇଁ ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍

ବଡ ମେଡିକାଲରେ ଚିକିତ୍ସା ପାଇଁ  ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍  କରିବେ କିପରି ?
            

 ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକ  ଜନ ସାଧାରଣଙ୍କ ସେବା ପ୍ରରିପ୍ରେକ୍ଷୀରେ  ଜୁନ୍ ୧ ତାରିଖ ୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।  ବର୍ତମାନ ସମୟରେ   ଉକ୍ତ ମେଡିକାଲଟି ବୈଷୟିକ ଜ୍ଞାନ କୌଶଳରେ  ଉନ୍ନତି କରଣ କରିଥିଲେ ମଧ୍ୟ, ବର୍ତମାନ ସମୟରେ ବଡ ମେଡିକାଲର ବର୍ହି ବିଭାଗରେ ପ୍ରବଳ ଗହଳି ପରିଲକ୍ଷିତ ଦୃଷ୍ଟିରୁ ରୋଗୀମାନେ ଆଉଟ ଡୋର ଧାଡିରେ ଅପେକ୍ଷା ନ କରି ନିଜର ଘରେ ଅନ ଲାଇନ୍ ମାଧ୍ୟମରେ ଟିକେଟ  ପଞ୍ଜୀକରଣ କରି ପାରିବେ  । ଉକ୍ତ ଅନ ଲାଇନ୍ ପ୍ରକ୍ରିୟାଟି  ସ୍ବାସ୍ଥ୍ୟ ପ୍ରବନ୍ଧନ ସୂଚନା ପ୍ରଣାଳୀ (HMIS) ଦ୍ୱାରା ସମ୍ପାଦିତ ହେଉଅଛି  । ବିଶେଷ ଏହି ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟାଟି ଅତ୍ୟନ୍ତ ସରଳ ହୋଇଥିଲା ବେଳେ, ଆବେଦନ ସମୟରେ  ରୋଗୀଙ୍କର ମୋବାଇଲ ନମ୍ବରଟି ବାଧ୍ୟତା ମୂଳକ କରା ଯାଇଛି  । ତେବେ ଆସନ୍ତୁ ଜାଣିବା, ଆପଣମାନେ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସିବା ପୂର୍ବରୁ, କିପରି ଘରେ ବସି ଅନ୍ ଲାଇନରେ ଆବେଦନ କରିବେ, ତାହା ନିମ୍ନରେ  ପ୍ରଦାନ କରୁଅଛି ।
୧. ପ୍ରଥମେ  https://eswasthya.odisha.gov.in   ପୋର୍ଟାଲକୁ  ପ୍ରବେଶ କରନ୍ତୁ । ଅନ ଲାଇନ୍ ଟିକେଟ କରିବା ପାଇଁ ମୋଜିଲା ଫାୟାର ଫକ୍ସ ବ୍ରାଉଜର ଭଲ ହେବ  । ଲାଟେଷ୍ଟ ଗୁଗୁଲ୍ କ୍ରୋମ୍ ଓ ମୋବାଇଲ ଆଣ୍ଡଣ୍ଡୋଏଡ୍ ପ୍ଲାଟଫର୍ମରେ ମଧ୍ୟ   ଟିକେଟ ହୋଇ ପାରୁଛି । ଏହା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏକ ପୋର୍ଟାଲ ଅଟେ ଏବଂ  ଉକ୍ତ ପୋର୍ଟାଲଟି ଅନ୍ ଲାଇନ୍  ଟିକେଟ୍ ପଞ୍ଜୀକରଣ କରିବା ପାଇଁ  ରାତ୍ର  ୧୨ ଘଟିକାରୁ ଅପରାହ୍ନ ୩ ଘଟିକା ଧାର୍ଯ୍ୟ କରାଯାଇଛି ।
୨. ଏହା ପରେ ଆପଣ Online Provisional Registration   ଲିଙ୍କରେ କ୍ଲିକ୍ କରନ୍ତୁ  । ଏହାପରେ ଆପଣ ଏକ  ବିକଳ୍ପର ସମ୍ମୁଖୀନ ପୂର୍ବକ, ଯଦି ଆପଣ ପୂର୍ବରୁ ଅନ୍ ଲାଇନ୍  ପ୍ରକ୍ରିୟା ମାଧ୍ୟମରେ ଯଦି, ଚିକିତ୍ସିତ ହୋଇଥାନ୍ତି, ତେବେ ଆପଣ “ହଁ” କୁ   ଚୟନ କରି କେନ୍ଦ୍ରୀୟ କ୍ରମାକ ନଂ  ପୂରଣ କରନ୍ତୁ ; ନତୁବା ନୂତନ ଟିକେଟ୍ କରିବା ପାଇଁ  “ନାହିଁ” ଚୟନ କରନ୍ତୁ ।  ଯଦି ଆପଣ “ନାହିଁ” ଚୟନ  କରୁଛନ୍ତି, ଆପଣଙ୍କୁ ଏକ ଅନ୍ ଲାଇନ୍ ଫର୍ମ ପୂରଣ କରିବା  ସହିତ ଆବଶ୍ୟକୀୟ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ ।
୩. ଉକ୍ତ ଅନ୍ ଲାଇନ୍ ଫର୍ମଟିକୁ ତିନୋଟି ବିଭାଗ କରାଯାଇଛି  । ପ୍ରଥମ ବିଭାଗରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକର ନାମ ସ୍ବୟଂ ଚାଳିତ ଭାବରେ ଆସିଲା ବେଳେ,  ରୋଗୀ ଡାକ୍ତରଖାନାକୁ ଯିବା ପାଇଁ  ଆପଣଙ୍କ ଇଛା ଅନୁସାରେ ତାରିଖ ସ୍ଥିରୀକୃତ କରିବା ପାଇଁ ହେବ  ।    ବର୍ତମାନ ସମୟରେ ଉକ୍ତ ମେଡିକାଲର ୨୮ ଗୋଟି  ନିଦାନ ବିଭାଗ ପ୍ରଦର୍ଶନ କରିବା  ବେଳେ, ରୋଗୀଙ୍କୁ ତାଙ୍କର ରୋଗ ସଂପର୍କିତ ବିଭାଗଟିକୁ , ପ୍ରଦତ ବିଭାଗ ତାଲିକାରୁ  ଚୟନ କରିବା ପାଇଁ ହେବ  । ପରେ ପରେ ସ୍ବୟଂ ଚାଳିତ ଭାବେ ମେଡିକାଲର ଆଉଟ୍ ଡୋର୍ ସମୟ ଅନୁଯାୟୀ ସକାଳ  ୮ ଘଟିକା ୩୦ ମିନିଟରୁ ୧୨ ଘଟିକା ୩୦ ମିନିଟ ପ୍ରଦର୍ଶିତ ହେବ ।
୪. ଉକ୍ତ ଅନ୍ ଲାଇନ୍ ଫର୍ମର ଦ୍ୱିତୀୟ ବିଭାଗରେ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ । ଏଥିରେ ନାମ, ଜନ୍ମ ତାରିଖ/ବୟସ, ଲିଙ୍ଗ,ବାପା,ସ୍ତ୍ରୀ/ସ୍ବାମୀଙ୍କ ନାମ ଓ  ଆଧାର ନଂ ପୂରଣ କରନ୍ତୁ  । ଆଧାର ନଂ ନିହାତି ଆବଶ୍ୟକ ନୁହେଁ, ଯଦି ଆଧାର ନଂ ଦେଉଛନ୍ତି, ଏକ  ଘୋଷଣାନାମା  କଂପୁ୍ୟଟର ପରଦାରେ ଆସିବ.ତାକୁ  ଆପଣ “ହଁ” କୁ   ଚୟନ କରନ୍ତୁ । ଉକ୍ତ ଅନ୍ ଲାଇନ୍ ଫର୍ମର ତୃତୀୟ ବିଭାଗରେ, ଆପଣଙ୍କର ଠିକଣା , ମୋବାଇଲ ନଂ ଓ ଇ-ମେଲ୍ ଆଇଡି ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ ।
୫. ଆପଣ ଅନ୍ ଲାଇନ୍ ଫର୍ମଟିକୁ ପୂରଣ କଲା ପରେ, ରେଜିଷ୍ଟରରେ କ୍ଲିକ କରନ୍ତୁ  । ଏହା ପରେ, ଆପଣଙ୍କ ଫର୍ମ ସବ୍ ମିଟ ହେବ  । ପରେ ପରେ ଆପଣଙ୍କୁ ବର୍ହି ବିଭାଗର ଟିକେଟ୍ ପ୍ରଦର୍ଶିତ ହେବ  ।  ଯଦି ଅନିବାର୍ଯ୍ୟ ବଶତଃ  ଆପଣ ଉକ୍ତ ଚୟନ କରିଥିବା ତାରିଖ ଠାରୁ ଆଉଟ ଡୋରରେ ପରାମର୍ଶ କଲା ପରେ,  ପୁନଃ ପରାମର୍ଶ  ପାଇଁ ଉକ୍ତ ଟିକେଟଟି ୩୦ ଦିନ ପାଇଁ ବୈଧ ହେବ । ନତୁବା ଆପଣ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏହି ପୋର୍ଟାଲକୁ ପରିଦର୍ଶନ କରି, ପୁନଃ କେନ୍ଦ୍ରୀୟ ପଞ୍ଜୀକରଣ ନମ୍ବରକୁ ପ୍ରଦାନ କରି ପୁନଃ ପରାମର୍ଶ ପାଇଁ , ବର୍ହି ବିଭାଗର  ତାରିଖ ସ୍ଥିର କରି ପାରିବେ ।  ଏଥିରେ ଆବଶ୍ୟକୀୟ ସ୍କ୍ରିନ୍ ସର୍ଟଗୁଡିକ , ଆମର ସାଇଟରେ ମଧ୍ୟ ପ୍ରଦାନ କରିଅଛି ।ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ତେବେ ଜନସେବା କେନ୍ଦ୍ର, ଭୋଦଳ, ସଂପର୍କ-୯୨୩୮୫୮୯୧୦୦ ସହିତ କଥା ହେବା ପାଇଁ ଅନୁରୋଧ  । 







ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗଣ୍ଡା ଗଣ୍ଡା ଯୋଜନା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀ ଇଲାକାରେ ଶିଶୁ ମୃତ୍ୟୁ ହାର ଉଦବେଗଜନକ

ଗଣ୍ଡା ଗଣ୍ଡା ଯୋଜନା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀ ଇଲାକାରେ ଶିଶୁ ମୃତ୍ୟୁ ହାର  ଉଦବେଗଜନକ


ରାଜ୍ୟରେ ଶିଶୁ ମାନଙ୍କର ବିକାଶ ପାଇଁ ବା ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ଏବଂ ଅପର୍ଯ୍ୟାପ୍ତ ଅର୍ଥ ମଧ୍ୟ   ଖର୍ଚ୍ଚ କରୁଛନ୍ତି । ଏ ସମ୍ପର୍କରେ ପ୍ରଚୁର ଟଙ୍କା ଦିଆଯାଇ ମଧ୍ୟ ବ୍ୟାପକ ପ୍ରଚାର  କରାଉଛନ୍ତି । ବାସ୍ତବରେ ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ ମୁଖ୍ୟତଃ ଆଦିବାସୀ ଜିଲ୍ଲାରେ ସରକାର  ଙ୍କ ବ୍ୟାପକ କାର୍ଯ୍ୟକ୍ରମ ଯୋଗୁଁ ଶିଶୁ ମୃତ୍ୟୁ ହାର କେତେ କମିଛି , ଏହାର ତଥ୍ୟ ଜାଣିବା ପାଇଁ ବିଭିନ୍ନ ଜିଲ୍ଲାକୁ ସୂଚନା ଅଧିକାର ଆଇନ ରେ ତଥ୍ୟ ମଗାଯାଇଥିଲା । କିନ୍ତୁ କୌଣସି CDMO କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରି ନଥିଲେ । ଏହାପରେ ସୂଚନା କମିଶନ ଙ୍କ ନିକଟରେ କେଶ ହୋଇଥିଲା । ରାଜ୍ୟ ସୂଚନା କମିଶନ ଙ୍କ ନୋଟିସ ପରେ ତଥ୍ୟ ଦେବା ଆରମ୍ଭ ହୋଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କୋରାପୁଟ 4.5.22 ରେ  ଦେଇଥିବା  ତଥ୍ୟରୁ ଜଣା ପଡ଼ିଛି ଯେ , କୋରାପୁଟ ଜିଲ୍ଲାରେ 2014-15 ରେ 1163 ଶିଶୁ  ମୃତ୍ୟୁ ବରଣ କରିଥିଲା ବେଳେ 2015-16 ରେ 845, 2016-17 ରେ 808, 2017-18ରେ 758,2018-19ରେ 959 ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଏହି ସଂଖ୍ୟା କେବଳ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ପିଲାଙ୍କ ସଂଖ୍ୟା । ଯେଉଁ ମାନେ ଘରେ  ମୃତ୍ୟୁ କରିଛନ୍ତି , ସେମାନଙ୍କ ରେକର୍ଡ ନଥାଇପାରେ  । ଅନେକ ସମୟରେ ଠିକ reporting  ମଧ୍ୟ ହୁଏ ନାହିଁ ।

ଜିଲ୍ଲାରେ  ଶିଶୁ ମୃତ୍ୟୁ ବା ଶିଶୁ ମାନଙ୍କୁ କୁପୁଷ୍ଟିରୁ ରକ୍ଷା କରିବା ପାଇଁ ଯୋଜନା ସମ୍ପର୍କରେ PIO  ତଥ୍ୟ ଦେଇଛନ୍ତି ।ବିଭିନ୍ନ ଯୋଜନା ଗୁଡିକ ହେଲା - I. Facility Based Newborn and Child Care, ii. Special New Born Care Units, iii. New Born  Stabilisation Unit , IV. Janani Surakhya Yojana, v. HBNC, vi. HBYC , vii. NSSK, viii. Infant Young Child Feeding , viii. Nutrition Rehabilitation Centre ,ix. Full Immunization  ।
ଏହା ବ୍ୟତୀତ ଶିଶୁ ମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦେବା ପାଇଁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛତୁଆ , ଅଣ୍ଡା , ରନ୍ଧା ଖାଦ୍ୟ ଉତ୍ୟାଦି ଦିଆଯାଉଛି । ଏହି ସବୁ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏ ସବୁ ସତ୍ତ୍ୱେ ଶିଶୁ ମୃତ୍ୟ ହାର କମିବାରେ ନାହିଁ । ସ୍ଥିତି ଏବେବି ସଙ୍ଗୀନ । 
ପ୍ରଦୀପ ପ୍ରଧାନ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଶ୍ରମ ଦିବସରେ ଦୈନିକ ଆଠ ଘଣ୍ଟା ଶ୍ରମ


ପ୍ରତିବର୍ଷ ମେ' ପହିଲାକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ।ଉନ୍ନବିଂଶ ଶତାବ୍ଦୀରେ ପୁଞ୍ଜିପତି ଓ ଶିଳ୍ପପତି ମାନେ ଶ୍ରମିକଙ୍କୁ ମନଇଚ୍ଛା ଶୋଷଣ କରୁଥିଲେ।କାମ କରିବାର ସମୟସୀମା ନିର୍ଦ୍ଧାରିତ ନଥିଲା, ଅଧିକାଂଶ ଶ୍ରମିକ ମାନେ ୧୨ଘଣ୍ଟା ରୁ ୧୬ଘଣ୍ଟା ପର୍ଯ୍ୟନ୍ତ ଖଟୁଥିଲେ।ଶ୍ରମିକ ମାନେ ଏହି ଅତ୍ୟାଧିକ ସମୟ କାର୍ୟ୍ଯ କରିବାର ଶୋଷଣକୁ ପ୍ରତିବାଦ କରିବାକୁ ଆଗେଇ ଆସିଥିଲେ।୧୮୬୦ ମସିହାରେ ପ୍ରଥମେ ଆମେରିକାରେ ପ୍ରତିବାଦ ଆରମ୍ଭ ହୋଇଥିଲା।ଆମେରିକାନ ଫେଡରେସନ ଅଫ୍ ଲେବର ସଙ୍ଗଠନ ନାମରେ ଏକ ଶ୍ରମିକ ସଙ୍ଗଠନ ଜନ୍ମଗ୍ରହଣ କରିଥିଲା।ଏଥିରେ ସମାଜବାଦୀ, ସାମ୍ୟବାଦୀ, ଗଣତାନ୍ତ୍ରିକ ମାନେ ଯୋଗ ଦେଇଥିଲେ।ଚିକାଗୋ ଶ୍ରମିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା।୧୮୮୪ ମସିହାରେ ଚିକାଗୋ ଠାରେ ଏକ ବିଶାଳ ଶ୍ରମିକ ଅନୁଷ୍ଠିତ ହୋଇଥିଲା ଏବଂ ସେହି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା ୧୮୮୬ମସିହା ମେ' ପହିଲାରୁ ଦିନକୁ ଆଠ ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରାଯାଉ।ଏହି ଆହ୍ବାନକୁ ଆମେରିକାର ସବୁ ଶ୍ରମିକ ସମର୍ଥନ ଦେଇଥିଲେ ଓ ଲଗାତର ଭାବେ ପଟୁଆର ଓ ସଭା ଶ୍ରମିକମାନଙ୍କ ପକ୍ଷରୁ କରାଯାଉଥିଲା। ଶ୍ରମିକମାନଙ୍କ ସଂଗ୍ରାମୀ ମିଜାଜ ଦେଖି ମାଲିକମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ ସିନା, ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ।
୧୮୮୬, ମେ’ ପହିଲା ଦିନ ସାରା ଆମେରିକାରେ ଆଠ ଘଣ୍ଟା ଶ୍ରମ ସମୟ ଦାବି କରି ଧର୍ମଘଟ ହେଲା। ୧ ଓ ୨ ତାରିଖ ଦୁଇ ଦିନ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। ଦୁଇ ତାରିଖ ଦିନ ଧର୍ମଘଟକାରୀ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଥିଲା। ମେ’ ୩ ତାରିଖ ଦିନ ଧର୍ମଘଟ ମଧ୍ୟ ସଫଳ ହୋଇଥିଲା। ମାତ୍ର ସାଧାରଣ ସଭାରେ ଜଣେ ଶ୍ରମିକ ନେତା ଭାଷଣ ଦେଉଥିବା ବେଳେ ପୋଲିସ ସଭା ସ୍ଥଳକୁ ଧସେଇ ପଶି ସଭା ଭାଙ୍ଗିଦେଲା ଓ ପୋଲିସ ଗୁଳିରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଲେ ଓ ଅନେକ ଆହତ ହୋଇଥିଲେ।
ପୋଲିସର ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭାର ଆୟୋଜନ ହେଲା ମେ’ ୪ ତାରିଖରେ। ପୂର୍ବଦିନ ପୋଲିସର ଗୁଳି ଯୋଗୁ ଓ ସେଦିନ ପାଗ ଖରାପ, ବର୍ଷା ନେଇ ପ୍ରାୟ ତିନିହଜାର ଲୋକ ସଭାକୁ ଆସିଥିଲେ। ମାତ୍ର ସଭା ଆରମ୍ଭ ହେବାର କିଛି ସମୟ ପରେ ପୋଲିସ ସଭା ମଞ୍ଚକୁ ଉଠି ବକ୍ତାମାନଙ୍କୁ ଧକ୍କା ମାରି ତଡିଦେଲା। ଏତିକିବେଳେ ଗୋଟାଏ ବୋମା ସଭା ମଞ୍ଚକୁ ଜଣେ ଅଜଣା ବ୍ୟକ୍ତି ଫୋପାଡିବା ଫଳରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହେଲା। ଏହାପରେ ପୋଲିସ ଆଖିବୁଜା ଗୁଳି ଚଳାଇଲା। କେତେ ଜଣ ମୃତ୍ୟୁବରଣ କଲେ ତାହାର ଠିକ ହିସାବ ମିଳିଲା ନାହିଁ। ତେବେ ପ୍ରାୟ ୭/୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ପଚାଶ ଜଣରୁ ଅଧିକ ଗୁଳିମାଡରେ ଆହତ ହୋଇଥିଲେ। ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆଠଜଣଙ୍କୁ ଗିରଫ କଲା।
ବୋମା ନିକ୍ଷେପ କରିଥିବା ବ୍ୟକ୍ତିର ପତ୍ତା ମିଳିଲା ନାହିଁ। ଅଭିଯୋଗ ହୁଏ ଯେ ବୋମା ନିକ୍ଷେପକାରୀ ପୋଲିସର ଏଜେଣ୍ଟ ଥିଲା। ପୋଲିସ ଯେଉଁ ଆଠଜଣଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ତିନିଜଣ ସେ ସଭାରେ ଉପସ୍ଥିତ ଥିଲେ ଓ ଏମାନେ ସମସ୍ତେ ମଞ୍ଚରେ ବସିଥିଲେ। ବିଚାର ସମ୍ପୂର୍ଣ୍ଣ ପ୍ରହସନ ଥିଲା। ବିଚାରପତି ଯୋଶେଫ୍‌ ଗାର୍ଗ ସମ୍ପୂର୍ଣ୍ଣ ଏକପାଖିଆ ହୋଇ ରାୟ ଦେଇଥିଲେ। ଆଠ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଫାଶୀ ଓ ଜଣକୁ ଜେଲଦଣ୍ଡ ମିଳିଥିଲା। ଏହି ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଲା। ରାୟ ବିରୋଧରେ ଅପିଲ ହେଲା। ପୁନରାୟ ରାୟରେ ୫ ଜଣଙ୍କୁ ଫାଶୀ ଆଦେଶ ମିଳିଲା। ଫାଶୀ ଆସାମୀ ଲୁଇସ ଲିଙ୍ଗ୍‌ ଜେଲ ଭିତରେ ଆତ୍ମହତ୍ୟା କଲେ। ୧୮୮୭, ନଭେମ୍ବର ୧୧ ତାରିଖରେ ଆଲବର୍ଟ ପାରସନ, ଅଗଷ୍ଟ ସ୍ପାଇଜ, ଜର୍ଜ ଏଙ୍ଗେଲ୍ସ ଓ ଆଡ୍‌ ଲଫ୍‌ ଫିଶ୍ଚରକୁ ଫାଶୀ ହୋଇଥିଲା।
ଫାଶୀ ପାଇବା ଠିକ୍‌ ପୂର୍ବରୁ ଅଗଷ୍ଟ ସ୍ପାଇଜ ବଡ ପାଟିରେ ଚିତ୍କାର କରି କହିଥିଲେ, ”The day will come when our silence will be more powerful than the voice you strangle today“
ଦିନ ଆସିବ, ଯେତେବେଳେ ଆମର ନୀରବତା ଆମର କଣ୍ଠସ୍ବରଠାରୁ ଆହୁରି ଶକ୍ତିଶାଳୀ ହୋଇ ଉଠିବ। ତୁମେ ଯେଉଁ କଣ୍ଠକୁ ରୁଦ୍ଧ କରୁଛ।“
ହେ ମାର୍କେଟ ଗୁଳିକାଣ୍ଡ ଓ ୪ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦେବାର ୧୩୪ ବର୍ଷ ଅତୀତ ହୋଇଗଲାଣି। ବିଶ୍ୱର ଅଧିକାଂଶ ଦେଶରେ ଶ୍ରମିକଶ୍ରେଣୀ ଆଠଘଣ୍ଟା କରିବାର ଆଇନଗତ ଅଧିକାର ପାଇଛି। ଶ୍ରମିକ ଶ୍ରେଣୀ ଅନେକ ଅଧିକାର ହାସଲ କରିଛି, ମାତ୍ର ଶ୍ରମିକ ଶ୍ରେଣୀର ସଂଗ୍ରାମ ସରିନହିଁ। ଉପଯୁକ୍ତ ମଜୁରି, ଆଠଘଣ୍ଟା କାମ ଆଦି ପ୍ରମୁଖ ଦାବି ପାଇଁ ଆଜି ବି ଆମ ଦେଶରେ ଶ୍ରମିକ ଲଢେଇ ଜାରି ରହିଛି। ଭାରତର କେନ୍ଦ୍ର ସରକାର ଶ୍ରମିକମାନଙ୍କ ଆଇନଗତ ଆଠଘଣ୍ଟା କାମ କରିବାର ଅଧିକାରକୁ ଲୋପ କରିବାକୁ ଆଇନ ଆଣିଛି। ନବ୍ୟ ଉଦାରବାଦ ଆର୍ଥିକ ନୀତି ବିରୋଧରେ ଭାରତର ଶ୍ରମିକମାନେ ୧୮ଥର ସର୍ବଭାରତୀୟ ସ୍ତରରେ ଧର୍ମଘଟ କରିଛନ୍ତି।କୃଷକ, କୃଷି ଶ୍ରମିକ ଓ ବେକାରମାନଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରମିକମାନେ ଦାବି କରୁଛନ୍ତି। ଦରବୃଦ୍ଧି ବିରୋଧରେ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ପାଇଁ ଓ ଶୋଷଣର ଅବସାନ ପାଇଁ ଶ୍ରମିକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି, ମାତ୍ର ସଂଗ୍ରାମ ସରିନାହିଁ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...