ଶ୍ରମ ଦିବସରେ ଦୈନିକ ଆଠ ଘଣ୍ଟା ଶ୍ରମ


ପ୍ରତିବର୍ଷ ମେ' ପହିଲାକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ।ଉନ୍ନବିଂଶ ଶତାବ୍ଦୀରେ ପୁଞ୍ଜିପତି ଓ ଶିଳ୍ପପତି ମାନେ ଶ୍ରମିକଙ୍କୁ ମନଇଚ୍ଛା ଶୋଷଣ କରୁଥିଲେ।କାମ କରିବାର ସମୟସୀମା ନିର୍ଦ୍ଧାରିତ ନଥିଲା, ଅଧିକାଂଶ ଶ୍ରମିକ ମାନେ ୧୨ଘଣ୍ଟା ରୁ ୧୬ଘଣ୍ଟା ପର୍ଯ୍ୟନ୍ତ ଖଟୁଥିଲେ।ଶ୍ରମିକ ମାନେ ଏହି ଅତ୍ୟାଧିକ ସମୟ କାର୍ୟ୍ଯ କରିବାର ଶୋଷଣକୁ ପ୍ରତିବାଦ କରିବାକୁ ଆଗେଇ ଆସିଥିଲେ।୧୮୬୦ ମସିହାରେ ପ୍ରଥମେ ଆମେରିକାରେ ପ୍ରତିବାଦ ଆରମ୍ଭ ହୋଇଥିଲା।ଆମେରିକାନ ଫେଡରେସନ ଅଫ୍ ଲେବର ସଙ୍ଗଠନ ନାମରେ ଏକ ଶ୍ରମିକ ସଙ୍ଗଠନ ଜନ୍ମଗ୍ରହଣ କରିଥିଲା।ଏଥିରେ ସମାଜବାଦୀ, ସାମ୍ୟବାଦୀ, ଗଣତାନ୍ତ୍ରିକ ମାନେ ଯୋଗ ଦେଇଥିଲେ।ଚିକାଗୋ ଶ୍ରମିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା।୧୮୮୪ ମସିହାରେ ଚିକାଗୋ ଠାରେ ଏକ ବିଶାଳ ଶ୍ରମିକ ଅନୁଷ୍ଠିତ ହୋଇଥିଲା ଏବଂ ସେହି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା ୧୮୮୬ମସିହା ମେ' ପହିଲାରୁ ଦିନକୁ ଆଠ ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରାଯାଉ।ଏହି ଆହ୍ବାନକୁ ଆମେରିକାର ସବୁ ଶ୍ରମିକ ସମର୍ଥନ ଦେଇଥିଲେ ଓ ଲଗାତର ଭାବେ ପଟୁଆର ଓ ସଭା ଶ୍ରମିକମାନଙ୍କ ପକ୍ଷରୁ କରାଯାଉଥିଲା। ଶ୍ରମିକମାନଙ୍କ ସଂଗ୍ରାମୀ ମିଜାଜ ଦେଖି ମାଲିକମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ ସିନା, ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ।
୧୮୮୬, ମେ’ ପହିଲା ଦିନ ସାରା ଆମେରିକାରେ ଆଠ ଘଣ୍ଟା ଶ୍ରମ ସମୟ ଦାବି କରି ଧର୍ମଘଟ ହେଲା। ୧ ଓ ୨ ତାରିଖ ଦୁଇ ଦିନ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। ଦୁଇ ତାରିଖ ଦିନ ଧର୍ମଘଟକାରୀ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଥିଲା। ମେ’ ୩ ତାରିଖ ଦିନ ଧର୍ମଘଟ ମଧ୍ୟ ସଫଳ ହୋଇଥିଲା। ମାତ୍ର ସାଧାରଣ ସଭାରେ ଜଣେ ଶ୍ରମିକ ନେତା ଭାଷଣ ଦେଉଥିବା ବେଳେ ପୋଲିସ ସଭା ସ୍ଥଳକୁ ଧସେଇ ପଶି ସଭା ଭାଙ୍ଗିଦେଲା ଓ ପୋଲିସ ଗୁଳିରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଲେ ଓ ଅନେକ ଆହତ ହୋଇଥିଲେ।
ପୋଲିସର ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭାର ଆୟୋଜନ ହେଲା ମେ’ ୪ ତାରିଖରେ। ପୂର୍ବଦିନ ପୋଲିସର ଗୁଳି ଯୋଗୁ ଓ ସେଦିନ ପାଗ ଖରାପ, ବର୍ଷା ନେଇ ପ୍ରାୟ ତିନିହଜାର ଲୋକ ସଭାକୁ ଆସିଥିଲେ। ମାତ୍ର ସଭା ଆରମ୍ଭ ହେବାର କିଛି ସମୟ ପରେ ପୋଲିସ ସଭା ମଞ୍ଚକୁ ଉଠି ବକ୍ତାମାନଙ୍କୁ ଧକ୍କା ମାରି ତଡିଦେଲା। ଏତିକିବେଳେ ଗୋଟାଏ ବୋମା ସଭା ମଞ୍ଚକୁ ଜଣେ ଅଜଣା ବ୍ୟକ୍ତି ଫୋପାଡିବା ଫଳରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହେଲା। ଏହାପରେ ପୋଲିସ ଆଖିବୁଜା ଗୁଳି ଚଳାଇଲା। କେତେ ଜଣ ମୃତ୍ୟୁବରଣ କଲେ ତାହାର ଠିକ ହିସାବ ମିଳିଲା ନାହିଁ। ତେବେ ପ୍ରାୟ ୭/୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ପଚାଶ ଜଣରୁ ଅଧିକ ଗୁଳିମାଡରେ ଆହତ ହୋଇଥିଲେ। ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆଠଜଣଙ୍କୁ ଗିରଫ କଲା।
ବୋମା ନିକ୍ଷେପ କରିଥିବା ବ୍ୟକ୍ତିର ପତ୍ତା ମିଳିଲା ନାହିଁ। ଅଭିଯୋଗ ହୁଏ ଯେ ବୋମା ନିକ୍ଷେପକାରୀ ପୋଲିସର ଏଜେଣ୍ଟ ଥିଲା। ପୋଲିସ ଯେଉଁ ଆଠଜଣଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ତିନିଜଣ ସେ ସଭାରେ ଉପସ୍ଥିତ ଥିଲେ ଓ ଏମାନେ ସମସ୍ତେ ମଞ୍ଚରେ ବସିଥିଲେ। ବିଚାର ସମ୍ପୂର୍ଣ୍ଣ ପ୍ରହସନ ଥିଲା। ବିଚାରପତି ଯୋଶେଫ୍‌ ଗାର୍ଗ ସମ୍ପୂର୍ଣ୍ଣ ଏକପାଖିଆ ହୋଇ ରାୟ ଦେଇଥିଲେ। ଆଠ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଫାଶୀ ଓ ଜଣକୁ ଜେଲଦଣ୍ଡ ମିଳିଥିଲା। ଏହି ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଲା। ରାୟ ବିରୋଧରେ ଅପିଲ ହେଲା। ପୁନରାୟ ରାୟରେ ୫ ଜଣଙ୍କୁ ଫାଶୀ ଆଦେଶ ମିଳିଲା। ଫାଶୀ ଆସାମୀ ଲୁଇସ ଲିଙ୍ଗ୍‌ ଜେଲ ଭିତରେ ଆତ୍ମହତ୍ୟା କଲେ। ୧୮୮୭, ନଭେମ୍ବର ୧୧ ତାରିଖରେ ଆଲବର୍ଟ ପାରସନ, ଅଗଷ୍ଟ ସ୍ପାଇଜ, ଜର୍ଜ ଏଙ୍ଗେଲ୍ସ ଓ ଆଡ୍‌ ଲଫ୍‌ ଫିଶ୍ଚରକୁ ଫାଶୀ ହୋଇଥିଲା।
ଫାଶୀ ପାଇବା ଠିକ୍‌ ପୂର୍ବରୁ ଅଗଷ୍ଟ ସ୍ପାଇଜ ବଡ ପାଟିରେ ଚିତ୍କାର କରି କହିଥିଲେ, ”The day will come when our silence will be more powerful than the voice you strangle today“
ଦିନ ଆସିବ, ଯେତେବେଳେ ଆମର ନୀରବତା ଆମର କଣ୍ଠସ୍ବରଠାରୁ ଆହୁରି ଶକ୍ତିଶାଳୀ ହୋଇ ଉଠିବ। ତୁମେ ଯେଉଁ କଣ୍ଠକୁ ରୁଦ୍ଧ କରୁଛ।“
ହେ ମାର୍କେଟ ଗୁଳିକାଣ୍ଡ ଓ ୪ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦେବାର ୧୩୪ ବର୍ଷ ଅତୀତ ହୋଇଗଲାଣି। ବିଶ୍ୱର ଅଧିକାଂଶ ଦେଶରେ ଶ୍ରମିକଶ୍ରେଣୀ ଆଠଘଣ୍ଟା କରିବାର ଆଇନଗତ ଅଧିକାର ପାଇଛି। ଶ୍ରମିକ ଶ୍ରେଣୀ ଅନେକ ଅଧିକାର ହାସଲ କରିଛି, ମାତ୍ର ଶ୍ରମିକ ଶ୍ରେଣୀର ସଂଗ୍ରାମ ସରିନହିଁ। ଉପଯୁକ୍ତ ମଜୁରି, ଆଠଘଣ୍ଟା କାମ ଆଦି ପ୍ରମୁଖ ଦାବି ପାଇଁ ଆଜି ବି ଆମ ଦେଶରେ ଶ୍ରମିକ ଲଢେଇ ଜାରି ରହିଛି। ଭାରତର କେନ୍ଦ୍ର ସରକାର ଶ୍ରମିକମାନଙ୍କ ଆଇନଗତ ଆଠଘଣ୍ଟା କାମ କରିବାର ଅଧିକାରକୁ ଲୋପ କରିବାକୁ ଆଇନ ଆଣିଛି। ନବ୍ୟ ଉଦାରବାଦ ଆର୍ଥିକ ନୀତି ବିରୋଧରେ ଭାରତର ଶ୍ରମିକମାନେ ୧୮ଥର ସର୍ବଭାରତୀୟ ସ୍ତରରେ ଧର୍ମଘଟ କରିଛନ୍ତି।କୃଷକ, କୃଷି ଶ୍ରମିକ ଓ ବେକାରମାନଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରମିକମାନେ ଦାବି କରୁଛନ୍ତି। ଦରବୃଦ୍ଧି ବିରୋଧରେ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ପାଇଁ ଓ ଶୋଷଣର ଅବସାନ ପାଇଁ ଶ୍ରମିକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି, ମାତ୍ର ସଂଗ୍ରାମ ସରିନାହିଁ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........