ପ୍ରଦୀପ ପ୍ରଧାନଙ୍କୁ ଅଚାନକ ଗିରଫଦାରି ପଛରେ ଅସଲ ରହସ୍ୟ କେଉଁଠି ?


Chitta Behera ✍️
ରାଜ୍ୟରେ ଦୁର୍ନୀତି ବିରୋଧୀ କଣ୍ଠସ୍ଵରକୁ ବିଲୁପ୍ତ କରିଦେବାପାଇଁ ବିଶିଷ୍ଟ ରାଜନୈତିକ-ସାମାଜିକ କର୍ମୀ, ସୂଚନା ଅଧିକାରର ବଳିଷ୍ଠ ପ୍ରବକ୍ତା ତଥା ଦୁର୍ନୀତି ବିରୋଧୀ ଲଢେଇର ଅଗ୍ରଗଣ୍ୟ ସୈନିକ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ରାଜ୍ୟ ପୋଲିସ ଅଚାନକ ଗିରଫ କରି ଜେଲ ପଠାଇବା ପଛରେ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପ୍ରମୁଖ ସହଯୋଗୀ ଶ୍ରୀ ଭି॰ କେ॰ ପାଣ୍ଡିଆନଙ୍କର ଏକ ଜଘନ୍ୟ ଷଡ଼ଯନ୍ତ୍ର ନିହିତ ଥିବାଭଳି ଜଳଜଳ ଦେଖାଯାଉଛି ।  
ଗତ 29 ତାରିଖ ରାତିରେ ରାଜଧାନୀର ମହିଳା ପୋଲିସ ଥାନା ‘ମୋ ଦଳ’ର ସମ୍ପାଦକ ତଥା ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ   ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ରାଜଧାନୀର ମହିଳା ଥାନା ଏକ ଅଯଥା ଆଳରେ  ଗିରଫ କରି ଝାରପଡା ଜେଲକୁ ପଠାଇବା ପରେ ବର୍ତ୍ତମାନ ସାରା ରାଜ୍ୟର  ଜାଣିବା-ଶୁଣିବା ମହଲରେ ଏକ ପ୍ରଶ୍ନ ମୁଣ୍ଡ ଟେକିଛି – କାହିଁକି ହଠାତ ଏପରି ଗିରଫଦାରୀ? ଏହାର ସଠିକ ଉତ୍ତର ପାଇଁ ପ୍ରଥମେ ଆମେ ଦେଖିବା ପୋଲିସ ଦ୍ଵାରା ଦିଆଯାଇଥିବା ସଫେଇ କେତେଦୂର ଯଥାର୍ଥ । ଏଠାରେ ସ୍ମରଣଯୋଗ୍ୟ ଯେ, ରାଜ୍ୟ ଓ ଜାତୀୟ ସ୍ତରର ବିଶିଷ୍ଟ କ୍ରୀଡାବିତ୍ ଦୁତୀ ଚାନ୍ଦ ପ୍ରଥମେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଓ ଦାବୀ କରିଥିଲେ ପ୍ରଦୀପ ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନି       ନିମ୍ଣୋକ୍ତ ଅପରାଧଗୁଡିକ ପାଇଁ, ଯଥା-   
Section 292(2) of IPC - ଅଶ୍ଳୀଳ ବସ୍ତୁର ବ୍ୟବହାର, ଯାହାପାଇଁ ଦଣ୍ଡ ହେଉଛି ସର୍ବାଧିକ 2 ବର୍ଷ ଜେଲ ଓ 2 ହଜାର ଟଙ୍କା ଜୋରିମାନା । କିନ୍ତୁ ଏହି ଧାରାର ମଧ୍ୟ ବ୍ୟତିକ୍ରମ ଅଛି, ଅର୍ଥାତ ଜନ ସ୍ଵାର୍ଥରେ ପ୍ରସ୍ତୁତ ଓ ପ୍ରକାଶିତ କୌଣସି ଲେଖା, ଫଟୋ ବା ଡ୍ରଇଙ୍ଗ ପାଇଁ କୌଣସି ଦଣ୍ଡବିଧାନ ଲାଗୁ ହେବନି । ଏହା ଧର୍ତ୍ତବ୍ୟ ଅଥଚ ଜାମିନ ଯୋଗ୍ୟ ।    
Section 354-A of IPC (ଯୌନ ନିର୍ଯାତନା) – ଏହି ଅପରାଧ ଦୁଇପ୍ରକାର; 1ମ- ଯୌନ ସମ୍ପର୍କ ପାଇଁ ଆଗୁସାର ହେବା ବା ଅନୁରୋଧ କରିବା, ଯାହା ପାଇଁ ଦଣ୍ଡ ହେଉଛି 3ବର୍ଷ ସଶ୍ରମ କାରାଦଣ୍ଡ ସହିତ ଜୋରିମାନା; 2ୟ- କେବଳ ଯୌନ-ଇଙ୍ଗିତ ଥାଇ ମନ୍ତବ୍ୟ ପାଇଁ 1ବର୍ଷ ଜେଲ ଅଥବା ଜୋରିମାନା, ଯାହାକି ଧର୍ତ୍ତବ୍ୟ ଅଥଚ ଜାମିନ ଯୋଗ୍ୟ । 
Section 385 of IPC – (ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଆଦାୟ କରିବା ପାଇଁ ଭୟ ପ୍ରଦର୍ଶନ) – ଏହି ଅପରାଧ ପାଇଁ ସର୍ବାଧିକ 2 ବର୍ଷ ଜେଲ ବା ଜୋରିମାନା ବା ଉଭୟ ଦଣ୍ଡ । ଏହା ଧର୍ତ୍ତବ୍ୟ ଅଥଚ ଜାମିନଯୋଗ୍ୟ ।  
Section 506 of IPC (ଫଉଜଦାରି ଭୟ ପ୍ରଦର୍ଶନ) – ଏଥିପାଇଁ ସର୍ବାଧିକ 2ବର୍ଷ ଜେଲ ଅଥବା ଜୋରିମାନା ଅଥବା ଉଭୟ ଦଣ୍ଡ । ଏହା ଜାମିନଯୋଗ୍ୟ ଅଟେ ।
Section 509 of IPC (ଜଣେ ମହିଳାର ମର୍ଯାଦା ହାନି ଉଦ୍ଦେଶ୍ୟରେ କୌଣସି ଶବ୍ଦ, ଅଙ୍ଗଭଙ୍ଗୀ ବା କାର୍ଯ୍ୟ)- ଏହାପାଇଁ ସର୍ବାଧିକ 3ବର୍ଷ ଜେଲ ଏବଂ ଜୋରିମାନାର ଦଣ୍ଡ ରହିଛି ଏବଂ ଏହା ଜାମିନଯୋଗ୍ୟ ।          
Section 120B of IPC (ଫୋଜଦାରି ଷଦଯନ୍ତ୍ର )- ଗୁରୁତରତା ଭିତ୍ତିରେ ଏହି ଅପରାଧ ପାଇଁ ଦଣ୍ଡବିଧାନର ଶ୍ରେଣୀବିଭାଗ ଅଛି । ପ୍ରଦୀପ ପ୍ରଧାନ ପ୍ରସଙ୍ଗରେ ଦୋଷାରୋପିତ ଅଭିଯୋଗ ପାଇଁ ସର୍ବାଧିକ 6ମାସ ଜେଲ ବ। ଜୋରିମାନା ବା ଉଭୟ ଦଣ୍ଡ । ଏହି ଅପରାଧ ଏପରିକି ଧର୍ତ୍ତବ୍ୟ ନୁହେଁ । 
Section 6 of Indecent Representation of Women (Prohibition) Act, 1986 (ମହିଳାମାନଙ୍କୁ ନେଇ ଅଶାଳୀନ ପ୍ରଦର୍ଶନ ଆଇନ 1986ର ଧାରା 6)- ଏହି ଅପରାଧ ପାଇଁ ସର୍ବାଧିକ 2ବର୍ଷର ଜେଲ ସହିତ ସର୍ବାଧିକ 2ହଜାର ଟଙ୍କାର ଜୋରିମାନା ଲାଗୁ ହେବ ଏବଂ ଏହା ଜାମିନଯୋଗ୍ୟ । 
ହାଇକୋର୍ଟ ଦୂତୀ ଚାନ୍ଦଙ୍କ ମୂଳ ଆବେଦନକୁ ଶୁଣାଣି କରି ତାଙ୍କର ଆଦେଶରେ ପ୍ରଥମେ ପ୍ରଦୀପ ପ୍ରଧାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣୀ କରି ଅନ୍ତରୀଣ ସୁରକ୍ଷା ଯୋଗାଇଥିଲେ । କିନ୍ତୁ ଏହାପରେ ଦୂତୀ ଚାନ୍ଦ ପୁଣି ହାଇକୋର୍ଟରେ ଆବେଦନ କରି ଦାବୀ କରିଥିଲେ ଯେ, ଅଭିଯୋଗରେ ସମ୍ପୃକ୍ତ 3 ଜଣଙ୍କ ଭିତରୁ 2 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଆସାମୀ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏହାକୁ ଶୁଣାଣୀ କରି ହାଇକୋର୍ଟ ପ୍ରାୟ ଦୁଇମାସ ତଳେ ତା 28 ଅଗଷ୍ଟ 2023ରେ କହିଥିଲେ ଯେ, ଶ୍ରୀ ପ୍ରଧାନ ସମ୍ପୃକ୍ତ ତଳକୋର୍ଟରେ ହାଜର ହୋଇ ସେଠାରୁ ସୁରକ୍ଷା ଲୋଡନ୍ତୁ । କିନ୍ତୁ ଏହି ଦୁଇମାସ ଭିତରେ କୋର୍ଟ କିମ୍ବା ପୋଲିସ ତରଫରୁ ଏହା ଉପରେ କୌଣସି ନୋଟିସ ଆସିନଥିଲା । ପୁଣି, ସମ୍ପୃକ୍ତ ଅଭିଯୋଗଗୁଡିକ ଏତେ ହାଲୁକା ଯେ, ଖୋଦ ପୋଲିସ ଫୌଜଦାରି ସଂହିତା 1973ର ଧାରା 41 ଅଧୀନରେ ଶ୍ରୀ ପ୍ରଧାନଙ୍କୁ ଥାନାରୁ ଜାମିନ ଦେଇପାରିଥାନ୍ତେ । ହାଇକୋର୍ଟ ମଧ୍ୟ ଉକ୍ତ ଆଦେଶରେ ପ୍ରତିପକ୍ଷ ନମ୍ବର-5 (ପୋଲିସ)କୁ କହିନଥିଲେ ଶ୍ରୀ ପ୍ରଧାନଙ୍କୁ ଗିରଫ କରିବା ପାଇଁ, ବରଂ କହିଥିଲେ, ଆଇନ ଅନୁଯାୟୀ ଯାହା କରିବା କଥା, ତାହା କରନ୍ତୁ । ଅଥଚ ଆମେ ଓଲଟ। କଥା ଲକ୍ଷ୍ୟ କଲୁ, ପୋଲିସ ଦୁଇମାସ କାଳ ଶୋଇ ରହି ହଠାତ ଗତ ଅକ୍ଟୋବର 29 ରାତିରେ ଶ୍ରୀ ପ୍ରଧାନଙ୍କ ବାସଭବନକୁ ଯାଇ ତାଙ୍କୁ ଗିରଫ କରି ଜେଲ ପଠାଇଦେଲେ । 
ଏଠାରେ ପ୍ରଶ୍ନ ଉଠେ, କେଉଁ ଘଟଣାକୁ କେନ୍ଦ୍ର କରି ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରିତ ହୋଇଥିଲା ? ଏଠାରେ ସ୍ମରଣୀୟ ଯେ, ଦୂତୀ ଚାନ୍ଦ ହେଉଛନ୍ତି ଜଣେ ଅଲିମ୍ପିୟାନ ଦୌଡ କ୍ରୀଡାବିତ୍, ଯେ କି ଅଲିମ୍ପିକ ସହିତ ଦେଶ ବିଦେଶର ବହୁ ପ୍ରତିଯୋଗୀତାରେ ଭାଗ ନେଇ ସଫଳତାର ସହିତ ଭାରତ ତଥା ଓଡିଶା ପାଇଁ ବିପୁଳ ଗୌରବ ଆଣିପାରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ, ସେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକରେ ସଫଳତା ହାସଲ କରିପାରିନଥିଲେ । ଉଭୟ ଦେଶ ଓ ରାଜ୍ୟ ପାଇଁ ଏହି ନୈରାଶ୍ୟ ଜନକ ଘଟଣା ଉପରେ ଏକ ୱେବ-ପୋର୍ଟାଲ ଚଳଉଥିବା ଜଣେ ସାଇବର ସାମ୍ବାଦିକ ମନ୍ତବ୍ୟ କରିଥିଲେ ଯେ, ଦୂତୀ-ଚାନ୍ଦଙ୍କ ବିଫଳତା ପଛରେ ତାଙ୍କୁ ପୃଷ୍ଠପୋଷକତା କରୁଥିବା ଅଚ୍ୟୁତ ସାମନ୍ତ ହିଁ ଦାୟୀ; କାରଣ ଶ୍ରୀ ସାମନ୍ତ ତାଙ୍କର ଟିଭି ଚାନେଲକୁ ଲୋକପ୍ରିୟ କରିବା ପାଇଁ ଦୂତୀ ଚାନ୍ଦଙ୍କୁ ବ୍ୟବହାର କଲେ, ଯାହା ଫଳରେ ଦୂତୀ ନିୟମିତ ଅଭ୍ୟାସ କରିବାରୁ ବଞ୍ଚିତ ହେଲେ । ସମ୍ପୃକ୍ତ ୱେବ ପୋର୍ଟାଲରେ ପ୍ରକାଶିତ ଏହି ମନ୍ତବ୍ୟ ସହିତ ଏକ କାର୍ଟୁନକୁ ଶ୍ରୀ ପ୍ରଦୀପ ପ୍ରଧାନ From the pen of a journalist ଲେଖି ଫରୱାର୍ଡ କରିଥିଲେ । ସମଗ୍ର ଦୂତୀ ଚାନ୍ଦ ପ୍ରକରଣରେ ଶ୍ରୀ ପ୍ରଦୀପ ପ୍ରଧାନଙ୍କର ଏତିକି ମାତ୍ର ନଗଣ୍ୟ ଭୂମିକା ଥିଲା । ଶ୍ରୀ ପ୍ରଧାନ ଦୂତୀଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା କିମ୍ବା ସାକ୍ଷାତ କରିବାର କୌଣସି ଅବକାଶ ଜୁଟି ନାହିଁ । 
ପୁଣି ପ୍ରଶ୍ନ ଉଠେ, ତେବେ ଦୂତୀ ଚାନ୍ଦ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଏତେ ଉତକ୍ଷିପ୍ତ ଓ କ୍ରୁଦ୍ଧ ହେଲେ କାହିଁକି ? ପ୍ରକୃତ ପକ୍ଷେ ଦୂତୀଙ୍କୁ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ ନିୟୋଜିତ କରିବାର ବ୍ୟକ୍ତି ହେଉଛନ୍ତି କିଟ୍-ମୁଖ୍ୟ ଶ୍ରୀ ଅଚ୍ୟୁତ ସାମନ୍ତ । ଶ୍ରୀ ସାମନ୍ତ ଶ୍ରୀ ପ୍ରଦୀପ ପ୍ରଧାନଙ୍କୁ ତାଙ୍କର ଜଣେ କଟ୍ଟର ଦୁଶମନ ମନେ କରନ୍ତି । କାରଣ, ଶ୍ରୀ ସାମନ୍ତ କିଟ ନାମରେ ଭୁବନେଶ୍ଵର ଓ ରାଜ୍ୟ ଭିତରେ ବ୍ୟାପକ ସରକାରୀ ଓ ଜଙ୍ଗଲ ଜମି ହଡପ କରିଥିବାରୁ ତଥା ‘କିଟ୍’ ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିପୁଳ ମାତ୍ରାର ଆର୍ଥିକ ଓ ଅନାରଥିକ ମଞ୍ଜୁରୀ, ଅନୁଗ୍ରହ ଓ ରିହାତି ହାସଲ କରିଥିବାରୁ ତାହା ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେଉ ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ମୂଳରୁ ଅଭିଯୋଗ କରି ଆସୁଥିଲେ ଓ ଶେଷରେ କମିଶନ ଶ୍ରୀ ପ୍ରଧାନଙ୍କ ଅଭିଯୋଗକୁ ଗ୍ରହଣ ନିଜର ଏକ ସୁଚିନ୍ତିତ ଓ ସୁଦୀର୍ଘ ରାୟ ଘୋଷଣା କରିଥିଲେ । ଏଥିରେ ବିଚଳିତ ହୋଇ ଶ୍ରୀ ସାମନ୍ତ ସଙ୍ଗେ ସଙ୍ଗେ ହାଇକୋର୍ଟର ଜଜ ଶ୍ରୀ ବିଶ୍ଵନାଥ ରଥ ଓ  ଆଡଭୋକେଟ ଜେନେରାଲ ଶ୍ରୀ ଅଶୋକ ପରିଜାଙ୍କୁ ଧରାଧରି କରି କମିଶନଙ୍କ ରାୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ବୋଲି ଏକ ଆଦେଶ ଜାରି କରାଇପାରିଥିଲେ । ଶ୍ରୀ ପ୍ରଧାନ ଏହି ଆଦେଶକୁ ସମାଲୋଚନା କରିବା ସହିତ କିଟ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇ ସର୍ବସାଧାରଣଙ୍କୁ ନିଜର ଜମିବାଡି ଓ ଆର୍ଥିକ ଏବଂ ପ୍ରଶାସନିକ ସ୍ଥିତି ସମ୍ବନ୍ଧରେ ସୂଚନା ଦେଉ ବୋଲି ନିଜର ବକ୍ତବ୍ୟରେ ଅଟଳ ରହିଲେ, ଯାହାକି ଶ୍ରୀ ସାମନ୍ତଙ୍କ ଗାତ୍ରଦାହର  ଅସଲ କାରଣ । ଏହି କାରଣରୁ ଶ୍ରୀ ସାମନ୍ତ ପ୍ରତିଶୋଧ ପରାୟଣ ହୋଇ ତାଙ୍କର ପୃଷ୍ଠପୋଷକତାରେ ଆଶ୍ରିତ। ଦୂତୀ ଚାନ୍ଦଙ୍କୁ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଲଗାତାର ବ୍ୟବହାର କରିଛନ୍ତି । ଏହା ବ୍ୟତୀତ ଦୂତୀ ଚାନ୍ଦ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ କେଶ କରିବା ଓ  ମିଡିଆରେ ଲଗାତର ବୟାନ ଦେବା ପଛରେ ଅନ୍ୟ କୌଣସି କାରଣ ନ।ହିଁ ।    
                                              
ଏହା ପରେ ପ୍ରଶ୍ନ ଉଠୁଛି, ମହିଳା ପୋଲିସ ଥାନା ଉପରୋକ୍ତ ହାଲୁକା ଧାରାଗୁଡିକୁ ଅଣଦେଖା କରି ତଥା ଫଉଜଦାରି ସଂହିତାର ଦଫା 41 ଅଧୀନରେ ଜାମିନ ନଦେଇ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଜେଲ ପଠାଇବା ପଛରେ କାହାର ଅଦୃଶ୍ୟ ହାତ ରହିଛି? ଆଗରୁ ସୂଚୀତ ହୋଇଛି ଯେ, ତାହା ଖୋଦ ମୁଖ୍ୟମନ୍ତ୍ରୀ ଓ ତାଙ୍କର ପ୍ରମୁଖ ରାଜନୈତିକ ଓ ପ୍ରଶାସନିକ ସହଯୋଗୀ ଶ୍ରୀ ଭି॰ କେ॰ ପାଣ୍ଡିଆନଙ୍କର । ପ୍ରଶ୍ନ ଉଠୁଛି, ଶ୍ରୀ ପ୍ରଧାନ ଏମିତି କଣ କଲେ ଯେ, ତାଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଇବା ପାଇଁ ସେମାନେ ରାଜଧାନୀ ମହିଳା ଥାନାକୁ ବ୍ୟବହାର କଲେ? ପ୍ରକୃତ କଥା ହେଉଛି, କିଛି ଦିନ ତଳେ ନବ ଗଠିତ ‘ମୋ ଦଳ’ର ସଭାପତି ଶ୍ରୀ ଅକ୍ଷୟଙ୍କ ସ୍ଵାକ୍ଷରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଏକ ଏଫ॰ ଆଇ॰ ଆର॰ ରାଜଧାନୀ ଥାନାରେ ରୁଜୁ କରାଯାଇଥିଲା ଓ ଏଥିରେ ଦାବୀ କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀମାନଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ କାର୍ଯାନୁଷ୍ଠାନ କରାଯାଉ, କାରଣ ବେଦାନ୍ତ ନାମକ ଏକ ଘରୋଇ କମ୍ପାନୀକୁ କୋଣାର୍କ-ପୁରୀ ବେଳାଭୂମି ନିକଟରେ ଥିବା ହଜାର ହଜାର ଏକର ଚାଷଜମି ଓ ଜଙ୍ଗଲ ଜମିକୁ ଅଧିକୃତ କରି ଏକ ଉଚ୍ଚ କୋଟୀର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନାମରେ ଏହି କମ୍ପାନୀ ହାତକୁ ଟେକି ଦେବାର ସରକାରୀଇ ଚକ୍ରାନ୍ତ ବିରୁଦ୍ଧରେ ଓଡିଶା ହାଇକୋର୍ଟ 2010ରେ ଏବଂ ସୁପ୍ରିମ କୋର୍ଟ 2023ରେ ସେମାନଙ୍କ ରାୟରେ ଖୁଲାସା କରିସାରିଛନ୍ତି । ଶ୍ରୀ ପ୍ରଦୀପ ପ୍ରଧାନ ‘ମୋ ଦଳ’ର ସାଧାରଣ ସମ୍ପାଦକ ଥିବାରୁ ତଥା ରାଜ୍ୟ ସରକାରଙ୍କ ଅଜସ୍ର ଦୁର୍ନୀତି ବିରୁଦ୍ଧରେ ଲଗାତାର ସ୍ଵର ଉତ୍ତୋଳନ କରି ଆସିଥିବାରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କର ପ୍ରମୁଖ ସହଯୋଗୀ ଶ୍ରୀ ପାଣ୍ଡିଆନ ଚାହିଁଲେ ଶ୍ରୀ ପ୍ରଧାନଙ୍କୁ କିପରି ଜେଲକୁ ପଠାଇ ଦୁର୍ନୀତି ବିରୋଧୀ କଣ୍ଠସ୍ଵରକୁ ସ୍ତବ୍ଧ କରିଦେବେ । ତେଣୁ ସେମାନଙ୍କ ଇଙ୍ଗିତରେ ହିଁ ରାଜଧାନୀର ମହିଳା ପୋଲିସ ଶ୍ରୀ ପ୍ରଧାନଙ୍କୁ ଅଚାନକ ଗିରଫ କରି ଜେଲ ପଠାଇଛି । 
ସୁତରାଂ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ସହ କୌଣସି ବ୍ୟକ୍ତିଗତ ସମ୍ପର୍କ ନଥାଇ ଓ କେବେ ମୁହଁ।ମୁହିଁ ସାକ୍ଷାତ କରିନଥିବା ଦୂତୀ ଚାନ୍ଦଙ୍କ ତଥାକଥିତ ଅଭିଯୋଗମାନ ଏକ ବାହାନା ମାତ୍ର ; ନେପଥ୍ୟର ଖଳନାୟକମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ତାଙ୍କର କମାଣ ସମ୍ଭାଳୁଥିବା ଶ୍ରୀ ଭି॰ କେ॰ ପାଣ୍ଡିଆନ ଏବଂ ଦୂତୀ ଚାନ୍ଦଙ୍କ ପୃଷ୍ଠପୋଷକ ତଥା କିଟ-ମୁଖ୍ୟ ଶ୍ରୀ ଅଚ୍ୟୁତ ସାମନ୍ତ । 
ବର୍ତ୍ତମାନ ପରିସ୍ଥିତିରେ ଉପରୋକ୍ତ ତଥ୍ୟାବଳୀକୁ ଲୋକମାନଙ୍କ ସାମନାକୁ ଆଣିବା ସହିତ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ଭଳି ଜଣେ ଟାଣୁଆ ଦୁର୍ନୀତି-ବିରୋଧୀ ନେତାଙ୍କ ଦମନ-ଯଜ୍ଞରେ ନେପଥ୍ୟ ଖଳନାୟକ ସାଜିଥିବା ସନ୍ଦିଗ୍ଧ ଚରିତ୍ରମାନଙ୍କୁ ଚିହ୍ନି ରଖିବାର ବେଳ ଆସିଛି ।

4 comments:

  1. ପ୍ରଦୀପ ପ୍ରଧାନ ଙ୍କ ବେକ୍ତିତ୍ୱ କୁ ଚାଲେଜ କରିବା ଏତେସହଜ ନୁହେଁ, କିନ୍ତୁ ଅନ୍ୟାୟ ଭାବରେ ଜେଲ କୁପଠାଇ ବିଜେଡି ସରକାର ନିଜର ଦୁର୍ନୀତିର ଗୋହି ବଖାଣିବାର ବାଟ ଦେଖାଇଦେଲେ ଏବେ ସମାଳି ବେ କେମିତି ତାହା ତାଙ୍କୁ ଜଣା

    ReplyDelete

ହୃଦୟର ଶରଧା ସହିତ...........