ଗୁରୁ କୃପା

 ଗୁରୁ କୃପା

ମାଧବାନନ୍ଦ ଭୋଇ

        ତା୩୦/୦୯/୨୦୨୦ରିଖ । ଆଜି ବୁଧବାର ଥିଲା । ନିଜର ଜନ ସେବା

କେନ୍ଦ୍ରରେ  ବିଶେଷ କିଛି କାମ ନଥିଲେ ବି, ସକାଳ ବେଳା କିଛି  କାଗଜପତ୍ର କାମ ଥିଲା  । ଆଜି ବହୁତ ଇଚ୍ଛା ଥିଲା ସସ୍ତ୍ରୀକ ଗୁରୁଦେବଙ୍କ କର୍ମକ୍ଷେତ୍ର ମଙ୍ଗୁଲି ଆଶ୍ରମ ଯିବା ପାଇଁ  । ତଥାପି  ଆମର କାମ ସାରୁ ସାରୁ ଏଗାରଟା ତିରିଶ ବାଜିଗଲା  । ରଶ୍ମୀର ବି  ଘର କାମ ସରି ନ ଥିଲା । ତେବେ ଗୁରୁ ମନ୍ଦିରର ପହଡ ପଡି ସାରିଥିବ ଭାବି, ଉଭୟେ ଦିନ ଗୋଟାଏ ତିରିଶ ମିନିଟ ସୁଦ୍ଧା ମଙ୍ଗୁଲି ଯିବା ପାଇଁ ସ୍ଥିର କରି ନେଲୁ  ।  ଠିକ୍ ସେହି ସମୟରେ ବାହାରିବା ପରେ ଘର ଚଉପଡା  ଏକ କିଲୋମିଟର ଦୂରରେ ପହଂଚିଛୁ , ପ୍ରବଳ ଦୁମ କାଣିଆ ବର୍ଷା ଆରମ୍ଭ ହୋଇଗଲା  । ଘଡ ଘଡି ମଧ୍ୟ ଜୋରରେ ମାରୁଥାଏ  । ନିରୁପାୟ ହୋଇ ଚଉପଡାସ୍ଥିତ ଏକ ସିଲେଇ ଦୋକାନ ବାରଣ୍ଡାରେ ଆଶ୍ରୟ ନେଲୁ  । ରଶ୍ମୀ କହିଲା, ମୁଁ ମାଆଙ୍କ ନାମରେ  ସ୍ମରଣ କରି ତିନୋଟି ତାଳି ମାରୁଛି, ବର୍ଷା କମିଯିବ  ।  ତାକୁ ଚିଡାଇବା ପାଇଁ ମୁଁ ହସିଲି  । ସେ ବିରକ୍ତ ହେଲା ମୋ ହସ ଦେଖି  । ପ୍ରାୟ ପନ୍ଦର ମିନିଟ୍ ପରେ ବର୍ଷା କମିଲା  । ଝିପି ଝିପି କୁଣ୍ଡାଝରା ବର୍ଷା ହେଉଥାଏ  । ମୁଁ କହିଲି, ଆରେ ଘର ପାଖରେ ଅଛୁ,ଚାଲ ଘରକୁ ପଳାଇଯିବା  । ମାତ୍ର ରଶ୍ମୀ ନଛୋଡ ବନ୍ଧା, ଆମେ ଗୁରୁ କ୍ଷେତ୍ରକୁ ବାହାରିଛୁ ମାନେ ଯିବା ପାଇଁ ପଡିବ । ଆକାଶରେ ମଧ୍ୟ କଲା ବାଦଲ ଘୁରୁଥାଏ  ।  ସେହି ବର୍ଷାରେ ଭିଜି ଭିଜି ଆମେ ବାହାରିଲୁ । ବାଇକ୍ ଚଲାଇବା ପାଇଁ ବହୁତ କଷ୍ଟ ହେଉଥାଏ  ।ହେଲେ ଝାରପଡା ପୋଲ ନିକଟରେ ବର୍ଷାର ବେଗ ବଢି ଚାଲିଲା  । ପୁନଃ କିଛି ଉପାୟ ନ ଥିବା ହେତୁ ଏକ କେବିନ୍ ବାରଣ୍ଡାରେ ମୁଣ୍ଡ ଗୁଂଜିଲୁ  । ଆକାଶରେ ବହୁତ କଳା ବାଦଲ ଥିଲା । ପ୍ରାୟ ପନ୍ଦର ମିନିଟ ପରେ ବର୍ଷା ଟିକେ କମିଲା  ।  ବର୍ଷା ହେବା ନିଶ୍ଚିତ ଜାଣି, ଘରକୁ ଯିବା , କିମ୍ବା ଗୁରୁ କ୍ଷେତ୍ରକୁ ଯିବାର ନିଷ୍ପତି ରଶ୍ମୀ ମୋ ଉପରେ ଛାଡିଦେଲା  । ତେବେ ଅର୍ଦ୍ଧାଧିକ ବାଟ ଆସି ଯାଇଥିବା ହେତୁ, ଏବଂ ଗୁୁରୁ କ୍ଷେତ୍ରକୁ ଯିବା ପାଇଁ ସଂପୂର୍ଣ୍ଣ ନିଷ୍ପତି ନେଇ ସାରିଥିବାରୁ, କେବଳ ଗୁରୁଦେବଙ୍କୁ ସ୍ମରଣ କରି ଯିବା ପାଇଁ ମୁଁ ଠିକ୍ କରିନେଲି । ଝିପି ଝିପି ବର୍ଷାରେ ବାଇକ୍ ଚଲାଇବାରେ ଟିକେ ଅଶ୍ୱସ୍ତି ବୋଧ ହେଉଥିଲେ ମଧ୍ୟ ଗୁରୁ କ୍ଷେତ୍ରରେ ପହଂଚିବା ନିଶାରେ ଚାଲିଲୁ  । ପ୍ରାୟ ତିନିଟା ସୁଦ୍ଧା ମଙ୍ଗୁଲି ଆଶ୍ରମରେ ପହଂଚିଲୁ  । ଗୁରୁ ମନ୍ଦିର,ଶ୍ୟାମାକାଳୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ବନ୍ଦ ଥାଏ  । ଆଶ୍ରମ ପରିଚାଳିକା ବିନି ମା ତାଙ୍କର ବିଶ୍ରାମ ପ୍ରକୋଷ୍ଠରେ ବିଶ୍ରାମ ନେଉଥାନ୍ତି ।  ତେବେ ଗୁରୁ ଦେବଙ୍କ ମନ୍ଦିର ସମ୍ମୁଖରେ ଗୁରୁ ଦେବଙ୍କୁ  ପ୍ରାର୍ଥନା କରିବା ବ୍ୟତୀତ ଆମର କିଛି ବାଟ ନ ଥିଲା । ଏହି ସମୟରେ  ବର୍ଷା ମଧ୍ୟ ପ୍ରବଳ ବେଗରେ ହେଲା  । ରଶ୍ମୀ ହାତ ଯୋଡି ଗୁରୁ ମନ୍ଦିର ସମ୍ମୁଖରେ ବସିଥାଏ । ମୁଁ କିଛି ସମୟ ପରେ,  ଡିଜିଟାଲ ଇଂଡିଆର ଅନ୍ ଲାଇନ୍ ମିଟିଂ ଥିବାରୁ ମୁଁ ମୋବାଇଲ୍ ରେ ମନ ଦେଲି  । ହେଲେ ଏ ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା  । ସମୟେ ସମୟେ ଆମର ଚତୁପାଶ୍ୱର୍ରେ ଦିବ୍ୟ ସୁଗନ୍ଧର ବଳୟ ଉଭୟେ ଅନୁଭବ କରି ପାରୁଥିଲୁ  । ପ୍ରବଳ ବର୍ଷା ହେଲେ ବି ଏହି ଦିବ୍ୟ ସୁଗନ୍ଧ ପ୍ରାୟ ଗୋଟିଏ ମିନିଟ ରହି, ପୁନଃ ସ୍ବାଭାବିକ ଅବସ୍ଥାକୁ ଫେରିଆସୁଥିଲା ।ପୁନଃ ଆଶ୍ରମର ବାରଣ୍ଡାରେ ଦିବ୍ୟ ସୁଗନ୍ଧ ଘୁରି ବୁଲୁଥିଲା । ଗୁରୁ ଦେବଙ୍କର ସୁକ୍ଷ୍ମ ଉପସ୍ଥିତିକୁ ଅନୁଭବ କରି,ଶରୀରରେ ଅପୂର୍ବ ଶିହରଣ ଖେଳି ଯାଉଥିଲା । ହେଲେ ବର୍ଷା ଥମିବାର ନାମ ନେଉ ନ ଥିଲା । ମୋର ନବ ରାତ୍ରି ଚାଲିଥିବାରୁ, ଏକ ବେଳା ହବିଷ୍ୟାନ୍ନ ପାଇଁ ଧ୍ୟାନକୁଦ ପୀଠରେ ପ୍ରସାଦ ପାଇଁ   ଆଜି ବହୁତ ଇଚ୍ଛା ଥିଲା । ସେଥିପାଇଁ ଘରେ ମଧ୍ୟ କିଛି ଭୋଜନ କରି ନଥିବା ହେତୁ କ୍ଷୁଧାର ଜ୍ୱାଳା ବଢି ଚାଲିଥିଲା  । ଗୁରୁ ମନ୍ଦିର ନ ଖୋଲିବା ଏବଂ  ବର୍ଷା ନ ଛାଡିବା ହେତୁ ଗୁରୁ ଦେବଙ୍କ ଉପରେ ପ୍ରବଳ ଅଭିମାନ ଆସିଲା  । ମନ ଏଇ କଥା ଭାବି ଗୁଣୁ ଗୁଣୁ ହେଲେ ମଧ୍ୟ କିଛି କରି ପାରୁ ନଥିଲି  ।

ସମୟ ପ୍ରାୟ ଚାରିଟା ପନ୍ଦର ହେବ । ବିନି ମା ଆସିଲେ  ।  ମନ୍ଦିର ଗୁଡିକ ଖୋଲା ହେଲା  । ଦିବ୍ୟ ଦର୍ଶନ  ହେଲା ପରେ  ମୁଁ ଧ୍ୟାନ କୁଦ ବାହାରିଲି  । ବର୍ଷା ମଧ୍ୟ ଛାଡିଗଲା ।ହେଲେ ଚାରଟି ତିରିଶରେ ସେଠାରେ ପ୍ରସାଦ ମିଳିବ କି ନାହିଁ ମନରେ ଭାବନା ଥିଲେ ବି,ବିନି ମାଆର କଥା ଅନୁସାରେ ପ୍ରଭୁଙ୍କ ବରାଦ ଯାହା ଥିବ ନ୍ୟାୟରେ,ଗୁରୁ ଦେବଙ୍କ ପ୍ରତି ଅଟଳ ବିଶ୍ୱାସ ରଖି  ଏକୁଟିଆ ଧ୍ୟାନକୁଦ ବାହାରିଲି  ।  ଝିପି ଝିପି ବର୍ଷା ହେଉଥାଏ । ଚାରିଟା ଚାଳିଶ ମିନିଟ୍ ହୋଇଗଲା  । ଧ୍ୟାନ କୁଦ ରୋଷ ଶାଳା ଶୁନ୍ ଶାନ୍ ଲାଗୁଥାଏ  । ନନାମାନେ ମଧ୍ୟ ବଳକା ପ୍ରସାଦ ଗୁଡିକ ବାନ୍ଧି ନିଜ ଘରକୁ ନେବା ପାଇଁ ବାହାରିଥାନ୍ତି । ତେଣୁ ସେମାନଙ୍କ ଠୁ ନାସ୍ତି ବାଣୀ ମଧ୍ୟ ଶୁଣିବା ପାଇଁ ପଡିଲା । ହେଲେ ଏହି ସମୟରେ ଜନୈକ ନନା ବାହାରି ଆସି କହିଲେ, ଆରେ ତାଙ୍କୁ ମନା କରନି, ଯାହା ଅଛି  ବାଂଟି କରି ତାଙ୍କୁ ଦେଇ ଦେବା ।  ସେ ପ୍ରଭୁଙ୍କ ପ୍ରସାଦ ପାଇଁ ଆସିଛନ୍ତି । ଫେରାଅନି  ।  ପରିଶେଷରେ ଉଚିତ୍ ମୂଲ୍ୟ ଠାରୁ କମ୍ ଦାମ୍ ପ୍ରଦାନ କରି ଇଚ୍ଛା ଠାରୁ ଅଧିକ ପ୍ରସାଦ ଧରି ବାହାରିଲି  । ସ୍ନେହାଶ୍ରୁରେ ଆଖିରୁ ଝର ଝର ହୋଇ ଲୁହ ଝରି ଚାଲିଥିଲା । ଗୁରୁ ଦେବଙ୍କର ଏହି ଅବ୍ୟକ୍ତ ଲୀଳାକୁ ବୁଝିବା ପାଇଁ ସତରେ ନଶ୍ୱର ଶରୀର ଅସମର୍ଥ ଥିଲା । ବିଲୁଆ ଖାଇ ନଇ ପୋଲରେ ଗୁଣୁ ଗୁଣୁ ହୋଇ ହୋଇ ଭାବୁଥିଲି, ଆରେ ଦର୍ଶନ ସମୟରେ ଲାଇନ୍  ତ ନଥିଲା  । ଦର୍ଶନ ଭଲରେ ହେଲା ନାହିଁ  । ଲାଇନ୍ ଆସି ଯାଆନ୍ତି ନି, ଦର୍ଶନ ସହିତ ଫଟୋ କିଛି ଉଠାଇ ଥାନ୍ତି । 

ବାସ୍ !କିଛି ସମୟ ପରେ ମଙ୍ଗୁଲି ଆଶ୍ରମରେ ପହଂଚିଲି  । ଲାଇନ୍ ମଧ୍ୟ ଆସି ଯାଇଥିଲା ।ବିଦୁ୍ୟତ୍ ଆଲୋକରେ ଗୁରୁ ଦେବଙ୍କ ମୁଖ ମଣ୍ଡଳ  ଝଲସି ଯାଉଥିଲା  । ଶରୀରରେ ଖେଳି ଯାଉଥିଲା ଅପୂର୍ବ ଶିହରଣ  । ଇଚ୍ଛାମୟଙ୍କର ଅଧମ ପ୍ରତି କୃପା ବାରି ସିଂଚନ କରିଛନ୍ତି, ଏହା ମୁଁ ମର୍ମେ ମର୍ମେ ଅନୁଭବ କରି ପାରୁଥିଲି । ଯେଉଁ ଦିବ୍ୟ ଅନୁଭବରେ,  ଆଖିର ଲୁହ ବାଧା ମାନୁ ନ ଥିଲା ।ଅଜସ୍ର କୋହ ଆଉ ଝର ଝର ଲୁହକୁ ଗୁରୁ ଦେବଙ୍କ ପଦାବ୍ଚରେ ଅର୍ପଣ କରି ,ତାଙ୍କର ଅପୂର୍ବ ଲୀଳା ମାଧୁରିମାକୁ ହୃଦୟରେ ସାଇତି ମଙ୍ଗୁଲି ଆଶ୍ରମରୁ ଫେରିଆସିଲି  । ସତରେ ଆଧ୍ୟାତ୍ମିକ ରାଇଜରେ  ଅନେକ ସାଧକ କାମନା ବାସନା ପାଇଁ ସ୍ବାର୍ଥନ୍ୱେଷୀ ଅର୍ଘ୍ୟ ବଦଳରେ ସୁଖ ସମୃଦ୍ଧି ମିଳୁଥିବା ବେଳେ, ସଦ୍ ଗୁରୁଙ୍କ ନିଷ୍କାମ ପ୍ରେମରେ କେବଳ ସୁଖ ହିଁ ସୁଖ ମିଳିଥାଏ  । ଆମେ କେବଳ ନିଜର କର୍ତବ୍ୟକୁ ଯଥୋଚିତ ଭାବରେ ତାଙ୍କର ପଦାରବିନ୍ଦରେ ସମର୍ପଣ କରିଦେଲେ,ଜୀବନ ପାତ୍ର ପୁରି ଯାଏ ।ପ୍ରାଣ ଅପୂର୍ବ ସୁରଭିରେ ସୁରଭିତ ହୋଇଯାଏ । ସତରେ ତୁମେ ବରଷୁଛ କୃପା,ହେଲେ ଭାଗ୍ୟରେ ନାହିଁ ମୋହରି । ତୁମେ ମହା ଦୟାଳୁ ଠାକୁର,......,


2 comments:

  1. ଗୁରୁ କୃପା ହି କେବଳମ୍‌ । ଜୟ ଗୁରୁଦେବ ।

    ReplyDelete
  2. ଗୁରୁ କୃପା ହି କେବଳମ୍‌ । ଜୟ ଗୁରୁଦେବ ।

    ReplyDelete

ହୃଦୟର ଶରଧା ସହିତ...........