ବିଶ୍ୱ ଶାନ୍ତି ପାଇଁ ଖାଲି ପାଦରେ ପରିଭ୍ରମଣ:ପରିବ୍ରାଜକ କ୍ରିଷ୍ଣ ଦାସ୍

ବିଶ୍ୱ ଶାନ୍ତି ପାଇଁ ଖାଲି ପାଦରେ ପରିଭ୍ରମଣ:ପରିବ୍ରାଜକ କ୍ରିଷ୍ଣ ଦାସ୍ (ସାକ୍ଷାତକାର)


ସମୟ ସାଢେ ପାଂଚ ଘଟିକା । ନଖରା ପରେ ଯୋହଳ ଗଡା ।  ସୁରୁଜଙ୍କ ସୁନେଲି କିରଣ ପ୍ରତିଭାତ ହେଉଥାଏ କଂକ୍ରିଟ୍ କୋଠା  ଓ ଶାଗୁଆ ଗଛ ଉପରେ  । ବେଳେ ବେଳେ  ମୋଟର ସାଇକେଲରେ ଗଲା ବେଳେ, ଆଖି ଅଟକାଇ ଦିଏ ଗାଡିକୁ । ସେମିତି ଖୋଜିଲା ଖୋଜିଲା ଆଖିରେ , ଅଟକି ଗଲି ଜଣେ ପରିବ୍ରାଜକଙ୍କୁ ଦେଖି  ।  ଲଣ୍ଡିତ ମସ୍ତକ ସହ କଳା ରଙ୍ଗର ପାଂଚ ଫୁଟିଆ ମଣିଷ , ଗଳାରେ ତୁଳସୀ ମାଳି । ବେକରେ ନୀଳ ସ୍ବେଟରଟିଏ ପିନ୍ଧିଛନ୍ତି ।  ହାତରେ ହଳଦିଆ ପତାକା ସହିତ ଜାତୀୟ ପତାକା ।  କାନ୍ଧରେ  ଗୁଡା ହୋଇଥିଲା କମ୍ବଳ ସହ  ଧଳା ଝୁଲା ।  ଖାଲି ପାଦରେ ଚାଲି ଚାଲି ଭାରତ ଭ୍ରମଣର ସଂକଳ୍ପ । ବିଶ୍ୱ ଶାନ୍ତି ଓ ଭ୍ରାତୁତ୍ୱର ସନ୍ଦେଶ ପ୍ରସାରଣର ସଂକଳ୍ପ ।  ନାମ ତାଙ୍କର କ୍ରିଷ୍ଣ ଦାସ  । ସତରେ ତାଙ୍କର କେଇ ପଦ କଥା ମୋତେ ମନ୍ତ୍ର ମୁଗ୍ଧ କରିଦେଲା । ଦ୍ରୁତ ଗତିରେ ଚାଲୁଥିବା ପରିବ୍ରାଜକଙ୍କ ସହ ଆଉ କେଇ ପଦ କଥା ହେବାର ଲୋଭ ସମ୍ବରଣ ନ କରିପାରି ତାଙ୍କ ସହିତ କିଛି ମିନିଟ୍ ଚାଲିବାରେ ଲାଗିଲି ।   ପରିବ୍ରାଜକଙ୍କର ବଙ୍ଗଳା  କଥା ବୁଝି ହେଉଥିଲେ ବି ହିନ୍ଦୀରେ କଥୋପକଥନ ହେବା ପାଇଁ ସହଜ ମନେ କଲି ।  ଆଜି ଆପଣମାନଙ୍କ ପାଇଁ ସେଇ କଥା କେଇ ପଦ ପ୍ରକାଶ କରୁଅଛି ।
୧. ଆପଣଙ୍କ ନାମ ଓ ଘର କେଉଁଠି?
ଉ- କ୍ରିଷ୍ଣ ଦାସ ଓ  ପଶ୍ଚିମ ବଙ୍ଗ ।
୨.  ଆପଣ  ଘର ଛାଡି ଖାଲି ପାଦରେ ଏମିତି  ଭ୍ରମଣ କରିବାର ଉଦ୍ଦେଶ୍ୟ କଣ?
ଉ- ବର୍ତମାନ ସାରା ବିଶ୍ୱ ଧ୍ୱଂସ ମୁଖରେ ପତିତ  । ସାରା ଭାରତ ବର୍ଷ ମଧ୍ୟ ଅସ୍ଥିରତା ସହ ଅଶାନ୍ତିର ସମ୍ମୁଖୀନ  । ପରସ୍ପର ଭାଇ ଚାରାର ଅଭାବ ସହ  ନିଶାଗ୍ରସ୍ତ ଅବଚେତନ ମଣିଷ ନିଜର ଅସ୍ତିତ୍ୱ ଭୁଲି ଯାଇଛି । ପରିବାରରେ ଶାନ୍ତି ନାହିଁ, ପ୍ରେମ ନାହିଁ ଓ ସଦ୍ ଭାବ ନାହିଁ  । ଏପରି ଜିଇଁବାରେ ଲାଭ କଣ ଭାଇ  ? ମୁଁ  ଆଜି ସାଧାରଣ ବାଟୋଇ ଭାବେ ଏଇ କଥା କେଇ ପଦ କହି କହି ବାଟ ଚାଲୁଛି  । ଯାହା ଭଗବାନଙ୍କ ଇଛା ।
୩.  ଆପଣ ଭଗବାନଙ୍କୁ ବିଶ୍ୱାସ କରନ୍ତି ?
ଉ- ହଁ, ସେ ମୋ ପାଖେ ପାଖେ ଅଛନ୍ତି । କୃଷ୍ଣଂ ବନ୍ଦେ ଜଗତ୍ ଗୁରୁମ୍ ଭାବରେ କୃଷ୍ଣ ମୋର ସବୁ କିଛି  । ସେ ମୋର ଧନ, ସେ ମୋର ଜୀବନ ।
୪. ବର୍ତମାନ ଭାରତ ବର୍ଷରେ ଅନେକ ଦେବାଦେବୀ ପୂଜିତ ହେଉଛନ୍ତି, କିନ୍ତୁ ଆପଣ କେବଳ କୃଷ୍ଣଙ୍କ କଥା କହିଲେ ?
ଉ- ଦେଖନ୍ତୁ, ଏକ ପରିବାରର ଜଣେ ମୁରବୀ ଥିଲା ପରି ସାରା  ବିଶ୍ୱ ବ୍ରହ୍ମାଣ୍ଡର ଜଣେ ବିଶ୍ୱ ନିୟନ୍ତା ଅଛନ୍ତି ନା  । ବାସ୍ !  ମଣିଷ ଜୀବନରେ ସତ୍  ପଥରେ ଚାଲିବା ପାଇଁ ଗୁରୁ କିମ୍ବା ପରମେଶ୍ୱରଙ୍କ ସାହାରା ନିଏ  । ସିଏ  ଯେ କୌଣସି ଦେବା/ଦେବୀ ହୁଅନ୍ତୁ ନା ? ଏଗୁଡିକ ତ ମଣିଷ ତିଆରି କରିଛି ।
୫. ଆପଣ ବିଶ୍ୱାସ କରୁଥିବା ନିଜର ପ୍ରିୟ  ଇଷ୍ଟଙ୍କୁ ଦର୍ଶନ କରିଛନ୍ତି ?
ଉ- (ହସି ହସି) ଆପଣ ଏମିତି କଥା ପଚାରୁଛନ୍ତି । ଆପଣ କେବେ କୌଣସି ଝିଅକୁ ପ୍ରେମ କରିଛନ୍ତି ନା । ପ୍ରେମରେ ବୁଡି ରହିଲା ବେଳେ, ପ୍ରେମିକା ସ୍ବପ୍ନରେ ଆସେ, ଆଲିଙ୍ଗନ କରେ । ସର୍ବଶେଷରେ ଏହାର ଭାବ ପ୍ରବଣତା ଶାରିରୀକ ସୁଖରେ ପରିଣତ ହୁଏ  । ଯାହାର ସୁଖ କ୍ଷଣିକ ଅଟେ ।ସେଥିରେ ମଣିଷ ପତନଗାମୀ ହୁଏ । କିନ୍ତୁ ଆପଣ ଯେ କୌଣସି ରୂପରେ ପରମେଶ୍ୱଙ୍କୁ ଆରାଧନା କରନ୍ତୁ କି ମନନ କରନ୍ତୁ । ସେ ନିଶ୍ଚୟ ଆପଣଙ୍କୁ ଦେଖାଦେବେ   । କେବଳ ତାଙ୍କ ପ୍ରତି  ପ୍ରଗାଢ ପ୍ରେମ ଆବଶ୍ୟକ । ଧିରେ ଧିରେ ତାଙ୍କର ଉପସ୍ଥିତିକୁ ଅନୁଭବ କରି ପାରିବେ, ଏଥିରେ ସନ୍ଦେହ ନାହିଁ  ।
୬. ଆଜି ଆପଣ କେଉଁଠି ରହିବେ ? ଆସନ୍ତୁ ଆମେ କିଛି ବାଟ ମୋଟର ସାଇକେଲରେ ଯିବା ଆଉ ଟିଫିନ୍ ଟିକେ କରିଦେବା ।
ଉ- ନା ବାବା, ମୁଁ କେବଳ ରାତ୍ରି ଯାପନ  କୌଣସି ମନ୍ଦିରରରେ କରିଥାଏ  ।  କୌଣସି ଜଳଖିଆ ଦୋକାନ କିମ୍ବା ହୋଟେଲରେ ଭୋଜନ କରେ ନାହିଁ ।  ମୋତେ ଆଉ ଦୁଇ କିଲୋ ମିଟର ମଧ୍ୟରେ କୌଣସି ମନ୍ଦିରର ଠିକଣା ଦିଅନ୍ତୁ   । ବାସ୍ ଆଉ କିଛି ଦରକାର ନାହିଁ  ।
  ଏହା ପରେ ମୋ ନିକଟରେ କୌଣସି ବିକଳ୍ପ ନ ଥିଲା ।  ନାଁ ତାଙ୍କୁ ଅଟକାଇ ପାରିବି ନା ଆଉ ଚାଲି ପାରିବି । ପଂଚବଟୀ ନିକଟସ୍ଥ ଏକ ମନ୍ଦିରର ଠିକଣା  ପ୍ରଦାନ କରିବା ସହିତ ବିଦାୟ ଦେଲି  । ନିର୍ବାକ ହୋଇ ଚାହିଁ ରହିଥିଲି, ତାଙ୍କର ପ୍ରସ୍ଥାନକୁ । ପୁଣି ଥରେ ମୋର ହାତ ଯୋଡି  ହୋଇଗଲା  ପରିବ୍ରାଜକ କ୍ରିଷ୍ଣ ଦାସ ଓ ମୋର ପ୍ରିୟ ପରମଙ୍କ ପାଇଁ  । ଅଲକ୍ଷରେ କେଇ ଟୋପା ଲୁହ ଗଡି ପଡିଲା ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...