ଚିଠିରୁ ଫେସବୁକ୍“ହରେକୃଷ୍ଣ ସାହୁ”

 ସାରସ୍ବତ ଜୀବନରେ ଜଣେ ସ୍ରଷ୍ଟା   ପାଠକ ହେବା ଆବଶ୍ୟକ । ସମାଜର କଳାପଟାରେ ଫୁଟି ଉଠୁଥିବା ଘଟଣାଗୁଡିକୁ ପାଠ ନ କଲେ, ଲେଖନୀରେ ରୂପାୟନ ହେବ କିପରି ? ତେବେ ମୁଁ  ଜଣେ ଆଜନ୍ମ ପାଠକଟିଏ ଭାବରେ ବଂଚିବାକୁ ଚାହେଁ  । କଲେଜରେ ପଢିବା ବେଳେ ଜନୈକ ଗୁରୁଜନଙ୍କ ଆଦେଶ କ୍ରମେ ବାଣିଜ୍ୟ ପଢିଲା ବେଳେ, ଆକାଉଂଟିଂର ଲମ୍ବା ଲମ୍ବା ହିସାବ ଫର୍ଦ୍ଦ କଲାବେଳେ, ସାହିତ୍ୟର ପ୍ରେମ ସବୁ ବେଳେ ଆନମନା କରୁଥିଲା । ୧୯୯୪ ମସିହାରେ ପ୍ରାୟତଃ କେତେଟା ଖବର କାଗଜ ଆଉ ସମାଜ/ପ୍ରଜାତନ୍ତ୍ର ସାପ୍ତାହିକୀ  ପଢିବା ପାଇଁ ମିଳୁଥିଲାବେଳେ, ଆମ ଗାଁରେ ପ୍ରାୟ ସେ ସବୁ ପଢିବା ପାଇଁ ସ୍ବପ୍ନ ଥିଲା । ଅଡଶପୁର କଲେଜକୁ ଯିବା ପାଇଁ, ବାଗଲପୁର ଠାରୁ ବସ ଚଢିଲା ବେଳେ ନତୁବା କଲେଜରୁ ଫେରିବା ବେଳେ, ଜଳଖିଆ ଦୋକାନରେ ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ବସ୍ ଆଉ ଟ୍ରେକରକୁ ବସକୁ ଅପେକ୍ଷା  କରିବା ସମୟଗୁଡିକ ଖବର କାଗଜ ପଢିବାରେ କଟିଯାଏ । ସେତେବେଳେ ବାଗଲପୁରରୁ ଅଡଶପୁର ପ୍ରାୟ ଛଅ/ସାତ କିଲୋମିଟର ହୋଇଥିଲା ବେଳେ ଆମ୍ଭକୁ ବସ୍ ଭଡା ୫୦ ପଇସା ଦେବାକୁ ପଡେ । ଏତଦ୍ ବ୍ୟତୀତ ମୋର ସାଙ୍ଗମାନେ କଳା/ ବିଜ୍ଞାନରେ ନାମ ଲେଖାଇ ଥିଲା ସମୟରେ, ମୋର ବାଣିଜ୍ୟ ଥିଲା । କ୍ଲାସ ସମୟ ମଧ୍ୟ ଅଲଗା ଥିଲା । ସେ ସମୟରେ ଆଜିର ଚିଠିରୁ ଫେସବୁକରେ ହରେକୃଷ୍ଣ ସାହୁଙ୍କର ନିବନ୍ଧ ଗୁଡିକ ପଢିବାର ସୁଯୋଗ ପାଉଥିଲି । ମୁଁ  ଆଜି ବିଶ୍ୱାସ କରି ପାରୁନି, ଦୀର୍ଘ  ବର୍ଷ ଅତିକ୍ରାନ୍ତ କଲାପରେ  ୟେ ଚିଠି ପରେ ଫେସବୁକରେ ପୁନଃ ସଂପର୍କ  ।  ଖବର କାଗଜର ସୋସିଆଲ ମେଡିଆରେ ଆଜି ଶ୍ରୀଯୁକ୍ତ ସାହୁଙ୍କର ଲେଖା ପଢିଲାବେଳେ, ଖବରକାଗଜର ମଜା ଆଉ ନାହିଁ । ଅବଶ୍ୟ ଆଜି ଲେଖାଗୁଡିକରେ ପାଠିକା/ପାଠକମାନଙ୍କର ମତାମତ ଦେଖିବାକୁ ମିଳୁଥିଲା ବେଳେ, ଚିଠିର ଆଦାନ ପ୍ରଦାନରେ ଯେଉଁ ଖୁସି, ତାହା ସୋସିଆଲ ମେଡିଆରେ ମିଳେ ନାହିଁ । ତେବେ ଆସନ୍ତୁ ପଢିବା ସେ ଚିଠି... ... ... ...
ମହାଶୟ,
ନମସ୍କାର ନେବେ, ଆପଣଙ୍କ ଚିଠି ପାଇଲି । ଖୁସି ଲାଗିଲା । ଆପଣ ଯେ ମୋର ଲେଖାଟିକୁ ପସନ୍ଦ କରିଛନ୍ତି,ତାହା ମୋ ପାଇଁ ଆନନ୍ଦର କଥା । ଏପରି ପ୍ରଶଂସା ପୂର୍ଣ୍ଣ ଚିଠି ଗୁଡିକୁ ମୁଁ ଛୋଟ ଛୋଟ ମାନପତ୍ର ହିସାବରେ ସମ୍ମାନ ଦେଇ ସାଇତି ରଖେ ।
             ଆପଣ ମୋ ସହିତ ଏକମତ ଅଛନ୍ତି ଏବଂ ଏହି ଭେଦ ଭାବର ସୁକ୍ଷ୍ମତମ ବସ୍ତୁଟିକୁ ଅନୁଭବ କରି ପାରିଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ କଥା । ସମାଜର ଆନ୍ତରିକତା ନାମକ ଅନୁଭବଟି ସଂପୂର୍ଣ୍ଣ ଭାବରେ ଲୋପ ପାଇବା ଅବସ୍ଥାରେ ପହଂଚି ଗଲାଣି । ମନ କଥାଟି ପ୍ରକାଶ କରି ସମବେଦନା ଟିକିଏ ପାଇବା ପାଇଁ ଆଉ ମଣିଷ ମିଳୁ ନାହାନ୍ତି । ଗାଆଁ,ସାହି,ଜାତି,ସୁନ୍ଦର ଅସୁନ୍ଦର, ପାଠକ/ଅପାଠକ ସବୁସ୍ତରରେ ଭିନ୍ନ ଭିନ୍ନ ଗୋଷ୍ଠୀ ତିଆରି ହୋଇଗଲାଣି । ଅର୍ଥାତ ଆମେ ସମସ୍ତେ ଜଣେ ଜଣେ ଏକୁଟିଆ ମଣିଷ । ନିକଟରେ ଥିବା ମଣିଷଟି ଯେ ଆଦୌ ଆମର ପାଖରେ ନାହିଁ, ଏହା ହିଁ ସମାଜର ରିତୀ ହୋଇ ଯାଇଛି । ତେଣୁ ବନ୍ଧୁଟିଏ ପାଇବା ପାଇଁ ଏମିତି ଦୂରକୁ ଦୂରକୁ ହାତ ବଢାଇବା ଏବେ ଆବଶ୍ୟକ ହୋଇ ପଡିଛି । ଆପଣଙ୍କ ସହିତ ସଂପର୍କଟି ସେହିପରି ବନ୍ଧୁତ୍ୱପୂର୍ଣ୍ଣ ବୋଲି ମନେ କରିବେ-ଏହା ହିଁ ଆଶା କରୁଛି ।
              ମୋର ସାରସ୍ବତ ଜୀବନ ବିଷୟରେ ଜାଣିବାକୁ ଚାହିଁଛନ୍ତି । ସେ ବିଷୟରେ ମୁଁ ଲେଖୁଛି । ଆପଣ ମଧ୍ୟ ଆପଣଙ୍କ ବିଷୟରେ ଲେଖି ଜଣାଇବେ । ଗତ ତିନି ବର୍ଷ ଧରି ଧରିତ୍ରୀରେ ଅନିୟମିତ ଭାବରେ ଲେଖୁଛି । ରାଜନୀତି,ସମାଜ ଓ ବ୍ୟକ୍ତିଠାରେ ଥିବା ଅବସ୍ଥାକୁ ସମାଲୋଚନା କରି ନିବନ୍ଧମାନ ଲେଖୁଛି । ଏହା ସହିତ ଅନ୍ୟାନ କେତେ ଗୁଡିଏ ଖବର କାଗଜରେ ଲେଖୁଥିଲି । ଏବେ ଲେଖିପାରୁ ନାହିଁ । କାରଣଟି ହେଲା ପ୍ରାୟତଃ ଖବର କାଗଜଗୁଡିକ କୌଣସି ନା କୌଣସି ରାଜନୈତିକ ଦଳର ମୁଖପତ୍ର ଭଳି ଆଚରଣ ଦେଖାଉଛନ୍ତି । ବରାଦ ଦିଆ ଯାଉଥିବା ଭଳି ଲେଖା ଅଥବା ତାଙ୍କୁ ସୁହାଇଲା ପରି ଲେଖା ସେମାନେ ପ୍ରକାଶ କରିବାକୁ ଚାହାନ୍ତି । ମୁଁ ତାଙ୍କ ନିର୍ଦ୍ଧିତ ଗୁଳାରେ ଏ ପର୍ଯ୍ୟନ୍ତ ପଡି ପାରୁ ନାହିଁ । କାରଣ ତୃଟିଯୁକ୍ତ ପ୍ରତ୍ୟେକ ଘଟଣା, ବ୍ୟକ୍ତି ବା ରାଜନୈତିକ କ୍ରିୟାକଳାପକୁ ମୁଁ ସମାଲୋଚନା କରିଥାଏ । ଖବର କାଗଜମାନଙ୍କର ବ୍ୟବହାର ଭଲ ନ ଲାଗିବାରୁ ଏବେ ସେମାନଙ୍କୁ ଲେଖା ପଠାଇବା ବନ୍ଦ କରି ଦେଇଛି ।
ମୁଁ ଜଣେ ଲେଖକ ବୋଲି ଏ  ପର୍ଯ୍ୟନ୍ତ ଭାବି ପାରି ନାହିଁ । କୌଣସି ଠାରୁ ସ୍ବୀକୃତି ମଧ୍ୟ ପାଇନାହିଁ  । ଲେଖକଟିଏ ହୋଇ ପାରିବି ବୋଲି ଆଶା ମଧ୍ୟ ନାହିଁ  । କେବଳ ମନ ଭିତରକୁ ଭାବନା ଗୁଡିକ ପଶି ଆସୁଥିବାରୁ ମୁଁ ତାକୁ ଉତାରି ପକାଏ । ସେଥିରୁ କିଛି କ୍ଷୁଦ୍ର ଗଳ୍ପ.କିଛି ଲଳିତ ନିବନ୍ଧ ଓ କିଛି ସମାଲୋଚକ ମୂଳକ  ନିବନ୍ଧ ହୋଇଯାଏ ।
୮୫/୮୬ ମସିହାରେ ସ୍ତମ୍ଭକାର ହିସାବରେ ୨/୩ଟି ଖବର କାଗଜରେ ନିବନ୍ଧ ଲେଖୁଥିଲି । ମଝିରେ ୧୦/୧୨ ବର୍ଷ ଧରି ଲେଖା ଲେଖି କରିବାରେ ଅବହେଳା କରିବାରୁ ଆଜି ପଛରେ ପଡି ଯାଇଛି । ଅନାମଧ୍ୟେୟ ଲେଖକର ନିବନ୍ଧଟିଏ ଆପଣଙ୍କୁ ଭଲ ଲାଗିଥିବାରୁ ମୁଁ ଆପଣଙ୍କ ଠାରେ କୃତଜ୍ଞ । ।ଇତି ।
ଆପଣଙ୍କର "ହରେକୃଷ୍ଣ ସାହୁ" ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........