ଗ୍ରାମେ ଗ୍ରାମେ ସଭା କାର୍ଯ୍ୟା,ଗ୍ରାମେ ଗ୍ରାମେ କଥା ଶୁଭା,
ପାଠ ଶାଳା, ମଲ୍ଲ ଶାଳା,ପ୍ରତି ପର୍ବ "ମହୋତ୍ସବ" । ।
ଭାରତ ବର୍ଷର ବିକାଶ ଗ୍ରାମର ବିକାଶରୁ ହିଁ ଆରମ୍ଭ ହୋଇଥାଏ । କିନ୍ତୁ ଗାଆଁର ବିକାଶ କେତେ ଦୂର ଆଗେଇଛି, ଆମ ସମସ୍ତେ ଅବଗତ ଅଛୁ । ଗାଁର ବିକାଶ ପାଇଁ ସରକାରୀ କାର୍ଯ୍ୟ ପ୍ରରିପ୍ରେକ୍ଷୀରେ ଗ୍ରାମ ସଭା ଆଉ ଗ୍ରାମ ପଂଚାୟତରେ ହେଉ ନାହିଁ କିମ୍ବା ଗ୍ରାମର ଉନ୍ନତି ପାଇଁ କୌଣସି ଆଲୋଚନା ମଧ୍ୟ ହେଉ ନାହିଁ।ଗ୍ରାମରେ କୌଣସି ସରକାରୀ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ହେବା ସ୍ଥଳେ ଗାଁଆର କୁଜି ନେତା ଓ ପେଟି କଂଟ୍ରାକ୍ଟରମାନେ କାମ କରୁଛନ୍ତି।ଅଧିକାରୀ ତୁଷ୍ଟିକରଣ ନ୍ୟାୟରେ ପିସି କାରବାର ହେତୁ ଜନ ସାଧାରଣଙ୍କ କାର୍ଯ୍ୟଗୁଡିକ ଅତ୍ୟନ୍ତ ନିମ୍ନ ମାନର ହେଉଅଛି ।
ଦ୍ୱିତୀୟତଃ ଗ୍ରାମରେ କୌଣସି ପ୍ରେରଣାଦାୟୀ କାହାଣୀ କିମ୍ବା କଥାବସ୍ତୁର ଆଲୋଚନା ହେଉ ନାହିଁ । ଗାଁରେ ଆଉ ଟୁଙ୍ଗୀ ଘର ଦେଖିବା ପାଇଁ ମିଳୁ ନାହିଁ । ଅଧୁନା ସମୟରେ ସରକାରୀ ଅନୁଦାନରେ କ୍ଲବ ଘର ଗୁଡିକ ପ୍ରତି ଗାଁରେ ହୋଇଅଛି । ଏମିତି କି ଏବେ ପ୍ରତି ଗାଁର ଗଛ ମୂଳେ ବାଉଁଶ ଭାଡି କରାଯାଇଛି । ଯେଉଁ ଠାରେ ତାସ୍, ମଦ, ଗଂଜେଇ ଏବଂ ନିଶା ପାଉଡରର ଆସର କମି ଯାଉଛି । ଏହା ସହିତ ଅଶ୍ଳୀଳ ଭିଡିଓ ଠାରୁ ଅନେକ ଖରାପ ଖରାପ କଥା ଆଲୋଚନା କରା ଯାଉଛି । ଏପରି କି ଗାଁର ଝିଅ ବୋହୁମାନେ ଅଶ୍ଳୀଳ କଥା ଶୁଣିବା ସହିତ ଅଶ୍ଳୀଳ ଇଙ୍ଗିତରୁ ବାଦ୍ ପଡୁ ନାହାନ୍ତି ।
ତୃତୀୟତଃ ଗାଁରେ ପାଠ ଶାଳା ନାହିଁ । ବିଦ୍ୟାଳୟରେ ପିଲା ପଢୁଛନ୍ତି ସତ୍ୟ, କିନ୍ତୁ ଗୁଣାତ୍ମକ ଶିକ୍ଷା ନାହିଁ । ଗୁରୁ ଶିଷ୍ୟ ପରମ୍ପରା ନାହିଁ । ଗାଁରେ ପାଠାଗାର ନାହିଁ । ଡିଜିଟାଲ ମିଡିଆ ପ୍ଲାଟଫର୍ମର ଆବିର୍ଭାବରେ କେତେ କେତେ ସୁନ୍ଦର ପୁସ୍ତକ ଗୁଡିକ ବିଲୁପ୍ତ ହୋଇଗଲେଣି । ପ୍ରତି ଦିନ ଶହ ଶହ ପୁସ୍ତକ ପ୍ରକାଶିତ ହେଉଛି ସତ୍ୟ, କିନ୍ତୁ ପଢିବା ପାଇଁ ଲୋକ ନାହାନ୍ତି ।
ଚତୁର୍ଥତଃ ଗାଁରେ ବ୍ୟାୟାମଶାଳା ନାହିଁ । କାଁ ଭାଁ ଜିମ୍ ହୋଇଛି ସତ,କିନ୍ତୁ ଅଧୁନା ଯୁବ ସମାଜ ବୀର୍ଯ୍ୟ ହୀନ ହୋଇ ଯାଇଛନ୍ତି । ଜିମ୍ ଗଲେ, ଶରୀର ସୁଗୋଲ ହୋଇଯାଏ । କିନ୍ତୁ ବ୍ରହ୍ମଚର୍ଯ୍ୟ ପାଳନ କଲେ, ସାରା ଜୀବନ ନିରୋଗ ଓ ସୁସ୍ଥ ରହେ, ଯାହା ଆମେ ଭୁଲି ଯାଇଛୁ ।
ପଂଚମତଃ ଅଧୁନା ସମୟରେ ପ୍ରତି ଗ୍ରାମରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରା ଯାଉଛି । କିନ୍ତୁ ପୂର୍ବ ପରି ପର୍ବ ପର୍ବାଣୀରେ ଏକତା ନାହିଁ । ଭାଇଚାରା ନାହିଁ । ଗାଁରେ ପ୍ରତ୍ୟେକ ପର୍ବ ପର୍ବାଣୀ ଏକକ ପର୍ବ ଭାବରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେବା ଆବଶ୍ୟକ । ସମସ୍ତଙ୍କର ସହଭାଗୀତା ରହିବା ଆବଶ୍ୟକ । କିନ୍ତୁ ଗାଁରେ ଆଜି ରାଜନୈତିକ ଦଳ ଗତ ଭିନ୍ନତା , ଜାତି ଗତ ବିଦ୍ୱେଷ,ଆଧୁନିକତା ମନୋଭାବ ଓ ମାନସିକ ସଂକୀର୍ଣ୍ଣତା ଆଦି ପର୍ବ ପର୍ବାଣୀରେ ଲୋକମାନଙ୍କୁ ଅଲଗା କରି ଦେଇଛି । ଯାହାଫଳରେ ପ୍ରତି ଗାଁରେ କୌଣସି ପର୍ବ ମହୋତ୍ସବ ଭାବରେ ପାଳିତ ହେଉ ନାହିଁ । କେହି ଦୁଃଖରେ ପଡିଲେ ଆହା ପଦେ ବାହାରି ଆସୁନି କହିବା ପାଇଁ, ହାତ ବଢାଇଲେ, କାହାର ହାତ ଲମ୍ବି ଆସୁନି ସହଯୋଗ ପାଇଁ । ଆଜି ଆମେ ଆମର ପ୍ରିୟ ବସ୍ତୁ ଗୁଡିକୁ ଉପଭୋଗ କରିବା ଲାଳସାରେ ବସ୍ତୁବାଦୀ ହୋଇ ଯାଇଛୁ । ପରସ୍ପର ଭଲ ପାଇବା ଓ ଶ୍ରଦ୍ଧା କମି ଯାଇଛି ।
ସତରେ ଗ୍ରାମ ସ୍ୱରାଜ୍ୟ ଓ ଗ୍ରାମ ବିକାଶ ଆଜି କେବଳ ରାଜନୀତି ଚାଲ୍ ପ୍ରରିପ୍ରେକ୍ଷୀରେ ଜନତା ତୁଷ୍ଟୀକରଣ ପାଇଁ ୟେ ଶବ୍ଦ ପ୍ରୟୋଗ ବ୍ୟତୀତ ଆଉ କିଛି ନାହିଁ । କିନ୍ତୁ ଉପରୋକ୍ତ ନୀତି ଶ୍ଳୋକର ଜନକ ମହାପୁରୁଷ ମଦନ ମୋହନ ମାଲବୀୟଙ୍କର ଲକ୍ଷ ଆଜି ସ୍ୱପ୍ନରେ ହିଁ ରହି ଯାଇଛି । ସତରେ ଗାଁ ମୋର କଣ ବଦଳିବ ନା ଭାରତ ବର୍ଷର ସ୍ୱର୍ଣ୍ଣିମ ଇତିହାସରେ ନୂଆ କଥା ଲେଖା ହେବ ? ଆଜି ତାଙ୍କର ପବିତ୍ର ଜନ୍ମ ଦିବସରେ ଶତ ଶତ ନମନ ।
