ଭିନ୍ନ ଏକ ରାସନ କାର୍ଡ

ଭିନ୍ନ ଏକ ରାସନ କାର୍ଡ
                       ପ୍ରଶାସନ ସହିତ ଦୀର୍ଘ ତିନି ମାସର ଲଢେଇ ପରେ ନ୍ୟାୟ ମିଳିଲା । ରାସନ କାର୍ଡ ମିଳିଳା  ମାନସିକ ଭିନ୍ନକ୍ଷମ ରିତେଶକୁ  । ତେବେ ଏହା ପଛରେ ଅଛି ଅନେକ ଦୁଃଖଦ କାହାଣୀ  । ଯେ କି, ପ୍ରେମ ବିବାହ ପରେ, ଜଣେ ମାଆ ଏକ ମାନସିକ ଭିନ୍ନକ୍ଷମ ପିଲାକୁ ଜନ୍ମ ଦେଲା ପରେ, ନିଜର ଘର ପାଇଁ ଅଲୋଡା ହୋଇଯାଏ ।  ସ୍ବାର୍ଥ ଲାଳସା ପାଇଁ ତଡି ଦିଆ ଯାଏ ପରିବାରକୁ । ଶେଷରେ ପରିବାର ମାଆ ଘରେ ଆଶ୍ରୟ ନିଅନ୍ତି  XXXXX   ବିଶେଷ ଅନୁରୋଧ , ଯଦି କୌଣସି ଅସହାୟ ପରିବାର ରାସନ କାର୍ଡରୁ ବଂଚିତ ହେଉଛନ୍ତି କିମ୍ବା ତାଙ୍କର ପରିବାରଙ୍କ  ଅନ୍ୟ ସଭ୍ୟମାନେ ରାସନ କାର୍ଡ ସହିତ ଯୋଗ ହୋଇ ନାହାନ୍ତି । ସେମାନେ ଆମ୍ଭ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ  । ବିଶେଷ କରି ସରକାରଙ୍କର ଏକ ଅଜବ ନିୟମ ଅଛି, ନିଜର ମୋବାଇଲ୍ ନମ୍ବର ନ ଥିଲେ, ଅନ୍ ଲାଇନରେ  ପରିବାରର ନୂତନ ସଭ୍ୟମାନେ ଯୋଗ ପାଇଁ ଆବେଦନ କରିପାରିବେ ନାହିଁ  । କାରଣ ଆପଣ ଅନ୍ ଲାଇନରେ ରାସନ କାର୍ଡ ନମ୍ବର  ଦେଲା ପରେ, ଆପଣଙ୍କ ମୋବାଇଲ୍ ନମ୍ବରକୁ ଓଟିପି ଯିବ  ।  ଏହାପରେ ଆପଣ ଆପଣଙ୍କର ଆବଶ୍ୟକ ଅନୁସାରେ, ରାସନ କାର୍ଡ ଡାଉନ୍ ଲୋଡ୍ କରିପାରିବେ, ନୂତନ ସଭ୍ୟ ଯୋଗ କିମ୍ବା ବିୟୋଗ କରିପାରିବେ ଏବଂ ଅନ୍ୟାନ ଅପସନ୍ ମଧ୍ୟ ରହିଅଛି  । କିନ୍ତୁ ଗୋଟେ ମୋବାଇଲ୍ ନ ଥିବା ଅସହାୟ ଲୋକ କରିବ କଣ ? ନିଜର ନୂଆ କାର୍ଡ ହେଉ ବା ନୂଆ ସଭ୍ୟ ଯୋଗ କରିବା ହେଉ, ଯଦି ଡିଲର ଜରିଆରେ କାଗଜାତ ପତ୍ର ଦେଲା, ଏମିତିକି  ଖର୍ଚ୍ଚ/ପାଣି  ଦେଲା,  ତାର କାଗଜାତପତ୍ର ଅଳିଆ ଗଦାରେ ପଡିଲା  । ଏହାସେଙ୍ଗ ସେଙ୍ଗ ଯୋଗାଣ ନିରୀକ୍ଷକା ମହାଶୟା କହିବେ, ଆମର ଟାରଗେଟ୍ ଅଛି  । ଖାଲି ହେଲେ ନୂଆ କାର୍ଡ କିମ୍ବା ନୂତନ ଭାବରେ ଯୋଗ କରି ହେବ  । ତେଣୁ  ଜଣେ ସାମାଜିକକର୍ମୀ ଭାବରେ. ଏମାନଙ୍କ ସହିତ ରୀତିମତ କସରତ କରିବା ପାଇଁ ପଡିଥାଏ । କିନ୍ତୁ ଯେଉଁଠି ଆର୍ଥôକ ସ୍ବଚ୍ଛଳ ବର୍ଗର ଲୋକମାନେ ଗାଡି ଘୋଡା/ କୋଠାଘର ଥାଇ ରାସନ୍ ପାଉଛନ୍ତି,ସେଠାରେ ଗରିବ ଲୋକ ବଂଚିତ ହେବେ କଣ ପାଇଁ ? ବହୁତ ଦୁଃଖ ଲାଗେ, ତୃଣମୂଳ ସ୍ତରରେ ଭୋଟ୍ ବ୍ୟାଙ୍କ ପାଇଁ ରାସନ କାର୍ଡକୁ ଏକ ଗୋଟି ଚାଳନା ଭାବରେ ବ୍ୟବହାର କରାଯାଏ  । ଯଦି କୌଣସି ସ୍ଥାନରେ ବୁଢା/ବୁଢୀ ଦୁଇ ଜଣ କିମ୍ବା ନିରୀହ ଲୋକ ଅଛନ୍ତି, ଏମାନଙ୍କୁ ଏ କ୍ଷେତ୍ରରେ ଅଣଦେଖା କରାଯାଏ  । ଯାହାକି ଅନେକ ଉଦାହରଣ  ସହିତ ମୋର ଅଭିଜ୍ଞତାରୁ  ଲାଭ କରିଅଛି  ।  ହେଲେ  ଏ ସବୁ କଥା ଭଲ ନୁହେଁ  । ଗ୍ରାମାଂଚଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ବିଶେଷତଃ ଦଳିତ ଏବଂ ନୀରିହ ଲୋକମାନଙ୍କ ପରିବାରରେ, ତାଙ୍କର ପିଲାମାନେ ବିବାହ କଲାପରେ   ତାଙ୍କର ଛୁଆ ଜନ୍ମ ହୋଇ ପାଂଚ/ ଛଅ ବର୍ଷ ହେଲା ପରେ ମଧ୍ୟ ରାସନରେ ନୂତନ ସଭ୍ୟ ଭାବରେ , ସ୍ତ୍ରୀ ଓ ପିଲାମାନଙ୍କର ନାମ ଯୋଗ ହୋଇ ପାରି ନାହିଁ  । ଏଥିପାଇଁ ଦାୟୀ କିଏ ? କୁଜି ନେତା, ଡିଲର ନା ଯୋଗାଣ ନିରୀକ୍ଷକ ? କିନ୍ତୁ ନେତାଙ୍କ ହାତ ବାରିସୀ ସାଜିଥିବା କିଛି ପରିବାରଙ୍କର ଲୋକମାନେ ମରିଯାଇଥିବା ସ୍ଥଳେ, ମୃତକ ନାମରେ ରାସନ ସାମଗ୍ରୀ ମିଳିଥାଏ । ।  
 
                ଯଦି କୌଣସି ଅସହାୟ ପରିବାର ନୂତନ ରାସନ କାର୍ଡ/ ନୂତନ ସଭ୍ୟ ଯୋଗ କରିବା ପରିପ୍ରେକ୍ଷୀରେ ଅସୁବିଧା ଅନୁଭବ କରନ୍ତି । ସେମାନେ ଆମ ସହିତ ଯୋଗଯୋଗ କରିବା (ସଂପର୍କ:୯୨୩ ୮୫୮ ୯୧୦୦) ପାଇଁ ଅନୁରୋଧ  ।  ଏହା କେବଳ କଟକ ଜିଲ୍ଲାର କଂଟାପଡା,ନିଆଳୀ ଏବଂ ବାରଙ୍ଗ ବ୍ଲକ୍ ପାଇଁ ପ୍ରଯୁଜ୍ୟ ହେବ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବାପା ଓ ସାଇକେଲ୍

                                 

                                 ଜୀବନରେ ବାଟ ଚାଲୁ ଚାଲୁ, ମଣିଷ କେତେ ବେଳେ ଲହୁ ଲୁହାଣ ହୋଇ ଯାଏ, ସେ ଜାଣି ପାରି ନଥାଏ  ।  ବେଳେ ବେଳେ ସେ ସମୟରେ ଆଶା ବାଡିଟେ ଧରି, ହାତ ବଢାଇ ଦିଅନ୍ତି ଆଉ ଆଶାର ଆଶାସ୍ବନାରେ ଟାଣି ନିଅନ୍ତି ନିଜ ପାଖକୁ  । ନିଜର ତନୁ ମନ୍ତ କ୍ଲାନ୍ତ ଆଉ ଅବଶ ହେଲା ବେଳେ, କାହାର ଅମୃତ  ପରଶ ମଥାପରେ ନୂତନ ଶିହରଣ ସୃଷ୍ଟି କରେ । ସେ ହେଉଛନ୍ତି ବାପା ।  ସେ ଚମ ଧୁଡୁ ହୋଇ ଗାମୁଛାଟେ ପିନ୍ଧୁଥାନ୍ତୁ କି ଲେଂଜେରା ବୋଳା ଆଖିରେ ମୋଟା ଚଷମା ପିନ୍ଧୁଥାନ୍ତୁ, ସେ ସବୁବେଳେ ଆକାଶ ଠାରୁ ବିଶାଳ, ସାଗର ଠାରୁ ଗଭୀର  । ହୃଦୟର କେଉଁ ଅନନ୍ତ ଆକାଶରେ  ଭରି ରହି ଥାଏ, ସନ୍ତାନ ପାଇଁ  କେଉଁ ଅୟୁତ ଯୁଗର ଆତ୍ମୀୟତା ଆଉ ଭଲ ପାଇବା ।  ଜୀବନର ଧୁ ଧୁ ଖରାବେଳେ କେତେବେଳେ ବର ଗଛ ଛାଇଟେ ପରି ହୃଦୟରେ ଶୀତଳତା ଭରି ଦିଅନ୍ତି, ତାହା ଜାଣି ହୁଏ ନାହିଁ  । ସେ ନଥିଲେ ହୃଦୟ ଖିନ୍ ଭିନ୍ ହୋଇଯାଏ । କେଉଁ ଶୂନ୍ୟତା ଆରୋରି ବସେ  । ମନରେ ଶ୍ମଶାନର ନୀରବତା ରାଜ୍ କରେ । ଏହି ଶୂନ୍ୟତା ଅନୁଭବୀ ମଣିଷ ହିଁ ଅନୁଭବ କରେ  ।ସତରେ  ନିଜେ ବାପା ହେବାର ଅନୁଭବରେ ଯେତେ ଖୁସି ନଥାଏ, ପରିଣତ ବୟସରେ ବାପାଙ୍କର ଆଶା ବାଡି ବନିବାରେ ସେତିକି ଖୁସି ଥାଏ । କାହିଁକି କେଜାଣି ଜୀବନର ଉଠାଣି ରାସ୍ତାରେ, ତାଙ୍କ ଭଲ ପାଇବାର ଆଶା ବାଡିକୁ ଧରି ଉଠାଣି ପାର ହୋଇଯାଏ କେତେ ସହଜରେ  । ଏମିତି  ସତ ସତିକା ଉଠାଣି ରାସ୍ତାରେ,  ତାଙ୍କର ହାତ ଧରି ଚାଲିବା ବେଳେ, ନଜର ନ ଥାଏ, ହୁଏତ ଆଉ ସେ ଦିନ ଆମ ପାଇଁ ଅପହଂଚ ହୋଇଯିବ  । ବୟସର ଅପରାହ୍ନରେ ସେଇ ସ୍ମୃତି ଆମକୁ କିଲ୍ ବିଲ୍ କରୁଥିବା ସିନା , ହେଲେ ସେ  ଦିନ ଆଉ ଫେରିବ ନାହିଁ ।
ଏମିତି କେତୋଟି ଦିନ ଆସିଥିଲା ମୋ ପାଇଁ  ।  ଭୁବନେଶ୍ୱରରେ ମ୍ୟାନେଜମେଂଟ୍ ପଢୁଥିଲା ବେଳେ, ପ୍ରତି   ସେମିଷ୍ଟାର୍ ପରେ ମୁଁ  ନୁଆ ପଡା ଜିଲ୍ଲାର କୋମନାକୁ  ଚାଲି ଯାଏ  । ବାପା କୋମନା ଟେଲିଫୋନ୍ ଏକସଚେଂଜର ଫୋନ ମେକାନିକ୍ ଥାନ୍ତି  । ପ୍ରତି  ଥର ଦଶ ବାର ଦିନ ରହିବା ପରେ ମନ ଶାନ୍ତି ଲାଗେ  । ସବୁ ଠାରୁ ଭଲ ଲାଗୁଥିଲା କୋମନା ଏକସଚେଂଜର ସମ୍ମୁଖରେ ପାହାଡ ମାଳା ଗୁଡିକ  ।  ପୁଣି ଅଫିସ ନିକଟରେ ବବୁଲ୍ ,ଶାଗୁଆନ୍ ଆଉ ବଣୁଆ ଗଛର ଛୋଟ ଛୋଟ ବଣ  । ନିକଟରେ ସୁନ୍ଦରା ନଇଟି କୁଳୁ କୁଳୁ ହୋଇ ବହି  ଯାଉଥିଲା । ଖରା  ଦିନେ ନଦୀରେ ବହୁତ କମ୍ ପାଣି ଥାଏ  । କିନ୍ତୁ ବର୍ଷା ଦିନେ ସେତେବେଳେ ସୁନ୍ଦରାରେ ପୋଲ ନ ଥିଲା । ମଟର ଟିଉବରେ ଳୋକମାନେ ନଦୀ ପାର ହୋଇ ଭେଲା ଗ୍ରାମକୁ ଯାଇଥାନ୍ତି  ।  ପାଖରେ ବୁଦୁ ବୁଦୁକିଆ ଜଙ୍ଗଲ । ବେଳେ ବେଳ ବଣୁଆ ଫୁଲ ବାସ୍ନା ମନକୁ ଆନମନା କରିଦିଏ  ।  ଖରା ଦିନେ କୋମନା ଅଫିସରେ ଥିଲା ବେଳେ ବାପା  ରାତି ସାଢେ ଚାରିଟାରୁ ଉଠାଇ ଦିଅନ୍ତି  । ଏକସଚେଂଜର ନାଲି ଆଲୁଅ ଦିକ୍ ଦିକ୍ ହୋଇ ଜଳୁଥାଏ  । ଫରଚା ହୋଇ ଆସୁଥାଏ ଆକାଶ  । ଭେଲାର ଆଦିବାସୀ ବସ୍ତିରୁ ଲୋକ ମାନେ କାଠ କାଟିବା ପାଇଁ କୋମନା ନିକଟରେ ଥିବା ସୁର ନନୀ ପାହାଡକୁ ଚାଲିଯାଆନ୍ତି  ।  ଆଉ କୋମନା ବସ୍ତିରେ ରହୁଥିବା ମହିଳା ମାନେ କାଖରେ ରସ ଗରା ଆଉ ହାତରେ ବାଲଟି ଧରି ବାହାରି ଯାଆନ୍ତି ସୁନ୍ଦରା ନଦୀକୁ  ।   ସେତେବେଳେ ବେଳେ ବେଳେ ହସ ଲାଗେ, ଯେତେବେଳେ ଆଦାବାସୀମାନେ ଏକସଚେଂଜର ନାଲି ଲାଇଟକୁ ଅନାଇ, ଦୁଇ ମିନିଟ୍ ଠିଆ ହୋଇ ଜୁହାର୍ କରନ୍ତି  । ବିଡ୍ ବିଡ୍ ହୋଇ କଣ ଗୁଡେ କଣ ବକି ଯାଆନ୍ତି ,ସେ ହିଁ ଜାଣନ୍ତି । ଦିନେ ଏମିତି ହସୁ ହସୁ, ବାବା ମୋତେ ଗାଳିଦେଇ କହିଲେ, ଏମାନେ ପ୍ରକୃତିର ଉପାସକ  ।  ସୂର୍ଯ୍ୟ ଚନ୍ଦ୍ରକୁ ପୂଜା କରନ୍ତି  । ଶାଳୁଆ ଗଛର ଦନାରେ (ପତ୍ର ଠୋଲା) ଗଛ ମୂଳେ  ଫଳ ମୂଳ ଭୋଗ ଲଗାନ୍ତି  । ତେଣୁ ଏକସଚେଂଜର ଲାଇଟକୁ ଏକ ବୈଦୁ୍ୟତିକ ଶକ୍ତି ଭାବରେ ସେମାନେ ଜୁହାର କରୁଛନ୍ତି । ସେମାନେ ତୋତେ ହସିବା ଦେଖିଲେ, ଖରାପ ଭାବିବେ  ଆଉ ଅଫିସର ବଦନାମ୍ ହେବ । ତେବେ  ଅଫିସ  ପରିସରରେ ଏକ ନଳକୂପ ଓ ପାଇଖାନା ଥିଲେ ମଧ୍ୟ ବାବା ବ୍ୟବହାର କରିବାକୁ ମନା କରି ଦେଉଥିଲେ  । ଭୋର୍ ସକାଳୁ ସାଇକେଲରେ ସୁନ୍ଦରା ନଦୀ କୁ ପ୍ରାତଃ କର୍ମ କରିବା ପାଇଁ ବାବାଙ୍କ ସହିତ ଚାଲି  ଯାଉଥିଲି ।  ଅଫିସ ୍ ଠାରୁ ପ୍ରାୟ ୩୦୦ ମିଟର ଦୂର ହେବ  । ଗଲାବେଳେ ବହୁଡ ଗଡାଣିଆ ରାସ୍ତା । ସାଇକେଲରେ ପେଡାଲ ମାରିବା ପାଇଁ ପ୍ରାୟ ପଡେ ନାହିଁ  । ପ୍ରଥମେ ବାବା ମୋତେ ସାଇକେଲ୍ ଦେଇ, ଆସିଲା ବେଳେ ନିଜେ ଚଲାଇ ଆସିବା ପାଇଁ କୁହନ୍ତି ।  ସୁନ୍ଦରାର କୂଳେ କୂଳେ ବଣୁଆ ଗଛର ବଣୁଆ ଫୁଲଗୁଡିକ ମହ ମହ ବାସ୍ନା ଭାସି ଆସୁଥାଏ  ।  ପ୍ରାୟ ଆଂଠୁଏ ଗଭୀରର ପାଣିକୁ ନେଇ କେଉଁ ପାହାଡ କୋଳରୁ “ସୁନ୍ଦରା” କୁଳୁ କୁଳୁ ହୋଇ ବହି ଚାଲିଥାଏ  । ପ୍ରାୟତଃ ଗାଧୋଇଲା ବେଳେ ବାଲିକୁ ତିନି/ଚାରି ଫୁଟ୍ଖୋଳି  ପାଣିରେ ବସି ମୁଣ୍ଡ ବୁଡାଇ ଗାଧୋଇବା ପାଇଁ ପଡେ  । ହେଲେ ପ୍ରତି ଦିନ ବାବା ତିନି ଚାରି ଫୁଟ ଖୋଳିବା ପରେ ନିଜେ ଗାଧୋଇ ପଡନ୍ତି  । ତା ପରେ ମୋତେ ଶୀଘ୍ର ଗାଧୋଇପଡିବା କୁହନ୍ତି, କାଳେ ସେ ଖାଲଟି ପାଣି ସୁଅରେ ପୋତି ହୋଇଯିବ  । ପରେ ବାବା ଆଗତୁରା ସାଇକେଲ୍   ଧରି ବସିବା ପାଇଁ  କୁହନ୍ତି  ।  ଗଲା ବେଳେ ଉଠାଣି ରାସ୍ତା ହେଲା ବି, ଅକ୍ଳେଶରେ ଏକସଚେଂଜ୍ ପାଖରେ ପହଂଚାଇ ଦେଇଥାନ୍ତି  । କୋଡିଏ ବର୍ଷ ହୋଇଥିଲେ ବି  ମୁଁ ଥିଲି  ତାଙ୍କ ସମ୍ମୂଖରେ ଛୋଟ ପିଲା । ମୁଁ କଣ ସାଇକେଲ୍ ଚଲାଇ ପାରିବି ? 
ବାବା  କୋମନାରେ ଥିଲା ବେଳେ ହରି ହୋଟେଲରେ ଖାଉଥିଲେ । ଦୁଇ ଜଣ ସ୍ବାମୀ ସ୍ତ୍ରୀଙ୍କୁ ନେଇ ହୋଟେଲ  । ନିରାମିଷ ମିଲ୍ ହେଉଥିବାରୁ ବାବା ସେଠାରେ ଦୁଇ ବେଳା ଖାଉଥିଲେ । ଏକସଚେଂଜ୍ ଠୁ ଏକ କିଲୋମିଟରରୁ କମ୍ ହେବ  । ପ୍ରାୟତଃ ପାହାଡିଆ ଅଂଚଳରେ ଗଡାଣି/ଉଠାଣି ରାସ୍ତା ଥାଏ । ହେଲେ ଗଲା ବେଳେ ପୂର୍ବ ପରି, ଉଠାଣି ରାସ୍ତାରେ ନିଜେ ସାଇକେଲ ଧରି ମୋତେ ବସିବା ପାଇଁ କହି ଏକସଚେଂଜ୍ ରୁ ବାହାରି ଯାଆନ୍ତି  । ପୂର୍ବ ପରି “ହେ ତୁ ଛୋଟ ପିଲା, ଚଲାଇ ପାରିବୁ ନାହିଁ  । ଆସିଲା ବେଳେ ଚଲାଇବୁ, ମୁଁ ବସିବି ।  ତୁ କଣ ଉଠାଣିଆ ରାସ୍ତାରେ ଚଲାଇ ପାରିବୁ । ମୁଁ ଏଠି ଅଭ୍ୟାସରେ ପଡି ଗଲିଣି” । କିନ୍ତୁ ଖାଇ ସାରି ଆସିବା ବେେଳେ, ମୁଁ ବିନା ପେଡାଲରେ ସାଇକେଲ୍ ଚଲାଇବା ବେଳେ,  ବାବାଙ୍କ  ମୁହଁରେ ପରିତୃପ୍ତ ହସଟିଏ ଝଟକୁ ଥାଏ । ଯେଉଁ ହସର ଅର୍ଥ ବୁଝିବା, ମୋତେ ଅସହଜ ହୋଇଯାଏ  । ଉଠାଣିଆ ରାସ୍ତାରେ ଧଇଁ ସଇଁ ହୋଇ ସାଇକେଲ୍ ଚଲାଇବାର ଯନ୍ତ୍ରଣା ମଧ୍ୟରେ ପିଲାମାନଙ୍କୁ ଖୁସି ପ୍ରଦାନ କରିବାରେ ବାପାଙ୍କର ଭୁମିକା,ସେତେବେଳେ ଆମ ପାଇଁ  ଏକ ଅବ୍ୟକ୍ତ ଅନୁଭବ ଥିଲା । କିନ୍ତୁ ଗଡାଣିଆ ରାସ୍ତାରେ ଫୁଲ୍ ଦମରେ ଆସିଲା ବେଳେ, ନିଜର ଖୁସି ଅପେକ୍ଷା, ଆଜି ନିଜର ପରିଣତ ବୟସର  ଉଠାଣିଆ ରାସ୍ତାରେ ବାପା ବୋହିବାର  କଷ୍ଟ ପଛରେ ସତରେ କେତେ ଅମାପ ଭଲ ପାଇବା ଥିଲା, ତାହା  ମୋ ପାଇଁ ଅବୁଝା ହୋଇ ରହିଗଲା । ପୁଣି ମୁଁ ଛୋଟ ପିଲା ହୋଇ ରହିଗଲି । ଆଜି ବି ଘରର ପ୍ରତ୍ୟେକ କାମରେ, ଛୋଟ ପିଲା ବୋଲି ଛୋଟ ହୋଇ ଯାଏ ସିନା, ହେଲେ ବାବା ସବୁବେଳେ ବଡ ହୋଇ ନିଜର ହୃଦୟକୁ ବଡ ଆଉ ବିଶାଳ କରି ଦିଅନ୍ତି  । ତାଙ୍କରି ଭିତରେ ହଜି ଯିବାର ଅବ୍ୟକ୍ତ ଅନୁଭବକୁ ହାତ ପାପୁଲିରେ ଚାପି ଧରିବା ବେଳେ, ନିଜେ ବାପା ହେଲା ବେଳେ ସେ ସୁଖ ନ ଥାଏ  । ଇଚ୍ଛା ହୁଏ, ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା ନାହିଁ, ବାପାଙ୍କ କାନ୍ଧରେ ବସି, ଦଶ ପଇସାର ଆଇସ କ୍ରିମ୍ ଖାଇବାର ସ୍ମୃତିକୁ ଛାତିରେ ଧରି ବସିଲେ,ଖାଲି ଦୀର୍ଘ ଶ୍ୱାସ ବ୍ୟତୀତ ଆଉ କିଛି ମିଳେ ନାହିଁ  ।  ସତରେ କୁଆଡେ ଗଲା ସେ ଦିନ ସବୁ  । 
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସତେ ଚୁମିବି ତବ ଚରଣ !

ସତେ ଚୁମିବି ତବ  ଚରଣ !
ମାଧବାନନ୍ଦ ଭୋଇ
କେହି ପଢୁ ବା ନ ପଢୁ ମୋ ମନର କବିତା,
 ତୁମେ, ନିତି ପ୍ରିୟତମ ପଢୁଛ,
ସପନେ ଆସୁଛ, ଗୋପନେ ଲୁଚିଛ
କାହିଁ ମୋତେ  ହଟ ହଟା କରୁଛ । ।
 କେତେ ଜନମର ବନ୍ଧନ  ବିତିଛି ତୁମ ପାଇଁ,
 ଏ ଜନମେ ତୁମକୁ ଖୋଜୁଛି,
ନୁହେଁ ମୁଁ କି ଯୋଗ୍ୟ, କାହିଁ  ମୋର ଭାଗ୍ୟ,
 ମଥା ପରେ  କର  ପିଟୁଛି । ।
ଅନ୍ତର ଯାମୀ, ମୋ ଅନ୍ତର କଥା ପାରୁନ କି ଜାଣି;
 ଦଗା ଦିଆ, ମିଛୁଆ ନାଗର,
ଭାବ ଅଶ୍ରୁ ନୀର,ବହେ ଝର ଝର;
କାହିଁ ଗଲ କୃପା ସାଗର ।
ଚାଟୁକାର କଥା  ଲୋଡା କି ହୋଇବ,  ବୃଥା ତୁମ ବିନା
ଝୁରେ ତବ ମଧୁ ପ୍ରେମ,
 ଆଖିରେ ଆଖିରେ  ରୁହ ତୁମେ  ଲାଖି,
 ସତେ ଚୁମିବି ତବ  ଚରଣ !


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

Welcome to Digital Tele Medicine Services

Welcome to Digital Tele Medicine Services
Get Free Health Check up Services. Also Get Tele Medicine & Different Health Check up Like Blood Pressure, Blood Sugar, Temperature, Weight, Pulse Rate, Oxygen Level & Hemoglobin Level at your Door Step *. Also Get Free Homeopathic Medicine For Cold,Fever & Immunity Power Here,
* Conditions Apply.

• ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଟେଲି ମେଡିସିନ୍ (ଭିଡିଓ କଲିଂ/ଫୋନ୍ କଲିଂ) ମାଧ୍ୟମରେ ବିଭିନ୍ନ ରୋଗର ଚିକିତ୍ସା କରାଯାଏ ।
• ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ କୋଭିଡ୍ ନିରାକରଣ/ ଥଣ୍ଡା/କାଶ ଏବଂ ଶରୀର ପ୍ରତିରୋଧକ ଶକ୍ତି ପାଇଁ ମାଗଣାରେ ହୋମିଓପ୍ୟାଥିକ୍ ଔଷଧ ପ୍ରଦାନ କରାଯାଏ ।
• ମହାମାରୀ କୋଭିଡ୍ ପ୍ରରିପ୍ରେକ୍ଷୀରେ ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ ଗରିବ ଲୋକଙ୍କ ପାଇଁ ମାଗଣାରେ ଅମ୍ଳଜାନ ପରୀକ୍ଷା, ରକ୍ତଚାପ ପରୀକ୍ଷା ଏବଂ ଶରୀର ତାପମାନ ପରୀକ୍ଷା କରାଯାଏ ।
• ମହାମାରୀ କୋଭିଡ୍ ପ୍ରରିପ୍ରେକ୍ଷୀରେ ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ ଜନ ସାଧାରଣଙ୍କ ପାଇଁ ମାଗଣାରେ କୋଭିଡ୍ ଟୀକା ପଂଜୀକରଣ କରାଯାଏ ।
• ଆମର କେନ୍ଦ୍ର ଆନୁକୁଲ୍ୟରେ ଉପରୋକ୍ତ ପରୀକ୍ଷା ପାଇଁ ଆପଣଙ୍କ ଘରେ ପହଂଚି ସେବା ପ୍ରଦାନ କରିବାର ବ୍ୟବସ୍ଥା ରହିଅଛି ।
•ଆମର ସଙ୍ଗଠନ ଆନୁକୂଲ୍ୟରେ ମୃତୁ୍ୟପରେ ଅଙ୍ଗ ଦାନ ପଂଜୀକରଣ କରାଯାଏ ।
• ଆମର ଜନ ସେବା କେନ୍ଦ୍ର,ଭୋଦଳ ଏବଂ ଉଦୟ ଭାନୁ ସାହିତ୍ୟ ସଂଗଠନ ଆନୁକୁଳ୍ୟରେ ,ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା ଶିବିର ପାଇଁ ଯୋଗାଯୋଗ କରିବା ପାଇଁ ଅନୁରୋଧ ।
https://www.facebook.com/photo.php?fbid=4460227234034600&set=a.2407374105986600&type=3&notif_id=1623853166285972&notif_t=feedback_reaction_generic&ref=notif


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସତେ ପ୍ରିୟ ତୁମେ ଆସିବ

ଜୀବନରେ ପରିପୂର୍ଣ୍ଣତା ପାଇଁ  ମଣିଷକୁ ପାରିବାରିକ ଜୀବନ, ସାମାଜିକ ଜୀବନ  ଓ  ଆଧ୍ୟାତ୍ମିକ ଜୀବନ ନିର୍ବାହ କରିବା ପାଇଁ ପଡିଥାଏ ।   ତେବେ ଜୀବନରେ ନାରୀର ପ୍ରେମ ପ୍ରଥମେ ଆକର୍ଷଣରୁ ଆରମ୍ଭ ହୋଇ ଶାରିରୀକ ସଂପର୍କରେ ଶେଷ ହୋଇଯାଏ । ଏହା କଣ ଜୀବନର ବାସ୍ତବତା ? ଜୀବନରେ ପ୍ରେମର ଅୟମାରମ୍ଭ, ବିଶ୍ୱ ନିୟନ୍ତାଙ୍କ ପାଇଁ ଆରମ୍ଭ ହୋଇ ପାରଲୌକିକ ସଂପର୍କରେ ଶେଷ ହେଉ ।  ପ୍ରାଣରେ ବ୍ୟାକୁଳତା ଆସୁ । ହୃଦୟରେ ବିରହ ବେଦନା ସୃଷ୍ଟି ହେଉ ତାଙ୍କରି ପାଇଁ  । ପ୍ରିୟତମଙ୍କ ପାଇଁ  ହେଉ ଶତ ଶତ ପ୍ରତୀକ୍ଷା  । ଆଜି ଏହି ପରିପ୍ରେକ୍ଷୀରେ ମୋର କବିତା ସତେ ପ୍ରିୟ ତୁମେ ଆସିବ । ପ୍ରିୟ ପାଠିକା/ପାଠକମାନେ କବିତାକୁ ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ସତେ ପ୍ରିୟ ତୁମେ ଆସିବ,
ଚାତକିନୀ ପ୍ରାଣ ରହିଛି ଅନାଇଁ,
ତୁମରି ପରଶ ଲଭିବ, ସତେ ପ୍ରିୟ ତୁମେ ଆସିବ । ।
 ଜନମ ଜନମ ହୋଇ ମୁଁ ପିଆସୀ,
ପ୍ରେମ ଅଶ୍ରୁ ନୀର, ଝରାଉଛି ବସି,
ନିଶି ଯାଏ ପାହି,ତୁମେ ଆସ ନାହିଁ,
କେତେ ଯେ ପ୍ରତୀକ୍ଷା ବିତିବ,ସତେ ପ୍ରିୟ...  । ।
 ସନ୍ତାପିତ ପ୍ରାଣ, ହୃଦ ତନ୍ତ୍ରୀ ଝୁରେ,
ଅନାହତ ବଂଶୀ ବାଜୁଛି ଶୂନ୍ୟରେ ।
ଉଚ୍ଚାଟିତ ପ୍ରାଣ, କରେ ସମ୍ମୋହନ,
 କେତେ ମନ ଆଉ ଝୁରିବ ;ସତେ ପ୍ରିୟ... । ।
  ବିରହ ବେଦନା କରେ ଆନମନା,
 ଝରୁଛି ରୁଧିର, ବଢୁଛି ଯାତନା,
 ନକର ନିରାଶ, ଆହେ ପ୍ରାଣ ନାଥ,
 କୃପାନେତ୍ରେ ଥରେ ଚାହିଁବ, ସତେ ପ୍ରିୟ... । ।
ହୃଦ ସିଂହାସନ, ପଡିଅଛି ଶୂନ୍ୟ,
ଭବ ମାୟା ଜାଲେ, ଜଳ ବିନେ ମୀନ,
ଜୀବନ ପାତ୍ର ମୋ, କରିଦିଅ ପୂର୍ଣ୍ଣ,
ତୁମରି ଆଶୀଷ ଲଭିବ, ସତେ ପ୍ରିୟ... । ।
ସାଧାରଣ ସଂପାଦକ:ଉଦୟ ଭାନୁ,
ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...