ବାପା ଓ ସାଇକେଲ୍

                                 

                                 ଜୀବନରେ ବାଟ ଚାଲୁ ଚାଲୁ, ମଣିଷ କେତେ ବେଳେ ଲହୁ ଲୁହାଣ ହୋଇ ଯାଏ, ସେ ଜାଣି ପାରି ନଥାଏ  ।  ବେଳେ ବେଳେ ସେ ସମୟରେ ଆଶା ବାଡିଟେ ଧରି, ହାତ ବଢାଇ ଦିଅନ୍ତି ଆଉ ଆଶାର ଆଶାସ୍ବନାରେ ଟାଣି ନିଅନ୍ତି ନିଜ ପାଖକୁ  । ନିଜର ତନୁ ମନ୍ତ କ୍ଲାନ୍ତ ଆଉ ଅବଶ ହେଲା ବେଳେ, କାହାର ଅମୃତ  ପରଶ ମଥାପରେ ନୂତନ ଶିହରଣ ସୃଷ୍ଟି କରେ । ସେ ହେଉଛନ୍ତି ବାପା ।  ସେ ଚମ ଧୁଡୁ ହୋଇ ଗାମୁଛାଟେ ପିନ୍ଧୁଥାନ୍ତୁ କି ଲେଂଜେରା ବୋଳା ଆଖିରେ ମୋଟା ଚଷମା ପିନ୍ଧୁଥାନ୍ତୁ, ସେ ସବୁବେଳେ ଆକାଶ ଠାରୁ ବିଶାଳ, ସାଗର ଠାରୁ ଗଭୀର  । ହୃଦୟର କେଉଁ ଅନନ୍ତ ଆକାଶରେ  ଭରି ରହି ଥାଏ, ସନ୍ତାନ ପାଇଁ  କେଉଁ ଅୟୁତ ଯୁଗର ଆତ୍ମୀୟତା ଆଉ ଭଲ ପାଇବା ।  ଜୀବନର ଧୁ ଧୁ ଖରାବେଳେ କେତେବେଳେ ବର ଗଛ ଛାଇଟେ ପରି ହୃଦୟରେ ଶୀତଳତା ଭରି ଦିଅନ୍ତି, ତାହା ଜାଣି ହୁଏ ନାହିଁ  । ସେ ନଥିଲେ ହୃଦୟ ଖିନ୍ ଭିନ୍ ହୋଇଯାଏ । କେଉଁ ଶୂନ୍ୟତା ଆରୋରି ବସେ  । ମନରେ ଶ୍ମଶାନର ନୀରବତା ରାଜ୍ କରେ । ଏହି ଶୂନ୍ୟତା ଅନୁଭବୀ ମଣିଷ ହିଁ ଅନୁଭବ କରେ  ।ସତରେ  ନିଜେ ବାପା ହେବାର ଅନୁଭବରେ ଯେତେ ଖୁସି ନଥାଏ, ପରିଣତ ବୟସରେ ବାପାଙ୍କର ଆଶା ବାଡି ବନିବାରେ ସେତିକି ଖୁସି ଥାଏ । କାହିଁକି କେଜାଣି ଜୀବନର ଉଠାଣି ରାସ୍ତାରେ, ତାଙ୍କ ଭଲ ପାଇବାର ଆଶା ବାଡିକୁ ଧରି ଉଠାଣି ପାର ହୋଇଯାଏ କେତେ ସହଜରେ  । ଏମିତି  ସତ ସତିକା ଉଠାଣି ରାସ୍ତାରେ,  ତାଙ୍କର ହାତ ଧରି ଚାଲିବା ବେଳେ, ନଜର ନ ଥାଏ, ହୁଏତ ଆଉ ସେ ଦିନ ଆମ ପାଇଁ ଅପହଂଚ ହୋଇଯିବ  । ବୟସର ଅପରାହ୍ନରେ ସେଇ ସ୍ମୃତି ଆମକୁ କିଲ୍ ବିଲ୍ କରୁଥିବା ସିନା , ହେଲେ ସେ  ଦିନ ଆଉ ଫେରିବ ନାହିଁ ।
ଏମିତି କେତୋଟି ଦିନ ଆସିଥିଲା ମୋ ପାଇଁ  ।  ଭୁବନେଶ୍ୱରରେ ମ୍ୟାନେଜମେଂଟ୍ ପଢୁଥିଲା ବେଳେ, ପ୍ରତି   ସେମିଷ୍ଟାର୍ ପରେ ମୁଁ  ନୁଆ ପଡା ଜିଲ୍ଲାର କୋମନାକୁ  ଚାଲି ଯାଏ  । ବାପା କୋମନା ଟେଲିଫୋନ୍ ଏକସଚେଂଜର ଫୋନ ମେକାନିକ୍ ଥାନ୍ତି  । ପ୍ରତି  ଥର ଦଶ ବାର ଦିନ ରହିବା ପରେ ମନ ଶାନ୍ତି ଲାଗେ  । ସବୁ ଠାରୁ ଭଲ ଲାଗୁଥିଲା କୋମନା ଏକସଚେଂଜର ସମ୍ମୁଖରେ ପାହାଡ ମାଳା ଗୁଡିକ  ।  ପୁଣି ଅଫିସ ନିକଟରେ ବବୁଲ୍ ,ଶାଗୁଆନ୍ ଆଉ ବଣୁଆ ଗଛର ଛୋଟ ଛୋଟ ବଣ  । ନିକଟରେ ସୁନ୍ଦରା ନଇଟି କୁଳୁ କୁଳୁ ହୋଇ ବହି  ଯାଉଥିଲା । ଖରା  ଦିନେ ନଦୀରେ ବହୁତ କମ୍ ପାଣି ଥାଏ  । କିନ୍ତୁ ବର୍ଷା ଦିନେ ସେତେବେଳେ ସୁନ୍ଦରାରେ ପୋଲ ନ ଥିଲା । ମଟର ଟିଉବରେ ଳୋକମାନେ ନଦୀ ପାର ହୋଇ ଭେଲା ଗ୍ରାମକୁ ଯାଇଥାନ୍ତି  ।  ପାଖରେ ବୁଦୁ ବୁଦୁକିଆ ଜଙ୍ଗଲ । ବେଳେ ବେଳ ବଣୁଆ ଫୁଲ ବାସ୍ନା ମନକୁ ଆନମନା କରିଦିଏ  ।  ଖରା ଦିନେ କୋମନା ଅଫିସରେ ଥିଲା ବେଳେ ବାପା  ରାତି ସାଢେ ଚାରିଟାରୁ ଉଠାଇ ଦିଅନ୍ତି  । ଏକସଚେଂଜର ନାଲି ଆଲୁଅ ଦିକ୍ ଦିକ୍ ହୋଇ ଜଳୁଥାଏ  । ଫରଚା ହୋଇ ଆସୁଥାଏ ଆକାଶ  । ଭେଲାର ଆଦିବାସୀ ବସ୍ତିରୁ ଲୋକ ମାନେ କାଠ କାଟିବା ପାଇଁ କୋମନା ନିକଟରେ ଥିବା ସୁର ନନୀ ପାହାଡକୁ ଚାଲିଯାଆନ୍ତି  ।  ଆଉ କୋମନା ବସ୍ତିରେ ରହୁଥିବା ମହିଳା ମାନେ କାଖରେ ରସ ଗରା ଆଉ ହାତରେ ବାଲଟି ଧରି ବାହାରି ଯାଆନ୍ତି ସୁନ୍ଦରା ନଦୀକୁ  ।   ସେତେବେଳେ ବେଳେ ବେଳେ ହସ ଲାଗେ, ଯେତେବେଳେ ଆଦାବାସୀମାନେ ଏକସଚେଂଜର ନାଲି ଲାଇଟକୁ ଅନାଇ, ଦୁଇ ମିନିଟ୍ ଠିଆ ହୋଇ ଜୁହାର୍ କରନ୍ତି  । ବିଡ୍ ବିଡ୍ ହୋଇ କଣ ଗୁଡେ କଣ ବକି ଯାଆନ୍ତି ,ସେ ହିଁ ଜାଣନ୍ତି । ଦିନେ ଏମିତି ହସୁ ହସୁ, ବାବା ମୋତେ ଗାଳିଦେଇ କହିଲେ, ଏମାନେ ପ୍ରକୃତିର ଉପାସକ  ।  ସୂର୍ଯ୍ୟ ଚନ୍ଦ୍ରକୁ ପୂଜା କରନ୍ତି  । ଶାଳୁଆ ଗଛର ଦନାରେ (ପତ୍ର ଠୋଲା) ଗଛ ମୂଳେ  ଫଳ ମୂଳ ଭୋଗ ଲଗାନ୍ତି  । ତେଣୁ ଏକସଚେଂଜର ଲାଇଟକୁ ଏକ ବୈଦୁ୍ୟତିକ ଶକ୍ତି ଭାବରେ ସେମାନେ ଜୁହାର କରୁଛନ୍ତି । ସେମାନେ ତୋତେ ହସିବା ଦେଖିଲେ, ଖରାପ ଭାବିବେ  ଆଉ ଅଫିସର ବଦନାମ୍ ହେବ । ତେବେ  ଅଫିସ  ପରିସରରେ ଏକ ନଳକୂପ ଓ ପାଇଖାନା ଥିଲେ ମଧ୍ୟ ବାବା ବ୍ୟବହାର କରିବାକୁ ମନା କରି ଦେଉଥିଲେ  । ଭୋର୍ ସକାଳୁ ସାଇକେଲରେ ସୁନ୍ଦରା ନଦୀ କୁ ପ୍ରାତଃ କର୍ମ କରିବା ପାଇଁ ବାବାଙ୍କ ସହିତ ଚାଲି  ଯାଉଥିଲି ।  ଅଫିସ ୍ ଠାରୁ ପ୍ରାୟ ୩୦୦ ମିଟର ଦୂର ହେବ  । ଗଲାବେଳେ ବହୁଡ ଗଡାଣିଆ ରାସ୍ତା । ସାଇକେଲରେ ପେଡାଲ ମାରିବା ପାଇଁ ପ୍ରାୟ ପଡେ ନାହିଁ  । ପ୍ରଥମେ ବାବା ମୋତେ ସାଇକେଲ୍ ଦେଇ, ଆସିଲା ବେଳେ ନିଜେ ଚଲାଇ ଆସିବା ପାଇଁ କୁହନ୍ତି ।  ସୁନ୍ଦରାର କୂଳେ କୂଳେ ବଣୁଆ ଗଛର ବଣୁଆ ଫୁଲଗୁଡିକ ମହ ମହ ବାସ୍ନା ଭାସି ଆସୁଥାଏ  ।  ପ୍ରାୟ ଆଂଠୁଏ ଗଭୀରର ପାଣିକୁ ନେଇ କେଉଁ ପାହାଡ କୋଳରୁ “ସୁନ୍ଦରା” କୁଳୁ କୁଳୁ ହୋଇ ବହି ଚାଲିଥାଏ  । ପ୍ରାୟତଃ ଗାଧୋଇଲା ବେଳେ ବାଲିକୁ ତିନି/ଚାରି ଫୁଟ୍ଖୋଳି  ପାଣିରେ ବସି ମୁଣ୍ଡ ବୁଡାଇ ଗାଧୋଇବା ପାଇଁ ପଡେ  । ହେଲେ ପ୍ରତି ଦିନ ବାବା ତିନି ଚାରି ଫୁଟ ଖୋଳିବା ପରେ ନିଜେ ଗାଧୋଇ ପଡନ୍ତି  । ତା ପରେ ମୋତେ ଶୀଘ୍ର ଗାଧୋଇପଡିବା କୁହନ୍ତି, କାଳେ ସେ ଖାଲଟି ପାଣି ସୁଅରେ ପୋତି ହୋଇଯିବ  । ପରେ ବାବା ଆଗତୁରା ସାଇକେଲ୍   ଧରି ବସିବା ପାଇଁ  କୁହନ୍ତି  ।  ଗଲା ବେଳେ ଉଠାଣି ରାସ୍ତା ହେଲା ବି, ଅକ୍ଳେଶରେ ଏକସଚେଂଜ୍ ପାଖରେ ପହଂଚାଇ ଦେଇଥାନ୍ତି  । କୋଡିଏ ବର୍ଷ ହୋଇଥିଲେ ବି  ମୁଁ ଥିଲି  ତାଙ୍କ ସମ୍ମୂଖରେ ଛୋଟ ପିଲା । ମୁଁ କଣ ସାଇକେଲ୍ ଚଲାଇ ପାରିବି ? 
ବାବା  କୋମନାରେ ଥିଲା ବେଳେ ହରି ହୋଟେଲରେ ଖାଉଥିଲେ । ଦୁଇ ଜଣ ସ୍ବାମୀ ସ୍ତ୍ରୀଙ୍କୁ ନେଇ ହୋଟେଲ  । ନିରାମିଷ ମିଲ୍ ହେଉଥିବାରୁ ବାବା ସେଠାରେ ଦୁଇ ବେଳା ଖାଉଥିଲେ । ଏକସଚେଂଜ୍ ଠୁ ଏକ କିଲୋମିଟରରୁ କମ୍ ହେବ  । ପ୍ରାୟତଃ ପାହାଡିଆ ଅଂଚଳରେ ଗଡାଣି/ଉଠାଣି ରାସ୍ତା ଥାଏ । ହେଲେ ଗଲା ବେଳେ ପୂର୍ବ ପରି, ଉଠାଣି ରାସ୍ତାରେ ନିଜେ ସାଇକେଲ ଧରି ମୋତେ ବସିବା ପାଇଁ କହି ଏକସଚେଂଜ୍ ରୁ ବାହାରି ଯାଆନ୍ତି  । ପୂର୍ବ ପରି “ହେ ତୁ ଛୋଟ ପିଲା, ଚଲାଇ ପାରିବୁ ନାହିଁ  । ଆସିଲା ବେଳେ ଚଲାଇବୁ, ମୁଁ ବସିବି ।  ତୁ କଣ ଉଠାଣିଆ ରାସ୍ତାରେ ଚଲାଇ ପାରିବୁ । ମୁଁ ଏଠି ଅଭ୍ୟାସରେ ପଡି ଗଲିଣି” । କିନ୍ତୁ ଖାଇ ସାରି ଆସିବା ବେେଳେ, ମୁଁ ବିନା ପେଡାଲରେ ସାଇକେଲ୍ ଚଲାଇବା ବେଳେ,  ବାବାଙ୍କ  ମୁହଁରେ ପରିତୃପ୍ତ ହସଟିଏ ଝଟକୁ ଥାଏ । ଯେଉଁ ହସର ଅର୍ଥ ବୁଝିବା, ମୋତେ ଅସହଜ ହୋଇଯାଏ  । ଉଠାଣିଆ ରାସ୍ତାରେ ଧଇଁ ସଇଁ ହୋଇ ସାଇକେଲ୍ ଚଲାଇବାର ଯନ୍ତ୍ରଣା ମଧ୍ୟରେ ପିଲାମାନଙ୍କୁ ଖୁସି ପ୍ରଦାନ କରିବାରେ ବାପାଙ୍କର ଭୁମିକା,ସେତେବେଳେ ଆମ ପାଇଁ  ଏକ ଅବ୍ୟକ୍ତ ଅନୁଭବ ଥିଲା । କିନ୍ତୁ ଗଡାଣିଆ ରାସ୍ତାରେ ଫୁଲ୍ ଦମରେ ଆସିଲା ବେଳେ, ନିଜର ଖୁସି ଅପେକ୍ଷା, ଆଜି ନିଜର ପରିଣତ ବୟସର  ଉଠାଣିଆ ରାସ୍ତାରେ ବାପା ବୋହିବାର  କଷ୍ଟ ପଛରେ ସତରେ କେତେ ଅମାପ ଭଲ ପାଇବା ଥିଲା, ତାହା  ମୋ ପାଇଁ ଅବୁଝା ହୋଇ ରହିଗଲା । ପୁଣି ମୁଁ ଛୋଟ ପିଲା ହୋଇ ରହିଗଲି । ଆଜି ବି ଘରର ପ୍ରତ୍ୟେକ କାମରେ, ଛୋଟ ପିଲା ବୋଲି ଛୋଟ ହୋଇ ଯାଏ ସିନା, ହେଲେ ବାବା ସବୁବେଳେ ବଡ ହୋଇ ନିଜର ହୃଦୟକୁ ବଡ ଆଉ ବିଶାଳ କରି ଦିଅନ୍ତି  । ତାଙ୍କରି ଭିତରେ ହଜି ଯିବାର ଅବ୍ୟକ୍ତ ଅନୁଭବକୁ ହାତ ପାପୁଲିରେ ଚାପି ଧରିବା ବେଳେ, ନିଜେ ବାପା ହେଲା ବେଳେ ସେ ସୁଖ ନ ଥାଏ  । ଇଚ୍ଛା ହୁଏ, ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା ନାହିଁ, ବାପାଙ୍କ କାନ୍ଧରେ ବସି, ଦଶ ପଇସାର ଆଇସ କ୍ରିମ୍ ଖାଇବାର ସ୍ମୃତିକୁ ଛାତିରେ ଧରି ବସିଲେ,ଖାଲି ଦୀର୍ଘ ଶ୍ୱାସ ବ୍ୟତୀତ ଆଉ କିଛି ମିଳେ ନାହିଁ  ।  ସତରେ କୁଆଡେ ଗଲା ସେ ଦିନ ସବୁ  । 
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........