ଦେଶ ଆଜି ମୋର ବଦଳୁଛି

କିଏ କହେ ଦେଶ ବଦଳୁଛି,
ତେଲିଆ ମୁଣ୍ଡରେ ତେଲ ଢଳା ଚାଲେ,
ଚଉଦ ପୁରୁଷକୁ  ନେତା ସମ୍ପତ୍ତି ରଖିଲେ,
ଟିକସ ବସାଇ,ଗରିବର ତଣ୍ଟି ନିଇତି ଚିପି,
ଘର ବୁଡି ପାଣି ଆଣ୍ଠୁଏ ହେଲାଣି,
କଣା କହେ ମେଘ ଦୁଲୁକୁଛି।।
ମୁଁ ଦୁଃଖୀ ଜନ ସେବା କରୁଅଛି।।
ମାଗଣା ଯୋଜନା କୁଜି ପାଉଅଛି,
ଲାଜ ଲୁଚେ ନାହି,ଲୁଗା ଖଣ୍ଡେ ପାଇଁ,
ଟଙ୍କେ ଚାଉଳରେ,ଭାଗ୍ୟ ବଦଳେ ନି।
ବାର୍ଦ୍ଧକ୍ୟ ଭତ୍ତାରେ ଜୀବନ ମିଳେ ନି,
ଜୀବନର ନଇରେ,କୁଟା ଖିଆ ପରି
ଭୋକିଲା ପେଟରେ ଚାହିଁ ଅଛି।।
ଦେଶ ଆଜି ମୋର ବଦଳୁଛି।।
ପୋଷେ ମୁଢ଼ି ପାଇଁ,କୋଶେ ଯିବି ଧାଇଁ,
ମାଗଣା ଯୋଜନା ,ମନ ହାଇଁ ପାଇଁ।
ପୋଡ଼ୁ ପଛେ ଶିକ୍ଷା,ପୋଡ଼ୁ ସ୍ବାଭିମାନ
ନେତା ହାତ ଟେକା, କରୁଅଛି ବୋକା।
ମାଗଣା ମିଳୁଛି,ଚାତକ ମୁଁ ନିତି ଚାହୁଁଅଛି।।
ଧନୀ ଗରିବର ପାଚେରୀ ହୋଇଛି,
ସତ ପାଶେ ମିଛ ବନ୍ଧା ପଡ଼ିଅଛି।
ରାମର ରାଇଜ ରାଜୁତି ହୋଇଛି।
ଭୋକରେ ମୁଁ ଦିନ କାଟୁଅଛି।
ଉଠୁରେ ପୁତା ଉଠୁ, ଉଠୁରେ ପୁତା ଉଠୁ।
ଦିନ ସରିଗଲା,କାଳ ଆସିଗଲା।
ଏମିତି ମୋ ଭାଗ୍ୟ ବଦଳୁଛି।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମନେ ପଡେ ଅଶୀ ଦଶକର ସ୍ମୃତି

ମନେ ପଡେ ଅଶୀ ଦଶକର ସ୍ମୃତି
                            ଜୀବନରେ ବେଳେ ବେଳେ ଏମିତି ଏକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପାଇଁ
ପଡେ , ବିଳମ୍ବ ହେଲେ ବି, ତାଙ୍କ ବିଷୟରେ ପଦୁଟେ ନ ଲେଖି ରହି ହୁଏ ନାହିଁ  ।   ସେମିତି ଜୀବନରେ ଅନେକ ସୁନ୍ଦର ସ୍ମୃତି ସହିତ ଜଡିତ ହୋଇଥିବା ଗୋବିନ୍ଦପୁରର ଅଂଚଳରେ ଜନ୍ମିତ  ତଥା ଭାରତବର୍ଷରେ ଆୟୁର୍ବେଦରେ  ଅନେକ କୃତିତ୍ୱ ହାସଲ କରିଥିବା ସ୍ବପ୍ନେଶ୍ୱର ପଣ୍ଡାଙ୍କ ବିୟୋଗରେ  କିଛି ନ ଲେଖିଲେ କିଛି ଗୋଟେ ଖାପ୍ ଛଡା ଲାଗେ  । ଶ୍ରୀଯୁକ୍ତ ସ୍ବପ୍ୱେଶ୍ୱର ପଣ୍ଡା ଥିଲେ ବିଶିଷ୍ଟ କବିରାଜ ରାଜ୍ୟବୈଦ୍ୟ ବାଉରୀ ବନ୍ଧୁ ପଣ୍ଡାଙ୍କ ସୁପୁତ୍ର । ପ୍ରାୟ ୧୯୮୭ ମସିହା ସମୟରେ, ଟିଣ ଟ୍ରଙ୍କରେ ବାପା ସାଇତିଥିବା ବହି ଟ୍ରଙ୍କରୁ ଏକ ଚେର ମୂଳୀ  ଚିକିତ୍ସା ବହିରୁ ଭଲ ସ୍ବର ହେବା ପାଇଁ , ପ୍ରତିଦିନ  ଯଷ୍ଟି ମଧୁ ସେବନ କଲେ କଂଠ ସ୍ବର ମଧୁର ହୋଇଥାଏ ବୋଲି ଅବଗତ ହେଲି । ଚଉପଡାରୁ କବିର ଚଉରା-ତର୍ଜନା ବାଟରେ ଗଲେ ଗୋବିନ୍ଦପୁର । ସେତେବେଳେ ନାଲି ଗୋଡି ମିଶା ମାଟି ରାସ୍ତା ଥିବା ସହିତ ଅତ୍ୟନ୍ତ ଆବୁଡା  ଖାବୁଡା ଥିଲା  । ବେଳେ ବେଳେ  ଦୁଇ ପାଶ୍ୱର୍ରେ ଅତ୍ୟଧିକ ଘାସ ହେଲେ , ଏହା ଶଗଡଗୁଳା ରାସ୍ତା ପରି ଲାଗେ ।  ଦୀର୍ଘ କୋଡିଏ ବର୍ଷ ବି ଏ ରାସ୍ତାର ଭାଗ୍ୟ ବଦଳି ନାହିଁ  । ଯଷ୍ଟି ମଧୁ ପାଇଁ ପଡୋଶୀଙ୍କ ସାଇକେଲ ମାଗି ଗୋବିନ୍ଦପୁର ଚାଲିଲି ।   
ସମୟ ପ୍ରାୟ ବାର ଘଟିକା ହେବ  । ଲୋକମାନଙ୍କୁ ପଚାରି ପଚାରି କବିରାଜ ବାଉରୀ ବନ୍ଧୁ ପଣ୍ଡାଙ୍କ ଘରେ ପହଂଚିଲି । ବାରଣ୍ଡାରେ ଚେର ମୂଳୀଗୁଡିକୁ ହେମ ଦସ୍ତାରେ ଲୋକମାନେ କୁଟା କୁଟି କରୁଥାନ୍ତି । ଶ୍ରୀଯୁକ୍ତ ପଣ୍ଡାଙ୍କ ଡାକିବା ପାଇଁ ଜନୈକ ବ୍ୟକ୍ତିଙ୍କୁ ପଚାରନ୍ତେ, ଉକ୍ତ ବ୍ୟକ୍ତି ଜଣକ ମୃଦୁ ହସି ଘର ଭିତରକୁ ଡାକିବା ପାଇଁ ଚାଲିଗଲେ ।   ପରେ ପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କର  ସୁପୁତ୍ର ସ୍ବପ୍ନେଶ୍ୱର ପଣ୍ଡା ବୋଲି ଅବଗତ ହେଲି  ।    ଆଜି ଏ କଥା ଲେଖିଲା ବେଳେ ଅନୁଭବ ହୁଏ, ଯଦି ଛୋଟ ପିଲା ଭାବି ହୁଏତ ସେ କାହିଁକି ଖୋଜୁଛ ବୋଲି ପଚାରି ପାରିଥାନ୍ତେ । କାରଣ  ୧୨/ ୧୩ ବର୍ଷର ପିଲାର ଏପରି ଜଣେ ରାଜବୈଦ୍ୟଙ୍କ ନିକଟରେ କାମ ବା କଣ ଥାଇ ପାରେ ?  ଏହା ତାଙ୍କର ଏକ ମହାନ୍ ବ୍ୟକ୍ତିତ୍ୱର ପରିଚୟ ଥିଲା, ଯାହା ଆଜି ମୁଁ ଅନୁଭବ କରି ପାରୁଛି । କବିରାଜ ବାଉରୀ ବନ୍ଧୁ ପଣ୍ଡା   ପ୍ରାୟ ପାଂଚ ମିନିଟ୍ ଅପେକ୍ଷା ଅନ୍ତେ ପହଂଚିଲେ । ବହୁତ ସୁନ୍ଦର ବ୍ୟବହାର ସହିତ  ରାଜ ବୈଦ୍ୟ ବୋଲି ମନରେ ଅହଂକାର ନ ଥାଏ ।   ସ୍ମିତ ହାସ୍ୟଯୁକ୍ତ ସହ ମସ୍ତକ ଚନ୍ଦନ ଚିତା ଶୋଭିତ ମୁଖ ମଣ୍ଡଳରେ ଦେବ ତୁଲ୍ୟ ଆଭା ପ୍ରତୀୟ ମାନ ହେଉଥାଏ  । ମୋର ଆସିବା କାରଣ ପଚାରନ୍ତେ..
- ଯଷ୍ଟି ମଧୁ ପାଇଁ ଆସିଚି ।
- କଣ କରିବ  ।
- ଭଲ କଂଠ ସ୍ବର ପାଇଁ   ପାଇଁ ଖାଇବି ।
- ଏଡିକି ଛୋଟ ବେଳୁ କବିରାଜୀ...
ସେ ମୋ କଥା ଶୁଣି  ହସିଦେଲେ ।ଏହାପରେ ଶହକ ଦୁଇ ଟଙ୍କା ହିସାବରେ, ପାଂଚ ଟଙ୍କାରେ ଅଢେଇ ଶହ ଯଷ୍ଟି ମଧୁ  କିଣି ଘରକୁ  ପ୍ରତ୍ୟାବର୍ତନ କଲି  । ଏହାପରେ ଅନେକ ଥର ମୁଁ ସେଠାକୁ  ଯାଇଛି ଚିକିତ୍ସା ପାଇଁ  । ବୋଉର ଦେହ ଖରାପ  ହେତୁ ଆୟୁର୍ବେଦିକ ଔଷଧ ପାଇଁ ଯାଇଛି  । ଚିକିତ୍ସା ମଧ୍ୟ ଫଳପ୍ରଦ ହୋଇଛି ।  ତେବେ ମୋ ଜାଣତରେ ଦୀର୍ଘ ଅଶୀ ଦଶକରୁ ଏକ ଆୟୁର୍ବେଦ ଅନୁଷ୍ଠାନକୁ  ଏକ କ୍ଷୁଦ୍ର ବୀଜରୁ ବିଶାଳ ମହାଦ୍ରୁମରେ ପରିଣତ କରିବାରେ ଶ୍ରୀଯୁକ୍ତ ପଣ୍ଡାଙ୍କର ଏକ ବିରାଟ ଏକ ନିଷ୍ଠ ସାଧନା ଥିଲା କହିଲେ ଅତୁ୍ୟକ୍ତି ହେବ ନାହିଁ  । ଗୋବିନ୍ଦପୁର ଅଂଚଳ ଇଂରେଜୀ ଅମଳରୁ ଏକ ପୁରାତନ ନାମ ହେଲେ ବି  ଭୌଗଳିକ  ଦୃଷ୍ଟି କୋଣରୁ ଏଠାରେ ସେତେବେଲେ ଗମନା ଗମନ ପାଇଁ ନାଲି ଗୋଡି ମିଶା ମାଟି ରାସ୍ତା ଥିଲା  । ଚିକିତ୍ସା ପାଇଁ ଗୋବିନ୍ଦପୁର ସରକାରୀ ମେଡିକାଲ୍ ଥିଲେ ବି, କୌଣସି କାମକୁ ଆସୁ ନ ଥିଲା । ବାଲିପଡାରେ ବି ଗୋଟେ କ୍ଲିନିକ୍ ଥିଲା । ଯେଉଁଠିକୁ ଡାକ୍ତର ବସନ୍ତ ସ୍ବାଇଁ ଆସୁଥିଲେ ।  ସେତେବେଳେ ଏଲୋପ୍ୟାଥିକ ଚିକିତ୍ସା ପ୍ରତି ଜନ ସାଧାରଣଙ୍କର ଯେପରି ବିଶ୍ୱାସ ଥିଲା,ସେପରି ଭାବରେ ଆୟୁର୍ବେଦ ଚିକିତ୍ସା ପ୍ରତି ଜନ ସାଧାରଣଙ୍କ ବିଶ୍ୱାସ ଥିଲା ।  ତେଣୁ  କବିରାଜୀ ଔଷଧର ବହୁଳ ବ୍ୟବହାର ହେଉଥିଲା  । କିନ୍ତୁ ଶ୍ରୀଯୁକ୍ତ ପଣ୍ଡାଙ୍କ ପ୍ରଚେଷ୍ଟା କ୍ରମେ,ଏପରି ଏକ ନିପଟ ମଫସଲ ଗୋବିନ୍ଦପୁର ଅଂଚଳକୁ  ସର୍ବ ଭାରତୀୟ ସ୍ତରରେ ଆୟୁର୍ବେଦ ପାଇଁ ପରିଚୟ ସୃଷ୍ଟି କରିବା ଏହା ଆମ  ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ ।
ଦୀର୍ଘ ବର୍ଷ ଅତିକ୍ରାନ୍ତ ଅନ୍ତେ  ଗୋବିନ୍ଦପୁର ଅଂଚଳରେ  ଏକ ସାମାଜିକ ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ ଅନ୍ତେ  ସମୟେ ସମୟେ  ଶ୍ରୀଯୁକ୍ତ ସ୍ବପ୍ୱେଶ୍ୱର ପଣ୍ଡାଙ୍କ ସଂସ୍ପର୍ଶରେ ଆସିଲି  । ଜଣେ ସମାଜିକକର୍ମୀ  କେବଳ ଅନ୍ୟାୟ ଅନୀତିକୁ ବିରୁଦ୍ଧ କରିବା ବ୍ୟତୀତ  ପରିବେଶ ପ୍ରତି ଏକ ମୌଳିକ କର୍ତବ୍ୟ ଅଛି ବୋଲି ପ୍ରକାଶ କରୁଥିଲେ । ଜଣେ ଜଣେ କର୍ମୀ ଭାବରେ ପ୍ରତି ଅଂଚଳରେ ଇକୋ କ୍ଲବ ଗଠନ କରି, କ୍ଲବର ପ୍ରତ୍ୟେକ ସଭ୍ୟ/ସଭ୍ୟା,ତାଙ୍କର ଜନ୍ମ ଦିନରେ ବୃକ୍ଷ ରୋପଣ କରି ସ୍ମରଣୀୟ କରନ୍ତୁ ବୋଲି କହୁଥିଲେ ।  ଏତଦ୍ ବ୍ୟତୀତ ସେ କାହାକୁ ନିରୁତ୍ସାହିତ କରୁ ନ ଥିଲେ । ପ୍ରତ୍ୟେକ ମଣିଷରେ ସୁପ୍ତ  ପ୍ରତିଭା ଭରି ରହିଛି, ଏହାକୁ  ଉଜ୍ଜିବୀତ କରି ସାମାଜିକ କାର୍ୟ୍ୟରେ ବିନିଯୋଗ କଲେ, ସମାଜର ବ୍ୟବସ୍ଥାରେ ପରିବର୍ତନ ହେବ ବୋଲି ପ୍ରକାଶ କରୁଥିଲେ ।   ଜଣେ  ଯଶସ୍ବୀ ବ୍ୟକ୍ତିଙ୍କର ଗୁଣ ଗାରିବା ବ୍ୟକ୍ତ କରିବା କଠିନ  ।  ତେଣୁ ମୋର ସୌବାଗ୍ୟ ଯେ, ମୋ ଅଂଚଳର ଦୁଇ ଜଣ  ପ୍ରଥିତଯଶା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଧନ୍ୟ ମନେ କରୁଅଛି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ

🙏 ରାସନ୍ କାର୍ଡ ସହିତ ମୋବାଇଲ୍ ସଂଯୋଗ ହେତୁ ଆପଣଙ୍କ  ସୁବିଧା କଣ ଏବଂ ରାସନରେ ସୂଚନା ଅଧିକାର ଆଇନର ପ୍ରୟୋଗ🙏


ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିବା ଦ୍ୱାରା କୌଣସି କାର୍ଯ୍ୟାଳୟର  ଅତିରିକ୍ତ ବୋଝ ବଢି ଯାଉଛି କିମ୍ବା ଜଣେ ସୂଚନାଧିକାରକର୍ମୀ ଆକ୍ରୋଶମୂଳକ ଭାବରେ ଅଧିକାରୀଙ୍କୁ ହଇରାଣ କରାଯାଉଛି ବୋଲି ଯେଉଁ ପ୍ରଶ୍ନଟି ଉଠେ , ତାହା ଆମ ପାଇଁ ଅବୈଧ ବୋଲି ମନେ ହୁଏ ।ସମାଜରେ ଅସହାୟ ବ୍ୟକ୍ତିମାନଙ୍କର କଥା ଶୁଣିବା କିମ୍ବା ଆବେଦନ ପତ୍ର ଗ୍ରହଣ କରିବା ଏ ଦାୟିତ୍ୱ ପ୍ରଶାସନର ଅଟେ।ମାତ୍ର ସରକାରୀ ନିୟମ ନ ଜାଣିବା ହେଉ  କିମ୍ବା ଲୋକମାନଙ୍କୁ ହଇରାଣ କରିବା ଚକ୍କରରେ ହେଉ, ଅନେକ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ହଇରାଣ କରିଥାନ୍ତି  ଏବଂ ବେଳେ  ବେଳେ  ଏ ସଂପର୍କରେ ସେମାନଙ୍କୁ ଅବଗତ କଲେ ମଧ୍ୟ ସାମାଜିକ କର୍ମୀମାନଙ୍କ ସହିତ ବିତଣ୍ଡା ଯୁକ୍ତି କରିଥାନ୍ତି  । ତେଣୁ ଅନ୍ୟୋପାୟ ହୋଇ ଆମକୁ କାଗଜ କଲମର ସାହାରା ନେବା ପାଇଁ ପଡିଥାଏ ।ଏହି ପ୍ରରିପ୍ରେକ୍ଷୀରେ ଗତ ତା-୨୯/୦୬/୨୦୨୨ରିଖରେ ଘଟିଥିବା  ଘଟଣାରେ ବାରଙ୍ଗ ବ୍ଲକ୍ ଉନୟନ  ଅଧିକାରୀଙ୍କ  ର୍ଦୁବ୍ୟବହାର ସ୍ଥାନିତ କରୁଅଛି ।
       ପ୍ରକାଶ୍ୟ,ଗତ ତା:୨୯/୦୬/୨୦୨୨ରିଖ ଦିନ କୁରାଙ୍ଗସ୍ଥିତ ବାଲିସାହିର ଜନୈକ  ଦଳିତ ବ୍ୟକ୍ତିଙ୍କର ରାସନ୍ କାର୍ଡରେ ନୂତନ ବ୍ୟକ୍ତିଙ୍କ ସଂଯୋଗ  କରିବା ସହିତ ମୋବାଇଲ ନମ୍ବର ସଂଯୋଗ  କରିବା ପାଇଁ ବାରଙ୍ଗ ବ୍ଲକର କାର୍ଯ୍ୟାଳୟ ଯାଇଥିଲୁ। ସଙ୍ଗରେ ସୂଚନାଧିକାରକର୍ମୀ  ବସନ୍ତ ଜେନା ମଧ୍ୟ ଥାଆନ୍ତି। ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସାକ୍ଷାତ ମଧ୍ୟ ହୋଇଗଲା। ପରିତାପର ବିଷୟ  ଅଧିକାରୀ  ଜଣକ  ଆବେଦନ ପତ୍ରଟିକୁ କିଛି ସମୟ ପାଇଁ ଅବଲୋକନ କଲା ପରେ ଗ୍ରହଣ କଲେ ନାହିଁ। ବରଂ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଯୁକ୍ତି ଅନୁସାରେ, ମୁଁ ଆବେଦନ ପତ୍ର ରଖିବି ନାହିଁ। ଆପଣ ଜନ ସେବା କେନ୍ଦ୍ର ଯାଆନ୍ତୁ, ସେଠାରେ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ ଲୋକ ଆଡ୍ କରିଦେବେ, ଏଗୁଡ଼ିକ  ଏଠାରେ ହୋଇ ପାରିବ ନାହିଁ। 
     ମାତ୍ର ରାସନ୍ କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ଆବଶ୍ୟକ ବୋଲି ମୁଁ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଥିଲି। ମାତ୍ର  ଯୋଗାଣ ନୀରିକ୍ଷକଙ୍କ ବଦଳି ହୋଇଯାଇଛି, ଏଗୁଡ଼ିକ ଏଠି ହୋଇ ପାରିବ ନାହିଁ ବୋଲି ରୁକ୍ଷ ସ୍ବରରେ କହି, ଆବେଦନ ପତ୍ର ଗ୍ରହଣ  କରି ନ ଥିଲେ। ବରଂ ତୁମେ ଜନ ସେବା କେନ୍ଦ୍ର ଯାଇ ମୋବାଇଲ ନମ୍ବର ସଂଯୋଗ କରିବା ସହିତ ନୂତନ   ଲୋକଙ୍କୁ ଆଡ଼ କରି ଆଣିବା ପାଇଁ କହିଲେ। ଶେଷରେ ମୁଁ ଜଣେ ଜନ ସେବା କେନ୍ଦ୍ର ପରିଚାଳକ ବୋଲି ପରିଚୟ ପ୍ରଦାନ କରିବା ସହିତ, ରାସନ କାର୍ଡରେ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ସହିତ ଏହା ଫୂଡ୍ ଓଡ଼ିଶାର ଓ୍ବେବ୍ ସାଇଟରେ ଦର୍ଶାଯାଇଛି ବୋଲି ପ୍ରକାଶ କରିଥିଲି। ମାତ୍ର ମୋ କଥାରେ ଉନ୍ନୟନ ଅଧିକାରୀ ଜଣକ ଉତକ୍ଷିପ୍ତ ହୋଇ ମୋ ଉପରେ ବର୍ଷିଗଲେ। ତୁମର ଜନ ସେବା କେନ୍ଦ୍ର ନାହିଁ ବୋଲି ମୋର ବିଶ୍ବାସ ହେଉ ନାହିଁ। ତୁମେ ଅନ୍ ଲାଇନ୍ କାମ ଜାଣି ନାହି ବୋଲି ବିରକ୍ତି ପ୍ରକାଶ  କରିଥିଲେ। ଶେଷରେ ଆବେଦନ ପତ୍ର ରଖିଲେ ନାହିଁ।  ପରେ ପରେ ଆମେ ଯୋଗାଣ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ।  ସେଠାରେ ଥିବା ତାଙ୍କର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ରାସନ୍ କାର୍ଡରେ  ମୋବାଇଲ ସଂଯୋଗ ସଂପର୍କରେ ପଚାରିଥିଲୁ ଏବଂ ପୂର୍ବରୁ ଯୋଗାଣ ନିରୀକ୍ଷକଙ୍କୁ ଏ ଘଟଣା ସଂପର୍କରେ ଅବଗତ କରିବା  ବିଷୟରେ ପ୍ରକାଶ କରିଥିଲୁ। ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ, ସେ ଏ କଥା ଶୁଣିବା ପରେ ଆମର ମୋବାଇଲ ସଂଯୋଗକୁ ତାଙ୍କର କଂପ୍ୟୁଟରରେ କରି ଦେଇଥିଲେ ଏବଂ ରାସନ୍ କାର୍ଡ ସହିତ ମୋବାଇଲ ସଂଯୋଗ କରିବା ପାଇଁ ଯୋଗାଣ ନିରୀକ୍ଷକଙ୍କ ଅନୁମୋଦନ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।  
      ପ୍ରକାଶ୍ୟ ଯେ,ରାସନ୍ କାର୍ଡରେ ମୋବାଇଲ ସଂଯୋଗ ହେଲା ପରେ, ଆପଣ ଓ୍ବେବ୍ ସାଇଟରୁ ରାସନ୍ କାର୍ଡ ଡାଉନ୍ ଲୋଡ କରିବା, ନୂତନ ବ୍ୟକ୍ତି ଯୋଗ କରିବା, ମୃତ ବ୍ୟକ୍ତିଙ୍କୁ ବିୟୋଗ କରିବା ଓ ପରିବାର ସ୍ଥାନାନ୍ତର କରିବା କାର୍ଯ୍ୟ ଗୁଡ଼ିକ ହୋଇ ଥାଏ। ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ, ଗରିବ ଜନ ସାଧାରଣଙ୍କ କାମ କରିବା ପାଇଁ, ଏ ବ୍ଲକ୍ ଅଧିକାରୀଙ୍କର ଆନ୍ତରିକତା ନାହିଁ । ଏହି ପ୍ରରିପ୍ରେକ୍ଷୀରେ ଯଦି ପ୍ରଶାସନିକ ସ୍ତରରେ ଜନ ସାଧାରଣ ପ୍ରଶ୍ନ କଲେ କିମ୍ବା  ଏକକ ସରକାରୀ ସେବା ବିଷୟରେ ଜାଣିବା ପାଇଁ ଜିଜ୍ଞାସା ପ୍ରକାଶ କଲେ,ଯଦି ସଠିକ୍ ଉତ୍ତର ନ ମିଳିବା ସହିତ ଅଧିକାରୀ ଉତକ୍ଷିପ୍ତ ହେଉଛନ୍ତି। ତେଣୁ ସୂଚନା ଅଧିକାର ଆଇନ ମାଧ୍ୟମରେ ନିଜର ହକ୍ ବିଷୟରେ ଜାଣିବା ପାଇଁ ଆମର ଅଧିକାର ରହିଛି। ତେଣୁ ମୁଁ ରାସନ୍ କାର୍ଡ ସଂପର୍କରେ ଦଶ ଗୋଟି ପ୍ରଶ୍ନ  ପ୍ରଶାସନ ପାଇଁ ପ୍ରସ୍ତୁତ କରିଅଛି,ଯାହାର ଉତ୍ତର ରାସନ୍ କାର୍ଡ ଉପଭୋକ୍ତାମାନଙ୍କ ହିତରେ ସହାୟକ ହେବ ବୋଲି ଆଶା ପ୍ରକାଶ କରୁଅଛି, ଯାହା ନିମ୍ନରେ ବର୍ଣ୍ଣନା କରାଯାଇଅଛି।

   ରାସନ୍ କାର୍ଡ ପାଇଁ କେତୋଟି ପ୍ରଶ୍ନ
୧. ନୂତନ ରାସନ କାର୍ଡ ପାଇଁ କେଉଁ ପ୍ରକ୍ରିୟାରେ ଆବେଦନ କରିହେବ  ? ଯଦି ଅନ୍ ଲାଇନ୍ ମାଧ୍ୟମରେ ଜନୈକ ବ୍ୟକ୍ତିର ଆବେଦନ କରିବା  ପାଇଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କିପରି ଭାବରେ ଆବେଦନ କରିହେବ?
୨.  ନୂତନ ଋାସନ କାର୍ଡ ଆବେଦନ କରିବା ପାଇଁ ମୋବାଇଲ୍ ନମ୍ବର ବାଧ୍ୟତା ମୂଳକ କି ? ଯଦି  କୌଣସି ବ୍ୟକ୍ତିର ରାସନ୍ କାର୍ଡ ଡାଉନ୍ ଲୋଡ୍ ପାଇଁ ମୋବାଇଲ୍ ନମ୍ବର ନାହିଁ , ସେ କିପରି ରାସନ୍ କାର୍ଡ ( ଗ୍ରୀନ୍ କାର୍ଡ) ପ୍ରାପ୍ତ ହେବ , ଜଣାଇବା ପାଇଁ ଅନୁରୋଧ ।
୩. ରାସନ୍ କାର୍ଡରେ  ମୋବାଇଲ୍ ନମ୍ବର ସଂଯୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ  କରିହେବ ଏବଂ କାହା ଦ୍ୱାରା କରିହେବ ଜଣାଇବା ପାଇଁ ଅନୁରୋଧ ?
୪. ରାସନ କାର୍ଡରେ  ଜନୈକ ବ୍ୟକ୍ତିଙ୍କୁ ସଂଯୋଗ,ତଥ୍ୟ ସଂଶୋଧନ ଏବଂ ବିୟୋଗ କରିବା ପାଇଁ କେଉଁ ପ୍ରକ୍ରିୟାରେ କରାଯିବ ଏବଂ କାହା ମାଧ୍ୟମରେ କରାଯିବ ?
୫. ରାସନ କାର୍ଡରୁ ଜଣେ ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପାଇଁ ଏବଂ ଶିଶୁଙ୍କୁ  ରାସନ୍ କାର୍ଡରେ ସଂଯୋଗ କରିବାର ପ୍ରକ୍ରିୟା କଣ ଏବଂ କାହା ମାଧ୍ୟମରେ କରାଯିବ ତାହା ଜଣାଇବା ପାଇଁ ଅନୁରୋଧ  ।
୬.  ରାସନ୍ କାର୍ଡରେ ରାସନ  ସାମଗ୍ରୀ ପାଇବା ପାଇଁ  ଆଧାର କାର୍ଡ  ଜରୁରୀ କି ? ଯଦି ଜନୈକ ବ୍ୟକ୍ତିର ଆଧାର କାର୍ଡ  ନାହିଁ, ସେ ରାସନ୍ ସାମଗ୍ରୀ କିପରି  ପାଇବ, ତାହା ଜଣାଇବା ପାଇଁ ଅନୁରୋଧ ।
୭.  ଯଦି କୌଣସି   ପାଂଚ ବର୍ଷ ବୟସରୁ କମ୍  ପିଲାର ଆଧାର କାର୍ଡ ହୋଇ ପାରି ନାହିଁ, ସେ ରାସନ୍ ସାମଗ୍ରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ କି ?
୮.  ଏକ ରାସନ୍ ଡିଲରର ମାନକ ସଂଚାଳନ ପ୍ରକ୍ରିୟା (SOP) କଣ?  ସେ କେଉଁ  ନିୟମାବଳୀ ଆଧାରରେ ଜନ ସାଧାରଣଙ୍କୁ  ସେବା ପ୍ରଦାନ କରିବ, ତାହା ଜଣାଇବା ପାଇଁ ଅନୁରୋଧ ।
୯. ରାସନ ଡିଲର  ପାଇଁ ଆବେଦନ ପ୍ରକ୍ରିୟା ଏବଂ ନିୟମାବଳୀ କଣ,ତାହା ଜଣାଇବା ପାଇଁ ଅନୁରୋଧ  ଏବଂ  ଆପଣଙ୍କର  କଂଟାପଡା, ନିଆଳୀ ଓ  ବାରଙ୍ଗ ବ୍ଲକ ଅଧିନରେ ଥିବା  ସମସ୍ତ ଡିଲରଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଯୋଗାଯୋଗ ନମ୍ବର  ପ୍ରଦାନ କରିବା ପାଇଁ ଅନୁରୋଧ ।
୧୦. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ   ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟରେ ପ୍ରଭେଦ କଣ ? ଏଥିରେ ଅନ୍ତର୍ଭୁକ୍ତ ହେବା ପାଇଁ , ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅଧିନିୟମ ସଂପର୍କରେ ପ୍ରଦାନ କରିବା ପାଇଁ ଅନୁରୋଧ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା

                             ଗଣ ମାଧ୍ୟମ ହେଉଛି ଗଣତନ୍ତ୍ରର  ଚତୁର୍ଥ  ସ୍ତମ୍ଭ । ମାତ୍ର  ପରିତାପର ବିଷୟ ରାଜ୍ୟ ସରକାର ନିଜର ଦୁର୍ନିତୀକୁ ଲୁଚାଇବାକୁ ଯାଇ, ଲୋକ ସେବା ଭବନ ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଗଣ ମାଧ୍ୟମକୁ  ବାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ । ସାହିତି୍ୟକ ଶିକ୍ଷୟତ୍ରୀ /ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ ଦୟାକରି  ମୋତେ ଖରାପ ଭାବିବେ ନି  । କାରଣ  ଯେଉଁଠି ସମାଜରେ ଅହରହ କ୍ଷୁଧାର ତାଡନା ସହ ଦୁର୍ନୀତିର  ଗନ୍ଧ ବାରି ହୋଇ ପଡୁଛି, ସେଠି ମୋ କଲମ ଚାଳନା ଜାରି ରହିବ  । କାରଣ ଅତୀତରେ ମୋ ଲେଖାକୁ ଅନେକ ସାହିତ୍ୟ ସଙ୍ଗଠକ, ସ୍ରଷ୍ଟା ଓ ସାହିତ୍ୟ ଗୃପମାନେ ଅଣଦେଖା ପୂର୍ବକ ମୁଁ ସାହିତ୍ୟରେ ରାଜନୀତି କରୁଛି ବୋଲି ସମାଲୋଚିତ ହେବା ସହିତ  ଗୃପରୁ ମଧ୍ୟ ତଡା ଖାଇଛି ।   ଏହି ପ୍ରରିପ୍ରେକ୍ଷୀରେ ମୋର କବିତା “ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା”କୁ ପାଠ କରିବା ସହିତ ମତାମତ  ଦେବା ପାଇଁ ଅନୁରୋଧ ।  

ସାମ୍ବାଦିକକୁ ଇସ୍ କୁଲୁ ମନା । ।
ତୋ ଲାଗି ଇସ୍ କୁଲୁ ମନାରେ ନାରଦ ନନା,
ସାମ୍ବାଦିକକୁ ଇସ୍ କୁଲୁ ମନା । ।
ନିତି ଏଇ ବାଟେ ଯାଉରେ ନାରଦ, ମୋବାଇଲି ବୁଉମ୍ ଧରି,
କଣା ଖୋଜୁଥାଉ, ମାଷ୍ଟରମାନଙ୍କ, ସତେ କି ଚାତକ ପରି । ।
 ଆଉ ସେ ସୁଯୋଗ ପାଇବୁ  ନାହିଁରେ, କହିଛି ସମୀର ନନାରେ... ନାରଦ ନନା । ।
ଦିଶିବନି ଆଉ ପାଣିଆ ଡାଲେମା,ମିଲି ମେକରର ଝୋଳ,
ଦରସିଝା କରି ପାଚିକା ଥୋଇବ, ବୋହିବନି ଆଉ ଝାଳ ।
 ମଧ୍ୟାହ୍ନ ଭୋଜନ, ଭାରି ହିନୀମାନ, ସମାଜେ ଉଡୁଛି କନାରେ ... ନାରଦ ନନା  । ।
ହେବ ଫଳାଫଳ , ଶହେ ଶହେ ଖେଳ, ପିଲା ନ ପଢନ୍ତୁ ପାଠ,
ମାଷ୍ଟର  ମାଷ୍ଟରାଣୀ ପଢାଇବେନି ପାଠ, ଚାଲିବ ପୀରତୀ ନାଟ?
 କହିବେନି କେହି, ଦେଖିବେନି କେହି, ଚାଲିବ ଫୁଙ୍ଗୁଳା ହାଟରେ.. ନାରଦ ନନା । ।
ଶିଖିଆ ମନ୍ତିରୀ ଭାରି ହୁସିଆରି, ଜାଣିଛି  କହିବା ଚାତୁରୀ,
 ଫାଇବି ଟିରେ କରିଅଛି ଖେଳ, ବିଦ୍ୟାଳୟ ହତଶିରୀ ।
 ଦୁରିନୀତି ଗନ୍ଧ, ମହ ମହ ବାସେ,ସବୁ ଭେଣ୍ଡି ଯାକ ସୁନାରେ...ନାରଦ ନନା । ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ, ପାଟସୁନ୍ଦରପୁର, କଟକ,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସୃଚନାଧିକାର ଲଢେଇ:ମିଳିଲା ରାସନ

 

ସୂଚନା ଅଧିକାର ଆଇନ୍ ହେଉଛି ଦୁର୍ନିତୀ ବିରୁଦ୍ଧରେ  ଲଢେଇ କରିବା ପାଇଁ ଏକ ପ୍ରମୁଖ ଅସ୍ତ୍ର ଅଟେ  । ତେବେ କେବଳ ଦୁର୍ନିତୀ ନୁହେଁ, ଏହି  ଆଇନକୁ ପ୍ରୟୋଗ କରି ସମାଜରେ ହନ୍ତ ସନ୍ତ ହେଉଥିବା ଦୁସ୍ଥ ମାନବର ହିତ ସାଧନ କରାଯାଇ ପାରିବ  । ଏତଦ୍ ବ୍ୟତୀତ ପ୍ରଶାସନିକ ସ୍ତରରେ ହେଉ କିମ୍ବା ରାଜନୈତିକ ସ୍ତରରେ ହେଉ, ସମାଜର କୌଣସି  ଖରାପ ବ୍ୟବସ୍ଥାକୁ ପରିବର୍ତନ  ମଧ୍ୟ କରାଯାଇପାରିବ । ଏହି କଥାକୁ ଚେତାଇବା ଆମର ଓଡିଶା ସୂଚନା ଅଭିଯାନର ଆବାହକ  ତଥା ମୋର ମାର୍ଗଦର୍ଶକ ଭାଇ ପ୍ରଦୀପ ପ୍ରଧାନ  ସୂଚନାଧିକାରକର୍ମୀମାନଙ୍କୁ ଚେତାଇ ଆସିଛନ୍ତି ।   ମାତ୍ର ପରିତାପର ବିଷୟ,  ସୂଚନା ଅଧିକାର ଆଇନ୍ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କୁ କର୍ମୀମାନେ  ବ୍ଲାକ ମେଲିଂ କରୁଛନ୍ତି କିମ୍ବା ଟଙ୍କା ମାଗୁଛନ୍ତି ବୋଲି ଅନେକ ଲୁଟେରା କର୍ମଚାରୀମାନେ ଅମୂଳକ ମନଗଢା କାହାଣୀ ପ୍ରକାଶ କରିଥାନ୍ତି, ଯାହା ଆଦୌ ଶୋଭନୀୟ ନୁହେଁ । ପ୍ରକାଶ୍ୟ ଯେ, ଏହି ସୂଚନା ଅଧିକାର ଆଇନ  ୨୦୦୫  ମସିହା  ଅକ୍ଟୋବର ୧୨ ତାରିଖ ଠାରୁ ଓଡିଶାରୁ କାର୍ଯ୍ୟକାରୀ ହେଲା  ।  ମାତ୍ର ବିଡମ୍ବନାର ବିଷୟ, ଉକ୍ତ ଆଇନର କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ୫ ଗୋଟି ବିଭାଗକୁ ବାଦ୍ ଦେଇଥିଲେ ।  ପରେ ପରେ ଆମର ସୂଚନାଧିକାରକର୍ମୀମାନେ ବହୁତ ଘାତ ପ୍ରତିଘାତ ମଧ୍ୟରେ   ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ   ଦୁର୍ନୀତିର ଖୁଲସା କରିବା ସହିତ ଅନେକ ଜନ ହିତକର କାର୍ଯ୍ୟ କରିଆସିଛନ୍ତି  । ଏହି ପ୍ରରିପ୍ରେକ୍ଷୀରେ   ସୂଚନା ଅଧିକାର ଆଇନକୁ ପ୍ରୟୋଗ କରି, ଏକ ଅସହାୟ ମହିଳାକୁ କିପରି ରାସନ୍ କାର୍ଡ ପ୍ରଦାନ କରାଯାଇଛି,  ତାହା ନିମ୍ନରେ ବର୍ଣ୍ଣିତ କରାଯାଇଛି ।
ମଂଜୁଲତା ଭୋଇ ଜଣେ ବିଧବା ମହିଳା ।  ଦୀର୍ଘ ବର୍ଷ ହେଲା ନିଜର ସ୍ବାମୀଙ୍କୁ ହରାଇଛନ୍ତି  । ବେଳେ ବେଳେ ଜୀବନ ରେଖା ପରିବର୍ତନ ହୋଇଯାଏ  । ସମୟ ଚକ୍ରରେ ମଣିଷର ସ୍ଥାନାନ୍ତରଣ ହୁଏ  । ନିଜର ଏକମାତ୍ର ପୁଅକୁ କଂଟାପଡା ବ୍ଲକର ଭୋଦଳ ଗ୍ରାମରେ ବିବାହ କରିଦେଲା ପରେ, ଅନେକ ସମୟରେ ପାରିବାରିକ  କାରଣ ହେତୁ ଇତସ୍ତତଃ ତଥା ଅନ୍ୟତ୍ର ହେଉଥିଲେ । ମଣିଷ ପାଇଁ ଖାଦ୍ୟ ମୌଳିକ ଆବଶ୍ୟକତା  ସହିତ ଖାଦ୍ୟ ସୁରକ୍ଷା  ଆଇନ୍ ମାଧ୍ୟମରେ ରାସନ ପାଇବା ମଧ୍ୟ ସାମ୍ବିଧାନିକ ଅଧିକାର ଅଟେ ।  ତେଣୁ ତାଙ୍କର ରାସନ୍ କାର୍ଡକୁ ଅନ୍ ଲାଇନରେ ଆବେଦନ କରିବା ପାଇଁ  ଆବଶ୍ୟକୀୟ କାଗଜାତପତ୍ର  ସହିତ ମୋ ଜନ  ସେବା କେନ୍ଦ୍ରରେ ପହଂଚିଲେ । ମାତ୍ର ପରିତାପର ବିଷୟ, ଆବେଦନକାରୀଙ୍କର ତଥ୍ୟ ପ୍ରଦାନ କଲା ପରେ ଅନ୍ ଲାଇନ ପୋର୍ଟାଲରେ . ଉକ୍ତ ତଥ୍ୟ ଗୁଡିକ ଗ୍ରହଣ  କଲା  ନାହିଁ  । ବରଂ  ପୂର୍ବରୁ ତାଙ୍କର ରାସନ କାର୍ଡ ହୋଇ ଯାଇଛି ବୋଲି ଦର୍ଶାଇବା ସହିତ  ତାଙ୍କର ରାସନ୍ କାର୍ଡଟି ସହିତ  ତାଙ୍କର ଆଧାର ନଂଟି ପଞ୍ଜୀକୃତ ହୋଇଯାଇଛି ବୋଲି ଦର୍ଶାଉଥିଲା । ମାତ୍ର ଏହି ବୃଦ୍ଧା ମାଆ ଜଣକ ରାସନ କାର୍ଡ ପାଇ ନ ଥିଲେ । ବିଡମ୍ବନାର ବିଷୟ,ପୂର୍ବରୁ  ତାଙ୍କ ନାମରେ ରାସନ୍ କାର୍ଡ  ପଞ୍ଜୀକୃତ ହେବା ସହିତ କେତେ ଖାଦ୍ୟ ସାମଗ୍ରୀ ଉଠାଣ ହୋଇଥିବ, ତାହା ମୋ ପାଇଁ  ଅଦ୍ୟାବଧି ଏକ ଅସମାହିତ ପ୍ରଶ୍ନ ବୋଲି ରହିଗଲା ।

ତେବେ ଏହି ବୃଦ୍ଧା ମାଆଙ୍କର ରାସନ୍ କାର୍ଡ ହେବ କିପରି ? କଂଟାପଡା ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ କୌଣସି ସୁଫଳ ମିଳିଲା ନାହିଁ  । ଯେଉଁଠି ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହିତ ରାସନ ଡିଲରମାନଙ୍କ ସହିତ ମଧୁ ଚନ୍ଦ୍ରିକା ହୁଏ,ସେଠାରେ ସାଧାରଣ ଜନତାର ସ୍ବରକୁ ଚାପି ଦିଆଯାଏ ।   ଜଣେ ସାମାଜିକ କର୍ମୀ ଭାବରେ ଅନ୍ୟର ତଥ୍ୟ  ଆବଶ୍ୟକ କରିଥିବାରୁ ମୋତେ ଅଣ ଦେଖା କରାଗଲା । ସର୍ବଶେଷରେ   ସୂଚନା ଅଧିକାର ଆଇନ ମାଧ୍ୟମରେ ୨୦୧୫-୨୦୨୧ ବର୍ଷର ଅବଧି ମଧ୍ୟରେ ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( କାର୍ଡ ନଂ୦୭୦୭୦୨........) ସଂପର୍କରେ ତଥ୍ୟ ପାଇଁ ଆବେଦନ କରାଗଲା । ଏହା ସହିତ . (୧) ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର   ମଞ୍ଜୁଲତା  ଭୋଇଙ୍କ ପଡି କାର୍ଡ  ( ନଂ.୦୭୦୭୦୨୧,,,,,,,,,,) କେତେ ତାରିଖରେ ହୋଇଥିଲା ? (୨)  ଏହି କାର୍ଡ (ନଂ. ୦୭୦୭୦୨୧,,,,,,,,,)ଟି କେବେ  ବ୍ଲକ କାର୍ଯ୍ୟାଳୟରେ  ଦାଖଲ କରାଗଲା ? (୩)  ଏହି କାର୍ଡ ନଂ. ୦୭୦୭୦୨୧,,,,,,,,,)ଟି କେଉଁ ଡିଲର ନିକଟରେ କାର୍ଯ୍ୟ କରୁଥିଲା ଏବଂ ଉକ୍ତ କାର୍ଡରେ କେତେ ପରିପାଣରେ ରାସନ ସାମଗ୍ରୀ  ଉଠାଣ କରାଯାଇଛି, ଜାଣିବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ସୁଚନାର ବିବରଣୀ  ପାଇଂ ଆବେଦନ କରାଯାଇଥିଲା ।  ମାତ୍ର ପରିତାପର ବିଷୟ,  ଏକ ମାସ ବିତି  ଯାଇଥିଲେ ମଧ୍ୟ ଏହାର  ତଥ୍ୟ ମିଳି ନ ଥିଲା । ବରଂ ଆପୋଷ ସମାଧାନ ପାଇଁ ଜନୈକ ରାସନ ଡିଲରଙ୍କ ଦ୍ୱାରା  ଏକ ଚାପ ସୃଷ୍ଟି  କରାଗଲା ।   ଜଣେ ସୂଚନାଧିକାରକର୍ମୀ  କୌଣସି ଏକ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ଆବେଦନ କଲା ପରେ, ଆବେଦନ କରିବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହିତ କାଗଜାତ ପତ୍ର କରିବା ପାଇଁ ବାଧ୍ୟ ଅଟନ୍ତି ।  ଅବଶ୍ୟ କଗଜାତ ନଥି ପତ୍ରର ଜେରକ୍ସ ପାଇଁ ଆବେଦନକାରୀଙ୍କୁ ଦୁଇ ଟଙ୍କା ଦେବା ପାଇଁ ପଡିଥାଏ । ଯଦି ଉକ୍ତ ୩୦ ଦିନ ମଧ୍ୟରେ ତଥ୍ୟ ପ୍ରଦାନ ନ କରନ୍ତି,ଏହାପରେ ପ୍ରଥମ ଅପିଲ କରିବା ପାଇଁ   ପ୍ରଥମ ଅପିଲ୍ କତୃପକ୍ଷଙ୍କ ନିକଟରେ   ଫର୍ମ-ଘ ମାଧ୍ୟମରେ ନିୟମ ୭(୧)ଦ୍ରଷ୍ଟବ୍ୟ ଅଧିନିୟମ ଧାରା ୧୯(୧) ଅନୁଯାୟୀ ଏକ ଅପିଲ ସ୍ମାରକ ଫର୍ମରେ ଆବେଦନ କରାଯାଇଥାଏ । କିନ୍ତୁ ଏ ଘଟଣାରେ ଆବେଦନକାରୀ  ପ୍ରଥମ ଅପିଲ ପାଇଁ ରାଜି ନଥିଲେ ।   ବରଂ ପୂର୍ବରୁ ରାସନ ଡିଲର ଜଣକ ଯାହା ଖାଇ ଥିଲା ଖାଇଥାଉ ଏବଂ ତଥ୍ୟ ମଧ୍ୟ ନ ମିଳୁ  ଆଉ କୌଣସି ମତେ ନୂତନ ରାସନ୍ କାର୍ଡ ହୋଇଯାଉ ବୋଲି ଭାବୁଥିଲେ । ପରିଶେଷରେ ଆବେଦନକାରୀ ନୀରବଦ୍ରଷ୍ଟା ହୋଇ  ନୂତନ ରାସନ କାର୍ଡ  ଗ୍ରହଣ କରିବା ପାଇଁ  ଆଗ୍ରହ ପ୍ରକାଶ କରିଥିଲେ ।   ପରେ ପରେ ସୁପରିକଳ୍ପିତ ସୂଚନାନୁସାରେ ସ୍ଥାନୀୟ ରାସନ ଡିଲରଙ୍କ ନିକଟରେ  ଉକ୍ତ ବୃଦ୍ଧା ମାଆଙ୍କର କାର୍ଡ  ହୋଇ ଯାଇଛି ବାବବରେ ସୂଚନା ପହଂଚିଥିଲା । ବର୍ତମାନ ଚାରିମାସ ହେଲା ଉକ୍ତ ବୃଦ୍ଧା ମାଆଙ୍କୁ ଚାଉଳ ମିଳୁଅଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...