ମନେ ପଡେ ଅଶୀ ଦଶକର ସ୍ମୃତି

ମନେ ପଡେ ଅଶୀ ଦଶକର ସ୍ମୃତି
                            ଜୀବନରେ ବେଳେ ବେଳେ ଏମିତି ଏକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପାଇଁ
ପଡେ , ବିଳମ୍ବ ହେଲେ ବି, ତାଙ୍କ ବିଷୟରେ ପଦୁଟେ ନ ଲେଖି ରହି ହୁଏ ନାହିଁ  ।   ସେମିତି ଜୀବନରେ ଅନେକ ସୁନ୍ଦର ସ୍ମୃତି ସହିତ ଜଡିତ ହୋଇଥିବା ଗୋବିନ୍ଦପୁରର ଅଂଚଳରେ ଜନ୍ମିତ  ତଥା ଭାରତବର୍ଷରେ ଆୟୁର୍ବେଦରେ  ଅନେକ କୃତିତ୍ୱ ହାସଲ କରିଥିବା ସ୍ବପ୍ନେଶ୍ୱର ପଣ୍ଡାଙ୍କ ବିୟୋଗରେ  କିଛି ନ ଲେଖିଲେ କିଛି ଗୋଟେ ଖାପ୍ ଛଡା ଲାଗେ  । ଶ୍ରୀଯୁକ୍ତ ସ୍ବପ୍ୱେଶ୍ୱର ପଣ୍ଡା ଥିଲେ ବିଶିଷ୍ଟ କବିରାଜ ରାଜ୍ୟବୈଦ୍ୟ ବାଉରୀ ବନ୍ଧୁ ପଣ୍ଡାଙ୍କ ସୁପୁତ୍ର । ପ୍ରାୟ ୧୯୮୭ ମସିହା ସମୟରେ, ଟିଣ ଟ୍ରଙ୍କରେ ବାପା ସାଇତିଥିବା ବହି ଟ୍ରଙ୍କରୁ ଏକ ଚେର ମୂଳୀ  ଚିକିତ୍ସା ବହିରୁ ଭଲ ସ୍ବର ହେବା ପାଇଁ , ପ୍ରତିଦିନ  ଯଷ୍ଟି ମଧୁ ସେବନ କଲେ କଂଠ ସ୍ବର ମଧୁର ହୋଇଥାଏ ବୋଲି ଅବଗତ ହେଲି । ଚଉପଡାରୁ କବିର ଚଉରା-ତର୍ଜନା ବାଟରେ ଗଲେ ଗୋବିନ୍ଦପୁର । ସେତେବେଳେ ନାଲି ଗୋଡି ମିଶା ମାଟି ରାସ୍ତା ଥିବା ସହିତ ଅତ୍ୟନ୍ତ ଆବୁଡା  ଖାବୁଡା ଥିଲା  । ବେଳେ ବେଳେ  ଦୁଇ ପାଶ୍ୱର୍ରେ ଅତ୍ୟଧିକ ଘାସ ହେଲେ , ଏହା ଶଗଡଗୁଳା ରାସ୍ତା ପରି ଲାଗେ ।  ଦୀର୍ଘ କୋଡିଏ ବର୍ଷ ବି ଏ ରାସ୍ତାର ଭାଗ୍ୟ ବଦଳି ନାହିଁ  । ଯଷ୍ଟି ମଧୁ ପାଇଁ ପଡୋଶୀଙ୍କ ସାଇକେଲ ମାଗି ଗୋବିନ୍ଦପୁର ଚାଲିଲି ।   
ସମୟ ପ୍ରାୟ ବାର ଘଟିକା ହେବ  । ଲୋକମାନଙ୍କୁ ପଚାରି ପଚାରି କବିରାଜ ବାଉରୀ ବନ୍ଧୁ ପଣ୍ଡାଙ୍କ ଘରେ ପହଂଚିଲି । ବାରଣ୍ଡାରେ ଚେର ମୂଳୀଗୁଡିକୁ ହେମ ଦସ୍ତାରେ ଲୋକମାନେ କୁଟା କୁଟି କରୁଥାନ୍ତି । ଶ୍ରୀଯୁକ୍ତ ପଣ୍ଡାଙ୍କ ଡାକିବା ପାଇଁ ଜନୈକ ବ୍ୟକ୍ତିଙ୍କୁ ପଚାରନ୍ତେ, ଉକ୍ତ ବ୍ୟକ୍ତି ଜଣକ ମୃଦୁ ହସି ଘର ଭିତରକୁ ଡାକିବା ପାଇଁ ଚାଲିଗଲେ ।   ପରେ ପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କର  ସୁପୁତ୍ର ସ୍ବପ୍ନେଶ୍ୱର ପଣ୍ଡା ବୋଲି ଅବଗତ ହେଲି  ।    ଆଜି ଏ କଥା ଲେଖିଲା ବେଳେ ଅନୁଭବ ହୁଏ, ଯଦି ଛୋଟ ପିଲା ଭାବି ହୁଏତ ସେ କାହିଁକି ଖୋଜୁଛ ବୋଲି ପଚାରି ପାରିଥାନ୍ତେ । କାରଣ  ୧୨/ ୧୩ ବର୍ଷର ପିଲାର ଏପରି ଜଣେ ରାଜବୈଦ୍ୟଙ୍କ ନିକଟରେ କାମ ବା କଣ ଥାଇ ପାରେ ?  ଏହା ତାଙ୍କର ଏକ ମହାନ୍ ବ୍ୟକ୍ତିତ୍ୱର ପରିଚୟ ଥିଲା, ଯାହା ଆଜି ମୁଁ ଅନୁଭବ କରି ପାରୁଛି । କବିରାଜ ବାଉରୀ ବନ୍ଧୁ ପଣ୍ଡା   ପ୍ରାୟ ପାଂଚ ମିନିଟ୍ ଅପେକ୍ଷା ଅନ୍ତେ ପହଂଚିଲେ । ବହୁତ ସୁନ୍ଦର ବ୍ୟବହାର ସହିତ  ରାଜ ବୈଦ୍ୟ ବୋଲି ମନରେ ଅହଂକାର ନ ଥାଏ ।   ସ୍ମିତ ହାସ୍ୟଯୁକ୍ତ ସହ ମସ୍ତକ ଚନ୍ଦନ ଚିତା ଶୋଭିତ ମୁଖ ମଣ୍ଡଳରେ ଦେବ ତୁଲ୍ୟ ଆଭା ପ୍ରତୀୟ ମାନ ହେଉଥାଏ  । ମୋର ଆସିବା କାରଣ ପଚାରନ୍ତେ..
- ଯଷ୍ଟି ମଧୁ ପାଇଁ ଆସିଚି ।
- କଣ କରିବ  ।
- ଭଲ କଂଠ ସ୍ବର ପାଇଁ   ପାଇଁ ଖାଇବି ।
- ଏଡିକି ଛୋଟ ବେଳୁ କବିରାଜୀ...
ସେ ମୋ କଥା ଶୁଣି  ହସିଦେଲେ ।ଏହାପରେ ଶହକ ଦୁଇ ଟଙ୍କା ହିସାବରେ, ପାଂଚ ଟଙ୍କାରେ ଅଢେଇ ଶହ ଯଷ୍ଟି ମଧୁ  କିଣି ଘରକୁ  ପ୍ରତ୍ୟାବର୍ତନ କଲି  । ଏହାପରେ ଅନେକ ଥର ମୁଁ ସେଠାକୁ  ଯାଇଛି ଚିକିତ୍ସା ପାଇଁ  । ବୋଉର ଦେହ ଖରାପ  ହେତୁ ଆୟୁର୍ବେଦିକ ଔଷଧ ପାଇଁ ଯାଇଛି  । ଚିକିତ୍ସା ମଧ୍ୟ ଫଳପ୍ରଦ ହୋଇଛି ।  ତେବେ ମୋ ଜାଣତରେ ଦୀର୍ଘ ଅଶୀ ଦଶକରୁ ଏକ ଆୟୁର୍ବେଦ ଅନୁଷ୍ଠାନକୁ  ଏକ କ୍ଷୁଦ୍ର ବୀଜରୁ ବିଶାଳ ମହାଦ୍ରୁମରେ ପରିଣତ କରିବାରେ ଶ୍ରୀଯୁକ୍ତ ପଣ୍ଡାଙ୍କର ଏକ ବିରାଟ ଏକ ନିଷ୍ଠ ସାଧନା ଥିଲା କହିଲେ ଅତୁ୍ୟକ୍ତି ହେବ ନାହିଁ  । ଗୋବିନ୍ଦପୁର ଅଂଚଳ ଇଂରେଜୀ ଅମଳରୁ ଏକ ପୁରାତନ ନାମ ହେଲେ ବି  ଭୌଗଳିକ  ଦୃଷ୍ଟି କୋଣରୁ ଏଠାରେ ସେତେବେଲେ ଗମନା ଗମନ ପାଇଁ ନାଲି ଗୋଡି ମିଶା ମାଟି ରାସ୍ତା ଥିଲା  । ଚିକିତ୍ସା ପାଇଁ ଗୋବିନ୍ଦପୁର ସରକାରୀ ମେଡିକାଲ୍ ଥିଲେ ବି, କୌଣସି କାମକୁ ଆସୁ ନ ଥିଲା । ବାଲିପଡାରେ ବି ଗୋଟେ କ୍ଲିନିକ୍ ଥିଲା । ଯେଉଁଠିକୁ ଡାକ୍ତର ବସନ୍ତ ସ୍ବାଇଁ ଆସୁଥିଲେ ।  ସେତେବେଳେ ଏଲୋପ୍ୟାଥିକ ଚିକିତ୍ସା ପ୍ରତି ଜନ ସାଧାରଣଙ୍କର ଯେପରି ବିଶ୍ୱାସ ଥିଲା,ସେପରି ଭାବରେ ଆୟୁର୍ବେଦ ଚିକିତ୍ସା ପ୍ରତି ଜନ ସାଧାରଣଙ୍କ ବିଶ୍ୱାସ ଥିଲା ।  ତେଣୁ  କବିରାଜୀ ଔଷଧର ବହୁଳ ବ୍ୟବହାର ହେଉଥିଲା  । କିନ୍ତୁ ଶ୍ରୀଯୁକ୍ତ ପଣ୍ଡାଙ୍କ ପ୍ରଚେଷ୍ଟା କ୍ରମେ,ଏପରି ଏକ ନିପଟ ମଫସଲ ଗୋବିନ୍ଦପୁର ଅଂଚଳକୁ  ସର୍ବ ଭାରତୀୟ ସ୍ତରରେ ଆୟୁର୍ବେଦ ପାଇଁ ପରିଚୟ ସୃଷ୍ଟି କରିବା ଏହା ଆମ  ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ ।
ଦୀର୍ଘ ବର୍ଷ ଅତିକ୍ରାନ୍ତ ଅନ୍ତେ  ଗୋବିନ୍ଦପୁର ଅଂଚଳରେ  ଏକ ସାମାଜିକ ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ ଅନ୍ତେ  ସମୟେ ସମୟେ  ଶ୍ରୀଯୁକ୍ତ ସ୍ବପ୍ୱେଶ୍ୱର ପଣ୍ଡାଙ୍କ ସଂସ୍ପର୍ଶରେ ଆସିଲି  । ଜଣେ ସମାଜିକକର୍ମୀ  କେବଳ ଅନ୍ୟାୟ ଅନୀତିକୁ ବିରୁଦ୍ଧ କରିବା ବ୍ୟତୀତ  ପରିବେଶ ପ୍ରତି ଏକ ମୌଳିକ କର୍ତବ୍ୟ ଅଛି ବୋଲି ପ୍ରକାଶ କରୁଥିଲେ । ଜଣେ ଜଣେ କର୍ମୀ ଭାବରେ ପ୍ରତି ଅଂଚଳରେ ଇକୋ କ୍ଲବ ଗଠନ କରି, କ୍ଲବର ପ୍ରତ୍ୟେକ ସଭ୍ୟ/ସଭ୍ୟା,ତାଙ୍କର ଜନ୍ମ ଦିନରେ ବୃକ୍ଷ ରୋପଣ କରି ସ୍ମରଣୀୟ କରନ୍ତୁ ବୋଲି କହୁଥିଲେ ।  ଏତଦ୍ ବ୍ୟତୀତ ସେ କାହାକୁ ନିରୁତ୍ସାହିତ କରୁ ନ ଥିଲେ । ପ୍ରତ୍ୟେକ ମଣିଷରେ ସୁପ୍ତ  ପ୍ରତିଭା ଭରି ରହିଛି, ଏହାକୁ  ଉଜ୍ଜିବୀତ କରି ସାମାଜିକ କାର୍ୟ୍ୟରେ ବିନିଯୋଗ କଲେ, ସମାଜର ବ୍ୟବସ୍ଥାରେ ପରିବର୍ତନ ହେବ ବୋଲି ପ୍ରକାଶ କରୁଥିଲେ ।   ଜଣେ  ଯଶସ୍ବୀ ବ୍ୟକ୍ତିଙ୍କର ଗୁଣ ଗାରିବା ବ୍ୟକ୍ତ କରିବା କଠିନ  ।  ତେଣୁ ମୋର ସୌବାଗ୍ୟ ଯେ, ମୋ ଅଂଚଳର ଦୁଇ ଜଣ  ପ୍ରଥିତଯଶା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଧନ୍ୟ ମନେ କରୁଅଛି  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........