ସୂଚନା ଅଧିକାର ଆଇନ୍ ହେଉଛି ଦୁର୍ନିତୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଏକ ପ୍ରମୁଖ ଅସ୍ତ୍ର ଅଟେ । ତେବେ କେବଳ ଦୁର୍ନିତୀ ନୁହେଁ, ଏହି ଆଇନକୁ ପ୍ରୟୋଗ କରି ସମାଜରେ ହନ୍ତ ସନ୍ତ ହେଉଥିବା ଦୁସ୍ଥ ମାନବର ହିତ ସାଧନ କରାଯାଇ ପାରିବ । ଏତଦ୍ ବ୍ୟତୀତ ପ୍ରଶାସନିକ ସ୍ତରରେ ହେଉ କିମ୍ବା ରାଜନୈତିକ ସ୍ତରରେ ହେଉ, ସମାଜର କୌଣସି ଖରାପ ବ୍ୟବସ୍ଥାକୁ ପରିବର୍ତନ ମଧ୍ୟ କରାଯାଇପାରିବ । ଏହି କଥାକୁ ଚେତାଇବା ଆମର ଓଡିଶା ସୂଚନା ଅଭିଯାନର ଆବାହକ ତଥା ମୋର ମାର୍ଗଦର୍ଶକ ଭାଇ ପ୍ରଦୀପ ପ୍ରଧାନ ସୂଚନାଧିକାରକର୍ମୀମାନଙ୍କୁ ଚେତାଇ ଆସିଛନ୍ତି । ମାତ୍ର ପରିତାପର ବିଷୟ, ସୂଚନା ଅଧିକାର ଆଇନ୍ ମାଧ୍ୟମରେ ପ୍ରଶାସନିକ ଅଧିକାରୀଙ୍କୁ କର୍ମୀମାନେ ବ୍ଲାକ ମେଲିଂ କରୁଛନ୍ତି କିମ୍ବା ଟଙ୍କା ମାଗୁଛନ୍ତି ବୋଲି ଅନେକ ଲୁଟେରା କର୍ମଚାରୀମାନେ ଅମୂଳକ ମନଗଢା କାହାଣୀ ପ୍ରକାଶ କରିଥାନ୍ତି, ଯାହା ଆଦୌ ଶୋଭନୀୟ ନୁହେଁ । ପ୍ରକାଶ୍ୟ ଯେ, ଏହି ସୂଚନା ଅଧିକାର ଆଇନ ୨୦୦୫ ମସିହା ଅକ୍ଟୋବର ୧୨ ତାରିଖ ଠାରୁ ଓଡିଶାରୁ କାର୍ଯ୍ୟକାରୀ ହେଲା । ମାତ୍ର ବିଡମ୍ବନାର ବିଷୟ, ଉକ୍ତ ଆଇନର କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ୫ ଗୋଟି ବିଭାଗକୁ ବାଦ୍ ଦେଇଥିଲେ । ପରେ ପରେ ଆମର ସୂଚନାଧିକାରକର୍ମୀମାନେ ବହୁତ ଘାତ ପ୍ରତିଘାତ ମଧ୍ୟରେ ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଦୁର୍ନୀତିର ଖୁଲସା କରିବା ସହିତ ଅନେକ ଜନ ହିତକର କାର୍ଯ୍ୟ କରିଆସିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ସୂଚନା ଅଧିକାର ଆଇନକୁ ପ୍ରୟୋଗ କରି, ଏକ ଅସହାୟ ମହିଳାକୁ କିପରି ରାସନ୍ କାର୍ଡ ପ୍ରଦାନ କରାଯାଇଛି, ତାହା ନିମ୍ନରେ ବର୍ଣ୍ଣିତ କରାଯାଇଛି । ମଂଜୁଲତା ଭୋଇ ଜଣେ ବିଧବା ମହିଳା । ଦୀର୍ଘ ବର୍ଷ ହେଲା ନିଜର ସ୍ବାମୀଙ୍କୁ ହରାଇଛନ୍ତି । ବେଳେ ବେଳେ ଜୀବନ ରେଖା ପରିବର୍ତନ ହୋଇଯାଏ । ସମୟ ଚକ୍ରରେ ମଣିଷର ସ୍ଥାନାନ୍ତରଣ ହୁଏ । ନିଜର ଏକମାତ୍ର ପୁଅକୁ କଂଟାପଡା ବ୍ଲକର ଭୋଦଳ ଗ୍ରାମରେ ବିବାହ କରିଦେଲା ପରେ, ଅନେକ ସମୟରେ ପାରିବାରିକ କାରଣ ହେତୁ ଇତସ୍ତତଃ ତଥା ଅନ୍ୟତ୍ର ହେଉଥିଲେ । ମଣିଷ ପାଇଁ ଖାଦ୍ୟ ମୌଳିକ ଆବଶ୍ୟକତା ସହିତ ଖାଦ୍ୟ ସୁରକ୍ଷା ଆଇନ୍ ମାଧ୍ୟମରେ ରାସନ ପାଇବା ମଧ୍ୟ ସାମ୍ବିଧାନିକ ଅଧିକାର ଅଟେ । ତେଣୁ ତାଙ୍କର ରାସନ୍ କାର୍ଡକୁ ଅନ୍ ଲାଇନରେ ଆବେଦନ କରିବା ପାଇଁ ଆବଶ୍ୟକୀୟ କାଗଜାତପତ୍ର ସହିତ ମୋ ଜନ ସେବା କେନ୍ଦ୍ରରେ ପହଂଚିଲେ । ମାତ୍ର ପରିତାପର ବିଷୟ, ଆବେଦନକାରୀଙ୍କର ତଥ୍ୟ ପ୍ରଦାନ କଲା ପରେ ଅନ୍ ଲାଇନ ପୋର୍ଟାଲରେ . ଉକ୍ତ ତଥ୍ୟ ଗୁଡିକ ଗ୍ରହଣ କଲା ନାହିଁ । ବରଂ ପୂର୍ବରୁ ତାଙ୍କର ରାସନ କାର୍ଡ ହୋଇ ଯାଇଛି ବୋଲି ଦର୍ଶାଇବା ସହିତ ତାଙ୍କର ରାସନ୍ କାର୍ଡଟି ସହିତ ତାଙ୍କର ଆଧାର ନଂଟି ପଞ୍ଜୀକୃତ ହୋଇଯାଇଛି ବୋଲି ଦର୍ଶାଉଥିଲା । ମାତ୍ର ଏହି ବୃଦ୍ଧା ମାଆ ଜଣକ ରାସନ କାର୍ଡ ପାଇ ନ ଥିଲେ । ବିଡମ୍ବନାର ବିଷୟ,ପୂର୍ବରୁ ତାଙ୍କ ନାମରେ ରାସନ୍ କାର୍ଡ ପଞ୍ଜୀକୃତ ହେବା ସହିତ କେତେ ଖାଦ୍ୟ ସାମଗ୍ରୀ ଉଠାଣ ହୋଇଥିବ, ତାହା ମୋ ପାଇଁ ଅଦ୍ୟାବଧି ଏକ ଅସମାହିତ ପ୍ରଶ୍ନ ବୋଲି ରହିଗଲା ।
ତେବେ ଏହି ବୃଦ୍ଧା ମାଆଙ୍କର ରାସନ୍ କାର୍ଡ ହେବ କିପରି ? କଂଟାପଡା ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ କୌଣସି ସୁଫଳ ମିଳିଲା ନାହିଁ । ଯେଉଁଠି ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସହିତ ରାସନ ଡିଲରମାନଙ୍କ ସହିତ ମଧୁ ଚନ୍ଦ୍ରିକା ହୁଏ,ସେଠାରେ ସାଧାରଣ ଜନତାର ସ୍ବରକୁ ଚାପି ଦିଆଯାଏ । ଜଣେ ସାମାଜିକ କର୍ମୀ ଭାବରେ ଅନ୍ୟର ତଥ୍ୟ ଆବଶ୍ୟକ କରିଥିବାରୁ ମୋତେ ଅଣ ଦେଖା କରାଗଲା । ସର୍ବଶେଷରେ ସୂଚନା ଅଧିକାର ଆଇନ ମାଧ୍ୟମରେ ୨୦୧୫-୨୦୨୧ ବର୍ଷର ଅବଧି ମଧ୍ୟରେ ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର ମଞ୍ଜୁଲତା ଭୋଇଙ୍କ ପଡି କାର୍ଡ ( କାର୍ଡ ନଂ୦୭୦୭୦୨........) ସଂପର୍କରେ ତଥ୍ୟ ପାଇଁ ଆବେଦନ କରାଗଲା । ଏହା ସହିତ . (୧) ବଡ ପାଟସୁନ୍ଦରପୁର ଗ୍ରା.ପ. ସ୍ଥିତ ଭୋଦଳର ମଞ୍ଜୁଲତା ଭୋଇଙ୍କ ପଡି କାର୍ଡ ( ନଂ.୦୭୦୭୦୨୧,,,,,,,,,,) କେତେ ତାରିଖରେ ହୋଇଥିଲା ? (୨) ଏହି କାର୍ଡ (ନଂ. ୦୭୦୭୦୨୧,,,,,,,,,)ଟି କେବେ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରାଗଲା ? (୩) ଏହି କାର୍ଡ ନଂ. ୦୭୦୭୦୨୧,,,,,,,,,)ଟି କେଉଁ ଡିଲର ନିକଟରେ କାର୍ଯ୍ୟ କରୁଥିଲା ଏବଂ ଉକ୍ତ କାର୍ଡରେ କେତେ ପରିପାଣରେ ରାସନ ସାମଗ୍ରୀ ଉଠାଣ କରାଯାଇଛି, ଜାଣିବାକୁ ଚାହୁଁଥିବା ନିର୍ଦ୍ଦିଷ୍ଟ ସୁଚନାର ବିବରଣୀ ପାଇଂ ଆବେଦନ କରାଯାଇଥିଲା । ମାତ୍ର ପରିତାପର ବିଷୟ, ଏକ ମାସ ବିତି ଯାଇଥିଲେ ମଧ୍ୟ ଏହାର ତଥ୍ୟ ମିଳି ନ ଥିଲା । ବରଂ ଆପୋଷ ସମାଧାନ ପାଇଁ ଜନୈକ ରାସନ ଡିଲରଙ୍କ ଦ୍ୱାରା ଏକ ଚାପ ସୃଷ୍ଟି କରାଗଲା । ଜଣେ ସୂଚନାଧିକାରକର୍ମୀ କୌଣସି ଏକ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ଆବେଦନ କଲା ପରେ, ଆବେଦନ କରିବାର ୩୦ ଦିନ ମଧ୍ୟରେ ଲୋକ ସୂଚନା ଅଧିକାରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ ସହିତ କାଗଜାତ ପତ୍ର କରିବା ପାଇଁ ବାଧ୍ୟ ଅଟନ୍ତି । ଅବଶ୍ୟ କଗଜାତ ନଥି ପତ୍ରର ଜେରକ୍ସ ପାଇଁ ଆବେଦନକାରୀଙ୍କୁ ଦୁଇ ଟଙ୍କା ଦେବା ପାଇଁ ପଡିଥାଏ । ଯଦି ଉକ୍ତ ୩୦ ଦିନ ମଧ୍ୟରେ ତଥ୍ୟ ପ୍ରଦାନ ନ କରନ୍ତି,ଏହାପରେ ପ୍ରଥମ ଅପିଲ କରିବା ପାଇଁ ପ୍ରଥମ ଅପିଲ୍ କତୃପକ୍ଷଙ୍କ ନିକଟରେ ଫର୍ମ-ଘ ମାଧ୍ୟମରେ ନିୟମ ୭(୧)ଦ୍ରଷ୍ଟବ୍ୟ ଅଧିନିୟମ ଧାରା ୧୯(୧) ଅନୁଯାୟୀ ଏକ ଅପିଲ ସ୍ମାରକ ଫର୍ମରେ ଆବେଦନ କରାଯାଇଥାଏ । କିନ୍ତୁ ଏ ଘଟଣାରେ ଆବେଦନକାରୀ ପ୍ରଥମ ଅପିଲ ପାଇଁ ରାଜି ନଥିଲେ । ବରଂ ପୂର୍ବରୁ ରାସନ ଡିଲର ଜଣକ ଯାହା ଖାଇ ଥିଲା ଖାଇଥାଉ ଏବଂ ତଥ୍ୟ ମଧ୍ୟ ନ ମିଳୁ ଆଉ କୌଣସି ମତେ ନୂତନ ରାସନ୍ କାର୍ଡ ହୋଇଯାଉ ବୋଲି ଭାବୁଥିଲେ । ପରିଶେଷରେ ଆବେଦନକାରୀ ନୀରବଦ୍ରଷ୍ଟା ହୋଇ ନୂତନ ରାସନ କାର୍ଡ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରେ ପରେ ସୁପରିକଳ୍ପିତ ସୂଚନାନୁସାରେ ସ୍ଥାନୀୟ ରାସନ ଡିଲରଙ୍କ ନିକଟରେ ଉକ୍ତ ବୃଦ୍ଧା ମାଆଙ୍କର କାର୍ଡ ହୋଇ ଯାଇଛି ବାବବରେ ସୂଚନା ପହଂଚିଥିଲା । ବର୍ତମାନ ଚାରିମାସ ହେଲା ଉକ୍ତ ବୃଦ୍ଧା ମାଆଙ୍କୁ ଚାଉଳ ମିଳୁଅଛି ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...
No comments:
Post a Comment
ହୃଦୟର ଶରଧା ସହିତ...........