ମନିଷୀ ବାର୍ତ୍ତାର ମହାମନିଷୀ "ଧର୍ମାନନ୍ଦ"


       ମନିଷୀ ବାର୍ତ୍ତା ମହାମନିଷୀ "ଧର୍ମାନନ୍ଦ" 
          ଚାହୁଁ ଚାହୁଁ ତିନି ବର୍ଷ ବିତି ଗଲା ।  ସନ୍ଥ ଧର୍ମାନନ୍ଦଙ୍କ ପାର୍ଥିବ ଶରୀର ପଞ୍ଚ ଭୂତରେ
ବିଲ୍ଲୀନ ହୋଇଗଲା ସିନା,ଅଦ୍ୟାବଧି ବାଲିପାଟଣା ବଜାର ସ୍ଥିତ କର୍ମଭୂମିରେ, ଉକ୍ତ ସନ୍ଥଙ୍କ ସାଧନାର ସୁରଭି  ଘୁରି ବୁଲୁଛି   ଅନେକ ଛାତ୍ରଙ୍କ ହୃଦୟରେ, ସାଧକମାନଙ୍କ ହୃଦୟରେ ବିଭିନ୍ନ ଅନୁରାଗୀଙ୍କ ହୃଦୟରେ  ।  ଏକଦା ସମୟରେ  କୁଶକଂଟା   ମଠାଧୀଶ ସନ୍ଥ ବାହୁଡାଙ୍କର ଜମି କ୍ରୟ ସମୟରେ  ବାଲିପାଟଣାର ବିଭିନ୍ନ ଅଂଚଳ  ବୁଲିବା ସହିତ ଚାନ୍ଦା ସଂଗ୍ରହ କରୁଥିଲୁ । ଏହି ସମୟରେ  ସଂପର୍କ ହୁଏ ସନ୍ଥ ଧର୍ମାନନ୍ଦଙ୍କ ସହିତ  । ଶିଶୁ ସାହିିତ୍ୟିକ ବାବାଜୀ ଭୋଇଙ୍କ ପରାମର୍ଶ କ୍ରମେ ଆମେ  ଚାରି/ପାଞ୍ଚ ଜଣ ଦିନେ ସନ୍ଧ୍ୟା ସମୟରେ, ସନ୍ଥ ଧର୍ମାନନ୍ଦ ନିବାସ କରୁଥିବା  ବାଲିପାଟଣା ସ୍ଥିତ  ତାଙ୍କର ପର୍ଣ୍ଣ କୁଟୀରରେ ପହଞ୍ଚିିିଲୁଲ  । ପରସ୍ପର ପରିଚୟ ଏବଂ ଆଗମନର ଅଭିପ୍ରାୟ କଥୋପକଥନ ଅନ୍ତେ କିଛି ସମୟ ଆଧ୍ୟାତ୍ମିକ ଆଲୋଚନାରେ ସମୟ ବ୍ୟତୀତ ହୋଇଗଲା । ତେବେ ଉକ୍ତ ଆଧ୍ୟାତ୍ମିକ ଆଲୋଚନାରେ ଏକ ମାନବ ଜୀବନର ଦୈନନ୍ଦିନ ଜୀବନ ନିର୍ବାହ ସହିତ ଆତ୍ମ ସାକ୍ଷାତକାର ସଂପର୍କରେ ସମ୍ୟକ ସୂଚନା ଥିଲା । ପରେ ପରେ ସନ୍ଥ ଧର୍ମାନନ୍ଦଙ୍କ ସ୍ବହସ୍ତରୁ ସ୍ବରଚିତ “ମନିଷୀ ବାର୍ତ୍ତା” ପୁସ୍ତକକୁ ଏକ ପ୍ରିତୀ ପୂର୍ଣ୍ଣ ଉପହାର  ଭାବେ ଗ୍ରହଣ କରି ଘରକୁ ପ୍ରତ୍ୟାବର୍ତନ କଲୁ  ।
  ପୂର୍ବରୁ ସମ୍ୟକ ଆଲୋଚନା କ୍ରମେ ମୋ ମାନସ ପଟ୍ଟରେ  ସନ୍ଥ  ଧର୍ମାନନ୍ଦ  ଜଣେ ସାଧାରଣ ମଣିଷ ଭାବରେ ପ୍ରତୀୟମାନ ହୋଇଥିଲେ । କିନ୍ତୁ  ସମୟାନୁକ୍ରମେ ତାଙ୍କର ସ୍ବରଚିତ ପୁସ୍ତକ ଗୁଡିକୁ ପାଠ କଲାପରେ , ସେ ଜଣେ ଅଦ୍ୱିତୀୟ ସାଧକ ଭାବରେ ଅନୁଭବ କରୁଥିଲି  ।  ପରିଚୟ ଅନୁସାରେ  “ସନ୍ଥ ଧର୍ମାନନ୍ଦ”  ଓରଫ୍ ଶ୍ରୀଯୁକ୍ତ ଧର୍ମାନନ୍ଦ ନାୟକ  ଖୋର୍ଦ୍ଧା ଜିଲ୍ଲାସ୍ଥ ବାଲି ପାଟଣା ଗ୍ରାମରେ ପିତା ହାଡିବନ୍ଧୁ ନାୟକ ଓ ମାତା ଭାନୁମତୀ ନାୟକଙ୍କ ଔରସରୁ ଏକ ଦିବ୍ୟ ମୁହୁର୍ତ୍ତରେ-୦୭/୦୧/୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।  ଜଣେ  ଛାତ୍ର ବତ୍ସଳ ଶିକ୍ଷକ  ଭାବରେ  ସ୍ବ ବୃତିଗତ ଜୀବନ  ନିର୍ବାହ ସମୟର ବ୍ରହ୍ମର୍ଷି ପାଗଳାନନ୍ଦଙ୍କ ସାନିଧ୍ୟରେ ଆତ୍ମ  ସାଧନାରେ ନିଜକୁ ନିମଜ୍ଜିତ କରିଥିଲେ । ଏତଦ୍ ବ୍ୟତୀତ ଯୁବକ ମାନଙ୍କ ସହିତ ମିଶି ବିଭିନ୍ନ ସାମାଜିକ  ଓ ସାଂସ୍କୃତିକ ଅନୁଷ୍ଠାନ ଗଠନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରୁଥିଲେ । ବିଶେଷ କରି  ନିଜର ସାଧନା ପାଇଁ  କାମିନୀ କାଞ୍ଚନ ତୁଚ୍ଛ ମଣିବା ସହିତ , ନିଜର ବୃତ୍ତିଗତ ଜୀବନ ସମୟରେ ଏକ ପର୍ଣ୍ଣ କୁଟୀରରେ ଏକକ ଜୀବନ ଅତି ବାହିତ କରୁଥିଲେ ।  ଉକ୍ତ  କୁଟୀରକୁ ବିଭିନ୍ନ ସାଧକ, ଆଧ୍ୟାତ୍ମିକ ଜ୍ଞାନ ସଂପନ୍ନ ବ୍ୟକ୍ତି, ସଙ୍ଗଠକ,ଯୁବକ ଏବଂ  ଛୋଟ ପିଲାମାନେ ମଧ୍ୟ ଆସୁଥିଲେ । ଅନେକ ସାମାଜିକ ବନ୍ଧୁମାନଙ୍କ  କଥିତାନୁଯାୟୀ ସେ କାହାକୁ ରିକ୍ତ ହସ୍ତରେ ପ୍ରତ୍ୟାବର୍ତନ କରିବା ପାଇଁ ଦେଉ ନ ଥିଲେ । ଛୋଟ ପିଲାଙ୍କୁ ଚକୋଲେଟ୍ ଦେବା ସହିତ ବୟସ୍କମାନଙ୍କୁ ପୁସ୍ତକ ଉପହାର ପ୍ରଦାନ କରିବା, ଶ୍ରୀଯୁକ୍ତ ନାୟକଙ୍କ ଏକ ସୁ ସହଜାତ ପ୍ରବୃତ୍ତି ଥିଲା କହିଲେ  ହେବ ନାହିଁ  ।   ଶ୍ରୀଯୁକ୍ତ ନାୟକ ପ୍ରଚୁର ପୁସ୍ତକ ପଠନ କରିବା ସହିତ  ଆଧ୍ୟାତ୍ମିକ ସାହିତ୍ୟ ରଚନା କରିବା ଏକ ସୁଗୁଣ ଥିଲା  । ବିଶେଷ କରି ତାଙ୍କର ଆତ୍ମ ଦର୍ଶନ ଉପଲବ୍ଧିକୁ ସୁନ୍ଦର ଭାବରେ  କବିତା ପୁସ୍ତକ ଏବଂ ରେଖା ଚିତ୍ରଗୁଡିକ ମାଧ୍ୟମରେ ଦର୍ଶାଇଛନ୍ତି. ଯାହା ଅଧୁନା ସମୟରେ ନବାଗତ ସାଧକମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ କହିଲେ  ଅତୁ୍ୟକ୍ତି ହେବ ନାହିଁ  । ପୃଥିବୀର ବିଭିନ୍ନ ସାଧୁ ସନ୍ଥ, ମହାପୁରୁଷ ଏବଂ ସଙ୍ଗଠକଙ୍କର ମହତ୍ ବାଣୀକୁ ସମାବେଶ କରି “ମନିଷୀ ବାର୍ତା”  ନାମରେ ଏକ ନୀତିବାଣୀ ପୁସ୍ତକ ପ୍ରକାଶ କରିବା, ଏହା ତାଙ୍କର ଏକ ଅନବଦ୍ୟ କୃତି ଅଟେ ।  
ସମୟାନୁକ୍ରମେ ଭାରତୀୟ ଯୁବ ସଂବାଦରେ ସାଂବାଦିକ ଭାବେ କାର୍ଯ୍ୟ କରୁଥିବା
ସମୟରେ ଦୈନନ୍ଦିନ ମହତ୍ ବାଣୀ  ଗୁଡିକୁ ଏକ  ଫର୍ମାଟରେ ସଂପାଦନା କରିବା ସହିତ ପ୍ରକାଶ କରିବାର ସୁଯୋଗ ପାଇଲି  ।  ପୁନଃ ସନ୍ଥ ଧର୍ମାନନ୍ଦଙ୍କ ସ୍ବରଚିତ “ମନିଷୀ ବାର୍ତା”  ପୁସ୍ତକ ମନନ ହେଉଥିଲା ।  କାରଣ ସେତେବେଳେ ତାଙ୍କର ପ୍ରଦତ ପୁସ୍ତକ ମୋ ନିକଟରେ ନ
ଥିଲା, ଜଣେ ବନ୍ଧୁ ମୋ ଠାରୁ ନେଇ, ତାହା ଫେରାଇ ନ ଥିଲେ ।  ଉକ୍ତ ପୁସ୍ତକ ଆଶାରେ ପୁନଃ ବାଲି ପାଟଣା  ଗମନ କରିଥିଲି  । ମାତ୍ର ମୋର ଦୁର୍ଭାଗ୍ୟ, ସନ୍ଥ  ଧର୍ମାନନ୍ଦଙ୍କ ସ୍ବଶରୀରେ ଦର୍ଶନ ଲାଭ କରିବାରୁ ବଂଚିତ ହେଲି  । ସେ ଇହଧାମ ତ୍ୟାଗ କରିଥିଲେ । ମନ ବୁଝୁ ନ ଥିଲା । ଅନତି ଦୂରରେ ଥିବା ସନ୍ଥ ଧର୍ମାନନ୍ଦଙ୍କ ପୈତୃକ ଗୃହକୁ ପହଂଚିଲା ପରେ, ତାଙ୍କର ସୁପୁତ୍ର ଭାଇ ଜଗଦୀଶ ନାୟକଙ୍କ ସହିତ ଦର୍ଶନ ହେଲା  । ପରସ୍ପର ପରିଚୟ ଓ ଆଗମନ ଅଭିପ୍ରାୟ  କଥୋପକଥନ ଅନ୍ତେ,ପୁନଃ “ମନିଷୀ ବାର୍ତା” ପୁସ୍ତକ କୁ ବିନା ମୂଲ୍ୟରେ ମୋତେ ଉପହାର ପ୍ରଦାନ କଲେ । ପରେ ପରେ  ଭାରତୀୟ ଯୁବ ସଂବାଦରେ ସନ୍ଥ ଧର୍ମାନନ୍ଦଙ୍କ ସଂପାଦିତ ବାଣୀ ଗୁଡିକ ପ୍ରକାଶ ପାଇଥିଲା ଏବଂ ସୋସିଆଲ ମେଡିଆରେ ବହୁଳ ଭାବରେ ପ୍ରସାରିତ ହୋଇ ଜନ ଆଦୃତ ମଧ୍ୟ ହୋଇଥିଲା । ସମୟାନୁକ୍ରମେ ସନ୍ଥ ଧର୍ମାନନ୍ଦଙ୍କ କେତେ ଗୁଡିଏ ପୁସ୍ତକ ପାଠ କରିବା ସହିତ ଦୁର୍ଲଭ ଆଧ୍ୟାତ୍ମିକ ରେଖା ଚିତ୍ର ଗୁଡିକୁ ଦର୍ଶନ କରିବାର ସୁଯୋଗ ଲାଭ କରିଛି  । ଏହାର ଅବ୍ୟକ୍ତ ଅନୁଭବକୁ ହିଁ କେବଳ ଅନୁଭବୀ ହିଁ ଜ୍ଞାତ, ଅନ୍ୟଥା ଏହା କଲମର ଲେଖା କିମ୍ବା କଂପୁ୍ୟଟରର କୀ ବୋର୍ଡରେ ପ୍ରକାଶ କରିବା ଅସମ୍ଭବ  ।
                                ସାଧନା ଜୀବନରେ ଏକ ସାଧକର ପୂର୍ଣ୍ଣତା  ପରେ, ଉକ୍ତ ସାଧକ ସ୍ବସାଧନାର ତପୋବଳକୁ  ସମାଜର ମଙ୍ଗଳ  ଏବଂ ଜନ ହିତ ପାଇଁ ନିୟୋଜିତ କରିଦେଇଥାନ୍ତି  । ଉକ୍ତ ସାଧକଙ୍କୁ  ଜଣେ ସନ୍ଥ କହିଲେ ଭୁଲ୍ ହେବ ନାହିଁ । କିନ୍ତୁ ସଂଯୋଗ ବଶତଃ ଉକ୍ତ ସନ୍ଥଙ୍କ ସଂସ୍ପର୍ଶରେ ଆସିବା ପରେ, ବେଳେ ବେଳେ କିଛି ବ୍ୟକ୍ତିଙ୍କ ଏକ ନୈସର୍ଗିକ ସଂପର୍କ ସ୍ଥାପିତ ହୋଇଯାଇଥାଏ । ଉକ୍ତ ସଂପର୍କର ଏକ ଅବ୍ୟକ୍ତାନୁଭୂତି ମନ ଗହନରେ  ଏକ ଦିବ୍ୟ ଅନୁଭବ  ଭାବେ ପ୍ରତୀୟମାନ ହେଉଥାଏ ସିନା ପ୍ରକାଶ କରି ହୁଏ ନାହିଁ  । କାରଣ ମାନବର  ଅବୟବ ସ୍ଥୂଳ ଶରୀର ଓ ସୁକ୍ଷ୍ମ ଶରୀରର ସମିଶ୍ରଣରେ ଗଠିତ  । ସ୍ଥୂଳ ଶରୀର  କିମ୍ବା ପାର୍ଥôବ ଶରୀର ପରିବର୍ତିତ ହୋଇ  ସର୍ବ ଶେଷରେ ବିଲୟ  ହୋଇଥାଏ । କିନ୍ତୁ ସୁକ୍ଷ୍ମ ଶରୀର ଗତି କେଉଁଠି ? “ଉଦ୍ଧରେଦାତ୍ମନାତ୍ମାନ୍ଂ”  ନ୍ୟାୟରେ ସତରେ ଆତ୍ମାକୁ କଣ ଆତ୍ମା ଉଦ୍ଧାର କରେ ?  ଏହା କେବଳ ଅନୁଭବ ସିଦ୍ଧ ଅଟେ  । ସୁକ୍ଷ୍ମ ଶରୀରକୁ ଅନୁଭବ କରିବା ପାଇଁ ସ୍ବ ସୁକ୍ଷ୍ମ ଚେତନାକୁ ଜାଗ୍ରତ କରିବା ସହିତ ସୁକ୍ଷ୍ମ ତତ୍ୱକୁ ଅନୁଭବ କରିବା ଆବଶ୍ୟକ  । ଏତଦ୍ ବ୍ୟତୀତ  ଉକ୍ତ ସୁକ୍ଷ୍ମ ଶରୀରକୁ ସୃଷ୍ଟିର ସୁକ୍ଷ୍ମ ତତ୍ୱ ସହିତ   ଆତ୍ମ ସାଧନା ମାଧ୍ୟମରେ ସଂଯୋଜିତ କରିବାର  ପ୍ରକ୍ରିୟା ଏକ ଗହନ ପାଠ ହେଲେ ମଧ୍ୟ ଜଣେ ଅନୁଭବ ସିଦ୍ଧ ସାଧକଙ୍କ ଦ୍ୱାରା ସହଜ ସାଧ୍ୟ ହୋଇପାରେ । କାରଣ ସନ୍ଦେହ ହେଉଛି ସାଧନାର ପ୍ରଧାନ ଅନ୍ତରାୟ । ସନ୍ଦେହ ନାଶ ହେଲେ ବିଶ୍ୱାସ ସୃଷ୍ଟି ହୋଇଥାଏ । ବିଶ୍ୱାସ ସୃଷ୍ଟି ପରେ ଜ୍ଞାନର ଉଦୟ ହୋଇଥାଏ । ଜ୍ଞାନର ଉଦୟ ହେଲେ ଭକ୍ତି ସୃଷ୍ଟି ହୋଇଥାଏ । ଏହାପରେ ସାଧକ ଉକ୍ତ ଭକ୍ତି ଦ୍ୱାରା ପ୍ରେମ ତତ୍ୱ ମଧ୍ୟରେ ବୁଡି ରହେ । ସେତେବେଳେ ଆତ୍ମା ଆନନ୍ଦ ସ୍ବରୁପକୁ ଅନୁଭବ କରେ  । ଯାହାକୁ ଭାଷାରେ ପ୍ରକାଶ କରା ଯାଇ ପାରିବ ନାହିଁ  । ତେଣୁ ଏହାକୁ ଅବ୍ୟକ୍ତ କୁହାଯାଏ ।
ଆଜି ସନ୍ଥ ଧର୍ମାନନ୍ଦ ନାହାନ୍ତି ସତ୍ୟ,ଅଦ୍ୟାବଧି ସନ୍ଥ ଧର୍ମାନନ୍ଦଙ୍କ ସାଧନାର ସୁରଭି ବାଲିପାଟଣାର ପ୍ରତି କୋଣ ଅନୁକୋଣରେ ବିଛୁରିତ ହୋଇ ମହକାଉଛି, ଏହି ଦିବ୍ୟ ଅନୁଭବକୁ କେବଳ ଜଣେ ଅନୁଭବୀ ହିଁ ଅନୁଭବ କରି ପାରିବ  ।  ସନ୍ଥଙ୍କର ଏକକ ଜନ୍ମ ମଧ୍ୟରେ   ସମାଜ କଲ୍ୟାଣ  କାର୍ଯ୍ୟ ସରି ନଥାଏ  । ସନ୍ଥଙ୍କର   ବିଭିନ୍ନ ସାମାଜିକ କଲ୍ୟାଣ ଏବଂ ସ୍ବ ଆଧ୍ୟାତ୍ମିକ ସାଧନା ମଧ୍ୟରେ ପୂର୍ଣ୍ଣତା ଆସିଥାଏ ସତ୍ୟ, କିନ୍ତୁ ସମୟେ ସମୟେ  ହୃଦୟରେ ଚେତନା ଜଗାଇବା ପ୍ରରିପ୍ରେକ୍ଷୀରେ କୌଣସି ମହତ୍ କାର୍ଯ୍ୟ ହେଉ ଅବା ଅଧୁରା କାର୍ଯ୍ୟକୁ ସମାପନ କରିବା ପାଇଁ,  ସନ୍ଥଙ୍କର ସୁକ୍ଷ୍ମ ଶରୀରର ଅନୁଭବ ବିଭିନ୍ନ ସ୍ଥାନରେ ହୋଇଥାଏ । ଏହା ତାଙ୍କ ସାଧନା ପୀଠରେ ହେଉ କିମ୍ବା ବିଭିନ୍ନ  ସ୍ଥାନରେ ହେଉ, ଯାହା ଅଧୁନା ସମୟର ଅପ୍ରାସଙ୍ଗିକ ହେଲେ ମଧ୍ୟ ସତ୍ୟ ଅଟେ । 
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........