ପିଲା ଦିନରୁ କିଛି ହଜିଗଲା

ସହପାଠୀ ସୁକାନ୍ତର ବିୟୋଗରେ
                      ବନ୍ଧୁ, ବର୍ଷ ପରେ ବର୍ଷ ଚାଲିଯିବ । ମାସ ପରେ ମାସ ଚାଲିଯିବ । ଦିନ ପରେ
ଦିନ ଚାଲିଯିବ । ସବୁ କିଛି ଥିବ  । ହେଲେ ତୁ ଆଜି ନାହୁଁ  । ମୁଁ  ଆଗାମୀ ଦିନରେ ନ ଥିବି  । ଏମିତି ଅକାଳରେ ତୁ ଚାଲି ଯିବା, କାହିଁ ମୋତେ ବିଶ୍ୱାସ ଲାଗୁନାହିଁ ।  ଅଡଶପୁର ହାଟରେ  ପରିବା କିଣିବା ବେଳେ କାଲି ପରି ଲାଗୁଛି । "ମାଧ କେମିତି ଅଛୁ" ବୋଲି ସବୁ ଥରକ ପରି ପଦେ ପଦେ ହସ ହସ କଥା  । ହେଲେ ଆଉ ମୁଁ   ତୋତେ ଆଉ ଶୁଣି ପାରିବି ନାହିଁ କି ଦେଖି ପାରିବି ନାହିଁ  ।  ଅକାଳରେ ଲୁଚି ଗଲୁ କାଳର ଗହ୍ୱରରେ  ।
ବହୁତ କଥା ମନେ ପଡେ  । ସୁକାନ୍ତ ସ୍ବାଇଁ ବଡ ଖାଲ ଗ୍ରାମର ଜଣେ ପିଲା ଦିନର ବିଦ୍ୟାଳୟ ସହ ପାଠୀ  । ୧୯୮୮ ମସିହାରେ ବ୍ରାହ୍ମଣ ସାଇଲୋ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠ ପଢୁଥିଲା ବେଳେ ଆମ ସଂପର୍କର ଅୟମାରମ୍ଭ  । ଧିରେ ଧିରେ ଅଷ୍ଟମରୁ ପଢିଲା ପର ଠୁ ଆମର ଘନିଷ୍ଠତା ବଢି ଗଲା  । ସୁକାନ୍ତ  ପାଠରେ ଭଲ ଛାତ୍ର  ନ ଥିଲା ସତ, କିନ୍ତୁ ସରଳ ଅମାୟିକ ହୃଦୟ ର ସାଦା ସିଦା ପିଲାଟେ ଥିଲା । ଶ୍ୟାମଳ ରଙ୍ଗର କୁଂଚୁ କୁଂଚିଆ ଚୁଟି ସହିତ ହସ ହସ ମୁହଁ  ।  ତେବେ ଏ ସମୟରେ ଖାଲ ଗାଁର ଅନେକ ପିଲା ଆମ ସହିତ ପଢୁଥିଲେ ବି ସୁକାନ୍ତ ସହିତ ସଂପର୍କ ଅନ୍ୟ ପ୍ରକାର ଥିଲା । ବିଶେଷ କରି ସେତେବେଳେ  ବ୍ରାହ୍ମଣ ସାଇଲୋ ବିଦ୍ୟାଳୟ ଓ  ଖାଲ ଗାଁ ମଧ୍ୟରେ ଏକ କିଲୋ ମିଟର ଧାନ ବିଲ ଗହୀର ହିଁ ଏକ ମାତ୍ର ଗମନା ଗମନ ମାଧ୍ୟମ ଥିଲା । ବର୍ଷା ଦିନେ କାଦୁଅ ଚକଟି ଚକଟି ଖାଲ ଗାଁର ପିଲା ନଅଟା ବେଳୁ ବାହାରି ପ୍ରାୟ ଦିନ ୧୧ଟା ସମୟରେ ବିଦ୍ୟାଳୟରେ ପହଂଚୁଥିଲେ  । କିନ୍ତୁ ସୁକାନ୍ତ ନିଆରା ଥିଲା । 
               ଶ୍ରେଣୀରେ ପଢିଲା ବେଳେ “କ” ଓ “ଖ” ଭାବରେ ଦୁଇ ବିଭାଗ କରି ଦିଆଗଲା । “ଖ” ବିଭାଗରେ ସୁକାନ୍ତ ଥିବାରୁ ପରସ୍ପର ଘନିଷ୍ଟତା ଆହୁରି ବଢି ଗଲା  । ଟିଉସନ ହେଉଥିବାରୁ ମୋର ହୋମ୍ ଟ୍ୟାକ୍ସ ସମାପନରେ କିଛି ଅସୁବିଧା ନ ଥିଲା । ମାତ୍ର ସୁକାନ୍ତର ପରିବାର ସ୍ବଚ୍ଛଳ ନ ଥିଲା ଓ ଘରେ ଅଭିଭାବକ ବି ପଢାଶୁଣା ନଥିଲେ । ବିଚରା ମୋ ଖାତାକୁ ନେଇ  ହୋମ୍ ଟ୍ୟାକ୍ସ ପାଇଁ ଟିପୁଥିଲା । ତା ପ୍ରତି ବଦଳରେ  ଆମେ  ଖେଳ ଛୁଟିରେ ଏକାଠି ହେଉଥିଲୁ  । ଋତୁ ଅନୁଯାୟୀ ଆମ ମଧ୍ୟରେ ଆମ୍ବ, ତେନ୍ତୁଳି ଓ ପିଜୁଳିର ବହୁତ ସଦ୍ ବ୍ୟବହାର ହେଉଥିଲା । ବିଦ୍ୟାଳୟ ପଛ ପଟେ ଥିଲା ଦୁଇଟି ତେନ୍ତୁଳି ଗଛ ଆଉ ଆମ୍ବ  ତୋଟା  ।  ପ୍ରାୟତଃ ସେଠାରେ କିଆ ଗୋହିରୀ ଥିବାରୁ କିଛି ପିଲା , ତା ମଧ୍ୟରେ ପଶିବାକୁ ସାହାସ କରୁ ନ ଥିଲେ । କିନ୍ତୁ ସୁକାନ୍ତ୍ ତା ମଧ୍ୟରେ ପଶି ପଡିଥିବା,ତେନ୍ତୁଳି ଓ ଆମ୍ବଗୁଡିକୁ ଗୋଟାଇ ଆଣୁଥିଲା । ସେ ମଧ୍ୟ ଘରୁ  ଲଙ୍କା ଲୁଣ ଗୁଣ୍ଡ କରି ନେଇ ଆସିଥାଏ । ସେଗୁଡିକୁ ଖେଳ ଛୁଟିରେ ସାଙ୍ଗ ମଧ୍ୟରେ ଛଡା ଛଡି ହୋଇ ଖାଇବାରେ ଯେଉଁ ମଜା, ଅଧୁନା ଯୁଗର ପିଲା ବୂଝି ପାରିବେ ନାହିଁ । ଘରକୁ ଫେରିଲା ବେଳେ ବର୍ଷା ଦିନେ ପରସ୍ପରକୁ କାଦୁଅ ପକାଇ କାଦୁଅ କରିବା, ଏହାର ଆତ୍ମୀୟତା ବିଂଶ ଶତାଦ୍ଦୀର ପିଲା କେବେ ବି ଅନୁଭବ କରି ପାରିବେ ନାହିଁ  ।  
                      ପରସ୍ପର ପଢିବା ପରେ ଦଶମ ଶ୍ରେଣୀ ହୋଇଗଲା । ସେ ଟେଷ୍ଟ୍ ପରୀକ୍ଷାରେ ଅନ୍ ଟେଷ୍ଟ ହୋଇଗଲା । ଅନ୍ ଟେଷ୍ଟ  ହୋଇ  ସୁକାନ୍ତ ବହୁତ ମନ ଦୁଃଖ କରୁଥିଲା । ଏହା ପର ଠୁ ଆମ ଗାଁ ଓ ବଡ ଖାଲ ଗ୍ରାମ ମଧ୍ୟରେ ପ୍ରାୟ ଦେଢ କିଲୋ ମିଟର ଦୂରତା ହେଲେ ମଧ୍ୟ, ମୋ  ନିକଟକୁ ଚିଠି ଲେଖିବା ଆରମ୍ଭ ହୋଇ ଗଲା । ସେ ଏପରି ମୋର ବିଦ୍ୟାଳୟ ସହପାଠୀ ଥିଲା, ଯାହାଠୁ ମୁଁ ପ୍ରତିମାସରେ ଖଣ୍ଡେ ହେଲେ ବି ଯେମିତି  ଚିଠିଟେ ପାଉ ଥିଲି । ସେ ସମୟରେ ମୋବାଇଲ୍ ଫୋନ  ନ ଥିବାରୁ ପରସ୍ପର ଚିଠି ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିବା ଏକ ମାତ୍ର ମାଧ୍ୟମ ଥିଲା । ପ୍ରତି ମାସରେ  ତାର ଚିଠି ଖଣ୍ଡେ ନ ପାଇଲେ ମନଟା କିଲ୍ ବିଲ୍ ହୋଇ ଲାଗୁଥିଲା ।   ତା ଚିଠି ମୋତେ ବହୁତ ଭାବ ପ୍ରବଣ କରି ଦେଉଥିଲା । କେତେ ବେଳେ ପାଠ ଭଲ ନ ହେବା, ପରିବାରର ଗରିବୀ ପଣିଆ ଓ କୈଶୋରର ପହିଲି ପ୍ରେମ  ଏମିତି ସବୁ କିଛି ମୋ ସହିତ ତାର ସୁଖ ଦୁଃଖକୁ ବାଂଟୁ ଥିଲା । ପ୍ରାୟ ଚିଠିରେ ସ୍କୁଲ୍ ଜୀବନର କଥା  ଲେଖୁଥିଲା ।  ସ୍କୁଲରେ ପଢିଲା ବେଳେ କେତେ ଆମେ ବୁଲୁଥିଲୁ ଆଉ କଥା ହେଉଥିଲୁ । ସେହିପରି ତୁ ଚିଠିଟିଏ ଦେଲେ, ମୋତେ ଲାଗେ, ତୁ ଯେପରି ଚିଠିଟିକୁ ମୋ ନିକଟରେ ଆସି ପଢି ଦେଉଛୁ ।  ଚିଠିଟିକୁ ଦେଖିଲା ବେଳକୁ ତୋର ଛବି ଦେଖାଯାଏ । ତୁ ହଏତ ମୋତେ ମିଛ ଭାବୁଥିବୁ । ହେଲେ ଏ କଥା ସତରେ ???
ଆଜି ସେ ଭାବ ପ୍ରବଣ ଚିଠି ଗୁଡିକୁ ଦେଖିଲେ , ଆଖି  ଛଳ ଛଳ ହୋଇଯାଏ । ସୁକାନ୍ତ ଆଉ ପଢିଲା ନାହିଁ  । କାମ କରିବା ପାଇଁ ବାହାର ରାଜ୍ୟକୁ ପଳାଇଲା । କିଛି ବର୍ଷ ପରେ ଭୁବନେଶ୍ୱରର ଏକ ହୋଟେଲରେ  କାମ କଲା  । ପରସ୍ପର ଫୋନ ନମ୍ବର ଆଦାନ ପ୍ରଦାନରେ ସଂପର୍କ  ହେଲା । ହେଲେ ଯେ ଯାହା କାମରେ ଆମେ ବହୁତ ବ୍ୟସ୍ତ ଥିଲୁ  । ଦିନେ  ସୁକାନ୍ତ ତାର ଆଧାର କରିବା ପାଇଁ ମୋ ଜନ ସେବା କେନ୍ଦ୍ରକୁ ଆସିଲା  । ବହୁତ କଥା ଆମେ ହେଲୁ  । ପୁୁରୁଣା ପ୍ରେମ କଥା ପଚାରିଲି  । ମାତ୍ର ମୁହଁ ଶୁଖାଇ ଦେଲା  । ପ୍ରେମ ବିବାହରେ ଘରେ ରାଜି ନ ଥିଲେ । ପ୍ରେମିକା  ଘରୁ ପଳାଇଯାଇ ରେଜିଷ୍ଟ୍ରି ବିବାହ ପାଇଁ କହୁଥିଲା । ମାତ୍ର ସୁକାନ୍ତ ବାପା ବୋଉଙ୍କୁ ମୁହଁକୁ ଚାହିଁ ରାଜି ହେଉ ନ ଥିଲା ।  
ଏମିତି ଦିନେ ପ୍ରେମିକା ଆସି ତା ନିକଟରେ ଆସି ବସିଲା  । ତମକୁ କହିଲି ତୁମେ ଗଲ ନାହିଁ, ଆଉ ମୋତେ ତୁମେ ପାଇବ ନାହିଁ କହି ଶେଷରେ ସେ ଆତ୍ମ ହତ୍ୟା କରିଦେଲା । ସୁକାନ୍ତ ବେଳେ ବେଳେ କହୁଥିଲା ମାଧରେ ଏବେ ସିଏ ଛାଡି କରି ଯାଇନି ମୋତେ  । ଯଦି କୌଣସି ଦିନ  କାମକୁ ଯିବା ପାଇଁ ନିଦ ଭାଙ୍ଗୁ ନ ଥିବ  । ସେ ଆସି ମୋତେ ଉଠାଇ ଦେବ  । ମୋତେ ଆଉଁସି ଦେବ  । ହେଲେ ମୋର କିଛି କ୍ଷତି କରେ ନାହିଁ  । କୁଆଡେ ଗଲା ସେ ପ୍ରେମ, ପ୍ରେମିକା ପୋଖରୀ ତୁଠରେ ଗାଧୋଇଲା ବେଳେ , ଟେକାରେ  ଚିଠି ଗୁଡାଇ ପକାଇବା  ଆଉ ଧରା ପଡି  ଉଭୟେ ଗାଳି ଶୁଣିବା ହୁଏତ ସେମାନଙ୍କର ପ୍ରେମର ପରିଭାଷା ଥିଲା । କୈଶୋରର ପହିଲି ପ୍ରେମ ପରେ ବି ବୈବାହିକ ଜୀବନରେ  ସୁକାନ୍ତ ତାର ପାରିବାରିକ ଜୀବନକୁ ନେଇ ବହୁତ ଖୁସି ଥିଲା । ପୁଅକୁ ଜାଭିୟରରେ ପଢାଉଥିଲା । ଘରେ ବହୁତ ଖୁସିରେ ଥିଲା ।
କିନ୍ତୁ ତାର ପରିବାରରେ  ଏଭଳି ଦୁଃଖଦ ମୁହୁର୍ତ ଆସିବ ବୋଲି ମୁଁ କେବେ ଭାବି ପାରୁ ନାହିଁ । ସୁକାନ୍ତର ବାପା ବର୍ଷକ ପୂର୍ବେ ଚାଲିଗଲା ପରେ ଆଜି ସେ ବି ଚାଲିଗଲା ।  ନିଜର କର୍ମକ୍ଷେତ୍ର ହୋଟେଲରୁ ଫେରିବା ସମୟରେ. ଏକ  ଗାଡି ଦୁର୍ଘଟଣାରେ ସବୁ ଦିନ ପାଇଁ ଲିଭିଗଲା ଜୀବନର ଦୀପ । ଘରେ ବିଧବା ମାଆ ସହିତ ବିଧବା ସ୍ତ୍ରୀ ଆଉ ପାଂଚ ବର୍ଷର ଟିକି ପୁଅ  । ଜୀବନରେ ଏତେ ଦୁଃଖ ଆସେ ବିଶ୍ୱାସ ହେଉ ନାହିଁ  । ଗତ ବର୍ଷ ମୋ ପିଲା ଦିନ ସାଙ୍ଗ ବସନ୍ତକୁ ହରାଇ ଥିଲି । ଆଜି ସୁକାନ୍ତକୁ ହରାଇଲି  । ଅନେକ ସ୍ମୃତି ସେ ଛାଡିଗଲା ମୋ ପାଖରେ  ।   ଆଖିରେ ଲୁହ ବାଧାହୀନ । ଆଜି ତୋ ପାଇଁ ଦି ପଦ ଲେଖି. ଛାତିଟା ଟିକେ ହାଲୁକା କରିଦେଉଛି  । ତୁ ଆଗରେ ଯାଇଛୁ । ମୁଁ  ବି ଦିନେ ପଛରେ ଯିବି  । ସେପାରିରେ ଦେଖା ହେବ ସାଙ୍ଗ । ଅଶ୍ରୂଳ ବିଦାୟ । ଅଶ୍ରୁଳ ବିଦାୟ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........