ଐତିହାସିକ ଗୋବିନ୍ଦପୁର ଥାନାର ଏକ ଅନାଲୋଚିତ ଇତିହାସ :ବିଳମ୍ବରେ ଉନ୍ନୀତ ମାନ୍ୟତା

                       ଭୌଗଳିକ ଦୃଷ୍ଟି କୋଣରୁ ଗୋବିନ୍ଦପୁର ଥାନା ଏକ ଐତିହାସିକ ଥାନା
କହିଲେ ଅତ୍ୟୁକ୍ତି ହେବ ନାହିଁ  ।   ଏହାର ଅବସ୍ଥିତି ଦୃଷ୍ଟି କୋଣରୁ  ଥାନାଟି ଦେବୀ ନଦୀ କୂଳରେ ଅବସ୍ଥିତ  । ଯେଊଁଠି ସାପର ଜିହ୍ୱା ପରି ଦୁଇଫାଳ ହୋଇ ଯାଇଛି  । ଅପରପାଶ୍ୱର୍ରେ ଶଙ୍ଖାରି ସାହିର ଉପକଂଠରେ  ବିଲୁଆ ଖାଇ ନଦୀ   ବହିଯାଇଛି  ।   ଯାହାର ନଦୀ ପଠାରେ ଅଶୀ ଦଶକର ସାମ୍ବାଦିକ ନବକିଶୋର ଦାସଙ୍କର ଧର୍ମପତ୍ନୀ ଛବିରାଣୀଙ୍କୁ ଗଣ ଦୁଷ୍କର୍ମ କରି ମାରି ଦିଆ ଯାଇଥିଲା  ।   ସେହିପରି ଦେବୀ ନଦୀର  ପ୍ରାଚୀନ ଗାଥା କୁ ଅବଲକୋନ କଲେ, ଇଂରେଜ ଶାସନ ସମୟରେ ଏହା ବହୁତ ଘଂଚ  ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା  । ଏପରି କି ଏହି ନଦୀ ପଠାରେ ହ୍ରିଂସ ଜନ୍ତୁଙ୍କ ଚଳ ପ୍ରଚଳ ଥିଲା ।  ମୋର ମନେ ଅଛି, ୧୯୮୩ ମସିହାରେ ମାମୁଁ ଘର ନୂଆ ଗାଁ ଏବଂ ମାଉସୀ ଘର ଶଙ୍କାରୀ ସାହି  ଦୃଷ୍ଟିରୁ, ମାମୁଁ ଘର ଜେଜେଙ୍କ ସହିତ ପ୍ରାୟ ସମୟ ଲୁଗା ବିକ୍ରି କରିବା ପାଇଁ ବିରିଡି ହାଟକୁ   ଯାଇଛି  । ସେତେବେଳେ ଏହି ଗୋବିନ୍ଦପୁର ଥାନା ନିକଟସ୍ଥ ଡଙ୍ଗା ଘାଟରେ ଡଙ୍ଗା ପାରି ହୋଇ ଯିବା ପାଇଁ ହୋଇଥାଏ  । ଆମକୁ ପ୍ରାୟ ସନ୍ଧ୍ୟା ପୂର୍ବରୁ ଫେରିବା ପାଇଁ  ହୁଏ  ଏବଂ ଏକାଠି ପାଂଚ ଛଅ ଜଣ  ସାଥୀ ହୋଇ ଫେରିବା ପାଇଁ ପଡିଥାଏ  । ନତୁବା ବେଳେ ବେଳେ ବିଲୁଆ ଖାଇ ନଦୀ ପଠା ହେଉ  କିମ୍ବା ଦେବୀ ନଦୀ ପଠା ହେଉ, ଏଠାରେ ପ୍ରାୟ ବେପାରୀମାନେ ଲୁଟପାଟର ଶିକାର  ହୋଇଥାନ୍ତି  । ଅତୀତରେ  ଏହି ଦେବୀ ନଦୀ ପଠାରେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏଠାରେ ଏକ ବୈଷ୍ଣବ ମଠ ଥିଲା । ଜାତି ବର୍ଣ୍ଣ ଧର୍ମ  ନିର୍ବିଶେଷରେ  ବହୁ  ସାଧୁ ସନ୍ଥଙ୍କର ସମାବେଶ  ହୋଇଥିଲା  ଏବଂ ଏଠାରେ ବହୁତ ଲୋକ ବୈଷ୍ଣବ ଧର୍ମରେ ଦିକ୍ଷୀତ ହୋଇଥିଲେ । ବର୍ତମାନ ତାହା ନଦୀ ଗର୍ଭରେ ବିଲୀନ ହୋଇଯାଇଛି ।  
     ଗୋବିନ୍ଦପୁର ଥାନାର ଇତିହାସ ଅତ୍ୟନ୍ତ ପ୍ରାଚୀନ  ।  ବ୍ରିଟିଶ ଶାସନ ସମୟରେ ଭୌଗଳିକ ଦୃଷ୍ଟିକୋଣରୁ ଗମନାଗମନାର ସୁବିଧା ନଥିଲା।ବାଣିଜ୍ୟିକ କାରବାର ଦୃଷ୍ଟିରୁ ଛତ୍ର  ବକାର  ଠାରୁ ତାଳ ଦଣ୍ଡା କେନାଲକୁ ମାଧ୍ୟମ କରି ବିଭିନ୍ନ ସ୍ଥାନକୁ  ଡଙ୍ଗା ଏବଂ ଭେଳା ମାଧ୍ୟମରେ ମାଲ ପରିବହନ କରାଯାଉଥିଲା । ଯାହା ମହାନଦୀର ଯୋବ୍ରା ଠାରୁ  ଏକ ବାଣିଜ୍ୟିକ ଉତ୍ସ ଥିଲା ଏବଂ ଗମନା ଗମନର ମାଧ୍ୟମ ଥିଲା ।  ମହାନଦୀର  ଯୋବ୍ରା ଠାରେ ଗମନା ଗମନ ଏବଂ ବାଣିଜ୍ୟିକ କାରବାର ଦୃଷ୍ଟିରୁ ଅତୀତରେ ଏହି ଯୋବ୍ରା ଠାରେ ଇଂରେଜ ଶାସନ ସମୟରେ ଜର୍ଜ ଫକନରଙ୍କ ଦ୍ୱାରା ଏକ ଜାହାଜ ନିର୍ମାଣ କାରଖାନା କରାଯାଇଥିଲା  । ଜର୍ଜ  ଫକନର ବିଷୟରେ ଏତିକି କହିବି, ସେ ଇଂଲଣ୍ଡର ଅଧିବାସୀ ହୋଇଥିଲେ ମଧ୍ୟ ଭାରତ ବର୍ଷ  ତାଙ୍କ ପାଇଁ ଦ୍ୱିତୀୟ ମାତୃଭୂମି ଥିଲା । ସେ କୋଡିଏ ବର୍ଷ ବୟସ ରେ ମେକାନିକାଲ୍ ଇଂଜିନିଅରିଂ ତାଲିମ୍ ନେଇ   ଏକ ଜଳ ସେଚନ କଂପାନୀରେ   କାର୍ୟ୍ୟାରମ୍ଭ କରିଥିଲେ । ଓଡିଶା ଆସିଲା ପରେ, ବାଣିଜ୍ୟିକ କାର ବାର ପାଇଁ ତିନୋଟି ବଡ କେନାଲ ଖୋଳିଥିଲେ ।   ସେ ଜଳ ସେଚନ ବିବାଗର ଅନେକ କାର୍ୟ୍ୟ ତାଙ୍କରି ତତ୍ୱାବଧାନରେ ହେଉଥିଲା ।ସେ ଜୋବ୍ରାକୁ ନିଜ ଢଙ୍ଗରେ  ଶାସନ କରିବା ସହିତ ଜୋବ୍ରା ଠାରେ ଧାଡି ଧାଡି ପୁରୁଣା  ଜାହାଜ କାରଖାନା ଘର ଗୁଡିକ,ତାଙ୍କ  ଉଲ୍ଲେଖନୀୟ  କୃତିତ୍ୱକୁ ଆଜି ବି ତାଙ୍କର କାର୍ୟ୍ୟ ଦକ୍ଷତାର ସ୍ମୃତି ବହନ କରେ  ।ଏହି ସମୟରେ  କଟକର ଜିଲ୍ଲା ପାଳ ଜନ ବିମ୍ସ ଥିଲା ବେଳେ , ଫକନରଙ୍କର କୃତିତ୍ୱକୁ ତାଙ୍କର ରଚିତ "ଜଣେ ଶାସକର ସ୍ମୃତି" ପୁସ୍ତକରେ ଅତ୍ୟନ୍ତ ସୁନ୍ଦର ଭାବରେ ଲେଖି ଯାଇଛନ୍ତି ।ଆଜି ବି ସେହି ସ୍ମୃତିର ସନ୍ତକ ଭାବରେ  ଯୋବ୍ରା ଠାରେ ଏହି ଜାହାଜ ନିର୍ମାଣ କାରଖାନାଟି “ନୌ ବାଣିଜ୍ୟ ସଂଗ୍ରହଳାୟ” ଭାବରେ ବିଦ୍ୟମାନ ଏବଂ ଦୁଇଟି ବତୀଘର ଅତୀତ ଇତିହାସର ମୁକ ସାକ୍ଷୀ ରହିଛି  ।ଏହି ସମୟରେ ଚୋର, ଖଂଟ ଏବଂ ଅସାମାଜିକ ବ୍ୟକ୍ତିମାନଙ୍କର ଦୌରାତ୍ମ୍ୟ ପ୍ରବଳ ଭାବରେ ବୃଦ୍ଧି ପାଉଥିଲା  ।   ଏତଦ୍ ବ୍ୟତୀତ   ଇଂରେଜ ଶାସନ ସମୟରେ ସାରା ଭାରତ ବର୍ଷରେ ସ୍ବାଧୀନତା ସଂଗ୍ରାମ ଚାଲିଥିଲା ବେଳେ ଗୋବିନ୍ଦପୁର ମାଟିରେ  ସ୍ବାଧୀନତା ପ୍ରାପ୍ତି ପାଇଁ ଜନ ମାନସରେ   ଇଂରେଜମାନଙ୍କ ପ୍ରତି ପ୍ରତିହିଂସାର ବହ୍ନି ଜଳୁଥିଲା  । ଯାହାଫଳରେ ବ୍ରିଟିଶ ସରକାର ଏଠାରେ  ଏକ ଥାନା ସ୍ଥାପନ ପାଇଁ   ବାଧ୍ୟ ହୋଇଥିଲା  । ସାରା ଭାରତ ବର୍ଷରେ ଶାସନ ଖସଡା ଏବଂ ନ୍ୟାୟିକ ବ୍ୟବସ୍ଥା ପାଇଁ ୧୮୫୭ ପାଇକ ବିଦ୍ରୋହ ପରେ ପରେ ବ୍ରିଟିଶ ହାଉସ୍ ଅଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା । କମିଶନରଙ୍କ ନିଷ୍ପତି କ୍ରମେ ପୋଲିସ ଆକ୍ଟ  ୧୮୬୧ (ଭି) ଅନୁଯାୟୀ ୧୮୬୨ ମସିହାରେ ଓଡିଶାରେ ଅନେକ ସ୍ଥାନରେ ଥାନା ଗୁଡିକ ସ୍ଥାପିତ ହେଲା ବେଳେ ଗୋବିନ୍ଦପୁର ଥାନା ସ୍ଥାପନ କରାଯାଇଥିଲା । ଏହି ସମୟରେ ବ୍ରିଟିଶ୍ ପୋଲିସ କର୍ମଚାରୀମାନେ ଲାଲ ପଗଡି ପିନ୍ଧି  ଦେବୀ ନଦୀର ଜଳ ପଥରେ ଆସୁଥିଲେ ଏବଂ ଘୋଡା ଦ୍ୱାରା ବିଭିନ୍ନ ଅଂଚଳକୁ  ଯାତାୟତ କରୁଥିଲେ ।୧୯୩୬ ମସିହାରେ  ଓଡିଶା ପ୍ରଦେଶ ଗଠନ କରାଗଲା  । ପରେ ପରେ ପ୍ରାୟ ୪୦୦୦ ପୋଲିସମାନଙ୍କୁ ନେଇ ଓଡିଶା ପୋଲିସ ଗଠନ ହେଲା ।ଏହି ୪୦୦୦ ପୋଲିସମାନଙ୍କୁ ତିନି ଭାଗରେ ଓଡିଶା-ବିହାର ପୋଲିସ୍,ମାଡ୍ରାସ ପ୍ରେସିଡେନ୍ସି ଏବଂ ସେଂଟ୍ରାଲ ପ୍ରୋଭିନ୍ସ ଭାବରେ ବିଭକ୍ତ କରାଯାଇଥିଲା ।  ଏହି ପୋଲିସ ବାହିନୀର ପ୍ରଥମ  ଆଇ.ଜି.: ଇ.ଏ.ଓ. ପର୍କିନ୍  ଏବଂ  ସହକାରୀ ଆଇ.ଜି.: ଆଇ.ସି. ମ୍ୟାକନେଲ୍ (ସି.ଆଇ.ଡି) ଥିଲେ  ।୧୯୩୭ ମସିହାରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା । ଏହି ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ଦଳ ୬୬  ଆସନରୁ ୩୬ଟି ଆସନ ଅକ୍ତିଆର କରିଥିଲା ।  ଗୋବିନ୍ଦପୁର ଥାନା ଅଧିନରେ ଥିବା୧୪ଟି ଗ୍ରାମ ପଂଚାୟତ  ଓଡିଶା ପୋଲିସର ଅଧିନସ୍ଥ ହେଲା ।  ପୂର୍ବରୁ ନିଆଳୀ  ଥାନା ଏବଂ ଓଲଟପୁର ଥାନା  ଗୋବିନ୍ଦପୁର ଥାନା ଅଧିନରେ ଥିଲେ ମଧ୍ୟ  ପରେ ପରେ  ମାତ୍ର ତିନି ଗୋଟି ପଂଚାୟତକୁ ୨୦୦୯ ମସିହା ଫେବୃୟାରୀ ୨୮ ତାରିଖରେ ଗଠିତ ହେଲା  ।  ପ୍ରଥମେ ଓଲଟପୁର ଥାନାଟି  ଓଲଟପୁରର ପୁରୁଣା ଡାକ ଘରେ ଚାଲୁଥିଲା । ବର୍ତମାନ କଂଟାପଡା ବ୍ଲକ କାର୍ୟ୍ୟାଳୟ ପରିସରରେ କାର୍ୟ୍ୟ କରୁଅଛି  । ଏହାର ସ୍ଥାୟୀ ପରିସ୍ଥାନକୁ ନେଇ ଅନେକାଂଶରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ  ନିଆଳୀ ଥାନା ପ୍ରଥମେ ଇନସପେକ୍ଟର ସ୍ତରୀୟ ହେଲା ପରେ ପରେ  ଓଲଟପୁର ଥାନା ମଧ୍ୟ ଇନସପେକ୍ଟର ସ୍ତରୀୟ ମାନ୍ୟତା ପାଇଥିଲା । ତେବେ ଗୋବିନ୍ଦପୁର  ଥାନାଟି ବ୍ରିଟିଶ୍ ଅମଳ ହେଲା ବେଳେ  ଏହି ଥାନା ପ୍ରତି ସରକାରଙ୍କ ବୈମାତୃକ ଭାବ ଅନେକ ବୁଦ୍ଧିଜୀବିମାନଙ୍କୁ ବ୍ୟଥିତ କରିଥିଲା  । ବିଶେଷ କରି ଏହି ଅଂଚଳରେ ଆଇନ୍ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଥିବା ସମୟରେ ଗରିବ ଲୋକ ସଠିକ୍  ଭାବରେ ନ୍ୟାୟ ପାରୁ ନ ଥିଲେ । ଏପରିକି ଏହି ଥାନା ଅନେକ ମୌଳିକ ସୁବିଧାରୁ ବଂଚିତ ହୋଇଥିଲା । କାର୍ୟ୍ୟାଳୟ ପାଇଁ ଭଲ ଘର ନ ଥିଲା । ପ୍ରଥମେ ଗୋବିନ୍ଦପୁର ଥାନାଟି ଇଂରେଜ ଅମଳର ପୁରୁଣା  ଗୃହରୁ ଅନ୍ୟ ନୂତନ ଘରକୁ ସ୍ଥାନାନ୍ତରିତ ହୋଇଥିଲା ।  ତେବେ କର୍ମଚାରୀଙ୍କ ପାଇଁ  ବାସୋପଯୋଗୀ ଗୃହ ନ ଥିଲା ।  ତେବେ  କଛପ  ଗତିରେ , ରାଜ୍ୟ ସରକାରଙ୍କ ଦ୍ୱାରା ଥାନାର ଭିତିଭୂମି ପାଇଁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରାଗଲା , ଯାହାଦ୍ୱାରା  ଆଜି ଗୋବିନ୍ଦପୁର ଥାନା  ଏକ ଭବ୍ୟ ରୂପ ନେଇଛି।

             ଏହି ପରିପ୍ରେକ୍ଷୀରେ ଗୋବିନ୍ଦପୁର ଥାନା ପ୍ରତି ସରକାରଙ୍କ  ବୈମାତୃକ ଭାବ ପୋଷଣ କରୁଥିଲା ବେଳେ , ଅନେକ ସାମାଜିକକର୍ମୀଙ୍କୁ ଚିନ୍ତିତ କରିଥିଲା ।  ଗୋବିନ୍ଦପୁରର  ଅଗ୍ରଣୀ ସଂଗଠନ ଯୁବ ଦଳିତ ସଂଘ,ଓଡିଶା ଏହି ପରିପ୍ରେକ୍ଷୀରେ ବାରମ୍ବାର ଦାବୀପତ୍ର ଦ୍ୱାରା  ସରକାରଙ୍କୁ ଅବଗତ କଲାପରେ,ପ୍ରଶାସନ ନୀରବ ରହିବାରୁ ଶେଷରେ ୨୦୧୪ ମସିହା ଜାନୁୟାରୀ ୨୬ ତାରିଖରେ ତିନି ଦଫା ଦାବୀରେ ଆମରଣ ଅନଶନ ଏବଂ ଗଣ ଧାରଣାର ମଇଦାନକୁ   ଅବତୀର୍ଣ୍ଣ ହୋଇ ଥିଲା  । ସେତେ ବେଳେ  ଏହି ସଙ୍ଗଠନର ସଂଗ୍ରାମୀ ସାଥୀ ଅଭିମନ୍ୟୁ ମଲ୍ଲିକ୍ ,ମାଧବାନନ୍ଦ ଭୋଇ ସାଧାରଣ ସଂପାଦକ ଏବଂ ନିର୍ମଳ କୁମାର ଭୋଇ, ମୁଖ୍ୟ ସଂଯୋଜକ  ଥିଲେ । ପରିତାପର ବିଷୟ ଏହ କି, ପୂର୍ବରୁ ଆମରଣ ଅନଶନ ଏବଂ ଗଣ ଧାରଣା ସଂପର୍କରେ ଅବଗତ କରିଥିଲେ ମଧ୍ୟ, ଏହି ସମୟରେ  ଉକ୍ତ ଥାନାର ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଅନୁପସ୍ଥିତ ରହିବା ଆମକୁ ଦ୍ୱନ୍ଦରେ ପକାଇ ଥିଲା  । ବିଶେଷତଃ  ଆମର ତିନି ଦଫା ଦାବୀ ଭାବରେ, ପ୍ରଥମତଃ  ଗୋବିନ୍ଦପୁର ଥାନାକୁ ଇନିସପେକ୍ଟର ପାହ୍ୟା ମାନ୍ୟତା ପ୍ରଦାନ କରିବା ସହିତ ଥାନାର କାର୍ୟ୍ୟାଳୟ ଓ ପୋଲିସ କର୍ମଚାରୀଙ୍କ ବାସଗୃହକୁ ନବୀକରଣ ଥିଲା । ଦ୍ୱିତୀୟତଃ  ଥାନରେ ଦଳିତ ସେଲ୍ କରାଯାଉ  ଏବଂ ତୃତୀୟରେ ମହିଳା ଏବଂ ଶିଶୁ ଡେସ୍କ ସ୍ଥାପନ କରିବା ପାଇଁ ଦାବୀ ଥିଲା  ।  ପରିଶେଷରେ ଦୁଇ ଦିନ ପର୍ୟ୍ୟନ୍ତ ଅନଶନ ଏବଂ ଧାରଣାରେ ବସିଲା ପରେ କଟକ ସଦର ଉପଖଣ୍ଡ କାର୍ୟାଳୟର ଉପଖଣ୍ଡ ଅଧିକାରୀ ଗୁପ୍ତ ମହାକୁଡ  ଏବଂ ଗ୍ରାମାଂଚଳ ସହକାରୀ ଆରକ୍ଷୀ ଅଧିକ୍ଷ କୃଷ୍ଣ ଚନ୍ଦ୍ର ସାମଲ ପୂର୍ବାହ୍ନରେ ଆମ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ ।  ତେବେ ୨୦୧୪ ମସିହାରୁ ଆଜି ପର୍ୟ୍ୟନ୍ତ ଏକ ବିରାଟ ବ୍ୟବଧାନ  । ଅନେକ ଘଟଣା ଘଟି  ଯାଇଛି  । ଆମର ଦାବୀ ପତ୍ର ପ୍ରଦାନ ପରେ ପ୍ରଶାସନ  ୨ଟି ଦାବୀପୂରଣ କଲା ସତ, କିନ୍ତୁ ପ୍ରଥମ ଦାବୀ ଭାବରେ ଆମର ଗୋବିନ୍ଦପୁର ଥାନା ଇନସପେକ୍ଟର ପାହ୍ୟାକୁ ଉନ୍ନୀତ ହୋଇ ନ ଥିଲା ।  ଜଣେ ସାମାଜିକକର୍ମୀ  ଭାବରେ ମନରେ ଅନେକ କ୍ଷୋଭ ଏବଂ ଗ୍ଲାନି ଆସୁଥିଲା ।  ଆଜି ତାହା ଦୂରୀଭୁତ ହୋଇଯାଇଛି  ।

 ଆଜି ଗୋବିନ୍ଦପୁରର   ଥାନାର ଇତିହାସରେ ନୂତନ ଅଧ୍ୟାୟ ସଂଯୋଗ ହୋଇଛି . ଅଧୁନା ସମୟରେ ଗ୍ରାମାଂଚଳ   ଆରକ୍ଷୀ ଅଧିକ୍ଷକ ଭାବରେ ଯୁଗଳ କିଶୋର ବନୋଟ ଥିବା ସମୟରେ ପ୍ରଥମ ଭାର ପ୍ରାପ୍ତ ନିରୀକ୍ଷକ ଭାବେ ଅନାମ ଚରଣ ନାୟକ ଯୋଗଦାନ କରିଛନ୍ତି  । ଶ୍ରୀଯୁକ୍ତ ନାୟକ କେନ୍ଦୁଝର ଜିଲ୍ଲା ତୁରୁମଙ୍ଗ ଥାନା ଅଧିନସ୍ଥ ବନମାଳୀପୁରର ପିତା ସ୍ବର୍ଗତ ଭ୍ରମରବର ନାୟକ ଏବଂ ମୋତି ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଅଟନ୍ତି  ।  ଶ୍ରୀଯୁକ୍ତ ନାୟକ  ତା:୧୭/୦୬/୧୯୬୫ରିଖରେ ଜନ୍ମ ଗ୍ରହଣ କରି  ଜନୈକ ପୋଲିସ ଅଧିକାରୀ ଭାବରେ ତା:୨୭/୦୮/୧୯୮୯ ମସିହାରେ କାର୍ୟ୍ୟାରମ୍ଭ କରିଥିଲେ । ସେ ଜଣେ ଅଭିଜ୍ଞ,ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ।  ତାଙ୍କର ତା:୨୯/୦୪/୨୦୨୧ରିଖରେ ପଦୋନ୍ନତି କ୍ରମେ ପୂର୍ବରୁ ଓଲଟପୁର ଥାନାରେ ଜଣେ ବରିଷ୍ଠ ଉପ ଅଧିକାରୀ ଭାବେ କାର୍ୟ୍ୟ କରୁଥିଲେ ।ଶ୍ରୀଯୁକ୍ତ ନାୟକଙ୍କ ତା:୩୦/୦୬/୨୦୨୫ରିଖରେ ଅବସର  ଜୀବନ ଆରମ୍ଭ । ଏଠାରେ ରାଜନୀତିର ଚକ୍ରବୁ୍ୟହକୁ ଭେଦ କରି ଆଗାମାୀ ଦିନରେ ଜନ ସାଧାରଣଙ୍କୁ  ନ୍ୟାୟ ପ୍ରଦାନ କରିବା ସହିତ  ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିବେ ବୋଲି ଜନ ସାଧାରଣ ଆଶା କରିଛନ୍ତି । ଯାହା ସମୟ ହିଁ ପରିପ୍ରକାଶ କରିବ  ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........