ମାତୃ ସାଧନା



               ଅଢେଇ ଦିନିଆ ଜୀବନରେ କଣ ଅଛି  । ତୁମେ ମୋର ଆଉ ମୂଁ ତୁମର  । ମୋତେ  ତୁମେ ଚାହଁ, ମୋ ଆଖିରେ ଆଖି ମିଶାଅ  ।   ନିଜକୁ ସମର୍ପଣ କରିଦିଅ  । ଦେଖ, ମୂଁ ତୁମ  ମଧ୍ୟରେ କିଛି ଦୂରତା ନାହିଁ  ।  ଆମେ ପରା ଜନ୍ମ ଜନ୍ମାନ୍ତର ସାଥୀ  । ମୂଁ ଯାହା , ତୁମେ ବି ସେଇଆ  । ଦେହର ମୋହ ତୁଟାଇ ନିଜ ହୃଦୟ ମନ୍ଦିରରେ ଦେହୀକୁ  ଅନୁଭବ କର . ଅନ୍ୟର ଆଖିରେ ନିଜକୁ ଦେଖିବା ପାଇ ଚେଷ୍ଟା କର  । ଅଧୁନା ସମାଜ  ଗୁରୁ ପ୍ରାପ୍ତି ଆଶାରେ କିଛି ପାଇବା ଆଶା କରୁଛି  ।  ସ୍ବାାର୍ଥର ଲାଳସା ରଖୂଛି  । ସେପରି କର ନାହିଁ  । ପରମେଶ୍ୱର ସର୍ବତ୍ର ବିଦ୍ୟମାନ  । ଦୁଃଖୀ ନିଷ୍ପେସିତ ମଣିଷମାନଙ୍କୁ ଭଲ ପାଅ ଆଉ ସେମାନଙ୍କର ସେବା କର  ।ସେମାନଙ୍କ ଆଖିରେ ନିଜକୁ ଦେଖ  ।   ଦଶ  ବରଷର ଛୁଆଟେ ଭିକ ମାଗୁଛି  ।  ସେ ଯଦି ତୁମ ନିଜର  କେହି ହୋଇଥାନ୍ତା, ତମେ ତାକୁ ଭିକ ନଦେଇ  କୋଳେଇ ଆଣିଥାନ୍ତ ନା  ।    ପରିବାର ହେଉଛି, ରେଳଗାଡିରେ ଯାତ୍ରା କଲା ଭଳି  । ଯାହାର ଯାତ୍ରା ,  ଯେଉଁଠି ସରିଲା । ସେ ଚାଲିଗଲା  । ଏତେ ମୋହ କାହିଁକି  । ଏତେ ଗର୍ବ କଣ କଣ ପାଇଁ ? ମଣିଷମାନଙ୍କୁ ଭଲପାଇବା ଏବଂ ସେବା ପାଇଁ ନିଜକୁ ସମର୍ପଣ କରିଦିଅ ।  ନିଜର ପରିବାର ପ୍ରତି କର୍ତବ୍ୟ କରିବା ସହିତ ସମାଜ ପାଇଁ ନିଜକୁ ସମର୍ପଣ କରିଦିଅ । ମୁଁ ଜାଣେ, ଏଥିପାଇଁ ଅନେକ  କଷ୍ଟ ହେବ  । ଦୁଃଖ ପାଇବ  । କିନ୍ତୁ ପରମେଶ୍ୱର ଯାହାକୁ ଭଲ ପାଆନ୍ତି, ଯିଏ ମଣିଷମାନଙ୍କୁ ଭଲ ପାଏ  । ଆମେ ନିମିତ ମାତ୍ର ବାବା, ଯାହା କିଛି ଭୁଲ୍  ଠିକ ହେବ  । ସେ ସବୁକିଛି ଠିକ କରିଦେବେ  । ମୁଁ  କରୁଛି ବୋଲି ଅହଙ୍କାର ତୁଟିଯିବ  । ପ୍ରକୃତି ପରୁଷ ଭାବରେ ନିଜକୁ ତାଙ୍କରି ଚରଣ ଦାସୀ କରି ସମର୍ପଣ କରିଦିଅ  । ମୁହିଁ ତାଙ୍କରି ଚରଣ ଦାସୀଲୋ, ଚାହିଁ ତାଙ୍କୁ  ହୋଇଥିବି ଖୁସି  ଭାବରେ  ନିଜର ହୃଦ ସିଂହାସନରେ ବସାଇ  ବ୍ୟାକୁଳତାର ସହିତ ଆଖିର ଛଳ ଛଳ ଲୁହରେ  ତାଙ୍କ  ଚରଣ ପଖାଳି ଦିଅ   । ଏହା ହିଁ ଜୀବନରେ ପ୍ରକୃତ ପୂଜା ହେବ  ।  ବାହ୍ୟ ଆଡମ୍ବର ପୂଜାପାଠ କେବଳ  ଲୋକ ଦେଖାଣିଆ ବ୍ୟତୀତ ଆଉ କିଛି ନୁହେଁ  । ଯେଉଁମାନେ ମଣିଷର ସେବା ଭଲପାଇବା ଭୁଲି ଏପରି ପୂଜାପାଠ, ସଂକୀର୍ତନ ଏବଂ ଲୋକମାନଙ୍କୁ ଖାଇବାକୁ ଦିଅନ୍ତି, ଏଥିରେ ଏକ  ଟଙ୍କାର ବି ଲାଭ ହୋଇ ନ ଥାଏ  । ତମେ ସେପରି କର ନାହିଁ  ।  ନିଜର ଜୀବନ ପାତ୍ରକୁ ଏପରି ସଜାଡି ଦିଅ, ପରମେଶ୍ୱରଙ୍କ କରୁଣାର ବାରିଧାରା ତୁମରି ମଥା ପରେ ସିଂଚି ହୋଇଯିବ  ।  ମଣିଷ କେତେ ଦିନ ବଂଚିଲା, ଏମିତି ଦିନ ଗଣି ଗଣି ଜୀଇଁଲେ କିଛି ଲାଭ ନାହିଁ  ।  କିନ୍ତୁ  ଜୀବନରେ ତୁମରି କର୍ମ ହିଁ ତୁମର ପରିଚୟ ସୃଷ୍ଟି କରିବ  ।  କିଏ ଜାଣେ ଜୀବନର ସଂଜ କେତେବେଳେ  ନଇଁଯିବ  । ତୁମେ ହସି ହସି ସଂସାରରୁ ଚାଲିଯାଉଥିବ  । କିନ୍ତୁ  ସବୁରି  ହୃଦୟରେ ତୁମେ ଶୂନ୍ୟ ସ୍ଥାନଟିଏ ଛାଡି ଚାଲିଯିବ  ।  କେବଳ ଆଉ ଏକ କଥା କହୁଛି, ତୁମର ଶରୀର ଆଉ ମନ ପାଇଁ ଦୈନନ୍ଦିନ ପ୍ରାର୍ଥନା, ଧ୍ୟାନ ଏବଂ ପ୍ରାଣାୟମଗୁଟିକର ଆବଶ୍ୟକ ରହିଛି  ।  ଏହା ବିଜ୍ଞାନ ସମ୍ମତ ଅଟେ  । ଅଭ୍ୟାସ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନକୁ ନିୟନ୍ତ୍ରିତ କରିବ  ।  । ଏହା ହିଁ  ତୁମ ପାଇଁ ଗୁରୁମନ୍ତ୍ର , ମୁଁ ଆଉ କିଛି କହିବି ନାହିଁ  ।
                                 ମୁଁ ଗୁରୁଦେବଙ୍କୁ ଅପଲକ ନୟନରେ  ଚାହିଁ ରହିଥିଲି । କି ଖରାପ ଧାରଣା ଥିଲା ତାଙ୍କ ପ୍ରତି ?  ସେ ମୋ ଜୀବନ ଦର୍ଶନକୁ କେମିତି ପଢିନେଲେ? ଆଜି ଜୀବନରେ ମୁଁ ଠିକ୍ କରୁଛି କି ଭୁଲ କରୁଛି,ଆଜିଯାଏ ମୁଁ  ଜାଣିନି  । ବେଳେ ବେଳେ ଜୀବନରେ ଭୁଲ ହୁଏ । ସେତେବେଳେ ମନର ରାଇଜରେ ଅଜଣା   ଜଗୁଆଳିଟିଏ ଆସି ବାଡି ଉଁଚାଏ  । ଚେତାଇଦିଏ  ।   ଡ୍ରଇଁ ରୁମରେ ଟଙ୍ଗାହୋଇଥିବା ଫଟୋକୁ ଚାହେଁ  ।  ଲାଜରେ ଆଖି ନଇଁଯାଏ, କେତେବେଳେ ତ ଆଖି ଛଳ ଛଳ ହୋଇଯାଏ  । କିନ୍ତୁ କେବେ ବି ତାଙ୍କୁ ଭୁଲିପାରେନି  । ମୂଁ ସିନା ଜାଣେନା ପ୍ରେମ କି ଦରବ, ତୁମେ ତ  ପ୍ରେମିକ ନାଗରହେ ବୋଲି ସେ ମୋ ପାଇଁ ପ୍ରେମାଚାର୍ଯ୍ୟ  । ପରୋପକାର ପୁଣ୍ୟ, ପର ହିଂସା ମହାପାପ  । ପରଟି  ପରମେଶ୍ୱର, ପର ତୋର ମାଆ ବାପ ନ୍ୟାୟରେ ମୋ ପାଇଁ ଦିଗ୍ ଦର୍ଶକ  । ଏମିତି କେତେ କଣ ତାଙ୍କୁ ଚାହିଁ ଭାବିଯାଉଥିଲି  । ଅଜାଣତରେ କେଇ ଟୋପା ଲୁହ ଆଖିରୁ ଝରିପଡିଲା  ।
ଡିଙ୍ଗ୍ ଡଙ୍ଗ ... ... ଡିଙ୍ଗ୍ ଡଙ୍ଗ । ଜନ ସେବା କେନ୍ଦ୍ରର କଲିଂ ବେଲ୍  ବାଜି ଉଠିଲା  । ଭିତରକୁ  ଆସ ବୋଲି କହିଲି  । ଘର ଭିତରକୁ ଧିରେ ଧିରେ ୭୦/୮୦ ବର୍ଷର ବିଧବା ମହିଳା ଜଣକ ପ୍ରବେଶ କଲେ  ।  ମଥାରେ ଧୋବ  ଫର ଫର ବାଳ . ହାତରେ ଗୋଟେ ମଇଳା ଜରିଟେ  । ହାତରେ ବାଡିଟିଏ ଧରିଥାନ୍ତି । ଜରିରେ କିଛି କାଗଜ ପତ୍ର ଥିବ ବୋଧ ହୁଏ  । କୌଣସି ଆଧାର କାମ ପାଇଁ ଆସିଛନ୍ତି  । ରବିବାର ହେତୁ  ପ୍ରସ୍ତୁତ ହୋଇ ନ ଥିଲି ।  ।  ଦିନ ୧୧ଟି ବାଜିଲାଣି  । ଜଣକ ପାଇଁ  ଅଯଥା ପରିଶ୍ରମ ହେବ ବୋଲି ମନଟା ଖଟା ହୋଇଗଲା  । ତା ପରେ ବି  ଅଧିକ ବୟସ ହେତୁ ହାତର ଆଙ୍ଗୁଠି ଗୁଡିକ ମେସିନରେ ନେବା ପାଇଁ  ମଧ୍ୟ କଷ୍ଟ ହେବ  ।  ଏହା ପରେ ବି ମେସିନର ପୂର୍ବ ଡାଟାଗୁଡିକ  ପଠା ହେଲାପରେ, ଜି.ପି.ଏସ୍ ଟ୍ରାକିଙ୍ଗ୍ କରାଯାଇ ଲୋକେସନ୍ ସ୍ଥିର କରାଯିବ , ଯାହା  ମୋ ପାଇଁ ଏକ ଘଂଟାର କାମ ଥିଲା ।  
-କଣ ହେଲା ମାଆ, କାମ  କଣ ଅଛି  ।
- ବହୁତ ଦୂରରୁ ତମ କଥା ଶୁଣି ଆସିଛି  । ରାସନ୍ ଡିଲର ମେସିନରେ ଆଧାର ନମ୍ବର ଦେବାରୁ ମୋ ଟିପ ଚିହ୍ନ ନେଉ ନାହିଁ । ଡିଲର ମୋତେ ଚାଉଳ ଦେଉନାହିଁ  । ସରକାରୀଆ କ୍ୟାଂପକୁ ଯାଇଥିଲି ଯେ, ବୁଢୀ ଲୋକ ବୋଲି ଫେରାଇ ଦେଲେ  । କଣ ନା ମୋ ଆଂଗୁଠି ଯିବନି  ।
- ତା ହେଲେ ଏଠି କି ଆସିଲ କଣ ପାଇଁ, ଆଜି ବି ରବି ବାର ଅଛି  ।  ଛୁଟି ମୋର , କାମ ଆଜି ମୁଁ କରି ପାରିବିନି  ।
- ନାଇଁରେ ବାପା. ତମର ଧରମ ହେବ  । ବୁଢୀ ଲୋକ ମୂଁ । ତମେ କରି ପାରିବ ବୋଲି ମୂଁ ଆସିଚି  ।
- ତମ ସହିତ କିଏ ଆସିଚି ମା, ତମେ ଫେରିଯାଅ  ।ଆଜି ମୂଁ କାମ କରି ପାରି ବିନି ।
                    ମନ ଭଲ ଲାଗୁ  ନ ଥିଲା  ।  ଏପରି ପରିସ୍ଥିତିରେ କଣ ବା କରାଯାଇ ପାରିବ ? ଏମିତି  ମନଟା ଗୁଣୁ ଗୁଣୁ ହେଲା ବେଳେ , ମାଆଟିର ସୁଁ ସୁଁ କାନ୍ଦଣାରେ  ନିଜକୁ ଅସହଜ ମନେକଲି  । ମାଆଟିର ମୁହଁକୁ ଚାହିଁଥିଲି  ।  ଧାର ଧାର ଲୁହରେ ମୁହଁଟି ପଖଳା ହୋଇ ସାରିଥିଲା  ।   ମାଆଟିର   ଡାହାଣ ହାତ ପାପୁଲିଟିକୁ  ଧରି  ଧିରେ ଧିରେ ଆଉଁସିବାରେ ଲାଗିଲି  ।  ଆଖି ଦୁଇଟି ବୟସ ସଂଜରେ ନଇଁ ନଇଁ ଆସିଲେ ବି ଦେଖି ପାରୁଥିଲି , ଆଖି ଦୁଇଟିରେ  କାଇଁ କେତେ ଯୁଗର ଦୁଃଖ ନିରାଶାର ଚିହ୍ନ  । ଛାତିରେ ଚାପି ରଖିଛନ୍ତି ଅସୁମାରୀ କୋହ  । 
 -କ ଣ ହେଲା ମାଆ. କାନ୍ଦିଲ କଣ ପାଇଁ ?
- ସେ କଥା ବାପା କୁହନି  । ଦି ଦିନ ହେଲା ମୁଁ ଭଲରେ ଖାଇନି  । ଆଧାର ପାଇଁ ଏତେ ନାଟ ? ଟିପ ଚିହ୍ନ  ଯୋଗୁ ଡିଲର ଚାଉଳ  ଦେଲାନି  । ବୋହୁ ମୋ ଉପରେ ଖପା  । ଘରେ ବସେଇ ଖାଇବାକୁ ଦବନି  ।  ଦି ଦିନ ହେଲା   ଭାତକୁ ଆଳୁ ଚକଟା କରି ଥୋଇ ଦେଉଛି  । ଏ ମାସର ଚାଉଳ ନ ମିଳିଲେ ଭିକ ମାଗିବାକୁ ଯା ବୋଲି ଗାଳି ମନ୍ଦ କରୁଛି  । ଏଗୁଡାକ କେମିତି ସହିବି ବାପା । ଦଶ ଦିନ ଦଶ ମାସ ଧରି ଯାହାକୁ ଜନମ କରିଥିଲି  । ସିଏ ବି  ତା କଥାରେ ବାଇ ... କଣ କରିବି ବାପା? 
                ଓଃ, କି ସ୍ବାର୍ଥପର ଦୁନିଆ  । ମଣିଷ କଣ ପାଇଁ ହୁଏ ଏତେ ସ୍ବାର୍ଥପର ? ସଂପର୍କର ଚୌହଦୀରେ ଭୁଲିଯାଏ  ମାଆକୁ  ।  ମାଆ  ମୋର- ଯିଏ ମାଟିରୁ ପରିବ୍ୟାପ୍ତ ଆକାଶର ନୀଳିମାଯାଏଁ  । ଯାହାର ପଣତରେ ବିଂଚି ହୋଇଯାଏ ମମତାର  ଫୁଲ  ।ଜୀବନ ସାରା ଅନ୍ୟ ପାଇଁ ଖଟି ଖଟି  ସରୁ ନହକା ହୋଇ ମଣିଷଟିଏ ହେଲେ ବି , ତ୍ୟାଗ, ପ୍ରେମ, ଦୟା ଆଉ କରୁଣାର ପ୍ରତିମୂର୍ତି  । ଜୀବନର ସଂଜ ନଇଁଲେ ବି ସବୁ ବେଳେ ମନେ ପଡେ  । ଫେରିଆସନ୍ତା ନି ମୋର ପିଲା ଦିନ  । ସଂସାରର ସବୁ ଦୁଃଖ,ତା’ର ପଣତରେ ଅଜାଡି   ମୁହଁ ଗୁଂଜି ି କୋଳରେ ଶୋଇ ପଡନ୍ତି  । ଆଃ କି ଶାନ୍ତି  । ଏମିତି ଗୁଣୁ ଗୁଣୁ ହୋଇ ମେସିନ ଗୁଡିକୁ ଠିକ୍ ଠାକ୍ କରିବାରେ ଲାଗିଗଲି । ମାଆ ଜଣକ ଗୋବିନ୍ଦପୁରରୁ ଆସିଥିଲେ ।  ମାଳତୀ ବେହେରା । ଗାଁରେ ମାଳ ବୋଲି ଡାକନ୍ତି । ଘରେ ପୁଅ ବୋହୁ ଆଉ ନାତି ନାତୁଣୀ ଅଛନ୍ତି । ପୁଅ କଂପାନୀରେ ଚାକିରୀ କରେ  ।  ଆଜି ରବିବାର ଛୁଟି ଥିଲାରୁ ମାଆକୁ ବାଇକରେ ଆଣିଥିଲା ।  କାମ ବାହାନାରେ କିଛି ସମୟ ପରେ ଆସିବ କହି, ମୋ ଜନ ସେବା କେନ୍ଦ୍ର ପାଖରେ ବୁଢୀ ମାଆଟିକୁ ଛାଡି ଛୁଉ ମାରିଥିଲା ।ବୟସାଧିକ ହେତୁ  ମାଆଟିର ହାତ  ଅଧିକ ଶୁଷ୍କ ଥିବାରୁ ବାୟୋମେଟ୍ରିକ ମେସିନ୍  ଟିପ ଚିହ୍ନ ଗୁଡିକୁ ନେଉ ନଥିଲା । ହାତରେ ଫେସିଆଲ୍ କ୍ରିମ୍ ସହିତ ଲେମ୍ବୁ  ରସ  ମାରିବାରୁ ଟିକେ ସହଜ ହେଲା  । 
                 ଏମିତି ପ୍ରାୟ ଚାଳିଶ ମିନିଟ୍ ଲାଗିଗଲା । ବାରମ୍ବାର ଏମିତି ମାଆର ହାତଟିକୁ ଛୁଇଁବା ଆଉ କଥା ବାର୍ତା ହେଉ ହେଉ, ସେ ମୋ ସହିତ ନିଜର ଆତ୍ମୀୟ ପରି କଥା ହେଉଥିଲେ । ସକାଳୁ ଉଠି ଘର ଦ୍ୱାର ଓଳାଇବା, ଗୋରୁ ଗୁହାଳ ପୋଛିବା ସହିତ ନାତି ନାତୁଣୀକୁ ଅଙ୍ଗନବାଡିରେ ଛାଡିବା ସହିତ ଅନେକ କାମ କରୁଥିଲେ ମଧ୍ୟ ବୋହୁ ସବୁବବେଳେ ଗର ଗର ହେଉଥିଲା । ପୁଅ ମଧ୍ୟ ବୋହୁ କଥାରେ  ନାଚୁଥିଲା । ସ୍ବାମୀ ତ ଆଠ ବର୍ଷ ପୂର୍ବରୁ ଚାଲି ଯାଇଥିଲେ । ତଥାପି ପୁଅ ମୁହଁକୁ ଚାହିଁ ମାଆଟି ସବୁ କିଛି ସହି ଯାଉଥିଲେ । ହେଲେ ଏ ଟିପ ଚିହ୍ନ ପାଇଁ ଦୁଇ ମାସ ହେଲା କଂଟ୍ରୋଲ୍ ଚାଉଳ ବନ୍ଦ ହୋଇ ଯାଇଥିଲା  । ବୋହୁ ସାଆନ୍ତାଣୀ   ଆହୁରି ରାଗି ଯାଇଥିଲା ମାଆଟି ଉପରେ । ବିଚରାର ଦୋଷ ବା କଣ ? ସାଧାରଣତଃ ଲୋକମାନଙ୍କର ଟିପ ଚିହ୍ନ କ୍ୟାପଚର୍ ନ ହେଲେ କିମ୍ବା ଆଧାର ନମ୍ବର ଅଚଳ ସୂଚାଇଲେ, ସେହି ସମୟରେ ପୁଣି ବାୟୋମେଟ୍ରିକ୍ ଅପ୍ ଡେଟ୍ କଲାପରେ ଏହା ଠିକ୍ ଠାକ୍ ହୋଇଯାଇଥାଏ । କାମ ସରିଗଲା ପରେ ପ୍ରାପ୍ତି ସ୍ବୀକାର ରସିଦଟେ ମାଆର ହାତକୁ ବଢାଇଦେଲି  ।
                ମାଆଟିର ଓଠରେ ହସ ଚିକ୍ ମିକ୍ ହୋଇ ଝଲସୁଥିଲା । ଏହାପରେ ମାଆ ଜଣକ ଆଣିଥିବା ଜରିରୁ ଏକ ପାନ ବଟୁଆ କାଢି ମୋ ହାତରେ ଶହେଟି ଟଙ୍କା ଗୁଂଜିଦେଲେ  । ସମସ୍ତ ଘଟଣା ଜାଣିଲା ପରେ ମାଆଟି ହାତରୁ ଶହେ ଟଙ୍କା ନେବା ମୋତେ କଷ୍ଟ ଲାଗୁଥିଲା ।  ଗତ ମାସରେ ଭତା ଟଙ୍କାରୁ ମାଆ ଜଣକ ନିଜର ପାନ ଗୁଆ ଖର୍ଚ୍ଚ ବନ୍ଦ କରି ସଂଚିତ ଶହେ ଟଙ୍କା, ମୋ ପାଇଁ   ମହାର୍ଘ ସଂପତି ପରି ଲାଗୁଥିଲା ।  ଫେରାଇବା ପାଇଁ ଯେତେ  ମନା କଲା ପରେ ବି ସେହି ଟଙ୍କାଟିକୁ ମାଆ ହାତରେ ଜବରଦସ୍ତ  ଗୁଂଜିଦେଲି  । ମିଛରେ ଆଧାରକୁ  ନାକଚ କରିଦେବି ବୋଲି ଧମକ ଦେଲି  । ମାଆ ଜଣକ  ଏହାପରେ ଆହୁରି  ନିଜର ନିଜର ହୋଇ ମୋର ହୃଦୟ ଭିତରକୁ ପଶିଆସୁଥିଲେ । ପ୍ରଥମେ ଆପଣେ, ତା ପରେ ତମେ ଆଉ ଶେଷରେ ତୁ ସମ୍ଭୋଧନ କରିବା ଆରମ୍ଭ କରିଦେଇଥିଲେ । ମୋତେ ବି ବହୁତ ମଜା ଲାଗୁଥିଲା । ସତରେ ବସ୍ତୁବାଦୀ ସମାଜରେ ମଣିଷ ଠୁ ନିରୋଳା ଭଲ ପାଇବା ଆଉ ଆତ୍ମୀୟତା  ମିଳିବା  ବହୁତ ଦୁର୍ଲଭ  । ହଠାତ୍  ମୋତେ ଆକଟିବା ଛଳରେ ଗୋଟେ କଥା ପଚାରିବା ଆରମ୍ଭ କରିଦେଲେ ।
-ବାପା, ଗୋଟେ କଥା ପଚାରିବି ।
- କୁହ ମାଆ
- ଆରେ ବାପା, ତୋ ମୂଣ୍ଡ ଉପରେ ଏ ପିତଳ କାଳୀ ମୂର୍ତିଟା  କାହିଁକି ରଖିଛୁ ।ଘରେ ଏହାକୁ ରଖିଲେ ଭଲ ନୁହେଁ । ସାଧନା ଫାଦନା କରିଛୁ ନା କଣ ।  କାଳୀ ସାଧକଟା କିରେ  । ମୋ ଉଗ୍ରଚଣ୍ଡୀ ବୋହୁଟିକୁ ସଜାଡି ଦିଅନ୍ତୁ ନାହିଁ  ।
               ମୁଁ ବହୁତ ଜୋରରେ ଠୋ ଠୋ ହୋଇ ହସି ଉଠିଲି  । ମାଆ ଜଣକ ଚାହିଁ ରହିଥିଲେ ମୋ ମୁହଁକୁ  । ମୋ ହସରେ ଚମକି ପଡିଲେ ଯେପରି । ସମାଜରେ ଅନେକ ଅନ୍ଧ ବିଶ୍ୱାସ ଭରି ରହିଥାଏ  । ମୂର୍ତି ପୂଜାର ଉପାସକ  ହେବା ଅପେକ୍ଷା ଜୀବନରେ ଜୀଅନ୍ତା ମଣିଷର ଉପାସକ ହେବା ଉଚିତ  । ଜୀବନରେ ଦୁଃଖୀ ମଣିଷର ଆଖିରୁ ଲୁହ ପୋଛିବା ହିଁ ସାଧକ ପାଇଁ ଉପାସ୍ୟ ହେଉ ।  ଜଡ ମୂର୍ତିରେ ଆଦ୍ୟାଶକ୍ତିଙ୍କୁ ଆରାଧନା କରିବା ଅପେକ୍ଷା ସାଧକର ଚକ୍ଷୁରେ ସମଗ୍ର ନାରୀ ସମାଜ ମାତୃବତ୍ ହେଉ ।ଏହା ହିଁ ମାତୃ ସାଧନାର ବୀଜ ମନ୍ତ୍ର ଅଟେ ।ଜଗତ୍ ଜନନୀ  ସଦା ସନ୍ତାନ ବତ୍ସଳା ଅଟନ୍ତି । ମମତାମୟୀ ଅଟନ୍ତି ।  ସେ ପାପୀ ପାଇଁ ସଂହାରକାରିଣୀ  ହୋଇ ପାରନ୍ତି । କିନ୍ତୁ  ସ୍ନେହ କାଙ୍ଗାଳ ସନ୍ତାନ ପାଇଁ ନୁହେଁ  । ଏପରି  କଥା ଶୁଣି ମାଆ ଜଣକ ଚୁପ୍ ଚାପ୍ ହୋଇଯାଇଥିଲେ  ।  ଏହାପରେ ତାଙ୍କୁ ଏଜ ସପ୍ତାହାନ୍ତେ ଆସିବା ପାଇଁ କହି ବିଦା କରିଦେଲି  । 
                  ପ୍ରାୟ ଦଶ ଦି ପରେ ମାଆ ଜଣଙ୍କ ମୋର ଜନ ସେବା କେନ୍ଦ୍ରକୁ ଆସିଲେ । ବହୁତ ଖୁସି ଜଣା ପଡୁଥିଲେ ।ଆଧାର ଅପଡେଟ୍ ପରେ ଘରେ ସବୁ ଠିକ୍ ଠାକ୍ ଚାଲିଥିଲା  । ବୋହୁର ବ୍ୟବହାରରେ ପରିବର୍ତନ ମଧ୍ୟ ହୋଇ ସାରିଥିଲା । ମାଆ ଜଣଙ୍କର ଆଧାର ବାୟୋମେଟ୍ରିକ୍ ମଧ୍ୟ ଅପଡେଟ୍ ହୋଇ ଯାଇଥିଲା । ଗୋଟେ ଆଧାର ପ୍ରିଂଟ୍ ଆଉଟ୍ କରି ମାଆଙ୍କ ହାତରେ ଧରାଇଦେଲି  ।  ପ୍ରତିବଦଳରେ ମାଆ ଜଣକ ମୋ ହାତକୁ ଏକ ଘିଅ ବୋତଲ ଧରାଇଦେଲେ ।
- ଏ ଘିଅ କଣ  କାଳୀ ମାଆ ନିକଟରେ ଦୀପ ଜଳା ହେବ ନାଁ କଣ ?  ହଉ ନବ ରାତ୍ରି ଆସୁଛି  । ଭଲ ହବ ।
- ହେ ବଗୁଲିଆ ପିଲାଟା  । ସେ ଦିନ ତୁ ଏତେ  କଥା କହିଲୁ  । ଆଜି ଏମିତି କଣ କହୁଛୁ ।
- ମାନେ ???
- ତୁ ତ ଜାଣିଚୁ ଆମର ଗୋପାଳ ଘର  । ତୋ ପାଇଁ ମୁଁ ଏ  ଦେଶୀ ଘିଅଟିକେ ଆଣିଛି । ଭାତରେ ପକାଇ ଖାଇବୁ । ଭଲ ଲାଗିବ  । ମୁଁ କଣ ତୋର ମାଆ ନୁହେଁ  । ଗରିବ ମାଆଟା ତୋତେ ଆଉ କଣ ଦେଇଥାନ୍ତା କିରେ ?
                           ମାଆଟିର ଏଇ କଥା ପଦକରେ ଆତ୍ମୀୟତା ଭରି ରହିଥିଲା ।ତାଙ୍କ ମୁହଁକୁ ଚାହିଁ ରହିଥିଲି । ସତେ ଯେପରି ଜନ୍ମ ଜନ୍ମ ପିଆସୀ ସାଜି ମମତାମୃତ ପାନ କରିବା ପାଇଁ ମୋର ପ୍ରାଣ ବ୍ୟାକୁଳିତ ହୋଇଉଠୁଥିଲା ।  ଆଖି ଛଳ ଛଳ ହୋଇ ମୋ ଅଜାଣତରେ କେଇ ଟୋପା ଲୁହ ଠସ୍ ଠସ୍ ହୋଇ ଖସି ପଡିଲା  ।   ପର ମୁହୂର୍ତରେ ମାଆଟି ପଣତରେ ମୋ ଲୁହ ଗୁଡିକୁ ପୋଛି ଦେଇ, ତାଙ୍କର ଛାତିରେ ମୋ ମୁଣ୍ଡକୁ ଚାପି ଧରିଥିଲେ । ଜାଣେନା ଏ ଘଟଣା ପରେ କେତେ ବର୍ଷ ବିତି ଯାଇଛି  । ହେଲେ ସେ ଘିଅ ବୋତଲଟି ମୋ ପାଇଁ ଏକ ଅମୁଲ୍ୟ ରତ୍ନ ପାଲଟି ଯାଇଛି । ହୋଇ ଯାଇଛି ଅଭୁଲା ସନ୍ତକ । ସେ ବୋତଲର ଘିଅ ଖାଇବା ପାଇଁ ମୋର ସାହାସ ହୋଇ ନାହିଁ । ସେମିତି ରଖି ଦେଇଛି ସେ କାଳୀ ମୂର୍ତି ନିକଟରେ  । ମୁଁ ଜାଣେ ଆଜି ପର୍ଯ୍ୟନ୍ତ ମୋର ମାତୃ ସାଧନା ସରି ନାହିଁ  ।  ମୋ ଆଖିରେ ଯେ ପର୍ଯ୍ୟନ୍ତ ସମଗ୍ର ନାରୀ ସମାଜ ମାତୃବତ୍ ହୋଇ ନ ପାରିଛି, ନିଜକୁ ଶ୍ରେଷ୍ଠ ସାଧକ ଭାବରେ ଅଭିହିତ କରିପାରିବି କିପରି ?
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........