ଚିଠିରୁ ଫେସବୁକ୍:ପାଢୀ ସାର୍

                        ଚିଠିରୁ ଫେସବୁକ୍:  ମୋ ବୋଉର ଗୋଟେ ଭଲ ଅଭ୍ୟାସ, ମୋ  ଜନସେବା କେନ୍ଦ୍ରରୁ ଯେ କୌଣସି କାଗଜ, ବାହାରେ  ପଡିଥିବ, ତାକୁ ମୁଁ ନ ଦେଖିବା ଯାଏ, ସାଇତି କି ରଖିଥିବ । ଦିନେ ମୋର  ପୁରୁଣା ପୋଷ୍ଟ କାର୍ଡଗୁଡିକୁ ଖୋଜିଲା ବେଳେ କହିଲା, ସେଗୁଡିକ ମୁଁ ପୋଖରୀରେ ଫିଙ୍ଗି ଦେଇଛି । ବହୁତ ରାଗ ଲାଗୁଥିଲେ ବି ଛାତି ଭିତର କୋରି ହେଉଯାଉ ଥିଲା । ପ୍ରାୟ ୧୯୯୨ ମସିହାରୁ ଅଷ୍ଟମରେ ପଢିଲା ବେଳେ ଅନେକ ସାଙ୍ଗମାନଙ୍କର ଚିଠି, ବିଶେଷ କରି କେତେ ବେଳେ କେମିତି ପତ୍ରିକା ଖଣ୍ଡେ ପଢିଲେ, ଗପ କିମ୍ବା କବିତା ହେଉ, ଏହାର ସ୍ରଷ୍ଟାମାନଙ୍କୁ ଚିଠି ଲେଖିବା ଏକ ପ୍ରକାର ନିଶା ହୋଇଯାଇଥିଲା ।ତାଙ୍କର ଉତର ମଧ୍ୟ ମିଳୁଥିଲା । କିନ୍ତୁ ଏହି  ୨୦୦/୨୫୦ ପୋଷ୍ଟ କାର୍ଡ ମଧ୍ୟରେ କଲେଜ ଜୀବନର  ମୋର ପ୍ରିୟ ତଥା ଚିର ନମସ୍ୟ ସାହିତ୍ୟ ଅଧ୍ୟାପକ ଡଃ ବେଣୁଧର ପାଢୀଙ୍କର ଏକ ପୋଷ୍ଟକାର୍ଡ ଚିଠିକୁ ବହୁତ ଖୋଜୁଥିଲି  । ଯେଉଁ ପୋଷ୍ଟ କାର୍ଡ ଖଣ୍ଡେ ମୋ ଜୀବନରେ ବହୁତ କିଛି ପରିବର୍ତନ କରି ଦେଇଥିଲା । ସାର୍ ଙ୍କ ବିଷୟରେ ଏତକି କହିବି, ଉଦୟ ନାଥ କଲେଜ,ଅଡଶପୁରରେ  ବାଣିଜ୍ୟ ପଢିଲା ବେଳେ +୨ରେ କେବଳ ଆମ ପାଇଁ ଓଡିଆ ଥିଲା । ଓଡିଆ ପ୍ରତି ଦୁର୍ବଳତା ବହୁତ ଥିଲେ ବି ବେଳେ ବେଳେ ପ୍ରିୟ ଅଧ୍ୟାପିକା ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂ, ହିରଣ୍ମୟୀ ମିଶ୍ର ଓ କବିତା ମାମ୍  ଙ୍କ ସଂପାଦନାରେ “ବେଳା” ନାମରେ ଏକ ୱାଲ୍ ମାଗାଜିନ୍ ବାହାରୁଥିଲା । ଏଥିରେ ମୁଁ   “ବିତସ୍ତା” ଛଦ୍ମ ନାମରେ ପ୍ରେମ କବିତା ଗୁଡିକୁ ନିୟମିତ ଲେଖୁଥିଲି । କିନ୍ତୁ +୨ ପଢିଲା ବେଳେ, ପାଢୀ ସାରଙ୍କ ଓଡିଆ କ୍ଲାସ କେତେବେଳେ ଆରମ୍ଭ ହୁଏ, କେତେ ବେଳେ ଶେଷ ହୁଏ. ଜାଣି ହୁଏ ନାହିଁ । କ୍ଲାସ ସରିଗଲା ପରେ ଇଛା ହୁଏ, ପୁଣି ଗୋଟେ ପିରିଅଡ୍ ହୋଇ ଆହୁରି ୪୫ ମିନିଟ୍   ପାଢୀ ସାର୍ ଙ୍କ କ୍ଲାସ ହୁଅନ୍ତା ନାହିଁ  ।  କାରଣ ତାଙ୍କ ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ଆମକୁ କିଲ୍ ବିଲ୍ କରି ପକାଉଥିଲା । ତେବେ ସେତେବେଳେ ସାର୍ ଙ୍କର ରଚିତ ଗପ/କବିତାଗୁଡିକ ବିଭିନ୍ନ ପତ୍ର/ପତ୍ରିକାରେ ବାହାରୁଥିଲା । ବିଶେଷ କରି ସେ ସମୟରେ ଖବର କାଗଜ, କଥା ଓ ଝଙ୍କାର ପତ୍ରିକାରେ ସାରଙ୍କ ଲେଖା ପଢିବାକୁ ମିଳୁଥିଲା ।  ବେଳେ  ବେଳେ ସାର୍ ଙ୍କ ଲେଖା ପଢି ଚିଠି ଲେଖେ  । ଏମିତି  ସେଇ ଚିଠି ଗଦା ମଧ୍ୟରେ ସାରଙ୍କ ମହାର୍ଘ ଚିଠିଟି ରହି ଯାଇଥିଲା । ହେଲେ ଏଇ ଚାରି ଦିନ ପୂର୍ବେ ପୁରୁଣା ବହି ଗୁଡିକୁ ସଜାଡୁ ସଜାଡୁ ପୁରୁଣା ଚିଠି ବାକ୍ସ ମିଳିଗଲା ।   ପୁରୁଣା ଚିଠି ପଢି, ପୁରୁଣା ସ୍ମୃତି ମଧ୍ୟରେ ହଜି ଯିବାର ଅନୁଭବ  କେବଳ ଅନୁଭବୀ ହିଁ ଜାଣେ ।  ଏମିତି ଥିଲା ସାର୍ ଙ୍କ ଚିଠି ।   ତା୦୭/୦୬/୨୦୦ ରିଖ/ଖଇରାବାଦ,ଯାଜପୁର
ମାଧବ,
ଶ୍ରଦ୍ଧା ଜାଣିବୁ, ଗୁରୁଜନଙ୍କୁ ମୋର ପ୍ରଣାମ । ତୋ ଚିଠି ପାଇଛି । ଭଲ ଲାଗିଲା । ଏବେ ମୁଁ ଗାଆଁରେ ରହୁଛି । ଫିଚର୍ ଲେଖିବା ଅଭ୍ୟାସ ପରେ ଗପକୁ ଫେରିବାକୁ ଚାହୁଁନି । ତା ଛଡା ମୁଁ ବେସ୍ ଲେସ୍  ଗପ ଲେଖିବା ପକ୍ଷରେ ଆଉ ନାହିଁ  । ତୁ ଲେଖା ଲେଖି ଅଭ୍ୟାସ ରଖ । ହବ  । ଅଧୈର୍ଯ୍ୟ ହେଲେ ହୁଏ ନାହିଁ  । ସବୁ ଜିନିଷ ସେୟା । ନିଷ୍ଠା ଓ ସାଧନା ନ ରହିଲେ ସଫଳତା ପାଇ ହୁଏ ନାହିଁ  । ଲୋକଙ୍କ ସହିତ ମିଶିବା ଓ ସେମାନଙ୍କ ଦୁଃଖ ସୁଖ ସହ ଜଡିତ  ହେଲେ ଲେଖା ଭଲ ହୁଏ । ଏଇ କଥାଟି କେବେ ଭୁଲିଯିବୁ ନାହିଁ  । ହଁ, ଯେଉଁ ସମାଜ ସାପ୍ତାହିକୀରେ ମୋ ଲେଖାଟି ବାହାରିଥିଲା ସେ ଖଣ୍ଡକ ତୋ ପାଖରେ ଅଛି କି ? ଏଠି ମିଳିଲା ନାହିଁ ସମ୍ଭବ ହେଲେ,ସେଇ ସଂଖ୍ୟାଟି ମୋ ପାଇଁ ରଖିଥିବୁ  । (ପାଢୀ ସାର୍ )
                              ତେବେ ସାର୍ ଙ୍କର କେତେ ଖଣ୍ଡ ଚିଠି ମୋ ପାଖରେ ଥିଲେ ମଧ୍ୟ, ଏଥିରେ  କେତେ ପଦ କଥା ଜୀବନର ମୋଡ ବଦଳାଇ ଦେଇଥିଲା । ଲୋକମାନଙ୍କ ସହିତ ମିଶୁ ମିଶୁ ସମାଜ ସେବା ନିଶା ହୋଇଗଲା । ବାସ୍  । ଆଜି ହୁଏତ ଅନେକ କଥା କହିବାକୁ ଥିଲେ, ଭାବ ପ୍ରବଣତାର ଲୁହ ବୋଲ ମାନୁ ନାହିଁ  । କିନ୍ତୁ ଏଇ ଚିଠି ପାଇଁ ଆମେ ଜୀବନରେ ଯାହା ବି ପାଇଛୁ, ତାହା ଶେଷ ପର୍ଯ୍ୟନ୍ତ ଭୁଲି ହେବ ନାହିଁ  । ଶେଷରେ  ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ରହୁଛି  । ପରବର୍ତୀ ସଂଖ୍ୟାରେ ଆସୁଛନ୍ତି “ଚିଠିରୁ ଫେସ୍ ବୁକ୍” ରେ ପ୍ରିୟ ଗାଳ୍ପିକ ହରେକୃଷ୍ଣ ସାହୁ,ମୁଗପାଳ, ଯାଜପୁର ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........