ଗଣିକା ମାଧ୍ୟମ ମହିମା

ଧନ୍ୟ ଧନ୍ୟ ତୁହି ଗଣିକା ମାଧ୍ୟମ । ।ତୋ କୃପାରେ ହୁଏ ଅସାଧ୍ୟ ସାଧନ ।
ଉତମ ହୁଅଇ କେବେ ନରାଧମ । ।ଅଧମକୁ ମିଳେ ମାନ ସନମାନ । । 
ଶାସକ ଦଳର  ସେବା କରୁ ଯେବେ । ।ତୋ ଉଦର ଖାଲି ଟଙ୍କା ସୁନା ଲଭେ । ।
 ବଢେ ପ୍ରତିପତି ,ବଢଇ ଟି.ଆର.ପି । । ସମାଜ ସମ୍ମୁଖେ ଫୁଲି ଉଠେ ଛାତି । ।
ଗଣିକାରୁ ଯେବେ ହେଉ ତୁହି ଗଣ । । ଦୁନିଆଁରେ ସାଜୁ ତୁହି ସଇତାନ । ।
ଆଇନ ଜାଲରେ ହେଉ କେବେ ଛନ୍ଦି । । ପୁଲିସ୍ ବାବୁଟା କେବେ ନିଏ ବାନ୍ଧି ।
ଘରେ ତୋର ବୁଲେ ନିତି କଳାକନା । ।ସଂସାରେ ବାଜଇ ନିନ୍ଦା ଓ ବାଜଣା । ।
ସତ ଲେଖୁ ବୋଲି ପେଟରେ ତୋ ନାତ । । ଘରେ ତୋର ହାଣ୍ଡି ହୁଏ ମାଙ୍କଡଚିତ୍ । ।
ଘରର ଘରଣୀ କେବେ କାଚ ଖୋଲେ । । ପିଲା ଛୁଆ ତୋର ବଡ ଦାଣ୍ଡେ ବୁଲେ ।
ମାନ ଯାଉ ପଛେ ହୋଇବି ଗଣିକା ।  ।ଟଙ୍କା ବାହୁ ବଳେ ହେବି କିଣା ବିକା । ।
ଶାସକ କଥାରେ ହେବି ଭାଉ ଭାଉ । । ପୋଡା ରୁଟି ଖଣ୍ଡେ  ମୁଖେ ପଡି ଥାଉ । ।
ସତ ହେଉ ମିଛ, ମିଛ ହେଉ ସତ । ।ଖାଉଥିବି ନିତି ହାତ ଗୁଂଜା ଲାଂଚ । ।
ଜଗତେ ବୋଲିବେ ମୋତେ ଧନ୍ୟ ଧନ୍ୟ । । “ଶ୍ରେଷ୍ଠ ସାମ୍ବାଦିକ” ପାଇବି ସମ୍ମାନ । ।
ହାତ ଯୋଡୁଥିବେ ନେତା ଓ ମନ୍ତିରୀ । । ଗଣିକା ମାଧ୍ୟମ ଭଲ ଠୁ ଚାକିରୀ ।
ଗଣିକା ମାଧ୍ୟମ ଧନ୍ୟ ତୋ ମହିମା । । ମହାମୁର୍ଖ ମୁହିଁ କି ଦେବି ଉପମା । ।
ତିନି ତୁଣ୍ଡେ ତୁହି ଛାଗଳରୁ ଶ୍ୱାନ । ।  ଜଗତେ ବୋଲିବେ ତୋତେ ଧନ୍ୟ ଧନ୍ୟ

ଇତିଶ୍ରୀ କୁଟୁଳିଆ ସମାଜ ପୁରାଣେ ରାଜନୀତି ତନ୍ତ୍ରେ ଚାମଚା ସାମ୍ବାଦିକ  ମନ୍ୱନ୍ତରେ ନାମ ଗଣିକା ମାଧ୍ୟମ ମହିମା ଅଧ୍ୟାୟ । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆବଶ୍ୟକ

ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆବଶ୍ୟକ
         ନିବାସ ଚନ୍ଦ୍ର ଭୋଇ,ଭୋଦଳ ଜଣେ  ଦୁର୍ନିତି ବିରୋଧୀ ସମାଜସେବୀ,ସୂଚନାଧିକାରକର୍ମୀ ଓ ଅସହାୟ ଦଳିତ  ବ୍ୟକ୍ତି ଅଟନ୍ତି ।  ଏତ୍ଦ ବ୍ୟତୀତ ସେ ଉଦୟଭାନୁ ସାମାଜିକ  ତଥା ସାହିତ୍ୟ ସଙ୍ଗଠନର ପ୍ରତିଷ୍ଠାତା ଅଟନ୍ତି  ।ଦୁଭାର୍ଗ୍ୟ ବଶତଃ ବର୍ତମାନ ଏକ ଦୁରାରୋଗ୍ୟ ଜଣ୍ଡିସ୍ ସହିତ ଯକୃତ କର୍କଟ ରୋଗରେ ପିଡୀତ ହୋଇ ଅଖିଳ ଭାରତୀୟ ସଂସ୍ଥାନରେ (ଏମ୍ସ ହସପିଟାଲ)ରେ ଚିକିତ୍ସିତ ହେଉଛନ୍ତି । ଘର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏବଂ ଚିକିତ୍ସା ପାଇଁ ପ୍ରତିଦିନର ଅର୍ଥର ଆବଶ୍ୟକତା ହେତୁ ବହୁତ ଆର୍ଥôକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଏଣୁ ଆପଣଙ୍କୁ ଅନୁରୋଧ କରୁଛୁ କି,ନିମ୍ନରେ ଦିଆଯାଇଥିବା ଆକାଉଂଟ୍ ନମ୍ବର କିମ୍ବା ଫୋନ୍ ପେ ନମ୍ବରରେ ପଠାଇଲେ ଆମେ ଚିରୋପକୃତ ହେବୁ । 


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସମସ୍ୟା ଚକ୍ରବ୍ୟୁହରେ ଡାକ୍ତରଖାନା,ଅଭିମନ୍ୟୁ ତରଫରୁ ଅନଶନ ଜାରି

 ସମସ୍ୟା ଚକ୍ରବ୍ୟୁହରେ ଡାକ୍ତରଖାନା,ଅଭିମନ୍ୟୁ ତରଫରୁ ଅନଶନ ଜାରି
IYA NEWS (ନିଆଳୀ) ତା ୧୩/୧୦/୨୦ରିଖ ନିଆଳୀ ନିର୍ବାଚନ ମଣ୍ଡଳୀ  ଅନେକ ଅଂଚଳ ସମସ୍ୟାର ଚକ୍ରବ୍ୟୁହରେ ଫସି ରହିଛି  ।  ସେଥିମଧ୍ୟରୁ ଦେବୀ କନ୍ଦଳ ଦ୍ୱୀପାଂଚଳ  ଜନ ସାଧାରଣଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ୧୯୭୨ ମସିହାରେ ଖୋଲା ଯାଇଥିଲା ସରକାରୀ ହୋମିଓ ପ୍ୟାଥିକ ଡାକ୍ତରଖାନା  । ମାତ୍ର ପ୍ରଶାସନର ଉଦାସୀନତା ଏବଂ  ଅପାରଗ ପଣିଆରୁ ଆଜି ସୃଷ୍ଟି ହୋଇଛି ତାଲା ବନ୍ଦ ପରିସ୍ଥିତି । ଡାକ୍ତର ନିୟମିତ ଆସୁ ନାହାନ୍ତି । ଡାକ୍ତରଖାନାର ନିଜସ୍ବ ଘର ନାହିଁ କି ଜମି ନାହିଁ ।ଏହି ସମସ୍ୟାର ଚକ୍ରବ୍ୟୁହ ଭେଦ କରିବା ପାଇଁ ଅଂଟା ଭିଡିଛନ୍ତି ଅଭିମନୁ୍ୟ ସଂଗଠନର ଆବାହକ ଅଭିମନ୍ୟୁ ମଲ୍ଲିକ ଏବଂ ଏରଂଚ ଗ୍ରାମବାସୀ । ଆଜି କୋଭିଡ୍ ନିୟମାନୁଯାୟୀ ସାମାଜିକ ଦୂରତା ବଜାୟ ରଖି ଉକ୍ତ ହୋମିଓ ପ୍ୟାଥିକ ଡାକ୍ତର ଖାନା ପାଇଁ ସ୍ବତନ୍ତ୍ର ଜମି ଚିହ୍ନଟ ପୂର୍ବକ  ଡାକ୍ତରଖାନା ନାମରେ ଜମି ରେଜିଷ୍ଟ୍ରି କରଣ କରଣ କରିବା, ଡାକ୍ତର ଖାନା ପାଇଁ ସରକାରୀ ଅନୁଦାନ ପ୍ରଦାନ କରିବା ସହିତ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ଏବଂ ଡାକ୍ତର ଖାନାରେ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ସହିତ ନିୟମିତ ଖୋଲାଯିବା ପରିପ୍ରେକ୍ଷୀରେ ତିନି ଦଫା ଦାବୀ ଗୁଡିକ ପୂରଣ ପାଇଁ ସଂଗଠନ ତରଫରୁ  ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ  ଏବଂ ଗଣ ଧାରଣା । ଯଦି ଆସନ୍ତା ଦିନରେ ଉପରୋକ୍ତ ଦାବୀ ଗୁଡିକ ପୁରଣ କରା ନଯାଏ, ତେବେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଯିବ ବୋଲି  ଅନଶନର ନେତୃତ୍ୱ ନେଇଥିବା ଶ୍ରୀଯୁକ୍ତ ମଲ୍ଲିକ ପ୍ରଶାସନକୁ ଚେତା ।ବନୀ  ଦେଇଛନ୍ତି । ଉକ୍ତ ଅନଶନ ଏବଂ ଗଣ ଧାରଣାକୁ ବିପିନ୍ ବିହାରୀ ମହାପାତ୍ର , ସତ୍ୟବାନ ସ୍ବାଇଁ ଏବଂ ଅନ୍ୟାନ ସଦସ୍ୟମାନେ ପରିଚାଳନା କରିଥିଲେ ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କବୀର୍ ଭୋଇ ମୁଁ କହୁଛି

ଅର୍ଥ ଅଭାବରୁ ନିଜ ସ୍ତ୍ରୀ ସୁକାନ୍ତି (୫୫ ବର୍ଷ)ର ପେଟ ବେମାରୀ ହେତୁ ପୁରୀର ସାକ୍ଷୀ ଗୋପାଳ ଠାରୁ  କଟକ ପର୍ଯ୍ୟନ୍ତ  ପ୍ରାୟ ୭୫ କିଲୋମିଟର ଟ୍ରଲି ରିକ୍ସା ଟାଣି ଟାଣି ବଡ ମେଡିକାଲରେ ପହଂଚାଇଥିଲେ କବୀର ଭୋଇ(୬୫ ବର୍ଷ) ।  ମାତ୍ର ବିଧିର ବିଧାନ ଥିଲା ବିଚିତ୍ର । ଏହାର ପର ଦିନ ସୁକାନ୍ତି ବଡ ମେଡିକାଲରେ ଇହଧାମ ତ୍ୟାଗ କଲେ । ସତରେ ରାଜ୍ୟ ସରକାର ସ୍ବାସ୍ଥ୍ୟର ପ୍ରଗତି ନାମରେ ଢୋଲ ପିଟୁଥିଲା ବେଳେ, ଗରିବ ଲୋକ ଏପରି ହତାଶ ହେବା ଅତ୍ୟନ୍ତ ଦୁଃଖ ଦାୟକ  । ଏହି ପରିପ୍ରେକ୍ଷୀରେ ମୋର କବିତା “କବୀର୍ ଭୋଇ ମୁଁ କହୁଛି” ପାଠ କରିବା ପାଇଁ ଅନୁରୋଧ  । ମତାମତ ପ୍ରଦାନ କରିବା ପାଇଁ ମଧ୍ୟ ଅନୁରୋଧ ।
ଜୀବନର ଚକ ଘରୁଛି,
ଟ୍ରଲି ରିକ୍ସା ଚକ ବୁଲୁଛି,
ଭୋକର ଭୂଗୋଳ,ଚକ୍ରବାତ ସମ,
ପେଟ ବେମାରିଟା ମାରି ଦେଉଛି । ।
ପୁରୀରୁ କଟକ, ମନ ଛଟପଟ
ଆଜି ମୁଁ ବଡ ମେଡିକାଲ ଯାଉଛି । 
କବୀର୍ ଭୋଇ ମୁଁ କହୁଛି । ।
ଗରିବ ଲାଂଛିତ ମୁଁ ବେସାହାରା,
ପାଖେ ଧନ ନାହିଁ, ମୁଁ ସର୍ବହରା ।
ରୋଗ ହେଲେ ଧନ ପାଇବି କାହୁଁ,
ଆଖିରୁ ମୋର ଝରୁଛି ଲୁହ,
ଏ ସରକାର ଡାକ ଶୁଣୁ ନାହିଁ.
ନିଜ କରମକୁ ନିନ୍ଦୁଛି । କବୀର୍ ଭୋଇ ମୁଁ କହୁଛି ।
ଧିକ ମୋର  ଯାଉ ଗେରସ୍ତପଣ ।
ମାଇପିକୁ ନେଲା ସେ ଜନ୍ତୁରାଣ ।
ଗରିବ ଜୀବନ ହିନୀମାନିଆ ।
ନିତି ପିନ୍ଧୁଥାଏ ଲୁଗା ସାତ ସିଆଁ ।
ବେଳା ମୋ ଖରାପ ପଡିଛି । କବୀର୍ ଭୋଇ ମୁଁ କହୁଛି ।
କାନ୍ ଖୋଲ୍ କର ଶୁଣ୍ ସରକାର ।
ସ୍ବାସ୍ଥ୍ୟର ପ୍ରଗତି, ଫିଟୁୁଛୁ ଢୋଲ୍ ।
 ଗରିବ ମରିବ, ତା ଜୁଇ ଜଳିବ,
ଏ ଦେଶେ ରହିବା, ତୋର୍ କି ଦର୍କାର ।
ଗରିବ ଲୁହରେ ତତଲା ଲୁହରେ,
ଦିନେ ରାଜ ଗାଦି ଭୁଷୁଡି ଯିବରେ ।
ଦୁନିଆଁକୁ ଡାକି କହୁଛି  । କବୀର୍ ଭୋଇ ମୁଁ କହୁଛି ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସେବା ଟ୍ରଷ୍ଟ ଆନୁକୁଲ୍ୟରେ ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ଗୋପବନ୍ଧୁ ଜୟନ୍ତୀ

ସେବା ଟ୍ରଷ୍ଟ ଆନୁକୁଲ୍ୟରେ ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ଗୋପବନ୍ଧୁ ଜୟନ୍ତୀ 
IYA NEWS (ନିଆଳୀ) ତା୦୯/୧୦/୨୦୨୦ରିଖ ମହାମାରୀ କରୋନା ସମୟରେ  ଦୁସ୍ଥ  ଅସହାୟଙ୍କର ସେବା କରି ଆସିଥିବା ସମୟରେ,କଟକ ଜିଲ୍ଲା ଅନ୍ତର୍ଗତ ଦେବୀ କନ୍ଦଳ ଦ୍ୱୀପାଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ସେବା ଟ୍ରଷ୍ଟ”  ଆନୁକୁଲ୍ୟରେ ସଙ୍ଗଠନର ପ୍ରତିଷ୍ଠା ଦିବସ ଏବଂ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କର ଜୟନ୍ତୀ କସର୍ଦା ଠାରେ ପାଳିତ ହୋଇଯାଇଛି  । ଏହି ଅବସରରେ ପ୍ରଥମେ ଶିକ୍ଷାବିତ୍ ପ୍ରଶାନ୍ତ ମାହାପାତ୍ର ଗୋପବନ୍ଧୁଙ୍କ ପଟ୍ଟଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଗୋପବନ୍ଧୁଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଏହି ସଙ୍ଗଠନଟି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୀର୍ଘ ଦିନ ହେଲା ଦ୍ୱୀପାଂଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ସହିତ ଗ୍ରାମାଂଚଳର ଜନ ସାଧାରଣଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଦଖଲ କରିଛି ବୋଲି ଶ୍ରୀଯୁକ୍ତ ମହାପାତ୍ର ମଧ୍ୟ ପରିପ୍ରକାଶ କରିଥିଲେ ।ଏତଦ୍ ବ୍ୟତୀତ ସେବା ଟ୍ରଷ୍ଟ ତରଫରୁ ଏକ ପାଠାଗାର ଉନ୍ମୋଚନ କରାଯାଇଥିଲା । ପରେ ପରେ ଶ୍ରୀ ଶଙ୍କରେଶ୍ୱର ମନ୍ଦିର ପ୍ରାଙ୍ଗଣରେ  କୋଭିଡ୍ ନିୟାମୁନାଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ଏକ ସାଧାରଣ ବୈଠକ କରାଯାଇଥିଲା । ଏଥିରେ ସେବା ସଂଗଠନର ସଭାପତି ଚନ୍ଦନ ମହାନ୍ତି ପୌରହିତ୍ୟ କରିବା ସହିତ ଦିବ୍ୟ ରଞ୍ଜନ ମହାପାତ୍ର ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ସମାଜସେବୀ ଅକ୍ରୁର ମହାନ୍ତି,ଆର୍ତବନ୍ଧୁ ପାତ୍ର,ସମ୍ମାନିତ ଅତିଥି ସମାଜସେବୀ ରଜନୀ କାନ୍ତ ମହାପାତ୍ର,ମିହିର କୁମାର ମହାପାତ୍ର,ଅମ୍ବିକା ପ୍ରସାଦ ଷଡଙ୍ଗୀ,ସୂର୍ଯ୍ୟକାନ୍ତ ସ୍ବାଇଁ,ଭୋଳାନାଥ ମଲ୍ଲିକ,ସି.ଭି.ପି.ର ମୁଖ୍ୟ ଉପଦେଷ୍ଟା ସରୋଜ ସ୍ବାଇଁ,ସାମାଜିକ ସଙ୍ଗଠନର “ଅଭିମନ୍ୟୁ” ସଭାପତି ଅଭିମନୁ୍ୟ ମଲ୍ଲିକ, “ମାତୃଭୂମି”ର ସଭାପତି ବିବେକ ଜେନା,ଆଇନଜିବୀ ଅବଦୁଲ ବାରି ଏବଂ “ମଦ ମୁକ୍ତ ବାହିନୀ”ର ସଂଯୋଜକ ଲଲାଟେନ୍ଦୁ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ ଦିବ୍ୟଜ୍ୟୋତି ମହାନ୍ତି,ସୌମ୍ୟ ପାଢୀ,ରୁଦ୍ର ପାଢୀ,ସୋମେଶ ଜେନା,ସୌଭାଗ୍ୟ ସେଠୀ,ସ୍ବପ୍ନେଶ୍ୱର ମହାପାତ୍ର , ଶକ୍ତି ଶଙ୍କର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଉପଦେଷ୍ଟା ବିଜୟ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

“ପୂରିବ ସ୍ବରାଜ୍ୟ ଗାଡ”

“ପୂରିବ ସ୍ବରାଜ୍ୟ ଗାଡ” 
ପ୍ରକୃତି ବଦଳେ ଧିରେ ଧିରେ,
ନ ବଦଳିଲାଯଦି,
 ବଦଳିବ ଭାଇ ମରିବା ପରେ
ନେଇ ନେଇ ଅଧିକାରୀ ନେତା,
ଦେଇ ଦେଇ  ଖୋଳ ପାଲଟିଣ,
ଭକୁଆ ହେଲେ ଜନତା । ।
ଦିନରେ ଲଣ୍ଠନ,ରାତିରେ ଲୁଣ୍ଠନ
କଅଁଳିଆ କଥା,ଗାଲରେ ଚୁମ୍ବନ
ଦିନ ଅଧେ ଦେଖା ନାହିଁ,
ହେଲେ ନିର୍ବାଚନ,ଗସ୍ତ ଘନ ଘନ
ଗହ୍ମାବେଳେ ମାଇଁ ମାଇଁ
ବଢୁ ନିଜ ପାଣ୍ଠି, ଜନ ମାଂସ ଝୁଣି,
ଧନ ବଢାଇବି,ଦିନ ଗଣି ଗଣି,
ମୋ ଝୁଲା ପୁରିବ,ମନ ଖୁସିହେବ.
ଜନତାଙ୍କ ମୁଣ୍ଡ ହାଡ ।
ପୂରିବ ସ୍ବରାଜ୍ୟ ଗାଡ ।
ଭାଇ, ନୂଆ ଦେଶ ଗଢ,ଗଢ ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କାମନା କଣ୍ଢେଇ ହୁଏ ନାରୀ

କାମନା କଣ୍ଢେଇ ହୁଏ ନାରୀ
ମାଧବାନନ୍ଦ ଭୋଇ
କାମନା ନିଆଁରେ ଜଳି ଜଳି,
ଦହିହେଲା ତାର ତନୁ ଶିରୀ,
ଯୌନ କ୍ଷୁଧା କେବେ ସରବନି ଦେଶୁ
କାମନା କଣ୍ଢେଇ ହୁଏ ନାରୀ ।
ନ୍ୟାୟାଳୟ ଯେବେ ଯାଏ ଶୋଇ ।
ପୁଂଜି ପତିର ବୁଲ ଡ୍ରୋଜରରେ,
ଗରବୀ ଜୀବନ ପେଶି ହୋଇଯାଏ,
ନାରୀ ମାଂସ ଏଠି ଶସ୍ତା ହୋଇଥାଏ,
ଗରିବ ମାଇପ ହୁଏ ଶାଳୀ । ।
ଶୋଷଣ,କଷଣେ, ଯୌନ ଉପôୀଡନେ
ଯୌବନର ଫୁଲ ହୁଏ ଛିନ୍ନ ଭିନ୍ନ
ନିର୍ଭୟା ପରେ କେତେ ଯେ ମନୀଷା,
ଜଳୁଥିବ ଦେଶେ ନିତି ଜୁଇ;
ନ୍ୟାୟ ମିଳିବନି,ଲୀଳା ସରିବନି,
ଋହିବନି  ପାଦ ଚିହ୍ନ । ।
ଆଇନକୁ  ଏଠି ଗୁଲିମାର,
ହାତେ ଧର ମାଆ ତଲ୍ବାର,
ସଂହାରିଣୀ ବେଶେ,ରକ୍ତ ମୁଖା ହୋଇ,
କାମନା ପିପାସୁ ଧ୍ୱଂସ କର,
ଶାନ୍ତ ହେବ ମୋର ବିଶ୍ୱ ଜନନୀ,
ଶାନ୍ତ ହେବ ବିଶ୍ୱ ପରିବାର ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,କଟକ,ସଂପର୍କ:୯୨୩୮୫୮୯୧୦୦

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗୁରୁ କୃପା

 ଗୁରୁ କୃପା

ମାଧବାନନ୍ଦ ଭୋଇ

        ତା୩୦/୦୯/୨୦୨୦ରିଖ । ଆଜି ବୁଧବାର ଥିଲା । ନିଜର ଜନ ସେବା

କେନ୍ଦ୍ରରେ  ବିଶେଷ କିଛି କାମ ନଥିଲେ ବି, ସକାଳ ବେଳା କିଛି  କାଗଜପତ୍ର କାମ ଥିଲା  । ଆଜି ବହୁତ ଇଚ୍ଛା ଥିଲା ସସ୍ତ୍ରୀକ ଗୁରୁଦେବଙ୍କ କର୍ମକ୍ଷେତ୍ର ମଙ୍ଗୁଲି ଆଶ୍ରମ ଯିବା ପାଇଁ  । ତଥାପି  ଆମର କାମ ସାରୁ ସାରୁ ଏଗାରଟା ତିରିଶ ବାଜିଗଲା  । ରଶ୍ମୀର ବି  ଘର କାମ ସରି ନ ଥିଲା । ତେବେ ଗୁରୁ ମନ୍ଦିରର ପହଡ ପଡି ସାରିଥିବ ଭାବି, ଉଭୟେ ଦିନ ଗୋଟାଏ ତିରିଶ ମିନିଟ ସୁଦ୍ଧା ମଙ୍ଗୁଲି ଯିବା ପାଇଁ ସ୍ଥିର କରି ନେଲୁ  ।  ଠିକ୍ ସେହି ସମୟରେ ବାହାରିବା ପରେ ଘର ଚଉପଡା  ଏକ କିଲୋମିଟର ଦୂରରେ ପହଂଚିଛୁ , ପ୍ରବଳ ଦୁମ କାଣିଆ ବର୍ଷା ଆରମ୍ଭ ହୋଇଗଲା  । ଘଡ ଘଡି ମଧ୍ୟ ଜୋରରେ ମାରୁଥାଏ  । ନିରୁପାୟ ହୋଇ ଚଉପଡାସ୍ଥିତ ଏକ ସିଲେଇ ଦୋକାନ ବାରଣ୍ଡାରେ ଆଶ୍ରୟ ନେଲୁ  । ରଶ୍ମୀ କହିଲା, ମୁଁ ମାଆଙ୍କ ନାମରେ  ସ୍ମରଣ କରି ତିନୋଟି ତାଳି ମାରୁଛି, ବର୍ଷା କମିଯିବ  ।  ତାକୁ ଚିଡାଇବା ପାଇଁ ମୁଁ ହସିଲି  । ସେ ବିରକ୍ତ ହେଲା ମୋ ହସ ଦେଖି  । ପ୍ରାୟ ପନ୍ଦର ମିନିଟ୍ ପରେ ବର୍ଷା କମିଲା  । ଝିପି ଝିପି କୁଣ୍ଡାଝରା ବର୍ଷା ହେଉଥାଏ  । ମୁଁ କହିଲି, ଆରେ ଘର ପାଖରେ ଅଛୁ,ଚାଲ ଘରକୁ ପଳାଇଯିବା  । ମାତ୍ର ରଶ୍ମୀ ନଛୋଡ ବନ୍ଧା, ଆମେ ଗୁରୁ କ୍ଷେତ୍ରକୁ ବାହାରିଛୁ ମାନେ ଯିବା ପାଇଁ ପଡିବ । ଆକାଶରେ ମଧ୍ୟ କଲା ବାଦଲ ଘୁରୁଥାଏ  ।  ସେହି ବର୍ଷାରେ ଭିଜି ଭିଜି ଆମେ ବାହାରିଲୁ । ବାଇକ୍ ଚଲାଇବା ପାଇଁ ବହୁତ କଷ୍ଟ ହେଉଥାଏ  ।ହେଲେ ଝାରପଡା ପୋଲ ନିକଟରେ ବର୍ଷାର ବେଗ ବଢି ଚାଲିଲା  । ପୁନଃ କିଛି ଉପାୟ ନ ଥିବା ହେତୁ ଏକ କେବିନ୍ ବାରଣ୍ଡାରେ ମୁଣ୍ଡ ଗୁଂଜିଲୁ  । ଆକାଶରେ ବହୁତ କଳା ବାଦଲ ଥିଲା । ପ୍ରାୟ ପନ୍ଦର ମିନିଟ ପରେ ବର୍ଷା ଟିକେ କମିଲା  ।  ବର୍ଷା ହେବା ନିଶ୍ଚିତ ଜାଣି, ଘରକୁ ଯିବା , କିମ୍ବା ଗୁରୁ କ୍ଷେତ୍ରକୁ ଯିବାର ନିଷ୍ପତି ରଶ୍ମୀ ମୋ ଉପରେ ଛାଡିଦେଲା  । ତେବେ ଅର୍ଦ୍ଧାଧିକ ବାଟ ଆସି ଯାଇଥିବା ହେତୁ, ଏବଂ ଗୁୁରୁ କ୍ଷେତ୍ରକୁ ଯିବା ପାଇଁ ସଂପୂର୍ଣ୍ଣ ନିଷ୍ପତି ନେଇ ସାରିଥିବାରୁ, କେବଳ ଗୁରୁଦେବଙ୍କୁ ସ୍ମରଣ କରି ଯିବା ପାଇଁ ମୁଁ ଠିକ୍ କରିନେଲି । ଝିପି ଝିପି ବର୍ଷାରେ ବାଇକ୍ ଚଲାଇବାରେ ଟିକେ ଅଶ୍ୱସ୍ତି ବୋଧ ହେଉଥିଲେ ମଧ୍ୟ ଗୁରୁ କ୍ଷେତ୍ରରେ ପହଂଚିବା ନିଶାରେ ଚାଲିଲୁ  । ପ୍ରାୟ ତିନିଟା ସୁଦ୍ଧା ମଙ୍ଗୁଲି ଆଶ୍ରମରେ ପହଂଚିଲୁ  । ଗୁରୁ ମନ୍ଦିର,ଶ୍ୟାମାକାଳୀ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ବନ୍ଦ ଥାଏ  । ଆଶ୍ରମ ପରିଚାଳିକା ବିନି ମା ତାଙ୍କର ବିଶ୍ରାମ ପ୍ରକୋଷ୍ଠରେ ବିଶ୍ରାମ ନେଉଥାନ୍ତି ।  ତେବେ ଗୁରୁ ଦେବଙ୍କ ମନ୍ଦିର ସମ୍ମୁଖରେ ଗୁରୁ ଦେବଙ୍କୁ  ପ୍ରାର୍ଥନା କରିବା ବ୍ୟତୀତ ଆମର କିଛି ବାଟ ନ ଥିଲା । ଏହି ସମୟରେ  ବର୍ଷା ମଧ୍ୟ ପ୍ରବଳ ବେଗରେ ହେଲା  । ରଶ୍ମୀ ହାତ ଯୋଡି ଗୁରୁ ମନ୍ଦିର ସମ୍ମୁଖରେ ବସିଥାଏ । ମୁଁ କିଛି ସମୟ ପରେ,  ଡିଜିଟାଲ ଇଂଡିଆର ଅନ୍ ଲାଇନ୍ ମିଟିଂ ଥିବାରୁ ମୁଁ ମୋବାଇଲ୍ ରେ ମନ ଦେଲି  । ହେଲେ ଏ ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା  । ସମୟେ ସମୟେ ଆମର ଚତୁପାଶ୍ୱର୍ରେ ଦିବ୍ୟ ସୁଗନ୍ଧର ବଳୟ ଉଭୟେ ଅନୁଭବ କରି ପାରୁଥିଲୁ  । ପ୍ରବଳ ବର୍ଷା ହେଲେ ବି ଏହି ଦିବ୍ୟ ସୁଗନ୍ଧ ପ୍ରାୟ ଗୋଟିଏ ମିନିଟ ରହି, ପୁନଃ ସ୍ବାଭାବିକ ଅବସ୍ଥାକୁ ଫେରିଆସୁଥିଲା ।ପୁନଃ ଆଶ୍ରମର ବାରଣ୍ଡାରେ ଦିବ୍ୟ ସୁଗନ୍ଧ ଘୁରି ବୁଲୁଥିଲା । ଗୁରୁ ଦେବଙ୍କର ସୁକ୍ଷ୍ମ ଉପସ୍ଥିତିକୁ ଅନୁଭବ କରି,ଶରୀରରେ ଅପୂର୍ବ ଶିହରଣ ଖେଳି ଯାଉଥିଲା । ହେଲେ ବର୍ଷା ଥମିବାର ନାମ ନେଉ ନ ଥିଲା । ମୋର ନବ ରାତ୍ରି ଚାଲିଥିବାରୁ, ଏକ ବେଳା ହବିଷ୍ୟାନ୍ନ ପାଇଁ ଧ୍ୟାନକୁଦ ପୀଠରେ ପ୍ରସାଦ ପାଇଁ   ଆଜି ବହୁତ ଇଚ୍ଛା ଥିଲା । ସେଥିପାଇଁ ଘରେ ମଧ୍ୟ କିଛି ଭୋଜନ କରି ନଥିବା ହେତୁ କ୍ଷୁଧାର ଜ୍ୱାଳା ବଢି ଚାଲିଥିଲା  । ଗୁରୁ ମନ୍ଦିର ନ ଖୋଲିବା ଏବଂ  ବର୍ଷା ନ ଛାଡିବା ହେତୁ ଗୁରୁ ଦେବଙ୍କ ଉପରେ ପ୍ରବଳ ଅଭିମାନ ଆସିଲା  । ମନ ଏଇ କଥା ଭାବି ଗୁଣୁ ଗୁଣୁ ହେଲେ ମଧ୍ୟ କିଛି କରି ପାରୁ ନଥିଲି  ।

ସମୟ ପ୍ରାୟ ଚାରିଟା ପନ୍ଦର ହେବ । ବିନି ମା ଆସିଲେ  ।  ମନ୍ଦିର ଗୁଡିକ ଖୋଲା ହେଲା  । ଦିବ୍ୟ ଦର୍ଶନ  ହେଲା ପରେ  ମୁଁ ଧ୍ୟାନ କୁଦ ବାହାରିଲି  । ବର୍ଷା ମଧ୍ୟ ଛାଡିଗଲା ।ହେଲେ ଚାରଟି ତିରିଶରେ ସେଠାରେ ପ୍ରସାଦ ମିଳିବ କି ନାହିଁ ମନରେ ଭାବନା ଥିଲେ ବି,ବିନି ମାଆର କଥା ଅନୁସାରେ ପ୍ରଭୁଙ୍କ ବରାଦ ଯାହା ଥିବ ନ୍ୟାୟରେ,ଗୁରୁ ଦେବଙ୍କ ପ୍ରତି ଅଟଳ ବିଶ୍ୱାସ ରଖି  ଏକୁଟିଆ ଧ୍ୟାନକୁଦ ବାହାରିଲି  ।  ଝିପି ଝିପି ବର୍ଷା ହେଉଥାଏ । ଚାରିଟା ଚାଳିଶ ମିନିଟ୍ ହୋଇଗଲା  । ଧ୍ୟାନ କୁଦ ରୋଷ ଶାଳା ଶୁନ୍ ଶାନ୍ ଲାଗୁଥାଏ  । ନନାମାନେ ମଧ୍ୟ ବଳକା ପ୍ରସାଦ ଗୁଡିକ ବାନ୍ଧି ନିଜ ଘରକୁ ନେବା ପାଇଁ ବାହାରିଥାନ୍ତି । ତେଣୁ ସେମାନଙ୍କ ଠୁ ନାସ୍ତି ବାଣୀ ମଧ୍ୟ ଶୁଣିବା ପାଇଁ ପଡିଲା । ହେଲେ ଏହି ସମୟରେ ଜନୈକ ନନା ବାହାରି ଆସି କହିଲେ, ଆରେ ତାଙ୍କୁ ମନା କରନି, ଯାହା ଅଛି  ବାଂଟି କରି ତାଙ୍କୁ ଦେଇ ଦେବା ।  ସେ ପ୍ରଭୁଙ୍କ ପ୍ରସାଦ ପାଇଁ ଆସିଛନ୍ତି । ଫେରାଅନି  ।  ପରିଶେଷରେ ଉଚିତ୍ ମୂଲ୍ୟ ଠାରୁ କମ୍ ଦାମ୍ ପ୍ରଦାନ କରି ଇଚ୍ଛା ଠାରୁ ଅଧିକ ପ୍ରସାଦ ଧରି ବାହାରିଲି  । ସ୍ନେହାଶ୍ରୁରେ ଆଖିରୁ ଝର ଝର ହୋଇ ଲୁହ ଝରି ଚାଲିଥିଲା । ଗୁରୁ ଦେବଙ୍କର ଏହି ଅବ୍ୟକ୍ତ ଲୀଳାକୁ ବୁଝିବା ପାଇଁ ସତରେ ନଶ୍ୱର ଶରୀର ଅସମର୍ଥ ଥିଲା । ବିଲୁଆ ଖାଇ ନଇ ପୋଲରେ ଗୁଣୁ ଗୁଣୁ ହୋଇ ହୋଇ ଭାବୁଥିଲି, ଆରେ ଦର୍ଶନ ସମୟରେ ଲାଇନ୍  ତ ନଥିଲା  । ଦର୍ଶନ ଭଲରେ ହେଲା ନାହିଁ  । ଲାଇନ୍ ଆସି ଯାଆନ୍ତି ନି, ଦର୍ଶନ ସହିତ ଫଟୋ କିଛି ଉଠାଇ ଥାନ୍ତି । 

ବାସ୍ !କିଛି ସମୟ ପରେ ମଙ୍ଗୁଲି ଆଶ୍ରମରେ ପହଂଚିଲି  । ଲାଇନ୍ ମଧ୍ୟ ଆସି ଯାଇଥିଲା ।ବିଦୁ୍ୟତ୍ ଆଲୋକରେ ଗୁରୁ ଦେବଙ୍କ ମୁଖ ମଣ୍ଡଳ  ଝଲସି ଯାଉଥିଲା  । ଶରୀରରେ ଖେଳି ଯାଉଥିଲା ଅପୂର୍ବ ଶିହରଣ  । ଇଚ୍ଛାମୟଙ୍କର ଅଧମ ପ୍ରତି କୃପା ବାରି ସିଂଚନ କରିଛନ୍ତି, ଏହା ମୁଁ ମର୍ମେ ମର୍ମେ ଅନୁଭବ କରି ପାରୁଥିଲି । ଯେଉଁ ଦିବ୍ୟ ଅନୁଭବରେ,  ଆଖିର ଲୁହ ବାଧା ମାନୁ ନ ଥିଲା ।ଅଜସ୍ର କୋହ ଆଉ ଝର ଝର ଲୁହକୁ ଗୁରୁ ଦେବଙ୍କ ପଦାବ୍ଚରେ ଅର୍ପଣ କରି ,ତାଙ୍କର ଅପୂର୍ବ ଲୀଳା ମାଧୁରିମାକୁ ହୃଦୟରେ ସାଇତି ମଙ୍ଗୁଲି ଆଶ୍ରମରୁ ଫେରିଆସିଲି  । ସତରେ ଆଧ୍ୟାତ୍ମିକ ରାଇଜରେ  ଅନେକ ସାଧକ କାମନା ବାସନା ପାଇଁ ସ୍ବାର୍ଥନ୍ୱେଷୀ ଅର୍ଘ୍ୟ ବଦଳରେ ସୁଖ ସମୃଦ୍ଧି ମିଳୁଥିବା ବେଳେ, ସଦ୍ ଗୁରୁଙ୍କ ନିଷ୍କାମ ପ୍ରେମରେ କେବଳ ସୁଖ ହିଁ ସୁଖ ମିଳିଥାଏ  । ଆମେ କେବଳ ନିଜର କର୍ତବ୍ୟକୁ ଯଥୋଚିତ ଭାବରେ ତାଙ୍କର ପଦାରବିନ୍ଦରେ ସମର୍ପଣ କରିଦେଲେ,ଜୀବନ ପାତ୍ର ପୁରି ଯାଏ ।ପ୍ରାଣ ଅପୂର୍ବ ସୁରଭିରେ ସୁରଭିତ ହୋଇଯାଏ । ସତରେ ତୁମେ ବରଷୁଛ କୃପା,ହେଲେ ଭାଗ୍ୟରେ ନାହିଁ ମୋହରି । ତୁମେ ମହା ଦୟାଳୁ ଠାକୁର,......,