ରକତ ହୋଲି

“ରକତ ହୋଲି” କବିତାଟି ପ୍ରିୟ ସୂଚନାଧିକାରକର୍ମୀ ଭାଇ/ଭଉଣୀମାନଙ୍କ ପାଇଁ ,କିନ୍ତୁ ୟେ କବିତା ଅନେକଙ୍କୁ ବିରକ୍ତବୋଧ ହୋଇ  ପାରେ  । କଣ ନା ସାହିତ୍ୟରେ ରାଜନିତୀ କଲା । ମାତ୍ର ଯାହା ଲେଖିଛି,ସତ ଲେଖିଛି । ଗତ ଦୁଇ ଦିନ ପୂର୍ବେ ଶାସକଗୋଷ୍ଠୀ ପୋଷାଗୁଣ୍ଡାଙ୍କ ବୋମାମାଡରେ  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସୂଚନାଧିକାରକର୍ମୀ ସର୍ବେଶ୍ୱର ବେହେରା ଆହତ ହୋଇ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ସେ ସୂଚନା ଅଧିକାର ଆଇନ୍ ମାଧ୍ୟମରେ  ଶାସକ ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ଅନେକ ଦୁର୍ନୀତିର  ପର୍ଦ୍ଦାଫାଶ  କରି ଲୋକ ଲୋଚନକୁ ଆଣିଥିଲେ ।ଏପରିକି ଏହି ଦୁର୍ନିତୀ ଗୁଡିକୁ  ନେଇ  ଲୋକାୟୁକ୍ତରୁ ସୁପ୍ରିମକୋର୍ଟ  ପର୍ଯନ୍ତ ମାମଲା ରୁଜୁ କରିଥିଲେ ।ବିଶେଷ କରି ସୁଚନା ଅଧିକାର ଆଇନକୁ ବ୍ୟବହାର କରି ସର୍ବେଶ୍ୱର ଧର୍ମଶାଳା ବ୍ଲକରେ ଅନେକ ଦୁର୍ନୀତିର ଖୋଲାସା ସହ , ଲୋକାୟୁକ୍ତଙ୍କ ନିକଟରେ ଅନେକ ଅଭିଯୋଗ ଦାଖଲ କରିଛନ୍ତି । ବିଛାଖଣ୍ଡି ଓ ଡଙ୍କାରି ପାହାଡରେ ଖଣିଜ ଦ୍ରବ୍ୟର ହରିଲୁଟ , ପୋଲିସ , ସ୍ଥାନୀୟ ପ୍ରଶାସନ ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ବେଇନ କଳାପଥର ଲୁଟ , ପ୍ରଶାସନ ସହାୟତାରେ ବେଆଇନ କ୍ରଶର ଚାଲିବା, ପିଡ଼ିଏସ ସାମଗ୍ରୀର ଲୁଟ , ଗତ ବନ୍ୟାରେ କେଳୁଅ ନଦୀର ବନ୍ଧକୁ ଡିନାମାଇଟ ଲଗେଇ ଉଡେଇଦେବା ସମ୍ପର୍କରେ ତଦନ୍ତ ପାଇଁ ସେ ଲୋକାୟୁକ୍ତଙ୍କ ନିକଟରେ କେଶ କରିଛନ୍ତି । ପ୍ରାୟ ସମସ୍ତ କେଶରେ ଲୋକାଯୁକ୍ତ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ଉଛସ୍ତରୀୟ ତଦନ୍ତ  ଓ ସର୍ବେଶ୍ୱର ପରିବାରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ଆମ୍ଭେ ଦାବି କରୁଛୁ ।
ଶୁଣ ହେ ନବୀନ୍ ସରକାର,
କେତେ  ଆଉ ରକତ ଦରକାର ।
ସଂଗ୍ରାମୀ  ଖେଳିବ ରକତର  ହୋଲି
ସରିବ ତୋ ରାଜନୀତି ପଶାପାଲି ।
ଜନତାର ହେବ ଜୟକାର । ।

ଅହିଂସା କହୁଛୁ,ହିଂସା କରୁଛୁ,
ଅନୀତି କରିଣ ନୀତି କହୁଛୁ,
ଖୋଲିଅଛୁ ଦୁର୍ନୀତି ଗନ୍ତାଘର .
ତୁ ବଡ ବାହାପିଆ ସରକାର । ।

ବୋମା  ବନ୍ଧୁକର ପିଚକାରୀ.
ଖେଳିଲୁ ନିତି ରକତ ହୋଲି.
ଦୁର୍ନୀତିର ମୁଖା ଯିଏ ଖୋଲିଲା,
ପୋଷା ଗୁଣ୍ଡା ହାତେ ଜୀବନ ଗଲା । ।

ସୂଚନାକର୍ମୀ କରିଛି ପଣ,
ଲଭୁ ସେ ଧମକ ଆଉ ମରଣ;
ଦୁର୍ନୀତି ତରୁର ଉପôାଟନ ଯାଏ,
ଲଢୁଛି ଲଢିବ ମରିବା ଯାଏ ।
କାନ୍ ଖୋଲକର ଶୁଣ୍ ସରକାର୍
ସୂଚନା ଆଇନର ହେବ ଜୟକାର । ।


ବିଳମ୍ବିତ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ???

ଗତ କାଲିର ଦୁର୍ଘଟଣା । ତାରିଖ:୨୬/୦୩/୨୦୨୧,ସମୟ ପ୍ରାୟ ତିନି ଘଟିକା  । 


 ବାଗଲପୁର – ଝାରପଡା ରାସ୍ତାର  ପ୍ରଥମେ କେନାଲ ବନ୍ଧ ଅତିକ୍ରମ କଲା ପରେ ପରେ ପୋଖରୀ ପୂର୍ବରୁ ଦୁଇଟି ବଣୁଆ ଗଛ । ଏଠାରେ ଏକଦା ବହୁ ବର୍ଷ ପୂର୍ବେ ଢାବାରୁ ଖାଇ-ପିଇ ଫେରିଲାବେଳେ ମଧ୍ୟ ରାତ୍ରୀ ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା ।ଦୁଇ ଜଣ ଯୁବକଙ୍କର ମୃତୁ୍ୟ ଘଟିଥିଲା । ଆଜି ପୁଣି ସେ ସ୍ଥାନରେ ଦୁର୍ଘଟଣା  । ଦାମୋଦରପୁର ଗ୍ରାମର ଜନୈକ ଯୁବକ  ବାଗଲପୁର ଦିଗରୁ ମୋଟର ସାଇକେଲ (ଓଡିଶା-୦୫ /ଏଚ୍  ୭୩୫୦)ରେ ଆସୁଥିବା ସମୟରେ  ଭାର ସାମ୍ୟ ହରାଇ ଘୋଷାଡି ହୋଇ ପଡିବା ଅତ୍ୟନ୍ତ ଦୁଃଖ ଦାୟକ ଥିଲା  । ମୁହଁର ଏକ ପାଶ୍ୱର୍ ସଂପୂର୍ଣ୍ଣ ଭାବରେ  ଲହୁ ଲୁହାଣ ହୋଇ ପଡିଥିଲା  । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ପାଟିରୁ ଏକ ପ୍ରକାର ଫେଣ ବାହାରୁଥିଲା କହିଲେ ଚଳେ । ଦୁର୍ଘଟଣା ସମୟରେ ଆମେ ପ୍ରାୟ ଚାରି/ପାଂଚ ଜଣ ଥିଲୁ  ।   ବିଚରା ଯୁବକଟି ଗୁରୁତର ଭାବରେ ପଡିଥିବା ସମୟରେ, ଡାକ୍ତରଖାନା ପଠାଇବା ପାଇଁ  ୧୦୮କୁ ଫୋନ୍ କରିବା ପାଇଁ ଲାଗି ପଡିଲୁ । ଦୁଃଖର ବିଷୟ, କଂଟ୍ରୋଲ୍ ରୁମର ସୂଚନା ଅନୁଯାୟୀ ଅଡଶପୁର ଏବଂ ନିଆଳୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ  ନଥିଲା ।  ମହୀଧରପଡା ସ୍ବାସ୍ଥ୍ୟ କେନ୍ଦ୍ରରୁ ଆମ୍ବ୍ୁଲାନସ୍ ପଠାଗଲା  । କିନ୍ତୁ ଗାଡି କାହିଁ ?  ଦୁର୍ଘଟଣାର ସମ୍ମୁଖୀନ ହୋଇଥିବ ଯୁବକଙ୍କୁା  ମୋଟର ସାଇକେଲରେ ଆଉଜାଇବା ପରେ ଜନୈକ ଭଦ୍ରବ୍ୟକ୍ତି ଦେଇଥିବା ଗାମୁଛାରେ ଘୋଡାଇଦେଇଥିଲୁ । ଧିରେ ଧିରେ ଲୋକଙ୍କର ଭିଡ ଜମୁଥିଲା । ହେଲେ ୧୦୮ ଆମ୍ବୁଲାନ୍ସ ପାଇଁ  ଆମେ ଦୁଇ ତିନି ଜଣଙ୍କ ମୋବାଇଲରୁ କଲ୍ କରି,  ପ୍ରତି ପାଂଚ/ଦଶମିନିଟରେ କସରତ ଚାଲିଥିଲା  ।
                 ଏମିତି  ଫୋନ୍ କରି କରି ପ୍ରାୟ ଚାଳିଶ ମିନିଟ୍ ଚାଲିଗଲା । କିନ୍ତୁ ଆମ୍ବୁଲାନ୍ସର ଦେଖାନାହିଁ  । ଧିରେ ଧିରେ ଉକ୍ତ ଯୁବକର ଘର ଲୋକ ଆସି ପହଁଚିଲେ ।  ପୁନଃ ପନ୍ଦର ମିନିଟ ଚାଲିଗଲା । ଦାମୋଦରପୁରରୁ ଆସିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ମୋଟର ସାଇକେଲରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ବାହାରିଲେ ।  କିନ୍ତୁ ଯୁବକର ଶାରିରୀକ ଅବସ୍ଥା ଗୁରୁତର ହେତୁ, ଆମେ ମନା କଲୁ  । ଦୁଃଖର ବିଷୟ, ଏଇ କାରଣ ହେତୁ, ପିଲାମାନଙ୍କର ଆମକୁ ଦି ପଦ ଦୋଅକ୍ଷରୀ ଶ୍ରବଣରେ ମନ ସନ୍ତୋଷ ହୋଇଗଲା । ସର୍ବଶେଷରେ ଘର ଲୋକଙ୍କ ଜିଦ୍ ଏବଂ ସଂକଟାପନ୍ନ ଅବସ୍ଥା ହେତୁ  ମୋଟର ସାଇକେଲରେ ବୁହା ହୋଇ ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନିଆଗଲା  । ଅଡଶପୁର ସ୍ବାସ୍ଥ୍ୟ କେନ୍ଦ୍ର ନେବା ପରେ, ଯୁବକଟି ବାନ୍ତି କରୁଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ପଠାଗଲା  ।  ଯଦି କୌଣସି ଦୁର୍ଘଟଣା ପାଇଁ ୧୦୮କୁ  ଆମ୍ବୁଲାନ୍ସ ପାଇଁ ଫୋନ୍  କଲେ,  ପ୍ରାୟ ଦଶ କିଲୋମିଟର ରାସ୍ତା ପାଇଁ ଚାଳିଶ /ପଇଁଚାଳିଶ୍ ମିନିଟ୍ ଲାଗୁଛି  ଏବଂ ଦୁର୍ଘଟଣାସ୍ଥଳରେ ୧୦୮କୁ  ଆମ୍ବୁଲାନ୍ସ ପହଂଚି ପାରୁନାହିଁ,ଗୁରତର ରୋଗୀମାନଙ୍କୁ ଏହି ସେବା କେତେ ଦୂର ଫଳପ୍ରଦ ହେବ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ  । ଅନେକ ସମୟରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଂଚିବା ହେତୁ ଅନେକ ରୋଗୀ ପ୍ରାଣ ହରାଇଛନ୍ତି  । ଯଦି ଏହିପରି ଭାବରେ ସରକାର ଜନ ସାଧାରଣଙ୍କୁ  ବିଳମ୍ବିତ ୧୦୮  ଆମ୍ବୁଲାନ୍ସ ସେବା ପ୍ରଦାନ କରନ୍ତି , ହୁଏତ ଦୁର୍ଘଟଣାସ୍ଥଳରେ ଯମପୁରକୁ ଆଡ୍ଭାନ୍ସ ଟିକେଟ ମିଳିଯିବ  ।    


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜାଳ ଜଞ୍ଜାଳ

            ମାଧବାନନ୍ଦ ଭୋଇ       
   
ସମୟ ବାର  ଘଟିକା ତିରିଶ୍ ମିନିଟ୍  । କିଛି କାଗଜାତପତ୍ର କାମ   ପାଇଁ କଟକ  ବାହାରିଲା ମାନୁ । ଫୁଲ ନଖରା ଛକ  ।   କିଛି ଲୋକଙ୍କ ଗହଳି ଦେଖି ଚମକି ଗଲା ମାନୁ । କଣ   ହୋଇଥାଇପାରେ ?  ଟ୍ରାଫିକ୍ ଥାନାକୁ ଲାଗି ବରଗଛ  । ବର ଗଛ ତଳେ ଏକ ସୋଡା ଗାଡି । ଦୁଇ ତିନୋଟି କାକୁଡି ବାଲା  ।   ରାସ୍ତାରେ ପଡିଛି ଶୁଖିଲା ବାଉଁଶ କଣିିର ବିଡା ସହିତ ବାଉଁଶ କଣିର ନଗିଟେ । ପ୍ରାୟ ସତୁରୀ ବାସ୍ତରୀ ବୟସର ମାଆ କଣକ ମୁଣ୍ଡରେ  ହାତଦେଇ ଜୁଳୁ ଜୁଳୁ ହୋଇ ଚାହିଁ ରହିଥାନ୍ତି  । ସ୍କୁଟି ସହିତ ଦୁଇ ଉଦ୍ଭ୍ରାନ୍ତ ଯୁବକଙ୍କୁ  ଟ୍ରାଫିକ୍ ପୋଲିସ୍ ଜଣକ  ବିରକ୍ତ ହୋଇ ବିଡ୍ ବିଡ୍ ହୋଇ ବକୁଥାନ୍ତି । ଘଟଣା ଥିଲା ଏହି ପରି; ବୁଢୀ ମାଆ ଜଣକ ଜାଳ କରିବା ପାଇଁ ଯାଇଥିଲେ । ଭୋଡାଫୋନ୍ ଗୋଦାମ ପାଖରେ ଗଛ ଗୁଡିକ ଛୋଟିଆ ବଣ  । 

ପ୍ରାୟ ପାହାଳ ପର୍ଯ୍ୟନ୍ତ ଲମ୍ବି ଯାଇଛି । ବିଚାରୀ  ଜାଳ  ସଂଗ୍ରହ କରି ଧଇଁ ସଇଁ ହୋଇ ଫେରୁଥିଲେ ବୁଢୀ ମାଆ ଜଣକ । ଦୁଇ ଜଣକ ଯୁବକ ଏକ ସ୍କୁଟିରେ କଟକ ଯାଉଥିବା  ସମୟରେ ବୁଢୀ ମାଆ ଜଣକ ସହିତ ଦୁର୍ଘଟଣା  ଘଟିଲା ।  ପଡି ଯାଇଥିଲେ ମାଆ ଜଣକ ।  କିଛି ଖଣ୍ଡିଆ ଖାବରା ନ ହୋଇ ଥିଲେ ମଧ୍ୟ  ତାଙ୍କର ପିଠି ମାଡ ହୋଇଥିଲା ।
 କାହିଁକି କେଜାଣି ଶ୍ରଦ୍ଧାରେ ଆଉଁସି ଦେଲା ମାଆଟିର ପିଠିକୁ । ଆଃ ବୋଲି କହି  ମାଆ ଜଣକ ଏକ ଲମ୍ବା ନିଶ୍ୱାସ ମାରିଲେ । ଆକଟିବା ଆଳରେ ମାନୁ   ମାଆଟିର ମୁହଁକୁ ଚାହିଁ କହିଲା “ମାଆ, ବୟସ  ଗଡି ଗଲାଣି  । ଏ ବୟସରେ ଖରାରେ ଜାଳ ଗୋଟାଇବା ପାଇଁ ଯାଉଛ” । ବୁଢୀ ଥମ୍ ହୋଇ ଚାହିଁଲା ମାନୁକୁ  । ପରେ ପରେ  ମାଆଟି ନିଷ୍ପ୍ରଭ ଆଖିରେ ଜୁଳୁ ଜୁଳୁ ହୋଇ ଚାହିଁ ରହିଲେ ମାନୁକୁ  । ମାନୁ ପୁଣି ସେ କଥା ପଚାରି ମାଆର ପିଠିକୁ ଆଉଁସିଲା ପରେ ମଥାକୁ ଆଉଁସି ଦେଲା କେଉଁ ଏକ ମମତ୍ୱବୋଧରେ  । ସତରେ ଭଲ ପାଇବାର ସ୍ପର୍ଶରେ ପଥରରେ ବି ପ୍ରାଣ ସଂଚାର ହୋଇଯାଏ । ହା ହୁତାଶର  ସନ୍ତାପିତ ପ୍ରାଣରେ, ଟିକେ ଆଦରର ସ୍ପର୍ଶ ବାଜିଲେ ପ୍ରାଣ ଯେପରି ଗଦ୍ ଗଦିତ ହୋଇଯାଏ  । ନିଜର ନିଜର ଲାଗେ । 
              କିଛି ସମୟ ପରେ ମାନୁ ତାର ହାତଟିକୁ ମାଆର ଡାହାଣ ହାତରେ ଥୋଇଦେଲା  । ପାଣି ବୋତଲକୁ  ବଢାଇଦେଲା ପିଇବା ପାଇଁ । ଢକ୍ ଢକ୍ ହୋଇ ପିଇଗଲେ ମାଆ ଜଣକ । ମାନୁ ପୁଣି ପୁରୁଣା କଥା ଦୋହରାଇ ମାଆ ଜଣକୁ ଆକଟିଲା । ବିଚାରୀ ଟିକେ ଭାବ ପ୍ରବଣ ହୋଇଗଲା  ।  “କଣ କରିବିରେ ବାପ,  ଭତା ମୋତେ ମିଳୁଛି ବୋଲି ରକ୍ଷା ଅଛି । ନ ହେଲେ ବୋହୁ ସାଆନ୍ତାଣୀ ମୋତେ ଘରେ ରଖେଇ ଦିଅନ୍ତା ନାହିଁ  । ଜାଳ କଲି ନାହିଁ ବୋଲି  ମୋର ଗୋଡ ହାତ ଜାଳି  ରୋଷେଇ କରିଦେବା ପାଇଁ କହୁଛି  ।  ନହଲେ ଖାଇବାକୁ ଠିକ୍ ଭାବେ ଦେବ ନାହିଁ” । ଏଇମିତି ମାଆ ଜଣକ ଘର କଥା କହି  ଚାଲିଥିଲେ । ଘରେ ଦୁଇ ପୁଅ । ବାହା ହୋଇ ନାତି ନାତୁଣୀ ଦେଖିଲେଣି । ପୁଅ ଦିଟା ରାଜମିସ୍ତ୍ରୀ କାମ କରନ୍ତି । ଦିନେ କାମ କଲେ ଦି ଦିନ ବନ୍ଦ  ।  ନିତି ଆସିକା ଫର୍ଟି ମଦ ନ ହେଲେ ଚଳିବ ନାହିଁ  । ଖାଇବା ବନ୍ଦ ହେବ ପଛେ ମଦ ବନ୍ଦ ହେବ ନାହିଁ । ଘରେ ସବୁ ଦିନେ କଥା କଥାକେ ମହା ଭାରତ । ରାତିରେ  ବେଳେ ବେଳେ ଜୁଲି ଅଜଳା ରହେ । ମାଆର ଶ୍ୱାସ ହେତୁ  ରାତିରେ ନାଲି ଚା ପିଇ ଶୋଇ ଯାଏ । ଦିନେ ଜାଳକୁ ନଗଲେ କି କାମ ନକଲେ  ବୋହୁମାନେ ଗାଳି କରନ୍ତି ।
କିଛି ସମୟ ମାଆ ସହିତ କଥା ହେଉ ହେଉ ପୁଅ ବୋହୁ ଆସି ପହଂଚିଲେ  ।  ପ୍ରଥମେ ପୁଅ କଟମଟ ହୋଇ ମାଆ ଜଣକୁ ଅନାଇଲା । ଏହାପରେ ବୋହୁ ଜଣକ ମାଆଟି ଉପରେ ବର୍ଷିଗଲେ । “ତୋତେ ବାରମ୍ବାର କହୁଛି ଦିହ ଭଲ ନାହିଁ, କୁଆଡେ ଯାଆ ନାହିଁ  । ଜାଳ ପାଇଁ ଆସି ରୋଅଲ କରୁଛି । ଚାଲ୍ ଯିବା” । ମାଆଟିକୁ ବୋହୁ ଭିଡି ଭିଡି ନିଜର ଘରକୁ ନେବା ପାଇଁ ଲାଗିଲେ  । ମାଆଙ୍କୁ ଅନାଇଲି  । ମାଆଟିର ଆଖି ଛଳ ଛଳ ହୋଇ ଆସୁଥିଲା ।  “ଦେଖିଲୁ ତ ବାପ, ମଣିଷର କେତେଟା ରୂପ ? ଯାଆ ବାପା, ମୁଁ ଯାଉଛି”  । ମାଆ ଜଣକ ମାନୁକୁ  ଧିମା ସ୍ବରରେ କହି ଚାଲିଗଲେ । ଅରଗଳିକୁ ବଳି ଦେବା ପାଇଁ ନେଲା ପରି ବୋହୁ ଜଣକ ଶାଶୁଙ୍କୁ ଭିଡି ଭିଡି ନେଇ ଯାଉଥିଲା ।  ସତରେ ବୟସ ବଢିଗଲେ,ବଳ କମିଗଲେ ଆଉ ରୋଜଗାର ନଥଲେ ମଣିଷ ଅଲୋଡା ହୋଇଯାଏ । ଆଜି ଉଚ୍ଚ ବିତ ପରିବାରରେ ବାପା ମାଆଙ୍କୁ ଜରାଶ୍ରମରେ ଛାଡି ଦେଇ ଆସିବା ସମୟରେ ନିମ୍ନ ବିତ ପରିବାରରେ ଥିବା ବୁଢା ବାପା /ବୁଢୀ ମାଆ ଆକାଶକୁ ଅନାଇ ଆଖି ପାଣି ଆଖିରେ ମାରିବା ବ୍ୟତୀତ ଆଉ କିଛି ନ ଥାଏ । ନିମ୍ନବିତ ପରିବାରରେ ରୋଗରେ ସଢୁଥିବା ମଣିଷର ଔଷଧ ପାଇଁ  ଟଙ୍କା  ନଥାଏ । ଖାଇବା ପାଇଁ ଦାନା ବି  ନିଅଂଟ ହୁଏ । ଶୋଇବା ପାଇଁ ଛିଣ୍ଡା ସପ ନତୁବା ବ୍ୟବହୃତ ପଲିଥିନରେ ଶୋଇ ଶୋଇ  ଦେହ ହାତ ଶିଝି ଯାଏ  । ଏଇତ ହିିଁ ଜୀବନ  । ଛାଡ ।  ଡେରି ହୋଇଯିବ  । ବହୁତ କାମ ଅଛି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କଟକ ଜିଲ୍ଲା ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକା


              ରାଜ୍ୟ ସରକାର ଦୁର୍ନିତୀ ପାହାଡର ଉଚ୍ଚତା ଦିନକୁ ଦିନ ବଢି ଚାଲିଛି  ।  “ଏତେ ଖାଇ ଖାଇ ନ ପୁରେ ପେଟ, ବିରି ଓଳିଆରେ ମାଇଲା ଥଂଟ” ନ୍ୟାୟରେ, ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ/ଛାତ୍ରଙ୍କୁ ମିଳୁଥିବା ମାଗଣା ପୋଷାକରେ ଦୁର୍ନିତୀ ଗନ୍ଧ ଭଣ ଭଣ ହୋଇ ଗନ୍ଧେଇଲାଣି  ।  ଏ କଥା ଆମେ ମନ ଗଢା କରି କହୁନାହୁଁ । ଏହା ସରକାରଙ୍କ ସୂଚନା ଅଧିକାର ଆଇନ  ଦ୍ୱାରା ପ୍ରଦତ ତଥ୍ୟ କହୁଅଛି  ।ଚଂଚକତାର ସହିତ ଛାତ୍ରୀ/ଛାତ୍ରମାନଙ୍କ ପୋଷାକ କିଣାରେ  ମା ତାରେଣୀ ଇଂଟରପ୍ରାଇଜ୍  ସଂସ୍ଥା ନାମରେଗୋଟିଏ ଇନ୍ ଭଏସ୍ ୧୪୦ ନମ୍ବରରେ ତିନୋଟି ରସିଦ୍ କରାଯାଇ,୩ଟି ବିଦ୍ୟାଳୟକୁ ପୋଷାକ ବିକ୍ରି କରାଯାଇଛି । ସବୁଠାରୁ ଦୁଃଖର କଥା, ସର୍ବ ଶିକ୍ଷା ଅଭିଯାନରେ ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ର/ଛାତ୍ରୀନିମନ୍ତେ ୪୦୦ ଟଙ୍କା ମୂଲ୍ୟରେ ୨ ହଳ ପୋଷାକ,୨୦୦ ଟଙ୍କା ମୂଲ୍ୟରେ ୧ହଳ ଜୋତା ଓ ୨ ହଳ ମୋଜା ଭାବରେ ୬୦୦ ଟଙ୍କା ସ୍ଥିରୀକୃତ ହୋଇଥିବା ସ୍ଥଳେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଅତି ନିମ୍ନମାନର ପୋଷାକ ବଂଟନ କରୁଛନ୍ତି । ବଂଟନ କରାଯାଉଥିବା ପୋଷାକ ବଜାରରେ ପ୍ରାୟ୧୨୦ ଟଙ୍କା ମୂଲ୍ୟରେ ୧ ଟି ଫ୍ରକର ମୂଲ୍ୟ ୧୨୦ ଟଙ୍କା,୧ ହଳ ପ୍ୟାଂଟ୍ ସାର୍ଟର ମୂଲ୍ୟ ଟ୧୪୦.୦୦,ଏକ ହଳ ଚୁଡିଦାରର ମୂଲ୍ୟ ୧୫୦.୦୦,ଏକ ହଳ ଜୋତା ଓ ୨ ହଳ ମୋଜାର ମୂଲ୍ୟ ଟ୧୬୦.୦୦ଙ୍କା ଥିବା ବେଳେ,ବିଭାଗୀୟ ଅଧିକାରୀ ଏହାକୁ ପ୍ରତ୍ୟେକ ଟ୨୦୦.୦୦ରେ ବିକ୍ରି କରି ବାକି ଅର୍ଥ ହରିଲୁଟ୍ କରୁଛନ୍ତି ।ପ୍ରାୟ ୫,୦୦୦ ଅଧିକ ପୋଷାକ ଓ ଜୋତା ରାଶି ଜମା ଜମା ହୋଇଥିବା  ବିଦ୍ୟାଳୟ ଯୋଗାଣ ସଂସ୍ଥାକୁ ସଂସ୍ଥା ନାମରେ ଚେକ୍ ଭାବରେ ଦେୟ ପ୍ରଦାନ ବ୍ୟବସ୍ଥା ଥିବା ବେଳେ କେତେକ ବିଦ୍ୟାଳୟ ଏହି ନିୟମରେ ବ୍ୟତିକ୍ରମ ହୋଇଛି । ଯାହାଦ୍ୱାରା ଜି.ଏସ୍.ଟି  ବାବଦ ୫%  ଟିକସହାନୀ ଘଟିଛି  ।  ଯାହାଫଳରେ କଟକ ଜିଲ୍ଲାରେ ସର୍ବ ଶିକ୍ଷା ଅଭିଯାନର ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ପୋଷାକ ଯୋଗାଣ ଓପୋଷାକ ରସିଦରେ ଜାଲିଆତି ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରାଯାଇ,ଆଜି ଓଡିଶା ସୂଚନା ଅଧିକାର ଅଭିଯାନ,କଟକ ଜିଲ୍ଲା ତରଫରୁ ଜିଲ୍ଲାପାଳ,କଟକଙ୍କ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  । ପରେ ପରେ ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ପୋଷାକ ଯୋଗାଣ ଓ ପୋଷାକ ରସିଦରେ ଜାଲିଆତି ଡେପୁଟି କଲେକ୍ଟର(ଜୁଡିସିଆଲ୍) ପ୍ରିୟଦର୍ଶିନୀ ଜେନାଙ୍କ ସହିତ ଆଲୋଚନା କରାଯାଇ ଉଚ୍ଚ ସ୍ତରୀୟ ଦାବୀରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁପେନ୍ଦ୍ର ସିଂ ପୁନିଆ,ଓପେପାକୁ ଦାବୀପତ୍ର ପ୍ରଦାନ କରାଯାଇଥିଲା










ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଭିଯୋଗ କଲେ ଗିରଫ ହେବାର ଧମକ

#କହିବାକୁ_ଲାଜ_ସରକାରୀ_ଅଫିସ୍_କାହା_ପାଇଁ #ଅଭିଯୋଗ_କଲେ_ଗିରଫ_ହେବାର_ଧମକ #କଟକ_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟର_ଗୋଟିଏ_ଚିଠିରେ_ଦୁଇଟି_ତାରିଖ । ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ
ଫାଇଭ୍ ଟି ଶାସନର ନମୁନା ଦେଖିବା ପାଇଁ ମିଳିଲା । ଆଜି ତା୨୨/୦୩/୨୦୨୧ରିଖ । ସମୟ ଦିନ ୧୨ ଘଟିକା ୩୦ ମିନିଟ୍ । କୃଷକମାନଙ୍କ ସାତ ଦଫା ଦାବୀକୁ ଭିତି କରି ବିକ୍ଷୋଭ ପ୍ରଦର୍ଶନ ସମାପନ ପରେ ଦାବୀ ପତ୍ର ଦେବା ପାଇଁ , ପତିତ ପାବନ କୃଷକ ସଂଘର ଆବାହକ ବସନ୍ତ ଭାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକ ବିଭାଗରେ ପହଂଚିଲେ । ଦାବୀପତ୍ରଟିକୁ ଡାକ ବିଭାଗ ରଖିବା ପରେ, ପ୍ରାପ୍ତି ସ୍ବୀକାର ଭାବରେ ଅନ୍ୟ ଏକ ଜେରକ୍ସ ଦାବୀ ପତ୍ରରେ ଜନୈକ ଅଧିକାରୀ ୨୨ ତାରିଖର ଦସ୍ତଖତ କରି ଫେରାଇ ଦେଲେ । ମାତ୍ର ଏଥିରେ କାର୍ଯ୍ୟାଳୟର ସିଲ୍ ନ ଥିଲା । ସିଲ୍ ନଥିବା ଦେଖି ବସନ୍ତ ଭାଇ ପୁନଃ ଜିଲ୍ଲା କାର୍ଯ୍ୟାଳୟର ଡାକ ବିଭାଗକୁ ଗଲେ । ସମୟ ପ୍ରାୟ ଏକ ଘଟିକା ଥିବା ସମୟରେ ଜନୈକ ଅଧିକାରୀ ଏକ ପାସ୍ ରେ ଯାଇଥିଲା । ପନ୍ଦର/କୋଡିଏ ମିନିଟ ଅପେକ୍ଷା କଲା ପରେ ଅଧିକାରୀ ଜଣକ ପୁନଃ ଦାବୀ ପତ୍ରରେ ସିଲ୍ ମାରିଲେ । ମାତ୍ର ପରିତାପର ବିଷୟ ଏହି ସିଲ୍ ରେ ୨୨ ତାରିଖ ପରିବର୍ତେ ୧୯ ତାରିଖ ଉଲ୍ଲେଖ ହୋଇଥିଲା । ବସନ୍ତ ଭାଇ ଏହାର ପ୍ରତିବାଦ କଲେ । ମାତ୍ର କଟକ ଜିଲ୍ଲାରେ ଏ ସବୁ ଚଳେ ବୋଲି ଅଧିକାରୀ ଜଣକ ସଫେଇ ଦେଲେ । ସିଲରେ ତାରିଖ ପରିବର୍ତନ କରିବା ପାଇଁ ମନା କରିଦେଲେ ଅଧିକାରୀ ଜଣକ । ମାତ୍ର ଏହା ଠିକ୍ ନୁହେଁ ବୋଲି ବସନ୍ତ ଭାଇ କହିବା ପରେ ଯୁକ୍ତି ତର୍କ ଆରମ୍ଭ ହୋଇଗଲା, ଯାହାକୁ ବସନ୍ତ ଭାଇ ଭିଡିଓ ରେକର୍ଡିଙ୍ଗ୍ ଆରମ୍ଭ କଲେ । ଏହା ପରେ ଜିଲ୍ଲା ପାଳଙ୍କ କାର୍ଯର୍ର୍୍ୟାଳୟର ଦ୍ୱିତୀୟ ମହଲାରେ ଥିବା କିଛି ଅଧିକାରୀମାନେ ଉତକ୍ଷିପ୍ତ ହୋଇ ଉଠିଲେ । ବସନ୍ତ ଭାଇଙ୍କ ହାତରୁ ଦାବୀ ପତ୍ର ଛଡାଇବାକୁ ଚେଷ୍ଟା କଲେ ପ୍ରମାଣ ପତ୍ର ନଷ୍ଟ କରିଦେବା ପାଇଁ । ଯାହା ଫଳରେ ଦାବୀ ପତ୍ର ବି ଚିରିଗଲା । ଏଥିରେ ଏହାର ପରିସମାପ୍ତି ଘଟିଲା ନାହିଁ । ଜନୈକ ଅଧିକାରୀ ଗର୍ଜି ଉଠି ଯାହା ଇଛା ଗାଳି ଦେଇଗଲେ । ଥାନାରେ କେସ୍ ଦେଇ ଗିରଫ କରିବା ପାଇଁ ଧମକ ଦେଲେ ଜନୈକ ଆଂଚଳିକ ସାମ୍ବାଦିକଙ୍କୁ ଡାକି । ବସନ୍ତ ଭାଇଙ୍କର ଉଚ୍ଚ ରକ୍ତ ଚାପ ଏବଂ ହୃଦ ରୋଗ ଥିବା ହେତୁ, ମୁଁ ଯୁକ୍ତି ତର୍କରୁ ବିରତ କରିବା ସହିତ , ସେଠାରୁ ଆସିବା ପରେ ଆମେ ବାଧ୍ୟ ହୋଇ ,ପୁନଃ ଅନ୍ୟ ଏକ ଅଭିଯୋଗ ପତ୍ର ଡାକ ଦ୍ୱାରା ଜିଲ୍ଲାପାଳଙ୍କ ନିକଟକୁ ପଠାଇଲୁ । ତେବେ ଦୁଃଖର କଟଜ ଜିଲ୍ଲା ପ୍ରଶାସନରେ କୌଣସି ପ୍ରାପ୍ତି ସ୍ବୀକାର ପାଇଁ ଦସ୍ତଖତରେ ଗୋଟିଏ ତାରିଖ ଥିବା ସମୟରେ ସିଲରେ ଅନ୍ୟ ଏକ ତାରିଖ ଉଲ୍ଲେଖ କରିବା କେତେ ଦୂର ଯୁକ୍ତି ଯୁକ୍ତ,ତାହା ବୁଦ୍ଧିଜିବୀମାନେ ବିଚାର କରିବା ଏକାନ୍ତ ଆବଶ୍ୟକ । କିନ୍ତୁ କୌଣସି ଅଧିକାରୀର ଅପିସ୍ , କାହାର ବୋପା ଅଫିସ୍ ନୁହେଁ । ଲୋକମାନଙ୍କ ଅର୍ଥରେ କାର୍ଯ୍ୟାଳୟ ଚାଲୁଛି, କିନ୍ତୁ କୌଣସି ଅଧିକାରୀଙ୍କ ପୈତୃକ ସମ୍ପତିରେ ନୁହେଁ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ,ଜିଲ୍ଲାପାଳଙ୍କ ଦର୍ଶନ ମିଳୁନାହିଁ । ଏପରିକି ସୋମବାର ଦିନ ଅଭିଯୋଗ ଶୁଣାଣୀ ଥିଲେ ମଧ୍ୟ କରୋନା ଆଳରେ , ଜିଲ୍ଲାପାଳ ଆଉ ଦର୍ଶନ ଦେଉ ନାହାନ୍ତି । ତାଙ୍କର ଡାକରେ କୌଣସି ଚିଠି ଦେଲେ, କିଛି ଦିନ ପରେ ଚିଠି ନଂ ପାଇଁ ଗଲେ, ତାହା ମିଳୁ ନାହିଁ । କଣ ନା ଜିଲ୍ଲାପାଳଙ୍କ ଚିଠି ରେଜିଷ୍ଟର ବିଭିନ୍ନ ବିଭାଗ ବୁଲୁଛି । କେତେ ବେଳେ ଡାକକୁ ଆସିବ, ଆମେ ଜାଣି ନାହୁଁ ବୋଲି କର୍ମଚାରୀ ସଫେଇ ଦେଉଛନ୍ତି । ତେବେ ବର୍ତମାନ ପରିସ୍ଥିତିରେ, ରାଜ୍ୟର କୌଣସି କାର୍ଯ୍ୟାଳୟ ଠିକ୍ ଭାବରେ ଚାଲିବା ମୋ ନଜରକୁ ଆସୁନାହିଁ । ଭକୁଆ ଜନତା ଖାଲି ଦଉଡିବା ସାର ହେବ । ଧନ୍ୟରେ ସରକାର ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜୀବନ ରେଖା

ଶୂନ୍ୟତା  ନଥିଲେ ଅନୁଭବରେ ମଜା କାହିଁ ? ଜୀବନରେ ଶୂନ୍ୟତା  ନଥିଲେ ବଂଚିବାରେ  ମଜା ନାହିଁ  । ତଥାପି  ବଂଚିବାକୁ ହେଲେ,ଅସଜଡା  "ଜୀବନ ରେଖା"କୁ କବିତାରେ ସଜାଡି ହେବ  । ମୋର ଏହି କବିତା ପାଠ ପୂର୍ବକ ପ୍ରଦାନ କରିବାକୁ ଅନୁରୋଧ ।
ଜୀବନ ଯୁଦ୍ଧରେ ପରାଜିତ ଆଜି
ଫେରିଯାଏ ଖାଲି ହାତେ ।
ହିସାବ ରଖିନି ଜିତିଛି ମୁଁ କେତେ,
ହାରିଛି ମୁଁ ଆଜି କେତେ ।
ନିଜେ ମୁଁ ଜଳଛି ଆଲୋକ ଦେଇଛି
ବୁଝିନି ପୁଣ୍ୟ କି ପାପ ।
ତେଲ ସରିଲାଣି, କେମିତି ମାପିବି 
ଜୀବନର ମାଟିଦୀପ । ।
ଜୀବନ ଆକାଶେ ବେଳ ରତ ରତ
ସଞ୍ଜ ଆସେ ନଇଁ ନଇଁ ।
ମଶାଣି ଭୂଇଁରେ ଜୀବନ ସଜଡା,
ମୋହ ଲାଗେ କାହା ପାଇଁ ?
ଜୀବନର ରଙ୍ଗ,କବିତାର ରେଙ୍ଗ,
ତଥାପି ଜୀବନ ଫିକା ।
ଜୀବନ ସରିଲେ,ଜୀବନ କବିତା 
ହୋଇଯାଏ ଅଧା ଲେଖା । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କେବଳ ତୁମର

ପ୍ରତିଶ୍ରୁତି ଏବଂ ପ୍ରତାରଣା ମଧ୍ୟରେ ଜୀବନ  । ଅତୀତର ଦସ୍ତାବିଜକୁ ଘାଂଟି ଚକଟି ହୋଇ ନିଜେ ସନ୍ତୁଳି ହେବା ସହିତ ସେଥିରେ ନିଜକୁ ଖୋଜିବା ଏକ ପାଗଳାମୀ ନୁହେଁ ତ ଆଉ କଣ ? ପୁଣି ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ ଏ କବିତା “କେବଳ ତୁମର”ପାଠ କରି ମତା ମତାମତ ଦେବା ପାଇଁ  ଅନୁରୋଧ ।
ଜହ୍ନ ଯେପରି କଇଁର,ମୁଁ ସେହିପରି  ତୁମର,
ଲହରୀ ଯେମିତି ସାଗରର,ମୁଁ ବି ସେମିତି ତୁମର । ।
ସପନ ଯେପରି ନିଦର,ମୁଁ ସେହିପରି ତୁମର,
ଫୁଲ ଯେମିତି ଭଅଁରର,ମୁଁ ବି ସେମିତି ତୁମର । ।
ସିନ୍ଦୁର ଯେମିତି ମଥାର, ମୁଁ ସେହିପରି  ତୁମର, ।
ରଙ୍ଗ ଯେମିତି ଫଗୁଣର,ମୁଁ ବି ସେମିତି ତୁମର । ।
ବରଷା ଯେପରି ଶ୍ରାବଣର, ମୁଁ ସେହିପରି  ତୁମର,
ଜଳ  ଯେମିତି ମୀନର,ମୁଁ ବି ସେମିତି ତୁମର । ।
ମନ୍ଦିର ଯେପରି ଦେବତାର, ମୁଁ ସେହିପରି  ତୁମର,
ପଥ ଯେ ପଥିକର,ମୁଁ ବି ସେମିତି ତୁମର । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...