ବିଳମ୍ବିତ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ???

ଗତ କାଲିର ଦୁର୍ଘଟଣା । ତାରିଖ:୨୬/୦୩/୨୦୨୧,ସମୟ ପ୍ରାୟ ତିନି ଘଟିକା  । 


 ବାଗଲପୁର – ଝାରପଡା ରାସ୍ତାର  ପ୍ରଥମେ କେନାଲ ବନ୍ଧ ଅତିକ୍ରମ କଲା ପରେ ପରେ ପୋଖରୀ ପୂର୍ବରୁ ଦୁଇଟି ବଣୁଆ ଗଛ । ଏଠାରେ ଏକଦା ବହୁ ବର୍ଷ ପୂର୍ବେ ଢାବାରୁ ଖାଇ-ପିଇ ଫେରିଲାବେଳେ ମଧ୍ୟ ରାତ୍ରୀ ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା ।ଦୁଇ ଜଣ ଯୁବକଙ୍କର ମୃତୁ୍ୟ ଘଟିଥିଲା । ଆଜି ପୁଣି ସେ ସ୍ଥାନରେ ଦୁର୍ଘଟଣା  । ଦାମୋଦରପୁର ଗ୍ରାମର ଜନୈକ ଯୁବକ  ବାଗଲପୁର ଦିଗରୁ ମୋଟର ସାଇକେଲ (ଓଡିଶା-୦୫ /ଏଚ୍  ୭୩୫୦)ରେ ଆସୁଥିବା ସମୟରେ  ଭାର ସାମ୍ୟ ହରାଇ ଘୋଷାଡି ହୋଇ ପଡିବା ଅତ୍ୟନ୍ତ ଦୁଃଖ ଦାୟକ ଥିଲା  । ମୁହଁର ଏକ ପାଶ୍ୱର୍ ସଂପୂର୍ଣ୍ଣ ଭାବରେ  ଲହୁ ଲୁହାଣ ହୋଇ ପଡିଥିଲା  । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ପାଟିରୁ ଏକ ପ୍ରକାର ଫେଣ ବାହାରୁଥିଲା କହିଲେ ଚଳେ । ଦୁର୍ଘଟଣା ସମୟରେ ଆମେ ପ୍ରାୟ ଚାରି/ପାଂଚ ଜଣ ଥିଲୁ  ।   ବିଚରା ଯୁବକଟି ଗୁରୁତର ଭାବରେ ପଡିଥିବା ସମୟରେ, ଡାକ୍ତରଖାନା ପଠାଇବା ପାଇଁ  ୧୦୮କୁ ଫୋନ୍ କରିବା ପାଇଁ ଲାଗି ପଡିଲୁ । ଦୁଃଖର ବିଷୟ, କଂଟ୍ରୋଲ୍ ରୁମର ସୂଚନା ଅନୁଯାୟୀ ଅଡଶପୁର ଏବଂ ନିଆଳୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ  ନଥିଲା ।  ମହୀଧରପଡା ସ୍ବାସ୍ଥ୍ୟ କେନ୍ଦ୍ରରୁ ଆମ୍ବ୍ୁଲାନସ୍ ପଠାଗଲା  । କିନ୍ତୁ ଗାଡି କାହିଁ ?  ଦୁର୍ଘଟଣାର ସମ୍ମୁଖୀନ ହୋଇଥିବ ଯୁବକଙ୍କୁା  ମୋଟର ସାଇକେଲରେ ଆଉଜାଇବା ପରେ ଜନୈକ ଭଦ୍ରବ୍ୟକ୍ତି ଦେଇଥିବା ଗାମୁଛାରେ ଘୋଡାଇଦେଇଥିଲୁ । ଧିରେ ଧିରେ ଲୋକଙ୍କର ଭିଡ ଜମୁଥିଲା । ହେଲେ ୧୦୮ ଆମ୍ବୁଲାନ୍ସ ପାଇଁ  ଆମେ ଦୁଇ ତିନି ଜଣଙ୍କ ମୋବାଇଲରୁ କଲ୍ କରି,  ପ୍ରତି ପାଂଚ/ଦଶମିନିଟରେ କସରତ ଚାଲିଥିଲା  ।
                 ଏମିତି  ଫୋନ୍ କରି କରି ପ୍ରାୟ ଚାଳିଶ ମିନିଟ୍ ଚାଲିଗଲା । କିନ୍ତୁ ଆମ୍ବୁଲାନ୍ସର ଦେଖାନାହିଁ  । ଧିରେ ଧିରେ ଉକ୍ତ ଯୁବକର ଘର ଲୋକ ଆସି ପହଁଚିଲେ ।  ପୁନଃ ପନ୍ଦର ମିନିଟ ଚାଲିଗଲା । ଦାମୋଦରପୁରରୁ ଆସିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ମୋଟର ସାଇକେଲରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ବାହାରିଲେ ।  କିନ୍ତୁ ଯୁବକର ଶାରିରୀକ ଅବସ୍ଥା ଗୁରୁତର ହେତୁ, ଆମେ ମନା କଲୁ  । ଦୁଃଖର ବିଷୟ, ଏଇ କାରଣ ହେତୁ, ପିଲାମାନଙ୍କର ଆମକୁ ଦି ପଦ ଦୋଅକ୍ଷରୀ ଶ୍ରବଣରେ ମନ ସନ୍ତୋଷ ହୋଇଗଲା । ସର୍ବଶେଷରେ ଘର ଲୋକଙ୍କ ଜିଦ୍ ଏବଂ ସଂକଟାପନ୍ନ ଅବସ୍ଥା ହେତୁ  ମୋଟର ସାଇକେଲରେ ବୁହା ହୋଇ ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନିଆଗଲା  । ଅଡଶପୁର ସ୍ବାସ୍ଥ୍ୟ କେନ୍ଦ୍ର ନେବା ପରେ, ଯୁବକଟି ବାନ୍ତି କରୁଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ପଠାଗଲା  ।  ଯଦି କୌଣସି ଦୁର୍ଘଟଣା ପାଇଁ ୧୦୮କୁ  ଆମ୍ବୁଲାନ୍ସ ପାଇଁ ଫୋନ୍  କଲେ,  ପ୍ରାୟ ଦଶ କିଲୋମିଟର ରାସ୍ତା ପାଇଁ ଚାଳିଶ /ପଇଁଚାଳିଶ୍ ମିନିଟ୍ ଲାଗୁଛି  ଏବଂ ଦୁର୍ଘଟଣାସ୍ଥଳରେ ୧୦୮କୁ  ଆମ୍ବୁଲାନ୍ସ ପହଂଚି ପାରୁନାହିଁ,ଗୁରତର ରୋଗୀମାନଙ୍କୁ ଏହି ସେବା କେତେ ଦୂର ଫଳପ୍ରଦ ହେବ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ  । ଅନେକ ସମୟରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଂଚିବା ହେତୁ ଅନେକ ରୋଗୀ ପ୍ରାଣ ହରାଇଛନ୍ତି  । ଯଦି ଏହିପରି ଭାବରେ ସରକାର ଜନ ସାଧାରଣଙ୍କୁ  ବିଳମ୍ବିତ ୧୦୮  ଆମ୍ବୁଲାନ୍ସ ସେବା ପ୍ରଦାନ କରନ୍ତି , ହୁଏତ ଦୁର୍ଘଟଣାସ୍ଥଳରେ ଯମପୁରକୁ ଆଡ୍ଭାନ୍ସ ଟିକେଟ ମିଳିଯିବ  ।    


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

1 comment:

  1. ସାହାଯ୍ୟ ଓ ସହୋଯୋଗ କରିବା ମୋର ଉଦେଶ୍ୟ...
    🙏ଜୟ ଜଗନ୍ନାଥ 🙏

    ReplyDelete

ହୃଦୟର ଶରଧା ସହିତ...........