ମାଧବାନନ୍ଦ ଭୋଇ
ସମୟ ବାର ଘଟିକା ତିରିଶ୍ ମିନିଟ୍ । କିଛି କାଗଜାତପତ୍ର କାମ ପାଇଁ କଟକ ବାହାରିଲା ମାନୁ । ଫୁଲ ନଖରା ଛକ । କିଛି ଲୋକଙ୍କ ଗହଳି ଦେଖି ଚମକି ଗଲା ମାନୁ । କଣ ହୋଇଥାଇପାରେ ? ଟ୍ରାଫିକ୍ ଥାନାକୁ ଲାଗି ବରଗଛ । ବର ଗଛ ତଳେ ଏକ ସୋଡା ଗାଡି । ଦୁଇ ତିନୋଟି କାକୁଡି ବାଲା । ରାସ୍ତାରେ ପଡିଛି ଶୁଖିଲା ବାଉଁଶ କଣିିର ବିଡା ସହିତ ବାଉଁଶ କଣିର ନଗିଟେ । ପ୍ରାୟ ସତୁରୀ ବାସ୍ତରୀ ବୟସର ମାଆ କଣକ ମୁଣ୍ଡରେ ହାତଦେଇ ଜୁଳୁ ଜୁଳୁ ହୋଇ ଚାହିଁ ରହିଥାନ୍ତି । ସ୍କୁଟି ସହିତ ଦୁଇ ଉଦ୍ଭ୍ରାନ୍ତ ଯୁବକଙ୍କୁ ଟ୍ରାଫିକ୍ ପୋଲିସ୍ ଜଣକ ବିରକ୍ତ ହୋଇ ବିଡ୍ ବିଡ୍ ହୋଇ ବକୁଥାନ୍ତି । ଘଟଣା ଥିଲା ଏହି ପରି; ବୁଢୀ ମାଆ ଜଣକ ଜାଳ କରିବା ପାଇଁ ଯାଇଥିଲେ । ଭୋଡାଫୋନ୍ ଗୋଦାମ ପାଖରେ ଗଛ ଗୁଡିକ ଛୋଟିଆ ବଣ ।
ପ୍ରାୟ ପାହାଳ ପର୍ଯ୍ୟନ୍ତ ଲମ୍ବି ଯାଇଛି । ବିଚାରୀ ଜାଳ ସଂଗ୍ରହ କରି ଧଇଁ ସଇଁ ହୋଇ ଫେରୁଥିଲେ ବୁଢୀ ମାଆ ଜଣକ । ଦୁଇ ଜଣକ ଯୁବକ ଏକ ସ୍କୁଟିରେ କଟକ ଯାଉଥିବା ସମୟରେ ବୁଢୀ ମାଆ ଜଣକ ସହିତ ଦୁର୍ଘଟଣା ଘଟିଲା । ପଡି ଯାଇଥିଲେ ମାଆ ଜଣକ । କିଛି ଖଣ୍ଡିଆ ଖାବରା ନ ହୋଇ ଥିଲେ ମଧ୍ୟ ତାଙ୍କର ପିଠି ମାଡ ହୋଇଥିଲା ।
କାହିଁକି କେଜାଣି ଶ୍ରଦ୍ଧାରେ ଆଉଁସି ଦେଲା ମାଆଟିର ପିଠିକୁ । ଆଃ ବୋଲି କହି ମାଆ ଜଣକ ଏକ ଲମ୍ବା ନିଶ୍ୱାସ ମାରିଲେ । ଆକଟିବା ଆଳରେ ମାନୁ ମାଆଟିର ମୁହଁକୁ ଚାହିଁ କହିଲା “ମାଆ, ବୟସ ଗଡି ଗଲାଣି । ଏ ବୟସରେ ଖରାରେ ଜାଳ ଗୋଟାଇବା ପାଇଁ ଯାଉଛ” । ବୁଢୀ ଥମ୍ ହୋଇ ଚାହିଁଲା ମାନୁକୁ । ପରେ ପରେ ମାଆଟି ନିଷ୍ପ୍ରଭ ଆଖିରେ ଜୁଳୁ ଜୁଳୁ ହୋଇ ଚାହିଁ ରହିଲେ ମାନୁକୁ । ମାନୁ ପୁଣି ସେ କଥା ପଚାରି ମାଆର ପିଠିକୁ ଆଉଁସିଲା ପରେ ମଥାକୁ ଆଉଁସି ଦେଲା କେଉଁ ଏକ ମମତ୍ୱବୋଧରେ । ସତରେ ଭଲ ପାଇବାର ସ୍ପର୍ଶରେ ପଥରରେ ବି ପ୍ରାଣ ସଂଚାର ହୋଇଯାଏ । ହା ହୁତାଶର ସନ୍ତାପିତ ପ୍ରାଣରେ, ଟିକେ ଆଦରର ସ୍ପର୍ଶ ବାଜିଲେ ପ୍ରାଣ ଯେପରି ଗଦ୍ ଗଦିତ ହୋଇଯାଏ । ନିଜର ନିଜର ଲାଗେ ।
କିଛି ସମୟ ପରେ ମାନୁ ତାର ହାତଟିକୁ ମାଆର ଡାହାଣ ହାତରେ ଥୋଇଦେଲା । ପାଣି ବୋତଲକୁ ବଢାଇଦେଲା ପିଇବା ପାଇଁ । ଢକ୍ ଢକ୍ ହୋଇ ପିଇଗଲେ ମାଆ ଜଣକ । ମାନୁ ପୁଣି ପୁରୁଣା କଥା ଦୋହରାଇ ମାଆ ଜଣକୁ ଆକଟିଲା । ବିଚାରୀ ଟିକେ ଭାବ ପ୍ରବଣ ହୋଇଗଲା । “କଣ କରିବିରେ ବାପ, ଭତା ମୋତେ ମିଳୁଛି ବୋଲି ରକ୍ଷା ଅଛି । ନ ହେଲେ ବୋହୁ ସାଆନ୍ତାଣୀ ମୋତେ ଘରେ ରଖେଇ ଦିଅନ୍ତା ନାହିଁ । ଜାଳ କଲି ନାହିଁ ବୋଲି ମୋର ଗୋଡ ହାତ ଜାଳି ରୋଷେଇ କରିଦେବା ପାଇଁ କହୁଛି । ନହଲେ ଖାଇବାକୁ ଠିକ୍ ଭାବେ ଦେବ ନାହିଁ” । ଏଇମିତି ମାଆ ଜଣକ ଘର କଥା କହି ଚାଲିଥିଲେ । ଘରେ ଦୁଇ ପୁଅ । ବାହା ହୋଇ ନାତି ନାତୁଣୀ ଦେଖିଲେଣି । ପୁଅ ଦିଟା ରାଜମିସ୍ତ୍ରୀ କାମ କରନ୍ତି । ଦିନେ କାମ କଲେ ଦି ଦିନ ବନ୍ଦ । ନିତି ଆସିକା ଫର୍ଟି ମଦ ନ ହେଲେ ଚଳିବ ନାହିଁ । ଖାଇବା ବନ୍ଦ ହେବ ପଛେ ମଦ ବନ୍ଦ ହେବ ନାହିଁ । ଘରେ ସବୁ ଦିନେ କଥା କଥାକେ ମହା ଭାରତ । ରାତିରେ ବେଳେ ବେଳେ ଜୁଲି ଅଜଳା ରହେ । ମାଆର ଶ୍ୱାସ ହେତୁ ରାତିରେ ନାଲି ଚା ପିଇ ଶୋଇ ଯାଏ । ଦିନେ ଜାଳକୁ ନଗଲେ କି କାମ ନକଲେ ବୋହୁମାନେ ଗାଳି କରନ୍ତି ।
କିଛି ସମୟ ମାଆ ସହିତ କଥା ହେଉ ହେଉ ପୁଅ ବୋହୁ ଆସି ପହଂଚିଲେ । ପ୍ରଥମେ ପୁଅ କଟମଟ ହୋଇ ମାଆ ଜଣକୁ ଅନାଇଲା । ଏହାପରେ ବୋହୁ ଜଣକ ମାଆଟି ଉପରେ ବର୍ଷିଗଲେ । “ତୋତେ ବାରମ୍ବାର କହୁଛି ଦିହ ଭଲ ନାହିଁ, କୁଆଡେ ଯାଆ ନାହିଁ । ଜାଳ ପାଇଁ ଆସି ରୋଅଲ କରୁଛି । ଚାଲ୍ ଯିବା” । ମାଆଟିକୁ ବୋହୁ ଭିଡି ଭିଡି ନିଜର ଘରକୁ ନେବା ପାଇଁ ଲାଗିଲେ । ମାଆଙ୍କୁ ଅନାଇଲି । ମାଆଟିର ଆଖି ଛଳ ଛଳ ହୋଇ ଆସୁଥିଲା । “ଦେଖିଲୁ ତ ବାପ, ମଣିଷର କେତେଟା ରୂପ ? ଯାଆ ବାପା, ମୁଁ ଯାଉଛି” । ମାଆ ଜଣକ ମାନୁକୁ ଧିମା ସ୍ବରରେ କହି ଚାଲିଗଲେ । ଅରଗଳିକୁ ବଳି ଦେବା ପାଇଁ ନେଲା ପରି ବୋହୁ ଜଣକ ଶାଶୁଙ୍କୁ ଭିଡି ଭିଡି ନେଇ ଯାଉଥିଲା । ସତରେ ବୟସ ବଢିଗଲେ,ବଳ କମିଗଲେ ଆଉ ରୋଜଗାର ନଥଲେ ମଣିଷ ଅଲୋଡା ହୋଇଯାଏ । ଆଜି ଉଚ୍ଚ ବିତ ପରିବାରରେ ବାପା ମାଆଙ୍କୁ ଜରାଶ୍ରମରେ ଛାଡି ଦେଇ ଆସିବା ସମୟରେ ନିମ୍ନ ବିତ ପରିବାରରେ ଥିବା ବୁଢା ବାପା /ବୁଢୀ ମାଆ ଆକାଶକୁ ଅନାଇ ଆଖି ପାଣି ଆଖିରେ ମାରିବା ବ୍ୟତୀତ ଆଉ କିଛି ନ ଥାଏ । ନିମ୍ନବିତ ପରିବାରରେ ରୋଗରେ ସଢୁଥିବା ମଣିଷର ଔଷଧ ପାଇଁ ଟଙ୍କା ନଥାଏ । ଖାଇବା ପାଇଁ ଦାନା ବି ନିଅଂଟ ହୁଏ । ଶୋଇବା ପାଇଁ ଛିଣ୍ଡା ସପ ନତୁବା ବ୍ୟବହୃତ ପଲିଥିନରେ ଶୋଇ ଶୋଇ ଦେହ ହାତ ଶିଝି ଯାଏ । ଏଇତ ହିିଁ ଜୀବନ । ଛାଡ । ଡେରି ହୋଇଯିବ । ବହୁତ କାମ ଅଛି ।
No comments:
Post a Comment
ହୃଦୟର ଶରଧା ସହିତ...........