ଯନ୍ତ୍ରଣାର ଶରଶଯ୍ୟା

ମଶାଣୀ ଡରୁଛି କୋକେଇକୁ,
ମଣିଷ ଡରୁଛି କରୋନାକୁ ।
ସଂଗ୍ରାମୀ କେବେ ଚାହେଁନା, 
କାପୁରୁଷ ହୋଇ ମରିବାକୁ । ।
 ଯନ୍ତ୍ରଣାର  ଶର ଶଯ୍ୟା ପରେ,
 କୋଭିଡ୍ର କଳା କହରରେ,
ମୁହଁ ଶିଝି ଯାଏ, କଥା ହଜିଯାଏ,
ଅମାନିଆ ଅଶ୍ରୁ ଝରିଯାଏ । ।
ସଂଗ୍ରାମୀର କାମ କେବେ ସରେନା,
ମହାମାରୀ ବ୍ୟାଧିକୁ ଡରେନା,
ଶହୀଦ୍  ସାଜିବ ମରଣ ଜାତକେ,
ଜୀବନର ଶେଷେ ଏହି କାମନା । ।
ଆଉ କେତେ କଥା ରହିଛି ବାକି,
ସରିଯିବ ସବୁ  ବୁଝିଲେ ଆଖି,
ପୁଣି ଜନ୍ମ ନେବ, ସଂଗ୍ରାମୀଟେ ହୋଇ.
ସାଧନାର ସିଦ୍ଧି ରହିବ ବାକି । ।
ସାଧନାର ସିଦ୍ଧି ରହିବ ବାକି । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଚିଠିରୁ ଫେସବୁକ୍:ପାଢୀ ସାର୍

                        ଚିଠିରୁ ଫେସବୁକ୍:  ମୋ ବୋଉର ଗୋଟେ ଭଲ ଅଭ୍ୟାସ, ମୋ  ଜନସେବା କେନ୍ଦ୍ରରୁ ଯେ କୌଣସି କାଗଜ, ବାହାରେ  ପଡିଥିବ, ତାକୁ ମୁଁ ନ ଦେଖିବା ଯାଏ, ସାଇତି କି ରଖିଥିବ । ଦିନେ ମୋର  ପୁରୁଣା ପୋଷ୍ଟ କାର୍ଡଗୁଡିକୁ ଖୋଜିଲା ବେଳେ କହିଲା, ସେଗୁଡିକ ମୁଁ ପୋଖରୀରେ ଫିଙ୍ଗି ଦେଇଛି । ବହୁତ ରାଗ ଲାଗୁଥିଲେ ବି ଛାତି ଭିତର କୋରି ହେଉଯାଉ ଥିଲା । ପ୍ରାୟ ୧୯୯୨ ମସିହାରୁ ଅଷ୍ଟମରେ ପଢିଲା ବେଳେ ଅନେକ ସାଙ୍ଗମାନଙ୍କର ଚିଠି, ବିଶେଷ କରି କେତେ ବେଳେ କେମିତି ପତ୍ରିକା ଖଣ୍ଡେ ପଢିଲେ, ଗପ କିମ୍ବା କବିତା ହେଉ, ଏହାର ସ୍ରଷ୍ଟାମାନଙ୍କୁ ଚିଠି ଲେଖିବା ଏକ ପ୍ରକାର ନିଶା ହୋଇଯାଇଥିଲା ।ତାଙ୍କର ଉତର ମଧ୍ୟ ମିଳୁଥିଲା । କିନ୍ତୁ ଏହି  ୨୦୦/୨୫୦ ପୋଷ୍ଟ କାର୍ଡ ମଧ୍ୟରେ କଲେଜ ଜୀବନର  ମୋର ପ୍ରିୟ ତଥା ଚିର ନମସ୍ୟ ସାହିତ୍ୟ ଅଧ୍ୟାପକ ଡଃ ବେଣୁଧର ପାଢୀଙ୍କର ଏକ ପୋଷ୍ଟକାର୍ଡ ଚିଠିକୁ ବହୁତ ଖୋଜୁଥିଲି  । ଯେଉଁ ପୋଷ୍ଟ କାର୍ଡ ଖଣ୍ଡେ ମୋ ଜୀବନରେ ବହୁତ କିଛି ପରିବର୍ତନ କରି ଦେଇଥିଲା । ସାର୍ ଙ୍କ ବିଷୟରେ ଏତକି କହିବି, ଉଦୟ ନାଥ କଲେଜ,ଅଡଶପୁରରେ  ବାଣିଜ୍ୟ ପଢିଲା ବେଳେ +୨ରେ କେବଳ ଆମ ପାଇଁ ଓଡିଆ ଥିଲା । ଓଡିଆ ପ୍ରତି ଦୁର୍ବଳତା ବହୁତ ଥିଲେ ବି ବେଳେ ବେଳେ ପ୍ରିୟ ଅଧ୍ୟାପିକା ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂ, ହିରଣ୍ମୟୀ ମିଶ୍ର ଓ କବିତା ମାମ୍  ଙ୍କ ସଂପାଦନାରେ “ବେଳା” ନାମରେ ଏକ ୱାଲ୍ ମାଗାଜିନ୍ ବାହାରୁଥିଲା । ଏଥିରେ ମୁଁ   “ବିତସ୍ତା” ଛଦ୍ମ ନାମରେ ପ୍ରେମ କବିତା ଗୁଡିକୁ ନିୟମିତ ଲେଖୁଥିଲି । କିନ୍ତୁ +୨ ପଢିଲା ବେଳେ, ପାଢୀ ସାରଙ୍କ ଓଡିଆ କ୍ଲାସ କେତେବେଳେ ଆରମ୍ଭ ହୁଏ, କେତେ ବେଳେ ଶେଷ ହୁଏ. ଜାଣି ହୁଏ ନାହିଁ । କ୍ଲାସ ସରିଗଲା ପରେ ଇଛା ହୁଏ, ପୁଣି ଗୋଟେ ପିରିଅଡ୍ ହୋଇ ଆହୁରି ୪୫ ମିନିଟ୍   ପାଢୀ ସାର୍ ଙ୍କ କ୍ଲାସ ହୁଅନ୍ତା ନାହିଁ  ।  କାରଣ ତାଙ୍କ ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ଆମକୁ କିଲ୍ ବିଲ୍ କରି ପକାଉଥିଲା । ତେବେ ସେତେବେଳେ ସାର୍ ଙ୍କର ରଚିତ ଗପ/କବିତାଗୁଡିକ ବିଭିନ୍ନ ପତ୍ର/ପତ୍ରିକାରେ ବାହାରୁଥିଲା । ବିଶେଷ କରି ସେ ସମୟରେ ଖବର କାଗଜ, କଥା ଓ ଝଙ୍କାର ପତ୍ରିକାରେ ସାରଙ୍କ ଲେଖା ପଢିବାକୁ ମିଳୁଥିଲା ।  ବେଳେ  ବେଳେ ସାର୍ ଙ୍କ ଲେଖା ପଢି ଚିଠି ଲେଖେ  । ଏମିତି  ସେଇ ଚିଠି ଗଦା ମଧ୍ୟରେ ସାରଙ୍କ ମହାର୍ଘ ଚିଠିଟି ରହି ଯାଇଥିଲା । ହେଲେ ଏଇ ଚାରି ଦିନ ପୂର୍ବେ ପୁରୁଣା ବହି ଗୁଡିକୁ ସଜାଡୁ ସଜାଡୁ ପୁରୁଣା ଚିଠି ବାକ୍ସ ମିଳିଗଲା ।   ପୁରୁଣା ଚିଠି ପଢି, ପୁରୁଣା ସ୍ମୃତି ମଧ୍ୟରେ ହଜି ଯିବାର ଅନୁଭବ  କେବଳ ଅନୁଭବୀ ହିଁ ଜାଣେ ।  ଏମିତି ଥିଲା ସାର୍ ଙ୍କ ଚିଠି ।   ତା୦୭/୦୬/୨୦୦ ରିଖ/ଖଇରାବାଦ,ଯାଜପୁର
ମାଧବ,
ଶ୍ରଦ୍ଧା ଜାଣିବୁ, ଗୁରୁଜନଙ୍କୁ ମୋର ପ୍ରଣାମ । ତୋ ଚିଠି ପାଇଛି । ଭଲ ଲାଗିଲା । ଏବେ ମୁଁ ଗାଆଁରେ ରହୁଛି । ଫିଚର୍ ଲେଖିବା ଅଭ୍ୟାସ ପରେ ଗପକୁ ଫେରିବାକୁ ଚାହୁଁନି । ତା ଛଡା ମୁଁ ବେସ୍ ଲେସ୍  ଗପ ଲେଖିବା ପକ୍ଷରେ ଆଉ ନାହିଁ  । ତୁ ଲେଖା ଲେଖି ଅଭ୍ୟାସ ରଖ । ହବ  । ଅଧୈର୍ଯ୍ୟ ହେଲେ ହୁଏ ନାହିଁ  । ସବୁ ଜିନିଷ ସେୟା । ନିଷ୍ଠା ଓ ସାଧନା ନ ରହିଲେ ସଫଳତା ପାଇ ହୁଏ ନାହିଁ  । ଲୋକଙ୍କ ସହିତ ମିଶିବା ଓ ସେମାନଙ୍କ ଦୁଃଖ ସୁଖ ସହ ଜଡିତ  ହେଲେ ଲେଖା ଭଲ ହୁଏ । ଏଇ କଥାଟି କେବେ ଭୁଲିଯିବୁ ନାହିଁ  । ହଁ, ଯେଉଁ ସମାଜ ସାପ୍ତାହିକୀରେ ମୋ ଲେଖାଟି ବାହାରିଥିଲା ସେ ଖଣ୍ଡକ ତୋ ପାଖରେ ଅଛି କି ? ଏଠି ମିଳିଲା ନାହିଁ ସମ୍ଭବ ହେଲେ,ସେଇ ସଂଖ୍ୟାଟି ମୋ ପାଇଁ ରଖିଥିବୁ  । (ପାଢୀ ସାର୍ )
                              ତେବେ ସାର୍ ଙ୍କର କେତେ ଖଣ୍ଡ ଚିଠି ମୋ ପାଖରେ ଥିଲେ ମଧ୍ୟ, ଏଥିରେ  କେତେ ପଦ କଥା ଜୀବନର ମୋଡ ବଦଳାଇ ଦେଇଥିଲା । ଲୋକମାନଙ୍କ ସହିତ ମିଶୁ ମିଶୁ ସମାଜ ସେବା ନିଶା ହୋଇଗଲା । ବାସ୍  । ଆଜି ହୁଏତ ଅନେକ କଥା କହିବାକୁ ଥିଲେ, ଭାବ ପ୍ରବଣତାର ଲୁହ ବୋଲ ମାନୁ ନାହିଁ  । କିନ୍ତୁ ଏଇ ଚିଠି ପାଇଁ ଆମେ ଜୀବନରେ ଯାହା ବି ପାଇଛୁ, ତାହା ଶେଷ ପର୍ଯ୍ୟନ୍ତ ଭୁଲି ହେବ ନାହିଁ  । ଶେଷରେ  ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ରହୁଛି  । ପରବର୍ତୀ ସଂଖ୍ୟାରେ ଆସୁଛନ୍ତି “ଚିଠିରୁ ଫେସ୍ ବୁକ୍” ରେ ପ୍ରିୟ ଗାଳ୍ପିକ ହରେକୃଷ୍ଣ ସାହୁ,ମୁଗପାଳ, ଯାଜପୁର ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପାଣି ବିନା ହନ୍ତସନ୍ତ ଭୋଦଳ ଜନ ସାଧାରଣ

କହିଲେ କହିବ କହିଲା । ପାଣି ବିନା ହନ୍ତସନ୍ତ  ଭୋଦଳ ଜନ ସାଧାରଣ  ।
                         ଆପଣ ଯେଉଁ ନଳକୂପଟି ଦେଖୁଛନ୍ତି,  କଟକ ଜିଲ୍ଲା କଂଟାପଡା ବ୍ଲକ ଅନ୍ତର୍ଗତ
ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତରେ
ଥିବା,ଏହା ଏକ ଅଶୀ ଦଶକ ସମୟର  ପୁରାତନ ବାକ୍ସ ନଳକୂପ ଅଟେ ।   ପ୍ରାୟତଃ ଏଠାରେ  ଲୋକମାନେ ନିଜର ନଳକୂପ ବସାଇଥିଲେ ମଧ୍ୟ ପାଣିରେ ଆଇରନ୍ ଆସୁଥିବାରୁ, ବସବାସ କରୁଥିବା  ଅନୂସୁଚିତବର୍ଗର ବେହେରା ସାହି, ସେଠୀ ସାହି ଏବଂ ଭୋଇ ସାହିର   ଆନୁମାନିକ ୧୫୦ ପରିବାର ବସବାସ କରୁଥିଲା ବେଳେ,ଏଥି ମଧ୍ୟରୁ ୧୦୦ ପରିବାର ଏହି ନଳକୂପ ପ୍ରତି ନିର୍ଭର କରିଥାନ୍ତି । ମାତ୍ର ନଳକୂପଟି ଖରାପ ହୋଇ ଏକ ସପ୍ତାହ  ଅତିକ୍ରାନ୍ତ ହୋଇଗଲେ, ଏହି ବିଷୟରେ ପ୍ରଶାସନକୁ ଅବଗତ କଲେ ମଧ୍ୟ ଏହାକୁ ଅଣ ଦେଖା କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ନଳକୂପଟି ଖରାପ ହେତୁ ଲୋକମାନେ ପାଣି ଆଣିବା ସମୟରେ ଦୁଇ ଜଣ ଏହାର ଲୁହା ପାତକୁ ଧରି ତଳ ଉପର କରିବା ଦ୍ୱାରା ପାଣି   ନେଉଛନ୍ତି । ତେବେ ଏହି ପାତଟି  ତଳ ଉପର କରିବା ଅତ୍ୟନ୍ତ ବିପଦ ଜନକ ହେତୁ ଅନେକ ଲୋକ ଖଣ୍ଡିଆ ଖାବରା ହୋଇଛନ୍ତି । ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । 

                  ତେବେ ଏହି ନଳକୂପଟି ଜନୈକ ୱାର୍ଡ ସଭ୍ୟଙ୍କ ସମ୍ମୁଖରେ ହୋଇଥିଲେ ମଧ୍ୟ,   ଏ ସଂପର୍କରେ ସେ ପଂଚାୟତ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ, ଅଣଦେଖା
କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ  ।  ମୁଖ୍ୟତଃ  ଭାବରେ  ଏହି ତିନୋଟି ସାହିରେ ଅନେକ ସମସ୍ୟା ଗୁଡିକ ଥିଲେ , ଏ ସଂପର୍କରେ ଜନୈକ ସାମାଜିକକର୍ମୀ ମାଧବାନନ୍ଦ ଭୋଇଙ୍କ  ନେତୃତ୍ୱରେ ସାହି ଅଧିବାସୀମାନଙ୍କ ଦ୍ୱାରା ୫ ଗୋଟି ସମସ୍ୟାଗୁଡିକୁ ନେଇ   ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିରରେ  ଜିଲ୍ଲାପାଳଙ୍କୁ  ତା:୨୧/୦୧/୨୦୧୯ରିଖରେ ଅଭିଯୋଗ ଦରଖାସ୍ତ କରାଯାଇଥିଲା । ବିଶେଷ କରି ଏହି ପାଂଚ ଗୋଟି ସମସ୍ୟାମଧ୍ୟରୁ, ଏଠାରେ  ପାନୀୟ ଜଳ ସମସ୍ୟା ଭାବରେ; ଏକ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଭାବରେ ଦରଖାସ୍ତରେ ଉଲ୍ଲେଖ କରାଯାଇଥିଲା । ମାତ୍ର ଏ ସଂପର୍କରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ, ଚଂଚକତା ଭାବରେ ରାଜନୈତିକ ମନୋଭାବ  କରାଯାଇ,୨୦୨୧ ମସିହାରେ ପଂଚଦଶ ଅର୍ଥ କମିଶନ ଅନୁଦାନ ଦ୍ୱାରା  ଭୋଦଳ ବାରିକ ସାହି ଠାରେ ଏକ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲା  । ତେବେ ଦୁଃଖର ବିଷୟ, ଏଠାରେ ଏକ ନୂତନ ବାକ୍ସ ନଳକୂପ ଥିବା ସତ୍ୱେ , ଏଠାରେ ଏ ପ୍ରକଳ୍ପ  ଅଦ୍ୟାବଧି ଦୁଇ ମାସ ଠାରୁ ନିର୍ମାଣଧିନ ଥିଲେ ମଧ୍ୟ, ପଂଚାୟତ ପ୍ରସାଶନ କିପରି ଅନୁମତି ପ୍ରଦାନ କଲା, ତାହା ପ୍ରଶ୍ନବାଚୀ ଅଟେ ।  ଏଠାରେ ମୁଁ କୌଣସି ଜନ ସାଧାରଣଙ୍କ ସ୍ବାର୍ଥକୁ ବିରୋଧ କରୁନାହିଁ  । ମାତ୍ର ଯେଉଁଠାରେ ଜନ ସାଧାରଣଙ୍କ ସମସ୍ୟା ରହିଛି , ସେ ସମସ୍ୟା ସମାଧାନ କରା  ନ ଯାଇ, ରାଜନୈତିକ ସ୍ବାର୍ଥ ଉଦ୍ଦେଶ୍ୟରେ, ସମସ୍ୟା ବିହୀନ ସ୍ଥାନରେ ସରକାରୀ ଅଥର୍କୁ ବିନିଯୋଗ  କେତେ ଦୂର ଯଥାର୍ଥ ତାହା ବୁଦ୍ଧିଜୀବୀମାନେ ବିଚାର କରିବା ପାଇଁ ଅନୁରୋଧ ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପଂଚଶୀଳ ନିର୍ବାଣ

ନିର୍ବାଣ ଲଭିଲ, ସଂସାର ବର୍ଜିଲ;        
ସାଧନା କଂଟକ ପଥେ,
ସିଦ୍ଧିର ଆଲୋକ ବିଛୁରିଲ ପ୍ରଭୋ
ସମାଜ ହିତ,ପ୍ରୀତ୍ୟାର୍ଥେ । ।
 ଜୀବ ହିଂସା ଠାରୁ,ମହା ପାପ ନାହିଁ,
ଜୀବ ହତ୍ୟା ଅଧରମ ।
ଜୀବେ ଦୟା ବହି, ସର୍ବେ ଆତ୍ମା ଧ୍ୟାୟୀ,
କର ସଦା ସୁକରମ । ।
ଚୋରୀ ଦାରୀ ନାରୀ ବରଜିବ ସଦା
ନ କରିବ ବ୍ୟଭିଚାର ।
ସଦାଚାର ହୋଇ, ମିଥ୍ୟା ନ ଭାଷିବ.
ମନେ କରି ସୁବିଚାର । ।
କଲେ ସୁରା ପାନ, ଲଭିବ ମରଣ,
ନିଶା ଦରବ ତେଜିବ ।
ସର୍ବ ଘଟେ ଚାହିଁ ପରମାତ୍ମା ଧ୍ୟାୟୀ,
ଜୀବ ନିର୍ବାଣ ଲଭିବ ।
ଜୀବ ନିର୍ବାଣ ଲଭିବ । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଆମେ ବୋଧେ ଶେଷ ପିଢ଼ି।


★ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ ।
★ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
★ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
★ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
★ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
★ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
*ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସି ଆଜିର ଏହି ଅଶାନ୍ତ ଦୁନିଆରେ ଶାନ୍ତି ଫେରାଇ ଆଣନ୍ତା କି । ଏମିତି ଆହୁରି କେତେ----* । Those memorable days never forget
❤️❤️❤️❤️❤️

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଐତିହାସିକ ଗୋବିନ୍ଦପୁର ଥାନାର ଏକ ଅନାଲୋଚିତ ଇତିହାସ :ବିଳମ୍ବରେ ଉନ୍ନୀତ ମାନ୍ୟତା

                       ଭୌଗଳିକ ଦୃଷ୍ଟି କୋଣରୁ ଗୋବିନ୍ଦପୁର ଥାନା ଏକ ଐତିହାସିକ ଥାନା
କହିଲେ ଅତ୍ୟୁକ୍ତି ହେବ ନାହିଁ  ।   ଏହାର ଅବସ୍ଥିତି ଦୃଷ୍ଟି କୋଣରୁ  ଥାନାଟି ଦେବୀ ନଦୀ କୂଳରେ ଅବସ୍ଥିତ  । ଯେଊଁଠି ସାପର ଜିହ୍ୱା ପରି ଦୁଇଫାଳ ହୋଇ ଯାଇଛି  । ଅପରପାଶ୍ୱର୍ରେ ଶଙ୍ଖାରି ସାହିର ଉପକଂଠରେ  ବିଲୁଆ ଖାଇ ନଦୀ   ବହିଯାଇଛି  ।   ଯାହାର ନଦୀ ପଠାରେ ଅଶୀ ଦଶକର ସାମ୍ବାଦିକ ନବକିଶୋର ଦାସଙ୍କର ଧର୍ମପତ୍ନୀ ଛବିରାଣୀଙ୍କୁ ଗଣ ଦୁଷ୍କର୍ମ କରି ମାରି ଦିଆ ଯାଇଥିଲା  ।   ସେହିପରି ଦେବୀ ନଦୀର  ପ୍ରାଚୀନ ଗାଥା କୁ ଅବଲକୋନ କଲେ, ଇଂରେଜ ଶାସନ ସମୟରେ ଏହା ବହୁତ ଘଂଚ  ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା  । ଏପରି କି ଏହି ନଦୀ ପଠାରେ ହ୍ରିଂସ ଜନ୍ତୁଙ୍କ ଚଳ ପ୍ରଚଳ ଥିଲା ।  ମୋର ମନେ ଅଛି, ୧୯୮୩ ମସିହାରେ ମାମୁଁ ଘର ନୂଆ ଗାଁ ଏବଂ ମାଉସୀ ଘର ଶଙ୍କାରୀ ସାହି  ଦୃଷ୍ଟିରୁ, ମାମୁଁ ଘର ଜେଜେଙ୍କ ସହିତ ପ୍ରାୟ ସମୟ ଲୁଗା ବିକ୍ରି କରିବା ପାଇଁ ବିରିଡି ହାଟକୁ   ଯାଇଛି  । ସେତେବେଳେ ଏହି ଗୋବିନ୍ଦପୁର ଥାନା ନିକଟସ୍ଥ ଡଙ୍ଗା ଘାଟରେ ଡଙ୍ଗା ପାରି ହୋଇ ଯିବା ପାଇଁ ହୋଇଥାଏ  । ଆମକୁ ପ୍ରାୟ ସନ୍ଧ୍ୟା ପୂର୍ବରୁ ଫେରିବା ପାଇଁ  ହୁଏ  ଏବଂ ଏକାଠି ପାଂଚ ଛଅ ଜଣ  ସାଥୀ ହୋଇ ଫେରିବା ପାଇଁ ପଡିଥାଏ  । ନତୁବା ବେଳେ ବେଳେ ବିଲୁଆ ଖାଇ ନଦୀ ପଠା ହେଉ  କିମ୍ବା ଦେବୀ ନଦୀ ପଠା ହେଉ, ଏଠାରେ ପ୍ରାୟ ବେପାରୀମାନେ ଲୁଟପାଟର ଶିକାର  ହୋଇଥାନ୍ତି  । ଅତୀତରେ  ଏହି ଦେବୀ ନଦୀ ପଠାରେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏଠାରେ ଏକ ବୈଷ୍ଣବ ମଠ ଥିଲା । ଜାତି ବର୍ଣ୍ଣ ଧର୍ମ  ନିର୍ବିଶେଷରେ  ବହୁ  ସାଧୁ ସନ୍ଥଙ୍କର ସମାବେଶ  ହୋଇଥିଲା  ଏବଂ ଏଠାରେ ବହୁତ ଲୋକ ବୈଷ୍ଣବ ଧର୍ମରେ ଦିକ୍ଷୀତ ହୋଇଥିଲେ । ବର୍ତମାନ ତାହା ନଦୀ ଗର୍ଭରେ ବିଲୀନ ହୋଇଯାଇଛି ।  
     ଗୋବିନ୍ଦପୁର ଥାନାର ଇତିହାସ ଅତ୍ୟନ୍ତ ପ୍ରାଚୀନ  ।  ବ୍ରିଟିଶ ଶାସନ ସମୟରେ ଭୌଗଳିକ ଦୃଷ୍ଟିକୋଣରୁ ଗମନାଗମନାର ସୁବିଧା ନଥିଲା।ବାଣିଜ୍ୟିକ କାରବାର ଦୃଷ୍ଟିରୁ ଛତ୍ର  ବକାର  ଠାରୁ ତାଳ ଦଣ୍ଡା କେନାଲକୁ ମାଧ୍ୟମ କରି ବିଭିନ୍ନ ସ୍ଥାନକୁ  ଡଙ୍ଗା ଏବଂ ଭେଳା ମାଧ୍ୟମରେ ମାଲ ପରିବହନ କରାଯାଉଥିଲା । ଯାହା ମହାନଦୀର ଯୋବ୍ରା ଠାରୁ  ଏକ ବାଣିଜ୍ୟିକ ଉତ୍ସ ଥିଲା ଏବଂ ଗମନା ଗମନର ମାଧ୍ୟମ ଥିଲା ।  ମହାନଦୀର  ଯୋବ୍ରା ଠାରେ ଗମନା ଗମନ ଏବଂ ବାଣିଜ୍ୟିକ କାରବାର ଦୃଷ୍ଟିରୁ ଅତୀତରେ ଏହି ଯୋବ୍ରା ଠାରେ ଇଂରେଜ ଶାସନ ସମୟରେ ଜର୍ଜ ଫକନରଙ୍କ ଦ୍ୱାରା ଏକ ଜାହାଜ ନିର୍ମାଣ କାରଖାନା କରାଯାଇଥିଲା  । ଜର୍ଜ  ଫକନର ବିଷୟରେ ଏତିକି କହିବି, ସେ ଇଂଲଣ୍ଡର ଅଧିବାସୀ ହୋଇଥିଲେ ମଧ୍ୟ ଭାରତ ବର୍ଷ  ତାଙ୍କ ପାଇଁ ଦ୍ୱିତୀୟ ମାତୃଭୂମି ଥିଲା । ସେ କୋଡିଏ ବର୍ଷ ବୟସ ରେ ମେକାନିକାଲ୍ ଇଂଜିନିଅରିଂ ତାଲିମ୍ ନେଇ   ଏକ ଜଳ ସେଚନ କଂପାନୀରେ   କାର୍ୟ୍ୟାରମ୍ଭ କରିଥିଲେ । ଓଡିଶା ଆସିଲା ପରେ, ବାଣିଜ୍ୟିକ କାର ବାର ପାଇଁ ତିନୋଟି ବଡ କେନାଲ ଖୋଳିଥିଲେ ।   ସେ ଜଳ ସେଚନ ବିବାଗର ଅନେକ କାର୍ୟ୍ୟ ତାଙ୍କରି ତତ୍ୱାବଧାନରେ ହେଉଥିଲା ।ସେ ଜୋବ୍ରାକୁ ନିଜ ଢଙ୍ଗରେ  ଶାସନ କରିବା ସହିତ ଜୋବ୍ରା ଠାରେ ଧାଡି ଧାଡି ପୁରୁଣା  ଜାହାଜ କାରଖାନା ଘର ଗୁଡିକ,ତାଙ୍କ  ଉଲ୍ଲେଖନୀୟ  କୃତିତ୍ୱକୁ ଆଜି ବି ତାଙ୍କର କାର୍ୟ୍ୟ ଦକ୍ଷତାର ସ୍ମୃତି ବହନ କରେ  ।ଏହି ସମୟରେ  କଟକର ଜିଲ୍ଲା ପାଳ ଜନ ବିମ୍ସ ଥିଲା ବେଳେ , ଫକନରଙ୍କର କୃତିତ୍ୱକୁ ତାଙ୍କର ରଚିତ "ଜଣେ ଶାସକର ସ୍ମୃତି" ପୁସ୍ତକରେ ଅତ୍ୟନ୍ତ ସୁନ୍ଦର ଭାବରେ ଲେଖି ଯାଇଛନ୍ତି ।ଆଜି ବି ସେହି ସ୍ମୃତିର ସନ୍ତକ ଭାବରେ  ଯୋବ୍ରା ଠାରେ ଏହି ଜାହାଜ ନିର୍ମାଣ କାରଖାନାଟି “ନୌ ବାଣିଜ୍ୟ ସଂଗ୍ରହଳାୟ” ଭାବରେ ବିଦ୍ୟମାନ ଏବଂ ଦୁଇଟି ବତୀଘର ଅତୀତ ଇତିହାସର ମୁକ ସାକ୍ଷୀ ରହିଛି  ।ଏହି ସମୟରେ ଚୋର, ଖଂଟ ଏବଂ ଅସାମାଜିକ ବ୍ୟକ୍ତିମାନଙ୍କର ଦୌରାତ୍ମ୍ୟ ପ୍ରବଳ ଭାବରେ ବୃଦ୍ଧି ପାଉଥିଲା  ।   ଏତଦ୍ ବ୍ୟତୀତ   ଇଂରେଜ ଶାସନ ସମୟରେ ସାରା ଭାରତ ବର୍ଷରେ ସ୍ବାଧୀନତା ସଂଗ୍ରାମ ଚାଲିଥିଲା ବେଳେ ଗୋବିନ୍ଦପୁର ମାଟିରେ  ସ୍ବାଧୀନତା ପ୍ରାପ୍ତି ପାଇଁ ଜନ ମାନସରେ   ଇଂରେଜମାନଙ୍କ ପ୍ରତି ପ୍ରତିହିଂସାର ବହ୍ନି ଜଳୁଥିଲା  । ଯାହାଫଳରେ ବ୍ରିଟିଶ ସରକାର ଏଠାରେ  ଏକ ଥାନା ସ୍ଥାପନ ପାଇଁ   ବାଧ୍ୟ ହୋଇଥିଲା  । ସାରା ଭାରତ ବର୍ଷରେ ଶାସନ ଖସଡା ଏବଂ ନ୍ୟାୟିକ ବ୍ୟବସ୍ଥା ପାଇଁ ୧୮୫୭ ପାଇକ ବିଦ୍ରୋହ ପରେ ପରେ ବ୍ରିଟିଶ ହାଉସ୍ ଅଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା । କମିଶନରଙ୍କ ନିଷ୍ପତି କ୍ରମେ ପୋଲିସ ଆକ୍ଟ  ୧୮୬୧ (ଭି) ଅନୁଯାୟୀ ୧୮୬୨ ମସିହାରେ ଓଡିଶାରେ ଅନେକ ସ୍ଥାନରେ ଥାନା ଗୁଡିକ ସ୍ଥାପିତ ହେଲା ବେଳେ ଗୋବିନ୍ଦପୁର ଥାନା ସ୍ଥାପନ କରାଯାଇଥିଲା । ଏହି ସମୟରେ ବ୍ରିଟିଶ୍ ପୋଲିସ କର୍ମଚାରୀମାନେ ଲାଲ ପଗଡି ପିନ୍ଧି  ଦେବୀ ନଦୀର ଜଳ ପଥରେ ଆସୁଥିଲେ ଏବଂ ଘୋଡା ଦ୍ୱାରା ବିଭିନ୍ନ ଅଂଚଳକୁ  ଯାତାୟତ କରୁଥିଲେ ।୧୯୩୬ ମସିହାରେ  ଓଡିଶା ପ୍ରଦେଶ ଗଠନ କରାଗଲା  । ପରେ ପରେ ପ୍ରାୟ ୪୦୦୦ ପୋଲିସମାନଙ୍କୁ ନେଇ ଓଡିଶା ପୋଲିସ ଗଠନ ହେଲା ।ଏହି ୪୦୦୦ ପୋଲିସମାନଙ୍କୁ ତିନି ଭାଗରେ ଓଡିଶା-ବିହାର ପୋଲିସ୍,ମାଡ୍ରାସ ପ୍ରେସିଡେନ୍ସି ଏବଂ ସେଂଟ୍ରାଲ ପ୍ରୋଭିନ୍ସ ଭାବରେ ବିଭକ୍ତ କରାଯାଇଥିଲା ।  ଏହି ପୋଲିସ ବାହିନୀର ପ୍ରଥମ  ଆଇ.ଜି.: ଇ.ଏ.ଓ. ପର୍କିନ୍  ଏବଂ  ସହକାରୀ ଆଇ.ଜି.: ଆଇ.ସି. ମ୍ୟାକନେଲ୍ (ସି.ଆଇ.ଡି) ଥିଲେ  ।୧୯୩୭ ମସିହାରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା । ଏହି ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ଦଳ ୬୬  ଆସନରୁ ୩୬ଟି ଆସନ ଅକ୍ତିଆର କରିଥିଲା ।  ଗୋବିନ୍ଦପୁର ଥାନା ଅଧିନରେ ଥିବା୧୪ଟି ଗ୍ରାମ ପଂଚାୟତ  ଓଡିଶା ପୋଲିସର ଅଧିନସ୍ଥ ହେଲା ।  ପୂର୍ବରୁ ନିଆଳୀ  ଥାନା ଏବଂ ଓଲଟପୁର ଥାନା  ଗୋବିନ୍ଦପୁର ଥାନା ଅଧିନରେ ଥିଲେ ମଧ୍ୟ  ପରେ ପରେ  ମାତ୍ର ତିନି ଗୋଟି ପଂଚାୟତକୁ ୨୦୦୯ ମସିହା ଫେବୃୟାରୀ ୨୮ ତାରିଖରେ ଗଠିତ ହେଲା  ।  ପ୍ରଥମେ ଓଲଟପୁର ଥାନାଟି  ଓଲଟପୁରର ପୁରୁଣା ଡାକ ଘରେ ଚାଲୁଥିଲା । ବର୍ତମାନ କଂଟାପଡା ବ୍ଲକ କାର୍ୟ୍ୟାଳୟ ପରିସରରେ କାର୍ୟ୍ୟ କରୁଅଛି  । ଏହାର ସ୍ଥାୟୀ ପରିସ୍ଥାନକୁ ନେଇ ଅନେକାଂଶରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ  ନିଆଳୀ ଥାନା ପ୍ରଥମେ ଇନସପେକ୍ଟର ସ୍ତରୀୟ ହେଲା ପରେ ପରେ  ଓଲଟପୁର ଥାନା ମଧ୍ୟ ଇନସପେକ୍ଟର ସ୍ତରୀୟ ମାନ୍ୟତା ପାଇଥିଲା । ତେବେ ଗୋବିନ୍ଦପୁର  ଥାନାଟି ବ୍ରିଟିଶ୍ ଅମଳ ହେଲା ବେଳେ  ଏହି ଥାନା ପ୍ରତି ସରକାରଙ୍କ ବୈମାତୃକ ଭାବ ଅନେକ ବୁଦ୍ଧିଜୀବିମାନଙ୍କୁ ବ୍ୟଥିତ କରିଥିଲା  । ବିଶେଷ କରି ଏହି ଅଂଚଳରେ ଆଇନ୍ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଥିବା ସମୟରେ ଗରିବ ଲୋକ ସଠିକ୍  ଭାବରେ ନ୍ୟାୟ ପାରୁ ନ ଥିଲେ । ଏପରିକି ଏହି ଥାନା ଅନେକ ମୌଳିକ ସୁବିଧାରୁ ବଂଚିତ ହୋଇଥିଲା । କାର୍ୟ୍ୟାଳୟ ପାଇଁ ଭଲ ଘର ନ ଥିଲା । ପ୍ରଥମେ ଗୋବିନ୍ଦପୁର ଥାନାଟି ଇଂରେଜ ଅମଳର ପୁରୁଣା  ଗୃହରୁ ଅନ୍ୟ ନୂତନ ଘରକୁ ସ୍ଥାନାନ୍ତରିତ ହୋଇଥିଲା ।  ତେବେ କର୍ମଚାରୀଙ୍କ ପାଇଁ  ବାସୋପଯୋଗୀ ଗୃହ ନ ଥିଲା ।  ତେବେ  କଛପ  ଗତିରେ , ରାଜ୍ୟ ସରକାରଙ୍କ ଦ୍ୱାରା ଥାନାର ଭିତିଭୂମି ପାଇଁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରାଗଲା , ଯାହାଦ୍ୱାରା  ଆଜି ଗୋବିନ୍ଦପୁର ଥାନା  ଏକ ଭବ୍ୟ ରୂପ ନେଇଛି।

             ଏହି ପରିପ୍ରେକ୍ଷୀରେ ଗୋବିନ୍ଦପୁର ଥାନା ପ୍ରତି ସରକାରଙ୍କ  ବୈମାତୃକ ଭାବ ପୋଷଣ କରୁଥିଲା ବେଳେ , ଅନେକ ସାମାଜିକକର୍ମୀଙ୍କୁ ଚିନ୍ତିତ କରିଥିଲା ।  ଗୋବିନ୍ଦପୁରର  ଅଗ୍ରଣୀ ସଂଗଠନ ଯୁବ ଦଳିତ ସଂଘ,ଓଡିଶା ଏହି ପରିପ୍ରେକ୍ଷୀରେ ବାରମ୍ବାର ଦାବୀପତ୍ର ଦ୍ୱାରା  ସରକାରଙ୍କୁ ଅବଗତ କଲାପରେ,ପ୍ରଶାସନ ନୀରବ ରହିବାରୁ ଶେଷରେ ୨୦୧୪ ମସିହା ଜାନୁୟାରୀ ୨୬ ତାରିଖରେ ତିନି ଦଫା ଦାବୀରେ ଆମରଣ ଅନଶନ ଏବଂ ଗଣ ଧାରଣାର ମଇଦାନକୁ   ଅବତୀର୍ଣ୍ଣ ହୋଇ ଥିଲା  । ସେତେ ବେଳେ  ଏହି ସଙ୍ଗଠନର ସଂଗ୍ରାମୀ ସାଥୀ ଅଭିମନ୍ୟୁ ମଲ୍ଲିକ୍ ,ମାଧବାନନ୍ଦ ଭୋଇ ସାଧାରଣ ସଂପାଦକ ଏବଂ ନିର୍ମଳ କୁମାର ଭୋଇ, ମୁଖ୍ୟ ସଂଯୋଜକ  ଥିଲେ । ପରିତାପର ବିଷୟ ଏହ କି, ପୂର୍ବରୁ ଆମରଣ ଅନଶନ ଏବଂ ଗଣ ଧାରଣା ସଂପର୍କରେ ଅବଗତ କରିଥିଲେ ମଧ୍ୟ, ଏହି ସମୟରେ  ଉକ୍ତ ଥାନାର ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଅନୁପସ୍ଥିତ ରହିବା ଆମକୁ ଦ୍ୱନ୍ଦରେ ପକାଇ ଥିଲା  । ବିଶେଷତଃ  ଆମର ତିନି ଦଫା ଦାବୀ ଭାବରେ, ପ୍ରଥମତଃ  ଗୋବିନ୍ଦପୁର ଥାନାକୁ ଇନିସପେକ୍ଟର ପାହ୍ୟା ମାନ୍ୟତା ପ୍ରଦାନ କରିବା ସହିତ ଥାନାର କାର୍ୟ୍ୟାଳୟ ଓ ପୋଲିସ କର୍ମଚାରୀଙ୍କ ବାସଗୃହକୁ ନବୀକରଣ ଥିଲା । ଦ୍ୱିତୀୟତଃ  ଥାନରେ ଦଳିତ ସେଲ୍ କରାଯାଉ  ଏବଂ ତୃତୀୟରେ ମହିଳା ଏବଂ ଶିଶୁ ଡେସ୍କ ସ୍ଥାପନ କରିବା ପାଇଁ ଦାବୀ ଥିଲା  ।  ପରିଶେଷରେ ଦୁଇ ଦିନ ପର୍ୟ୍ୟନ୍ତ ଅନଶନ ଏବଂ ଧାରଣାରେ ବସିଲା ପରେ କଟକ ସଦର ଉପଖଣ୍ଡ କାର୍ୟାଳୟର ଉପଖଣ୍ଡ ଅଧିକାରୀ ଗୁପ୍ତ ମହାକୁଡ  ଏବଂ ଗ୍ରାମାଂଚଳ ସହକାରୀ ଆରକ୍ଷୀ ଅଧିକ୍ଷ କୃଷ୍ଣ ଚନ୍ଦ୍ର ସାମଲ ପୂର୍ବାହ୍ନରେ ଆମ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ ।  ତେବେ ୨୦୧୪ ମସିହାରୁ ଆଜି ପର୍ୟ୍ୟନ୍ତ ଏକ ବିରାଟ ବ୍ୟବଧାନ  । ଅନେକ ଘଟଣା ଘଟି  ଯାଇଛି  । ଆମର ଦାବୀ ପତ୍ର ପ୍ରଦାନ ପରେ ପ୍ରଶାସନ  ୨ଟି ଦାବୀପୂରଣ କଲା ସତ, କିନ୍ତୁ ପ୍ରଥମ ଦାବୀ ଭାବରେ ଆମର ଗୋବିନ୍ଦପୁର ଥାନା ଇନସପେକ୍ଟର ପାହ୍ୟାକୁ ଉନ୍ନୀତ ହୋଇ ନ ଥିଲା ।  ଜଣେ ସାମାଜିକକର୍ମୀ  ଭାବରେ ମନରେ ଅନେକ କ୍ଷୋଭ ଏବଂ ଗ୍ଲାନି ଆସୁଥିଲା ।  ଆଜି ତାହା ଦୂରୀଭୁତ ହୋଇଯାଇଛି  ।

 ଆଜି ଗୋବିନ୍ଦପୁରର   ଥାନାର ଇତିହାସରେ ନୂତନ ଅଧ୍ୟାୟ ସଂଯୋଗ ହୋଇଛି . ଅଧୁନା ସମୟରେ ଗ୍ରାମାଂଚଳ   ଆରକ୍ଷୀ ଅଧିକ୍ଷକ ଭାବରେ ଯୁଗଳ କିଶୋର ବନୋଟ ଥିବା ସମୟରେ ପ୍ରଥମ ଭାର ପ୍ରାପ୍ତ ନିରୀକ୍ଷକ ଭାବେ ଅନାମ ଚରଣ ନାୟକ ଯୋଗଦାନ କରିଛନ୍ତି  । ଶ୍ରୀଯୁକ୍ତ ନାୟକ କେନ୍ଦୁଝର ଜିଲ୍ଲା ତୁରୁମଙ୍ଗ ଥାନା ଅଧିନସ୍ଥ ବନମାଳୀପୁରର ପିତା ସ୍ବର୍ଗତ ଭ୍ରମରବର ନାୟକ ଏବଂ ମୋତି ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଅଟନ୍ତି  ।  ଶ୍ରୀଯୁକ୍ତ ନାୟକ  ତା:୧୭/୦୬/୧୯୬୫ରିଖରେ ଜନ୍ମ ଗ୍ରହଣ କରି  ଜନୈକ ପୋଲିସ ଅଧିକାରୀ ଭାବରେ ତା:୨୭/୦୮/୧୯୮୯ ମସିହାରେ କାର୍ୟ୍ୟାରମ୍ଭ କରିଥିଲେ । ସେ ଜଣେ ଅଭିଜ୍ଞ,ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ।  ତାଙ୍କର ତା:୨୯/୦୪/୨୦୨୧ରିଖରେ ପଦୋନ୍ନତି କ୍ରମେ ପୂର୍ବରୁ ଓଲଟପୁର ଥାନାରେ ଜଣେ ବରିଷ୍ଠ ଉପ ଅଧିକାରୀ ଭାବେ କାର୍ୟ୍ୟ କରୁଥିଲେ ।ଶ୍ରୀଯୁକ୍ତ ନାୟକଙ୍କ ତା:୩୦/୦୬/୨୦୨୫ରିଖରେ ଅବସର  ଜୀବନ ଆରମ୍ଭ । ଏଠାରେ ରାଜନୀତିର ଚକ୍ରବୁ୍ୟହକୁ ଭେଦ କରି ଆଗାମାୀ ଦିନରେ ଜନ ସାଧାରଣଙ୍କୁ  ନ୍ୟାୟ ପ୍ରଦାନ କରିବା ସହିତ  ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିବେ ବୋଲି ଜନ ସାଧାରଣ ଆଶା କରିଛନ୍ତି । ଯାହା ସମୟ ହିଁ ପରିପ୍ରକାଶ କରିବ  ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନିଆଳୀ ବିଧାୟକଙ୍କ ବୈମାତୃକ ମନୋଭାବ କଣ ପାଇଁ ?



ଚଳିତ ବର୍ଷ  କଟକ ଜିଲ୍ଲା କଂଟାପଡା ବ୍ଲକ୍ ଅଧିନସ୍ଥ ବଡ ପାଟସୁନ୍ଦରପୁର ଗ୍ରା.ପରେ  ପଂଚ ଦଶ ଅର୍ଥ କମିଶନ ଅନୁଦାନ ଜରିଆରେ ରାସ୍ତା  ମରାମତି କାମ ହେଉଛି, ମାତ୍ର ଦୁଃଖର ବିଷୟ  ରାଜନୀତିକରଣ  ଦୃଷ୍ଟିରୁ ଅନେକ ସ୍ଥାନରେ ମରାମତିର ଆବଶ୍ୟକତା ନ ଥାଇ ସେଠାରେ ମରାମତି କାର୍ଯ୍ୟ କରା ଯାଉଛି ।ଉଦାହରଣତଃ  କାଗଜାତପତ୍ରରେ ରାସ୍ତାର ଦୈର୍ଘ୍ୟ  ୨୦୦ ସ୍ଥାନରେ ୧୫୦ର କାମ କରାଯାଇ, ଅବଶିଷ୍ଟ ଅର୍ଥକୁ ହରିଲୁଟ୍ କରାଯାଉଛି  । ଚଂଚକତା ଭାବରେ  ବିଲ୍ କରିବା ପାଇଁ ଫଳକକୁ ଦୁଇଥର ଲେଖା ଯାଉଛି  । ଏପରି ଏକ ଘଟଣା ନିକଟରେ ବଡ ପାଟସୁନ୍ଦରପୁରରସ୍ଥିତ  ବେହେରା  ସାହିରେ ପରିଲକ୍ଷିତ ହୋଇ ଏକ ଚାପା ଉତେଜନା ସୃଷ୍ଟି ହୋଇଥିଲା । ହେଲେ ଭୋଦଳର ବେହେରାସ୍ଥିତ ରାସ୍ତା ପ୍ରତି ବିଧାୟକଙ୍କ ବୈମାତୃକ ଭାବ କଣ ପାଇଁ?  ଏଠାରେ ଢଳେଇ  ରାସ୍ତା ଥିଲେ ମଧ୍ୟ ବେଙ୍ଗ ମୁତିଲା ବର୍ଷାରେ  ଜନ ସାଧାରଣ  ଗମନାଗମନ କରିବା ପାଇଁ ହନ୍ତସନ୍ତ ହେଉଛନ୍ତି କଣ ପାଇଁ ? ଏହାର ଉତର ନିଆଳୀ ବିଧାୟକ ଦେବା ପାଇଁ ଅନୁରୋଧ  । କିନ୍ତୁ ମୁଁ ଜାଣିଛି ଏହାର ଉତର  ଏଠାକାର କୁଜି ମାନଙ୍କ ନିକଟରେ ନ ଥିବ  । କାରଣ ସେମାନେ ବିଶେଷ କରି ଗ୍ରାମାଂଚଳରେ ଚେେଙ୍ଗଡାମାନଙ୍କୁ  ନାଲି ପାଣି ଆମ କୁକୁଡା ମାଂସ ଦେଇ ମୋହରା ବନେଇ ସାରିଲେଣି  । ସେମାନେ କେବଳ ପର ଘର ଭଙ୍ଗା ନୀତି ଜାଣିଛନ୍ତି  । ସରାକାରୀ ଟଙ୍କା କିପରି ହରିଲୁଟ୍ ହେବ ସେ ବିଦ୍ୟା ଭଲ ଭାବରେ ଜଣା  । ପୂର୍ବରୁ ଏହି ପଂଚାୟତରେ ଷ୍ଟ୍ରିଟ୍ ଲାଇଟରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି  । ଲୋକାୟୁକ୍ତରେ ମାମଲାରେ ହୋଇ ଭିଜିଲାନ୍ସ ତଦନ୍ତ ପର୍ଯ୍ୟନ୍ତ  ଯାଇଛି ।  ପରିତାପର ବିଷୟ ଏହି କି ଯେ, ଏଠାରେ ଏକ ଜନ ସେବା କେନ୍ଦ୍ର ଥିଲେ ମଧ୍ୟ ସଂରପଂଚ ମହୋଦୟ ଷ୍ଟ୍ରୀଟ୍ ଲାଇଟ୍ ମଧ୍ୟ ଲଗାଇ ପାରିଲେ ନାହିଁ  । ଯାହାକି ପୂର୍ବରୁ ଏହି ଲାଇଟ୍ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରାଯାଇଥିଲା  । ମାତ୍ର ରାଜନୀତି କରଣ କରାଇ ଅନ୍ୟ ସ୍ଥାନରେ ଲାଇଟ୍ ଲଗାଗଲା । ଏପରିକି ଲାଇଟର ମୁହଁ  ଦଳୀୟ ଭିତିରେ  ଦଳୀୟ ଲୋକ ଘର ଆଡକୁ ବୁଲାଇ ଦିଆଗଲା  । ଏପରି ହୀନ ମନୋବୃତି ବିଧାୟକଙ୍କର ନା, ତାଙ୍କ ଚାମଚାଙ୍କର  । ଦୟାକରି ଏପରି ମନୋବୃତିରୁ କ୍ଷାନ୍ତ ରୁହନ୍ତୁ  । ନ ତୁବା ଆଗାମୀ ଦିନରେ ଜନ ଆନ୍ଦୋଳନର ତୀବ୍ର ରୂପ ନେବ  । ଜୟ ସମାଜ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମାତୃ ସାଧନା



               ଅଢେଇ ଦିନିଆ ଜୀବନରେ କଣ ଅଛି  । ତୁମେ ମୋର ଆଉ ମୂଁ ତୁମର  । ମୋତେ  ତୁମେ ଚାହଁ, ମୋ ଆଖିରେ ଆଖି ମିଶାଅ  ।   ନିଜକୁ ସମର୍ପଣ କରିଦିଅ  । ଦେଖ, ମୂଁ ତୁମ  ମଧ୍ୟରେ କିଛି ଦୂରତା ନାହିଁ  ।  ଆମେ ପରା ଜନ୍ମ ଜନ୍ମାନ୍ତର ସାଥୀ  । ମୂଁ ଯାହା , ତୁମେ ବି ସେଇଆ  । ଦେହର ମୋହ ତୁଟାଇ ନିଜ ହୃଦୟ ମନ୍ଦିରରେ ଦେହୀକୁ  ଅନୁଭବ କର . ଅନ୍ୟର ଆଖିରେ ନିଜକୁ ଦେଖିବା ପାଇ ଚେଷ୍ଟା କର  । ଅଧୁନା ସମାଜ  ଗୁରୁ ପ୍ରାପ୍ତି ଆଶାରେ କିଛି ପାଇବା ଆଶା କରୁଛି  ।  ସ୍ବାାର୍ଥର ଲାଳସା ରଖୂଛି  । ସେପରି କର ନାହିଁ  । ପରମେଶ୍ୱର ସର୍ବତ୍ର ବିଦ୍ୟମାନ  । ଦୁଃଖୀ ନିଷ୍ପେସିତ ମଣିଷମାନଙ୍କୁ ଭଲ ପାଅ ଆଉ ସେମାନଙ୍କର ସେବା କର  ।ସେମାନଙ୍କ ଆଖିରେ ନିଜକୁ ଦେଖ  ।   ଦଶ  ବରଷର ଛୁଆଟେ ଭିକ ମାଗୁଛି  ।  ସେ ଯଦି ତୁମ ନିଜର  କେହି ହୋଇଥାନ୍ତା, ତମେ ତାକୁ ଭିକ ନଦେଇ  କୋଳେଇ ଆଣିଥାନ୍ତ ନା  ।    ପରିବାର ହେଉଛି, ରେଳଗାଡିରେ ଯାତ୍ରା କଲା ଭଳି  । ଯାହାର ଯାତ୍ରା ,  ଯେଉଁଠି ସରିଲା । ସେ ଚାଲିଗଲା  । ଏତେ ମୋହ କାହିଁକି  । ଏତେ ଗର୍ବ କଣ କଣ ପାଇଁ ? ମଣିଷମାନଙ୍କୁ ଭଲପାଇବା ଏବଂ ସେବା ପାଇଁ ନିଜକୁ ସମର୍ପଣ କରିଦିଅ ।  ନିଜର ପରିବାର ପ୍ରତି କର୍ତବ୍ୟ କରିବା ସହିତ ସମାଜ ପାଇଁ ନିଜକୁ ସମର୍ପଣ କରିଦିଅ । ମୁଁ ଜାଣେ, ଏଥିପାଇଁ ଅନେକ  କଷ୍ଟ ହେବ  । ଦୁଃଖ ପାଇବ  । କିନ୍ତୁ ପରମେଶ୍ୱର ଯାହାକୁ ଭଲ ପାଆନ୍ତି, ଯିଏ ମଣିଷମାନଙ୍କୁ ଭଲ ପାଏ  । ଆମେ ନିମିତ ମାତ୍ର ବାବା, ଯାହା କିଛି ଭୁଲ୍  ଠିକ ହେବ  । ସେ ସବୁକିଛି ଠିକ କରିଦେବେ  । ମୁଁ  କରୁଛି ବୋଲି ଅହଙ୍କାର ତୁଟିଯିବ  । ପ୍ରକୃତି ପରୁଷ ଭାବରେ ନିଜକୁ ତାଙ୍କରି ଚରଣ ଦାସୀ କରି ସମର୍ପଣ କରିଦିଅ  । ମୁହିଁ ତାଙ୍କରି ଚରଣ ଦାସୀଲୋ, ଚାହିଁ ତାଙ୍କୁ  ହୋଇଥିବି ଖୁସି  ଭାବରେ  ନିଜର ହୃଦ ସିଂହାସନରେ ବସାଇ  ବ୍ୟାକୁଳତାର ସହିତ ଆଖିର ଛଳ ଛଳ ଲୁହରେ  ତାଙ୍କ  ଚରଣ ପଖାଳି ଦିଅ   । ଏହା ହିଁ ଜୀବନରେ ପ୍ରକୃତ ପୂଜା ହେବ  ।  ବାହ୍ୟ ଆଡମ୍ବର ପୂଜାପାଠ କେବଳ  ଲୋକ ଦେଖାଣିଆ ବ୍ୟତୀତ ଆଉ କିଛି ନୁହେଁ  । ଯେଉଁମାନେ ମଣିଷର ସେବା ଭଲପାଇବା ଭୁଲି ଏପରି ପୂଜାପାଠ, ସଂକୀର୍ତନ ଏବଂ ଲୋକମାନଙ୍କୁ ଖାଇବାକୁ ଦିଅନ୍ତି, ଏଥିରେ ଏକ  ଟଙ୍କାର ବି ଲାଭ ହୋଇ ନ ଥାଏ  । ତମେ ସେପରି କର ନାହିଁ  ।  ନିଜର ଜୀବନ ପାତ୍ରକୁ ଏପରି ସଜାଡି ଦିଅ, ପରମେଶ୍ୱରଙ୍କ କରୁଣାର ବାରିଧାରା ତୁମରି ମଥା ପରେ ସିଂଚି ହୋଇଯିବ  ।  ମଣିଷ କେତେ ଦିନ ବଂଚିଲା, ଏମିତି ଦିନ ଗଣି ଗଣି ଜୀଇଁଲେ କିଛି ଲାଭ ନାହିଁ  ।  କିନ୍ତୁ  ଜୀବନରେ ତୁମରି କର୍ମ ହିଁ ତୁମର ପରିଚୟ ସୃଷ୍ଟି କରିବ  ।  କିଏ ଜାଣେ ଜୀବନର ସଂଜ କେତେବେଳେ  ନଇଁଯିବ  । ତୁମେ ହସି ହସି ସଂସାରରୁ ଚାଲିଯାଉଥିବ  । କିନ୍ତୁ  ସବୁରି  ହୃଦୟରେ ତୁମେ ଶୂନ୍ୟ ସ୍ଥାନଟିଏ ଛାଡି ଚାଲିଯିବ  ।  କେବଳ ଆଉ ଏକ କଥା କହୁଛି, ତୁମର ଶରୀର ଆଉ ମନ ପାଇଁ ଦୈନନ୍ଦିନ ପ୍ରାର୍ଥନା, ଧ୍ୟାନ ଏବଂ ପ୍ରାଣାୟମଗୁଟିକର ଆବଶ୍ୟକ ରହିଛି  ।  ଏହା ବିଜ୍ଞାନ ସମ୍ମତ ଅଟେ  । ଅଭ୍ୟାସ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନକୁ ନିୟନ୍ତ୍ରିତ କରିବ  ।  । ଏହା ହିଁ  ତୁମ ପାଇଁ ଗୁରୁମନ୍ତ୍ର , ମୁଁ ଆଉ କିଛି କହିବି ନାହିଁ  ।
                                 ମୁଁ ଗୁରୁଦେବଙ୍କୁ ଅପଲକ ନୟନରେ  ଚାହିଁ ରହିଥିଲି । କି ଖରାପ ଧାରଣା ଥିଲା ତାଙ୍କ ପ୍ରତି ?  ସେ ମୋ ଜୀବନ ଦର୍ଶନକୁ କେମିତି ପଢିନେଲେ? ଆଜି ଜୀବନରେ ମୁଁ ଠିକ୍ କରୁଛି କି ଭୁଲ କରୁଛି,ଆଜିଯାଏ ମୁଁ  ଜାଣିନି  । ବେଳେ ବେଳେ ଜୀବନରେ ଭୁଲ ହୁଏ । ସେତେବେଳେ ମନର ରାଇଜରେ ଅଜଣା   ଜଗୁଆଳିଟିଏ ଆସି ବାଡି ଉଁଚାଏ  । ଚେତାଇଦିଏ  ।   ଡ୍ରଇଁ ରୁମରେ ଟଙ୍ଗାହୋଇଥିବା ଫଟୋକୁ ଚାହେଁ  ।  ଲାଜରେ ଆଖି ନଇଁଯାଏ, କେତେବେଳେ ତ ଆଖି ଛଳ ଛଳ ହୋଇଯାଏ  । କିନ୍ତୁ କେବେ ବି ତାଙ୍କୁ ଭୁଲିପାରେନି  । ମୂଁ ସିନା ଜାଣେନା ପ୍ରେମ କି ଦରବ, ତୁମେ ତ  ପ୍ରେମିକ ନାଗରହେ ବୋଲି ସେ ମୋ ପାଇଁ ପ୍ରେମାଚାର୍ଯ୍ୟ  । ପରୋପକାର ପୁଣ୍ୟ, ପର ହିଂସା ମହାପାପ  । ପରଟି  ପରମେଶ୍ୱର, ପର ତୋର ମାଆ ବାପ ନ୍ୟାୟରେ ମୋ ପାଇଁ ଦିଗ୍ ଦର୍ଶକ  । ଏମିତି କେତେ କଣ ତାଙ୍କୁ ଚାହିଁ ଭାବିଯାଉଥିଲି  । ଅଜାଣତରେ କେଇ ଟୋପା ଲୁହ ଆଖିରୁ ଝରିପଡିଲା  ।
ଡିଙ୍ଗ୍ ଡଙ୍ଗ ... ... ଡିଙ୍ଗ୍ ଡଙ୍ଗ । ଜନ ସେବା କେନ୍ଦ୍ରର କଲିଂ ବେଲ୍  ବାଜି ଉଠିଲା  । ଭିତରକୁ  ଆସ ବୋଲି କହିଲି  । ଘର ଭିତରକୁ ଧିରେ ଧିରେ ୭୦/୮୦ ବର୍ଷର ବିଧବା ମହିଳା ଜଣକ ପ୍ରବେଶ କଲେ  ।  ମଥାରେ ଧୋବ  ଫର ଫର ବାଳ . ହାତରେ ଗୋଟେ ମଇଳା ଜରିଟେ  । ହାତରେ ବାଡିଟିଏ ଧରିଥାନ୍ତି । ଜରିରେ କିଛି କାଗଜ ପତ୍ର ଥିବ ବୋଧ ହୁଏ  । କୌଣସି ଆଧାର କାମ ପାଇଁ ଆସିଛନ୍ତି  । ରବିବାର ହେତୁ  ପ୍ରସ୍ତୁତ ହୋଇ ନ ଥିଲି ।  ।  ଦିନ ୧୧ଟି ବାଜିଲାଣି  । ଜଣକ ପାଇଁ  ଅଯଥା ପରିଶ୍ରମ ହେବ ବୋଲି ମନଟା ଖଟା ହୋଇଗଲା  । ତା ପରେ ବି  ଅଧିକ ବୟସ ହେତୁ ହାତର ଆଙ୍ଗୁଠି ଗୁଡିକ ମେସିନରେ ନେବା ପାଇଁ  ମଧ୍ୟ କଷ୍ଟ ହେବ  ।  ଏହା ପରେ ବି ମେସିନର ପୂର୍ବ ଡାଟାଗୁଡିକ  ପଠା ହେଲାପରେ, ଜି.ପି.ଏସ୍ ଟ୍ରାକିଙ୍ଗ୍ କରାଯାଇ ଲୋକେସନ୍ ସ୍ଥିର କରାଯିବ , ଯାହା  ମୋ ପାଇଁ ଏକ ଘଂଟାର କାମ ଥିଲା ।  
-କଣ ହେଲା ମାଆ, କାମ  କଣ ଅଛି  ।
- ବହୁତ ଦୂରରୁ ତମ କଥା ଶୁଣି ଆସିଛି  । ରାସନ୍ ଡିଲର ମେସିନରେ ଆଧାର ନମ୍ବର ଦେବାରୁ ମୋ ଟିପ ଚିହ୍ନ ନେଉ ନାହିଁ । ଡିଲର ମୋତେ ଚାଉଳ ଦେଉନାହିଁ  । ସରକାରୀଆ କ୍ୟାଂପକୁ ଯାଇଥିଲି ଯେ, ବୁଢୀ ଲୋକ ବୋଲି ଫେରାଇ ଦେଲେ  । କଣ ନା ମୋ ଆଂଗୁଠି ଯିବନି  ।
- ତା ହେଲେ ଏଠି କି ଆସିଲ କଣ ପାଇଁ, ଆଜି ବି ରବି ବାର ଅଛି  ।  ଛୁଟି ମୋର , କାମ ଆଜି ମୁଁ କରି ପାରିବିନି  ।
- ନାଇଁରେ ବାପା. ତମର ଧରମ ହେବ  । ବୁଢୀ ଲୋକ ମୂଁ । ତମେ କରି ପାରିବ ବୋଲି ମୂଁ ଆସିଚି  ।
- ତମ ସହିତ କିଏ ଆସିଚି ମା, ତମେ ଫେରିଯାଅ  ।ଆଜି ମୂଁ କାମ କରି ପାରି ବିନି ।
                    ମନ ଭଲ ଲାଗୁ  ନ ଥିଲା  ।  ଏପରି ପରିସ୍ଥିତିରେ କଣ ବା କରାଯାଇ ପାରିବ ? ଏମିତି  ମନଟା ଗୁଣୁ ଗୁଣୁ ହେଲା ବେଳେ , ମାଆଟିର ସୁଁ ସୁଁ କାନ୍ଦଣାରେ  ନିଜକୁ ଅସହଜ ମନେକଲି  । ମାଆଟିର ମୁହଁକୁ ଚାହିଁଥିଲି  ।  ଧାର ଧାର ଲୁହରେ ମୁହଁଟି ପଖଳା ହୋଇ ସାରିଥିଲା  ।   ମାଆଟିର   ଡାହାଣ ହାତ ପାପୁଲିଟିକୁ  ଧରି  ଧିରେ ଧିରେ ଆଉଁସିବାରେ ଲାଗିଲି  ।  ଆଖି ଦୁଇଟି ବୟସ ସଂଜରେ ନଇଁ ନଇଁ ଆସିଲେ ବି ଦେଖି ପାରୁଥିଲି , ଆଖି ଦୁଇଟିରେ  କାଇଁ କେତେ ଯୁଗର ଦୁଃଖ ନିରାଶାର ଚିହ୍ନ  । ଛାତିରେ ଚାପି ରଖିଛନ୍ତି ଅସୁମାରୀ କୋହ  । 
 -କ ଣ ହେଲା ମାଆ. କାନ୍ଦିଲ କଣ ପାଇଁ ?
- ସେ କଥା ବାପା କୁହନି  । ଦି ଦିନ ହେଲା ମୁଁ ଭଲରେ ଖାଇନି  । ଆଧାର ପାଇଁ ଏତେ ନାଟ ? ଟିପ ଚିହ୍ନ  ଯୋଗୁ ଡିଲର ଚାଉଳ  ଦେଲାନି  । ବୋହୁ ମୋ ଉପରେ ଖପା  । ଘରେ ବସେଇ ଖାଇବାକୁ ଦବନି  ।  ଦି ଦିନ ହେଲା   ଭାତକୁ ଆଳୁ ଚକଟା କରି ଥୋଇ ଦେଉଛି  । ଏ ମାସର ଚାଉଳ ନ ମିଳିଲେ ଭିକ ମାଗିବାକୁ ଯା ବୋଲି ଗାଳି ମନ୍ଦ କରୁଛି  । ଏଗୁଡାକ କେମିତି ସହିବି ବାପା । ଦଶ ଦିନ ଦଶ ମାସ ଧରି ଯାହାକୁ ଜନମ କରିଥିଲି  । ସିଏ ବି  ତା କଥାରେ ବାଇ ... କଣ କରିବି ବାପା? 
                ଓଃ, କି ସ୍ବାର୍ଥପର ଦୁନିଆ  । ମଣିଷ କଣ ପାଇଁ ହୁଏ ଏତେ ସ୍ବାର୍ଥପର ? ସଂପର୍କର ଚୌହଦୀରେ ଭୁଲିଯାଏ  ମାଆକୁ  ।  ମାଆ  ମୋର- ଯିଏ ମାଟିରୁ ପରିବ୍ୟାପ୍ତ ଆକାଶର ନୀଳିମାଯାଏଁ  । ଯାହାର ପଣତରେ ବିଂଚି ହୋଇଯାଏ ମମତାର  ଫୁଲ  ।ଜୀବନ ସାରା ଅନ୍ୟ ପାଇଁ ଖଟି ଖଟି  ସରୁ ନହକା ହୋଇ ମଣିଷଟିଏ ହେଲେ ବି , ତ୍ୟାଗ, ପ୍ରେମ, ଦୟା ଆଉ କରୁଣାର ପ୍ରତିମୂର୍ତି  । ଜୀବନର ସଂଜ ନଇଁଲେ ବି ସବୁ ବେଳେ ମନେ ପଡେ  । ଫେରିଆସନ୍ତା ନି ମୋର ପିଲା ଦିନ  । ସଂସାରର ସବୁ ଦୁଃଖ,ତା’ର ପଣତରେ ଅଜାଡି   ମୁହଁ ଗୁଂଜି ି କୋଳରେ ଶୋଇ ପଡନ୍ତି  । ଆଃ କି ଶାନ୍ତି  । ଏମିତି ଗୁଣୁ ଗୁଣୁ ହୋଇ ମେସିନ ଗୁଡିକୁ ଠିକ୍ ଠାକ୍ କରିବାରେ ଲାଗିଗଲି । ମାଆ ଜଣକ ଗୋବିନ୍ଦପୁରରୁ ଆସିଥିଲେ ।  ମାଳତୀ ବେହେରା । ଗାଁରେ ମାଳ ବୋଲି ଡାକନ୍ତି । ଘରେ ପୁଅ ବୋହୁ ଆଉ ନାତି ନାତୁଣୀ ଅଛନ୍ତି । ପୁଅ କଂପାନୀରେ ଚାକିରୀ କରେ  ।  ଆଜି ରବିବାର ଛୁଟି ଥିଲାରୁ ମାଆକୁ ବାଇକରେ ଆଣିଥିଲା ।  କାମ ବାହାନାରେ କିଛି ସମୟ ପରେ ଆସିବ କହି, ମୋ ଜନ ସେବା କେନ୍ଦ୍ର ପାଖରେ ବୁଢୀ ମାଆଟିକୁ ଛାଡି ଛୁଉ ମାରିଥିଲା ।ବୟସାଧିକ ହେତୁ  ମାଆଟିର ହାତ  ଅଧିକ ଶୁଷ୍କ ଥିବାରୁ ବାୟୋମେଟ୍ରିକ ମେସିନ୍  ଟିପ ଚିହ୍ନ ଗୁଡିକୁ ନେଉ ନଥିଲା । ହାତରେ ଫେସିଆଲ୍ କ୍ରିମ୍ ସହିତ ଲେମ୍ବୁ  ରସ  ମାରିବାରୁ ଟିକେ ସହଜ ହେଲା  । 
                 ଏମିତି ପ୍ରାୟ ଚାଳିଶ ମିନିଟ୍ ଲାଗିଗଲା । ବାରମ୍ବାର ଏମିତି ମାଆର ହାତଟିକୁ ଛୁଇଁବା ଆଉ କଥା ବାର୍ତା ହେଉ ହେଉ, ସେ ମୋ ସହିତ ନିଜର ଆତ୍ମୀୟ ପରି କଥା ହେଉଥିଲେ । ସକାଳୁ ଉଠି ଘର ଦ୍ୱାର ଓଳାଇବା, ଗୋରୁ ଗୁହାଳ ପୋଛିବା ସହିତ ନାତି ନାତୁଣୀକୁ ଅଙ୍ଗନବାଡିରେ ଛାଡିବା ସହିତ ଅନେକ କାମ କରୁଥିଲେ ମଧ୍ୟ ବୋହୁ ସବୁବବେଳେ ଗର ଗର ହେଉଥିଲା । ପୁଅ ମଧ୍ୟ ବୋହୁ କଥାରେ  ନାଚୁଥିଲା । ସ୍ବାମୀ ତ ଆଠ ବର୍ଷ ପୂର୍ବରୁ ଚାଲି ଯାଇଥିଲେ । ତଥାପି ପୁଅ ମୁହଁକୁ ଚାହିଁ ମାଆଟି ସବୁ କିଛି ସହି ଯାଉଥିଲେ । ହେଲେ ଏ ଟିପ ଚିହ୍ନ ପାଇଁ ଦୁଇ ମାସ ହେଲା କଂଟ୍ରୋଲ୍ ଚାଉଳ ବନ୍ଦ ହୋଇ ଯାଇଥିଲା  । ବୋହୁ ସାଆନ୍ତାଣୀ   ଆହୁରି ରାଗି ଯାଇଥିଲା ମାଆଟି ଉପରେ । ବିଚରାର ଦୋଷ ବା କଣ ? ସାଧାରଣତଃ ଲୋକମାନଙ୍କର ଟିପ ଚିହ୍ନ କ୍ୟାପଚର୍ ନ ହେଲେ କିମ୍ବା ଆଧାର ନମ୍ବର ଅଚଳ ସୂଚାଇଲେ, ସେହି ସମୟରେ ପୁଣି ବାୟୋମେଟ୍ରିକ୍ ଅପ୍ ଡେଟ୍ କଲାପରେ ଏହା ଠିକ୍ ଠାକ୍ ହୋଇଯାଇଥାଏ । କାମ ସରିଗଲା ପରେ ପ୍ରାପ୍ତି ସ୍ବୀକାର ରସିଦଟେ ମାଆର ହାତକୁ ବଢାଇଦେଲି  ।
                ମାଆଟିର ଓଠରେ ହସ ଚିକ୍ ମିକ୍ ହୋଇ ଝଲସୁଥିଲା । ଏହାପରେ ମାଆ ଜଣକ ଆଣିଥିବା ଜରିରୁ ଏକ ପାନ ବଟୁଆ କାଢି ମୋ ହାତରେ ଶହେଟି ଟଙ୍କା ଗୁଂଜିଦେଲେ  । ସମସ୍ତ ଘଟଣା ଜାଣିଲା ପରେ ମାଆଟି ହାତରୁ ଶହେ ଟଙ୍କା ନେବା ମୋତେ କଷ୍ଟ ଲାଗୁଥିଲା ।  ଗତ ମାସରେ ଭତା ଟଙ୍କାରୁ ମାଆ ଜଣକ ନିଜର ପାନ ଗୁଆ ଖର୍ଚ୍ଚ ବନ୍ଦ କରି ସଂଚିତ ଶହେ ଟଙ୍କା, ମୋ ପାଇଁ   ମହାର୍ଘ ସଂପତି ପରି ଲାଗୁଥିଲା ।  ଫେରାଇବା ପାଇଁ ଯେତେ  ମନା କଲା ପରେ ବି ସେହି ଟଙ୍କାଟିକୁ ମାଆ ହାତରେ ଜବରଦସ୍ତ  ଗୁଂଜିଦେଲି  । ମିଛରେ ଆଧାରକୁ  ନାକଚ କରିଦେବି ବୋଲି ଧମକ ଦେଲି  । ମାଆ ଜଣକ  ଏହାପରେ ଆହୁରି  ନିଜର ନିଜର ହୋଇ ମୋର ହୃଦୟ ଭିତରକୁ ପଶିଆସୁଥିଲେ । ପ୍ରଥମେ ଆପଣେ, ତା ପରେ ତମେ ଆଉ ଶେଷରେ ତୁ ସମ୍ଭୋଧନ କରିବା ଆରମ୍ଭ କରିଦେଇଥିଲେ । ମୋତେ ବି ବହୁତ ମଜା ଲାଗୁଥିଲା । ସତରେ ବସ୍ତୁବାଦୀ ସମାଜରେ ମଣିଷ ଠୁ ନିରୋଳା ଭଲ ପାଇବା ଆଉ ଆତ୍ମୀୟତା  ମିଳିବା  ବହୁତ ଦୁର୍ଲଭ  । ହଠାତ୍  ମୋତେ ଆକଟିବା ଛଳରେ ଗୋଟେ କଥା ପଚାରିବା ଆରମ୍ଭ କରିଦେଲେ ।
-ବାପା, ଗୋଟେ କଥା ପଚାରିବି ।
- କୁହ ମାଆ
- ଆରେ ବାପା, ତୋ ମୂଣ୍ଡ ଉପରେ ଏ ପିତଳ କାଳୀ ମୂର୍ତିଟା  କାହିଁକି ରଖିଛୁ ।ଘରେ ଏହାକୁ ରଖିଲେ ଭଲ ନୁହେଁ । ସାଧନା ଫାଦନା କରିଛୁ ନା କଣ ।  କାଳୀ ସାଧକଟା କିରେ  । ମୋ ଉଗ୍ରଚଣ୍ଡୀ ବୋହୁଟିକୁ ସଜାଡି ଦିଅନ୍ତୁ ନାହିଁ  ।
               ମୁଁ ବହୁତ ଜୋରରେ ଠୋ ଠୋ ହୋଇ ହସି ଉଠିଲି  । ମାଆ ଜଣକ ଚାହିଁ ରହିଥିଲେ ମୋ ମୁହଁକୁ  । ମୋ ହସରେ ଚମକି ପଡିଲେ ଯେପରି । ସମାଜରେ ଅନେକ ଅନ୍ଧ ବିଶ୍ୱାସ ଭରି ରହିଥାଏ  । ମୂର୍ତି ପୂଜାର ଉପାସକ  ହେବା ଅପେକ୍ଷା ଜୀବନରେ ଜୀଅନ୍ତା ମଣିଷର ଉପାସକ ହେବା ଉଚିତ  । ଜୀବନରେ ଦୁଃଖୀ ମଣିଷର ଆଖିରୁ ଲୁହ ପୋଛିବା ହିଁ ସାଧକ ପାଇଁ ଉପାସ୍ୟ ହେଉ ।  ଜଡ ମୂର୍ତିରେ ଆଦ୍ୟାଶକ୍ତିଙ୍କୁ ଆରାଧନା କରିବା ଅପେକ୍ଷା ସାଧକର ଚକ୍ଷୁରେ ସମଗ୍ର ନାରୀ ସମାଜ ମାତୃବତ୍ ହେଉ ।ଏହା ହିଁ ମାତୃ ସାଧନାର ବୀଜ ମନ୍ତ୍ର ଅଟେ ।ଜଗତ୍ ଜନନୀ  ସଦା ସନ୍ତାନ ବତ୍ସଳା ଅଟନ୍ତି । ମମତାମୟୀ ଅଟନ୍ତି ।  ସେ ପାପୀ ପାଇଁ ସଂହାରକାରିଣୀ  ହୋଇ ପାରନ୍ତି । କିନ୍ତୁ  ସ୍ନେହ କାଙ୍ଗାଳ ସନ୍ତାନ ପାଇଁ ନୁହେଁ  । ଏପରି  କଥା ଶୁଣି ମାଆ ଜଣକ ଚୁପ୍ ଚାପ୍ ହୋଇଯାଇଥିଲେ  ।  ଏହାପରେ ତାଙ୍କୁ ଏଜ ସପ୍ତାହାନ୍ତେ ଆସିବା ପାଇଁ କହି ବିଦା କରିଦେଲି  । 
                  ପ୍ରାୟ ଦଶ ଦି ପରେ ମାଆ ଜଣଙ୍କ ମୋର ଜନ ସେବା କେନ୍ଦ୍ରକୁ ଆସିଲେ । ବହୁତ ଖୁସି ଜଣା ପଡୁଥିଲେ ।ଆଧାର ଅପଡେଟ୍ ପରେ ଘରେ ସବୁ ଠିକ୍ ଠାକ୍ ଚାଲିଥିଲା  । ବୋହୁର ବ୍ୟବହାରରେ ପରିବର୍ତନ ମଧ୍ୟ ହୋଇ ସାରିଥିଲା । ମାଆ ଜଣଙ୍କର ଆଧାର ବାୟୋମେଟ୍ରିକ୍ ମଧ୍ୟ ଅପଡେଟ୍ ହୋଇ ଯାଇଥିଲା । ଗୋଟେ ଆଧାର ପ୍ରିଂଟ୍ ଆଉଟ୍ କରି ମାଆଙ୍କ ହାତରେ ଧରାଇଦେଲି  ।  ପ୍ରତିବଦଳରେ ମାଆ ଜଣକ ମୋ ହାତକୁ ଏକ ଘିଅ ବୋତଲ ଧରାଇଦେଲେ ।
- ଏ ଘିଅ କଣ  କାଳୀ ମାଆ ନିକଟରେ ଦୀପ ଜଳା ହେବ ନାଁ କଣ ?  ହଉ ନବ ରାତ୍ରି ଆସୁଛି  । ଭଲ ହବ ।
- ହେ ବଗୁଲିଆ ପିଲାଟା  । ସେ ଦିନ ତୁ ଏତେ  କଥା କହିଲୁ  । ଆଜି ଏମିତି କଣ କହୁଛୁ ।
- ମାନେ ???
- ତୁ ତ ଜାଣିଚୁ ଆମର ଗୋପାଳ ଘର  । ତୋ ପାଇଁ ମୁଁ ଏ  ଦେଶୀ ଘିଅଟିକେ ଆଣିଛି । ଭାତରେ ପକାଇ ଖାଇବୁ । ଭଲ ଲାଗିବ  । ମୁଁ କଣ ତୋର ମାଆ ନୁହେଁ  । ଗରିବ ମାଆଟା ତୋତେ ଆଉ କଣ ଦେଇଥାନ୍ତା କିରେ ?
                           ମାଆଟିର ଏଇ କଥା ପଦକରେ ଆତ୍ମୀୟତା ଭରି ରହିଥିଲା ।ତାଙ୍କ ମୁହଁକୁ ଚାହିଁ ରହିଥିଲି । ସତେ ଯେପରି ଜନ୍ମ ଜନ୍ମ ପିଆସୀ ସାଜି ମମତାମୃତ ପାନ କରିବା ପାଇଁ ମୋର ପ୍ରାଣ ବ୍ୟାକୁଳିତ ହୋଇଉଠୁଥିଲା ।  ଆଖି ଛଳ ଛଳ ହୋଇ ମୋ ଅଜାଣତରେ କେଇ ଟୋପା ଲୁହ ଠସ୍ ଠସ୍ ହୋଇ ଖସି ପଡିଲା  ।   ପର ମୁହୂର୍ତରେ ମାଆଟି ପଣତରେ ମୋ ଲୁହ ଗୁଡିକୁ ପୋଛି ଦେଇ, ତାଙ୍କର ଛାତିରେ ମୋ ମୁଣ୍ଡକୁ ଚାପି ଧରିଥିଲେ । ଜାଣେନା ଏ ଘଟଣା ପରେ କେତେ ବର୍ଷ ବିତି ଯାଇଛି  । ହେଲେ ସେ ଘିଅ ବୋତଲଟି ମୋ ପାଇଁ ଏକ ଅମୁଲ୍ୟ ରତ୍ନ ପାଲଟି ଯାଇଛି । ହୋଇ ଯାଇଛି ଅଭୁଲା ସନ୍ତକ । ସେ ବୋତଲର ଘିଅ ଖାଇବା ପାଇଁ ମୋର ସାହାସ ହୋଇ ନାହିଁ । ସେମିତି ରଖି ଦେଇଛି ସେ କାଳୀ ମୂର୍ତି ନିକଟରେ  । ମୁଁ ଜାଣେ ଆଜି ପର୍ଯ୍ୟନ୍ତ ମୋର ମାତୃ ସାଧନା ସରି ନାହିଁ  ।  ମୋ ଆଖିରେ ଯେ ପର୍ଯ୍ୟନ୍ତ ସମଗ୍ର ନାରୀ ସମାଜ ମାତୃବତ୍ ହୋଇ ନ ପାରିଛି, ନିଜକୁ ଶ୍ରେଷ୍ଠ ସାଧକ ଭାବରେ ଅଭିହିତ କରିପାରିବି କିପରି ?
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...