ହିରଣ୍ୟଗର୍ଭା:ଗୌତମ ବୁଦ୍ଧ ଓଡ଼ିଆ କି ?

ହିରଣ୍ୟଗର୍ଭା
ଗୌତମ ବୁଦ୍ଧ ଓଡ଼ିଆ କି?


              ହୋଇପାରେ ଏହା ଏକ ବିବାଦୀୟ ପ୍ରଶ୍ନ, ମାତ୍ର ବିବାଦରୁ ହିଁ ଇତିହାସ ର ଅନେକ ସ୍ବର୍ଣ୍ଣିମ ସତ୍ୟ ଆବିଷ୍କୃତ ହୋଇପାରିଛି। ନିକଟ ଅତୀତରେ ରସଗୋଲା ଘଟଣା କୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ପୋଥିଗତ ତତ୍ବ ହିଁ ପ୍ରକୃତ ସତ୍ୟ ଏହା ଆମେ ସହଜରେ ମାନି ନେଉ କାରଣ ଆମ ଓଡ଼ିଆଙ୍କ ଠାରେ ଅନୁସନ୍ଧାନ ମନୋବୃତ୍ତିର ଘୋର ଅଭାବ। ଏହା ପ୍ରାୟତଃ ସମସ୍ତେ ମାନିନେଇ ସାରିଛନ୍ତି ଯେ ନେପାଳର କପିଳବାସ୍ତୁ ହିଁ ଗୌତମ ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। ମାତ୍ର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଲୋକକଥା ଏବଂ କିମ୍ବଦନ୍ତୀ, ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରାଚୀନତା, ବୌଦ୍ଧ ଧର୍ମକୁ ଓଡ଼ିଶାର ଅବଦାନ ଏବଂ ବୌଦ୍ଧ ସାହିତ୍ୟ କୁ ଆଧାର କରି ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ଓଡ଼ିଶା ହିଁ ହେଉଛି ବୁଦ୍ଧଙ୍କ ପ୍ରକୃତ ଜନ୍ମସ୍ଥାନ। 
 
               ବିଶ୍ବର ପୁରାତନ ନଗର ମାନଙ୍କ ମଧ୍ୟରୁ ଭୁବନେଶ୍ଵର ଅନ୍ୟତମ। ଭୁବନେଶ୍ୱର କୁ ଛାଡ଼ିଦେଇ ଓଡ଼ିଶାର ଇତିହାସ କଳ୍ପନା କରାଯାଇନପାରେ। ଇତିହାସର ଅନେକ ଗୁରୁତ୍ତ୍ୱପୂର୍ଣ ତଥା ଗୌରବାବହ ଘଟଣାର ମୁକସାକ୍ଷୀ ଏ ସହର। ବିଷ୍ଣୁ ସ୍ବରୂପ ବୁଦ୍ଧ ଦେବ ଏହିଠାରେ ହିଁ ଜନ୍ମ ଗ୍ରହଣ କରିଥିଲେ ସେହିଦିଗରେ ଏକ ସମ୍ୟକ୍ ଦୃଷ୍ଟିପାତ।

         ୧୮୯୬ ମସିହାରେ ଜର୍ମାନୀ ଐତିହାସିକ ଆଲୋସି ଙ୍କ ଦ୍ଵାରା ନେପାଳର ତରାଇ ଶିଳାଲେଖ ଆବିଷ୍କୃତ ହୋଇଥିଲା। ସେହିଦିନଠାରୁ ଧରିନିଆଗଲା ଯେ ନେପାଳର କପିଳବାସ୍ତୁ ହେଉଛି ଗୌତମଙ୍କ ଜନ୍ମସ୍ଥାନ। ମାତ୍ର ବିଶ୍ବବିଖ୍ୟାତ ଐତିହାସିକ କନିଂହାମଙ୍କ ଆନସିଏଣ୍ଟ ଜୋଗ୍ରାଫି ଅଫ୍ ଇଣ୍ଡିଆ ରେ ମତ ପ୍ରକାଶ କରନ୍ତି ଯେ " ଏଠାରେ କପିଳର ନାମସୁଦ୍ଧା ନାହିଁ , କିନ୍ତୁ ଶିଳାଲେଖ ଆବିଷ୍କାର ଯୋଗୁଁ ୩୦ ବର୍ଷ ମଧ୍ୟରେ କପିଳବାସ୍ତୁ ଜିଲ୍ଲା ବାଧ୍ୟ ହୋଇ ସୃଷ୍ଟି କରାଯାଇଛି। 

        କପିଳବାସ୍ତୁ ର ଶିଳାଲେଖ ଆବିଷ୍କାର ହେବା କିଛିବର୍ଷ ପରେ ୧୯୨୮  ମସିହାରେ ପୁରୁଣା ଭୁବନେଶ୍ବରର କପିଳେଶ୍ୱର ଗ୍ରାମରେ ଅନ୍ୟ ଏକ ଶିଳାଲେଖ ଆବିଷ୍କାର କରାଗଲା। ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଦେବତା ମାନଙ୍କ ପ୍ରିୟଦର୍ଶୀ ରାଜା ଅଶୋକ ରଜ୍ୟାଭିଷେକ ର ଦ୍ବାଦଶ ବର୍ଷରେ ଏଠାକୁ ଆସି ପୂଜାର୍ଚ୍ଚନା କରାଇଲେ। ଶାକ୍ୟମୁନୀ ଗୌତମ ଏଠାରେ ଜନ୍ମଗ୍ରହଣ କରିଥିବାରୁ ଲୁମ୍ବିନୀ ପ୍ରଗଣାର ପ୍ରଜାଗଣ ଙ୍କୁ କରମୁକ୍ତ କରାଇଲେ।
   

      ଏଠାରେ ଉଲ୍ଲେଖଯୋଗ୍ୟ ଯେ କପିଳପ୍ରସାଦ ହେଉଛି ଲୁମ୍ବାଇ ପ୍ରଗଣାର ଅନ୍ତର୍ଗତ। କପିଳବାସ୍ତୁ ଏବଂ ଲୁମ୍ବିନୀ ର ଅପଭ୍ରଂଶ ଯଥାକ୍ରମେ କପିଳ ପ୍ରସାଦ ଏବଂ ଲୁମ୍ବାଇ ଅଟେ। କପିଳବାସ୍ତୁ ର ଶିଳାଲେଖ ଠାରୁ ଭୁବନେଶ୍ଵରର ଶିଳାଲେଖ ର ଗ୍ରହଣୀୟତା ଅଧିକ କାରଣ କପିଳବାସ୍ତୁ ଶିଳାଲେଖ ରେ ଲିପିକାରଙ୍କ ନାମ ଉଲ୍ଳେଖ ନାହିଁ କିନ୍ତୁ ଭୁବନେଶ୍ଵର ଠାରେ ମିଳିଥିବା ଶିଳାଲେଖରେ ଲିପିକାଙ୍କ ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।

          ଏହି ଶିଳାଲେଖ କୁ ଛାଡି ବୁଦ୍ଧଦେବ ଯେ ଓଡ଼ିଶା ରେ ଜନ୍ମଗ୍ରହଣ କରିଥିଲେ ତାହାର  ଅନେକ ପ୍ରମାଣ ରହିଛି। ପ୍ରଥମେ ବୁଦ୍ଧଦେବଙ୍କ ନାମକୁ ଆଲୋଚନା କରାଯାଉ, ପାଳି ଭାଷାରେ ବୁଦ୍ଧ ଶବ୍ଦର ଅର୍ଥ ହେଉଛି 'ଆଲୋକିତ'। ପାଳି ଭାଷା ହେଉଛି ଓଡ଼ିଶାର ପୁରାତନ ଭାଷା। ପାଳି ଭାଷାରେ ମଧ୍ୟ ଅନେକ ବୌଦ୍ଧ ସାହିତ୍ୟ ରଚନା କରାଯାଇଛି।  ଦ୍ବିତୀୟତଃ ବୁଦ୍ଧଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଦନ ଯାହାର ଅର୍ଥ ହେଉଛି ସିଦ୍ଧଅନ୍ନ। ଶୁଦ୍ଧୋଦନ ଙ୍କ ଭାଇଙ୍କ ନାମ ଥିଲା ଧୌତଦୋନ ଯାହାର ଅର୍ଥ ହେଉଛି ପ୍ରଖ୍ୟାଳନ କରାଯାଇଥିବା ଅନ୍ନରେ ଶ୍ରଦ୍ଧା ରଖୁଥିବା ବ୍ୟକ୍ତି। ସାଧାରଣ ରେ କହିଲେ ପଖାଳ ପ୍ରିୟ ମଣିଷ। ଓଡ଼ିଶାର ପଖାଳ ଯେ ପୃଥିବୀ ପ୍ରସିଦ୍ଧ ଏହା ସମସ୍ତଙ୍କୁ ଜଣା। ତୃତୀୟତଃ ବୁଦ୍ଧ ନିଜେ କହିଛନ୍ତି ଯେ ତାଙ୍କ ଜନ୍ମସ୍ଥାନ ହେଉଛି ଭାରତର ମଧ୍ୟ ଦେଶରେ।  ତାଙ୍କ କଥାକୁ ଯଦି ଗ୍ରହଣ କରାଯାଏ ହିମାଳୟ ର ପାଦଦେଶରେ ଥିବା କପିଳବାସ୍ତୁ ଯେ କିପରି ଭାରତର ମଧ୍ୟଦେଶ ହେବ ତାହା ଏକ ଚିନ୍ତାର ବିଷୟ ‌। ବରଂଚ ସେ ମଗଧର ରାଜସଭାରେ ବିମ୍ବିସାରଙ୍କୁ ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି ‌:-
ଭଜୁ ଜାନୋପଦୋରାଜା ହେମବନ୍ତସ୍ୟ ପସସତୋ।
ଧନି ବିରିୟେନ ସଂମ୍ପନ୍ନେ ତୋଷଳେସୁ ନିକେତିନୋ।।
ଏଠାରେ ହେମବନ୍ତ କୁ ସ୍ବର୍ଣ୍ଣାଦ୍ରୀ ଏବଂ ତୋଷଳକୁ ଭୁବନେଶ୍ୱର ବୋଲି ପ୍ରମାଣ ଦେବାର ଆବଶ୍ୟକତା ନାହିଁ।  ଜାତକ ନିଦାନ ର ବର୍ଣ୍ଣନା ଅନୁଯାୟୀ ରାଜା ଶୁଦ୍ଧୋଦନ ପ୍ରତିବର୍ଷ ହଳ ସାହାଯ୍ୟରେ ନିଜେ ଚାଷକାର୍ଯ୍ୟ ର ଶୁଭାରମ୍ଭ କରୁଥିଲେ ଏବଂ ସେହିଦିନ ନଗ୍ରର ଠାକୁର ମାନେ ଚନ୍ଦନ ଭୁଷିତ ହୋଇ ପାଲିଙ୍କି ରେ ରାଜଦାଣ୍ଡରେ ବିଜେ କରୁଥିଲେ। ଏବେ ମଧ୍ୟ ଆମ ଓଡ଼ିଶାରେ ଏହା ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ଭାବରେ ପାଳନ କରାଯାଇଥାଏ। ବୁଦ୍ଧଙ୍କ ପ୍ରଥମ ଦୁଇ ଜଣ ଶିଷ୍ୟ ଉତ୍କଳର ଦୁଇ ସାଧବ ଭ୍ରାତା ଥିଲେ ତପସୁ ଏବଂ ଭଲ୍ଲିକ ଯିଏକି ବୁଦ୍ଧଙ୍କୁ ମଧୁପିଷ୍ଟକ ଖାଇବାକୁ ଦେଇଥିଲେ ଏବଂ ସେମାନଙ୍କ ସେବାରେ ଶନ୍ତୁଷ୍ଟ ହୋଇ ଗୌତମ ସେମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ। 

             ବୁଦ୍ଧଦେବ ନିଜର ମାମୁଁଙ୍କ କନ୍ୟା କୁ ବିବାହ କରିଥିଲେ। ଏହି ପରମ୍ପରା ଓଡ଼ିଶା ସମେତ ଦକ୍ଷିଣ ଭାରତରେ ଦେଖାଯାଏ ମାତ୍ର ଉତ୍ତର ଭାରତରେ ଏହା କଦାଚିତ୍ ଦୃଷ୍ଟିଗୋଚର ହୁଏନାହିଁ। ବୁଦ୍ଧ ଜ୍ଞାନ ପ୍ରାପ୍ତି ପାଇଁ ଯିବା ସମୟରେ ନିଜ ସାରଥି ଛନ୍ଦକଙ୍କୁ ଏକ ଅରଣ୍ୟ ନିକଟରେ ବିଦାୟ ଦେଇଥିଲେ ତାଙ୍କ ନାମାନୁସାରେ ଅଦ୍ୟାବଧି ଚନ୍ଦକା ଜଙ୍ଗଲ ଏବଂ ଗ୍ରାମ ଅଦ୍ୟାବଧି ଭୁବନେଶ୍ୱର ଉପକଣ୍ଠରେ ବିଦ୍ୟମାନ। ଏହାପରେ ସେ ମହାନଇ ପାରହୋଇ କେଶନଗ୍ର ଆଡ଼କୁ ଯାଇଥିଲେ ଯାହାକୁ ବର୍ତ୍ତମାନ ମହାନଦୀ ଏବଂ କିଶନ ନଗର ଭାବରେ ଚିହ୍ନଟ କରାଯାଇଛି।

       ଦୁଃଖର ବିଷୟ ଯେ ଭୁବନେଶ୍ଵର ଠାରୁ ଉଦ୍ଧାର କରାଯାଇଥିବା ଶିଳାଲେଖଟି ଏବେ ଓଡ଼ିଶାରେ ନାହିଁ। ତାହାର କେବଳ ଏକ ଫଟୋଚିତ୍ର (ନିମ୍ନରେ ପ୍ରଦର୍ଶିତ) ଯାହା ଆମ ପାଖରେ ଅଛି। ଏହି ଶିଳାଲେଖ ଜଣେ ବଙ୍ଗାଳୀ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର କରାଯାଇଥିବାରୁ ସେ ତାହାକୁ କଲିକତାସ୍ଥ ଆଶୁତୋଷ ସଂଗ୍ରହାଳୟ କୁ ବିକ୍ରି କରି ଦେଇଥିଲେ। ସୂଚନାଯୋଗ୍ୟ ସେଠାରେ ମଧ୍ୟ ଉକ୍ତ ଶିଳାଲେଖଟି ନାହିଁ। ଏହାକୁ ଲୁପ୍ତ କରିଦେବା ପଛର ମନ୍ଦ ଉଦ୍ଦେଶ୍ୟ ହେଉଛି ଏହି ଶିଳାଲେଖ ନମିଳିଲେ ବୁଦ୍ଧଦେବ ଯେ ଭୁବନେଶ୍ୱର ରେ ଜନ୍ମଗ୍ରହଣ କରିଥିଲେ ଏହା ପ୍ରମାଣ କରିବା ଆମ୍ଭପକ୍ଷେ କଷ୍ଟସାଧ୍ୟ ହେବ।।😔

ବୁଦ୍ଧଂ ଶରଣଂ ଗଛ୍ଛାମି🙏🙏🙏
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବଡ ମେଡିକାଲରେ ଚିକିତ୍ସା ପାଇଁ ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍

ବଡ ମେଡିକାଲରେ ଚିକିତ୍ସା ପାଇଁ  ବର୍ହି ବିଭାଗରେ ଅନ୍ ଲାଇନ୍ ଟିକେଟ୍  କରିବେ କିପରି ?
            

 ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକ  ଜନ ସାଧାରଣଙ୍କ ସେବା ପ୍ରରିପ୍ରେକ୍ଷୀରେ  ଜୁନ୍ ୧ ତାରିଖ ୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।  ବର୍ତମାନ ସମୟରେ   ଉକ୍ତ ମେଡିକାଲଟି ବୈଷୟିକ ଜ୍ଞାନ କୌଶଳରେ  ଉନ୍ନତି କରଣ କରିଥିଲେ ମଧ୍ୟ, ବର୍ତମାନ ସମୟରେ ବଡ ମେଡିକାଲର ବର୍ହି ବିଭାଗରେ ପ୍ରବଳ ଗହଳି ପରିଲକ୍ଷିତ ଦୃଷ୍ଟିରୁ ରୋଗୀମାନେ ଆଉଟ ଡୋର ଧାଡିରେ ଅପେକ୍ଷା ନ କରି ନିଜର ଘରେ ଅନ ଲାଇନ୍ ମାଧ୍ୟମରେ ଟିକେଟ  ପଞ୍ଜୀକରଣ କରି ପାରିବେ  । ଉକ୍ତ ଅନ ଲାଇନ୍ ପ୍ରକ୍ରିୟାଟି  ସ୍ବାସ୍ଥ୍ୟ ପ୍ରବନ୍ଧନ ସୂଚନା ପ୍ରଣାଳୀ (HMIS) ଦ୍ୱାରା ସମ୍ପାଦିତ ହେଉଅଛି  । ବିଶେଷ ଏହି ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟାଟି ଅତ୍ୟନ୍ତ ସରଳ ହୋଇଥିଲା ବେଳେ, ଆବେଦନ ସମୟରେ  ରୋଗୀଙ୍କର ମୋବାଇଲ ନମ୍ବରଟି ବାଧ୍ୟତା ମୂଳକ କରା ଯାଇଛି  । ତେବେ ଆସନ୍ତୁ ଜାଣିବା, ଆପଣମାନେ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସିବା ପୂର୍ବରୁ, କିପରି ଘରେ ବସି ଅନ୍ ଲାଇନରେ ଆବେଦନ କରିବେ, ତାହା ନିମ୍ନରେ  ପ୍ରଦାନ କରୁଅଛି ।
୧. ପ୍ରଥମେ  https://eswasthya.odisha.gov.in   ପୋର୍ଟାଲକୁ  ପ୍ରବେଶ କରନ୍ତୁ । ଅନ ଲାଇନ୍ ଟିକେଟ କରିବା ପାଇଁ ମୋଜିଲା ଫାୟାର ଫକ୍ସ ବ୍ରାଉଜର ଭଲ ହେବ  । ଲାଟେଷ୍ଟ ଗୁଗୁଲ୍ କ୍ରୋମ୍ ଓ ମୋବାଇଲ ଆଣ୍ଡଣ୍ଡୋଏଡ୍ ପ୍ଲାଟଫର୍ମରେ ମଧ୍ୟ   ଟିକେଟ ହୋଇ ପାରୁଛି । ଏହା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏକ ପୋର୍ଟାଲ ଅଟେ ଏବଂ  ଉକ୍ତ ପୋର୍ଟାଲଟି ଅନ୍ ଲାଇନ୍  ଟିକେଟ୍ ପଞ୍ଜୀକରଣ କରିବା ପାଇଁ  ରାତ୍ର  ୧୨ ଘଟିକାରୁ ଅପରାହ୍ନ ୩ ଘଟିକା ଧାର୍ଯ୍ୟ କରାଯାଇଛି ।
୨. ଏହା ପରେ ଆପଣ Online Provisional Registration   ଲିଙ୍କରେ କ୍ଲିକ୍ କରନ୍ତୁ  । ଏହାପରେ ଆପଣ ଏକ  ବିକଳ୍ପର ସମ୍ମୁଖୀନ ପୂର୍ବକ, ଯଦି ଆପଣ ପୂର୍ବରୁ ଅନ୍ ଲାଇନ୍  ପ୍ରକ୍ରିୟା ମାଧ୍ୟମରେ ଯଦି, ଚିକିତ୍ସିତ ହୋଇଥାନ୍ତି, ତେବେ ଆପଣ “ହଁ” କୁ   ଚୟନ କରି କେନ୍ଦ୍ରୀୟ କ୍ରମାକ ନଂ  ପୂରଣ କରନ୍ତୁ ; ନତୁବା ନୂତନ ଟିକେଟ୍ କରିବା ପାଇଁ  “ନାହିଁ” ଚୟନ କରନ୍ତୁ ।  ଯଦି ଆପଣ “ନାହିଁ” ଚୟନ  କରୁଛନ୍ତି, ଆପଣଙ୍କୁ ଏକ ଅନ୍ ଲାଇନ୍ ଫର୍ମ ପୂରଣ କରିବା  ସହିତ ଆବଶ୍ୟକୀୟ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ ।
୩. ଉକ୍ତ ଅନ୍ ଲାଇନ୍ ଫର୍ମଟିକୁ ତିନୋଟି ବିଭାଗ କରାଯାଇଛି  । ପ୍ରଥମ ବିଭାଗରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ,କଟକର ନାମ ସ୍ବୟଂ ଚାଳିତ ଭାବରେ ଆସିଲା ବେଳେ,  ରୋଗୀ ଡାକ୍ତରଖାନାକୁ ଯିବା ପାଇଁ  ଆପଣଙ୍କ ଇଛା ଅନୁସାରେ ତାରିଖ ସ୍ଥିରୀକୃତ କରିବା ପାଇଁ ହେବ  ।    ବର୍ତମାନ ସମୟରେ ଉକ୍ତ ମେଡିକାଲର ୨୮ ଗୋଟି  ନିଦାନ ବିଭାଗ ପ୍ରଦର୍ଶନ କରିବା  ବେଳେ, ରୋଗୀଙ୍କୁ ତାଙ୍କର ରୋଗ ସଂପର୍କିତ ବିଭାଗଟିକୁ , ପ୍ରଦତ ବିଭାଗ ତାଲିକାରୁ  ଚୟନ କରିବା ପାଇଁ ହେବ  । ପରେ ପରେ ସ୍ବୟଂ ଚାଳିତ ଭାବେ ମେଡିକାଲର ଆଉଟ୍ ଡୋର୍ ସମୟ ଅନୁଯାୟୀ ସକାଳ  ୮ ଘଟିକା ୩୦ ମିନିଟରୁ ୧୨ ଘଟିକା ୩୦ ମିନିଟ ପ୍ରଦର୍ଶିତ ହେବ ।
୪. ଉକ୍ତ ଅନ୍ ଲାଇନ୍ ଫର୍ମର ଦ୍ୱିତୀୟ ବିଭାଗରେ, ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ । ଏଥିରେ ନାମ, ଜନ୍ମ ତାରିଖ/ବୟସ, ଲିଙ୍ଗ,ବାପା,ସ୍ତ୍ରୀ/ସ୍ବାମୀଙ୍କ ନାମ ଓ  ଆଧାର ନଂ ପୂରଣ କରନ୍ତୁ  । ଆଧାର ନଂ ନିହାତି ଆବଶ୍ୟକ ନୁହେଁ, ଯଦି ଆଧାର ନଂ ଦେଉଛନ୍ତି, ଏକ  ଘୋଷଣାନାମା  କଂପୁ୍ୟଟର ପରଦାରେ ଆସିବ.ତାକୁ  ଆପଣ “ହଁ” କୁ   ଚୟନ କରନ୍ତୁ । ଉକ୍ତ ଅନ୍ ଲାଇନ୍ ଫର୍ମର ତୃତୀୟ ବିଭାଗରେ, ଆପଣଙ୍କର ଠିକଣା , ମୋବାଇଲ ନଂ ଓ ଇ-ମେଲ୍ ଆଇଡି ତଥ୍ୟ ଗୁଡିକୁ ପୂରଣ କରିବା ପାଇଁ ଅନୁରୋଧ ।
୫. ଆପଣ ଅନ୍ ଲାଇନ୍ ଫର୍ମଟିକୁ ପୂରଣ କଲା ପରେ, ରେଜିଷ୍ଟରରେ କ୍ଲିକ କରନ୍ତୁ  । ଏହା ପରେ, ଆପଣଙ୍କ ଫର୍ମ ସବ୍ ମିଟ ହେବ  । ପରେ ପରେ ଆପଣଙ୍କୁ ବର୍ହି ବିଭାଗର ଟିକେଟ୍ ପ୍ରଦର୍ଶିତ ହେବ  ।  ଯଦି ଅନିବାର୍ଯ୍ୟ ବଶତଃ  ଆପଣ ଉକ୍ତ ଚୟନ କରିଥିବା ତାରିଖ ଠାରୁ ଆଉଟ ଡୋରରେ ପରାମର୍ଶ କଲା ପରେ,  ପୁନଃ ପରାମର୍ଶ  ପାଇଁ ଉକ୍ତ ଟିକେଟଟି ୩୦ ଦିନ ପାଇଁ ବୈଧ ହେବ । ନତୁବା ଆପଣ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଏହି ପୋର୍ଟାଲକୁ ପରିଦର୍ଶନ କରି, ପୁନଃ କେନ୍ଦ୍ରୀୟ ପଞ୍ଜୀକରଣ ନମ୍ବରକୁ ପ୍ରଦାନ କରି ପୁନଃ ପରାମର୍ଶ ପାଇଁ , ବର୍ହି ବିଭାଗର  ତାରିଖ ସ୍ଥିର କରି ପାରିବେ ।  ଏଥିରେ ଆବଶ୍ୟକୀୟ ସ୍କ୍ରିନ୍ ସର୍ଟଗୁଡିକ , ଆମର ସାଇଟରେ ମଧ୍ୟ ପ୍ରଦାନ କରିଅଛି ।ଯଦି ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି, ତେବେ ଜନସେବା କେନ୍ଦ୍ର, ଭୋଦଳ, ସଂପର୍କ-୯୨୩୮୫୮୯୧୦୦ ସହିତ କଥା ହେବା ପାଇଁ ଅନୁରୋଧ  । 







ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଗଣ୍ଡା ଗଣ୍ଡା ଯୋଜନା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀ ଇଲାକାରେ ଶିଶୁ ମୃତ୍ୟୁ ହାର ଉଦବେଗଜନକ

ଗଣ୍ଡା ଗଣ୍ଡା ଯୋଜନା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଦିବାସୀ ଇଲାକାରେ ଶିଶୁ ମୃତ୍ୟୁ ହାର  ଉଦବେଗଜନକ


ରାଜ୍ୟରେ ଶିଶୁ ମାନଙ୍କର ବିକାଶ ପାଇଁ ବା ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ଏବଂ ଅପର୍ଯ୍ୟାପ୍ତ ଅର୍ଥ ମଧ୍ୟ   ଖର୍ଚ୍ଚ କରୁଛନ୍ତି । ଏ ସମ୍ପର୍କରେ ପ୍ରଚୁର ଟଙ୍କା ଦିଆଯାଇ ମଧ୍ୟ ବ୍ୟାପକ ପ୍ରଚାର  କରାଉଛନ୍ତି । ବାସ୍ତବରେ ରାଜ୍ୟରେ କେଉଁ କେଉଁ ଜିଲ୍ଲାରେ ମୁଖ୍ୟତଃ ଆଦିବାସୀ ଜିଲ୍ଲାରେ ସରକାର  ଙ୍କ ବ୍ୟାପକ କାର୍ଯ୍ୟକ୍ରମ ଯୋଗୁଁ ଶିଶୁ ମୃତ୍ୟୁ ହାର କେତେ କମିଛି , ଏହାର ତଥ୍ୟ ଜାଣିବା ପାଇଁ ବିଭିନ୍ନ ଜିଲ୍ଲାକୁ ସୂଚନା ଅଧିକାର ଆଇନ ରେ ତଥ୍ୟ ମଗାଯାଇଥିଲା । କିନ୍ତୁ କୌଣସି CDMO କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରି ନଥିଲେ । ଏହାପରେ ସୂଚନା କମିଶନ ଙ୍କ ନିକଟରେ କେଶ ହୋଇଥିଲା । ରାଜ୍ୟ ସୂଚନା କମିଶନ ଙ୍କ ନୋଟିସ ପରେ ତଥ୍ୟ ଦେବା ଆରମ୍ଭ ହୋଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କୋରାପୁଟ 4.5.22 ରେ  ଦେଇଥିବା  ତଥ୍ୟରୁ ଜଣା ପଡ଼ିଛି ଯେ , କୋରାପୁଟ ଜିଲ୍ଲାରେ 2014-15 ରେ 1163 ଶିଶୁ  ମୃତ୍ୟୁ ବରଣ କରିଥିଲା ବେଳେ 2015-16 ରେ 845, 2016-17 ରେ 808, 2017-18ରେ 758,2018-19ରେ 959 ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଏହି ସଂଖ୍ୟା କେବଳ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ପିଲାଙ୍କ ସଂଖ୍ୟା । ଯେଉଁ ମାନେ ଘରେ  ମୃତ୍ୟୁ କରିଛନ୍ତି , ସେମାନଙ୍କ ରେକର୍ଡ ନଥାଇପାରେ  । ଅନେକ ସମୟରେ ଠିକ reporting  ମଧ୍ୟ ହୁଏ ନାହିଁ ।

ଜିଲ୍ଲାରେ  ଶିଶୁ ମୃତ୍ୟୁ ବା ଶିଶୁ ମାନଙ୍କୁ କୁପୁଷ୍ଟିରୁ ରକ୍ଷା କରିବା ପାଇଁ ଯୋଜନା ସମ୍ପର୍କରେ PIO  ତଥ୍ୟ ଦେଇଛନ୍ତି ।ବିଭିନ୍ନ ଯୋଜନା ଗୁଡିକ ହେଲା - I. Facility Based Newborn and Child Care, ii. Special New Born Care Units, iii. New Born  Stabilisation Unit , IV. Janani Surakhya Yojana, v. HBNC, vi. HBYC , vii. NSSK, viii. Infant Young Child Feeding , viii. Nutrition Rehabilitation Centre ,ix. Full Immunization  ।
ଏହା ବ୍ୟତୀତ ଶିଶୁ ମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦେବା ପାଇଁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛତୁଆ , ଅଣ୍ଡା , ରନ୍ଧା ଖାଦ୍ୟ ଉତ୍ୟାଦି ଦିଆଯାଉଛି । ଏହି ସବୁ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏ ସବୁ ସତ୍ତ୍ୱେ ଶିଶୁ ମୃତ୍ୟ ହାର କମିବାରେ ନାହିଁ । ସ୍ଥିତି ଏବେବି ସଙ୍ଗୀନ । 
ପ୍ରଦୀପ ପ୍ରଧାନ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଶ୍ରମ ଦିବସରେ ଦୈନିକ ଆଠ ଘଣ୍ଟା ଶ୍ରମ


ପ୍ରତିବର୍ଷ ମେ' ପହିଲାକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ।ଉନ୍ନବିଂଶ ଶତାବ୍ଦୀରେ ପୁଞ୍ଜିପତି ଓ ଶିଳ୍ପପତି ମାନେ ଶ୍ରମିକଙ୍କୁ ମନଇଚ୍ଛା ଶୋଷଣ କରୁଥିଲେ।କାମ କରିବାର ସମୟସୀମା ନିର୍ଦ୍ଧାରିତ ନଥିଲା, ଅଧିକାଂଶ ଶ୍ରମିକ ମାନେ ୧୨ଘଣ୍ଟା ରୁ ୧୬ଘଣ୍ଟା ପର୍ଯ୍ୟନ୍ତ ଖଟୁଥିଲେ।ଶ୍ରମିକ ମାନେ ଏହି ଅତ୍ୟାଧିକ ସମୟ କାର୍ୟ୍ଯ କରିବାର ଶୋଷଣକୁ ପ୍ରତିବାଦ କରିବାକୁ ଆଗେଇ ଆସିଥିଲେ।୧୮୬୦ ମସିହାରେ ପ୍ରଥମେ ଆମେରିକାରେ ପ୍ରତିବାଦ ଆରମ୍ଭ ହୋଇଥିଲା।ଆମେରିକାନ ଫେଡରେସନ ଅଫ୍ ଲେବର ସଙ୍ଗଠନ ନାମରେ ଏକ ଶ୍ରମିକ ସଙ୍ଗଠନ ଜନ୍ମଗ୍ରହଣ କରିଥିଲା।ଏଥିରେ ସମାଜବାଦୀ, ସାମ୍ୟବାଦୀ, ଗଣତାନ୍ତ୍ରିକ ମାନେ ଯୋଗ ଦେଇଥିଲେ।ଚିକାଗୋ ଶ୍ରମିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା।୧୮୮୪ ମସିହାରେ ଚିକାଗୋ ଠାରେ ଏକ ବିଶାଳ ଶ୍ରମିକ ଅନୁଷ୍ଠିତ ହୋଇଥିଲା ଏବଂ ସେହି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା ୧୮୮୬ମସିହା ମେ' ପହିଲାରୁ ଦିନକୁ ଆଠ ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରାଯାଉ।ଏହି ଆହ୍ବାନକୁ ଆମେରିକାର ସବୁ ଶ୍ରମିକ ସମର୍ଥନ ଦେଇଥିଲେ ଓ ଲଗାତର ଭାବେ ପଟୁଆର ଓ ସଭା ଶ୍ରମିକମାନଙ୍କ ପକ୍ଷରୁ କରାଯାଉଥିଲା। ଶ୍ରମିକମାନଙ୍କ ସଂଗ୍ରାମୀ ମିଜାଜ ଦେଖି ମାଲିକମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ ସିନା, ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ।
୧୮୮୬, ମେ’ ପହିଲା ଦିନ ସାରା ଆମେରିକାରେ ଆଠ ଘଣ୍ଟା ଶ୍ରମ ସମୟ ଦାବି କରି ଧର୍ମଘଟ ହେଲା। ୧ ଓ ୨ ତାରିଖ ଦୁଇ ଦିନ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। ଦୁଇ ତାରିଖ ଦିନ ଧର୍ମଘଟକାରୀ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଥିଲା। ମେ’ ୩ ତାରିଖ ଦିନ ଧର୍ମଘଟ ମଧ୍ୟ ସଫଳ ହୋଇଥିଲା। ମାତ୍ର ସାଧାରଣ ସଭାରେ ଜଣେ ଶ୍ରମିକ ନେତା ଭାଷଣ ଦେଉଥିବା ବେଳେ ପୋଲିସ ସଭା ସ୍ଥଳକୁ ଧସେଇ ପଶି ସଭା ଭାଙ୍ଗିଦେଲା ଓ ପୋଲିସ ଗୁଳିରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଲେ ଓ ଅନେକ ଆହତ ହୋଇଥିଲେ।
ପୋଲିସର ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭାର ଆୟୋଜନ ହେଲା ମେ’ ୪ ତାରିଖରେ। ପୂର୍ବଦିନ ପୋଲିସର ଗୁଳି ଯୋଗୁ ଓ ସେଦିନ ପାଗ ଖରାପ, ବର୍ଷା ନେଇ ପ୍ରାୟ ତିନିହଜାର ଲୋକ ସଭାକୁ ଆସିଥିଲେ। ମାତ୍ର ସଭା ଆରମ୍ଭ ହେବାର କିଛି ସମୟ ପରେ ପୋଲିସ ସଭା ମଞ୍ଚକୁ ଉଠି ବକ୍ତାମାନଙ୍କୁ ଧକ୍କା ମାରି ତଡିଦେଲା। ଏତିକିବେଳେ ଗୋଟାଏ ବୋମା ସଭା ମଞ୍ଚକୁ ଜଣେ ଅଜଣା ବ୍ୟକ୍ତି ଫୋପାଡିବା ଫଳରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହେଲା। ଏହାପରେ ପୋଲିସ ଆଖିବୁଜା ଗୁଳି ଚଳାଇଲା। କେତେ ଜଣ ମୃତ୍ୟୁବରଣ କଲେ ତାହାର ଠିକ ହିସାବ ମିଳିଲା ନାହିଁ। ତେବେ ପ୍ରାୟ ୭/୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ପଚାଶ ଜଣରୁ ଅଧିକ ଗୁଳିମାଡରେ ଆହତ ହୋଇଥିଲେ। ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆଠଜଣଙ୍କୁ ଗିରଫ କଲା।
ବୋମା ନିକ୍ଷେପ କରିଥିବା ବ୍ୟକ୍ତିର ପତ୍ତା ମିଳିଲା ନାହିଁ। ଅଭିଯୋଗ ହୁଏ ଯେ ବୋମା ନିକ୍ଷେପକାରୀ ପୋଲିସର ଏଜେଣ୍ଟ ଥିଲା। ପୋଲିସ ଯେଉଁ ଆଠଜଣଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ତିନିଜଣ ସେ ସଭାରେ ଉପସ୍ଥିତ ଥିଲେ ଓ ଏମାନେ ସମସ୍ତେ ମଞ୍ଚରେ ବସିଥିଲେ। ବିଚାର ସମ୍ପୂର୍ଣ୍ଣ ପ୍ରହସନ ଥିଲା। ବିଚାରପତି ଯୋଶେଫ୍‌ ଗାର୍ଗ ସମ୍ପୂର୍ଣ୍ଣ ଏକପାଖିଆ ହୋଇ ରାୟ ଦେଇଥିଲେ। ଆଠ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଫାଶୀ ଓ ଜଣକୁ ଜେଲଦଣ୍ଡ ମିଳିଥିଲା। ଏହି ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଲା। ରାୟ ବିରୋଧରେ ଅପିଲ ହେଲା। ପୁନରାୟ ରାୟରେ ୫ ଜଣଙ୍କୁ ଫାଶୀ ଆଦେଶ ମିଳିଲା। ଫାଶୀ ଆସାମୀ ଲୁଇସ ଲିଙ୍ଗ୍‌ ଜେଲ ଭିତରେ ଆତ୍ମହତ୍ୟା କଲେ। ୧୮୮୭, ନଭେମ୍ବର ୧୧ ତାରିଖରେ ଆଲବର୍ଟ ପାରସନ, ଅଗଷ୍ଟ ସ୍ପାଇଜ, ଜର୍ଜ ଏଙ୍ଗେଲ୍ସ ଓ ଆଡ୍‌ ଲଫ୍‌ ଫିଶ୍ଚରକୁ ଫାଶୀ ହୋଇଥିଲା।
ଫାଶୀ ପାଇବା ଠିକ୍‌ ପୂର୍ବରୁ ଅଗଷ୍ଟ ସ୍ପାଇଜ ବଡ ପାଟିରେ ଚିତ୍କାର କରି କହିଥିଲେ, ”The day will come when our silence will be more powerful than the voice you strangle today“
ଦିନ ଆସିବ, ଯେତେବେଳେ ଆମର ନୀରବତା ଆମର କଣ୍ଠସ୍ବରଠାରୁ ଆହୁରି ଶକ୍ତିଶାଳୀ ହୋଇ ଉଠିବ। ତୁମେ ଯେଉଁ କଣ୍ଠକୁ ରୁଦ୍ଧ କରୁଛ।“
ହେ ମାର୍କେଟ ଗୁଳିକାଣ୍ଡ ଓ ୪ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦେବାର ୧୩୪ ବର୍ଷ ଅତୀତ ହୋଇଗଲାଣି। ବିଶ୍ୱର ଅଧିକାଂଶ ଦେଶରେ ଶ୍ରମିକଶ୍ରେଣୀ ଆଠଘଣ୍ଟା କରିବାର ଆଇନଗତ ଅଧିକାର ପାଇଛି। ଶ୍ରମିକ ଶ୍ରେଣୀ ଅନେକ ଅଧିକାର ହାସଲ କରିଛି, ମାତ୍ର ଶ୍ରମିକ ଶ୍ରେଣୀର ସଂଗ୍ରାମ ସରିନହିଁ। ଉପଯୁକ୍ତ ମଜୁରି, ଆଠଘଣ୍ଟା କାମ ଆଦି ପ୍ରମୁଖ ଦାବି ପାଇଁ ଆଜି ବି ଆମ ଦେଶରେ ଶ୍ରମିକ ଲଢେଇ ଜାରି ରହିଛି। ଭାରତର କେନ୍ଦ୍ର ସରକାର ଶ୍ରମିକମାନଙ୍କ ଆଇନଗତ ଆଠଘଣ୍ଟା କାମ କରିବାର ଅଧିକାରକୁ ଲୋପ କରିବାକୁ ଆଇନ ଆଣିଛି। ନବ୍ୟ ଉଦାରବାଦ ଆର୍ଥିକ ନୀତି ବିରୋଧରେ ଭାରତର ଶ୍ରମିକମାନେ ୧୮ଥର ସର୍ବଭାରତୀୟ ସ୍ତରରେ ଧର୍ମଘଟ କରିଛନ୍ତି।କୃଷକ, କୃଷି ଶ୍ରମିକ ଓ ବେକାରମାନଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରମିକମାନେ ଦାବି କରୁଛନ୍ତି। ଦରବୃଦ୍ଧି ବିରୋଧରେ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ପାଇଁ ଓ ଶୋଷଣର ଅବସାନ ପାଇଁ ଶ୍ରମିକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି, ମାତ୍ର ସଂଗ୍ରାମ ସରିନାହିଁ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

How to Complained about MGNREGS Corruption

🤺 *How to Complained about MGNREGS Corruption*🗣️
ମନରେଗା ଯୋଜନା ରେ ଓଡ଼ିଶାରେ ବାର୍ଷିକ ହଜାର ହଜାର କୋଟି ଟଙ୍କା ଆଖି ବୁଜି ଦୁର୍ନୀତି ହେଉଛି ରାଜ୍ୟର ଥିବା ନବୀନ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଙ୍କ ମିଳିତ ଭାବରେ. ମନରେଗା ଯୋଜନା ହେଉଛି ଗୋଟିଏ Act ଯେଉଁ ଥିରେ ବର୍ଷ କୁ ଶହେ ଦିନ କାମ ଯୋଗାଇବା ନିୟମ କହୁଛି ଶ୍ରମିକ ମାନଙ୍କୁ କିନ୍ତୁ ଓଡ଼ିଶାରେ ଏହି ଯୋଜନା ରେ ଶତକଡ଼ା ୯୯% ଦୁର୍ନୀତି ହେଉଛି।ଓଡ଼ିଶାରେ ପେନସନ ଧାରୀ ଆଉ 65ବର୍ଷ ରୁ ଉର୍ଦ୍ଧ୍ବ ତଥା ଓଡିଶା ବାହାରେ ରହୁଥିବା ଲୋକଙ୍କ ନାମରେ ମଧ୍ୟ ଶ୍ରମିକ ଦେଖାଇ ଟଙ୍କା ଲୂଟ ଚାଲିଛି।
ଏହି ଯୋଜନା ରେ ହେଉଥିବା ଦୁର୍ନୀତି ରୋକିବା ପାଇଁ ଜିଲ୍ଲା ରେ ଗୋଟିଏ କମିଟ ଅଛି ଏମାନଙ୍କୁ ନେଇ
1. District magistrate/district planning co-ordinator(dpc)-chairman
2.the member secretary district legal service authority-member
3.one sub-collector and one bdo of the district(nominated by DPC) as member
4.one person of voluntary organisation involved with NREGA-nominated member by DPC
5.the project director DRDA-member secretary.

ତଳେ ଦିଆଯାଇଛି form A। ଏହି form ଅନୁଯାୟୀ ଆପଣ ମାନଙ୍କ ଅଭିଯୋଗ email କିମ୍ବା ପୋଷ୍ଟ କିମ୍ବା ବ୍ୟକ୍ତିଗତ ଭାବେ ଦେଇ ପାରିବେ ରେ ଥିବା programme officer(po) କିମ୍ବା district programme officer(dpc) କିମ୍ବା state rural employment guarantee commissioner (sregc)ଙ୍କ ନିକଟରେ।
ମନରେଗା ଆଇନ 2010 ଅନୁଯାୟୀ ଅଭିଯୋଗ ପାଇବାର ସାତ ଦିନ ଭିତରେ ସେମାନେ ଅଭିଯୋଗ କାରୀଙ୍କୁ ଜଣାଇବା ସହ ତଦନ୍ତ କରିବେ ଆଉ ମାସକ ମଧ୍ୟରେ ତଦନ୍ତ କରି ମାମଲା ବନ୍ଦ କରିବେ ଆଉ ଏହି ଆଇନ ଅନୁଯାୟୀ କୌଣସି ଦୁର୍ନୀତି ବାହାରିଲେ ତଦନ୍ତ ଜାରି କମିଟ ଦୁର୍ନିତି କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଜୋରିମାନା ଆଦାୟ ସହ ipc ଅନୁଯାୟୀ ସେମାନଙ୍କ ନାମରେ ଥାନାରେ ମାମଲା ମଧ୍ୟ ଦେବେ.. ତେଣୁ ଆପଣ ମାନଙ୍କୁ ଅନୁରୋଧ ଏହି ମନରେଗା ଯୋଜନା ଉପରେ ହେଉଥିବା ଦୁର୍ନୀତି ଉପରେ ତୁରନ୍ତ ଅଭିଯୋଗ କରନ୍ତୁ ବହୁ ମାତ୍ରାରେ
ନିବେଦକ
ମାଧବାନନ୍ଦ ଭୋଇ
ସୂଚନା ଅଧିକାର କର୍ମୀ
କଟକ ଜିଲ୍ଲା ସୂଚନା ଅଧିକାର ଅଭିଯାନ
ଯୋଗାଯୋଗ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଆପଣଙ୍କୁ ଗିରଫ କରି ପାରିବନି ପୋଲିସ


ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ବ୍ୟକ୍ତିର କଣ କଣ ଅଧିକାର ଥାଏ ଆସନ୍ତୁ ଜାଣିବା ।


ପୋଲିସ ଗିରଫ କରିବାକୁ ଆସିବା ବେଳେ ସିଆରପିସିର ଧାରା ୫୦ ଅନୁସାରେ ଆପଣ ଗିରଫର କାରଣ ପଚାରି ପାରିବେ । ଆଉ ପୋଲିସ ଏହାର ଉତ୍ତର ଦେବାକୁ ବାଧ୍ୟ । ଗିରଫ କରିବାକୁ ଆସିଥିବା ପୋଲିସ ଅଫିସର ୟୁନିଫର୍ମରେ ଏବଂ ନାମଫଳକ ରହିବା ଜରୁରୀ ।

ସିଆରପିସିର ଧାରା ୫୦ (ଏ) ମୁତାବକ, ଗିରଫ ହେଉଥିବା ବ୍ୟକ୍ତି ଏନେଇ ନିଜ ପରିବାରକୁ ଜଣାଇ ପାରିବେ । ଯଦି ଏ ବାବଦରେ ସେ ଜଣାଇବାକୁ ଅସମର୍ଥ ହେଉଛନ୍ତି ତେବେ ପୋଲିସ ନିଜ ଆଡୁ ତାଙ୍କ ପରିବାରକୁ ସୂଚନା ଦେବେ ।

ସିଆରପିସିର ଧାରା ୪୧ (ବି) ଅନୁସାରେ, ପୋଲିସକୁ ଗିରଫ କରିବା ପୂର୍ବରୁ ଏକ ଆରେଷ୍ଟ ମେମୋ ପ୍ରସ୍ତୁତ କରିବାକୁ ପଡିଥାଏ । ସେଥିରେ ଗିରଫ କରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କ ରିୟାଙ୍କ, ଗିରଫ କରିବା ସମୟ, ଉପସ୍ଥିତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ହସ୍ତାକ୍ଷର ରହିବା ଜରୁରୀ । ଏହି ମେମୋରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସ୍ୱାକ୍ଷର ମଧ୍ୟ ରହିବ ।

ସିଆରପିସିର ଧାରା ୫୪ ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଯଦି ମେଡ଼ିକାଲ ଟେଷ୍ଟ କରିବାକୁ ଚାହିଁବେ ତେବେ ପୋଲିସ ଏହା କରିବାକୁ ବାଧ୍ୟ । ମେଡ଼ିକାଲ ଟେଷ୍ଟର ଫାଇଦା ହେଉଛି ଯଦି ପୋଲିସ ହେପାଜତରେ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗୁଛି ତେବେ ଏଥିପାଇଁ ପୋଲିସ ଦାୟୀ ରହିବ । ନିୟମ ମୁତାବକ ଗିରଫ ହୋଇଥିବା ବ୍ୟକ୍ତିଙ୍କ ର ୪୮ ଘଣ୍ଟା ମଧ୍ୟରେ ମେଡ଼ିକାଲ ଯାଞ୍ଚ କରାଯିବା ଉଚିତ ।

ସିଆରପିସିର ଧାରା ୫୭ ମୁତାବକ ପୋଲିସ କୌଣସି ବ୍ୟକ୍ତିଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖି ପାରିବ ନାହିଁ । ଯଦି ପୋଲିସ କାହାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାଇଁ ନିଜ କବ୍ଜାରେ ରଖୁଛି ତେବେ ଧାରା ୫୬ ମୁତାବକ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିବ । ଏହାର କାରଣ ମଧ୍ୟ ଜଣାଇବାକୁ ବାଧ୍ୟ ।

ସିଆରପିସିର ଧାରା ୪୧ (ଡି) ଅନୁସାରେ ଗିରଫ ବ୍ୟକ୍ତି ନିଜ ପରିଜନ ଓ ଓକିଲ ସହ କଥା ହୋଇ ପାରିବେ । ଯଦି ଅପରାଧ ଗମ୍ଭୀର ନୁହେଁ ତେବେ ଗିରଫ ବ୍ୟକ୍ତିଙ୍କ ନିକଟରେ ନିଜ ଗିରଫ ଓ।ରେଣ୍ଟ ଦେଖିବାର ଅଧିକାର ରହିଛି । ଯଦି ଅପରାଧ ଗୁରୁତର ତେବେ ପୋଲିସ ବିନା ଓ।ରେଣ୍ଟରେ ବ୍ୟକ୍ତିଙ୍କୁ ଗିରଫ କରି ପାରିବେ ।

ସିଆରପିସିର ଧାରା ୪୬ (ଏ) ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଓ ସୂର୍ଯ୍ୟାଦୟ ପୂର୍ବରୁ ଗିରଫ କରାଯାଇ ପାରିବ ନାହିଁ । ଯଦି କେବେ ଜରୁରୀ ଥାଏ ଓ* *ମହିଳାଙ୍କୁ ରାତିରେ ଗିରଫ କରିବା ଦରକାର ହୁଏ ତେବେ ପ୍ରଥମେ ପୋଲିସକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ିଥାଏ ।

ସିଆରପିସିରଧାରା ୫୫ (୧) ମୁତାବକ ଗିରଫ ବ୍ୟକ୍ତିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ପୋଲିସ କୁ ନେବାକୁ ପଡିଥାଏ ।

ଦଣ୍ଡ ବିଧି ଆଇନ ଵ୍ୟତିତ ଭାରତୀୟ ସମ୍ବିଧାନ ମଧ୍ୟ ଏ କ୍ଷେତ୍ରରେ ସାଧାରଣ ନାଗରିକଙ୍କୁ କେତେକ ବିଶେଷ ଅଧିକାର ଦେଇଛନ୍ତି ।

ଏହି ଅଧିକାର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ବେଆଇନ ଗିରଫ କରାଯାଇଛି ତେବେ ଏହା ସମ୍ବିଧାନର ଅନୁଚ୍ଛେଦ ୨୦, ୨୧ ଓ ୨୨ ରେ ଦିଆଯାଇଥିବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ।

ସମ୍ବିଧାନର ଅନୁଚ୍ଛେଦ ୨୦ ମୁତାବକ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଅପରାଧ ପାଇଁ ମାତ୍ର ଥରେ ହିଁ ଗିରଫ କରାଯାଇପାରିବ । ପୋଲିସ କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷୀ ହେବାକୁ ବାଧ୍ୟ କରି ପାରିବ ନାହିଁ ।
ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ କୌଣସି ବ୍ୟକ୍ତିଙ୍କୁ କେବଳ ଆଇନ ଅନୁସାରେ ଦଣ୍ଡ ଦିଆଯାଇ ପାରିବ । ତାଙ୍କୁ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

ସମ୍ବିଧାନର ଅନୁଚ୍ଛେଦ ୨୨ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ମନଇଚ୍ଛା ପୋଲିସ ଅଟକ ରଖିଛି ତେବେ ତାଙ୍କୁ ତିନି ପ୍ରକାରର ସ୍ୱାଧୀନତା ମିଳିପାରିବ । ପ୍ରଥମରେ ଗିରଫ ର କାରଣ  କହିବାକୁ ପଡ଼ିବ । ଦ୍ୱିତୀୟ ରେ ୨୪ ଘଣ୍ଟା ଭିତରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରିବାକୁ ହେବ ଏବଂ ତୃତୀୟ ରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଇଚ୍ଛା ମୁତାବକ ଓକିଲ ବାଛିବା ଅଧିକାର ରହିଥାଏ
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପ୍ରଭୋ! ଦେଖାଅ ମୋତେ ସୁପଥ,

ମାଧବାନନ୍ଦ ଭୋଇ
ପ୍ରଭୋ!ଦେଖାଅ ମୋତେ ସୁପଥ,
 ସତ୍ୟ ଶାନ୍ତିି ଦୟା କ୍ଷମା ଭକ୍ତି ଥିବ,ଚାଲୁଥିବି ଅବିରତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ । ।
 ଦୁଃଖୀ  ନେତ୍ରୁ, କେବେ ଅଶ୍ରୁ ନ ଝରିବ,
କ୍ଷୁଧାତୁର  କ୍ଷୁଧା ତୃଷା ମେଣ୍ଟି ଯିବ,
 ସବୁରି ପରାଣ, ହୋଇବ ତୃପତ
ପୂର୍ଣ୍ଣ ହେଉ ଏ ମନୋରଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୧ । ।
 ଜହ୍ଲାଦ ଓଠରେ ସଇତାନୀ ହସ, 
ନ୍ୟାୟ ପାଳିକାକୁ କରେ ଉପହାସ,
ଅନ୍ୟାୟର ଅମା,ଯିବ ଅପସରି;
ଶୂନ୍ୟଗର୍ଭା ଧରା, ହେବ ପୂର୍ଣ୍ଣଗର୍ଭା ।
ଅସତ୍ୟ ହୋଇବ ହତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୨ । ।
 ସହୁଥିବି ନିନ୍ଦା ଅପବାଦ ବାଧା,
“ମୋର” ବୋଲି କହି ନ କରୁ ଶରଧା ।
 ଦୀପ ସମ ଜଳି,ଜୀବନକୁ ଜାଳି,
ସବୁରି ଓଠରେ ଫୁଟାଇବି ହସ
 କରିବି ସମାଜ ହିତ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ  । ।୩ । ।
 ଫୁଲ ସମ ମୁହିଁ ସୁବାସ ବିତରି,
ମାତୃଭୂମି କୋଳେ ଯିବି ଶେଷେ ଝରି ।
ଗାଁ ଶମଶାନେ, ତନୁ ଲୀନ ହେବ
 ମାଟି ଘଟ ମୋର, ମାଟିରେ  ମିଶିବ
ଯିବି ମୁହିଁ ଶେଷ ତୀର୍ଥ । ।
ପ୍ରଭୋ ! ଦେଖାଅ ମୋତେ ସୁପଥ ।  । ।୪ । ।

ସଂପାଦକ-ଉଦୟ ଭାନୁ ସା-ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ-୯୨୩୮୫୮୯୧୦୦

ସଂପର୍କ

ତୁମ ସହ ମୋର ଚିହ୍ନା ବି ନ ଥିଲା,                        
ନ ଥିଲା ସଂପର୍କ କିଛି ।
ଅଜାଣତେ ଆସି,  ଭଲ ପାଇ ଗଲ,
ମୋ ସାଥିରେ ଗଲ  ମିଶି । ।
 ପ୍ରକୃତରେ ଯେବେ ଭଲ ପାଉଥିବ,
ଯିବନି କେବେ ଦୂରେଇ,
ପ୍ରଥମ ଦେଖାରେ କରିଲ ନିଜର,
ମୁଁ କେବେ ଭୁଲିବି ନାହିଁ । ।
କଳପନା ମନ, ଲଭିଲା ସପନ
 କେତେ ଲାଗୁଥିଲା ଭଲ,
କେମିତି କହିବି; ଅନୁଭବ କଥା,
ଭଅଁର ବିହୁନେ ଫୁଲ । ।
ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲି,
ହୃଦୟର ବଗିଚାରେ,
 ଛୁପି ଛୁପି ଆସି,ଚୁମି ଚୁମି ଗଲ
ଭିଜିଲି ତୁମ ପ୍ରେମରେ । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସନ୍ତକ

ଲେଖୁନି ଗଣିତ,ଲେଖୁନି ସାହିତ୍ୟ            
ଲେଖୁଅଛି ଇତିହାସ,
ପ୍ରେମ କେବେ ଥିଲା କୁହୁଡିର ଘର,
କରିବନି ଉପହାସ । । 
ବଗ ଉଡିଗଲେ, ଆକାଶ ଛାତିରେ
ବଗୁଲି ଝରାଏ ଲୁହ,
ତୁମ କଥା ମୋର ମନେ ପଡିଗଲେ
ଅନ୍ତରୁ ଝରଇ କୋହ । ।
ଜୀବନ ପଥରେ ସାଥୀ ହେବା ପାଇଁ
ପଛକୁ ଅନାଅ ନାହିଁ,
ସମୟ ବିତିବ,ଭାବିବାକୁ ହେବ,
ସମୟ ମିଳିବ ନାହିଁ । । 
ସରି ସରି ଆସେ ଜୀବନ ପ୍ରଦୀପ,
ଲିଭି ଲିଭି ଆସେ ଆୟୁ,
ଏ ମାୟା ସଂସାରୁ ବିଦାୟ ପୂର୍ବରୁ 
ଏତିକି ସନ୍ତକ ଥାଉ । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଓଡିଆ ମୋ ମାତୃ ଭାଷା,

ମାଧବାନନ୍ଦ ଭୋଇ
କହିବି ଓଡିଆ, ପଢିବି ଓଡିଆ                                              ଓଡିଆ ମୋ ମାତୃ ଭାଷା,
ଭାଷା ଜଗତରେ,ସବୁ ଠୁ  ସେ’ ମିଠା
ରାଇଜ ମୋର ଓଡିଶା । ।
ନଦୀ ନାଳ ଗିରି ସବୁଜ ବନାନୀ
ଚଉଦିଗେ ଅଛି ଭରି,
ସାଗର ନୀଳିମା,କ୍ଷେତ ସବୁଜିମା,
କି ସୁନ୍ଦର ଶୋଭା ଶିରୀ । ।
ବାରବାଟୀ ମଡା  ଆଜି ଉଠେ ଚେଇଁ
ସାଧବ ପୁଅର ଗାଥା,
ମହାନଦୀ ପଠା, ଗୁମୁରି କାନ୍ଦୁଛି
 ସ୍ମୃତି ଆଜି ବାଲି ଯାତ୍ରା । ।
 ପାଇକ ପୁଅର ଢାଲ ତରବାରୀ,
ଖୁରଧାର ଲାଲମାଟି,
 ବାଜିଆ ରାଉତ, ଧରମାର କଥା
 ଫୁଲି ଉଠେ ଆମ ଛାତି । ।
 ଅତୀତର କଥା, ଲାଗେ ଆଜି ବ୍ୟଥା
 ମୁକ ସରକାର ନୀତୀ,
 ଇଂରେଜୀ ଶାସନ, କରୁଛି ଓଡିଆ,
 ଫାଟିଯାଏ  ଆମ ଛାତି । ।
 ଜାଗ ଜାଗ ଭାଇ ଉକ୍ରଳ ସନ୍ତାନ,
ବେଳ ନାହିଁ ଆଉ ନାହିଁ ,
 ବଜା ରଣ ତୁରୀ,ରଖ ସ୍ବାଭିମାନ
ମାଆ ମାତୃଭାଷା ପାଇଁ  ।  ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଦୀର୍ଘ ଶ୍ୱାସ


ଇଚ୍ଛା ହୁଏ ପ୍ରିୟତମ, କେବଳ ତୁମକୁ ହିଁ;
ମନ  ପ୍ରାଣ ଦେଇ ଭଲ ପାଆନ୍ତି କି ?
ତୁମର ହାତ ନାହି ଁ  ଯେ !
ତୁମ ବାହୁ ବନ୍ଧନରେ ବାନ୍ଧି ହେବାକୁ ?
ଜୀବନ ତମାମ୍ ହଜି ଯିବାକୁ?

ଇଚ୍ଛା ହୁଏ ପ୍ରିୟତମ,ତୁମ ପାଦେ;
ସୁଖ ଦୁଃଖ ସମର୍ପି ଦେବାକୁ,
ତୁମର ପାଦ ନାହିଁ ଯେ !
କେମିତି  ଲଙ୍ଘିବି ଅସରନ୍ତି ପଥ
ଜୀବନ ସାଥୀଟେ ହୋଇ, 
ତୁମ ସହ ଚାଲିବାକୁ ?

ଇଚ୍ଛା ହୁଏ ପ୍ରିୟତମ, ନଶ୍ୱର ଏ ତନୁ ମନ,
ତୁମ କୋଳେ ଅଜାଡି ଦେବାକୁ,
ତୁମର କୋଳ ନାହିଁ ଯେ,
ଶାନ୍ତିରେ ମଥା ଥାପି, ଜନ୍ମାବଚ୍ଛିନ୍ନ ଯନ୍ତ୍ରଣାକୁ ଭୁଲି
ମୋର ଶେଷ ନିଶ୍ୱାସ,
 ତୁମ ପ୍ରଶ୍ୱାସରେ ମିଶାଇ ଦେବାକୁ । ।
ଉଦୟ  ଭାନୁ ପରିବାର, ଭୋଦଳ, ପାଟସୁନ୍ଦରପୁର,କଟକ-୦୧୮,ସଂପର୍କ:୯୨୩୮୫୮୯୧୦୦

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅକ୍ଟୋପସ୍

(ମାଧବାନନ୍ଦ ଭୋଇ)

(ଏ ଗଳ୍ପ ପ୍ରଚ୍ଛଦ ପଟରେ କିଛି କଥା ଆଉ ସତ କଥା- ଏକଦା ମୋର ପ୍ରିୟ ମାର୍ଗଦର୍ଶକ ତଥା ସ୍ରଷ୍ଟା ଇଶ୍ରାର ଖାନଙ୍କ ବିୟୋଗ ଜନିତ ଶୋକ ସଭା ସମାପନ ପରେ ଗବବସ୍ତ ବଜାରରେ ଚା ପାନ ସମୟରେ, ଲେଖିବା କଥା ଆଲୋଚନା ହେଉ ହେଉ, ମୋର ବଡ ଭାଇ ତଥା କବି ରାଧାଶ୍ୟାମ ମହାନ୍ତି ଏହି ଗପର ଥିମ୍ ଦେଇଥିଲେ । ବହୁତ ଥର ଭାବିଛି ଲେଖିବା ପାଇଁ  । ସମୟ ହୁଏ ନି  । ଆଜି ବି ସମୟ ନ ଥିଲା ।  ମୋର ବ୍ୟକ୍ତିଗତ ବିଭିନ୍ନ ସମସ୍ୟା ଥିଲେ ବି , ଗର୍ଭ ବେଦନା ସହି ନ  ପାରି  ତ୍ୱରିତ ପ୍ରସବ କରିବା ପରି ଏ ଗଳ୍ପଟି ଲେଖିଛି ଏକା ଥରକରେ  । ଗପରେ  ୯୦ ଭାଗ ସତ୍ୟ ଅଛି  ।  କାହାକୁ ଇଙ୍ଗିତ କରି ଲେଖି ନାହିଁ  । ଯଦି ଏ ଗପ କାହା ମନରେ  ଯନ୍ତ୍ରଣା ଦିଏ, ନିଜର  ସ୍ବଗୁଣରେ ମୋତେ କ୍ଷମା କରିଦେବା ପାଇଁ ଅନୁରୋଧ)
କୋଭିଡ୍ ଆସିଲା   । କାହାର ପୁଷ ମାସ, କାହାର ସର୍ବନାଶ ନ୍ୟାୟରେ କାହାର ମୁହଁରୁ ହସ ଛଡାଇ ନେଲା ତ  କାହାକୁ କୋଟିପତି କରି ଦେଲା ।  ଜନତା  ଜନାର୍ଦ୍ଦନ ତୁଣ୍ଡି ପିନ୍ଧି ଭୋକ ଉପାସରେ ଡହ ଡହ ହେଉଥିଲା ବେଳେ, ସୁଯୋଗ ମିଳିଛି ବୋଲି  କିଛି  ନେତା କୁଜିଙ୍କ ସହିତ ରାଜକୋଷକୁ ଲୁଟି ଚାଲିଥିଲେ;ଆସନ୍ତା ପିଢୀମାନଙ୍କ ପାଇଁ ନତୁବା ଆସନ୍ତା ନିର୍ବାଚନରେ ଟଙ୍କା ବାଂଟିବା ପାଇଁ । କିନ୍ତୁ  କଟ ବାବୁଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା । ଛାତି କୋରି ହେଉ ଯାଉଥିଲା ନିଜର ଭେଣ୍ଡା ପୁଅକୁ ହରାଇ  । ଏମିତି ତ ପୁଅ ଗୋଟେ ବେସରକାରୀ କଂପାନୀରେ କିରାଣୀ ଥିଲା । ହସ ଖୁସିରେ ଚାଲି ଯାଉଥିଲା ଛୋଟିଆ ସଂସାର  । ହେଲେ କୋଭିଡ୍ ଆସିଲା , ସବୁ କିଛି ସାରିଦେଲା । ଏହା ପରେ ବେଡି ଉପରେ କୋରଡା ମାଡ  ।  ପୁଅ ମରୁ ପଛେ , ଲୋକଙ୍କର କଣ ଭାସି ଯାଉଛି  । ବଡ ମରା ପରା;ଦଶ ଦିନେ ଦଶ ତୁଠ କରି  ଶୁଦ୍ଧି ହେବ  । ସାହି ଭାଇ ଛଅର ହେଲା ପରେ ନୁଆ ଲୁଗା ପିନ୍ଧିବେ  । ତା  ପର ଠୁ ବେଳାଏ ଆଉ ଦି ବେଳା ହୋଇ  ଚଉଦ ଦିନ ମେଳା ପର୍ଯ୍ୟନ୍ତ  ଖାଇ ଚାଲିଥିବେ । ନ ହେଲେ ତାର ଜୀବାତ୍ମା ନର୍କରେ ଘାଂଟି ହେବ  । ସତରେ କେତେ କୁତ୍ସିତ ପରମ୍ପରା  ଏଠି  । ସମ ବେଦନା ବଦଳରେ ନର୍କ ଯାତନା । କଟ ବାବୁ ମାସକର ପେନସନ୍ ଏ ଶୁଦ୍ଧଘର କାମରେ ସରିଗଲା ପରେ  ହାତ ଉଦ୍ଧାରି କିଛି ହୋଇ ଯାଇଥିଲା । ଘର ଚଳିବା ପାଇଁ ବି ନିକଟରେ ଟଙ୍କା ନ ଥିଲା ।
ପୁଅର ଟଙ୍କା କିଛି ବ୍ୟାଙ୍କରେ ଅଛି  । ହେଲେ ଉଠାଇବା ପାଇଁ, ବିନା ଉତରାଧିକାରୀ ପ୍ରମାଣପତ୍ରରେ  ଟଙ୍କା ମିଳିବ ନାହିଁ ବୋଲି ବ୍ୟାଙ୍କ ପରିଚାଳକ ମନା କରିଦେଲେ ।  ଉତରାଧିକାରୀ ପ୍ରମାଣ ପତ୍ର ପାଇଁ ଜନ  ସେବା କେନ୍ଦ୍ରରେ ଆବେଦନ କରିବା ପାଇଁ ପଡିବ  । କେତେ ପ୍ରକାର କାଗଜ ପତ୍ର ଦରକାର  । ଆଫିଡେଭିଟ୍   କରିବା ବ୍ରିଟିଶ ଅମଳର ପରମ୍ପରା ବୋଲି ରାଜ୍ୟ ସରକାର ମନା କରି ଦେଲା ପରେ ବି ତହସିଲଦାରମାନଙ୍କ ବ୍ରିଟିଶ ପ୍ରିତୀ ଯାଉନାହିଁ  । ବିନା ଆଫିଡେଭିଟ୍ ରେ ଉତରାଧିକାରୀ ପ୍ରମାଣପତ୍ର ଆବେଦନ କରା ଯାଇପାରିବ ନାହିଁ  । ନ ହେଲେ  ଦରଖାସ୍ତ ନାକଚ ହୋଇଯିବ  । ହେଲେ ମଂଜ କଥା ଯାଇ ଆଉ କେଉଁଠି ? ତହସିଲରେ ଓକିଲ ଗୁଡାକ ପୁଣି ବଂଚିବେ କେମିତି ଯେ ?  ପେଟ ପାଟଣା କଥା ଅଛି ନା  । ମନେ ମନେ ଚିଡି ଯାଉଥିଲେ କଟ ବାବୁ  ।   ତାପରେ ଆଉ ଗୋଟେ ସମସ୍ୟା ।  ରାଜସ୍ବ ନିରୀକ୍ଷକଟା ଭେଣ୍ଡିଆ ହେଲେ କଣ ହେବ,  କଂପୁ୍ୟଟରରେ ଅନ୍ ଲାଇନ୍ ରିପୋର୍ଟ କରି ଅପଲୋଡ୍ କରି ପାରିବନି  । ଦରଖାସ୍ତ ନେଇ ରିପୋର୍ଟ ପାଇଁ ଆର. ଆଇ. ଅଫିସ୍ ଚାଲ ।   ସେଥିରେ ବି କିଛି ପେଂଚ ଥିବ ବୋଧେ ।
ଉତରାଧିକାରୀ ପ୍ରମାଣ ପତ୍ର ପାଇଁ ଦରଖାସ୍ତ ଦେବାର ମାସେ ହୋଇ ଗଲାଣି ।  ଦି ଚାରି ଥର ଗଲା ପରେ ଆର.ଆଇ. ଟା ଆସୁନାହିଁ  ଗାଁଆକୁ ରିପୋର୍ଟ କରିବା ପାଇଁ  ।   ମନେ ମନେ ବିରକ୍ତ ହୋଇଯାଉଥିଲେ କଟ ବାବୁ  । ନିଜର ବହୁତ କାମ ଥିଲେ ବି  ସମୟ ନଷ୍ଟ କରି ଆର. ଆଇ. ଅଫିସ୍ ଦୌଡି  ଦୌଡି   ନୟାନ୍ତ ହୋଇଯାଇଥିଲେ ।  ଆଜି ଯାହା ବି ହେଉ, କଳେ ବଳେ କୌଶଳେ କାମଟା କରିବାକୁ ହେବ  ।  ନହେଲେ ପିଲା/ଛୁଆଙ୍କ ମୁହଁରେ ଆହାର ବି ଦେଇ ହେବ ନାହିଁ  । ଦିନ ବାରଟାରେ ଆର. ଆଇ. ଅଫିସରେ ପହଂଚିଲେ କଟ ବାବୁ  । ଆର. ଆଇ.  ମହାଶୟ ଲାପଟପରେ କଣ ଗୋଟେ କରୁଥିଲେ ବୋଧେ । ଶଃ, ଆଶ୍ଚର୍ଯ୍ୟ କଥା ତ ।  କଂପୁ୍ୟଟର କାମ ଜାଣି ନାହିଁ ବୋଲି ଅନ୍ ଲାଇନ୍ ରିପୋର୍ଟ କରିବନି  ।  ପୁଣି ଏକି ଫାର୍ସ ଚାଲିଛି । ନମସ୍କାର ଗୋଟେ ପକାଇ କାକୁସ୍ଥ ହୋଇ ଠିଆ ହୋଇ ରହିଲେ କଟ ବାବୁ । 
- କଣ ହେଲା, କାଇଁ ଆସିଛ ?
- ସାର୍! ଆମର ଉତରାଧିକାରୀ ପ୍ରମାଣ ପତ୍ର ପାଇଁ  ରିପୋର୍ଟ ଟା ହେଲା ନି ଯେ ?
- ଓହୋ, କେତେ କାମ କରିବ ଯେ, ହଉ, ବାହାରେ ଆମର ପିଅନ ଧେଡୁ ଭାଇନା ଅଛି ।   ତମେ ଟିକେ କଥା ହୋଇ, ତାକୁ କହିବ ତମ ଫର୍ମଟା ଟିକେ ଖୋଜି ମୋତେ ଦେଇଦେବ । ମୁଁ କରିଦେବି ।
    ଧେଡୁ ଭାଇନାକୁ ଖୋଜିବା ପାଇଁ ବେଶି ସମୟ ଲାଗିଲାନି ? ସେ ଦିନ ବୋଧେ ଅଫିସରେ ଆଇଁଷ ହୋଇଥିଲା ନା କଣ ? ଆର. ଆଇ. ଅଫିସଟା ଆଇଁଷିଆ ହୋଇ ମହ ମହ ବାସୁଥିଲା । ଧେଡୁ ଭାଇନା ଫିକ୍ କରି ହସିଦେଲା କଟ ବାବୁଙ୍କୁ ଦେଖି ।
- ଆପଣଙ୍କ କାମ ଆଜି ଯାଏ ହୋଇନି ଯେ  ।
- ଦେଖୁଚ ତ ଆସୁଛି, ପୁଣି ପଚାରୁଛ  ।
-କଣ କରିବା ? ସମୟ ତ  ହଉନି । କେଉଁ ଦିନ ଗୋଟେ ଯିବା ।
- ମାନେ! ଆରେ ଭାଇ, କଣ ଗୋଟେ କର  ।
- ହୁଁ! ଏଥର ଲାଇନ୍ ଉପରକୁ ଆସିଲ । କଣ ଗୋଟେ ଦବ । କରିଦେବା ଆଉ । ଆମ ଭିତର କଥା ।
                       ଧେଡୁ ଭାଇନା ସହିତ ମୁଲ ଚାଲ ଛିଡିଗଲା ।  ୩୦୦ ଟଙ୍କା ଲାଂଚରେ ରିପୋର୍ଟ ହୋଇଯିବ ବୋଲି ସଫା ହୋଇଗଲା । ହେଲେ ଏକ ସପ୍ତାହ ବିତି ଗଲା ପରେ ବି କଟ ବାବୁଙ୍କ ରିପୋର୍ଟ ହେଉ ନ ଥିଲା । ଆର. ଆଇ. ମହାଶୟଙ୍କୁ ଅପେକ୍ଷା କରି କରି ଆଖି ପାଣି ଆଖିରେ ମରୁଥିଲା । ହେଲେ ପରେ ପରେ ଦୁଇ ଥର ଆର. ଆଇ. ଅଫିସକୁ ଗଲା ପରେ ବି ଆର. ଆଇ. ମହାଶୟଙ୍କ ସହିତ ସାକ୍ଷାତ ହୋଇ ପାରୁ ନ ଥିଲା ।  କାମ ହୋଇଯିବ ବୋଲି ଧେଡୁ ଭାଇନା  କହୁଥିଲା ସିନା କଟ ବାବୁ ମୁହଁରେ କହି ନ ପାରୁଥିଲେ ବି ମନେ ମନେ ବିଡ୍ ବିଡ୍ ହୋଇ ଫେରି ଆସୁଥିଲେ । ସାଦା ସିଦା ମଣିଷମାନେ କଣ ବା କରି ପାରିବେ ? ସମାଜରେ ଦୁର୍ନିତୀର ଅକ୍ଟୋପସ୍ କିଲ୍ ବିଲ୍ କରି ସମାଜକୁ ଜାବୁଡି ଧରିଛି । ଝୁଣି ଝୁଣି କରି ଶୋଷୁଛି ନିରୀହ ଜନତାଙ୍କ ଝାଳବୁହା ରକତକୁ । ଆଜି ବି ନେତାମାନେ ଦୁର୍ନିତୀ ପଥର ପଥିକ । ବୁ୍ୟରୋକାଟଙ୍କ ଠାରୁ  ତଳିଆ କର୍ମଚାରୀମାନେ ମଧ୍ୟ ସେଇ ପଥର ପଥିକ । ଲାଂଚ ନ ଦେଲେ ଜନ ସାଧାରଣଙ୍କ କୌଣସି କାମ ହୋଇ ପାରିବ ନାହିଁ  । ବଡମାନେ ଖାଉଛନ୍ତି । ନେତା ମନ୍ତ୍ରୀମାନେ ଖାଉଛନ୍ତି  । ଆମେ ବାଦ୍ ପଡିବୁ କାହିଁକି ? ଆମେ କଣ ନିଆଁରେ ମୁତିଛୁ କି?
କଟ ବାବୁଙ୍କ ଧୈର୍ଯ୍ୟର ସୀମା ଲଙ୍ଘନ କରୁଥିଲା । ଶଃ..କୁ ଟଙ୍କା ଦେଇଛି  । ଆଜି ଯାହା ବି ହେଉ କରି କି ଆଣିବି  ।  ଶଃ..  ମୋତେ ମଫୁ ବୋଲି ଭାବିଛି  ।  ମନେ ମନେ ବିଡ୍ ବିଡ୍ ହୋଇ ଆର. ଆଇ. ଅଫିସରେ   କଟ ବାବୁ ପହଂଚିଲେ । ଆର. ଆଇ. ମହାଶୟ ଚଷମା ଟେକି ଦେଲେ ।
- ମଉସା, ଆପଣଙ୍କ କାମ ସରିନି କି ?
- ଭଲ କଥା କହୁଛନ୍ତି ସାରେ, ଯଦି ଆପଣ କରିଥାନ୍ତେ ମୁଁ କାହିଁ ଚୋର ପୁଲିସି ଖେଳିବା ପାଇଁ ଆସୁଥାନ୍ତି ।
- ହେଃ, ମଉସା ସେ କଥା ଛାଡ?  ତମ  ଘର ପାଖରେ କାହା ମୋବାଇଲ୍ ନମ୍ବର ଅଛି କହିଲ ?
- କାହିଁକି  । ହଉ ଦଉଛି?
                     ମୋବାଇଲ୍ ନମ୍ବର ଦେଲା ପରେ ଆର. ଆଇ. ମହାଶୟ ଫୋନ କରି କଟ ବାବୁଙ୍କର ପରିବାର କଥା ବୁଝିଦେଲେ  । ରିପୋର୍ଟ ଲେଖା ସରିଗଲା । ରିପୋର୍ଟ ତଳେ ଆର. ଆଇ. ମହାଶୟ ପାଂଚଟା ଛକି ମାରିଦେଲେ । ବହୁତ କାମ ଅଛି ବୋଲି ଆଉ ଯାଇ ହେବନି, ପାଂଚଟାଛକିରେ ପାଂଚଟା ସାକ୍ଷୀ  ଦସ୍ତଖତ କଲାପରେ ଜନସେବା କେନ୍ଦ୍ରରେ ଆବେଦନ କରିବା ପାଇଁ କହି ଆର. ଆଇ. ମହାଶୟ ଦରଖାସ୍ତ ଫର୍ମ ବଢାଇଦେଲେ କଟ ବାବୁଙ୍କୁ । କଟ ବାବୁ ମନେ ମନେ ରକ୍ତ ଚାଉଳ ଚୋବାଇ ଆର. ଆଇ.ର ଚଉଦ ପୁରୁଷକୁ ଗାଳି ଦେଇ ଘରେ ପହଂଚିବା ଛଡା ଅନ୍ୟ କିଛି ବାଟ ନ ଥିଲା ।
ଆଜି ଶୁକ୍ର ବାର । ଅଡଶପୁର ହାଟ ଅଛି । ପନିପରିବା କିଣିବା ପାଇଁ ପଡିବ  ।  ହାଟରେ କିଛି ବନ୍ଧୁ ଦେଖା ହେବା ସହିତ ବନ୍ଧୁ ମିଳନ ବି  ହୋଇଯିବ ।    ପାଇଟାଳ ଚା ଦୋକାନ ନିକଟରେ  ନିଜର ମଟର ସାଇକେଲଟିକୁ ପାର୍କିଂ କଲା ବେଳେ, ଧେଡୁ ଭାଇନା ଦେଖାହୋଇଗଲା ।  ଚୋର ଶଃ.. ତମେ ଶଃ .. ହଜାର ହଜାର ଟଙ୍କା  ଦରମା ପାଇ  ଜନ ସାଧାରଣଙ୍କୁ ଏମିତି ଚନ୍ଦେଇବ  ।  ଆମକୁ ଦୌଡାଇ ଦୌଡାଇ ପାଦରୁ ଗଲୁ ମାରିବ  । ଇଛା ହେଉଥିଲା ଦୋ ଅକ୍ଷରୀରେ ଦିପଦ ଝାଡି ଦେବା ପାଇଁ ଧେଡୁ ଭାଇନାକୁ  ।  ଆରେ ଦି ହାତରେ କଣ ବଡ ବଡ ପରିବା ବ୍ୟାଗ୍ କଣ ଧରିଛି ବେ  । ପୁଣି ସମାନ ସମାନ ପରିବା ବି ବ୍ୟାଗରେ ଦେଖାଯାଉଛି ।  ଆଳୁ କିଲୋ ଚାଳିଶ ଟଙ୍କା ଆଉ ତା ପରେ ବି  ଅନ୍ୟ ପନି ପରିବା ସବୁ ଅଶୀ ଟଙ୍କା ଉପରେ  । ମନେ ମନେ ଦ୍ୱନ୍ଦରେ ପଡୁଥିଲେ କଟ  ବାବୁ  । ଘଟଣାଟା କଣ ହୋଇ ପାରେ? ଶଃ..ପଟାଏ କାହାକୁ ମାରିଛି ବୋଧେ ?
-କଣ ମଉସା! ଏମିତି ଚାହୁଁଛ ଯେ ?
- ଆରେ ଧେଡୁ ଭାଇନା, ପରିବା କଣ ଶସ୍ତା ହୋଇଛି ନା କଣ? ହାଟଟା ଉଠାଇ ଆଣିଛ!
- ହେଃ!ଏମିତି ନେଇ ଆଣିଛି?
- କଣ ଏମିତି ଯେ, ଟିକେ ଖୋଲି କି କହୁନ ?
- କଣ କହିବି ମଉସା! ଗୋଟିଏ ବ୍ୟାଗ୍ ମୋର, ଆଉ ଗୋଟିଏ ଆର. ଆଇ.  ସାର୍ ଙ୍କର  । କାଲି ଦ୍ୱିତୀୟ ଶନିବାର ଅଛି ତ  । ସାର୍ ଆଜି ଗାଆଁକୁ ପଳାଇବେ । ତା ପରେ ବି  ଆମ କାମ ହେବ କିପରି ? କିଛି ଦେଲେ ତ ! ମୁଁ ଜାଣିଛି ମଉସା, ତମେ ଆମକୁ ଶୋଧୁଥିବ, ଲାଂଚ ଦଉଛ ବୋଲି  । ହେଲେ ଆମେ କଣ କରିବୁ?   ସେ ଆର.ଆଇ..ଶଃ..ଟା ବଡ ଚୋର । ଆମେ ତ ତଳିଆ ପିଅନ  । ଏଇ ଦେଖୁନ, ପରିବା ଭାଉ ଯାହା ହୋଇଛି,  ତା ପାଇଁ କାହିଁକି ପରିବା କିଣି ବୋହି ବୋହି  ଅଫିସ କ୍ୱାଟରକୁ ନେଇଥାନ୍ତି ।   ଭଲ ପରିବା ଆଣିଛି ମଉସା । ମାଡାମ ବହୁତ ଖୁସି ହେବେ  । ମୁଁ ଦେଇଛି ବୋଲି, ମୋ କାମ ବି ହୋଇଯିବ  । ଦେଖୁନ, ବର୍ତମାନ ଆମର କାମ ଭିଡ ଅଛି । ୱାରସ ସଂଶୋଧନ ଠାରୁ ମୁ୍ୟଟେସନ୍ ପର୍ଯ୍ୟନ୍ତ  । କଚେ ପୁଅ ବାର ?
କଟ ବାବୁଙ୍କର ଆଉ ଶୁଣିବାର ଧୈର୍ଯ୍ୟ ନ ଥିଲା ।    ପରିବା କିଣିବାକୁ ହେବ  ।   ନ ହେଲେ ଅନ୍ଧାର ହୋଇଯିବ  । ଏ ଯୁଗ ଯାହା ହେଲାଣି ନା, ଆଉ କିଛି କହି ହେବ ନାହିଁ ।
ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮, 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜନ ସେବା କେନ୍ଦ୍ର ଭୋଦଳ ଏବଂ "ଉଦୟ ଭାନୁ" ସାମାଜିକ ଓ ସାହିତ୍ୟ ସଙ୍ଗଠନ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ

ଜୟ ସମ୍ବିଧାନ, ଜୟ ଭାରତ  ।
ଆଜି ଜନ ସେବା କେନ୍ଦ୍ର, ଭୋଦଳ ଏବଂ  ଛତ୍ରପତି ମହାରାଜ୍ ଗ୍ରାମ୍ୟ କମିଟି ମିଳିତ ଆନୁକୁଲ୍ୟରେ ସମ୍ବିଧାନ ଦିବସ  ପାଳନ କରାଯାଇଛି  । ସର୍ବ ପ୍ରଥମେ ଭାରତର ସମ୍ବିଧାନ ପ୍ରଣେତା  ଭୀମ ରାଓ ଆମ୍ବେଦକରଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା  ।     ପରେ ପରେ ସାମୁହିକ ଭାବରେ ସମ୍ବିଧାନ ପ୍ରସ୍ତାବନା ପାଠ କରାଯାଇଥିଲା । ଏହାପରେ  ଭୋଦଳ ଦଳିତ ବସ୍ତିର ବିଭିନ୍ନ ସାମୂହିକ ସମସ୍ୟାଗୁଡିକ ପ୍ରରିପ୍ରେକ୍ଷୀରେ ହୋଇଥିଲା ଏକ ଦଳ ଗତ ଆଲୋଚନା । ବିଶେଷ କରି ବଡ ପାଟସୁନ୍ଦର ଗ୍ରାମ ପଂଚାୟତର ଅନେକ ଉନ୍ନତି କରଣ କରାଯାଇଥିଲେ ମଧ୍ୟ, ବୈମାତୃକ
ଭାବରେ ଉକ୍ତ ଦଳିତ ବସ୍ତିକୁ ଅବହେଳା କରା ଯାଇଛି ବୋଲି ଅନେକ ମହିଳାମାନେ ମତବ୍ୟକ୍ତ କରିଥିଲେ  । ଉକ୍ତ ଗ୍ରାମରେ ଜନୈକ ଗୋଷ୍ଠୀ ଗୃହକୁ  ରାଜନୈତିକ ପ୍ରିୟାପ୍ରିତୀରେ ବାରମ୍ବାର ଅନୁଦାନ ପ୍ରଦାନ କରାଗଲେ ମଧ୍ୟ ଉକ୍ତ ବସ୍ତିରେ  ଏକ ଗୋଷ୍ଠୀ ଗୃହ ନିର୍ମାଣ ନ ହେବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ବିଶେଷ କରି ସାମୁହିକ ସମସ୍ୟା ଭାବରେ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶ୍ମଶାନ ରାସ୍ତା ନିର୍ମାଣ,ଗୋଷ୍ଠୀ ଗୃହ ନିର୍ମାଣ, ଅଙ୍ଗନବାଡି ଗୃହ, ମନରେଗା ଯୋଜନାରେ କାମ କରିବା ପାଇଁ ନୂତନ ଜବ୍ କାର୍ଡ ପ୍ରଦାନ ଓ ଭୋଦଳ ଜଗନ୍ନାଥ ମନ୍ଦିର-କାର୍ତିକ ଭୋଇ ଘର ରାସ୍ତା ନିର୍ମାଣ,ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଗୋଷ୍ଠୀ ପୁଷ୍କରଣୀ ସହିତ ଗୋଷ୍ଠୀ ଶୌଚାଳୟ ସମସ୍ୟା ସଂପର୍କରେ ଆେଲୋକପାତ କରାଯାଇଥିଲା । ଏତଦ୍ ବ୍ୟତୀତ ଭୋଦଳ ଉପ୍ରା ବିଦ୍ୟାଳୟଟି ଅନ୍ୟତ୍ର ସ୍ଥାନାନ୍ତରଣ ହେତୁ   ପିଲା ମାନେ  ଅଧାରୁ ପାଠ  ଛାଡୁଛନ୍ତି  । ତେଣୁ ଉକ୍ତ ବିଦ୍ୟାଳୟଟିକୁ ପୁନଃ କାର୍ଯ୍ୟକ୍ରମ କରାଯାଉ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଥିଲେ । ପରେ ପରେ  ଉକ୍ତ ସାହିରେ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା  ଭାବରେ   ବସୁନ୍ଧରା ଯୋଜନାରେ ଭୂମିହୀନ ମାନଙ୍କୁ ବାସୋପଯୋଗୀ ଜମି, ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ ଭତା, ଜବ କାର୍ଡ, ଆବାସ ଯୋଜନା ମାଧ୍ୟମରେ ଗୃହହୀନମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଆଶାୟୀ ହିତାଧିକାରୀମାନଙ୍କର ଚିଠା  ପ୍ରସ୍ତୁତ କରାଯିବା ସହିତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ  ସ୍ଥାନୀୟ ସରପଂଚଙ୍କ ମାଧ୍ୟମରେ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ପାରିତ କରାଯାଇଥିଲା । ଏହା ସେଙ୍ଗ ସେଙ୍ଗ  ଜନ ସେବା କେନ୍ଦ୍ର ତରଫରୁ ସମ୍ବିଧାନ  ସଚେତନା ସୃଷ୍ଟି କରିବା ଡାଇଁ ଅନ୍ୟ ଲାଇନ୍ ମାଧ୍ୟମରେ  ସମ୍ବିଧାନ  ପ୍ରସ୍ତାବନା ପାଠ କରିଥିବା ବ୍ୟକ୍ତିମାନଙ୍କୁ  ପ୍ରମାଣ ପତ୍ର ପ୍ରଦାନ  ଏବଂ  ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୂଚନା ପଞ୍ଜୀକରଣ କରିଥିବା ମହିଳା ମାନଙ୍କୁ ମାଗଣାରେ  ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମଟିକୁ ଜନସେବା କେନ୍ଦ୍ରର ପରିଚାଳକ  ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ  ଓ ବିଜୟଲକ୍ଷ୍ମୀ ସେଠୀ  ପ୍ରମୁଖ ପରିଚାଳନା କରିଥିଲେ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଚିଠିରୁ ଫେସବୁକ୍“ହରେକୃଷ୍ଣ ସାହୁ”

 ସାରସ୍ବତ ଜୀବନରେ ଜଣେ ସ୍ରଷ୍ଟା   ପାଠକ ହେବା ଆବଶ୍ୟକ । ସମାଜର କଳାପଟାରେ ଫୁଟି ଉଠୁଥିବା ଘଟଣାଗୁଡିକୁ ପାଠ ନ କଲେ, ଲେଖନୀରେ ରୂପାୟନ ହେବ କିପରି ? ତେବେ ମୁଁ  ଜଣେ ଆଜନ୍ମ ପାଠକଟିଏ ଭାବରେ ବଂଚିବାକୁ ଚାହେଁ  । କଲେଜରେ ପଢିବା ବେଳେ ଜନୈକ ଗୁରୁଜନଙ୍କ ଆଦେଶ କ୍ରମେ ବାଣିଜ୍ୟ ପଢିଲା ବେଳେ, ଆକାଉଂଟିଂର ଲମ୍ବା ଲମ୍ବା ହିସାବ ଫର୍ଦ୍ଦ କଲାବେଳେ, ସାହିତ୍ୟର ପ୍ରେମ ସବୁ ବେଳେ ଆନମନା କରୁଥିଲା । ୧୯୯୪ ମସିହାରେ ପ୍ରାୟତଃ କେତେଟା ଖବର କାଗଜ ଆଉ ସମାଜ/ପ୍ରଜାତନ୍ତ୍ର ସାପ୍ତାହିକୀ  ପଢିବା ପାଇଁ ମିଳୁଥିଲାବେଳେ, ଆମ ଗାଁରେ ପ୍ରାୟ ସେ ସବୁ ପଢିବା ପାଇଁ ସ୍ବପ୍ନ ଥିଲା । ଅଡଶପୁର କଲେଜକୁ ଯିବା ପାଇଁ, ବାଗଲପୁର ଠାରୁ ବସ ଚଢିଲା ବେଳେ ନତୁବା କଲେଜରୁ ଫେରିବା ବେଳେ, ଜଳଖିଆ ଦୋକାନରେ ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ବସ୍ ଆଉ ଟ୍ରେକରକୁ ବସକୁ ଅପେକ୍ଷା  କରିବା ସମୟଗୁଡିକ ଖବର କାଗଜ ପଢିବାରେ କଟିଯାଏ । ସେତେବେଳେ ବାଗଲପୁରରୁ ଅଡଶପୁର ପ୍ରାୟ ଛଅ/ସାତ କିଲୋମିଟର ହୋଇଥିଲା ବେଳେ ଆମ୍ଭକୁ ବସ୍ ଭଡା ୫୦ ପଇସା ଦେବାକୁ ପଡେ । ଏତଦ୍ ବ୍ୟତୀତ ମୋର ସାଙ୍ଗମାନେ କଳା/ ବିଜ୍ଞାନରେ ନାମ ଲେଖାଇ ଥିଲା ସମୟରେ, ମୋର ବାଣିଜ୍ୟ ଥିଲା । କ୍ଲାସ ସମୟ ମଧ୍ୟ ଅଲଗା ଥିଲା । ସେ ସମୟରେ ଆଜିର ଚିଠିରୁ ଫେସବୁକରେ ହରେକୃଷ୍ଣ ସାହୁଙ୍କର ନିବନ୍ଧ ଗୁଡିକ ପଢିବାର ସୁଯୋଗ ପାଉଥିଲି । ମୁଁ  ଆଜି ବିଶ୍ୱାସ କରି ପାରୁନି, ଦୀର୍ଘ  ବର୍ଷ ଅତିକ୍ରାନ୍ତ କଲାପରେ  ୟେ ଚିଠି ପରେ ଫେସବୁକରେ ପୁନଃ ସଂପର୍କ  ।  ଖବର କାଗଜର ସୋସିଆଲ ମେଡିଆରେ ଆଜି ଶ୍ରୀଯୁକ୍ତ ସାହୁଙ୍କର ଲେଖା ପଢିଲାବେଳେ, ଖବରକାଗଜର ମଜା ଆଉ ନାହିଁ । ଅବଶ୍ୟ ଆଜି ଲେଖାଗୁଡିକରେ ପାଠିକା/ପାଠକମାନଙ୍କର ମତାମତ ଦେଖିବାକୁ ମିଳୁଥିଲା ବେଳେ, ଚିଠିର ଆଦାନ ପ୍ରଦାନରେ ଯେଉଁ ଖୁସି, ତାହା ସୋସିଆଲ ମେଡିଆରେ ମିଳେ ନାହିଁ । ତେବେ ଆସନ୍ତୁ ପଢିବା ସେ ଚିଠି... ... ... ...
ମହାଶୟ,
ନମସ୍କାର ନେବେ, ଆପଣଙ୍କ ଚିଠି ପାଇଲି । ଖୁସି ଲାଗିଲା । ଆପଣ ଯେ ମୋର ଲେଖାଟିକୁ ପସନ୍ଦ କରିଛନ୍ତି,ତାହା ମୋ ପାଇଁ ଆନନ୍ଦର କଥା । ଏପରି ପ୍ରଶଂସା ପୂର୍ଣ୍ଣ ଚିଠି ଗୁଡିକୁ ମୁଁ ଛୋଟ ଛୋଟ ମାନପତ୍ର ହିସାବରେ ସମ୍ମାନ ଦେଇ ସାଇତି ରଖେ ।
             ଆପଣ ମୋ ସହିତ ଏକମତ ଅଛନ୍ତି ଏବଂ ଏହି ଭେଦ ଭାବର ସୁକ୍ଷ୍ମତମ ବସ୍ତୁଟିକୁ ଅନୁଭବ କରି ପାରିଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ କଥା । ସମାଜର ଆନ୍ତରିକତା ନାମକ ଅନୁଭବଟି ସଂପୂର୍ଣ୍ଣ ଭାବରେ ଲୋପ ପାଇବା ଅବସ୍ଥାରେ ପହଂଚି ଗଲାଣି । ମନ କଥାଟି ପ୍ରକାଶ କରି ସମବେଦନା ଟିକିଏ ପାଇବା ପାଇଁ ଆଉ ମଣିଷ ମିଳୁ ନାହାନ୍ତି । ଗାଆଁ,ସାହି,ଜାତି,ସୁନ୍ଦର ଅସୁନ୍ଦର, ପାଠକ/ଅପାଠକ ସବୁସ୍ତରରେ ଭିନ୍ନ ଭିନ୍ନ ଗୋଷ୍ଠୀ ତିଆରି ହୋଇଗଲାଣି । ଅର୍ଥାତ ଆମେ ସମସ୍ତେ ଜଣେ ଜଣେ ଏକୁଟିଆ ମଣିଷ । ନିକଟରେ ଥିବା ମଣିଷଟି ଯେ ଆଦୌ ଆମର ପାଖରେ ନାହିଁ, ଏହା ହିଁ ସମାଜର ରିତୀ ହୋଇ ଯାଇଛି । ତେଣୁ ବନ୍ଧୁଟିଏ ପାଇବା ପାଇଁ ଏମିତି ଦୂରକୁ ଦୂରକୁ ହାତ ବଢାଇବା ଏବେ ଆବଶ୍ୟକ ହୋଇ ପଡିଛି । ଆପଣଙ୍କ ସହିତ ସଂପର୍କଟି ସେହିପରି ବନ୍ଧୁତ୍ୱପୂର୍ଣ୍ଣ ବୋଲି ମନେ କରିବେ-ଏହା ହିଁ ଆଶା କରୁଛି ।
              ମୋର ସାରସ୍ବତ ଜୀବନ ବିଷୟରେ ଜାଣିବାକୁ ଚାହିଁଛନ୍ତି । ସେ ବିଷୟରେ ମୁଁ ଲେଖୁଛି । ଆପଣ ମଧ୍ୟ ଆପଣଙ୍କ ବିଷୟରେ ଲେଖି ଜଣାଇବେ । ଗତ ତିନି ବର୍ଷ ଧରି ଧରିତ୍ରୀରେ ଅନିୟମିତ ଭାବରେ ଲେଖୁଛି । ରାଜନୀତି,ସମାଜ ଓ ବ୍ୟକ୍ତିଠାରେ ଥିବା ଅବସ୍ଥାକୁ ସମାଲୋଚନା କରି ନିବନ୍ଧମାନ ଲେଖୁଛି । ଏହା ସହିତ ଅନ୍ୟାନ କେତେ ଗୁଡିଏ ଖବର କାଗଜରେ ଲେଖୁଥିଲି । ଏବେ ଲେଖିପାରୁ ନାହିଁ । କାରଣଟି ହେଲା ପ୍ରାୟତଃ ଖବର କାଗଜଗୁଡିକ କୌଣସି ନା କୌଣସି ରାଜନୈତିକ ଦଳର ମୁଖପତ୍ର ଭଳି ଆଚରଣ ଦେଖାଉଛନ୍ତି । ବରାଦ ଦିଆ ଯାଉଥିବା ଭଳି ଲେଖା ଅଥବା ତାଙ୍କୁ ସୁହାଇଲା ପରି ଲେଖା ସେମାନେ ପ୍ରକାଶ କରିବାକୁ ଚାହାନ୍ତି । ମୁଁ ତାଙ୍କ ନିର୍ଦ୍ଧିତ ଗୁଳାରେ ଏ ପର୍ଯ୍ୟନ୍ତ ପଡି ପାରୁ ନାହିଁ । କାରଣ ତୃଟିଯୁକ୍ତ ପ୍ରତ୍ୟେକ ଘଟଣା, ବ୍ୟକ୍ତି ବା ରାଜନୈତିକ କ୍ରିୟାକଳାପକୁ ମୁଁ ସମାଲୋଚନା କରିଥାଏ । ଖବର କାଗଜମାନଙ୍କର ବ୍ୟବହାର ଭଲ ନ ଲାଗିବାରୁ ଏବେ ସେମାନଙ୍କୁ ଲେଖା ପଠାଇବା ବନ୍ଦ କରି ଦେଇଛି ।
ମୁଁ ଜଣେ ଲେଖକ ବୋଲି ଏ  ପର୍ଯ୍ୟନ୍ତ ଭାବି ପାରି ନାହିଁ । କୌଣସି ଠାରୁ ସ୍ବୀକୃତି ମଧ୍ୟ ପାଇନାହିଁ  । ଲେଖକଟିଏ ହୋଇ ପାରିବି ବୋଲି ଆଶା ମଧ୍ୟ ନାହିଁ  । କେବଳ ମନ ଭିତରକୁ ଭାବନା ଗୁଡିକ ପଶି ଆସୁଥିବାରୁ ମୁଁ ତାକୁ ଉତାରି ପକାଏ । ସେଥିରୁ କିଛି କ୍ଷୁଦ୍ର ଗଳ୍ପ.କିଛି ଲଳିତ ନିବନ୍ଧ ଓ କିଛି ସମାଲୋଚକ ମୂଳକ  ନିବନ୍ଧ ହୋଇଯାଏ ।
୮୫/୮୬ ମସିହାରେ ସ୍ତମ୍ଭକାର ହିସାବରେ ୨/୩ଟି ଖବର କାଗଜରେ ନିବନ୍ଧ ଲେଖୁଥିଲି । ମଝିରେ ୧୦/୧୨ ବର୍ଷ ଧରି ଲେଖା ଲେଖି କରିବାରେ ଅବହେଳା କରିବାରୁ ଆଜି ପଛରେ ପଡି ଯାଇଛି । ଅନାମଧ୍ୟେୟ ଲେଖକର ନିବନ୍ଧଟିଏ ଆପଣଙ୍କୁ ଭଲ ଲାଗିଥିବାରୁ ମୁଁ ଆପଣଙ୍କ ଠାରେ କୃତଜ୍ଞ । ।ଇତି ।
ଆପଣଙ୍କର "ହରେକୃଷ୍ଣ ସାହୁ" ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଭିକ୍ଷାଂ ଦେହି

     

                      
   କାହାଣୀର ଅୟମାରମ୍ଭ  ଡିସେମ୍ବର ୨୦ ତାରିଖ ୨୦୨୦ ମସିହାରୁ । ସମୟ ପ୍ରାୟ ଏକ ଘଟିକା ହେବ  । ଜଣେ ଦିବ୍ୟାଙ୍ଗ   ରାସ୍ତାରେ ଠିଆ ହୋଇ ସାହାଯ୍ୟ ମାଗୁଥାନ୍ତି  । ସେ ଅନ୍ୟ ଭିକ୍ଷୁ ଠାରୁ ଅଲଗା ଲାଗୁଥିଲେ ।   ତାଙ୍କର କଥା,ଜଣେ ଦରଦୀ ମଣିଷର କଥା ପରି ଯେତେ ଆପଣାର ଲାଗୁଥିଲା, ସେତିକି ମଧ୍ୟ କାରୁଣ୍ୟ ଲାଗୁଥିଲା ।   ପରେ ପରେ ଯଥା ସମ୍ଭବ ବ୍ୟବସ୍ଥା କରିବା ସହିତ ବାଧ୍ୟ କରି ଭୋଜନ କରାଇ ବିଦାୟ ଦେଲି  । ଏହାପରେ  ୨୦୨୧ର ପ୍ରଥମ ଦିନ ତାଙ୍କ ଘରେ ସସ୍ତ୍ରୀକ ପାଳନ କରିଥିଲୁ  । ସଂପର୍କ ତ ଏମିତି  । ନିଜ ରକ୍ତର ମଣିଷମାନେ ସ୍ବାର୍ଥର ଦ୍ୱାହି ଦେଇ ଆତ୍ମୀୟତା ଭୁଲିଯିବା ବେଳେ, କାହିଁ କେତେ ଦୂରର ମଣିଷମାନେ ନିଜର ନିଜର ଲାଗନ୍ତି  ।ପରସ୍ପର ସୁଖ ଦୁଃଖ ବୁଝୁ ବୁଝୁ ସଂପର୍କଟା କେଉଁ ଏକ ମମତ୍ୱ ଡୋରୀରେ ବାନ୍ଧି ହୋଇଯାଏ । ସେ ମଣିଷଟି  ଚାରିଛକ ନିକଟସ୍ଥ ଦଣ୍ଡିକିରା ଗ୍ରାମର ପ୍ରଫୁଲ୍ଲ କୁମାର ରାଉଳ ବନାମ ମୋ ପାଇଁ ପ୍ରଫୁଲ୍ଲ ଭାଇ । ୧୯୭୫ ମସିହାରେ ଜନ୍ମ ଲାଭ କରି  ରାମଚନ୍ଦ୍ର ସଂସ୍କୃତ ମହା ବିଦ୍ୟାଳୟରୁ  ୨୦୧୧ ମସିହାରେ ସଂସ୍କୃତରେ   ଉପଶାସ୍ତ୍ରୀ ପାସ୍ କରିଛନ୍ତି । ଏତଦ୍ ବ୍ୟତୀତ  ଏମ୍.ଏସ୍. ଏମ୍. ଇ. ଭାରତ ସରକାରଙ୍କ ଠାରୁ ଏକ ଇ.ଡି.ପି ଟ୍ରେନିଂ ମଧ୍ୟ ନେଇଛନ୍ତି  । ହେଲେ ଚାକିରୀ ମିଳିଲାନି  । ବୟସ ଅନୁସାରେ ବିବାହ ମଧ୍ୟ ହୋଇଗଲା । ହେଲେ ଘର ଚଳିବ କିପରି ?  ବାଧ୍ୟ ହୋଇ ସୂତା କଳରେ ଦାଦନ ଖଟିବା ପାଇଁ ପାଇଁ  ସୁରଟ ଚାଲିଗଲେ ପ୍ରଫୁଲ୍ଲ । ରୋଜଗାର କରି ଘରକୁ ମଧ୍ୟ ଟଙ୍କା ପଠାଇଲେ । ହେଲେ ବିଧିର ବିଧାନ ଅଲଗା । ପୂଜା ଛୁଟିରେ ଟ୍ରେନରେ ଘରକୁ ଫେରିବା ସମୟରେ କିନ୍ନରମାନର ଟଙ୍କା ମାଗିଲେ । ନ ଦେବାରୁ ଟ୍ରେନରୁ ଠେଲି ଦେଲେ  । ପ୍ରଫୁଲ୍ଲଙ୍କର ଡାହାଣ ଗୋଡଟି କଟିଗଲା ।  ଦୁଃଖର ବାଦଲ ଘୋଟିଗଲା ପ୍ରଫୁଲ୍ଲଙ୍କ ଜୀବନରେ  । 
                            ବର୍ତମାନ ଘରେ  ବାପା,ମାଆ, ସ୍ତ୍ରୀ ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ସଂସାର  । ଝିଅ ନବମରେ ପଢୁଥିଲା ବେଳେ ପୁଅ  ପଂଚମରେ ପାଠ ପଢନ୍ତି  । ଉଭୟ ପୁଅ ଝିଅ ଦୁଇ ଜଣ ମଧ୍ୟ ମେଧାବୀ ଅଟନ୍ତି  । ଏତଦ୍  ବ୍ୟତୀତ  ପ୍ରଫୁଲ୍ଲଙ୍କର ହୃଦ ରୋଗ । ମାସକୁ ମାସ  ଔଷଧ  ପାଇଁ  ପ୍ରାୟ ଏକ ହଜାର ଟଙ୍କା ଆବଶ୍ୟକ  । ନିଜର ପରିବାର ଚଳାଇବା, ପିଲାଙ୍କର ପାଠ ପଢା ଏବଂ ଔଷଧ ଖର୍ଚ୍ଚ ପାଇଁ ଗାଁ ଗାଁ ବୁଲି ଭିକ୍ଷା ବୃତି କରନ୍ତି  । ହେଲେ ମହାମାରୀ କୋଭିଡ୍ ସବୁ କିଛି ବିଗାଡି ଦେଲା । ବର୍ତମାନ ପ୍ରଫୁଲ୍ଲଙ୍କର ହାଲ ବେହାଲ । ଲୋକମାନେ  ବର୍ତମାନ ଭିକାରୀଙ୍କୁ ଦେଖିଲେ ଦୂର୍ ଦୂର୍ ମାର୍ ମାର୍ କହି ଘଉଡାଇ ଦେଉଛନ୍ତି. କଣ କରିବି  ଭାଇ, ମୋ ପିଲା ଛୁଆ ବଂଚିବେ କିପରି ? ଏପରି  ଅନେକ କଥା ପ୍ରଫୁଲ୍ଲ ଭାଇ  କୁହନ୍ତି, ଯାହା ଶୁଣିଲେ ଆଖିରେ ଲୁହ ଆସିଯିବ । ପ୍ରଫୁଲ୍ଲ ଭାଇଙ୍କ କଥା ସରକାରଙ୍କୁ ଦୃଷ୍ଟି ଗୋଚର କରିବା ପାଇଁ ଖବର କାଗଜ ଠାରୁ ଦୂରଦର୍ଶନ ପର୍ଯ୍ୟନ୍ତ ସବୁଥିରେ ପ୍ରସାରିତ ହୋଇଛି  । ହେଲେ ଫଳ ଶୁନ୍ ହୋଇଛି । ଆତ୍ମ ନିର୍ଭରଶୀଳ ହେବା ପାଇଁ, ଋଣ କରି ଏକ ଦୋକାନ କରିବା ସହିତ ନିଜର ପରିବାର ପ୍ରତିପୋଷଣ କରିବା  ସହିତ ପିଲାମାନଙ୍କୁ ପାଠ ପଢାଇ ଭଲ ମଣିଷ କରିବା ସ୍ବପ୍ନ ଥିଲେ ମଧ୍ୟ,ସବୁ କିଛି ପାଣି ଫୋଟକା ପରି ମିଳେଇ ଯାଇଛି  । ଆଜି ମହାମାରୀ କୋଭିଡ୍-୧୯ ପାଇଁ, ସାରା ଜନ ସମାଜ ଆର୍ଥôକ, ଶାରିରୀକ ଏବଂ ମାନସିକ ଭାବରେ କ୍ଷତିଗ୍ରସ୍ତ ହେଉଥିଲା ବେଳେ, ଏ ପରିବାରରେ ବେଳାଏ ଚୁଲି ଜଳିଲେ, ଆର ବେଳାକୁ ଅଜଳା ହେଉଛି  । ସରକାରୀ ସାହାଯ୍ୟ ଭାବରେ ମାସିକଭିନ୍ନକ୍ଷମ ଭତା ଏବଂ ରାସନ ଚାଉଳରେ ୟେ ପରିବାର କିପରି ଚଳି ପାରିବ ? ତଥାପି ପ୍ରଫୁଲ୍ଲ ଭାଇଙ୍କ ସହିତ କଥା ହେଲା ବେଳେ, ସେ ସାରା ବିଶ୍ୱର ମଙ୍ଗଳ କାମନା କରିବା ସହିତ ଆପଣାର ମଣିଷ ପରି ଆମର ମଙ୍ଗଳ କାମନା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ,ତାହା ଦେଖି ଆଖି ଛଳ ଛଳ ହୋଇଯାଏ । ଏଣୁ ଆପଣଙ୍କ ମୋର ବିନମ୍ର ଅନୁରୋଧ,ମୋର ପ୍ରିୟ ଭିନ୍ନକ୍ଷମ ପ୍ରଫୁଲ୍ଲ ଭାଇ ବନାମ ପ୍ରଫୁଲ୍ଲ କୁମାରଙ୍କୁ ସାହାଯ୍ୟ କରିବା ପାଇଁ  ନିମ୍ନ ବ୍ୟାଙ୍କ୍ ଖାତାରେ କିଛି ଆର୍ଥôକ ସାହାଯ୍ୟ ପଠାଇବା ପାଇଁ ଅନୁରୋଧ  ।  ନତୁବା ବ୍ୟକ୍ତିଗତ ଭାବରେ ରାସନ ସାମଗ୍ରୀ ଏବଂ ପିଲାମାନଙ୍କ ପାଇଁ ଅଧ୍ୟୟନ ସାମଗ୍ର ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ମୋତେ(ଫୋନ୍ ନଂ-୯୨୩୮୫୮୯୧୦୦ରେ ସଂପର୍କ କରି  ବିଶେଷ ସଂପର୍କ ସହାୟତା ନେବା ପାଇଁ ବିନମ୍ର ଅନୁରୋଧ ।

A/C  holder’s Name: PRAFULLA KUMAR ROUL

Account No: 38247082299, IFSC Code: SBIN0009627, Branch: Tulasipur





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...