କୋଇଡାର ଭୋକ

ମାଧବାନନ୍ଦ ଭୋଇ
ପେଟର ଭୋକ ଅନେକ ସମୟରେ ମଣିଷକୁ ଅସହାୟ କରିଦିଏ  । ପେଟ ପାଇଁ ତ ସବୁ ନାଟ  । ୟେ ତ ଅଜ୍ଞାନ ମାଆ ଛେଉଣ୍ଡ  ଅଢେଇ ବର୍ଷର ଶିଶୁର କଥା ।  ତା ପେଟର ବ୍ୟଥା । କିଛି ଦିନ ପୂର୍ବେ ଭୋକ ସମ୍ଭାଳି ନ ପାରି  ସେ ଏକ ବିବାହ ଭୋଜିର ଅଇଁଠା ଖଲି ପତ୍ରକୁ ଚାଟିବା   ଜନ ମାନସରେ ଆଲୋଡନ ସୃଷ୍ଟି କରିପାରେ  । ମାତ୍ର ଏ ଘଟଣା ସୁନ୍ଦରଗଡରେ ଘଟିଥିଲେ ମଧ୍ୟ ସାରା ଓଡିଶାର ପ୍ରତି କୋଣ ଅନୁକୋଣରେ ନ ଘଟୁଛି ବୋଲି କିଏ କହିବ ? କାରଣ ଗରିବ ହିଁ ସବୁବେଳେ ଗରିବ  । ଏହି ପରିପ୍ରେକ୍ଷୀରେ ମୋର କବିତା କୋଇଡାର ଭୋକ ପାଠ କରି ମତାମତ ଦେବା ପାଇଁ ପ୍ରିୟ ପାଠିକା/ପାଠକଙ୍କୁ ଅନୁରୋଧ ।
କାଜଲ ପାଇଁ କି କଙ୍କଡା ଝୋଳ,
ଓଡିଶାରେ ହେଲା ବଡ ଖବର,
ଭୋକ ବିକଳରେ ଗରିବ ପିଲା,
ଅଇଁଠା ଖଲି ପତର ଚାଟିଲା । ।
ମାଆ ଛେଉଣ୍ଡ  ତା ବାପା ମୁରୁଖ,
କାଠକୁ ବିକିଲେ ପୂରଇ ପେଟ ।
ଘରେ ହାଣ୍ଡି ମାଙ୍କଡ ଚିତ୍  ମାରୁଛି,
ଖାଲି ପେଟରେ; ନାହି ଡେଉଁଛି । ।
 ଭୋକର ବେଦନା କିଏ ବୁଝିବ ?
ଗରିବ ଲୁହକୁ କିଏ ପୋଛିବ ।
ତେଲିଆ ମୁଣ୍ଡରେ ତେଲ ଭାଇ ସିନା,
ନୁଖୁରା ବାଳକୁ କିଏ ଚାହିଁବ ?
ଗରିବୀ ଭୋଟରେ ଜିତୁଛି ନେତା.
ଗାନ୍ଧୀ ଟୋପି ପିନ୍ଧି କାଟଇ ଫିତା,
ଉପରେ ଯୋଜନା ମାଳକୁ ମାଳ,
ଉପର ସୁନ୍ଦର ଭିତର ଖୋଳ । ।
ପେଟ ପୋଡିଗଲେ ନିଦ ଆସଇ,
ଲୁହ ପିଇ ପିଇ ଶୋଷ ମରଇ,
ଓଳିଏ ଖାଇଲେ  ଓଳିଏ ଉପାସ,
ଛିଣ୍ଡା ଲୁଗା ପିନ୍ଧେ ଲାଜ ଲୁଚାଇ । ।
ସେର ପୁରିଗଲେ,କାଳ ସରିବ,
ପଡି ପଡି କେବେ ଜୀବନ ଯିବ ?
ଆସିଛୁ ଲଙ୍ଗଳା,ଯିବୁ ତୁ ଫୁଙ୍ଗୁଳା,
ଭୋକିଲା ପେଟରେ ଦିନ ସରିବ  । ।
ସଂପାଦକ:ଉଦୟ ଭାନୁ, ସା:ଭୋଦଳ,ପୋ:ପାଟସୁନ୍ଦରପୁର,ବ୍ରାହ୍ମଣ ସାଇଲୋ,କଟକ-୦୪୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରକତ ହୋଲି

“ରକତ ହୋଲି” କବିତାଟି ପ୍ରିୟ ସୂଚନାଧିକାରକର୍ମୀ ଭାଇ/ଭଉଣୀମାନଙ୍କ ପାଇଁ ,କିନ୍ତୁ ୟେ କବିତା ଅନେକଙ୍କୁ ବିରକ୍ତବୋଧ ହୋଇ  ପାରେ  । କଣ ନା ସାହିତ୍ୟରେ ରାଜନିତୀ କଲା । ମାତ୍ର ଯାହା ଲେଖିଛି,ସତ ଲେଖିଛି । ଗତ ଦୁଇ ଦିନ ପୂର୍ବେ ଶାସକଗୋଷ୍ଠୀ ପୋଷାଗୁଣ୍ଡାଙ୍କ ବୋମାମାଡରେ  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସୂଚନାଧିକାରକର୍ମୀ ସର୍ବେଶ୍ୱର ବେହେରା ଆହତ ହୋଇ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ସେ ସୂଚନା ଅଧିକାର ଆଇନ୍ ମାଧ୍ୟମରେ  ଶାସକ ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ଅନେକ ଦୁର୍ନୀତିର  ପର୍ଦ୍ଦାଫାଶ  କରି ଲୋକ ଲୋଚନକୁ ଆଣିଥିଲେ ।ଏପରିକି ଏହି ଦୁର୍ନିତୀ ଗୁଡିକୁ  ନେଇ  ଲୋକାୟୁକ୍ତରୁ ସୁପ୍ରିମକୋର୍ଟ  ପର୍ଯନ୍ତ ମାମଲା ରୁଜୁ କରିଥିଲେ ।ବିଶେଷ କରି ସୁଚନା ଅଧିକାର ଆଇନକୁ ବ୍ୟବହାର କରି ସର୍ବେଶ୍ୱର ଧର୍ମଶାଳା ବ୍ଲକରେ ଅନେକ ଦୁର୍ନୀତିର ଖୋଲାସା ସହ , ଲୋକାୟୁକ୍ତଙ୍କ ନିକଟରେ ଅନେକ ଅଭିଯୋଗ ଦାଖଲ କରିଛନ୍ତି । ବିଛାଖଣ୍ଡି ଓ ଡଙ୍କାରି ପାହାଡରେ ଖଣିଜ ଦ୍ରବ୍ୟର ହରିଲୁଟ , ପୋଲିସ , ସ୍ଥାନୀୟ ପ୍ରଶାସନ ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ବେଇନ କଳାପଥର ଲୁଟ , ପ୍ରଶାସନ ସହାୟତାରେ ବେଆଇନ କ୍ରଶର ଚାଲିବା, ପିଡ଼ିଏସ ସାମଗ୍ରୀର ଲୁଟ , ଗତ ବନ୍ୟାରେ କେଳୁଅ ନଦୀର ବନ୍ଧକୁ ଡିନାମାଇଟ ଲଗେଇ ଉଡେଇଦେବା ସମ୍ପର୍କରେ ତଦନ୍ତ ପାଇଁ ସେ ଲୋକାୟୁକ୍ତଙ୍କ ନିକଟରେ କେଶ କରିଛନ୍ତି । ପ୍ରାୟ ସମସ୍ତ କେଶରେ ଲୋକାଯୁକ୍ତ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ଉଛସ୍ତରୀୟ ତଦନ୍ତ  ଓ ସର୍ବେଶ୍ୱର ପରିବାରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ଆମ୍ଭେ ଦାବି କରୁଛୁ ।
ଶୁଣ ହେ ନବୀନ୍ ସରକାର,
କେତେ  ଆଉ ରକତ ଦରକାର ।
ସଂଗ୍ରାମୀ  ଖେଳିବ ରକତର  ହୋଲି
ସରିବ ତୋ ରାଜନୀତି ପଶାପାଲି ।
ଜନତାର ହେବ ଜୟକାର । ।

ଅହିଂସା କହୁଛୁ,ହିଂସା କରୁଛୁ,
ଅନୀତି କରିଣ ନୀତି କହୁଛୁ,
ଖୋଲିଅଛୁ ଦୁର୍ନୀତି ଗନ୍ତାଘର .
ତୁ ବଡ ବାହାପିଆ ସରକାର । ।

ବୋମା  ବନ୍ଧୁକର ପିଚକାରୀ.
ଖେଳିଲୁ ନିତି ରକତ ହୋଲି.
ଦୁର୍ନୀତିର ମୁଖା ଯିଏ ଖୋଲିଲା,
ପୋଷା ଗୁଣ୍ଡା ହାତେ ଜୀବନ ଗଲା । ।

ସୂଚନାକର୍ମୀ କରିଛି ପଣ,
ଲଭୁ ସେ ଧମକ ଆଉ ମରଣ;
ଦୁର୍ନୀତି ତରୁର ଉପôାଟନ ଯାଏ,
ଲଢୁଛି ଲଢିବ ମରିବା ଯାଏ ।
କାନ୍ ଖୋଲକର ଶୁଣ୍ ସରକାର୍
ସୂଚନା ଆଇନର ହେବ ଜୟକାର । ।


ବିଳମ୍ବିତ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ???

ଗତ କାଲିର ଦୁର୍ଘଟଣା । ତାରିଖ:୨୬/୦୩/୨୦୨୧,ସମୟ ପ୍ରାୟ ତିନି ଘଟିକା  । 


 ବାଗଲପୁର – ଝାରପଡା ରାସ୍ତାର  ପ୍ରଥମେ କେନାଲ ବନ୍ଧ ଅତିକ୍ରମ କଲା ପରେ ପରେ ପୋଖରୀ ପୂର୍ବରୁ ଦୁଇଟି ବଣୁଆ ଗଛ । ଏଠାରେ ଏକଦା ବହୁ ବର୍ଷ ପୂର୍ବେ ଢାବାରୁ ଖାଇ-ପିଇ ଫେରିଲାବେଳେ ମଧ୍ୟ ରାତ୍ରୀ ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା ।ଦୁଇ ଜଣ ଯୁବକଙ୍କର ମୃତୁ୍ୟ ଘଟିଥିଲା । ଆଜି ପୁଣି ସେ ସ୍ଥାନରେ ଦୁର୍ଘଟଣା  । ଦାମୋଦରପୁର ଗ୍ରାମର ଜନୈକ ଯୁବକ  ବାଗଲପୁର ଦିଗରୁ ମୋଟର ସାଇକେଲ (ଓଡିଶା-୦୫ /ଏଚ୍  ୭୩୫୦)ରେ ଆସୁଥିବା ସମୟରେ  ଭାର ସାମ୍ୟ ହରାଇ ଘୋଷାଡି ହୋଇ ପଡିବା ଅତ୍ୟନ୍ତ ଦୁଃଖ ଦାୟକ ଥିଲା  । ମୁହଁର ଏକ ପାଶ୍ୱର୍ ସଂପୂର୍ଣ୍ଣ ଭାବରେ  ଲହୁ ଲୁହାଣ ହୋଇ ପଡିଥିଲା  । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ପାଟିରୁ ଏକ ପ୍ରକାର ଫେଣ ବାହାରୁଥିଲା କହିଲେ ଚଳେ । ଦୁର୍ଘଟଣା ସମୟରେ ଆମେ ପ୍ରାୟ ଚାରି/ପାଂଚ ଜଣ ଥିଲୁ  ।   ବିଚରା ଯୁବକଟି ଗୁରୁତର ଭାବରେ ପଡିଥିବା ସମୟରେ, ଡାକ୍ତରଖାନା ପଠାଇବା ପାଇଁ  ୧୦୮କୁ ଫୋନ୍ କରିବା ପାଇଁ ଲାଗି ପଡିଲୁ । ଦୁଃଖର ବିଷୟ, କଂଟ୍ରୋଲ୍ ରୁମର ସୂଚନା ଅନୁଯାୟୀ ଅଡଶପୁର ଏବଂ ନିଆଳୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ  ନଥିଲା ।  ମହୀଧରପଡା ସ୍ବାସ୍ଥ୍ୟ କେନ୍ଦ୍ରରୁ ଆମ୍ବ୍ୁଲାନସ୍ ପଠାଗଲା  । କିନ୍ତୁ ଗାଡି କାହିଁ ?  ଦୁର୍ଘଟଣାର ସମ୍ମୁଖୀନ ହୋଇଥିବ ଯୁବକଙ୍କୁା  ମୋଟର ସାଇକେଲରେ ଆଉଜାଇବା ପରେ ଜନୈକ ଭଦ୍ରବ୍ୟକ୍ତି ଦେଇଥିବା ଗାମୁଛାରେ ଘୋଡାଇଦେଇଥିଲୁ । ଧିରେ ଧିରେ ଲୋକଙ୍କର ଭିଡ ଜମୁଥିଲା । ହେଲେ ୧୦୮ ଆମ୍ବୁଲାନ୍ସ ପାଇଁ  ଆମେ ଦୁଇ ତିନି ଜଣଙ୍କ ମୋବାଇଲରୁ କଲ୍ କରି,  ପ୍ରତି ପାଂଚ/ଦଶମିନିଟରେ କସରତ ଚାଲିଥିଲା  ।
                 ଏମିତି  ଫୋନ୍ କରି କରି ପ୍ରାୟ ଚାଳିଶ ମିନିଟ୍ ଚାଲିଗଲା । କିନ୍ତୁ ଆମ୍ବୁଲାନ୍ସର ଦେଖାନାହିଁ  । ଧିରେ ଧିରେ ଉକ୍ତ ଯୁବକର ଘର ଲୋକ ଆସି ପହଁଚିଲେ ।  ପୁନଃ ପନ୍ଦର ମିନିଟ ଚାଲିଗଲା । ଦାମୋଦରପୁରରୁ ଆସିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ମୋଟର ସାଇକେଲରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ବାହାରିଲେ ।  କିନ୍ତୁ ଯୁବକର ଶାରିରୀକ ଅବସ୍ଥା ଗୁରୁତର ହେତୁ, ଆମେ ମନା କଲୁ  । ଦୁଃଖର ବିଷୟ, ଏଇ କାରଣ ହେତୁ, ପିଲାମାନଙ୍କର ଆମକୁ ଦି ପଦ ଦୋଅକ୍ଷରୀ ଶ୍ରବଣରେ ମନ ସନ୍ତୋଷ ହୋଇଗଲା । ସର୍ବଶେଷରେ ଘର ଲୋକଙ୍କ ଜିଦ୍ ଏବଂ ସଂକଟାପନ୍ନ ଅବସ୍ଥା ହେତୁ  ମୋଟର ସାଇକେଲରେ ବୁହା ହୋଇ ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନିଆଗଲା  । ଅଡଶପୁର ସ୍ବାସ୍ଥ୍ୟ କେନ୍ଦ୍ର ନେବା ପରେ, ଯୁବକଟି ବାନ୍ତି କରୁଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ପଠାଗଲା  ।  ଯଦି କୌଣସି ଦୁର୍ଘଟଣା ପାଇଁ ୧୦୮କୁ  ଆମ୍ବୁଲାନ୍ସ ପାଇଁ ଫୋନ୍  କଲେ,  ପ୍ରାୟ ଦଶ କିଲୋମିଟର ରାସ୍ତା ପାଇଁ ଚାଳିଶ /ପଇଁଚାଳିଶ୍ ମିନିଟ୍ ଲାଗୁଛି  ଏବଂ ଦୁର୍ଘଟଣାସ୍ଥଳରେ ୧୦୮କୁ  ଆମ୍ବୁଲାନ୍ସ ପହଂଚି ପାରୁନାହିଁ,ଗୁରତର ରୋଗୀମାନଙ୍କୁ ଏହି ସେବା କେତେ ଦୂର ଫଳପ୍ରଦ ହେବ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ  । ଅନେକ ସମୟରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଂଚିବା ହେତୁ ଅନେକ ରୋଗୀ ପ୍ରାଣ ହରାଇଛନ୍ତି  । ଯଦି ଏହିପରି ଭାବରେ ସରକାର ଜନ ସାଧାରଣଙ୍କୁ  ବିଳମ୍ବିତ ୧୦୮  ଆମ୍ବୁଲାନ୍ସ ସେବା ପ୍ରଦାନ କରନ୍ତି , ହୁଏତ ଦୁର୍ଘଟଣାସ୍ଥଳରେ ଯମପୁରକୁ ଆଡ୍ଭାନ୍ସ ଟିକେଟ ମିଳିଯିବ  ।    


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜାଳ ଜଞ୍ଜାଳ

            ମାଧବାନନ୍ଦ ଭୋଇ       
   
ସମୟ ବାର  ଘଟିକା ତିରିଶ୍ ମିନିଟ୍  । କିଛି କାଗଜାତପତ୍ର କାମ   ପାଇଁ କଟକ  ବାହାରିଲା ମାନୁ । ଫୁଲ ନଖରା ଛକ  ।   କିଛି ଲୋକଙ୍କ ଗହଳି ଦେଖି ଚମକି ଗଲା ମାନୁ । କଣ   ହୋଇଥାଇପାରେ ?  ଟ୍ରାଫିକ୍ ଥାନାକୁ ଲାଗି ବରଗଛ  । ବର ଗଛ ତଳେ ଏକ ସୋଡା ଗାଡି । ଦୁଇ ତିନୋଟି କାକୁଡି ବାଲା  ।   ରାସ୍ତାରେ ପଡିଛି ଶୁଖିଲା ବାଉଁଶ କଣିିର ବିଡା ସହିତ ବାଉଁଶ କଣିର ନଗିଟେ । ପ୍ରାୟ ସତୁରୀ ବାସ୍ତରୀ ବୟସର ମାଆ କଣକ ମୁଣ୍ଡରେ  ହାତଦେଇ ଜୁଳୁ ଜୁଳୁ ହୋଇ ଚାହିଁ ରହିଥାନ୍ତି  । ସ୍କୁଟି ସହିତ ଦୁଇ ଉଦ୍ଭ୍ରାନ୍ତ ଯୁବକଙ୍କୁ  ଟ୍ରାଫିକ୍ ପୋଲିସ୍ ଜଣକ  ବିରକ୍ତ ହୋଇ ବିଡ୍ ବିଡ୍ ହୋଇ ବକୁଥାନ୍ତି । ଘଟଣା ଥିଲା ଏହି ପରି; ବୁଢୀ ମାଆ ଜଣକ ଜାଳ କରିବା ପାଇଁ ଯାଇଥିଲେ । ଭୋଡାଫୋନ୍ ଗୋଦାମ ପାଖରେ ଗଛ ଗୁଡିକ ଛୋଟିଆ ବଣ  । 

ପ୍ରାୟ ପାହାଳ ପର୍ଯ୍ୟନ୍ତ ଲମ୍ବି ଯାଇଛି । ବିଚାରୀ  ଜାଳ  ସଂଗ୍ରହ କରି ଧଇଁ ସଇଁ ହୋଇ ଫେରୁଥିଲେ ବୁଢୀ ମାଆ ଜଣକ । ଦୁଇ ଜଣକ ଯୁବକ ଏକ ସ୍କୁଟିରେ କଟକ ଯାଉଥିବା  ସମୟରେ ବୁଢୀ ମାଆ ଜଣକ ସହିତ ଦୁର୍ଘଟଣା  ଘଟିଲା ।  ପଡି ଯାଇଥିଲେ ମାଆ ଜଣକ ।  କିଛି ଖଣ୍ଡିଆ ଖାବରା ନ ହୋଇ ଥିଲେ ମଧ୍ୟ  ତାଙ୍କର ପିଠି ମାଡ ହୋଇଥିଲା ।
 କାହିଁକି କେଜାଣି ଶ୍ରଦ୍ଧାରେ ଆଉଁସି ଦେଲା ମାଆଟିର ପିଠିକୁ । ଆଃ ବୋଲି କହି  ମାଆ ଜଣକ ଏକ ଲମ୍ବା ନିଶ୍ୱାସ ମାରିଲେ । ଆକଟିବା ଆଳରେ ମାନୁ   ମାଆଟିର ମୁହଁକୁ ଚାହିଁ କହିଲା “ମାଆ, ବୟସ  ଗଡି ଗଲାଣି  । ଏ ବୟସରେ ଖରାରେ ଜାଳ ଗୋଟାଇବା ପାଇଁ ଯାଉଛ” । ବୁଢୀ ଥମ୍ ହୋଇ ଚାହିଁଲା ମାନୁକୁ  । ପରେ ପରେ  ମାଆଟି ନିଷ୍ପ୍ରଭ ଆଖିରେ ଜୁଳୁ ଜୁଳୁ ହୋଇ ଚାହିଁ ରହିଲେ ମାନୁକୁ  । ମାନୁ ପୁଣି ସେ କଥା ପଚାରି ମାଆର ପିଠିକୁ ଆଉଁସିଲା ପରେ ମଥାକୁ ଆଉଁସି ଦେଲା କେଉଁ ଏକ ମମତ୍ୱବୋଧରେ  । ସତରେ ଭଲ ପାଇବାର ସ୍ପର୍ଶରେ ପଥରରେ ବି ପ୍ରାଣ ସଂଚାର ହୋଇଯାଏ । ହା ହୁତାଶର  ସନ୍ତାପିତ ପ୍ରାଣରେ, ଟିକେ ଆଦରର ସ୍ପର୍ଶ ବାଜିଲେ ପ୍ରାଣ ଯେପରି ଗଦ୍ ଗଦିତ ହୋଇଯାଏ  । ନିଜର ନିଜର ଲାଗେ । 
              କିଛି ସମୟ ପରେ ମାନୁ ତାର ହାତଟିକୁ ମାଆର ଡାହାଣ ହାତରେ ଥୋଇଦେଲା  । ପାଣି ବୋତଲକୁ  ବଢାଇଦେଲା ପିଇବା ପାଇଁ । ଢକ୍ ଢକ୍ ହୋଇ ପିଇଗଲେ ମାଆ ଜଣକ । ମାନୁ ପୁଣି ପୁରୁଣା କଥା ଦୋହରାଇ ମାଆ ଜଣକୁ ଆକଟିଲା । ବିଚାରୀ ଟିକେ ଭାବ ପ୍ରବଣ ହୋଇଗଲା  ।  “କଣ କରିବିରେ ବାପ,  ଭତା ମୋତେ ମିଳୁଛି ବୋଲି ରକ୍ଷା ଅଛି । ନ ହେଲେ ବୋହୁ ସାଆନ୍ତାଣୀ ମୋତେ ଘରେ ରଖେଇ ଦିଅନ୍ତା ନାହିଁ  । ଜାଳ କଲି ନାହିଁ ବୋଲି  ମୋର ଗୋଡ ହାତ ଜାଳି  ରୋଷେଇ କରିଦେବା ପାଇଁ କହୁଛି  ।  ନହଲେ ଖାଇବାକୁ ଠିକ୍ ଭାବେ ଦେବ ନାହିଁ” । ଏଇମିତି ମାଆ ଜଣକ ଘର କଥା କହି  ଚାଲିଥିଲେ । ଘରେ ଦୁଇ ପୁଅ । ବାହା ହୋଇ ନାତି ନାତୁଣୀ ଦେଖିଲେଣି । ପୁଅ ଦିଟା ରାଜମିସ୍ତ୍ରୀ କାମ କରନ୍ତି । ଦିନେ କାମ କଲେ ଦି ଦିନ ବନ୍ଦ  ।  ନିତି ଆସିକା ଫର୍ଟି ମଦ ନ ହେଲେ ଚଳିବ ନାହିଁ  । ଖାଇବା ବନ୍ଦ ହେବ ପଛେ ମଦ ବନ୍ଦ ହେବ ନାହିଁ । ଘରେ ସବୁ ଦିନେ କଥା କଥାକେ ମହା ଭାରତ । ରାତିରେ  ବେଳେ ବେଳେ ଜୁଲି ଅଜଳା ରହେ । ମାଆର ଶ୍ୱାସ ହେତୁ  ରାତିରେ ନାଲି ଚା ପିଇ ଶୋଇ ଯାଏ । ଦିନେ ଜାଳକୁ ନଗଲେ କି କାମ ନକଲେ  ବୋହୁମାନେ ଗାଳି କରନ୍ତି ।
କିଛି ସମୟ ମାଆ ସହିତ କଥା ହେଉ ହେଉ ପୁଅ ବୋହୁ ଆସି ପହଂଚିଲେ  ।  ପ୍ରଥମେ ପୁଅ କଟମଟ ହୋଇ ମାଆ ଜଣକୁ ଅନାଇଲା । ଏହାପରେ ବୋହୁ ଜଣକ ମାଆଟି ଉପରେ ବର୍ଷିଗଲେ । “ତୋତେ ବାରମ୍ବାର କହୁଛି ଦିହ ଭଲ ନାହିଁ, କୁଆଡେ ଯାଆ ନାହିଁ  । ଜାଳ ପାଇଁ ଆସି ରୋଅଲ କରୁଛି । ଚାଲ୍ ଯିବା” । ମାଆଟିକୁ ବୋହୁ ଭିଡି ଭିଡି ନିଜର ଘରକୁ ନେବା ପାଇଁ ଲାଗିଲେ  । ମାଆଙ୍କୁ ଅନାଇଲି  । ମାଆଟିର ଆଖି ଛଳ ଛଳ ହୋଇ ଆସୁଥିଲା ।  “ଦେଖିଲୁ ତ ବାପ, ମଣିଷର କେତେଟା ରୂପ ? ଯାଆ ବାପା, ମୁଁ ଯାଉଛି”  । ମାଆ ଜଣକ ମାନୁକୁ  ଧିମା ସ୍ବରରେ କହି ଚାଲିଗଲେ । ଅରଗଳିକୁ ବଳି ଦେବା ପାଇଁ ନେଲା ପରି ବୋହୁ ଜଣକ ଶାଶୁଙ୍କୁ ଭିଡି ଭିଡି ନେଇ ଯାଉଥିଲା ।  ସତରେ ବୟସ ବଢିଗଲେ,ବଳ କମିଗଲେ ଆଉ ରୋଜଗାର ନଥଲେ ମଣିଷ ଅଲୋଡା ହୋଇଯାଏ । ଆଜି ଉଚ୍ଚ ବିତ ପରିବାରରେ ବାପା ମାଆଙ୍କୁ ଜରାଶ୍ରମରେ ଛାଡି ଦେଇ ଆସିବା ସମୟରେ ନିମ୍ନ ବିତ ପରିବାରରେ ଥିବା ବୁଢା ବାପା /ବୁଢୀ ମାଆ ଆକାଶକୁ ଅନାଇ ଆଖି ପାଣି ଆଖିରେ ମାରିବା ବ୍ୟତୀତ ଆଉ କିଛି ନ ଥାଏ । ନିମ୍ନବିତ ପରିବାରରେ ରୋଗରେ ସଢୁଥିବା ମଣିଷର ଔଷଧ ପାଇଁ  ଟଙ୍କା  ନଥାଏ । ଖାଇବା ପାଇଁ ଦାନା ବି  ନିଅଂଟ ହୁଏ । ଶୋଇବା ପାଇଁ ଛିଣ୍ଡା ସପ ନତୁବା ବ୍ୟବହୃତ ପଲିଥିନରେ ଶୋଇ ଶୋଇ  ଦେହ ହାତ ଶିଝି ଯାଏ  । ଏଇତ ହିିଁ ଜୀବନ  । ଛାଡ ।  ଡେରି ହୋଇଯିବ  । ବହୁତ କାମ ଅଛି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କଟକ ଜିଲ୍ଲା ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକା


              ରାଜ୍ୟ ସରକାର ଦୁର୍ନିତୀ ପାହାଡର ଉଚ୍ଚତା ଦିନକୁ ଦିନ ବଢି ଚାଲିଛି  ।  “ଏତେ ଖାଇ ଖାଇ ନ ପୁରେ ପେଟ, ବିରି ଓଳିଆରେ ମାଇଲା ଥଂଟ” ନ୍ୟାୟରେ, ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ/ଛାତ୍ରଙ୍କୁ ମିଳୁଥିବା ମାଗଣା ପୋଷାକରେ ଦୁର୍ନିତୀ ଗନ୍ଧ ଭଣ ଭଣ ହୋଇ ଗନ୍ଧେଇଲାଣି  ।  ଏ କଥା ଆମେ ମନ ଗଢା କରି କହୁନାହୁଁ । ଏହା ସରକାରଙ୍କ ସୂଚନା ଅଧିକାର ଆଇନ  ଦ୍ୱାରା ପ୍ରଦତ ତଥ୍ୟ କହୁଅଛି  ।ଚଂଚକତାର ସହିତ ଛାତ୍ରୀ/ଛାତ୍ରମାନଙ୍କ ପୋଷାକ କିଣାରେ  ମା ତାରେଣୀ ଇଂଟରପ୍ରାଇଜ୍  ସଂସ୍ଥା ନାମରେଗୋଟିଏ ଇନ୍ ଭଏସ୍ ୧୪୦ ନମ୍ବରରେ ତିନୋଟି ରସିଦ୍ କରାଯାଇ,୩ଟି ବିଦ୍ୟାଳୟକୁ ପୋଷାକ ବିକ୍ରି କରାଯାଇଛି । ସବୁଠାରୁ ଦୁଃଖର କଥା, ସର୍ବ ଶିକ୍ଷା ଅଭିଯାନରେ ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ର/ଛାତ୍ରୀନିମନ୍ତେ ୪୦୦ ଟଙ୍କା ମୂଲ୍ୟରେ ୨ ହଳ ପୋଷାକ,୨୦୦ ଟଙ୍କା ମୂଲ୍ୟରେ ୧ହଳ ଜୋତା ଓ ୨ ହଳ ମୋଜା ଭାବରେ ୬୦୦ ଟଙ୍କା ସ୍ଥିରୀକୃତ ହୋଇଥିବା ସ୍ଥଳେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଅତି ନିମ୍ନମାନର ପୋଷାକ ବଂଟନ କରୁଛନ୍ତି । ବଂଟନ କରାଯାଉଥିବା ପୋଷାକ ବଜାରରେ ପ୍ରାୟ୧୨୦ ଟଙ୍କା ମୂଲ୍ୟରେ ୧ ଟି ଫ୍ରକର ମୂଲ୍ୟ ୧୨୦ ଟଙ୍କା,୧ ହଳ ପ୍ୟାଂଟ୍ ସାର୍ଟର ମୂଲ୍ୟ ଟ୧୪୦.୦୦,ଏକ ହଳ ଚୁଡିଦାରର ମୂଲ୍ୟ ୧୫୦.୦୦,ଏକ ହଳ ଜୋତା ଓ ୨ ହଳ ମୋଜାର ମୂଲ୍ୟ ଟ୧୬୦.୦୦ଙ୍କା ଥିବା ବେଳେ,ବିଭାଗୀୟ ଅଧିକାରୀ ଏହାକୁ ପ୍ରତ୍ୟେକ ଟ୨୦୦.୦୦ରେ ବିକ୍ରି କରି ବାକି ଅର୍ଥ ହରିଲୁଟ୍ କରୁଛନ୍ତି ।ପ୍ରାୟ ୫,୦୦୦ ଅଧିକ ପୋଷାକ ଓ ଜୋତା ରାଶି ଜମା ଜମା ହୋଇଥିବା  ବିଦ୍ୟାଳୟ ଯୋଗାଣ ସଂସ୍ଥାକୁ ସଂସ୍ଥା ନାମରେ ଚେକ୍ ଭାବରେ ଦେୟ ପ୍ରଦାନ ବ୍ୟବସ୍ଥା ଥିବା ବେଳେ କେତେକ ବିଦ୍ୟାଳୟ ଏହି ନିୟମରେ ବ୍ୟତିକ୍ରମ ହୋଇଛି । ଯାହାଦ୍ୱାରା ଜି.ଏସ୍.ଟି  ବାବଦ ୫%  ଟିକସହାନୀ ଘଟିଛି  ।  ଯାହାଫଳରେ କଟକ ଜିଲ୍ଲାରେ ସର୍ବ ଶିକ୍ଷା ଅଭିଯାନର ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ପୋଷାକ ଯୋଗାଣ ଓପୋଷାକ ରସିଦରେ ଜାଲିଆତି ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରାଯାଇ,ଆଜି ଓଡିଶା ସୂଚନା ଅଧିକାର ଅଭିଯାନ,କଟକ ଜିଲ୍ଲା ତରଫରୁ ଜିଲ୍ଲାପାଳ,କଟକଙ୍କ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  । ପରେ ପରେ ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ପୋଷାକ ଯୋଗାଣ ଓ ପୋଷାକ ରସିଦରେ ଜାଲିଆତି ଡେପୁଟି କଲେକ୍ଟର(ଜୁଡିସିଆଲ୍) ପ୍ରିୟଦର୍ଶିନୀ ଜେନାଙ୍କ ସହିତ ଆଲୋଚନା କରାଯାଇ ଉଚ୍ଚ ସ୍ତରୀୟ ଦାବୀରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁପେନ୍ଦ୍ର ସିଂ ପୁନିଆ,ଓପେପାକୁ ଦାବୀପତ୍ର ପ୍ରଦାନ କରାଯାଇଥିଲା










ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଭିଯୋଗ କଲେ ଗିରଫ ହେବାର ଧମକ

#କହିବାକୁ_ଲାଜ_ସରକାରୀ_ଅଫିସ୍_କାହା_ପାଇଁ #ଅଭିଯୋଗ_କଲେ_ଗିରଫ_ହେବାର_ଧମକ #କଟକ_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟର_ଗୋଟିଏ_ଚିଠିରେ_ଦୁଇଟି_ତାରିଖ । ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ
ଫାଇଭ୍ ଟି ଶାସନର ନମୁନା ଦେଖିବା ପାଇଁ ମିଳିଲା । ଆଜି ତା୨୨/୦୩/୨୦୨୧ରିଖ । ସମୟ ଦିନ ୧୨ ଘଟିକା ୩୦ ମିନିଟ୍ । କୃଷକମାନଙ୍କ ସାତ ଦଫା ଦାବୀକୁ ଭିତି କରି ବିକ୍ଷୋଭ ପ୍ରଦର୍ଶନ ସମାପନ ପରେ ଦାବୀ ପତ୍ର ଦେବା ପାଇଁ , ପତିତ ପାବନ କୃଷକ ସଂଘର ଆବାହକ ବସନ୍ତ ଭାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକ ବିଭାଗରେ ପହଂଚିଲେ । ଦାବୀପତ୍ରଟିକୁ ଡାକ ବିଭାଗ ରଖିବା ପରେ, ପ୍ରାପ୍ତି ସ୍ବୀକାର ଭାବରେ ଅନ୍ୟ ଏକ ଜେରକ୍ସ ଦାବୀ ପତ୍ରରେ ଜନୈକ ଅଧିକାରୀ ୨୨ ତାରିଖର ଦସ୍ତଖତ କରି ଫେରାଇ ଦେଲେ । ମାତ୍ର ଏଥିରେ କାର୍ଯ୍ୟାଳୟର ସିଲ୍ ନ ଥିଲା । ସିଲ୍ ନଥିବା ଦେଖି ବସନ୍ତ ଭାଇ ପୁନଃ ଜିଲ୍ଲା କାର୍ଯ୍ୟାଳୟର ଡାକ ବିଭାଗକୁ ଗଲେ । ସମୟ ପ୍ରାୟ ଏକ ଘଟିକା ଥିବା ସମୟରେ ଜନୈକ ଅଧିକାରୀ ଏକ ପାସ୍ ରେ ଯାଇଥିଲା । ପନ୍ଦର/କୋଡିଏ ମିନିଟ ଅପେକ୍ଷା କଲା ପରେ ଅଧିକାରୀ ଜଣକ ପୁନଃ ଦାବୀ ପତ୍ରରେ ସିଲ୍ ମାରିଲେ । ମାତ୍ର ପରିତାପର ବିଷୟ ଏହି ସିଲ୍ ରେ ୨୨ ତାରିଖ ପରିବର୍ତେ ୧୯ ତାରିଖ ଉଲ୍ଲେଖ ହୋଇଥିଲା । ବସନ୍ତ ଭାଇ ଏହାର ପ୍ରତିବାଦ କଲେ । ମାତ୍ର କଟକ ଜିଲ୍ଲାରେ ଏ ସବୁ ଚଳେ ବୋଲି ଅଧିକାରୀ ଜଣକ ସଫେଇ ଦେଲେ । ସିଲରେ ତାରିଖ ପରିବର୍ତନ କରିବା ପାଇଁ ମନା କରିଦେଲେ ଅଧିକାରୀ ଜଣକ । ମାତ୍ର ଏହା ଠିକ୍ ନୁହେଁ ବୋଲି ବସନ୍ତ ଭାଇ କହିବା ପରେ ଯୁକ୍ତି ତର୍କ ଆରମ୍ଭ ହୋଇଗଲା, ଯାହାକୁ ବସନ୍ତ ଭାଇ ଭିଡିଓ ରେକର୍ଡିଙ୍ଗ୍ ଆରମ୍ଭ କଲେ । ଏହା ପରେ ଜିଲ୍ଲା ପାଳଙ୍କ କାର୍ଯର୍ର୍୍ୟାଳୟର ଦ୍ୱିତୀୟ ମହଲାରେ ଥିବା କିଛି ଅଧିକାରୀମାନେ ଉତକ୍ଷିପ୍ତ ହୋଇ ଉଠିଲେ । ବସନ୍ତ ଭାଇଙ୍କ ହାତରୁ ଦାବୀ ପତ୍ର ଛଡାଇବାକୁ ଚେଷ୍ଟା କଲେ ପ୍ରମାଣ ପତ୍ର ନଷ୍ଟ କରିଦେବା ପାଇଁ । ଯାହା ଫଳରେ ଦାବୀ ପତ୍ର ବି ଚିରିଗଲା । ଏଥିରେ ଏହାର ପରିସମାପ୍ତି ଘଟିଲା ନାହିଁ । ଜନୈକ ଅଧିକାରୀ ଗର୍ଜି ଉଠି ଯାହା ଇଛା ଗାଳି ଦେଇଗଲେ । ଥାନାରେ କେସ୍ ଦେଇ ଗିରଫ କରିବା ପାଇଁ ଧମକ ଦେଲେ ଜନୈକ ଆଂଚଳିକ ସାମ୍ବାଦିକଙ୍କୁ ଡାକି । ବସନ୍ତ ଭାଇଙ୍କର ଉଚ୍ଚ ରକ୍ତ ଚାପ ଏବଂ ହୃଦ ରୋଗ ଥିବା ହେତୁ, ମୁଁ ଯୁକ୍ତି ତର୍କରୁ ବିରତ କରିବା ସହିତ , ସେଠାରୁ ଆସିବା ପରେ ଆମେ ବାଧ୍ୟ ହୋଇ ,ପୁନଃ ଅନ୍ୟ ଏକ ଅଭିଯୋଗ ପତ୍ର ଡାକ ଦ୍ୱାରା ଜିଲ୍ଲାପାଳଙ୍କ ନିକଟକୁ ପଠାଇଲୁ । ତେବେ ଦୁଃଖର କଟଜ ଜିଲ୍ଲା ପ୍ରଶାସନରେ କୌଣସି ପ୍ରାପ୍ତି ସ୍ବୀକାର ପାଇଁ ଦସ୍ତଖତରେ ଗୋଟିଏ ତାରିଖ ଥିବା ସମୟରେ ସିଲରେ ଅନ୍ୟ ଏକ ତାରିଖ ଉଲ୍ଲେଖ କରିବା କେତେ ଦୂର ଯୁକ୍ତି ଯୁକ୍ତ,ତାହା ବୁଦ୍ଧିଜିବୀମାନେ ବିଚାର କରିବା ଏକାନ୍ତ ଆବଶ୍ୟକ । କିନ୍ତୁ କୌଣସି ଅଧିକାରୀର ଅପିସ୍ , କାହାର ବୋପା ଅଫିସ୍ ନୁହେଁ । ଲୋକମାନଙ୍କ ଅର୍ଥରେ କାର୍ଯ୍ୟାଳୟ ଚାଲୁଛି, କିନ୍ତୁ କୌଣସି ଅଧିକାରୀଙ୍କ ପୈତୃକ ସମ୍ପତିରେ ନୁହେଁ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ,ଜିଲ୍ଲାପାଳଙ୍କ ଦର୍ଶନ ମିଳୁନାହିଁ । ଏପରିକି ସୋମବାର ଦିନ ଅଭିଯୋଗ ଶୁଣାଣୀ ଥିଲେ ମଧ୍ୟ କରୋନା ଆଳରେ , ଜିଲ୍ଲାପାଳ ଆଉ ଦର୍ଶନ ଦେଉ ନାହାନ୍ତି । ତାଙ୍କର ଡାକରେ କୌଣସି ଚିଠି ଦେଲେ, କିଛି ଦିନ ପରେ ଚିଠି ନଂ ପାଇଁ ଗଲେ, ତାହା ମିଳୁ ନାହିଁ । କଣ ନା ଜିଲ୍ଲାପାଳଙ୍କ ଚିଠି ରେଜିଷ୍ଟର ବିଭିନ୍ନ ବିଭାଗ ବୁଲୁଛି । କେତେ ବେଳେ ଡାକକୁ ଆସିବ, ଆମେ ଜାଣି ନାହୁଁ ବୋଲି କର୍ମଚାରୀ ସଫେଇ ଦେଉଛନ୍ତି । ତେବେ ବର୍ତମାନ ପରିସ୍ଥିତିରେ, ରାଜ୍ୟର କୌଣସି କାର୍ଯ୍ୟାଳୟ ଠିକ୍ ଭାବରେ ଚାଲିବା ମୋ ନଜରକୁ ଆସୁନାହିଁ । ଭକୁଆ ଜନତା ଖାଲି ଦଉଡିବା ସାର ହେବ । ଧନ୍ୟରେ ସରକାର ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜୀବନ ରେଖା

ଶୂନ୍ୟତା  ନଥିଲେ ଅନୁଭବରେ ମଜା କାହିଁ ? ଜୀବନରେ ଶୂନ୍ୟତା  ନଥିଲେ ବଂଚିବାରେ  ମଜା ନାହିଁ  । ତଥାପି  ବଂଚିବାକୁ ହେଲେ,ଅସଜଡା  "ଜୀବନ ରେଖା"କୁ କବିତାରେ ସଜାଡି ହେବ  । ମୋର ଏହି କବିତା ପାଠ ପୂର୍ବକ ପ୍ରଦାନ କରିବାକୁ ଅନୁରୋଧ ।
ଜୀବନ ଯୁଦ୍ଧରେ ପରାଜିତ ଆଜି
ଫେରିଯାଏ ଖାଲି ହାତେ ।
ହିସାବ ରଖିନି ଜିତିଛି ମୁଁ କେତେ,
ହାରିଛି ମୁଁ ଆଜି କେତେ ।
ନିଜେ ମୁଁ ଜଳଛି ଆଲୋକ ଦେଇଛି
ବୁଝିନି ପୁଣ୍ୟ କି ପାପ ।
ତେଲ ସରିଲାଣି, କେମିତି ମାପିବି 
ଜୀବନର ମାଟିଦୀପ । ।
ଜୀବନ ଆକାଶେ ବେଳ ରତ ରତ
ସଞ୍ଜ ଆସେ ନଇଁ ନଇଁ ।
ମଶାଣି ଭୂଇଁରେ ଜୀବନ ସଜଡା,
ମୋହ ଲାଗେ କାହା ପାଇଁ ?
ଜୀବନର ରଙ୍ଗ,କବିତାର ରେଙ୍ଗ,
ତଥାପି ଜୀବନ ଫିକା ।
ଜୀବନ ସରିଲେ,ଜୀବନ କବିତା 
ହୋଇଯାଏ ଅଧା ଲେଖା । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କେବଳ ତୁମର

ପ୍ରତିଶ୍ରୁତି ଏବଂ ପ୍ରତାରଣା ମଧ୍ୟରେ ଜୀବନ  । ଅତୀତର ଦସ୍ତାବିଜକୁ ଘାଂଟି ଚକଟି ହୋଇ ନିଜେ ସନ୍ତୁଳି ହେବା ସହିତ ସେଥିରେ ନିଜକୁ ଖୋଜିବା ଏକ ପାଗଳାମୀ ନୁହେଁ ତ ଆଉ କଣ ? ପୁଣି ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ ଏ କବିତା “କେବଳ ତୁମର”ପାଠ କରି ମତା ମତାମତ ଦେବା ପାଇଁ  ଅନୁରୋଧ ।
ଜହ୍ନ ଯେପରି କଇଁର,ମୁଁ ସେହିପରି  ତୁମର,
ଲହରୀ ଯେମିତି ସାଗରର,ମୁଁ ବି ସେମିତି ତୁମର । ।
ସପନ ଯେପରି ନିଦର,ମୁଁ ସେହିପରି ତୁମର,
ଫୁଲ ଯେମିତି ଭଅଁରର,ମୁଁ ବି ସେମିତି ତୁମର । ।
ସିନ୍ଦୁର ଯେମିତି ମଥାର, ମୁଁ ସେହିପରି  ତୁମର, ।
ରଙ୍ଗ ଯେମିତି ଫଗୁଣର,ମୁଁ ବି ସେମିତି ତୁମର । ।
ବରଷା ଯେପରି ଶ୍ରାବଣର, ମୁଁ ସେହିପରି  ତୁମର,
ଜଳ  ଯେମିତି ମୀନର,ମୁଁ ବି ସେମିତି ତୁମର । ।
ମନ୍ଦିର ଯେପରି ଦେବତାର, ମୁଁ ସେହିପରି  ତୁମର,
ପଥ ଯେ ପଥିକର,ମୁଁ ବି ସେମିତି ତୁମର । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବୁର୍ଜୁଆ ସମାଜ

ତେଲ ଦର ବଢିଛି ।  ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ମଧ୍ୟ ବଢିଛି  । ସରକାର ବଢୁଥିବା ଟିକସ କୁ ନେଇ ଜନ ହିତରେ ଲଗାଉଛନ୍ତି ବୋଲି ଅନେକ ଭାଇଭଉଣୀ  ଯୁକ୍ତି ବାଢୁଛନ୍ତି  । ହେଲେ ଗୋଟିଏ ମଧ୍ୟବିତ କିମ୍ବା ନିମ୍ନ ମଧ୍ୟବିତ ପରିବାରର ଅବସ୍ଥା କଣ ହୋଇଛି ,ତାହା କେବେ ବି ସରକାର ଅନୁଭବ କରି ପାରିବେ ନାହିଁ  । ଏହି ପରିପ୍ରେକ୍ଷୀରେ ମୋର କବିତା “ବୁର୍ଜୁଆ ସମାଜ” ପାଠ କରିବା ପାଇଁ ଅନୁରୋଧ ।

ପେଟ୍ରୋଲ୍ ବଢୁଛି ଘୁ ଘୁ,
ଡିଜେଲ୍ ବଢୁଛି ସୁ ସୁ
ଖଟିଖିଆ ପୁଅ ମୁଣ୍ଡେ ହାତ ଦେଇ, ବୋଲେ!
ବାପ ଥାଉ   ଆଗ ମରି ଯାଏ ମୁଁ । ।
ଦୁଇ କିସ୍ତୀ ଲୋନ୍ ବାକି ରହିଅଛି,
ବାରିରେ  ପରିବା ନି’ତି ସଢୁଛି
ଋାସନ୍ ସଉଦା ଚଢା ।
 ଘରଣୀଟା ଖାଲି ଗର ଗର ହୁଏ
ବନ୍ଦ ହୁଏ ରନ୍ଧା ବଢା ।
ତେଲିଆ ମୁଣ୍ଡରେ ତେଲ  ଭାଇ ସିନା,
ମାଆ ପେଟୁୁ ଆଣିଛି ସୁନା ଗିନା;
ଟିକସ ପଛକେ  ବଢୁ, ଜନତା ମରି କି ସଢୁ,
ଦେଇ ଦେଇ ଦାତା,ନେଇ ନେଇ ନେତା
ଭାଗ ମୋର  ଆଗେ ଛିଡୁ । ।
ସମୟର ଚକ ଏମିତି ଗଡିବ,
ଭକୁଆ ଜନତା ଖାଲି ଦେଖୁଥିବ
ସକାଳ ସୁରୂଜ ସଂଜ ନଇଁଯିବ,
ଆଶା ବଇତରଣୀ,  ମନରେ ମରିବ,
ବଢିଯିବ ଦୀର୍ଘଶ୍ୱାସ ।
ସବୁ ଜାଣିଶୁଣି ଅଜଣା ରହିଲେ,
 ଖାଲି ହେବ ସର୍ବନାଶ, ଖାଲି ହେବ ସର୍ବନାଶ । ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଫେରିଲେ ସାରଥୀ


ପ୍ରବଚନଜିବୀ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ଓକିଲ କହିବାନୁଯାୟୀ “ସେ ବ୍ରାହ୍ମଣ ଲୋକ ଆଉ ଗରିବ ଲୋକ, ପ୍ରବଚନ  ବୃତି ଦ୍ୱାରା ସେ ଉଦର  ପ୍ରତିପୋଷଣ କରିବେ”  ।  କୋର୍ଟ ମଧ୍ୟ ୨୦୦ ଲୋକଙ୍କୁ ନେଇ ପ୍ରବଚନ ଦେବେ ବୋଲି ରାୟ ପ୍ରଦାନ କରିଛନ୍ତି  । ହେଲେ ଅତୀତରେ ବିଭିନ୍ନ କୁକର୍ମ କରି ହୋଟେଲରେ ରହି ଆମିଷ  ଭକ୍ଷଣ କରିବା ସହିତ ମହିଳା ସମ୍ଭୋଗ କରିବା କୌଣସି ସାଧୁର ଲକ୍ଷଣ ନୁହେଁ  । ଏହା ଏକ ଚୁତିଆମୀ ଅଟେ । ଅପର ପକ୍ଷରେ ପରକୀୟା ପ୍ରିତୀ ଅପରାଧ ନୁହେଁ ବୋଲି ମଧ୍ୟ  ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି । ଜଣାପଡୁଛି ୟେ ତିଳକ ମରା ସାଧୁର ଖେଳ ବେଶ୍ ଜମିବ  । ଆଂଠୁଆ ଗୋପାଳ ବେଶରେ ସ୍ତନ୍ୟପାନ ପାଇଁ ଯିଏ ଅତୀତରେ ପୀନ ପୟୋଧରାମାନଙ୍କୁ ଚୟନ କରୁଥିଲା, ତା ଠାରୁ ଆଉ କଣ ବା ଆଶା କରାଯାଇପାରିବ  । ଏହି ପରିପ୍ରେକ୍ଷୀରେ ମୁଁ  ଏ ଆଇନ ବ୍ୟବସ୍ଥାକୁ ଘୋର ନିନ୍ଦା କରୁଛି  । ନିନ୍ଦା କରୁଛି ପ୍ରବଚନଜିବୀ ଆଉ ପରକୀୟାଜିବୀଙ୍କୁ  । କିନ୍ତୁ ଓଡିଶାରେ ଅନେକ ମାଆ/ଭଉଣୀ କଲମ ଧରିଥିଲା ବେଳେ, ପରିବର୍ତନ ପାଇଁ କୌଣସି ଆନ୍ଦୋଳନାତ୍ମକ ଲେଖା ନ ହେବା ଅତ୍ୟନ୍ତ ଦୁଃଖ ଦାୟକ । ଶେଷରେ ସାରଥୀ ବିଷୟକୁ ଭିତି କରି ମୋର କବିତା “ଫେରିଲେ ସାରଥୀ”  ଆପଣମାନଙ୍କ ପାଇଁ  । 
ଯୁବତୀ ରସିଆ କାମିନୀ ରଙ୍କିଆ
ଆସୁଅଛି ଭଣ୍ଡ ସାରଥୀ ।
କଳିକାଳ କୃଷ୍ଣ ସାଜି ନାରୀ ମେଳେ
କରିବ ଅଭେଦ ପ୍ରିତୀ । ।
ପ୍ରବଚକ ନୁହେଁ  ପବଚଂକ ସେହି
ସାଜିବ ସେ  ଧର୍ମ ବକ ।
ଧର୍ମର ଅଫିମେ ମଦ ମତ ମନ
ନାଚୁଥିବେ ଅନ୍ଧ ଭକ୍ତ । ।
ସିମେଂଟ୍ ଗାଇରୁ ଦୁଗ୍ଧ ବାହାରିବ
 ବିଭୁତି ସତେ ଝରିବ?
ପୀନୋ ପୟୋଧରା ଆତ୍ମା ତୃପ୍ତ ହେବ.
ବାଳ ଗୋପାଳ ସାଜିବ  ।
 ଅନ୍ଧ ରାଇଜରେ ଦର୍ପଣ ବିକିଲେ,
ସତେ କଣ ବିକ୍ରି ହେବ ।
ବେଦ ପାଠ କରେ ସଇତାନ୍ ଏଠି
ସତ୍ୟକୁ କିଏ କହିବ ?
ଧର୍ମ ନାମେ ଏଠି ମିଥ୍ୟା ପ୍ରବଂଚନା
ବଢେ ଶୋଷଣ କଷଣ ।
ଧର୍ମେ ରାଜନୀତି,ବଢେ ଭେଦ ଭାବ,
ବୁଝେ ନାହିଁ ମୂଢ ଜନ । 
ଅଗାଣ୍ଡିଆ ରାଜା,ପାଳ ବିଣ୍ଡା ମନ୍ତ୍ର ୀ
ରାଜ୍ୟେ କରିଲେ ଶାସନ । ।
ଅନାହାର ଦୁଃଖ, ଅନ୍ୟାୟ ଅନିତୀ
ଦୁଃଖ କ୍ଳେଶ ଲଭେ ଜନ । ।
 ଭଣ୍ଡ ଭାଣ୍ଡ ଶଠ ଠକ ପ୍ରତାରକ
ଦୁରାତ୍ମା ନାଶିବା ପାଇଁ ।
ଜନତା ଜାଗିଲେ, ଏ ଦେଶ ଜାଗିବ,
ବେଳ ନାହିଁ ଆଉ ବେଳ ନାହିଁ । ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଖାସ୍ ତୁମ ପାଇଁ

ଗତ କାଲି  ପ୍ରେମ ଦିବସ ଚାଲି ଯାଇଥିଲେ ବି  ଖାସ୍ ତୁମ ପାଇଁ ଆଉ ତୁମ କଥାରେ  ୟେ କବିତା “ଖାସ୍ ତୁମ ପାଇଁ ”  । ତେବେ ବି ମୋର ପ୍ରିୟ ପାଠିକା/ପାଠକମାନଙ୍କ  ପ୍ରତି  ଭଲପାଇବା ଏବଂ ଶୁଭମନାସି ଏ କବିତାକୁ ଭେଟି ଦେଉଛି  । ପାଠ କରିବା ସହିତ  ମତାମତ  ଦେବା ପାଇଁ  ସପ୍ରେମ ଅନୁରୋଧ ।
ତୁମ ଜୀବନରେ ସବୁବେଳେ, ଖୁସିର ଲହରୀ ଖେଳୁଥାଉ,
ତୁମ ପାଦ ତଳେ ସବୁବେଳେ; ଫୁଲର ପାଖୁଡା ଝରୁଥାଉ । ।
ଓଠରେ ତୁମର ସଦା ହସ ଥାଉ; ମୁକୁତା ଝରିବା ପରି,
ଦୁଃଖକୁ ତୁମର ଦେଇଦିଅ ସାଥୀ, ସୁଖ ଆସେ ଥିରି ଥିରି । ।
ସବୁରି ମନରେ ତୁମ ପାଇଁ ଥାଉ,ପ୍ରେମ ସେନେହ ଆଦର,
ତୁମେ କେବେ ମୋତେ ଭାବିବନି ପର, ଥିବି ମୁଁ ସଦା ନିଜର 
ଦିଅ ହେ ଆଶୀଷ ହେ ପରମେଶ୍ୱର,ସାଥୀ ମୋ ରହୁ ସୁଖରେ
ସୁଖରେ ରହିଲେ ଖୁସି ହେବି ମୁହିଁ,ଥାଏ ଦୂରେ ଅବା  ନିକଟରେ । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅନିର୍ବାଣ୍ୟ ବହ୍ନି:ରଞ୍ଜନ ଭାଇ


ମାଧବାନନ୍ଦ ଭୋଇ
ଏକ ତାରିଖ,ଫେବୃୟାରୀ ୨୦୨୦ ମସିହା । ପ୍ରତିଦିନ ପରି ସକାଳୁ ସୋସିଆଲ ମିଡିଆରେ ପୋଷ୍ଟିଂ ଗୁଡିକ ଉପରେ ଦୃଷ୍ଟି ନିକ୍ଷେପ କରୁ କରୁ ,  ଗୋଟିଏ ପୋଷ୍ଟିଂ ଉପରେ ଆଖି ଲାଗି ରହିଗଲା  । ଛାତିଟା ଚାଉଁକରି ଲାଗିଲା । ହୃଦୟର ନିଭୃତ କୋଣରେ କୋହଟା ଜମାଟ ବାନ୍ଧିଲା ବେଳେ, ଅଲକ୍ଷରେ ଆଖିରୁ କେଇ ଟୋପା ଲୁହ ଠସ୍ ଠସ୍ କରି ଗଳି ପଡିଲା  । ସତରେ ରଞ୍ଜନ ଭାଇ ନାହିଁ ? ଏହା ପରେ କେତେ ଜଣ ସୂଚନାଧିକାରକର୍ମୀ ଭାଇମାନଙ୍କ ସହିତ କଥୋପକଥନ ପରେ ଘଟଣା ସଂପର୍କରେ କିଛି ଅଛପା ରହିଲା ନାହିଁ  । ହୁଏତ ରଞ୍ଜନ  ଭାଇ ପାଇଁ ଶୁକ୍ର ବାର ରାତି କାଳ ରାତ୍ରି ଥିଲା  ।ସର୍ବୋପରି ସୂଚନା ଅଧିକାର ଆଇନକୁ ପାଥେୟ କରି  ସମାର ଦୁସ୍ଥ ନିଷ୍ପେସିତ ମଣିଷ ପାଇଁ ଲଢୁଥିବା ସୈନିକଟି  ନୀରବି ଗଲା ଅଜଣା ଆତତାୟୀର ଅସ୍ତ୍ରରେ । ଦିବାଲୋକରେ ରଞ୍ଜନଙ୍କ ଶିଖାରେ ଦହି ହେଉ ଥିବା, କେନ୍ଦ୍ରାପଡାରେ କୁଚକ୍ରୀ ରାଜନେତାର ଚାମଚା ହୁଲିଗୁଣ୍ଡାଙ୍କ ହାତରେ ତାଙ୍କର ଜୀବନ ଦୀପଟି ନିର୍ବାପିତ ହୋଇ ଯାଇଥିଲା ବେରୁହାଁର  ନିଛାଟିଆ ରାସ୍ତା ପାଶ୍ୱର୍ରେ ।  
                  କାହାଣୀର ପୃଷ୍ଠଭୂମିକୁ ଅବଲୋକନ କଲେ,ରଞ୍ଜନ କୁମାର ଦାସ  ସଂପ୍ରତି ଐତିହାସିକ କେନ୍ଦ୍ରାପଡା ଜିଲ୍ଲା

ଅଧିନସ୍ଥ  ତାଳସଙ୍ଗା ପଂଚାୟତର ମାଣିକପୁର ଗ୍ରାମରେ ତା:୧୯.୧୨.୧୯୭୭ ରିଖରେ ଜନ୍ମ ଗ୍ରହଣ କରିଥିଲେ ।ସେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ସ୍ନାତକ ଇତିହାସ ସମ୍ମାନରେ ଉତୀର୍ଣ୍ଣ ହୋଇ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଏମ୍.ଏ. ପାସ୍ କରିଥିଲେ । ପିତା ଲକ୍ଷ୍ମୀଧର ଦାସଙ୍କର ଏକମାତ୍ର ପୁତ୍ର ଥିଲେ  ମଧ୍ୟ ରଞ୍ଜନ ଭାଇ  ମରିବାର ତିନି ବର୍ଷ ପୁର୍ବରୁ କଟକରେ ରହୁଥିଲେ । ମାଆ ସ୍ବାସ୍ଥ୍ୟ ବିଭାଗର ସେବିକା  ଚାକିରୀରୁ ଅବସର ନେଲା ପରେ.ସେ ଅସୁସ୍ଥ ମାଆଙ୍କର ଯତ୍ନ ନେବା ପାଇଁ ମାଣିକପୁରରେ ରହୁଥିଲେ । ସେ ତିର୍ତୋଲରେ ଜନୈକ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଝିଅଙ୍କୁ ବିବାହ କରିବା ସହିତ ଚାରି ବର୍ଷର ପୁଅ ମଧ୍ୟ ଅଛି ।ବିଶେଷ କରି ନିଜ କେନ୍ଦ୍ରାପଡା ମାଟିରେ ରଞ୍ଜନ ଭାଇ ଦୁର୍ନୀତି ଖୋର ନେତାମାନଙ୍କୁ ସାବାଡ୍ କରିବା ପାଇଁ  ଓଡିଶା ସୂଚନା ଅଧିକାର ଅଭିଯାନରେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ସମାଜ ସେବାକୁ ନିଜ ଜୀବନର ବ୍ରତ ବୋଲି ଭାବି ନେଇଥିଲେ । ଏତ୍ଦ ବ୍ୟତୀତ ସେତେ ବେଳେ ରାଜ୍ୟରେ କୌଣସି ବିରୋଧୀ ଦଳର ଭୂମିକା ପରିଲକ୍ଷିତ ନ ଥିଲେ ମଧ୍ୟ,ଓସାର ଆବାହକ ପ୍ରଦୀପ ପ୍ରଧାନଙ୍କ ବ୍ୟକ୍ତିତ୍ୱରେ ଆକୃଷ୍ଟ ହୋଇ, ସତେ ଯେପରି ସାରା ଜୀବନ ନିରୀହ ଜନତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସଂଗ୍ରାମ ଜାରି ରଖିଥିଲେ । ପ୍ରଦୀପ ଭାଇ ମଧ୍ୟ ରଞ୍ଜନ ଭାଇଙ୍କ କଥାରେ ପ୍ରଭାବିତ ହୋଇ, ୨୦୧୬ରେ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚୁ୍ୟଟ ଅଫ ଇଞ୍ଜିନିୟରରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ସୂଚନା ଅଧିକାର ଅଭିଯାନର ଦଶମ ରାଜ୍ୟସ୍ତରୀୟ ସମ୍ମିଳନୀ ଶେଷରେ ‘ଓସା’ର କର୍ମକର୍ତା ଚୟନ ସମୟରେ  ରଞ୍ଜନ ଭାଇଙ୍କୁ କୋର୍ କମିଟି ସଦସ୍ୟ ଭାବେ ନେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ଦାୟିତ୍ୱ ଦେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେ ଘରକୁ ଫେରିଥିଲେ । ବିଶେଷ କରି ପୁଞ୍ଜିବାଦକୁ ବିରୋଧ କରୁଥିବା ରଞ୍ଜନ ଭାଇ କେନ୍ଦ୍ରାପଡାରେ ବାଂଲା ଦେଶୀ ଅନୁପ୍ରବେଶକାରୀ,ଇନ୍ଦିରା ଆବାସ ଦୁର୍ନୀତି, କସ୍ତୁରୀ ମୃତୁ୍ୟ,ଅବିନାଶ ପାଇଟାଳ ମୃତୁ୍ୟ, ବେଆଇନ ଖେଳ ପଡିଆ ନିର୍ମାଣ ଏବଂ ମନରେଗା ଦୁର୍ନିୀତି ପରି ଅନେକ ଘଟଣାରେ ହସ୍ତକ୍ଷେପ କରିବା ଫଳରେ ରାଜନେତା ଏବଂ ମାଫିଆଙ୍କ ଚକ୍ଷୁଶୀଳ ହୋଇ ପଡିଥିଲେ । ମହାକାଳପଡ଼ା, ମାର୍ଶାଘାଇ, ରାଜନଗର, ପଟ୍ଟାମୁଣ୍ଡାଇ ଇତ୍ୟାଦି ବ୍ଲକରେ ସୂଚନା ଆଇନ୍ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ସହ ଅନେକ ଦୁର୍ନୀତି ଲୋକଲୋଚନକୁ ଆଣିଥିଲେ । ଯାହା ଦ୍ୱାରା କେନ୍ଦ୍ରାପଡା ଅଂଚଳରେ ଦୁର୍ନୀତିଖୋର ନେତାଙ୍କ ପାଇଁ ରଞ୍ଜନ ଏକ କଂଟକ ସଦୃଶ ପ୍ରତୀୟମାନ ହୋଇ ସେମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲେ । ଏତଦ୍ ବ୍ୟତୀତ ରଞ୍ଜନ ଭାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା,ବେଆଇନ୍  ନଦୀ ବାଲି ଚାଲାଣ,ଚିଙ୍ଗୁଡି ମାଫିଆ,ମଦ ମାଫିଆ,ଠିକାଦାର,ବେଆଇନ୍ ଇଟା ଭାଟି ଗୁଡିକ ସଂପର୍କରେ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ଆଣିବା ସହିତ ସାମାଜିକ ଗଣ ମାଧ୍ୟମରେ ଉପସ୍ଥାପନ କରୁଥିଲେ । ଯାହା ଫଳରେ ଅନେକ ଭଦ୍ରମୁଖା ନେତାଙ୍କର ମୁଖା ଖୋଲି ଯାଇଥିଲା । ବିଶେଷ କରି ସୌନ୍ଦର୍ଯ୍ୟକରଣ ନାମରେ ସାମୁଦ୍ରିକ ବେଳାଭୂମି ଠାରୁ ୫୦୦ ମିଟର ନିଷିଦ୍ଧାଂଚଳରେ ଭିତର କନିକା ଜାତୀୟ ଉଦ୍ୟାନ ପରିସରରେ  ହେଉଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଦୁଇ ବର୍ଷ ପୂର୍ବେ ହେଉଥିବା ବେଆଇନ୍ ନିର୍ମାଣ ସଂପର୍କରେ ତାଙ୍କର ଦୃଷ୍ଟି ଗୋଚର ହୋଇଥିଲା । ଏ ସଂପର୍କରେ ସେ ସୂଚନା ଆଇନ୍ ମାଧ୍ୟମରେ ତଥ୍ୟ ମାଗି,ପ୍ରଶାସନକୁ ଅକଳରେ ପକାଇଥିଲେ । ଏହି ଭିତର କନିକା ଜାତୀୟ ଉଦ୍ୟାନରେ ବେଳାଭୂମି କ୍ଷୟ ନିରାକରଣ ବାବଦରେ  ପ୍ରାୟୋଜିତ ପ୍ରକଳ୍ପ ମାଧ୍ୟମରେ  ବୃକ୍ଷରୋପଣ ନାମରେ ୨୫ ଲକ୍ଷ ଟଙ୍କା ଅନୁଦାନ ହଡପ ହୋଇଛି ବୋଲି ମଧ୍ୟ ଧରାପଡିଥିଲା । ଏହା ଦ୍ୱାରା  ପ୍ରଶାସନ ଏବଂ ଦୁର୍ନିୀତିଖୋର୍ ନେତାମାନେ ରଂଜନଙ୍କ ପ୍ରତି ରକ୍ତ ମୁଖା ହୋଇ ଯାଇଥିଲେ ।

                 ଏତଦ୍ ବ୍ୟତୀତ ରାଜ୍ୟ ସ୍ତରୀୟ ବିଭିନ୍ନ ଦୁର୍ନୀତି ସଂପର୍କରେ ସୂଚନା ଆଇନକୁ ଅସ୍ତ୍ର କରି ଖୁଲାସା କରିଥିବାରୁ, ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।ରଞ୍ଜନ ଭାଇ ମଧ୍ୟ ନିୟମିତ ସୋସିଆଲ ମିଡିଆରେ ସରକାର ଏବଂ ସ୍ଥାନୀୟ ବିଧାୟକଙ୍କ ଦୁର୍ନୀତି ସପର୍କରେ ପୋଷ୍ଟିଂ କରୁଥିଲେ ।ଫଳରେ ୠଞ୍ଜନ ଭାଇଙ୍କ ଉପରେ ବହୁତ ଥର ଆକ୍ରମଣ ହୋଇଥିଲା ଓ ଫୋନ୍ ଯୋଗେ ମାରିଦେବାର ଧମକ ଆସୁଥିଲା । ଏସଂପର୍କରେ ଓସାର କର୍ମୀମାନଙ୍କୁ  ଏବଂ ସ୍ଥାନୀୟ ଥାନାରେ ଅବଗତ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ତାଙ୍କୁ ସୁରକ୍ଷା ଦେଇ ନଥିଲା । ଦୁର୍ନୀତିଖୋର ରାଜନେତା ଏବଂ ମାଫିଆମାନଙ୍କ ବିରୋଧରେ ଲଢିବା ଓ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସଂଗ୍ରାମ କରିବା ତାଙ୍କର ଜୀବନରେ ବ୍ରତ ଥିଲା ଯାହା ସେ ମୃତୁ୍ୟ ପର୍ଯ୍ୟନ୍ତ ଜାରି ରଖିଥିଲେ । ରଞ୍ଜନ ଭାଇଙ୍କୁ ହତ୍ୟା କରାଯିବାର ୫ ଦିନ ପୂର୍ବରୁ ଅର୍ଥାତ୍ ୨୭ ଜାନୁୟାରୀ, ୨୦୨୦ରେ ସେ ଓଡ଼ିଶା ଲୋକାୟୁକ୍ତରେ ଦୁର୍ନୀତି ସମ୍ପର୍କରେ ଦୁଇଟି ଅଭିଯୋଗ କରିଥିଲେ । ଗୋଟିଏ ଅଭିଯୋଗ ହେଉଛି-ମହାକାଳପଡ଼ା ବ୍ଲକର ବଡ଼କୁଳ ଗ୍ରାମପଂଚାୟତରେ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଜାଲିଆତି ଓ ଘୋଟାଲା । ଦ୍ୱିତୀୟ ଅଭିଯୋଗ ହେଉଛି, ଭିତରକନିକା ଅଭୟାରଣ୍ୟ ନିକଟସ୍ଥ ଅଂଚଳରେ ସରକାରୀ ନୀତିନିୟମକୁ ଉଲଂଘନ କରି ପରିବେଶ ସମ୍ବେଦନଶୀଳ ଅଂଚଳ ରେ ଚିଙ୍ଗୁଡ଼ି •ଷ କରିବା । ଲୋକାୟୁକ୍ତ ଉକ୍ତ ଦୁଇ କେସ୍କୁ ଗ୍ରହଣ କରି ତଦନ୍ତ ଆରମ୍ଭ  ହୋଇଅଛି ।
ଋଞ୍ଜନ ଭାଇ  ମଧ୍ୟ ଓଡିଆ ଭାଷା ଆନ୍ଦୋଳନର ଜଣେ ସକ୍ରିୟ କର୍ମୀ ଥିଲେ  । ରାଜ୍ୟରେ ବରିଷ୍ଠ ସାମ୍ବାଦିକ ସୁବାସ ପଟ୍ଟନାୟକଙ୍କ ନେତୃତ୍ୱରେ •ଲିଥିବା ଭାଷା ଆନ୍ଦୋଳନକୁ ସମର୍ଥନ ଜଣାଇ କଳାପତକା ଅଭିଯାନରେ ସାମିଲ ହୋଇଥିଲେ ।  “ଜନ୍ମନୀ ଜନ୍ମନୀ ଭାଷା ଜନନୀ” ନାରାରେ ଉଦବୁଦ୍ଧ ହୋଇ ଏକଦା ରଞ୍ଜନ ଭାଇ ତାଙ୍କ ସାଥୀମାନଙ୍କୁ ଧରି ଭାଷା ଆନ୍ଦୋଳନକୁ ସମର୍ଥନ ଜଣାଇବା ପୂର୍ବକ କଟକ ଜିଲ୍ଲା ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପଦଯାତ୍ରାରେ ଆସି ଭୁବନେଶ୍ୱରରେ ପହଂଚିଥିଲେ ।  ଏଥିପାଇଁ ମଧ୍ୟ  ସେ ସମ୍ବର୍ଦ୍ଧିତ ହୋଇଥିଲେ ।ଏହା ସେଙ୍ଗ ସେଙ୍ଗ ମରିବାର କିଛି ଦିନ ପୂର୍ବରୁ ଉକ୍ରଳ ବିଶ୍ୱ ବିଦ୍ୟାଳୟର  ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।
ଏହିପରି ଭାବରେ ରଞ୍ଜନ ଭାଇଙ୍କ ସହିତ ଓସାର ବିଭିନ୍ନ ବୈଠକରେ ସାକ୍ଷାତ ହୁଏ  ।ଏତଦ୍ ବ୍ୟତୀତ  ଭାଷା
ଆନ୍ଦୋଳନର ନେତୃତ୍ୱ ନେଉଥିବା ସୁବାସ ଭାଇଙ୍କ ବୈଠକରେ ମଧ୍ୟ ତାଙ୍କ ସାକ୍ଷାତ ହୋଇଥାଏ । ଦୁର୍ନୀତି ସଂପର୍କରେ ଆଲୋଚନା ହେଲେ ମଧ୍ୟ ସେ ବହୁତ ଖୁସ ମିିଞ୍ଜାସର ବ୍ୟକ୍ତିତ୍ୱ ଥିଲେ । ଅନେକ  ସମୟରେ ମୁଁ ଏକ ୱେବ୍ ନିଉଜ ଚ୍ୟାନେଲରେ ଲେଖାଲେଖି କରୁଥିବା ସମୟରେ, ସେ ମୋତେ ଆଇଆ ନିଉଜର ସାମ୍ବାଦିକ ଭାଇ ବୋଲି ଚିଡାଉଥିଲେ ।  ତେବେ  ଓଡିଆ ସାହିତ୍ୟ  ଏବଂ ଭାଷା ପ୍ରତି ରଞ୍ଜନ ଭାଇଙ୍କ  ଅହେତୁକ ରୁଚି ଥିଲା । ଏକଦା ମୋର ସାହିତ୍ୟ ସଂଗଠନ ଉଦୟ ଭାନୁର ଏକ ପତ୍ରିକାର ସମ୍ପାଦନା କରୁଥିବା ସମୟରେ, ସେ  ଏକ ନିବନ୍ଧ “ମହାକାଳପଡା କିଛି କଥା,କିଛି ବ୍ୟଥା-ପଲ୍ଲୀଗଡ  ଏକ ଅନାଲୋଚିତ ଇତିହାସ”  ମୋତେ ପ୍ରକାଶ କରିବା ପାଇଁ ଦେବା ସହିତ ଭଲ ହୋଇଛି କି ନାହିଁ  ପଚାରିଥିଲେ  । ତେବେ ଏହା “ଉଦୟ ଭାନୁ”ରେ ପ୍ରକାଶିତ ହେବା ସହିତ ଆମର ସମ୍ପାଦନା ମଣ୍ଡଳୀଙ୍କ ଦ୍ୱାରା ଆଦୃତ ହୋଇ ମାସିକ ଶ୍ରେଷ୍ଠ ଲେଖା ଭାବରେ  ରଞ୍ଜନ ଭାଇଙ୍କୁ ଇ-ମାନପତ୍ର ପ୍ରଦାନ କରା ଯାଇଥିଲା  । ଓଡିଆ ସାହିତ୍ୟ ପ୍ରେମ ହେତୁ ଏହା ପରେ କାହିଁକି କେଜାଣି ରଞ୍ଜନ ଭାଇଙ୍କ ପ୍ରତି ମୋର ଦୁର୍ବଳତା ବଢିଯାଇଥିଲା  । ସମୟେ ସମୟେ ଆମେ ଦୁର୍ନୀତି ସମ୍ପର୍କିତ ଯେତିକି କଥା ହେଉଥିଲୁ ,ଓଡିଆ ସାହିତ୍ୟ ସମ୍ପର୍କରେ ମଧ୍ୟ ସେତିକି ଆଲୋଚନା କରୁଥିଲୁ  । ବିଶେଷକରି କେନ୍ଦ୍ରାପଡାର ଅନେକ ଐତିହାସିକ ତଥ୍ୟ ସହିତ ଜନ ସାଧାରଣଙ୍କ ସମସ୍ୟାକୁ କିପରି ଭାବରେ ସାହିତ୍ୟରେ ପ୍ରତିଫଳିତ କରାଯାଇ ପାରିବ, ସେ ସର୍ବଦା କଥା ଛଳରେ ପ୍ରକାଶ କରୁଥିଲେ । ଏତଦ୍ ବ୍ୟତୀତ ବାବା ସାହେବ ଆମ୍ବେଦକରଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ସେ ଦଳିତ ନିଷ୍ପେସିତ ଜନତାଙ୍କର ଅନେକ ସମସ୍ୟା ସମାଧାନ କରୁଥିଲେ ।

ସମୟ ବିତିଯାଏ । ଜୀବନ ଚକ୍ର ବି ବଦଳି ଯାଏ  । ବିଶେଷ ଭାବରେ ରଞ୍ଜନ ଭାଇଙ୍କ ମୃତୁ୍ୟ ଘଟଣାର ପୂର୍ବ

ଦିନକୁ ଅନୁଧ୍ୟାନ କଲେ, ରଞ୍ଜନ ଭାଇ ଗତ ୨୦୨୦ ଜାନୁୟାରୀ ୩୧ ତାରିଖ ଦିନ ସକାଳ ୯ ଘଟିକା ସମୟରେ ନିଜ ମାଆଙ୍କ ଔଷଧ ପାଇଁ ବାହାରି ଯାଇଥିଲେ । ତେବେ ପୂର୍ବରୁ ରଞ୍ଜନ ଭାଇ, ନିଜର ସୁରକ୍ଷା ଦୃଷ୍ଟିରୁ ଘରେ ସିସି କ୍ୟାମେରା ଲଗାଇଥିଲେ ମଧ୍ୟ, ବିକ୍ରେତା ସିସି କ୍ୟାମେରାକୁ ଖୋଲି ନେଇ ଯାଇଥିଲା ଏବଂ ହତ୍ୟା ଦିନ ସ୍ଥାନୀୟ ହୁଲି ଗୁଣ୍ଡାମାନେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଘରକୁ ଫରିବା ସମୟରେ ପ୍ରାୟ ରାତି ନଅଟା ସୁଦ୍ଧା ସାଙ୍ଗମାନଙ୍କ ସହ ସ୍ଥାନୀୟ ପାଂଚ ନମ୍ବର ରାଜପଥ ହଳଦିଆ ଗଡା ଢାବାରେ ଖାଇଥିଲେ ଏବଂ କଥା ବାର୍ତା ଛଳରେ ମୋ ଜୀବନ ପ୍ରତି କେତେବେଳେ କଣ ଘଟିବ ବୋଲି କହି ରଞ୍ଜନ ଭାଇ ନିଜର ଘରକୁ ବାହାରିଥିଲେ । ସମୟ ପ୍ରାୟ ଘ୧୦.୨୫ ମିନିଟ୍ ହେବ ସେ ଜନୈକ ସାଙ୍ଗଙ୍କ ସହିତ ମୋବାଇଲରେ କଥା ହୋଇଥିଲେ । “ମୁଁ କୋଳଥ ନେଇ କରି ଯିବି ,କାଲି ଆମେ  ଭୋଜି କରିବା, ମଣିଷ ଆଉ କେତେ ଦିନ ବଂଚିବ ?” ମାତ୍ର ଏହା ତାଙ୍କ ଜୀବନର ଶେଷ ରାତି ଆଉ ଶେଷ କଥା ଥିଲା ।ରଞ୍ଜନ ଭାଇ ହଳଦିଆ ଗଡା ଛକ ଠାରୁ ପାଟକୁରାର ଆନୁମାନିକ ଦଶ କିଲୋମିଟର ରାସ୍ତାରେ ନ ଯାଇ,ତିନି କିଲୋମିଟର ବେରୁହାଁ-ମାଣିକପୁର ରାସ୍ତାରେ ଯାଇଥିଲେ । ଏହା ଏକ ଗଛ ଲତା ପୁର୍ଣ୍ଣ ନିଛାଟିଆ ରାସ୍ତା ଥିଲା । ପ୍ରକାଶ୍ୟ ଯେ ଏହି ଦିନ  ଏହି ରାସ୍ତାରେ ଚାରି ପାଂଚ ଜଣ  ଏକ ଚାରି ଚକିଆ ଗାଡିରେ କାହାକୁ ଅନୁଧାବନ କରୁଥିଲେ । ହୁଏତ ରଞ୍ଜନ ଭାଇ ହିଁ ତାଙ୍କର ଶିକାର ଥିଲେ ।ଶେଷରେ ସକାଳୁ ସକାଳୁ ଏହି ରାସ୍ତା ପାଶ୍ୱର୍ରେ  ଏକ ଧାନ କ୍ଷେତରୁ ମୁହଁ ମାଡି ପଡିଥିବା ଅବସ୍ଥାରେ ତାଙ୍କ ମୃତ ଦେହ ମିଳିଥିଲା ଏବଂ ମେନ୍ ଷ୍ଟାଣ୍ଡ ମରା ହୋଇ ବାଇକଟି ତାଙ୍କ ଉପରେ ପଡିଥିଲା । ମୁଣ୍ଡ ତଳେ ତାଙ୍କର ନିତ୍ୟ ବ୍ୟବହୃତ ବ୍ୟାଗଟି ଥିଲା । ଦୁଇଟି ମୋବାଇଲ୍ ମଧ୍ୟରୁ  ସ୍କ୍ରିନ୍ ଟଚ୍ ମୋବାଇଲ ମିଳି ଥିଲେ କି ପ୍ୟାଡ୍ ମୋବାଇଲଟି ନ ମିଳି ନ ଥିଲା । ସୁପରିକଳ୍ପିତ ଭାବରେ ହେଲମେଟଟି ମଧ୍ୟ ନିକଟରେ ଥୁଆ ହୋଇଥିଲା । ତେବେ ଏହା ସୁପରି କଳ୍ପିତ ହତ୍ୟାକାଣ୍ଡ ଏବଂ ଏଥିରେ ପ୍ରାୟ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା  ଜଣା ପଡୁଥିଲେ ମଧ୍ୟ ପୋଲିସ ପ୍ରଶାସନ ଚୁପ୍  ରହିଲା କାହିଁକି, ଯାହା ଅଦ୍ୟାବଧି ଜନ ସାଧାରଣଙ୍କ ମନରେ ଅସମାହିତ ପ୍ରଶ୍ୱଟିଏ ଠିଆ ହୋଇଛି  । କିନ୍ତୁ ପୋଲିସ ହାତ ଖାଲି  ।ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ରଞ୍ଜନଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯିବା ସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା ।ପୋଲିସ ଉକ୍ତ ଅଭିଯୋଗକୁ ପଞ୍ଜୀକୃତ କରି (କେସ୍ ସଂଖ୍ୟା ୨୪/୨୦୨୦) ତଦନ୍ତ ଆରମ୍ଭ କରିଥିଲା ।
                  ଆରମ୍ଭରୁ ରଞ୍ଜନଙ୍କ ପରିବାର ଲୋକେ ପୋଲିସ୍ ତଦନ୍ତକୁ ସନ୍ଦେହ ଚକ୍ଷୁରେ ଦେଖିବା ସହିତ ଏଥିରୁ ନ୍ୟାୟ ନ ମିଳିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କାରଣ ପୂର୍ବରୁ ରଞ୍ଜନଙ୍କ ଉପରେ ବାରମ୍ବାର ଆକ୍ରମଣ,ହତ୍ୟା ଧମକ ସମ୍ପର୍କିତ ହୋଇଥିବା ଅଭିଯୋଗ ଉପରେ ପାଟକୁରା ବା ମାର୍ଶାଘାଇ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ତେଣୁ ପୋଲିସ ଏବଂ ଅପରାଧୀଙ୍କ ମଧୁ ଚନ୍ଦ୍ରିକା ହେତୁ ତାଙ୍କ ତାଙ୍କ ଅଭିଯୋଗକୁ ପୋଲିସ ତଦନ୍ତ  ନ କରି  ଚାପି ଦେଉଥିବାର ଅଭିଯୋଗ ରଞ୍ଜନ ବାରମ୍ବାର କରିଥିଲେ ଏବଂ  ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରି ଆସୁଥିଲେ । ରଞ୍ଜନ ହତ୍ୟାକାଣ୍ଡର ପୋଲିସ ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ପରିବାରକୁ ଜଣାଉନଥିଲା । ଠିକ୍ ଏହି ସମୟରେ ତା୧୦/୦୩/୨୦୨୦ରିଖରେ ହୋଲି ଖେଳ ଦିନ ସ୍ଥାନୀୟ ଅପରାଧୀ ତ୍ରିଲୋଚନ ବାରିକ ସର୍ବ ସମ୍ମୁଖରେ ସେମାନେ ରଞ୍ଜନ ଦାସଙ୍କୁ ହତ୍ୟା କରିଛନ୍ତି ଏବଂ ଆହୁରି ଦୁଇ ଜଣଙ୍କୁ ହତ୍ୟା କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ମୃତ ରଞ୍ଜନଙ୍କ ବାପା ଲକ୍ଷ୍ମୀଧର ଦାସ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ତଦନ୍ତ କରି ନଥିଲେ ।ସେହିପରି ଗତ ତା୧୫.୦୩.୨୦୨୦ରିଖରେ ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଠିକାଦାର ବିବେକ ଜେନା ସମେତ ପାଂଚ ଅପରାଧୀ ରଞ୍ଜନର ଘରକୁ ଆସି ତାର ବାପାଙ୍କୁ ଜାତିଗତ ଆକ୍ଷେପ କରି ନୀରବ ରହିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ରଞ୍ଜନଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାଜନୈତିକ ଚାପରେ ପୋଲିସ ତଦନ୍ତ କରି ନଥିଲା ।
      ଗତ ତା୧୩.୦୫.୨୦୨୦ରିଖରେ ରଞ୍ଜନଙ୍କ ବାପା ବ୍ୟକ୍ତିଗତ ଭାବେ କ୍ରାଇମ୍ ବ୍ରାଂଚ ନିର୍ଦ୍ଦେଶକଙ୍କୁ ଭେଟି ରଞ୍ଜନ
ହତ୍ୟାକାଣ୍ଡର କ୍ରାଇମ୍ ବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ତା୦୩/୦୮/୨୦୨୦ରିଖରେ କ୍ରାଇମ୍ ବ୍ରାଂଚ ଏ.ଡି.ଜି.ଙ୍କୁ ଭେଟି ତଦନ୍ତ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗତ ଫେବୃୟାରୀରେ ତା୦୯/୧୦/୨୦୨୦ରିଖରେ ଦେଶର ପ୍ରମୁଖ ଚଉଦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନା ଅଧିକାରକର୍ମୀମାନଙ୍କୁ ଲଗାତର ହତ୍ୟା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଏବଂ ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ । ରଞ୍ଜନ ହତ୍ୟାକାଣ୍ଡ ସମ୍ପର୍କରେ ହୋଇଥିବା ଅଭିଯୋଗ ନଂ.୨୭୧/୨୦୨୦କୁ ଲୋକାୟୁକ୍ତ ଗ୍ରହଣ କରି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଥିଲେ । ଗୃହ ବିଭାଗ ତରଫରୁ ଗତ ତା୦୮/୧୧/୨୦୨୦ରିଖରେ କେନ୍ଦ୍ରାପଡା ଏସ୍.ପି.ଙ୍କ ରିପୋର୍ଟକୁ ଆଧାର କରି ଜବାବ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ରଞ୍ଜନ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ଦର୍ଶାଇ ତଦନ୍ତକୁ ବନ୍ଦ କରିଦେଇଥିବା ସମ୍ପର୍କରେ ଉଲ୍ଲେଖ ଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯାହାକି ଆରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା ।ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଭାବରେ କେନ୍ଦ୍ରାପଡା ପୋଲିସ୍ ମିଥ୍ୟା ଷ୍ଟୋରୀ ରଚନା କରି ତଦନ୍ତ ବନ୍ଦ କରି ଦେଇଛି । ସେଥିପାଇଁ ବାରମ୍ବାର ପରିବାର ତରଫରୁ କ୍ରାଇମ୍ ବ୍ରାଂଚ୍ ତଦନ୍ତ ଦାବୀ ହୋଇ ଆସୁଥିଲା ଏବଂ  ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରା ଯାଇଥିଲା । କିନ୍ତୁ ଜିଲ୍ଲା ପୋଲିସ୍ ଏବଂ ରାଜ୍ୟ ପୋଲିସ ଉଭୟ ମିଳାମିଶା କରି ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ଚାପର ବଶବର୍ତୀ କରିଦେଲେ ।
ପରିଶେଷରେ ମୋର ମତାନୁସାରେ  ଏହି ଘଟଣାରେ ପୋଲିସ ପ୍ରଶାସନ-ଦୁର୍ନୀତିଖୋର୍ ରାଜନେତାଙ୍କ ମଧୁ ଚନ୍ଦ୍ରିକାକୁ ଏଡାଇ ଦିଆ ଯିବ ନାହିଁ । ଆମର ସଂସଦୀୟ ଗଣତନ୍ତ୍ର ଓ ସମାଜବାଦୀ ଶାସନ ବ୍ୟବସ୍ଥାରେ ପୋଲିସ ପ୍ରଶାସନକୁ ଏକ ଶ୍ରେଷ୍ଠ ସେବାକାରୀ ସଙ୍ଗଠନ ଭାବରେ ଗ୍ରହଣ କରା କରାଯାଇଥାଏ  । କିନ୍ତୁ ଏହା ଅତ୍ୟାଚାରୀ ଏବଂ ଚାମଚାଖୋରର ପ୍ରତୀକ ନୁହେଁ । ଏଥିପାଇଁ ରାଜନୈତିକ ସ୍ତରରେ ଜନତାଙ୍କ ପ୍ରତି ଏକ ନିଷ୍ଠତା ଏବଂ ବିଶ୍ୱସନୀୟତା ଦ୍ୱାରା ସମ୍ଭବ ହୋଇଥାଏ । ଉଭୟ ଯଦି ପଥଚୁ୍ୟତ ହୁଅନ୍ତି , ପରିଶେଷରେ ଜନତା ନ୍ୟାୟାଳୟ ଧାଇଁଥାଏ  ।  କିନ୍ତୁ ପୋଲିସ ଯଦି “ବିନା ମେଘେ ସୃଜି ପାରଇ କୁଳିଶ” ନୀତିରେ ଖିଲାପ କରେ, ତେବେ ଜନତା ନ୍ୟାୟ ପାଇବ କିପରି,ଯାହା ଆଜି ରଞ୍ଜନ ଭାଇ ହତ୍ୟାକାଣ୍ଡରେ ପ୍ରତୀୟମାନ ହୋଇଛି  । ରାଜନେତାଙ୍କୁ ତୁଷ୍ଟୀକରଣ କରିବା ପରି ପୋଲିସ ଦ୍ୱାରା ମିଛ କାହାଣୀ ରଚାଯାଇଛି ।ସୁପରିକଳ୍ପିତ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦିଆଯାଇଛି  । ଏହା ଦ୍ୱାରା ପୋଲିସ୍ ସର୍ବ ସାଧାରଣଙ୍କ ଦ୍ୱାରା ଆସ୍ଥା ଭାଜନ ହୋଇ ପାରିବ ତ ? ନା ଅଶୀ ଦଶକର  ଛବିରାଣୀ ହତ୍ୟାକାଣ୍ଡ ପରି ଏକବିଂଶ ଶତାଦ୍ଦୀରେ ଏହାର ପୁନରାବୃତି ହେବ ? ଦଳୀୟ ରାଜନୈତିକ ସ୍ବାର୍ଥ ଚରିତାର୍ଥ କରିବାର ମନୋବୃତିରେ ପୋଲିସ ନିୟୋଜିତ କରି ଶାସନ କଳକୁ ଅକାମୀ କରିବା  ଦ୍ୱାରା ସାଧାରଣ ଜନତା ସତରେ କଣ ନ୍ୟାୟ ପାଇବ ? ବାସ୍ ବାସ୍ ରଞ୍ଜନ ଭାଇ ! ତୁମେ ଯେଉଁଠି ଥାଅ ଭଲରେ ଥାଅ । ହେଲେ ମୋତେ ଲାଗେ ଆଜି ତୁମେ ଅତୃପ୍ତ  । ଯେଉଁ ବୁର୍ଜୁଆ ଶାସନ ପାଇଁ ସ୍ବର ଉଠାଉଥିଲ, ତାହା ଆଜି ଥମି ଗଲେ ମଧ୍ୟ ତୁମେ ଆମ ହୃଦୟରେ ଏକ ଅମ୍ଳାନ ପ୍ରଦୀପ ଝଟକୁଥିବ ଏକ ନୂଆ ଆଶା ଆଉ ପ୍ରେରଣା ନେଇ । ୠଞ୍ଜନ ଭାଇ ଅମର ରହେ ।
                                                          ସଂପାଦକ-ଉଦୟଭାନୁ,ଭୋଦଳ                                                                                                                                                              ପାଟସୁନ୍ଦରପୁର,କଟକ-୦୧୮

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବାହୁଡି ଆସହେ ବାହୁଡା ଗୋସାଇଁ

ତୁମେ ତ ସବୁ ଜାଣିଛ, ମନ ଯାହା ଚାହେଁ ତାହା କଣ ହୁଏ? ତଥାପି ଆଜି ତୁମର ପୁଣ୍ୟ ଶାମ୍ବ ଦଶମୀ ତିଥିରେ ତୁମ ପାଇଁ ଏବଂ ମୋର ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ କବିତା“ବାହୁଡି ଆସହେ ବାହୁଡା ଗୋସାଇଁ”  ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ବାହୁଡି ଆସହେ ବାହୁଡା ଗୋସାଇଁ,
ପ୍ରପିଡୀତ ଜାତି ରହିଛି ଅନାଇ,
କୃପା ନେତ୍ରେ  ପ୍ରିୟ ଥରେ ଦିଅ ଚାହିଁ,
ଏହି ପ୍ରାଣ ଜାଗି ଉଠୁ  ତୁମ ପାଇଁ । ।
ବଟ ଛାଇ ତଳେ ଲଗାଇଲ ନାଟ,
ରିତି ନୀତି ପାଇଁ ପଢାଇଲ ପାଠ,
ଦୁସ୍ଥ ଜନ ମୁଖେ ହସ ଦେବା ପାଇଁ,
ନିରାଶ କାଳିମା ଦେଲ ହେ ଦୂରେଇ ।
ନୀଚ୍ଚ ଜନ ପାଇଁ  ଦେଲ ସମାନତା,
ତବ ପ୍ରେରଣାରେ ଜାଗିଲା ଜନତା;
 ସମାଜ କଲ୍ୟାଣେ ପରଂବ୍ରହ୍ମ ଧ୍ୟାୟୀ,
ନିଗମ ଆଗମ ଦେଲ ହେ ବତାଇ । ।
ନୂଆ ଘର ଦିନେ ପୁରୁଣା ହୋଇବ,
ଶୁନ୍ୟ ଲହଡିରେ ସବୁ ଭାସିଯିବ ।
ପ୍ରାଣ କାନ୍ଦୂଥିବ  ଛଟ ପଟ ହୋଇ,
ପାପ ଆଉ ପୂଣ୍ୟର ହିସାବକୁ ନେଇ । ।
ଦୁଃଖୀ ଜନ ସେବା,ପ୍ରଭୁଙ୍କର ସେବା,
ଗରିବ ଓଠରେ ହସ ଭରିଦେବା ।
ଦୀନ ପ୍ରାଣେ, ନିତ୍ୟ ସ୍ବରୁପକୁ ଧ୍ୟାୟୀ,
ବିଭୁ ପୂଜା ସେହି,ଆନ ତ ନୁହଁଇ । ।
ତୁମରି ବିହୁନେ,ଲାଗେ ଶୁନ୍ୟ ଶୂନ୍ୟ,
କାହିଁଗଲ ତୁମେ ହେ  ପ୍ରିୟ ପରମ ।
ତବ କିର୍ତୀ ଝୁରେ, ମୁଢ ମନ,ଏହି 
ଝୁରେ ପ୍ରାଣ ଆମ, ଆସ ତୁମେ ଧାଇଁ । । ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଶଙ୍ଖା ସିନ୍ଦୁର

ଜାୟାର ସୋହାଗ ଶଙ୍ଖା ସିନ୍ଦୁର,
ପ୍ରେମ ମଧୁ ଝରେ ଯହିଁ ନିରନ୍ତର,
ସୁହାଗିନୀ ଚାହେଁ ସ୍ନେହ ସମର୍ପଣ,
ଏ ବନ୍ଧନ ହେଉ ସାତ ଜନମ ।
ମଧୁ ମୟ ହୁଏ ଜୀବନ ସାରା,
ଧନ୍ୟ ଏ ସଂପର୍କ ଅବୋଲକରା । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଘୋଡାଚଢା ଶାସନ

ଶୁଭ ପ୍ରଣାମ!ପ୍ରଥମେ ଏହି ବ୍ୟଙ୍ଗ କବିତାରେ କିଛି ଇଂରାଜୀ ଶବ୍ଦ ବ୍ୟବହାର କରି ଥିବାରୁ,ଓଡ଼ିଆ ଭାଷା ଅନୁରାଗୀଙ୍କ ଠାରୁ କ୍ଷମା ଚାହୁଁ ଅଛି। ବିଶେଷ କରି ଅଧୁନା ସମୟରେ ଡବଲ ହେଲମେଟ୍ ପ୍ରରିପ୍ରେକ୍ଷୀରେ ମୋର କବିତା "ଘୋଡ଼ା ଚଢା ଶାସନ' ପାଠ କରି, ମତାମତ ପ୍ରଦାନ କରିବା ପାଇଁ ଅନୁରୋଧ।
ଓଡିଶାରେ  ଏ କି ଆଇନ୍ !
ଫାଇନ୍ ଉପରେ ଫାଇନ୍,
 ବଢୁଅଛି ସପ୍ ଓା୍ୱଇନ୍
 ରାଜସ୍ବ ପାଇଁ କି ମନ ଛଟପଟ,
 ପଡିଗଲା ସତେ ଭାଳେଣି !
ରାସ୍ତା ଘାଟ ପଛେ;ଖାଲ ଖମା ହେଉ,
ରାଜସ୍ବରେ ମୋର ଥଳି ପୁରିଯାଉ,
ଡବଲ ହେଲମେଟ୍ , ଜୀବନ ସୁରକ୍ଷା;
ସର୍କାରୀ ଆଇନ୍ ହୁଏ ଭାଉ ଭାଉ,
ଗଣିବ ଫାଇନ୍ ଗାଡି ଚଲାଇଲେ,
ତୁମ ପାଶେ ଲାଇସେନ୍ସ ଥାଉ କି ନ ଥାଉ । ।
ଅପଡେଟ୍ ଥିବ ବୀମା ଲାଇସେନସ୍,
ଗାଡି ଚଲାଇବ, ଥିବ ତୁମ ସେନ୍ସ,
ମଦୁଆ ପାଇଁ କି ନୋ ସସ୍ ପେନ୍ସ,
ଧକ୍କା ପଛେ ହୋଇଯାଉ,
ଖୋଲା ରଖିଥିବି  ମଦର ଦୋକାନ,
ରାଜସ୍ବ ଆସିବ,ହୋଇ ଘନ ଘନ,
ଜନତା ଚୁଲି କି ଯାଉ । ।
ସପ୍ତାଶ୍ଚର୍ଯ୍ୟ ତୁମେ,ଧନ୍ୟ ଏ ଶାସନ,
ଜଗତେ କେବଳ,ଜନେ ହସିବେ,
ମହାକାଳ ଫଳ, ଚହଟ ସୁନ୍ଦର,
ଜନେ ଖାଇ ସତେ; ମୃତ୍ୟୁ ଲଭିବେ । 
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...