ଅକ୍ଟୋପସ୍

(ମାଧବାନନ୍ଦ ଭୋଇ)

(ଏ ଗଳ୍ପ ପ୍ରଚ୍ଛଦ ପଟରେ କିଛି କଥା ଆଉ ସତ କଥା- ଏକଦା ମୋର ପ୍ରିୟ ମାର୍ଗଦର୍ଶକ ତଥା ସ୍ରଷ୍ଟା ଇଶ୍ରାର ଖାନଙ୍କ ବିୟୋଗ ଜନିତ ଶୋକ ସଭା ସମାପନ ପରେ ଗବବସ୍ତ ବଜାରରେ ଚା ପାନ ସମୟରେ, ଲେଖିବା କଥା ଆଲୋଚନା ହେଉ ହେଉ, ମୋର ବଡ ଭାଇ ତଥା କବି ରାଧାଶ୍ୟାମ ମହାନ୍ତି ଏହି ଗପର ଥିମ୍ ଦେଇଥିଲେ । ବହୁତ ଥର ଭାବିଛି ଲେଖିବା ପାଇଁ  । ସମୟ ହୁଏ ନି  । ଆଜି ବି ସମୟ ନ ଥିଲା ।  ମୋର ବ୍ୟକ୍ତିଗତ ବିଭିନ୍ନ ସମସ୍ୟା ଥିଲେ ବି , ଗର୍ଭ ବେଦନା ସହି ନ  ପାରି  ତ୍ୱରିତ ପ୍ରସବ କରିବା ପରି ଏ ଗଳ୍ପଟି ଲେଖିଛି ଏକା ଥରକରେ  । ଗପରେ  ୯୦ ଭାଗ ସତ୍ୟ ଅଛି  ।  କାହାକୁ ଇଙ୍ଗିତ କରି ଲେଖି ନାହିଁ  । ଯଦି ଏ ଗପ କାହା ମନରେ  ଯନ୍ତ୍ରଣା ଦିଏ, ନିଜର  ସ୍ବଗୁଣରେ ମୋତେ କ୍ଷମା କରିଦେବା ପାଇଁ ଅନୁରୋଧ)
କୋଭିଡ୍ ଆସିଲା   । କାହାର ପୁଷ ମାସ, କାହାର ସର୍ବନାଶ ନ୍ୟାୟରେ କାହାର ମୁହଁରୁ ହସ ଛଡାଇ ନେଲା ତ  କାହାକୁ କୋଟିପତି କରି ଦେଲା ।  ଜନତା  ଜନାର୍ଦ୍ଦନ ତୁଣ୍ଡି ପିନ୍ଧି ଭୋକ ଉପାସରେ ଡହ ଡହ ହେଉଥିଲା ବେଳେ, ସୁଯୋଗ ମିଳିଛି ବୋଲି  କିଛି  ନେତା କୁଜିଙ୍କ ସହିତ ରାଜକୋଷକୁ ଲୁଟି ଚାଲିଥିଲେ;ଆସନ୍ତା ପିଢୀମାନଙ୍କ ପାଇଁ ନତୁବା ଆସନ୍ତା ନିର୍ବାଚନରେ ଟଙ୍କା ବାଂଟିବା ପାଇଁ । କିନ୍ତୁ  କଟ ବାବୁଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା । ଛାତି କୋରି ହେଉ ଯାଉଥିଲା ନିଜର ଭେଣ୍ଡା ପୁଅକୁ ହରାଇ  । ଏମିତି ତ ପୁଅ ଗୋଟେ ବେସରକାରୀ କଂପାନୀରେ କିରାଣୀ ଥିଲା । ହସ ଖୁସିରେ ଚାଲି ଯାଉଥିଲା ଛୋଟିଆ ସଂସାର  । ହେଲେ କୋଭିଡ୍ ଆସିଲା , ସବୁ କିଛି ସାରିଦେଲା । ଏହା ପରେ ବେଡି ଉପରେ କୋରଡା ମାଡ  ।  ପୁଅ ମରୁ ପଛେ , ଲୋକଙ୍କର କଣ ଭାସି ଯାଉଛି  । ବଡ ମରା ପରା;ଦଶ ଦିନେ ଦଶ ତୁଠ କରି  ଶୁଦ୍ଧି ହେବ  । ସାହି ଭାଇ ଛଅର ହେଲା ପରେ ନୁଆ ଲୁଗା ପିନ୍ଧିବେ  । ତା  ପର ଠୁ ବେଳାଏ ଆଉ ଦି ବେଳା ହୋଇ  ଚଉଦ ଦିନ ମେଳା ପର୍ଯ୍ୟନ୍ତ  ଖାଇ ଚାଲିଥିବେ । ନ ହେଲେ ତାର ଜୀବାତ୍ମା ନର୍କରେ ଘାଂଟି ହେବ  । ସତରେ କେତେ କୁତ୍ସିତ ପରମ୍ପରା  ଏଠି  । ସମ ବେଦନା ବଦଳରେ ନର୍କ ଯାତନା । କଟ ବାବୁ ମାସକର ପେନସନ୍ ଏ ଶୁଦ୍ଧଘର କାମରେ ସରିଗଲା ପରେ  ହାତ ଉଦ୍ଧାରି କିଛି ହୋଇ ଯାଇଥିଲା । ଘର ଚଳିବା ପାଇଁ ବି ନିକଟରେ ଟଙ୍କା ନ ଥିଲା ।
ପୁଅର ଟଙ୍କା କିଛି ବ୍ୟାଙ୍କରେ ଅଛି  । ହେଲେ ଉଠାଇବା ପାଇଁ, ବିନା ଉତରାଧିକାରୀ ପ୍ରମାଣପତ୍ରରେ  ଟଙ୍କା ମିଳିବ ନାହିଁ ବୋଲି ବ୍ୟାଙ୍କ ପରିଚାଳକ ମନା କରିଦେଲେ ।  ଉତରାଧିକାରୀ ପ୍ରମାଣ ପତ୍ର ପାଇଁ ଜନ  ସେବା କେନ୍ଦ୍ରରେ ଆବେଦନ କରିବା ପାଇଁ ପଡିବ  । କେତେ ପ୍ରକାର କାଗଜ ପତ୍ର ଦରକାର  । ଆଫିଡେଭିଟ୍   କରିବା ବ୍ରିଟିଶ ଅମଳର ପରମ୍ପରା ବୋଲି ରାଜ୍ୟ ସରକାର ମନା କରି ଦେଲା ପରେ ବି ତହସିଲଦାରମାନଙ୍କ ବ୍ରିଟିଶ ପ୍ରିତୀ ଯାଉନାହିଁ  । ବିନା ଆଫିଡେଭିଟ୍ ରେ ଉତରାଧିକାରୀ ପ୍ରମାଣପତ୍ର ଆବେଦନ କରା ଯାଇପାରିବ ନାହିଁ  । ନ ହେଲେ  ଦରଖାସ୍ତ ନାକଚ ହୋଇଯିବ  । ହେଲେ ମଂଜ କଥା ଯାଇ ଆଉ କେଉଁଠି ? ତହସିଲରେ ଓକିଲ ଗୁଡାକ ପୁଣି ବଂଚିବେ କେମିତି ଯେ ?  ପେଟ ପାଟଣା କଥା ଅଛି ନା  । ମନେ ମନେ ଚିଡି ଯାଉଥିଲେ କଟ ବାବୁ  ।   ତାପରେ ଆଉ ଗୋଟେ ସମସ୍ୟା ।  ରାଜସ୍ବ ନିରୀକ୍ଷକଟା ଭେଣ୍ଡିଆ ହେଲେ କଣ ହେବ,  କଂପୁ୍ୟଟରରେ ଅନ୍ ଲାଇନ୍ ରିପୋର୍ଟ କରି ଅପଲୋଡ୍ କରି ପାରିବନି  । ଦରଖାସ୍ତ ନେଇ ରିପୋର୍ଟ ପାଇଁ ଆର. ଆଇ. ଅଫିସ୍ ଚାଲ ।   ସେଥିରେ ବି କିଛି ପେଂଚ ଥିବ ବୋଧେ ।
ଉତରାଧିକାରୀ ପ୍ରମାଣ ପତ୍ର ପାଇଁ ଦରଖାସ୍ତ ଦେବାର ମାସେ ହୋଇ ଗଲାଣି ।  ଦି ଚାରି ଥର ଗଲା ପରେ ଆର.ଆଇ. ଟା ଆସୁନାହିଁ  ଗାଁଆକୁ ରିପୋର୍ଟ କରିବା ପାଇଁ  ।   ମନେ ମନେ ବିରକ୍ତ ହୋଇଯାଉଥିଲେ କଟ ବାବୁ  । ନିଜର ବହୁତ କାମ ଥିଲେ ବି  ସମୟ ନଷ୍ଟ କରି ଆର. ଆଇ. ଅଫିସ୍ ଦୌଡି  ଦୌଡି   ନୟାନ୍ତ ହୋଇଯାଇଥିଲେ ।  ଆଜି ଯାହା ବି ହେଉ, କଳେ ବଳେ କୌଶଳେ କାମଟା କରିବାକୁ ହେବ  ।  ନହେଲେ ପିଲା/ଛୁଆଙ୍କ ମୁହଁରେ ଆହାର ବି ଦେଇ ହେବ ନାହିଁ  । ଦିନ ବାରଟାରେ ଆର. ଆଇ. ଅଫିସରେ ପହଂଚିଲେ କଟ ବାବୁ  । ଆର. ଆଇ.  ମହାଶୟ ଲାପଟପରେ କଣ ଗୋଟେ କରୁଥିଲେ ବୋଧେ । ଶଃ, ଆଶ୍ଚର୍ଯ୍ୟ କଥା ତ ।  କଂପୁ୍ୟଟର କାମ ଜାଣି ନାହିଁ ବୋଲି ଅନ୍ ଲାଇନ୍ ରିପୋର୍ଟ କରିବନି  ।  ପୁଣି ଏକି ଫାର୍ସ ଚାଲିଛି । ନମସ୍କାର ଗୋଟେ ପକାଇ କାକୁସ୍ଥ ହୋଇ ଠିଆ ହୋଇ ରହିଲେ କଟ ବାବୁ । 
- କଣ ହେଲା, କାଇଁ ଆସିଛ ?
- ସାର୍! ଆମର ଉତରାଧିକାରୀ ପ୍ରମାଣ ପତ୍ର ପାଇଁ  ରିପୋର୍ଟ ଟା ହେଲା ନି ଯେ ?
- ଓହୋ, କେତେ କାମ କରିବ ଯେ, ହଉ, ବାହାରେ ଆମର ପିଅନ ଧେଡୁ ଭାଇନା ଅଛି ।   ତମେ ଟିକେ କଥା ହୋଇ, ତାକୁ କହିବ ତମ ଫର୍ମଟା ଟିକେ ଖୋଜି ମୋତେ ଦେଇଦେବ । ମୁଁ କରିଦେବି ।
    ଧେଡୁ ଭାଇନାକୁ ଖୋଜିବା ପାଇଁ ବେଶି ସମୟ ଲାଗିଲାନି ? ସେ ଦିନ ବୋଧେ ଅଫିସରେ ଆଇଁଷ ହୋଇଥିଲା ନା କଣ ? ଆର. ଆଇ. ଅଫିସଟା ଆଇଁଷିଆ ହୋଇ ମହ ମହ ବାସୁଥିଲା । ଧେଡୁ ଭାଇନା ଫିକ୍ କରି ହସିଦେଲା କଟ ବାବୁଙ୍କୁ ଦେଖି ।
- ଆପଣଙ୍କ କାମ ଆଜି ଯାଏ ହୋଇନି ଯେ  ।
- ଦେଖୁଚ ତ ଆସୁଛି, ପୁଣି ପଚାରୁଛ  ।
-କଣ କରିବା ? ସମୟ ତ  ହଉନି । କେଉଁ ଦିନ ଗୋଟେ ଯିବା ।
- ମାନେ! ଆରେ ଭାଇ, କଣ ଗୋଟେ କର  ।
- ହୁଁ! ଏଥର ଲାଇନ୍ ଉପରକୁ ଆସିଲ । କଣ ଗୋଟେ ଦବ । କରିଦେବା ଆଉ । ଆମ ଭିତର କଥା ।
                       ଧେଡୁ ଭାଇନା ସହିତ ମୁଲ ଚାଲ ଛିଡିଗଲା ।  ୩୦୦ ଟଙ୍କା ଲାଂଚରେ ରିପୋର୍ଟ ହୋଇଯିବ ବୋଲି ସଫା ହୋଇଗଲା । ହେଲେ ଏକ ସପ୍ତାହ ବିତି ଗଲା ପରେ ବି କଟ ବାବୁଙ୍କ ରିପୋର୍ଟ ହେଉ ନ ଥିଲା । ଆର. ଆଇ. ମହାଶୟଙ୍କୁ ଅପେକ୍ଷା କରି କରି ଆଖି ପାଣି ଆଖିରେ ମରୁଥିଲା । ହେଲେ ପରେ ପରେ ଦୁଇ ଥର ଆର. ଆଇ. ଅଫିସକୁ ଗଲା ପରେ ବି ଆର. ଆଇ. ମହାଶୟଙ୍କ ସହିତ ସାକ୍ଷାତ ହୋଇ ପାରୁ ନ ଥିଲା ।  କାମ ହୋଇଯିବ ବୋଲି ଧେଡୁ ଭାଇନା  କହୁଥିଲା ସିନା କଟ ବାବୁ ମୁହଁରେ କହି ନ ପାରୁଥିଲେ ବି ମନେ ମନେ ବିଡ୍ ବିଡ୍ ହୋଇ ଫେରି ଆସୁଥିଲେ । ସାଦା ସିଦା ମଣିଷମାନେ କଣ ବା କରି ପାରିବେ ? ସମାଜରେ ଦୁର୍ନିତୀର ଅକ୍ଟୋପସ୍ କିଲ୍ ବିଲ୍ କରି ସମାଜକୁ ଜାବୁଡି ଧରିଛି । ଝୁଣି ଝୁଣି କରି ଶୋଷୁଛି ନିରୀହ ଜନତାଙ୍କ ଝାଳବୁହା ରକତକୁ । ଆଜି ବି ନେତାମାନେ ଦୁର୍ନିତୀ ପଥର ପଥିକ । ବୁ୍ୟରୋକାଟଙ୍କ ଠାରୁ  ତଳିଆ କର୍ମଚାରୀମାନେ ମଧ୍ୟ ସେଇ ପଥର ପଥିକ । ଲାଂଚ ନ ଦେଲେ ଜନ ସାଧାରଣଙ୍କ କୌଣସି କାମ ହୋଇ ପାରିବ ନାହିଁ  । ବଡମାନେ ଖାଉଛନ୍ତି । ନେତା ମନ୍ତ୍ରୀମାନେ ଖାଉଛନ୍ତି  । ଆମେ ବାଦ୍ ପଡିବୁ କାହିଁକି ? ଆମେ କଣ ନିଆଁରେ ମୁତିଛୁ କି?
କଟ ବାବୁଙ୍କ ଧୈର୍ଯ୍ୟର ସୀମା ଲଙ୍ଘନ କରୁଥିଲା । ଶଃ..କୁ ଟଙ୍କା ଦେଇଛି  । ଆଜି ଯାହା ବି ହେଉ କରି କି ଆଣିବି  ।  ଶଃ..  ମୋତେ ମଫୁ ବୋଲି ଭାବିଛି  ।  ମନେ ମନେ ବିଡ୍ ବିଡ୍ ହୋଇ ଆର. ଆଇ. ଅଫିସରେ   କଟ ବାବୁ ପହଂଚିଲେ । ଆର. ଆଇ. ମହାଶୟ ଚଷମା ଟେକି ଦେଲେ ।
- ମଉସା, ଆପଣଙ୍କ କାମ ସରିନି କି ?
- ଭଲ କଥା କହୁଛନ୍ତି ସାରେ, ଯଦି ଆପଣ କରିଥାନ୍ତେ ମୁଁ କାହିଁ ଚୋର ପୁଲିସି ଖେଳିବା ପାଇଁ ଆସୁଥାନ୍ତି ।
- ହେଃ, ମଉସା ସେ କଥା ଛାଡ?  ତମ  ଘର ପାଖରେ କାହା ମୋବାଇଲ୍ ନମ୍ବର ଅଛି କହିଲ ?
- କାହିଁକି  । ହଉ ଦଉଛି?
                     ମୋବାଇଲ୍ ନମ୍ବର ଦେଲା ପରେ ଆର. ଆଇ. ମହାଶୟ ଫୋନ କରି କଟ ବାବୁଙ୍କର ପରିବାର କଥା ବୁଝିଦେଲେ  । ରିପୋର୍ଟ ଲେଖା ସରିଗଲା । ରିପୋର୍ଟ ତଳେ ଆର. ଆଇ. ମହାଶୟ ପାଂଚଟା ଛକି ମାରିଦେଲେ । ବହୁତ କାମ ଅଛି ବୋଲି ଆଉ ଯାଇ ହେବନି, ପାଂଚଟାଛକିରେ ପାଂଚଟା ସାକ୍ଷୀ  ଦସ୍ତଖତ କଲାପରେ ଜନସେବା କେନ୍ଦ୍ରରେ ଆବେଦନ କରିବା ପାଇଁ କହି ଆର. ଆଇ. ମହାଶୟ ଦରଖାସ୍ତ ଫର୍ମ ବଢାଇଦେଲେ କଟ ବାବୁଙ୍କୁ । କଟ ବାବୁ ମନେ ମନେ ରକ୍ତ ଚାଉଳ ଚୋବାଇ ଆର. ଆଇ.ର ଚଉଦ ପୁରୁଷକୁ ଗାଳି ଦେଇ ଘରେ ପହଂଚିବା ଛଡା ଅନ୍ୟ କିଛି ବାଟ ନ ଥିଲା ।
ଆଜି ଶୁକ୍ର ବାର । ଅଡଶପୁର ହାଟ ଅଛି । ପନିପରିବା କିଣିବା ପାଇଁ ପଡିବ  ।  ହାଟରେ କିଛି ବନ୍ଧୁ ଦେଖା ହେବା ସହିତ ବନ୍ଧୁ ମିଳନ ବି  ହୋଇଯିବ ।    ପାଇଟାଳ ଚା ଦୋକାନ ନିକଟରେ  ନିଜର ମଟର ସାଇକେଲଟିକୁ ପାର୍କିଂ କଲା ବେଳେ, ଧେଡୁ ଭାଇନା ଦେଖାହୋଇଗଲା ।  ଚୋର ଶଃ.. ତମେ ଶଃ .. ହଜାର ହଜାର ଟଙ୍କା  ଦରମା ପାଇ  ଜନ ସାଧାରଣଙ୍କୁ ଏମିତି ଚନ୍ଦେଇବ  ।  ଆମକୁ ଦୌଡାଇ ଦୌଡାଇ ପାଦରୁ ଗଲୁ ମାରିବ  । ଇଛା ହେଉଥିଲା ଦୋ ଅକ୍ଷରୀରେ ଦିପଦ ଝାଡି ଦେବା ପାଇଁ ଧେଡୁ ଭାଇନାକୁ  ।  ଆରେ ଦି ହାତରେ କଣ ବଡ ବଡ ପରିବା ବ୍ୟାଗ୍ କଣ ଧରିଛି ବେ  । ପୁଣି ସମାନ ସମାନ ପରିବା ବି ବ୍ୟାଗରେ ଦେଖାଯାଉଛି ।  ଆଳୁ କିଲୋ ଚାଳିଶ ଟଙ୍କା ଆଉ ତା ପରେ ବି  ଅନ୍ୟ ପନି ପରିବା ସବୁ ଅଶୀ ଟଙ୍କା ଉପରେ  । ମନେ ମନେ ଦ୍ୱନ୍ଦରେ ପଡୁଥିଲେ କଟ  ବାବୁ  । ଘଟଣାଟା କଣ ହୋଇ ପାରେ? ଶଃ..ପଟାଏ କାହାକୁ ମାରିଛି ବୋଧେ ?
-କଣ ମଉସା! ଏମିତି ଚାହୁଁଛ ଯେ ?
- ଆରେ ଧେଡୁ ଭାଇନା, ପରିବା କଣ ଶସ୍ତା ହୋଇଛି ନା କଣ? ହାଟଟା ଉଠାଇ ଆଣିଛ!
- ହେଃ!ଏମିତି ନେଇ ଆଣିଛି?
- କଣ ଏମିତି ଯେ, ଟିକେ ଖୋଲି କି କହୁନ ?
- କଣ କହିବି ମଉସା! ଗୋଟିଏ ବ୍ୟାଗ୍ ମୋର, ଆଉ ଗୋଟିଏ ଆର. ଆଇ.  ସାର୍ ଙ୍କର  । କାଲି ଦ୍ୱିତୀୟ ଶନିବାର ଅଛି ତ  । ସାର୍ ଆଜି ଗାଆଁକୁ ପଳାଇବେ । ତା ପରେ ବି  ଆମ କାମ ହେବ କିପରି ? କିଛି ଦେଲେ ତ ! ମୁଁ ଜାଣିଛି ମଉସା, ତମେ ଆମକୁ ଶୋଧୁଥିବ, ଲାଂଚ ଦଉଛ ବୋଲି  । ହେଲେ ଆମେ କଣ କରିବୁ?   ସେ ଆର.ଆଇ..ଶଃ..ଟା ବଡ ଚୋର । ଆମେ ତ ତଳିଆ ପିଅନ  । ଏଇ ଦେଖୁନ, ପରିବା ଭାଉ ଯାହା ହୋଇଛି,  ତା ପାଇଁ କାହିଁକି ପରିବା କିଣି ବୋହି ବୋହି  ଅଫିସ କ୍ୱାଟରକୁ ନେଇଥାନ୍ତି ।   ଭଲ ପରିବା ଆଣିଛି ମଉସା । ମାଡାମ ବହୁତ ଖୁସି ହେବେ  । ମୁଁ ଦେଇଛି ବୋଲି, ମୋ କାମ ବି ହୋଇଯିବ  । ଦେଖୁନ, ବର୍ତମାନ ଆମର କାମ ଭିଡ ଅଛି । ୱାରସ ସଂଶୋଧନ ଠାରୁ ମୁ୍ୟଟେସନ୍ ପର୍ଯ୍ୟନ୍ତ  । କଚେ ପୁଅ ବାର ?
କଟ ବାବୁଙ୍କର ଆଉ ଶୁଣିବାର ଧୈର୍ଯ୍ୟ ନ ଥିଲା ।    ପରିବା କିଣିବାକୁ ହେବ  ।   ନ ହେଲେ ଅନ୍ଧାର ହୋଇଯିବ  । ଏ ଯୁଗ ଯାହା ହେଲାଣି ନା, ଆଉ କିଛି କହି ହେବ ନାହିଁ ।
ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮, 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜନ ସେବା କେନ୍ଦ୍ର ଭୋଦଳ ଏବଂ "ଉଦୟ ଭାନୁ" ସାମାଜିକ ଓ ସାହିତ୍ୟ ସଙ୍ଗଠନ ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ

ଜୟ ସମ୍ବିଧାନ, ଜୟ ଭାରତ  ।
ଆଜି ଜନ ସେବା କେନ୍ଦ୍ର, ଭୋଦଳ ଏବଂ  ଛତ୍ରପତି ମହାରାଜ୍ ଗ୍ରାମ୍ୟ କମିଟି ମିଳିତ ଆନୁକୁଲ୍ୟରେ ସମ୍ବିଧାନ ଦିବସ  ପାଳନ କରାଯାଇଛି  । ସର୍ବ ପ୍ରଥମେ ଭାରତର ସମ୍ବିଧାନ ପ୍ରଣେତା  ଭୀମ ରାଓ ଆମ୍ବେଦକରଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା  ।     ପରେ ପରେ ସାମୁହିକ ଭାବରେ ସମ୍ବିଧାନ ପ୍ରସ୍ତାବନା ପାଠ କରାଯାଇଥିଲା । ଏହାପରେ  ଭୋଦଳ ଦଳିତ ବସ୍ତିର ବିଭିନ୍ନ ସାମୂହିକ ସମସ୍ୟାଗୁଡିକ ପ୍ରରିପ୍ରେକ୍ଷୀରେ ହୋଇଥିଲା ଏକ ଦଳ ଗତ ଆଲୋଚନା । ବିଶେଷ କରି ବଡ ପାଟସୁନ୍ଦର ଗ୍ରାମ ପଂଚାୟତର ଅନେକ ଉନ୍ନତି କରଣ କରାଯାଇଥିଲେ ମଧ୍ୟ, ବୈମାତୃକ
ଭାବରେ ଉକ୍ତ ଦଳିତ ବସ୍ତିକୁ ଅବହେଳା କରା ଯାଇଛି ବୋଲି ଅନେକ ମହିଳାମାନେ ମତବ୍ୟକ୍ତ କରିଥିଲେ  । ଉକ୍ତ ଗ୍ରାମରେ ଜନୈକ ଗୋଷ୍ଠୀ ଗୃହକୁ  ରାଜନୈତିକ ପ୍ରିୟାପ୍ରିତୀରେ ବାରମ୍ବାର ଅନୁଦାନ ପ୍ରଦାନ କରାଗଲେ ମଧ୍ୟ ଉକ୍ତ ବସ୍ତିରେ  ଏକ ଗୋଷ୍ଠୀ ଗୃହ ନିର୍ମାଣ ନ ହେବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ବିଶେଷ କରି ସାମୁହିକ ସମସ୍ୟା ଭାବରେ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶ୍ମଶାନ ରାସ୍ତା ନିର୍ମାଣ,ଗୋଷ୍ଠୀ ଗୃହ ନିର୍ମାଣ, ଅଙ୍ଗନବାଡି ଗୃହ, ମନରେଗା ଯୋଜନାରେ କାମ କରିବା ପାଇଁ ନୂତନ ଜବ୍ କାର୍ଡ ପ୍ରଦାନ ଓ ଭୋଦଳ ଜଗନ୍ନାଥ ମନ୍ଦିର-କାର୍ତିକ ଭୋଇ ଘର ରାସ୍ତା ନିର୍ମାଣ,ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଗୋଷ୍ଠୀ ପୁଷ୍କରଣୀ ସହିତ ଗୋଷ୍ଠୀ ଶୌଚାଳୟ ସମସ୍ୟା ସଂପର୍କରେ ଆେଲୋକପାତ କରାଯାଇଥିଲା । ଏତଦ୍ ବ୍ୟତୀତ ଭୋଦଳ ଉପ୍ରା ବିଦ୍ୟାଳୟଟି ଅନ୍ୟତ୍ର ସ୍ଥାନାନ୍ତରଣ ହେତୁ   ପିଲା ମାନେ  ଅଧାରୁ ପାଠ  ଛାଡୁଛନ୍ତି  । ତେଣୁ ଉକ୍ତ ବିଦ୍ୟାଳୟଟିକୁ ପୁନଃ କାର୍ଯ୍ୟକ୍ରମ କରାଯାଉ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଥିଲେ । ପରେ ପରେ  ଉକ୍ତ ସାହିରେ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା  ଭାବରେ   ବସୁନ୍ଧରା ଯୋଜନାରେ ଭୂମିହୀନ ମାନଙ୍କୁ ବାସୋପଯୋଗୀ ଜମି, ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ ଭତା, ଜବ କାର୍ଡ, ଆବାସ ଯୋଜନା ମାଧ୍ୟମରେ ଗୃହହୀନମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଆଶାୟୀ ହିତାଧିକାରୀମାନଙ୍କର ଚିଠା  ପ୍ରସ୍ତୁତ କରାଯିବା ସହିତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ  ସ୍ଥାନୀୟ ସରପଂଚଙ୍କ ମାଧ୍ୟମରେ ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ପାରିତ କରାଯାଇଥିଲା । ଏହା ସେଙ୍ଗ ସେଙ୍ଗ  ଜନ ସେବା କେନ୍ଦ୍ର ତରଫରୁ ସମ୍ବିଧାନ  ସଚେତନା ସୃଷ୍ଟି କରିବା ଡାଇଁ ଅନ୍ୟ ଲାଇନ୍ ମାଧ୍ୟମରେ  ସମ୍ବିଧାନ  ପ୍ରସ୍ତାବନା ପାଠ କରିଥିବା ବ୍ୟକ୍ତିମାନଙ୍କୁ  ପ୍ରମାଣ ପତ୍ର ପ୍ରଦାନ  ଏବଂ  ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୂଚନା ପଞ୍ଜୀକରଣ କରିଥିବା ମହିଳା ମାନଙ୍କୁ ମାଗଣାରେ  ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମଟିକୁ ଜନସେବା କେନ୍ଦ୍ରର ପରିଚାଳକ  ତଥା ସାମାଜିକକର୍ମୀ ମାଧବାନନ୍ଦ ଭୋଇ  ଓ ବିଜୟଲକ୍ଷ୍ମୀ ସେଠୀ  ପ୍ରମୁଖ ପରିଚାଳନା କରିଥିଲେ ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଚିଠିରୁ ଫେସବୁକ୍“ହରେକୃଷ୍ଣ ସାହୁ”

 ସାରସ୍ବତ ଜୀବନରେ ଜଣେ ସ୍ରଷ୍ଟା   ପାଠକ ହେବା ଆବଶ୍ୟକ । ସମାଜର କଳାପଟାରେ ଫୁଟି ଉଠୁଥିବା ଘଟଣାଗୁଡିକୁ ପାଠ ନ କଲେ, ଲେଖନୀରେ ରୂପାୟନ ହେବ କିପରି ? ତେବେ ମୁଁ  ଜଣେ ଆଜନ୍ମ ପାଠକଟିଏ ଭାବରେ ବଂଚିବାକୁ ଚାହେଁ  । କଲେଜରେ ପଢିବା ବେଳେ ଜନୈକ ଗୁରୁଜନଙ୍କ ଆଦେଶ କ୍ରମେ ବାଣିଜ୍ୟ ପଢିଲା ବେଳେ, ଆକାଉଂଟିଂର ଲମ୍ବା ଲମ୍ବା ହିସାବ ଫର୍ଦ୍ଦ କଲାବେଳେ, ସାହିତ୍ୟର ପ୍ରେମ ସବୁ ବେଳେ ଆନମନା କରୁଥିଲା । ୧୯୯୪ ମସିହାରେ ପ୍ରାୟତଃ କେତେଟା ଖବର କାଗଜ ଆଉ ସମାଜ/ପ୍ରଜାତନ୍ତ୍ର ସାପ୍ତାହିକୀ  ପଢିବା ପାଇଁ ମିଳୁଥିଲାବେଳେ, ଆମ ଗାଁରେ ପ୍ରାୟ ସେ ସବୁ ପଢିବା ପାଇଁ ସ୍ବପ୍ନ ଥିଲା । ଅଡଶପୁର କଲେଜକୁ ଯିବା ପାଇଁ, ବାଗଲପୁର ଠାରୁ ବସ ଚଢିଲା ବେଳେ ନତୁବା କଲେଜରୁ ଫେରିବା ବେଳେ, ଜଳଖିଆ ଦୋକାନରେ ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ବସ୍ ଆଉ ଟ୍ରେକରକୁ ବସକୁ ଅପେକ୍ଷା  କରିବା ସମୟଗୁଡିକ ଖବର କାଗଜ ପଢିବାରେ କଟିଯାଏ । ସେତେବେଳେ ବାଗଲପୁରରୁ ଅଡଶପୁର ପ୍ରାୟ ଛଅ/ସାତ କିଲୋମିଟର ହୋଇଥିଲା ବେଳେ ଆମ୍ଭକୁ ବସ୍ ଭଡା ୫୦ ପଇସା ଦେବାକୁ ପଡେ । ଏତଦ୍ ବ୍ୟତୀତ ମୋର ସାଙ୍ଗମାନେ କଳା/ ବିଜ୍ଞାନରେ ନାମ ଲେଖାଇ ଥିଲା ସମୟରେ, ମୋର ବାଣିଜ୍ୟ ଥିଲା । କ୍ଲାସ ସମୟ ମଧ୍ୟ ଅଲଗା ଥିଲା । ସେ ସମୟରେ ଆଜିର ଚିଠିରୁ ଫେସବୁକରେ ହରେକୃଷ୍ଣ ସାହୁଙ୍କର ନିବନ୍ଧ ଗୁଡିକ ପଢିବାର ସୁଯୋଗ ପାଉଥିଲି । ମୁଁ  ଆଜି ବିଶ୍ୱାସ କରି ପାରୁନି, ଦୀର୍ଘ  ବର୍ଷ ଅତିକ୍ରାନ୍ତ କଲାପରେ  ୟେ ଚିଠି ପରେ ଫେସବୁକରେ ପୁନଃ ସଂପର୍କ  ।  ଖବର କାଗଜର ସୋସିଆଲ ମେଡିଆରେ ଆଜି ଶ୍ରୀଯୁକ୍ତ ସାହୁଙ୍କର ଲେଖା ପଢିଲାବେଳେ, ଖବରକାଗଜର ମଜା ଆଉ ନାହିଁ । ଅବଶ୍ୟ ଆଜି ଲେଖାଗୁଡିକରେ ପାଠିକା/ପାଠକମାନଙ୍କର ମତାମତ ଦେଖିବାକୁ ମିଳୁଥିଲା ବେଳେ, ଚିଠିର ଆଦାନ ପ୍ରଦାନରେ ଯେଉଁ ଖୁସି, ତାହା ସୋସିଆଲ ମେଡିଆରେ ମିଳେ ନାହିଁ । ତେବେ ଆସନ୍ତୁ ପଢିବା ସେ ଚିଠି... ... ... ...
ମହାଶୟ,
ନମସ୍କାର ନେବେ, ଆପଣଙ୍କ ଚିଠି ପାଇଲି । ଖୁସି ଲାଗିଲା । ଆପଣ ଯେ ମୋର ଲେଖାଟିକୁ ପସନ୍ଦ କରିଛନ୍ତି,ତାହା ମୋ ପାଇଁ ଆନନ୍ଦର କଥା । ଏପରି ପ୍ରଶଂସା ପୂର୍ଣ୍ଣ ଚିଠି ଗୁଡିକୁ ମୁଁ ଛୋଟ ଛୋଟ ମାନପତ୍ର ହିସାବରେ ସମ୍ମାନ ଦେଇ ସାଇତି ରଖେ ।
             ଆପଣ ମୋ ସହିତ ଏକମତ ଅଛନ୍ତି ଏବଂ ଏହି ଭେଦ ଭାବର ସୁକ୍ଷ୍ମତମ ବସ୍ତୁଟିକୁ ଅନୁଭବ କରି ପାରିଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ କଥା । ସମାଜର ଆନ୍ତରିକତା ନାମକ ଅନୁଭବଟି ସଂପୂର୍ଣ୍ଣ ଭାବରେ ଲୋପ ପାଇବା ଅବସ୍ଥାରେ ପହଂଚି ଗଲାଣି । ମନ କଥାଟି ପ୍ରକାଶ କରି ସମବେଦନା ଟିକିଏ ପାଇବା ପାଇଁ ଆଉ ମଣିଷ ମିଳୁ ନାହାନ୍ତି । ଗାଆଁ,ସାହି,ଜାତି,ସୁନ୍ଦର ଅସୁନ୍ଦର, ପାଠକ/ଅପାଠକ ସବୁସ୍ତରରେ ଭିନ୍ନ ଭିନ୍ନ ଗୋଷ୍ଠୀ ତିଆରି ହୋଇଗଲାଣି । ଅର୍ଥାତ ଆମେ ସମସ୍ତେ ଜଣେ ଜଣେ ଏକୁଟିଆ ମଣିଷ । ନିକଟରେ ଥିବା ମଣିଷଟି ଯେ ଆଦୌ ଆମର ପାଖରେ ନାହିଁ, ଏହା ହିଁ ସମାଜର ରିତୀ ହୋଇ ଯାଇଛି । ତେଣୁ ବନ୍ଧୁଟିଏ ପାଇବା ପାଇଁ ଏମିତି ଦୂରକୁ ଦୂରକୁ ହାତ ବଢାଇବା ଏବେ ଆବଶ୍ୟକ ହୋଇ ପଡିଛି । ଆପଣଙ୍କ ସହିତ ସଂପର୍କଟି ସେହିପରି ବନ୍ଧୁତ୍ୱପୂର୍ଣ୍ଣ ବୋଲି ମନେ କରିବେ-ଏହା ହିଁ ଆଶା କରୁଛି ।
              ମୋର ସାରସ୍ବତ ଜୀବନ ବିଷୟରେ ଜାଣିବାକୁ ଚାହିଁଛନ୍ତି । ସେ ବିଷୟରେ ମୁଁ ଲେଖୁଛି । ଆପଣ ମଧ୍ୟ ଆପଣଙ୍କ ବିଷୟରେ ଲେଖି ଜଣାଇବେ । ଗତ ତିନି ବର୍ଷ ଧରି ଧରିତ୍ରୀରେ ଅନିୟମିତ ଭାବରେ ଲେଖୁଛି । ରାଜନୀତି,ସମାଜ ଓ ବ୍ୟକ୍ତିଠାରେ ଥିବା ଅବସ୍ଥାକୁ ସମାଲୋଚନା କରି ନିବନ୍ଧମାନ ଲେଖୁଛି । ଏହା ସହିତ ଅନ୍ୟାନ କେତେ ଗୁଡିଏ ଖବର କାଗଜରେ ଲେଖୁଥିଲି । ଏବେ ଲେଖିପାରୁ ନାହିଁ । କାରଣଟି ହେଲା ପ୍ରାୟତଃ ଖବର କାଗଜଗୁଡିକ କୌଣସି ନା କୌଣସି ରାଜନୈତିକ ଦଳର ମୁଖପତ୍ର ଭଳି ଆଚରଣ ଦେଖାଉଛନ୍ତି । ବରାଦ ଦିଆ ଯାଉଥିବା ଭଳି ଲେଖା ଅଥବା ତାଙ୍କୁ ସୁହାଇଲା ପରି ଲେଖା ସେମାନେ ପ୍ରକାଶ କରିବାକୁ ଚାହାନ୍ତି । ମୁଁ ତାଙ୍କ ନିର୍ଦ୍ଧିତ ଗୁଳାରେ ଏ ପର୍ଯ୍ୟନ୍ତ ପଡି ପାରୁ ନାହିଁ । କାରଣ ତୃଟିଯୁକ୍ତ ପ୍ରତ୍ୟେକ ଘଟଣା, ବ୍ୟକ୍ତି ବା ରାଜନୈତିକ କ୍ରିୟାକଳାପକୁ ମୁଁ ସମାଲୋଚନା କରିଥାଏ । ଖବର କାଗଜମାନଙ୍କର ବ୍ୟବହାର ଭଲ ନ ଲାଗିବାରୁ ଏବେ ସେମାନଙ୍କୁ ଲେଖା ପଠାଇବା ବନ୍ଦ କରି ଦେଇଛି ।
ମୁଁ ଜଣେ ଲେଖକ ବୋଲି ଏ  ପର୍ଯ୍ୟନ୍ତ ଭାବି ପାରି ନାହିଁ । କୌଣସି ଠାରୁ ସ୍ବୀକୃତି ମଧ୍ୟ ପାଇନାହିଁ  । ଲେଖକଟିଏ ହୋଇ ପାରିବି ବୋଲି ଆଶା ମଧ୍ୟ ନାହିଁ  । କେବଳ ମନ ଭିତରକୁ ଭାବନା ଗୁଡିକ ପଶି ଆସୁଥିବାରୁ ମୁଁ ତାକୁ ଉତାରି ପକାଏ । ସେଥିରୁ କିଛି କ୍ଷୁଦ୍ର ଗଳ୍ପ.କିଛି ଲଳିତ ନିବନ୍ଧ ଓ କିଛି ସମାଲୋଚକ ମୂଳକ  ନିବନ୍ଧ ହୋଇଯାଏ ।
୮୫/୮୬ ମସିହାରେ ସ୍ତମ୍ଭକାର ହିସାବରେ ୨/୩ଟି ଖବର କାଗଜରେ ନିବନ୍ଧ ଲେଖୁଥିଲି । ମଝିରେ ୧୦/୧୨ ବର୍ଷ ଧରି ଲେଖା ଲେଖି କରିବାରେ ଅବହେଳା କରିବାରୁ ଆଜି ପଛରେ ପଡି ଯାଇଛି । ଅନାମଧ୍ୟେୟ ଲେଖକର ନିବନ୍ଧଟିଏ ଆପଣଙ୍କୁ ଭଲ ଲାଗିଥିବାରୁ ମୁଁ ଆପଣଙ୍କ ଠାରେ କୃତଜ୍ଞ । ।ଇତି ।
ଆପଣଙ୍କର "ହରେକୃଷ୍ଣ ସାହୁ" ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଭିକ୍ଷାଂ ଦେହି

     

                      
   କାହାଣୀର ଅୟମାରମ୍ଭ  ଡିସେମ୍ବର ୨୦ ତାରିଖ ୨୦୨୦ ମସିହାରୁ । ସମୟ ପ୍ରାୟ ଏକ ଘଟିକା ହେବ  । ଜଣେ ଦିବ୍ୟାଙ୍ଗ   ରାସ୍ତାରେ ଠିଆ ହୋଇ ସାହାଯ୍ୟ ମାଗୁଥାନ୍ତି  । ସେ ଅନ୍ୟ ଭିକ୍ଷୁ ଠାରୁ ଅଲଗା ଲାଗୁଥିଲେ ।   ତାଙ୍କର କଥା,ଜଣେ ଦରଦୀ ମଣିଷର କଥା ପରି ଯେତେ ଆପଣାର ଲାଗୁଥିଲା, ସେତିକି ମଧ୍ୟ କାରୁଣ୍ୟ ଲାଗୁଥିଲା ।   ପରେ ପରେ ଯଥା ସମ୍ଭବ ବ୍ୟବସ୍ଥା କରିବା ସହିତ ବାଧ୍ୟ କରି ଭୋଜନ କରାଇ ବିଦାୟ ଦେଲି  । ଏହାପରେ  ୨୦୨୧ର ପ୍ରଥମ ଦିନ ତାଙ୍କ ଘରେ ସସ୍ତ୍ରୀକ ପାଳନ କରିଥିଲୁ  । ସଂପର୍କ ତ ଏମିତି  । ନିଜ ରକ୍ତର ମଣିଷମାନେ ସ୍ବାର୍ଥର ଦ୍ୱାହି ଦେଇ ଆତ୍ମୀୟତା ଭୁଲିଯିବା ବେଳେ, କାହିଁ କେତେ ଦୂରର ମଣିଷମାନେ ନିଜର ନିଜର ଲାଗନ୍ତି  ।ପରସ୍ପର ସୁଖ ଦୁଃଖ ବୁଝୁ ବୁଝୁ ସଂପର୍କଟା କେଉଁ ଏକ ମମତ୍ୱ ଡୋରୀରେ ବାନ୍ଧି ହୋଇଯାଏ । ସେ ମଣିଷଟି  ଚାରିଛକ ନିକଟସ୍ଥ ଦଣ୍ଡିକିରା ଗ୍ରାମର ପ୍ରଫୁଲ୍ଲ କୁମାର ରାଉଳ ବନାମ ମୋ ପାଇଁ ପ୍ରଫୁଲ୍ଲ ଭାଇ । ୧୯୭୫ ମସିହାରେ ଜନ୍ମ ଲାଭ କରି  ରାମଚନ୍ଦ୍ର ସଂସ୍କୃତ ମହା ବିଦ୍ୟାଳୟରୁ  ୨୦୧୧ ମସିହାରେ ସଂସ୍କୃତରେ   ଉପଶାସ୍ତ୍ରୀ ପାସ୍ କରିଛନ୍ତି । ଏତଦ୍ ବ୍ୟତୀତ  ଏମ୍.ଏସ୍. ଏମ୍. ଇ. ଭାରତ ସରକାରଙ୍କ ଠାରୁ ଏକ ଇ.ଡି.ପି ଟ୍ରେନିଂ ମଧ୍ୟ ନେଇଛନ୍ତି  । ହେଲେ ଚାକିରୀ ମିଳିଲାନି  । ବୟସ ଅନୁସାରେ ବିବାହ ମଧ୍ୟ ହୋଇଗଲା । ହେଲେ ଘର ଚଳିବ କିପରି ?  ବାଧ୍ୟ ହୋଇ ସୂତା କଳରେ ଦାଦନ ଖଟିବା ପାଇଁ ପାଇଁ  ସୁରଟ ଚାଲିଗଲେ ପ୍ରଫୁଲ୍ଲ । ରୋଜଗାର କରି ଘରକୁ ମଧ୍ୟ ଟଙ୍କା ପଠାଇଲେ । ହେଲେ ବିଧିର ବିଧାନ ଅଲଗା । ପୂଜା ଛୁଟିରେ ଟ୍ରେନରେ ଘରକୁ ଫେରିବା ସମୟରେ କିନ୍ନରମାନର ଟଙ୍କା ମାଗିଲେ । ନ ଦେବାରୁ ଟ୍ରେନରୁ ଠେଲି ଦେଲେ  । ପ୍ରଫୁଲ୍ଲଙ୍କର ଡାହାଣ ଗୋଡଟି କଟିଗଲା ।  ଦୁଃଖର ବାଦଲ ଘୋଟିଗଲା ପ୍ରଫୁଲ୍ଲଙ୍କ ଜୀବନରେ  । 
                            ବର୍ତମାନ ଘରେ  ବାପା,ମାଆ, ସ୍ତ୍ରୀ ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ସଂସାର  । ଝିଅ ନବମରେ ପଢୁଥିଲା ବେଳେ ପୁଅ  ପଂଚମରେ ପାଠ ପଢନ୍ତି  । ଉଭୟ ପୁଅ ଝିଅ ଦୁଇ ଜଣ ମଧ୍ୟ ମେଧାବୀ ଅଟନ୍ତି  । ଏତଦ୍  ବ୍ୟତୀତ  ପ୍ରଫୁଲ୍ଲଙ୍କର ହୃଦ ରୋଗ । ମାସକୁ ମାସ  ଔଷଧ  ପାଇଁ  ପ୍ରାୟ ଏକ ହଜାର ଟଙ୍କା ଆବଶ୍ୟକ  । ନିଜର ପରିବାର ଚଳାଇବା, ପିଲାଙ୍କର ପାଠ ପଢା ଏବଂ ଔଷଧ ଖର୍ଚ୍ଚ ପାଇଁ ଗାଁ ଗାଁ ବୁଲି ଭିକ୍ଷା ବୃତି କରନ୍ତି  । ହେଲେ ମହାମାରୀ କୋଭିଡ୍ ସବୁ କିଛି ବିଗାଡି ଦେଲା । ବର୍ତମାନ ପ୍ରଫୁଲ୍ଲଙ୍କର ହାଲ ବେହାଲ । ଲୋକମାନେ  ବର୍ତମାନ ଭିକାରୀଙ୍କୁ ଦେଖିଲେ ଦୂର୍ ଦୂର୍ ମାର୍ ମାର୍ କହି ଘଉଡାଇ ଦେଉଛନ୍ତି. କଣ କରିବି  ଭାଇ, ମୋ ପିଲା ଛୁଆ ବଂଚିବେ କିପରି ? ଏପରି  ଅନେକ କଥା ପ୍ରଫୁଲ୍ଲ ଭାଇ  କୁହନ୍ତି, ଯାହା ଶୁଣିଲେ ଆଖିରେ ଲୁହ ଆସିଯିବ । ପ୍ରଫୁଲ୍ଲ ଭାଇଙ୍କ କଥା ସରକାରଙ୍କୁ ଦୃଷ୍ଟି ଗୋଚର କରିବା ପାଇଁ ଖବର କାଗଜ ଠାରୁ ଦୂରଦର୍ଶନ ପର୍ଯ୍ୟନ୍ତ ସବୁଥିରେ ପ୍ରସାରିତ ହୋଇଛି  । ହେଲେ ଫଳ ଶୁନ୍ ହୋଇଛି । ଆତ୍ମ ନିର୍ଭରଶୀଳ ହେବା ପାଇଁ, ଋଣ କରି ଏକ ଦୋକାନ କରିବା ସହିତ ନିଜର ପରିବାର ପ୍ରତିପୋଷଣ କରିବା  ସହିତ ପିଲାମାନଙ୍କୁ ପାଠ ପଢାଇ ଭଲ ମଣିଷ କରିବା ସ୍ବପ୍ନ ଥିଲେ ମଧ୍ୟ,ସବୁ କିଛି ପାଣି ଫୋଟକା ପରି ମିଳେଇ ଯାଇଛି  । ଆଜି ମହାମାରୀ କୋଭିଡ୍-୧୯ ପାଇଁ, ସାରା ଜନ ସମାଜ ଆର୍ଥôକ, ଶାରିରୀକ ଏବଂ ମାନସିକ ଭାବରେ କ୍ଷତିଗ୍ରସ୍ତ ହେଉଥିଲା ବେଳେ, ଏ ପରିବାରରେ ବେଳାଏ ଚୁଲି ଜଳିଲେ, ଆର ବେଳାକୁ ଅଜଳା ହେଉଛି  । ସରକାରୀ ସାହାଯ୍ୟ ଭାବରେ ମାସିକଭିନ୍ନକ୍ଷମ ଭତା ଏବଂ ରାସନ ଚାଉଳରେ ୟେ ପରିବାର କିପରି ଚଳି ପାରିବ ? ତଥାପି ପ୍ରଫୁଲ୍ଲ ଭାଇଙ୍କ ସହିତ କଥା ହେଲା ବେଳେ, ସେ ସାରା ବିଶ୍ୱର ମଙ୍ଗଳ କାମନା କରିବା ସହିତ ଆପଣାର ମଣିଷ ପରି ଆମର ମଙ୍ଗଳ କାମନା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ,ତାହା ଦେଖି ଆଖି ଛଳ ଛଳ ହୋଇଯାଏ । ଏଣୁ ଆପଣଙ୍କ ମୋର ବିନମ୍ର ଅନୁରୋଧ,ମୋର ପ୍ରିୟ ଭିନ୍ନକ୍ଷମ ପ୍ରଫୁଲ୍ଲ ଭାଇ ବନାମ ପ୍ରଫୁଲ୍ଲ କୁମାରଙ୍କୁ ସାହାଯ୍ୟ କରିବା ପାଇଁ  ନିମ୍ନ ବ୍ୟାଙ୍କ୍ ଖାତାରେ କିଛି ଆର୍ଥôକ ସାହାଯ୍ୟ ପଠାଇବା ପାଇଁ ଅନୁରୋଧ  ।  ନତୁବା ବ୍ୟକ୍ତିଗତ ଭାବରେ ରାସନ ସାମଗ୍ରୀ ଏବଂ ପିଲାମାନଙ୍କ ପାଇଁ ଅଧ୍ୟୟନ ସାମଗ୍ର ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ମୋତେ(ଫୋନ୍ ନଂ-୯୨୩୮୫୮୯୧୦୦ରେ ସଂପର୍କ କରି  ବିଶେଷ ସଂପର୍କ ସହାୟତା ନେବା ପାଇଁ ବିନମ୍ର ଅନୁରୋଧ ।

A/C  holder’s Name: PRAFULLA KUMAR ROUL

Account No: 38247082299, IFSC Code: SBIN0009627, Branch: Tulasipur





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଭିନ୍ନ ଏକ ରାସନ କାର୍ଡ

ଭିନ୍ନ ଏକ ରାସନ କାର୍ଡ
                       ପ୍ରଶାସନ ସହିତ ଦୀର୍ଘ ତିନି ମାସର ଲଢେଇ ପରେ ନ୍ୟାୟ ମିଳିଲା । ରାସନ କାର୍ଡ ମିଳିଳା  ମାନସିକ ଭିନ୍ନକ୍ଷମ ରିତେଶକୁ  । ତେବେ ଏହା ପଛରେ ଅଛି ଅନେକ ଦୁଃଖଦ କାହାଣୀ  । ଯେ କି, ପ୍ରେମ ବିବାହ ପରେ, ଜଣେ ମାଆ ଏକ ମାନସିକ ଭିନ୍ନକ୍ଷମ ପିଲାକୁ ଜନ୍ମ ଦେଲା ପରେ, ନିଜର ଘର ପାଇଁ ଅଲୋଡା ହୋଇଯାଏ ।  ସ୍ବାର୍ଥ ଲାଳସା ପାଇଁ ତଡି ଦିଆ ଯାଏ ପରିବାରକୁ । ଶେଷରେ ପରିବାର ମାଆ ଘରେ ଆଶ୍ରୟ ନିଅନ୍ତି  XXXXX   ବିଶେଷ ଅନୁରୋଧ , ଯଦି କୌଣସି ଅସହାୟ ପରିବାର ରାସନ କାର୍ଡରୁ ବଂଚିତ ହେଉଛନ୍ତି କିମ୍ବା ତାଙ୍କର ପରିବାରଙ୍କ  ଅନ୍ୟ ସଭ୍ୟମାନେ ରାସନ କାର୍ଡ ସହିତ ଯୋଗ ହୋଇ ନାହାନ୍ତି । ସେମାନେ ଆମ୍ଭ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ  । ବିଶେଷ କରି ସରକାରଙ୍କର ଏକ ଅଜବ ନିୟମ ଅଛି, ନିଜର ମୋବାଇଲ୍ ନମ୍ବର ନ ଥିଲେ, ଅନ୍ ଲାଇନରେ  ପରିବାରର ନୂତନ ସଭ୍ୟମାନେ ଯୋଗ ପାଇଁ ଆବେଦନ କରିପାରିବେ ନାହିଁ  । କାରଣ ଆପଣ ଅନ୍ ଲାଇନରେ ରାସନ କାର୍ଡ ନମ୍ବର  ଦେଲା ପରେ, ଆପଣଙ୍କ ମୋବାଇଲ୍ ନମ୍ବରକୁ ଓଟିପି ଯିବ  ।  ଏହାପରେ ଆପଣ ଆପଣଙ୍କର ଆବଶ୍ୟକ ଅନୁସାରେ, ରାସନ କାର୍ଡ ଡାଉନ୍ ଲୋଡ୍ କରିପାରିବେ, ନୂତନ ସଭ୍ୟ ଯୋଗ କିମ୍ବା ବିୟୋଗ କରିପାରିବେ ଏବଂ ଅନ୍ୟାନ ଅପସନ୍ ମଧ୍ୟ ରହିଅଛି  । କିନ୍ତୁ ଗୋଟେ ମୋବାଇଲ୍ ନ ଥିବା ଅସହାୟ ଲୋକ କରିବ କଣ ? ନିଜର ନୂଆ କାର୍ଡ ହେଉ ବା ନୂଆ ସଭ୍ୟ ଯୋଗ କରିବା ହେଉ, ଯଦି ଡିଲର ଜରିଆରେ କାଗଜାତ ପତ୍ର ଦେଲା, ଏମିତିକି  ଖର୍ଚ୍ଚ/ପାଣି  ଦେଲା,  ତାର କାଗଜାତପତ୍ର ଅଳିଆ ଗଦାରେ ପଡିଲା  । ଏହାସେଙ୍ଗ ସେଙ୍ଗ ଯୋଗାଣ ନିରୀକ୍ଷକା ମହାଶୟା କହିବେ, ଆମର ଟାରଗେଟ୍ ଅଛି  । ଖାଲି ହେଲେ ନୂଆ କାର୍ଡ କିମ୍ବା ନୂତନ ଭାବରେ ଯୋଗ କରି ହେବ  । ତେଣୁ  ଜଣେ ସାମାଜିକକର୍ମୀ ଭାବରେ. ଏମାନଙ୍କ ସହିତ ରୀତିମତ କସରତ କରିବା ପାଇଁ ପଡିଥାଏ । କିନ୍ତୁ ଯେଉଁଠି ଆର୍ଥôକ ସ୍ବଚ୍ଛଳ ବର୍ଗର ଲୋକମାନେ ଗାଡି ଘୋଡା/ କୋଠାଘର ଥାଇ ରାସନ୍ ପାଉଛନ୍ତି,ସେଠାରେ ଗରିବ ଲୋକ ବଂଚିତ ହେବେ କଣ ପାଇଁ ? ବହୁତ ଦୁଃଖ ଲାଗେ, ତୃଣମୂଳ ସ୍ତରରେ ଭୋଟ୍ ବ୍ୟାଙ୍କ ପାଇଁ ରାସନ କାର୍ଡକୁ ଏକ ଗୋଟି ଚାଳନା ଭାବରେ ବ୍ୟବହାର କରାଯାଏ  । ଯଦି କୌଣସି ସ୍ଥାନରେ ବୁଢା/ବୁଢୀ ଦୁଇ ଜଣ କିମ୍ବା ନିରୀହ ଲୋକ ଅଛନ୍ତି, ଏମାନଙ୍କୁ ଏ କ୍ଷେତ୍ରରେ ଅଣଦେଖା କରାଯାଏ  । ଯାହାକି ଅନେକ ଉଦାହରଣ  ସହିତ ମୋର ଅଭିଜ୍ଞତାରୁ  ଲାଭ କରିଅଛି  ।  ହେଲେ  ଏ ସବୁ କଥା ଭଲ ନୁହେଁ  । ଗ୍ରାମାଂଚଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ବିଶେଷତଃ ଦଳିତ ଏବଂ ନୀରିହ ଲୋକମାନଙ୍କ ପରିବାରରେ, ତାଙ୍କର ପିଲାମାନେ ବିବାହ କଲାପରେ   ତାଙ୍କର ଛୁଆ ଜନ୍ମ ହୋଇ ପାଂଚ/ ଛଅ ବର୍ଷ ହେଲା ପରେ ମଧ୍ୟ ରାସନରେ ନୂତନ ସଭ୍ୟ ଭାବରେ , ସ୍ତ୍ରୀ ଓ ପିଲାମାନଙ୍କର ନାମ ଯୋଗ ହୋଇ ପାରି ନାହିଁ  । ଏଥିପାଇଁ ଦାୟୀ କିଏ ? କୁଜି ନେତା, ଡିଲର ନା ଯୋଗାଣ ନିରୀକ୍ଷକ ? କିନ୍ତୁ ନେତାଙ୍କ ହାତ ବାରିସୀ ସାଜିଥିବା କିଛି ପରିବାରଙ୍କର ଲୋକମାନେ ମରିଯାଇଥିବା ସ୍ଥଳେ, ମୃତକ ନାମରେ ରାସନ ସାମଗ୍ରୀ ମିଳିଥାଏ । ।  
 
                ଯଦି କୌଣସି ଅସହାୟ ପରିବାର ନୂତନ ରାସନ କାର୍ଡ/ ନୂତନ ସଭ୍ୟ ଯୋଗ କରିବା ପରିପ୍ରେକ୍ଷୀରେ ଅସୁବିଧା ଅନୁଭବ କରନ୍ତି । ସେମାନେ ଆମ ସହିତ ଯୋଗଯୋଗ କରିବା (ସଂପର୍କ:୯୨୩ ୮୫୮ ୯୧୦୦) ପାଇଁ ଅନୁରୋଧ  ।  ଏହା କେବଳ କଟକ ଜିଲ୍ଲାର କଂଟାପଡା,ନିଆଳୀ ଏବଂ ବାରଙ୍ଗ ବ୍ଲକ୍ ପାଇଁ ପ୍ରଯୁଜ୍ୟ ହେବ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ବାପା ଓ ସାଇକେଲ୍

                                 

                                 ଜୀବନରେ ବାଟ ଚାଲୁ ଚାଲୁ, ମଣିଷ କେତେ ବେଳେ ଲହୁ ଲୁହାଣ ହୋଇ ଯାଏ, ସେ ଜାଣି ପାରି ନଥାଏ  ।  ବେଳେ ବେଳେ ସେ ସମୟରେ ଆଶା ବାଡିଟେ ଧରି, ହାତ ବଢାଇ ଦିଅନ୍ତି ଆଉ ଆଶାର ଆଶାସ୍ବନାରେ ଟାଣି ନିଅନ୍ତି ନିଜ ପାଖକୁ  । ନିଜର ତନୁ ମନ୍ତ କ୍ଲାନ୍ତ ଆଉ ଅବଶ ହେଲା ବେଳେ, କାହାର ଅମୃତ  ପରଶ ମଥାପରେ ନୂତନ ଶିହରଣ ସୃଷ୍ଟି କରେ । ସେ ହେଉଛନ୍ତି ବାପା ।  ସେ ଚମ ଧୁଡୁ ହୋଇ ଗାମୁଛାଟେ ପିନ୍ଧୁଥାନ୍ତୁ କି ଲେଂଜେରା ବୋଳା ଆଖିରେ ମୋଟା ଚଷମା ପିନ୍ଧୁଥାନ୍ତୁ, ସେ ସବୁବେଳେ ଆକାଶ ଠାରୁ ବିଶାଳ, ସାଗର ଠାରୁ ଗଭୀର  । ହୃଦୟର କେଉଁ ଅନନ୍ତ ଆକାଶରେ  ଭରି ରହି ଥାଏ, ସନ୍ତାନ ପାଇଁ  କେଉଁ ଅୟୁତ ଯୁଗର ଆତ୍ମୀୟତା ଆଉ ଭଲ ପାଇବା ।  ଜୀବନର ଧୁ ଧୁ ଖରାବେଳେ କେତେବେଳେ ବର ଗଛ ଛାଇଟେ ପରି ହୃଦୟରେ ଶୀତଳତା ଭରି ଦିଅନ୍ତି, ତାହା ଜାଣି ହୁଏ ନାହିଁ  । ସେ ନଥିଲେ ହୃଦୟ ଖିନ୍ ଭିନ୍ ହୋଇଯାଏ । କେଉଁ ଶୂନ୍ୟତା ଆରୋରି ବସେ  । ମନରେ ଶ୍ମଶାନର ନୀରବତା ରାଜ୍ କରେ । ଏହି ଶୂନ୍ୟତା ଅନୁଭବୀ ମଣିଷ ହିଁ ଅନୁଭବ କରେ  ।ସତରେ  ନିଜେ ବାପା ହେବାର ଅନୁଭବରେ ଯେତେ ଖୁସି ନଥାଏ, ପରିଣତ ବୟସରେ ବାପାଙ୍କର ଆଶା ବାଡି ବନିବାରେ ସେତିକି ଖୁସି ଥାଏ । କାହିଁକି କେଜାଣି ଜୀବନର ଉଠାଣି ରାସ୍ତାରେ, ତାଙ୍କ ଭଲ ପାଇବାର ଆଶା ବାଡିକୁ ଧରି ଉଠାଣି ପାର ହୋଇଯାଏ କେତେ ସହଜରେ  । ଏମିତି  ସତ ସତିକା ଉଠାଣି ରାସ୍ତାରେ,  ତାଙ୍କର ହାତ ଧରି ଚାଲିବା ବେଳେ, ନଜର ନ ଥାଏ, ହୁଏତ ଆଉ ସେ ଦିନ ଆମ ପାଇଁ ଅପହଂଚ ହୋଇଯିବ  । ବୟସର ଅପରାହ୍ନରେ ସେଇ ସ୍ମୃତି ଆମକୁ କିଲ୍ ବିଲ୍ କରୁଥିବା ସିନା , ହେଲେ ସେ  ଦିନ ଆଉ ଫେରିବ ନାହିଁ ।
ଏମିତି କେତୋଟି ଦିନ ଆସିଥିଲା ମୋ ପାଇଁ  ।  ଭୁବନେଶ୍ୱରରେ ମ୍ୟାନେଜମେଂଟ୍ ପଢୁଥିଲା ବେଳେ, ପ୍ରତି   ସେମିଷ୍ଟାର୍ ପରେ ମୁଁ  ନୁଆ ପଡା ଜିଲ୍ଲାର କୋମନାକୁ  ଚାଲି ଯାଏ  । ବାପା କୋମନା ଟେଲିଫୋନ୍ ଏକସଚେଂଜର ଫୋନ ମେକାନିକ୍ ଥାନ୍ତି  । ପ୍ରତି  ଥର ଦଶ ବାର ଦିନ ରହିବା ପରେ ମନ ଶାନ୍ତି ଲାଗେ  । ସବୁ ଠାରୁ ଭଲ ଲାଗୁଥିଲା କୋମନା ଏକସଚେଂଜର ସମ୍ମୁଖରେ ପାହାଡ ମାଳା ଗୁଡିକ  ।  ପୁଣି ଅଫିସ ନିକଟରେ ବବୁଲ୍ ,ଶାଗୁଆନ୍ ଆଉ ବଣୁଆ ଗଛର ଛୋଟ ଛୋଟ ବଣ  । ନିକଟରେ ସୁନ୍ଦରା ନଇଟି କୁଳୁ କୁଳୁ ହୋଇ ବହି  ଯାଉଥିଲା । ଖରା  ଦିନେ ନଦୀରେ ବହୁତ କମ୍ ପାଣି ଥାଏ  । କିନ୍ତୁ ବର୍ଷା ଦିନେ ସେତେବେଳେ ସୁନ୍ଦରାରେ ପୋଲ ନ ଥିଲା । ମଟର ଟିଉବରେ ଳୋକମାନେ ନଦୀ ପାର ହୋଇ ଭେଲା ଗ୍ରାମକୁ ଯାଇଥାନ୍ତି  ।  ପାଖରେ ବୁଦୁ ବୁଦୁକିଆ ଜଙ୍ଗଲ । ବେଳେ ବେଳ ବଣୁଆ ଫୁଲ ବାସ୍ନା ମନକୁ ଆନମନା କରିଦିଏ  ।  ଖରା ଦିନେ କୋମନା ଅଫିସରେ ଥିଲା ବେଳେ ବାପା  ରାତି ସାଢେ ଚାରିଟାରୁ ଉଠାଇ ଦିଅନ୍ତି  । ଏକସଚେଂଜର ନାଲି ଆଲୁଅ ଦିକ୍ ଦିକ୍ ହୋଇ ଜଳୁଥାଏ  । ଫରଚା ହୋଇ ଆସୁଥାଏ ଆକାଶ  । ଭେଲାର ଆଦିବାସୀ ବସ୍ତିରୁ ଲୋକ ମାନେ କାଠ କାଟିବା ପାଇଁ କୋମନା ନିକଟରେ ଥିବା ସୁର ନନୀ ପାହାଡକୁ ଚାଲିଯାଆନ୍ତି  ।  ଆଉ କୋମନା ବସ୍ତିରେ ରହୁଥିବା ମହିଳା ମାନେ କାଖରେ ରସ ଗରା ଆଉ ହାତରେ ବାଲଟି ଧରି ବାହାରି ଯାଆନ୍ତି ସୁନ୍ଦରା ନଦୀକୁ  ।   ସେତେବେଳେ ବେଳେ ବେଳେ ହସ ଲାଗେ, ଯେତେବେଳେ ଆଦାବାସୀମାନେ ଏକସଚେଂଜର ନାଲି ଲାଇଟକୁ ଅନାଇ, ଦୁଇ ମିନିଟ୍ ଠିଆ ହୋଇ ଜୁହାର୍ କରନ୍ତି  । ବିଡ୍ ବିଡ୍ ହୋଇ କଣ ଗୁଡେ କଣ ବକି ଯାଆନ୍ତି ,ସେ ହିଁ ଜାଣନ୍ତି । ଦିନେ ଏମିତି ହସୁ ହସୁ, ବାବା ମୋତେ ଗାଳିଦେଇ କହିଲେ, ଏମାନେ ପ୍ରକୃତିର ଉପାସକ  ।  ସୂର୍ଯ୍ୟ ଚନ୍ଦ୍ରକୁ ପୂଜା କରନ୍ତି  । ଶାଳୁଆ ଗଛର ଦନାରେ (ପତ୍ର ଠୋଲା) ଗଛ ମୂଳେ  ଫଳ ମୂଳ ଭୋଗ ଲଗାନ୍ତି  । ତେଣୁ ଏକସଚେଂଜର ଲାଇଟକୁ ଏକ ବୈଦୁ୍ୟତିକ ଶକ୍ତି ଭାବରେ ସେମାନେ ଜୁହାର କରୁଛନ୍ତି । ସେମାନେ ତୋତେ ହସିବା ଦେଖିଲେ, ଖରାପ ଭାବିବେ  ଆଉ ଅଫିସର ବଦନାମ୍ ହେବ । ତେବେ  ଅଫିସ  ପରିସରରେ ଏକ ନଳକୂପ ଓ ପାଇଖାନା ଥିଲେ ମଧ୍ୟ ବାବା ବ୍ୟବହାର କରିବାକୁ ମନା କରି ଦେଉଥିଲେ  । ଭୋର୍ ସକାଳୁ ସାଇକେଲରେ ସୁନ୍ଦରା ନଦୀ କୁ ପ୍ରାତଃ କର୍ମ କରିବା ପାଇଁ ବାବାଙ୍କ ସହିତ ଚାଲି  ଯାଉଥିଲି ।  ଅଫିସ ୍ ଠାରୁ ପ୍ରାୟ ୩୦୦ ମିଟର ଦୂର ହେବ  । ଗଲାବେଳେ ବହୁଡ ଗଡାଣିଆ ରାସ୍ତା । ସାଇକେଲରେ ପେଡାଲ ମାରିବା ପାଇଁ ପ୍ରାୟ ପଡେ ନାହିଁ  । ପ୍ରଥମେ ବାବା ମୋତେ ସାଇକେଲ୍ ଦେଇ, ଆସିଲା ବେଳେ ନିଜେ ଚଲାଇ ଆସିବା ପାଇଁ କୁହନ୍ତି ।  ସୁନ୍ଦରାର କୂଳେ କୂଳେ ବଣୁଆ ଗଛର ବଣୁଆ ଫୁଲଗୁଡିକ ମହ ମହ ବାସ୍ନା ଭାସି ଆସୁଥାଏ  ।  ପ୍ରାୟ ଆଂଠୁଏ ଗଭୀରର ପାଣିକୁ ନେଇ କେଉଁ ପାହାଡ କୋଳରୁ “ସୁନ୍ଦରା” କୁଳୁ କୁଳୁ ହୋଇ ବହି ଚାଲିଥାଏ  । ପ୍ରାୟତଃ ଗାଧୋଇଲା ବେଳେ ବାଲିକୁ ତିନି/ଚାରି ଫୁଟ୍ଖୋଳି  ପାଣିରେ ବସି ମୁଣ୍ଡ ବୁଡାଇ ଗାଧୋଇବା ପାଇଁ ପଡେ  । ହେଲେ ପ୍ରତି ଦିନ ବାବା ତିନି ଚାରି ଫୁଟ ଖୋଳିବା ପରେ ନିଜେ ଗାଧୋଇ ପଡନ୍ତି  । ତା ପରେ ମୋତେ ଶୀଘ୍ର ଗାଧୋଇପଡିବା କୁହନ୍ତି, କାଳେ ସେ ଖାଲଟି ପାଣି ସୁଅରେ ପୋତି ହୋଇଯିବ  । ପରେ ବାବା ଆଗତୁରା ସାଇକେଲ୍   ଧରି ବସିବା ପାଇଁ  କୁହନ୍ତି  ।  ଗଲା ବେଳେ ଉଠାଣି ରାସ୍ତା ହେଲା ବି, ଅକ୍ଳେଶରେ ଏକସଚେଂଜ୍ ପାଖରେ ପହଂଚାଇ ଦେଇଥାନ୍ତି  । କୋଡିଏ ବର୍ଷ ହୋଇଥିଲେ ବି  ମୁଁ ଥିଲି  ତାଙ୍କ ସମ୍ମୂଖରେ ଛୋଟ ପିଲା । ମୁଁ କଣ ସାଇକେଲ୍ ଚଲାଇ ପାରିବି ? 
ବାବା  କୋମନାରେ ଥିଲା ବେଳେ ହରି ହୋଟେଲରେ ଖାଉଥିଲେ । ଦୁଇ ଜଣ ସ୍ବାମୀ ସ୍ତ୍ରୀଙ୍କୁ ନେଇ ହୋଟେଲ  । ନିରାମିଷ ମିଲ୍ ହେଉଥିବାରୁ ବାବା ସେଠାରେ ଦୁଇ ବେଳା ଖାଉଥିଲେ । ଏକସଚେଂଜ୍ ଠୁ ଏକ କିଲୋମିଟରରୁ କମ୍ ହେବ  । ପ୍ରାୟତଃ ପାହାଡିଆ ଅଂଚଳରେ ଗଡାଣି/ଉଠାଣି ରାସ୍ତା ଥାଏ । ହେଲେ ଗଲା ବେଳେ ପୂର୍ବ ପରି, ଉଠାଣି ରାସ୍ତାରେ ନିଜେ ସାଇକେଲ ଧରି ମୋତେ ବସିବା ପାଇଁ କହି ଏକସଚେଂଜ୍ ରୁ ବାହାରି ଯାଆନ୍ତି  । ପୂର୍ବ ପରି “ହେ ତୁ ଛୋଟ ପିଲା, ଚଲାଇ ପାରିବୁ ନାହିଁ  । ଆସିଲା ବେଳେ ଚଲାଇବୁ, ମୁଁ ବସିବି ।  ତୁ କଣ ଉଠାଣିଆ ରାସ୍ତାରେ ଚଲାଇ ପାରିବୁ । ମୁଁ ଏଠି ଅଭ୍ୟାସରେ ପଡି ଗଲିଣି” । କିନ୍ତୁ ଖାଇ ସାରି ଆସିବା ବେେଳେ, ମୁଁ ବିନା ପେଡାଲରେ ସାଇକେଲ୍ ଚଲାଇବା ବେଳେ,  ବାବାଙ୍କ  ମୁହଁରେ ପରିତୃପ୍ତ ହସଟିଏ ଝଟକୁ ଥାଏ । ଯେଉଁ ହସର ଅର୍ଥ ବୁଝିବା, ମୋତେ ଅସହଜ ହୋଇଯାଏ  । ଉଠାଣିଆ ରାସ୍ତାରେ ଧଇଁ ସଇଁ ହୋଇ ସାଇକେଲ୍ ଚଲାଇବାର ଯନ୍ତ୍ରଣା ମଧ୍ୟରେ ପିଲାମାନଙ୍କୁ ଖୁସି ପ୍ରଦାନ କରିବାରେ ବାପାଙ୍କର ଭୁମିକା,ସେତେବେଳେ ଆମ ପାଇଁ  ଏକ ଅବ୍ୟକ୍ତ ଅନୁଭବ ଥିଲା । କିନ୍ତୁ ଗଡାଣିଆ ରାସ୍ତାରେ ଫୁଲ୍ ଦମରେ ଆସିଲା ବେଳେ, ନିଜର ଖୁସି ଅପେକ୍ଷା, ଆଜି ନିଜର ପରିଣତ ବୟସର  ଉଠାଣିଆ ରାସ୍ତାରେ ବାପା ବୋହିବାର  କଷ୍ଟ ପଛରେ ସତରେ କେତେ ଅମାପ ଭଲ ପାଇବା ଥିଲା, ତାହା  ମୋ ପାଇଁ ଅବୁଝା ହୋଇ ରହିଗଲା । ପୁଣି ମୁଁ ଛୋଟ ପିଲା ହୋଇ ରହିଗଲି । ଆଜି ବି ଘରର ପ୍ରତ୍ୟେକ କାମରେ, ଛୋଟ ପିଲା ବୋଲି ଛୋଟ ହୋଇ ଯାଏ ସିନା, ହେଲେ ବାବା ସବୁବେଳେ ବଡ ହୋଇ ନିଜର ହୃଦୟକୁ ବଡ ଆଉ ବିଶାଳ କରି ଦିଅନ୍ତି  । ତାଙ୍କରି ଭିତରେ ହଜି ଯିବାର ଅବ୍ୟକ୍ତ ଅନୁଭବକୁ ହାତ ପାପୁଲିରେ ଚାପି ଧରିବା ବେଳେ, ନିଜେ ବାପା ହେଲା ବେଳେ ସେ ସୁଖ ନ ଥାଏ  । ଇଚ୍ଛା ହୁଏ, ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା ନାହିଁ, ବାପାଙ୍କ କାନ୍ଧରେ ବସି, ଦଶ ପଇସାର ଆଇସ କ୍ରିମ୍ ଖାଇବାର ସ୍ମୃତିକୁ ଛାତିରେ ଧରି ବସିଲେ,ଖାଲି ଦୀର୍ଘ ଶ୍ୱାସ ବ୍ୟତୀତ ଆଉ କିଛି ମିଳେ ନାହିଁ  ।  ସତରେ କୁଆଡେ ଗଲା ସେ ଦିନ ସବୁ  । 
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସତେ ଚୁମିବି ତବ ଚରଣ !

ସତେ ଚୁମିବି ତବ  ଚରଣ !
ମାଧବାନନ୍ଦ ଭୋଇ
କେହି ପଢୁ ବା ନ ପଢୁ ମୋ ମନର କବିତା,
 ତୁମେ, ନିତି ପ୍ରିୟତମ ପଢୁଛ,
ସପନେ ଆସୁଛ, ଗୋପନେ ଲୁଚିଛ
କାହିଁ ମୋତେ  ହଟ ହଟା କରୁଛ । ।
 କେତେ ଜନମର ବନ୍ଧନ  ବିତିଛି ତୁମ ପାଇଁ,
 ଏ ଜନମେ ତୁମକୁ ଖୋଜୁଛି,
ନୁହେଁ ମୁଁ କି ଯୋଗ୍ୟ, କାହିଁ  ମୋର ଭାଗ୍ୟ,
 ମଥା ପରେ  କର  ପିଟୁଛି । ।
ଅନ୍ତର ଯାମୀ, ମୋ ଅନ୍ତର କଥା ପାରୁନ କି ଜାଣି;
 ଦଗା ଦିଆ, ମିଛୁଆ ନାଗର,
ଭାବ ଅଶ୍ରୁ ନୀର,ବହେ ଝର ଝର;
କାହିଁ ଗଲ କୃପା ସାଗର ।
ଚାଟୁକାର କଥା  ଲୋଡା କି ହୋଇବ,  ବୃଥା ତୁମ ବିନା
ଝୁରେ ତବ ମଧୁ ପ୍ରେମ,
 ଆଖିରେ ଆଖିରେ  ରୁହ ତୁମେ  ଲାଖି,
 ସତେ ଚୁମିବି ତବ  ଚରଣ !


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

Welcome to Digital Tele Medicine Services

Welcome to Digital Tele Medicine Services
Get Free Health Check up Services. Also Get Tele Medicine & Different Health Check up Like Blood Pressure, Blood Sugar, Temperature, Weight, Pulse Rate, Oxygen Level & Hemoglobin Level at your Door Step *. Also Get Free Homeopathic Medicine For Cold,Fever & Immunity Power Here,
* Conditions Apply.

• ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଟେଲି ମେଡିସିନ୍ (ଭିଡିଓ କଲିଂ/ଫୋନ୍ କଲିଂ) ମାଧ୍ୟମରେ ବିଭିନ୍ନ ରୋଗର ଚିକିତ୍ସା କରାଯାଏ ।
• ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ କୋଭିଡ୍ ନିରାକରଣ/ ଥଣ୍ଡା/କାଶ ଏବଂ ଶରୀର ପ୍ରତିରୋଧକ ଶକ୍ତି ପାଇଁ ମାଗଣାରେ ହୋମିଓପ୍ୟାଥିକ୍ ଔଷଧ ପ୍ରଦାନ କରାଯାଏ ।
• ମହାମାରୀ କୋଭିଡ୍ ପ୍ରରିପ୍ରେକ୍ଷୀରେ ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ ଗରିବ ଲୋକଙ୍କ ପାଇଁ ମାଗଣାରେ ଅମ୍ଳଜାନ ପରୀକ୍ଷା, ରକ୍ତଚାପ ପରୀକ୍ଷା ଏବଂ ଶରୀର ତାପମାନ ପରୀକ୍ଷା କରାଯାଏ ।
• ମହାମାରୀ କୋଭିଡ୍ ପ୍ରରିପ୍ରେକ୍ଷୀରେ ଆମର ଜନ ସେବା କେନ୍ଦ୍ର,ଭୋଦଳ ଆନୁକୁଳ୍ୟରେ ଜନ ସାଧାରଣଙ୍କ ପାଇଁ ମାଗଣାରେ କୋଭିଡ୍ ଟୀକା ପଂଜୀକରଣ କରାଯାଏ ।
• ଆମର କେନ୍ଦ୍ର ଆନୁକୁଲ୍ୟରେ ଉପରୋକ୍ତ ପରୀକ୍ଷା ପାଇଁ ଆପଣଙ୍କ ଘରେ ପହଂଚି ସେବା ପ୍ରଦାନ କରିବାର ବ୍ୟବସ୍ଥା ରହିଅଛି ।
•ଆମର ସଙ୍ଗଠନ ଆନୁକୂଲ୍ୟରେ ମୃତୁ୍ୟପରେ ଅଙ୍ଗ ଦାନ ପଂଜୀକରଣ କରାଯାଏ ।
• ଆମର ଜନ ସେବା କେନ୍ଦ୍ର,ଭୋଦଳ ଏବଂ ଉଦୟ ଭାନୁ ସାହିତ୍ୟ ସଂଗଠନ ଆନୁକୁଳ୍ୟରେ ,ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା ଶିବିର ପାଇଁ ଯୋଗାଯୋଗ କରିବା ପାଇଁ ଅନୁରୋଧ ।
https://www.facebook.com/photo.php?fbid=4460227234034600&set=a.2407374105986600&type=3&notif_id=1623853166285972&notif_t=feedback_reaction_generic&ref=notif


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ସତେ ପ୍ରିୟ ତୁମେ ଆସିବ

ଜୀବନରେ ପରିପୂର୍ଣ୍ଣତା ପାଇଁ  ମଣିଷକୁ ପାରିବାରିକ ଜୀବନ, ସାମାଜିକ ଜୀବନ  ଓ  ଆଧ୍ୟାତ୍ମିକ ଜୀବନ ନିର୍ବାହ କରିବା ପାଇଁ ପଡିଥାଏ ।   ତେବେ ଜୀବନରେ ନାରୀର ପ୍ରେମ ପ୍ରଥମେ ଆକର୍ଷଣରୁ ଆରମ୍ଭ ହୋଇ ଶାରିରୀକ ସଂପର୍କରେ ଶେଷ ହୋଇଯାଏ । ଏହା କଣ ଜୀବନର ବାସ୍ତବତା ? ଜୀବନରେ ପ୍ରେମର ଅୟମାରମ୍ଭ, ବିଶ୍ୱ ନିୟନ୍ତାଙ୍କ ପାଇଁ ଆରମ୍ଭ ହୋଇ ପାରଲୌକିକ ସଂପର୍କରେ ଶେଷ ହେଉ ।  ପ୍ରାଣରେ ବ୍ୟାକୁଳତା ଆସୁ । ହୃଦୟରେ ବିରହ ବେଦନା ସୃଷ୍ଟି ହେଉ ତାଙ୍କରି ପାଇଁ  । ପ୍ରିୟତମଙ୍କ ପାଇଁ  ହେଉ ଶତ ଶତ ପ୍ରତୀକ୍ଷା  । ଆଜି ଏହି ପରିପ୍ରେକ୍ଷୀରେ ମୋର କବିତା ସତେ ପ୍ରିୟ ତୁମେ ଆସିବ । ପ୍ରିୟ ପାଠିକା/ପାଠକମାନେ କବିତାକୁ ପାଠ କରି ମତାମତ ଦେବା ପାଇଁ ଅନୁରୋଧ ।
ସତେ ପ୍ରିୟ ତୁମେ ଆସିବ,
ଚାତକିନୀ ପ୍ରାଣ ରହିଛି ଅନାଇଁ,
ତୁମରି ପରଶ ଲଭିବ, ସତେ ପ୍ରିୟ ତୁମେ ଆସିବ । ।
 ଜନମ ଜନମ ହୋଇ ମୁଁ ପିଆସୀ,
ପ୍ରେମ ଅଶ୍ରୁ ନୀର, ଝରାଉଛି ବସି,
ନିଶି ଯାଏ ପାହି,ତୁମେ ଆସ ନାହିଁ,
କେତେ ଯେ ପ୍ରତୀକ୍ଷା ବିତିବ,ସତେ ପ୍ରିୟ...  । ।
 ସନ୍ତାପିତ ପ୍ରାଣ, ହୃଦ ତନ୍ତ୍ରୀ ଝୁରେ,
ଅନାହତ ବଂଶୀ ବାଜୁଛି ଶୂନ୍ୟରେ ।
ଉଚ୍ଚାଟିତ ପ୍ରାଣ, କରେ ସମ୍ମୋହନ,
 କେତେ ମନ ଆଉ ଝୁରିବ ;ସତେ ପ୍ରିୟ... । ।
  ବିରହ ବେଦନା କରେ ଆନମନା,
 ଝରୁଛି ରୁଧିର, ବଢୁଛି ଯାତନା,
 ନକର ନିରାଶ, ଆହେ ପ୍ରାଣ ନାଥ,
 କୃପାନେତ୍ରେ ଥରେ ଚାହିଁବ, ସତେ ପ୍ରିୟ... । ।
ହୃଦ ସିଂହାସନ, ପଡିଅଛି ଶୂନ୍ୟ,
ଭବ ମାୟା ଜାଲେ, ଜଳ ବିନେ ମୀନ,
ଜୀବନ ପାତ୍ର ମୋ, କରିଦିଅ ପୂର୍ଣ୍ଣ,
ତୁମରି ଆଶୀଷ ଲଭିବ, ସତେ ପ୍ରିୟ... । ।
ସାଧାରଣ ସଂପାଦକ:ଉଦୟ ଭାନୁ,
ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...


ଯନ୍ତ୍ରଣାର ଶରଶଯ୍ୟା

ମଶାଣୀ ଡରୁଛି କୋକେଇକୁ,
ମଣିଷ ଡରୁଛି କରୋନାକୁ ।
ସଂଗ୍ରାମୀ କେବେ ଚାହେଁନା, 
କାପୁରୁଷ ହୋଇ ମରିବାକୁ । ।
 ଯନ୍ତ୍ରଣାର  ଶର ଶଯ୍ୟା ପରେ,
 କୋଭିଡ୍ର କଳା କହରରେ,
ମୁହଁ ଶିଝି ଯାଏ, କଥା ହଜିଯାଏ,
ଅମାନିଆ ଅଶ୍ରୁ ଝରିଯାଏ । ।
ସଂଗ୍ରାମୀର କାମ କେବେ ସରେନା,
ମହାମାରୀ ବ୍ୟାଧିକୁ ଡରେନା,
ଶହୀଦ୍  ସାଜିବ ମରଣ ଜାତକେ,
ଜୀବନର ଶେଷେ ଏହି କାମନା । ।
ଆଉ କେତେ କଥା ରହିଛି ବାକି,
ସରିଯିବ ସବୁ  ବୁଝିଲେ ଆଖି,
ପୁଣି ଜନ୍ମ ନେବ, ସଂଗ୍ରାମୀଟେ ହୋଇ.
ସାଧନାର ସିଦ୍ଧି ରହିବ ବାକି । ।
ସାଧନାର ସିଦ୍ଧି ରହିବ ବାକି । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଚିଠିରୁ ଫେସବୁକ୍:ପାଢୀ ସାର୍

                        ଚିଠିରୁ ଫେସବୁକ୍:  ମୋ ବୋଉର ଗୋଟେ ଭଲ ଅଭ୍ୟାସ, ମୋ  ଜନସେବା କେନ୍ଦ୍ରରୁ ଯେ କୌଣସି କାଗଜ, ବାହାରେ  ପଡିଥିବ, ତାକୁ ମୁଁ ନ ଦେଖିବା ଯାଏ, ସାଇତି କି ରଖିଥିବ । ଦିନେ ମୋର  ପୁରୁଣା ପୋଷ୍ଟ କାର୍ଡଗୁଡିକୁ ଖୋଜିଲା ବେଳେ କହିଲା, ସେଗୁଡିକ ମୁଁ ପୋଖରୀରେ ଫିଙ୍ଗି ଦେଇଛି । ବହୁତ ରାଗ ଲାଗୁଥିଲେ ବି ଛାତି ଭିତର କୋରି ହେଉଯାଉ ଥିଲା । ପ୍ରାୟ ୧୯୯୨ ମସିହାରୁ ଅଷ୍ଟମରେ ପଢିଲା ବେଳେ ଅନେକ ସାଙ୍ଗମାନଙ୍କର ଚିଠି, ବିଶେଷ କରି କେତେ ବେଳେ କେମିତି ପତ୍ରିକା ଖଣ୍ଡେ ପଢିଲେ, ଗପ କିମ୍ବା କବିତା ହେଉ, ଏହାର ସ୍ରଷ୍ଟାମାନଙ୍କୁ ଚିଠି ଲେଖିବା ଏକ ପ୍ରକାର ନିଶା ହୋଇଯାଇଥିଲା ।ତାଙ୍କର ଉତର ମଧ୍ୟ ମିଳୁଥିଲା । କିନ୍ତୁ ଏହି  ୨୦୦/୨୫୦ ପୋଷ୍ଟ କାର୍ଡ ମଧ୍ୟରେ କଲେଜ ଜୀବନର  ମୋର ପ୍ରିୟ ତଥା ଚିର ନମସ୍ୟ ସାହିତ୍ୟ ଅଧ୍ୟାପକ ଡଃ ବେଣୁଧର ପାଢୀଙ୍କର ଏକ ପୋଷ୍ଟକାର୍ଡ ଚିଠିକୁ ବହୁତ ଖୋଜୁଥିଲି  । ଯେଉଁ ପୋଷ୍ଟ କାର୍ଡ ଖଣ୍ଡେ ମୋ ଜୀବନରେ ବହୁତ କିଛି ପରିବର୍ତନ କରି ଦେଇଥିଲା । ସାର୍ ଙ୍କ ବିଷୟରେ ଏତକି କହିବି, ଉଦୟ ନାଥ କଲେଜ,ଅଡଶପୁରରେ  ବାଣିଜ୍ୟ ପଢିଲା ବେଳେ +୨ରେ କେବଳ ଆମ ପାଇଁ ଓଡିଆ ଥିଲା । ଓଡିଆ ପ୍ରତି ଦୁର୍ବଳତା ବହୁତ ଥିଲେ ବି ବେଳେ ବେଳେ ପ୍ରିୟ ଅଧ୍ୟାପିକା ଗାଳ୍ପିକା ଚିରଶ୍ରୀ ଇନ୍ଦ୍ର ସିଂ, ହିରଣ୍ମୟୀ ମିଶ୍ର ଓ କବିତା ମାମ୍  ଙ୍କ ସଂପାଦନାରେ “ବେଳା” ନାମରେ ଏକ ୱାଲ୍ ମାଗାଜିନ୍ ବାହାରୁଥିଲା । ଏଥିରେ ମୁଁ   “ବିତସ୍ତା” ଛଦ୍ମ ନାମରେ ପ୍ରେମ କବିତା ଗୁଡିକୁ ନିୟମିତ ଲେଖୁଥିଲି । କିନ୍ତୁ +୨ ପଢିଲା ବେଳେ, ପାଢୀ ସାରଙ୍କ ଓଡିଆ କ୍ଲାସ କେତେବେଳେ ଆରମ୍ଭ ହୁଏ, କେତେ ବେଳେ ଶେଷ ହୁଏ. ଜାଣି ହୁଏ ନାହିଁ । କ୍ଲାସ ସରିଗଲା ପରେ ଇଛା ହୁଏ, ପୁଣି ଗୋଟେ ପିରିଅଡ୍ ହୋଇ ଆହୁରି ୪୫ ମିନିଟ୍   ପାଢୀ ସାର୍ ଙ୍କ କ୍ଲାସ ହୁଅନ୍ତା ନାହିଁ  ।  କାରଣ ତାଙ୍କ ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ଆମକୁ କିଲ୍ ବିଲ୍ କରି ପକାଉଥିଲା । ତେବେ ସେତେବେଳେ ସାର୍ ଙ୍କର ରଚିତ ଗପ/କବିତାଗୁଡିକ ବିଭିନ୍ନ ପତ୍ର/ପତ୍ରିକାରେ ବାହାରୁଥିଲା । ବିଶେଷ କରି ସେ ସମୟରେ ଖବର କାଗଜ, କଥା ଓ ଝଙ୍କାର ପତ୍ରିକାରେ ସାରଙ୍କ ଲେଖା ପଢିବାକୁ ମିଳୁଥିଲା ।  ବେଳେ  ବେଳେ ସାର୍ ଙ୍କ ଲେଖା ପଢି ଚିଠି ଲେଖେ  । ଏମିତି  ସେଇ ଚିଠି ଗଦା ମଧ୍ୟରେ ସାରଙ୍କ ମହାର୍ଘ ଚିଠିଟି ରହି ଯାଇଥିଲା । ହେଲେ ଏଇ ଚାରି ଦିନ ପୂର୍ବେ ପୁରୁଣା ବହି ଗୁଡିକୁ ସଜାଡୁ ସଜାଡୁ ପୁରୁଣା ଚିଠି ବାକ୍ସ ମିଳିଗଲା ।   ପୁରୁଣା ଚିଠି ପଢି, ପୁରୁଣା ସ୍ମୃତି ମଧ୍ୟରେ ହଜି ଯିବାର ଅନୁଭବ  କେବଳ ଅନୁଭବୀ ହିଁ ଜାଣେ ।  ଏମିତି ଥିଲା ସାର୍ ଙ୍କ ଚିଠି ।   ତା୦୭/୦୬/୨୦୦ ରିଖ/ଖଇରାବାଦ,ଯାଜପୁର
ମାଧବ,
ଶ୍ରଦ୍ଧା ଜାଣିବୁ, ଗୁରୁଜନଙ୍କୁ ମୋର ପ୍ରଣାମ । ତୋ ଚିଠି ପାଇଛି । ଭଲ ଲାଗିଲା । ଏବେ ମୁଁ ଗାଆଁରେ ରହୁଛି । ଫିଚର୍ ଲେଖିବା ଅଭ୍ୟାସ ପରେ ଗପକୁ ଫେରିବାକୁ ଚାହୁଁନି । ତା ଛଡା ମୁଁ ବେସ୍ ଲେସ୍  ଗପ ଲେଖିବା ପକ୍ଷରେ ଆଉ ନାହିଁ  । ତୁ ଲେଖା ଲେଖି ଅଭ୍ୟାସ ରଖ । ହବ  । ଅଧୈର୍ଯ୍ୟ ହେଲେ ହୁଏ ନାହିଁ  । ସବୁ ଜିନିଷ ସେୟା । ନିଷ୍ଠା ଓ ସାଧନା ନ ରହିଲେ ସଫଳତା ପାଇ ହୁଏ ନାହିଁ  । ଲୋକଙ୍କ ସହିତ ମିଶିବା ଓ ସେମାନଙ୍କ ଦୁଃଖ ସୁଖ ସହ ଜଡିତ  ହେଲେ ଲେଖା ଭଲ ହୁଏ । ଏଇ କଥାଟି କେବେ ଭୁଲିଯିବୁ ନାହିଁ  । ହଁ, ଯେଉଁ ସମାଜ ସାପ୍ତାହିକୀରେ ମୋ ଲେଖାଟି ବାହାରିଥିଲା ସେ ଖଣ୍ଡକ ତୋ ପାଖରେ ଅଛି କି ? ଏଠି ମିଳିଲା ନାହିଁ ସମ୍ଭବ ହେଲେ,ସେଇ ସଂଖ୍ୟାଟି ମୋ ପାଇଁ ରଖିଥିବୁ  । (ପାଢୀ ସାର୍ )
                              ତେବେ ସାର୍ ଙ୍କର କେତେ ଖଣ୍ଡ ଚିଠି ମୋ ପାଖରେ ଥିଲେ ମଧ୍ୟ, ଏଥିରେ  କେତେ ପଦ କଥା ଜୀବନର ମୋଡ ବଦଳାଇ ଦେଇଥିଲା । ଲୋକମାନଙ୍କ ସହିତ ମିଶୁ ମିଶୁ ସମାଜ ସେବା ନିଶା ହୋଇଗଲା । ବାସ୍  । ଆଜି ହୁଏତ ଅନେକ କଥା କହିବାକୁ ଥିଲେ, ଭାବ ପ୍ରବଣତାର ଲୁହ ବୋଲ ମାନୁ ନାହିଁ  । କିନ୍ତୁ ଏଇ ଚିଠି ପାଇଁ ଆମେ ଜୀବନରେ ଯାହା ବି ପାଇଛୁ, ତାହା ଶେଷ ପର୍ଯ୍ୟନ୍ତ ଭୁଲି ହେବ ନାହିଁ  । ଶେଷରେ  ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ରହୁଛି  । ପରବର୍ତୀ ସଂଖ୍ୟାରେ ଆସୁଛନ୍ତି “ଚିଠିରୁ ଫେସ୍ ବୁକ୍” ରେ ପ୍ରିୟ ଗାଳ୍ପିକ ହରେକୃଷ୍ଣ ସାହୁ,ମୁଗପାଳ, ଯାଜପୁର ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପାଣି ବିନା ହନ୍ତସନ୍ତ ଭୋଦଳ ଜନ ସାଧାରଣ

କହିଲେ କହିବ କହିଲା । ପାଣି ବିନା ହନ୍ତସନ୍ତ  ଭୋଦଳ ଜନ ସାଧାରଣ  ।
                         ଆପଣ ଯେଉଁ ନଳକୂପଟି ଦେଖୁଛନ୍ତି,  କଟକ ଜିଲ୍ଲା କଂଟାପଡା ବ୍ଲକ ଅନ୍ତର୍ଗତ
ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତରେ
ଥିବା,ଏହା ଏକ ଅଶୀ ଦଶକ ସମୟର  ପୁରାତନ ବାକ୍ସ ନଳକୂପ ଅଟେ ।   ପ୍ରାୟତଃ ଏଠାରେ  ଲୋକମାନେ ନିଜର ନଳକୂପ ବସାଇଥିଲେ ମଧ୍ୟ ପାଣିରେ ଆଇରନ୍ ଆସୁଥିବାରୁ, ବସବାସ କରୁଥିବା  ଅନୂସୁଚିତବର୍ଗର ବେହେରା ସାହି, ସେଠୀ ସାହି ଏବଂ ଭୋଇ ସାହିର   ଆନୁମାନିକ ୧୫୦ ପରିବାର ବସବାସ କରୁଥିଲା ବେଳେ,ଏଥି ମଧ୍ୟରୁ ୧୦୦ ପରିବାର ଏହି ନଳକୂପ ପ୍ରତି ନିର୍ଭର କରିଥାନ୍ତି । ମାତ୍ର ନଳକୂପଟି ଖରାପ ହୋଇ ଏକ ସପ୍ତାହ  ଅତିକ୍ରାନ୍ତ ହୋଇଗଲେ, ଏହି ବିଷୟରେ ପ୍ରଶାସନକୁ ଅବଗତ କଲେ ମଧ୍ୟ ଏହାକୁ ଅଣ ଦେଖା କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ନଳକୂପଟି ଖରାପ ହେତୁ ଲୋକମାନେ ପାଣି ଆଣିବା ସମୟରେ ଦୁଇ ଜଣ ଏହାର ଲୁହା ପାତକୁ ଧରି ତଳ ଉପର କରିବା ଦ୍ୱାରା ପାଣି   ନେଉଛନ୍ତି । ତେବେ ଏହି ପାତଟି  ତଳ ଉପର କରିବା ଅତ୍ୟନ୍ତ ବିପଦ ଜନକ ହେତୁ ଅନେକ ଲୋକ ଖଣ୍ଡିଆ ଖାବରା ହୋଇଛନ୍ତି । ଯାହା ଅତ୍ୟନ୍ତ ପରିତାପର ବିଷୟ ଅଟେ । 

                  ତେବେ ଏହି ନଳକୂପଟି ଜନୈକ ୱାର୍ଡ ସଭ୍ୟଙ୍କ ସମ୍ମୁଖରେ ହୋଇଥିଲେ ମଧ୍ୟ,   ଏ ସଂପର୍କରେ ସେ ପଂଚାୟତ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ, ଅଣଦେଖା
କରିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ  ।  ମୁଖ୍ୟତଃ  ଭାବରେ  ଏହି ତିନୋଟି ସାହିରେ ଅନେକ ସମସ୍ୟା ଗୁଡିକ ଥିଲେ , ଏ ସଂପର୍କରେ ଜନୈକ ସାମାଜିକକର୍ମୀ ମାଧବାନନ୍ଦ ଭୋଇଙ୍କ  ନେତୃତ୍ୱରେ ସାହି ଅଧିବାସୀମାନଙ୍କ ଦ୍ୱାରା ୫ ଗୋଟି ସମସ୍ୟାଗୁଡିକୁ ନେଇ   ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିରରେ  ଜିଲ୍ଲାପାଳଙ୍କୁ  ତା:୨୧/୦୧/୨୦୧୯ରିଖରେ ଅଭିଯୋଗ ଦରଖାସ୍ତ କରାଯାଇଥିଲା । ବିଶେଷ କରି ଏହି ପାଂଚ ଗୋଟି ସମସ୍ୟାମଧ୍ୟରୁ, ଏଠାରେ  ପାନୀୟ ଜଳ ସମସ୍ୟା ଭାବରେ; ଏକ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଭାବରେ ଦରଖାସ୍ତରେ ଉଲ୍ଲେଖ କରାଯାଇଥିଲା । ମାତ୍ର ଏ ସଂପର୍କରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ, ଚଂଚକତା ଭାବରେ ରାଜନୈତିକ ମନୋଭାବ  କରାଯାଇ,୨୦୨୧ ମସିହାରେ ପଂଚଦଶ ଅର୍ଥ କମିଶନ ଅନୁଦାନ ଦ୍ୱାରା  ଭୋଦଳ ବାରିକ ସାହି ଠାରେ ଏକ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଗଲା  । ତେବେ ଦୁଃଖର ବିଷୟ, ଏଠାରେ ଏକ ନୂତନ ବାକ୍ସ ନଳକୂପ ଥିବା ସତ୍ୱେ , ଏଠାରେ ଏ ପ୍ରକଳ୍ପ  ଅଦ୍ୟାବଧି ଦୁଇ ମାସ ଠାରୁ ନିର୍ମାଣଧିନ ଥିଲେ ମଧ୍ୟ, ପଂଚାୟତ ପ୍ରସାଶନ କିପରି ଅନୁମତି ପ୍ରଦାନ କଲା, ତାହା ପ୍ରଶ୍ନବାଚୀ ଅଟେ ।  ଏଠାରେ ମୁଁ କୌଣସି ଜନ ସାଧାରଣଙ୍କ ସ୍ବାର୍ଥକୁ ବିରୋଧ କରୁନାହିଁ  । ମାତ୍ର ଯେଉଁଠାରେ ଜନ ସାଧାରଣଙ୍କ ସମସ୍ୟା ରହିଛି , ସେ ସମସ୍ୟା ସମାଧାନ କରା  ନ ଯାଇ, ରାଜନୈତିକ ସ୍ବାର୍ଥ ଉଦ୍ଦେଶ୍ୟରେ, ସମସ୍ୟା ବିହୀନ ସ୍ଥାନରେ ସରକାରୀ ଅଥର୍କୁ ବିନିଯୋଗ  କେତେ ଦୂର ଯଥାର୍ଥ ତାହା ବୁଦ୍ଧିଜୀବୀମାନେ ବିଚାର କରିବା ପାଇଁ ଅନୁରୋଧ ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପଂଚଶୀଳ ନିର୍ବାଣ

ନିର୍ବାଣ ଲଭିଲ, ସଂସାର ବର୍ଜିଲ;        
ସାଧନା କଂଟକ ପଥେ,
ସିଦ୍ଧିର ଆଲୋକ ବିଛୁରିଲ ପ୍ରଭୋ
ସମାଜ ହିତ,ପ୍ରୀତ୍ୟାର୍ଥେ । ।
 ଜୀବ ହିଂସା ଠାରୁ,ମହା ପାପ ନାହିଁ,
ଜୀବ ହତ୍ୟା ଅଧରମ ।
ଜୀବେ ଦୟା ବହି, ସର୍ବେ ଆତ୍ମା ଧ୍ୟାୟୀ,
କର ସଦା ସୁକରମ । ।
ଚୋରୀ ଦାରୀ ନାରୀ ବରଜିବ ସଦା
ନ କରିବ ବ୍ୟଭିଚାର ।
ସଦାଚାର ହୋଇ, ମିଥ୍ୟା ନ ଭାଷିବ.
ମନେ କରି ସୁବିଚାର । ।
କଲେ ସୁରା ପାନ, ଲଭିବ ମରଣ,
ନିଶା ଦରବ ତେଜିବ ।
ସର୍ବ ଘଟେ ଚାହିଁ ପରମାତ୍ମା ଧ୍ୟାୟୀ,
ଜୀବ ନିର୍ବାଣ ଲଭିବ ।
ଜୀବ ନିର୍ବାଣ ଲଭିବ । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଆମେ ବୋଧେ ଶେଷ ପିଢ଼ି।


★ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ ।
★ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
★ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
★ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
★ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
★ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
*ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସି ଆଜିର ଏହି ଅଶାନ୍ତ ଦୁନିଆରେ ଶାନ୍ତି ଫେରାଇ ଆଣନ୍ତା କି । ଏମିତି ଆହୁରି କେତେ----* । Those memorable days never forget
❤️❤️❤️❤️❤️

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଐତିହାସିକ ଗୋବିନ୍ଦପୁର ଥାନାର ଏକ ଅନାଲୋଚିତ ଇତିହାସ :ବିଳମ୍ବରେ ଉନ୍ନୀତ ମାନ୍ୟତା

                       ଭୌଗଳିକ ଦୃଷ୍ଟି କୋଣରୁ ଗୋବିନ୍ଦପୁର ଥାନା ଏକ ଐତିହାସିକ ଥାନା
କହିଲେ ଅତ୍ୟୁକ୍ତି ହେବ ନାହିଁ  ।   ଏହାର ଅବସ୍ଥିତି ଦୃଷ୍ଟି କୋଣରୁ  ଥାନାଟି ଦେବୀ ନଦୀ କୂଳରେ ଅବସ୍ଥିତ  । ଯେଊଁଠି ସାପର ଜିହ୍ୱା ପରି ଦୁଇଫାଳ ହୋଇ ଯାଇଛି  । ଅପରପାଶ୍ୱର୍ରେ ଶଙ୍ଖାରି ସାହିର ଉପକଂଠରେ  ବିଲୁଆ ଖାଇ ନଦୀ   ବହିଯାଇଛି  ।   ଯାହାର ନଦୀ ପଠାରେ ଅଶୀ ଦଶକର ସାମ୍ବାଦିକ ନବକିଶୋର ଦାସଙ୍କର ଧର୍ମପତ୍ନୀ ଛବିରାଣୀଙ୍କୁ ଗଣ ଦୁଷ୍କର୍ମ କରି ମାରି ଦିଆ ଯାଇଥିଲା  ।   ସେହିପରି ଦେବୀ ନଦୀର  ପ୍ରାଚୀନ ଗାଥା କୁ ଅବଲକୋନ କଲେ, ଇଂରେଜ ଶାସନ ସମୟରେ ଏହା ବହୁତ ଘଂଚ  ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା  । ଏପରି କି ଏହି ନଦୀ ପଠାରେ ହ୍ରିଂସ ଜନ୍ତୁଙ୍କ ଚଳ ପ୍ରଚଳ ଥିଲା ।  ମୋର ମନେ ଅଛି, ୧୯୮୩ ମସିହାରେ ମାମୁଁ ଘର ନୂଆ ଗାଁ ଏବଂ ମାଉସୀ ଘର ଶଙ୍କାରୀ ସାହି  ଦୃଷ୍ଟିରୁ, ମାମୁଁ ଘର ଜେଜେଙ୍କ ସହିତ ପ୍ରାୟ ସମୟ ଲୁଗା ବିକ୍ରି କରିବା ପାଇଁ ବିରିଡି ହାଟକୁ   ଯାଇଛି  । ସେତେବେଳେ ଏହି ଗୋବିନ୍ଦପୁର ଥାନା ନିକଟସ୍ଥ ଡଙ୍ଗା ଘାଟରେ ଡଙ୍ଗା ପାରି ହୋଇ ଯିବା ପାଇଁ ହୋଇଥାଏ  । ଆମକୁ ପ୍ରାୟ ସନ୍ଧ୍ୟା ପୂର୍ବରୁ ଫେରିବା ପାଇଁ  ହୁଏ  ଏବଂ ଏକାଠି ପାଂଚ ଛଅ ଜଣ  ସାଥୀ ହୋଇ ଫେରିବା ପାଇଁ ପଡିଥାଏ  । ନତୁବା ବେଳେ ବେଳେ ବିଲୁଆ ଖାଇ ନଦୀ ପଠା ହେଉ  କିମ୍ବା ଦେବୀ ନଦୀ ପଠା ହେଉ, ଏଠାରେ ପ୍ରାୟ ବେପାରୀମାନେ ଲୁଟପାଟର ଶିକାର  ହୋଇଥାନ୍ତି  । ଅତୀତରେ  ଏହି ଦେବୀ ନଦୀ ପଠାରେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏଠାରେ ଏକ ବୈଷ୍ଣବ ମଠ ଥିଲା । ଜାତି ବର୍ଣ୍ଣ ଧର୍ମ  ନିର୍ବିଶେଷରେ  ବହୁ  ସାଧୁ ସନ୍ଥଙ୍କର ସମାବେଶ  ହୋଇଥିଲା  ଏବଂ ଏଠାରେ ବହୁତ ଲୋକ ବୈଷ୍ଣବ ଧର୍ମରେ ଦିକ୍ଷୀତ ହୋଇଥିଲେ । ବର୍ତମାନ ତାହା ନଦୀ ଗର୍ଭରେ ବିଲୀନ ହୋଇଯାଇଛି ।  
     ଗୋବିନ୍ଦପୁର ଥାନାର ଇତିହାସ ଅତ୍ୟନ୍ତ ପ୍ରାଚୀନ  ।  ବ୍ରିଟିଶ ଶାସନ ସମୟରେ ଭୌଗଳିକ ଦୃଷ୍ଟିକୋଣରୁ ଗମନାଗମନାର ସୁବିଧା ନଥିଲା।ବାଣିଜ୍ୟିକ କାରବାର ଦୃଷ୍ଟିରୁ ଛତ୍ର  ବକାର  ଠାରୁ ତାଳ ଦଣ୍ଡା କେନାଲକୁ ମାଧ୍ୟମ କରି ବିଭିନ୍ନ ସ୍ଥାନକୁ  ଡଙ୍ଗା ଏବଂ ଭେଳା ମାଧ୍ୟମରେ ମାଲ ପରିବହନ କରାଯାଉଥିଲା । ଯାହା ମହାନଦୀର ଯୋବ୍ରା ଠାରୁ  ଏକ ବାଣିଜ୍ୟିକ ଉତ୍ସ ଥିଲା ଏବଂ ଗମନା ଗମନର ମାଧ୍ୟମ ଥିଲା ।  ମହାନଦୀର  ଯୋବ୍ରା ଠାରେ ଗମନା ଗମନ ଏବଂ ବାଣିଜ୍ୟିକ କାରବାର ଦୃଷ୍ଟିରୁ ଅତୀତରେ ଏହି ଯୋବ୍ରା ଠାରେ ଇଂରେଜ ଶାସନ ସମୟରେ ଜର୍ଜ ଫକନରଙ୍କ ଦ୍ୱାରା ଏକ ଜାହାଜ ନିର୍ମାଣ କାରଖାନା କରାଯାଇଥିଲା  । ଜର୍ଜ  ଫକନର ବିଷୟରେ ଏତିକି କହିବି, ସେ ଇଂଲଣ୍ଡର ଅଧିବାସୀ ହୋଇଥିଲେ ମଧ୍ୟ ଭାରତ ବର୍ଷ  ତାଙ୍କ ପାଇଁ ଦ୍ୱିତୀୟ ମାତୃଭୂମି ଥିଲା । ସେ କୋଡିଏ ବର୍ଷ ବୟସ ରେ ମେକାନିକାଲ୍ ଇଂଜିନିଅରିଂ ତାଲିମ୍ ନେଇ   ଏକ ଜଳ ସେଚନ କଂପାନୀରେ   କାର୍ୟ୍ୟାରମ୍ଭ କରିଥିଲେ । ଓଡିଶା ଆସିଲା ପରେ, ବାଣିଜ୍ୟିକ କାର ବାର ପାଇଁ ତିନୋଟି ବଡ କେନାଲ ଖୋଳିଥିଲେ ।   ସେ ଜଳ ସେଚନ ବିବାଗର ଅନେକ କାର୍ୟ୍ୟ ତାଙ୍କରି ତତ୍ୱାବଧାନରେ ହେଉଥିଲା ।ସେ ଜୋବ୍ରାକୁ ନିଜ ଢଙ୍ଗରେ  ଶାସନ କରିବା ସହିତ ଜୋବ୍ରା ଠାରେ ଧାଡି ଧାଡି ପୁରୁଣା  ଜାହାଜ କାରଖାନା ଘର ଗୁଡିକ,ତାଙ୍କ  ଉଲ୍ଲେଖନୀୟ  କୃତିତ୍ୱକୁ ଆଜି ବି ତାଙ୍କର କାର୍ୟ୍ୟ ଦକ୍ଷତାର ସ୍ମୃତି ବହନ କରେ  ।ଏହି ସମୟରେ  କଟକର ଜିଲ୍ଲା ପାଳ ଜନ ବିମ୍ସ ଥିଲା ବେଳେ , ଫକନରଙ୍କର କୃତିତ୍ୱକୁ ତାଙ୍କର ରଚିତ "ଜଣେ ଶାସକର ସ୍ମୃତି" ପୁସ୍ତକରେ ଅତ୍ୟନ୍ତ ସୁନ୍ଦର ଭାବରେ ଲେଖି ଯାଇଛନ୍ତି ।ଆଜି ବି ସେହି ସ୍ମୃତିର ସନ୍ତକ ଭାବରେ  ଯୋବ୍ରା ଠାରେ ଏହି ଜାହାଜ ନିର୍ମାଣ କାରଖାନାଟି “ନୌ ବାଣିଜ୍ୟ ସଂଗ୍ରହଳାୟ” ଭାବରେ ବିଦ୍ୟମାନ ଏବଂ ଦୁଇଟି ବତୀଘର ଅତୀତ ଇତିହାସର ମୁକ ସାକ୍ଷୀ ରହିଛି  ।ଏହି ସମୟରେ ଚୋର, ଖଂଟ ଏବଂ ଅସାମାଜିକ ବ୍ୟକ୍ତିମାନଙ୍କର ଦୌରାତ୍ମ୍ୟ ପ୍ରବଳ ଭାବରେ ବୃଦ୍ଧି ପାଉଥିଲା  ।   ଏତଦ୍ ବ୍ୟତୀତ   ଇଂରେଜ ଶାସନ ସମୟରେ ସାରା ଭାରତ ବର୍ଷରେ ସ୍ବାଧୀନତା ସଂଗ୍ରାମ ଚାଲିଥିଲା ବେଳେ ଗୋବିନ୍ଦପୁର ମାଟିରେ  ସ୍ବାଧୀନତା ପ୍ରାପ୍ତି ପାଇଁ ଜନ ମାନସରେ   ଇଂରେଜମାନଙ୍କ ପ୍ରତି ପ୍ରତିହିଂସାର ବହ୍ନି ଜଳୁଥିଲା  । ଯାହାଫଳରେ ବ୍ରିଟିଶ ସରକାର ଏଠାରେ  ଏକ ଥାନା ସ୍ଥାପନ ପାଇଁ   ବାଧ୍ୟ ହୋଇଥିଲା  । ସାରା ଭାରତ ବର୍ଷରେ ଶାସନ ଖସଡା ଏବଂ ନ୍ୟାୟିକ ବ୍ୟବସ୍ଥା ପାଇଁ ୧୮୫୭ ପାଇକ ବିଦ୍ରୋହ ପରେ ପରେ ବ୍ରିଟିଶ ହାଉସ୍ ଅଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା । କମିଶନରଙ୍କ ନିଷ୍ପତି କ୍ରମେ ପୋଲିସ ଆକ୍ଟ  ୧୮୬୧ (ଭି) ଅନୁଯାୟୀ ୧୮୬୨ ମସିହାରେ ଓଡିଶାରେ ଅନେକ ସ୍ଥାନରେ ଥାନା ଗୁଡିକ ସ୍ଥାପିତ ହେଲା ବେଳେ ଗୋବିନ୍ଦପୁର ଥାନା ସ୍ଥାପନ କରାଯାଇଥିଲା । ଏହି ସମୟରେ ବ୍ରିଟିଶ୍ ପୋଲିସ କର୍ମଚାରୀମାନେ ଲାଲ ପଗଡି ପିନ୍ଧି  ଦେବୀ ନଦୀର ଜଳ ପଥରେ ଆସୁଥିଲେ ଏବଂ ଘୋଡା ଦ୍ୱାରା ବିଭିନ୍ନ ଅଂଚଳକୁ  ଯାତାୟତ କରୁଥିଲେ ।୧୯୩୬ ମସିହାରେ  ଓଡିଶା ପ୍ରଦେଶ ଗଠନ କରାଗଲା  । ପରେ ପରେ ପ୍ରାୟ ୪୦୦୦ ପୋଲିସମାନଙ୍କୁ ନେଇ ଓଡିଶା ପୋଲିସ ଗଠନ ହେଲା ।ଏହି ୪୦୦୦ ପୋଲିସମାନଙ୍କୁ ତିନି ଭାଗରେ ଓଡିଶା-ବିହାର ପୋଲିସ୍,ମାଡ୍ରାସ ପ୍ରେସିଡେନ୍ସି ଏବଂ ସେଂଟ୍ରାଲ ପ୍ରୋଭିନ୍ସ ଭାବରେ ବିଭକ୍ତ କରାଯାଇଥିଲା ।  ଏହି ପୋଲିସ ବାହିନୀର ପ୍ରଥମ  ଆଇ.ଜି.: ଇ.ଏ.ଓ. ପର୍କିନ୍  ଏବଂ  ସହକାରୀ ଆଇ.ଜି.: ଆଇ.ସି. ମ୍ୟାକନେଲ୍ (ସି.ଆଇ.ଡି) ଥିଲେ  ।୧୯୩୭ ମସିହାରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା । ଏହି ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ଦଳ ୬୬  ଆସନରୁ ୩୬ଟି ଆସନ ଅକ୍ତିଆର କରିଥିଲା ।  ଗୋବିନ୍ଦପୁର ଥାନା ଅଧିନରେ ଥିବା୧୪ଟି ଗ୍ରାମ ପଂଚାୟତ  ଓଡିଶା ପୋଲିସର ଅଧିନସ୍ଥ ହେଲା ।  ପୂର୍ବରୁ ନିଆଳୀ  ଥାନା ଏବଂ ଓଲଟପୁର ଥାନା  ଗୋବିନ୍ଦପୁର ଥାନା ଅଧିନରେ ଥିଲେ ମଧ୍ୟ  ପରେ ପରେ  ମାତ୍ର ତିନି ଗୋଟି ପଂଚାୟତକୁ ୨୦୦୯ ମସିହା ଫେବୃୟାରୀ ୨୮ ତାରିଖରେ ଗଠିତ ହେଲା  ।  ପ୍ରଥମେ ଓଲଟପୁର ଥାନାଟି  ଓଲଟପୁରର ପୁରୁଣା ଡାକ ଘରେ ଚାଲୁଥିଲା । ବର୍ତମାନ କଂଟାପଡା ବ୍ଲକ କାର୍ୟ୍ୟାଳୟ ପରିସରରେ କାର୍ୟ୍ୟ କରୁଅଛି  । ଏହାର ସ୍ଥାୟୀ ପରିସ୍ଥାନକୁ ନେଇ ଅନେକାଂଶରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ  ନିଆଳୀ ଥାନା ପ୍ରଥମେ ଇନସପେକ୍ଟର ସ୍ତରୀୟ ହେଲା ପରେ ପରେ  ଓଲଟପୁର ଥାନା ମଧ୍ୟ ଇନସପେକ୍ଟର ସ୍ତରୀୟ ମାନ୍ୟତା ପାଇଥିଲା । ତେବେ ଗୋବିନ୍ଦପୁର  ଥାନାଟି ବ୍ରିଟିଶ୍ ଅମଳ ହେଲା ବେଳେ  ଏହି ଥାନା ପ୍ରତି ସରକାରଙ୍କ ବୈମାତୃକ ଭାବ ଅନେକ ବୁଦ୍ଧିଜୀବିମାନଙ୍କୁ ବ୍ୟଥିତ କରିଥିଲା  । ବିଶେଷ କରି ଏହି ଅଂଚଳରେ ଆଇନ୍ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଥିବା ସମୟରେ ଗରିବ ଲୋକ ସଠିକ୍  ଭାବରେ ନ୍ୟାୟ ପାରୁ ନ ଥିଲେ । ଏପରିକି ଏହି ଥାନା ଅନେକ ମୌଳିକ ସୁବିଧାରୁ ବଂଚିତ ହୋଇଥିଲା । କାର୍ୟ୍ୟାଳୟ ପାଇଁ ଭଲ ଘର ନ ଥିଲା । ପ୍ରଥମେ ଗୋବିନ୍ଦପୁର ଥାନାଟି ଇଂରେଜ ଅମଳର ପୁରୁଣା  ଗୃହରୁ ଅନ୍ୟ ନୂତନ ଘରକୁ ସ୍ଥାନାନ୍ତରିତ ହୋଇଥିଲା ।  ତେବେ କର୍ମଚାରୀଙ୍କ ପାଇଁ  ବାସୋପଯୋଗୀ ଗୃହ ନ ଥିଲା ।  ତେବେ  କଛପ  ଗତିରେ , ରାଜ୍ୟ ସରକାରଙ୍କ ଦ୍ୱାରା ଥାନାର ଭିତିଭୂମି ପାଇଁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରାଗଲା , ଯାହାଦ୍ୱାରା  ଆଜି ଗୋବିନ୍ଦପୁର ଥାନା  ଏକ ଭବ୍ୟ ରୂପ ନେଇଛି।

             ଏହି ପରିପ୍ରେକ୍ଷୀରେ ଗୋବିନ୍ଦପୁର ଥାନା ପ୍ରତି ସରକାରଙ୍କ  ବୈମାତୃକ ଭାବ ପୋଷଣ କରୁଥିଲା ବେଳେ , ଅନେକ ସାମାଜିକକର୍ମୀଙ୍କୁ ଚିନ୍ତିତ କରିଥିଲା ।  ଗୋବିନ୍ଦପୁରର  ଅଗ୍ରଣୀ ସଂଗଠନ ଯୁବ ଦଳିତ ସଂଘ,ଓଡିଶା ଏହି ପରିପ୍ରେକ୍ଷୀରେ ବାରମ୍ବାର ଦାବୀପତ୍ର ଦ୍ୱାରା  ସରକାରଙ୍କୁ ଅବଗତ କଲାପରେ,ପ୍ରଶାସନ ନୀରବ ରହିବାରୁ ଶେଷରେ ୨୦୧୪ ମସିହା ଜାନୁୟାରୀ ୨୬ ତାରିଖରେ ତିନି ଦଫା ଦାବୀରେ ଆମରଣ ଅନଶନ ଏବଂ ଗଣ ଧାରଣାର ମଇଦାନକୁ   ଅବତୀର୍ଣ୍ଣ ହୋଇ ଥିଲା  । ସେତେ ବେଳେ  ଏହି ସଙ୍ଗଠନର ସଂଗ୍ରାମୀ ସାଥୀ ଅଭିମନ୍ୟୁ ମଲ୍ଲିକ୍ ,ମାଧବାନନ୍ଦ ଭୋଇ ସାଧାରଣ ସଂପାଦକ ଏବଂ ନିର୍ମଳ କୁମାର ଭୋଇ, ମୁଖ୍ୟ ସଂଯୋଜକ  ଥିଲେ । ପରିତାପର ବିଷୟ ଏହ କି, ପୂର୍ବରୁ ଆମରଣ ଅନଶନ ଏବଂ ଗଣ ଧାରଣା ସଂପର୍କରେ ଅବଗତ କରିଥିଲେ ମଧ୍ୟ, ଏହି ସମୟରେ  ଉକ୍ତ ଥାନାର ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଅନୁପସ୍ଥିତ ରହିବା ଆମକୁ ଦ୍ୱନ୍ଦରେ ପକାଇ ଥିଲା  । ବିଶେଷତଃ  ଆମର ତିନି ଦଫା ଦାବୀ ଭାବରେ, ପ୍ରଥମତଃ  ଗୋବିନ୍ଦପୁର ଥାନାକୁ ଇନିସପେକ୍ଟର ପାହ୍ୟା ମାନ୍ୟତା ପ୍ରଦାନ କରିବା ସହିତ ଥାନାର କାର୍ୟ୍ୟାଳୟ ଓ ପୋଲିସ କର୍ମଚାରୀଙ୍କ ବାସଗୃହକୁ ନବୀକରଣ ଥିଲା । ଦ୍ୱିତୀୟତଃ  ଥାନରେ ଦଳିତ ସେଲ୍ କରାଯାଉ  ଏବଂ ତୃତୀୟରେ ମହିଳା ଏବଂ ଶିଶୁ ଡେସ୍କ ସ୍ଥାପନ କରିବା ପାଇଁ ଦାବୀ ଥିଲା  ।  ପରିଶେଷରେ ଦୁଇ ଦିନ ପର୍ୟ୍ୟନ୍ତ ଅନଶନ ଏବଂ ଧାରଣାରେ ବସିଲା ପରେ କଟକ ସଦର ଉପଖଣ୍ଡ କାର୍ୟାଳୟର ଉପଖଣ୍ଡ ଅଧିକାରୀ ଗୁପ୍ତ ମହାକୁଡ  ଏବଂ ଗ୍ରାମାଂଚଳ ସହକାରୀ ଆରକ୍ଷୀ ଅଧିକ୍ଷ କୃଷ୍ଣ ଚନ୍ଦ୍ର ସାମଲ ପୂର୍ବାହ୍ନରେ ଆମ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ ।  ତେବେ ୨୦୧୪ ମସିହାରୁ ଆଜି ପର୍ୟ୍ୟନ୍ତ ଏକ ବିରାଟ ବ୍ୟବଧାନ  । ଅନେକ ଘଟଣା ଘଟି  ଯାଇଛି  । ଆମର ଦାବୀ ପତ୍ର ପ୍ରଦାନ ପରେ ପ୍ରଶାସନ  ୨ଟି ଦାବୀପୂରଣ କଲା ସତ, କିନ୍ତୁ ପ୍ରଥମ ଦାବୀ ଭାବରେ ଆମର ଗୋବିନ୍ଦପୁର ଥାନା ଇନସପେକ୍ଟର ପାହ୍ୟାକୁ ଉନ୍ନୀତ ହୋଇ ନ ଥିଲା ।  ଜଣେ ସାମାଜିକକର୍ମୀ  ଭାବରେ ମନରେ ଅନେକ କ୍ଷୋଭ ଏବଂ ଗ୍ଲାନି ଆସୁଥିଲା ।  ଆଜି ତାହା ଦୂରୀଭୁତ ହୋଇଯାଇଛି  ।

 ଆଜି ଗୋବିନ୍ଦପୁରର   ଥାନାର ଇତିହାସରେ ନୂତନ ଅଧ୍ୟାୟ ସଂଯୋଗ ହୋଇଛି . ଅଧୁନା ସମୟରେ ଗ୍ରାମାଂଚଳ   ଆରକ୍ଷୀ ଅଧିକ୍ଷକ ଭାବରେ ଯୁଗଳ କିଶୋର ବନୋଟ ଥିବା ସମୟରେ ପ୍ରଥମ ଭାର ପ୍ରାପ୍ତ ନିରୀକ୍ଷକ ଭାବେ ଅନାମ ଚରଣ ନାୟକ ଯୋଗଦାନ କରିଛନ୍ତି  । ଶ୍ରୀଯୁକ୍ତ ନାୟକ କେନ୍ଦୁଝର ଜିଲ୍ଲା ତୁରୁମଙ୍ଗ ଥାନା ଅଧିନସ୍ଥ ବନମାଳୀପୁରର ପିତା ସ୍ବର୍ଗତ ଭ୍ରମରବର ନାୟକ ଏବଂ ମୋତି ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଅଟନ୍ତି  ।  ଶ୍ରୀଯୁକ୍ତ ନାୟକ  ତା:୧୭/୦୬/୧୯୬୫ରିଖରେ ଜନ୍ମ ଗ୍ରହଣ କରି  ଜନୈକ ପୋଲିସ ଅଧିକାରୀ ଭାବରେ ତା:୨୭/୦୮/୧୯୮୯ ମସିହାରେ କାର୍ୟ୍ୟାରମ୍ଭ କରିଥିଲେ । ସେ ଜଣେ ଅଭିଜ୍ଞ,ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ।  ତାଙ୍କର ତା:୨୯/୦୪/୨୦୨୧ରିଖରେ ପଦୋନ୍ନତି କ୍ରମେ ପୂର୍ବରୁ ଓଲଟପୁର ଥାନାରେ ଜଣେ ବରିଷ୍ଠ ଉପ ଅଧିକାରୀ ଭାବେ କାର୍ୟ୍ୟ କରୁଥିଲେ ।ଶ୍ରୀଯୁକ୍ତ ନାୟକଙ୍କ ତା:୩୦/୦୬/୨୦୨୫ରିଖରେ ଅବସର  ଜୀବନ ଆରମ୍ଭ । ଏଠାରେ ରାଜନୀତିର ଚକ୍ରବୁ୍ୟହକୁ ଭେଦ କରି ଆଗାମାୀ ଦିନରେ ଜନ ସାଧାରଣଙ୍କୁ  ନ୍ୟାୟ ପ୍ରଦାନ କରିବା ସହିତ  ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିବେ ବୋଲି ଜନ ସାଧାରଣ ଆଶା କରିଛନ୍ତି । ଯାହା ସମୟ ହିଁ ପରିପ୍ରକାଶ କରିବ  ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...