ମାଆ ତୋତେ ପ୍ରଣାମ


           ଆଜି  ତା:୦୭/୦୫/୨୦୨୦ରିଖ  ।  କଟକ ସହରଟା କାହିଁକି ଏତେ ନିଜର ନିଜର ଲାଗେ କାହିଁକି, ତାର କାରଣ ହୁଏତ ମିତୁ ପାଇଁ ଅସ୍ପଷ୍ଟ  ।  କେତେ ଜଣ ଏହାକୁ ନର୍ଦ୍ଦମାର ସହର କୁହନ୍ତି, ଆଉ କେତେ ଜଣ ଭାଇଚାରାର ସହର କୁହନ୍ତି  । ହେଲେ ଖିଆଲୀ ମଣିଷଟି ପାଇଁ ତାର ପ୍ରିୟ ସହର ଚିର ସବୁଜ ପରି ଲାଗେ  ।  ମହାମାରୀ କରୋନା ପାଇଁ କଟକ ଗ୍ରୀନ୍ ଜୋନରେ ଥିଲେ ବି ପ୍ରାୟ ଦୋକାନ ବଜାର ବନ୍ଦ ଥାଏ  । ଏହା ସହିତ ପ୍ରବଳ ଖରା ହେତୁ  ରାସ୍ତା ବି ଟିକେ ଫାଙ୍କା ଥାଏ ।  ସେଦିନ ବାଦାମ ବାଡି ବସ୍ ଷ୍ଟାଣ୍ଡରୁ  ଝାରଖଣ୍ଡ ସରକାର ଛଅ ଗୋଟି ବସ୍ ପଠାଇ ଥାନ୍ତି ସ୍ବ ରାଜ୍ୟର ପ୍ରବାସୀ ଶ୍ରମିକ  ନେବା ପାଇଁ  ।  ସେମାନଙ୍କର କାର୍ଯ୍ୟ  ବହୁତ ଶୃଙ୍ଖଳିତ ବୋଲି ମିତୁକୁ ଜଣାପଡୁଥାଏ  । ପ୍ରତି ବସରେ ଜଣେ  ମାଜିଷ୍ଟ୍ରେଟ୍ ଏବଂ ଜଣେ  ଅତିରିକ୍ତ  ଭାର ପ୍ରାପ୍ତ ଅଧିକାରୀ ଶ୍ରମିକମାନଙ୍କର ଦାୟିତ୍ୱ ନେଇଥାନ୍ତି  ।  ପ୍ରତି ଶ୍ରମିକଙ୍କର ପଂଜୀକରଣ  ଏବଂ ଆଧାର କାର୍ଡ ସହିତ ମୋବାଇଲ୍ ନମ୍ବର ଯାଂଚ କରି ଗାଡି ଭିତରକୁ ଛାଡିବା ଅତ୍ୟନ୍ତ ସ୍ବାଗତେଯାଗ୍ୟ ବିଷୟ  ଏବଂ ସଂଗରୋଧ କେନ୍ଦ୍ରରେ ପହଂଚାଇବା ପର୍ଯ୍ୟନ୍ତ ଉକ୍ତ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ   । ମିତୁ ଏଗୁଡିକ କଭରେଜ୍ କଲା ପରେ ଛତ୍ର ବଜାର ବାଟ  ଦେଇ କଲେଜ୍ ଛକରେ ପହଂଚିଲା  ।   
                             ପ୍ରାୟ ଦିନ ଦୁଇଟା ହେବ, ଶାରଳା ଷ୍ଟାମ୍ପ ଦୋକାନ ସମ୍ୁଖରେ ଏକ  ଯାତ୍ରୀ ବିଶ୍ରାମଗାର  । ବାଇକରେ ଯାଉ ଯାଉ ବିଶା୍ରମଗାରଟିକୁ ଅତିକ୍ରମ କରୁ କରୁ ଅଟକିଗଲା ମିତୁ  । କାହିଁକି କେଜାଣି ମନ ଭଲ ଲାଗିଲା ନାହିଁ । ପଛରୁ  ମଟର ସାଇକେଲ ଘୁରାଇ, ପହଂଚିଲା ଯାତ୍ର ବିଶ୍ରାମଗାର ନିକଟରେ  । ସିମେଂଟ ବେଂଚ ଉପରେ ଦୁଇଟି ଲୁଗା ବୁଜୁଳା ଥୁଆ ହୋଇଥିଲା  ।  ବେଂଚ ଉପରେ  ଛାଡି ଛାଡି ହୋଇ ବସିଥିଲେ ଦୁଇଟି ମହିଳା  । ଜଣକର ସତର ଅଠର ବୟସ ହୋଇଥିବା ବେଳେ ଆର ଜଣକର  ପ୍ରାୟ ଷୋହଳ ସତର ବର୍ଷ ପରି ଲାଗୁଥିଲା   ।  ପଛରେ  ବିଶ୍ରାମଗାରର ଲୁହା ବାଡାରେ ଓଦା ଲୁଗା ଶୁଖାହୋଇଥିଲା  । ଦର ଚିପୁଡା ହୋଇଥିବା ଲୁଗାରୁ ପାଣି ଟୋପେ ଟୋପେ ପଡିବା ସହିତ କିଛି କ୍ଷଣ ମଧ୍ୟରେ ଶୁଖି ଯାଉଥିଲା  ।   ବୟସରଙ୍କ ସାନ ଲାଗୁଥିବା ମହିଳା ଜଣକ ଗୋଟେ ଷ୍ଟିଲ୍ କଂସାରେ  ଚୂଡା ଚକଟି ଖାଉ ଥାନ୍ତି  । ଆଉ ଦୁଇଟା ଚୂଡା ପୁଡିଆ ପଲିଥିନରେ  ଗୁରା ହୋଇ ଥୁଆ ହୋଇଥାଏ । ଭିତରେ ବୋଧେ ଚିନି ପୁଡିଆ ଖିଲ ମରା ହୋଇ ପଶିଥାଏ  । ସତରେ ଯେଉଁ ସମୟରେ ଭାତ ଗୁଣ୍ଡାଏ ଲୋଡା, ସେ ସମୟରେ ଚୂଡା ଗୁଡିକ ପେଟକୁ ଯାଆନ୍ତା ବି କିପରି ?  ହେଲେ ସରକାର ନିଜକୁ ଦରିଦ୍ର ନାରାୟଣ ସାଜି ନିଜର ଢୋଲ ପିଟୁଛନ୍ତି  । କରୋନାରେ ସବୁ କିଛି ମୁଁ କରିଛି, କେହି ବି ଲୋକ ଉପାସରେ ରହିବେ ନାହିଁ  । ହେଲେ ସେ ଭୋକ ବିକଳରେ ବିଚରା ଗିଳି ଯାଉଥିଲା, ବହୁତ ଦିନରୁ ରଦିଆ ହୋଇ ଯାଇଥିବା ଖାଲି  ଦରୋଟିଆ ଚୂଡାକୁ  ।  ଏହା ହିଁ ଗରିବୀ ଜୀବନର ଛୋଟିଆ ମାନସାଙ୍କ  । ସତରେ  ଏଇ ମଣିଷକୁ ଯେତେବେଳେ ବହୁତ ଭୋକ ହୁଏ, ଖାଦ୍ୟର ସ୍ବାଦ ସିଏ ବାରି ପାରେ ନାହିଁ  । ହେଲେ  ସୁଖ ସ୍ବାଛନ୍ଦରେ  ଛାଇ ତଳେ ରହୁଥିବା ମଣିଷଟି ଖାଇଲା ବେଳେ, ଖାଦ୍ୟର ସ୍ବାଦୁ ବାରି ପାରେ  । ତା ପାଇଁ ନଅ ତିଅଣ ଛଅ ଭଜା ଆବଶ୍ୟକ ହୋଇଥାଏ  ।  ନ ହେଲେ ଘରେ ଝଗଡା ହୁଏ  ।ହେଲେ ମିତୁ  ଏକ ସ୍ଥାନରେ ଦୃଷ୍ଟି ପକାଇବାରୁ, କେମିତି ମନଟା ତାର ଥମ୍ ହୋଇଗଲା  । ଉଦୁ ଉଦିଆ ଦିପହର ବେଳେ,  ଝାଂଜି ପିଟୁଥିବା ବେଳେ, ସାତ ଆଠ ମାସର କଅଁଳା ଶିଶୁଟିକୁ, ଗାମୁଛାଟେ ପାରି ଚଟାଣରେ ଶୁଆଇ ଦେଇଥିଲା ମହିଳା ଜଣକ  । ପ୍ରବଳ ଗରମ ହେତୁ, ଶିଶୁଟିର ପାଖରେ ବସି ନିଜର ଚିରା ପଣତରେ ବିଂଚି ଦେଊଥିଲା ତ କେତେ ବେଳେ ଖରା ପଡୁଥିବାରୁ,  ପଣତରେ ଉହାଡ କରି  ଛାଇ ଟିକେ କରି ଦେଉଥିଲା  । ସରଳ ନିଷ୍ପାପ ଶିଶୁଟି. ମାଆର  ମମତ୍ୱବୋଧରେ ଆତ୍ମ ତୃପ୍ତିର ସହ ଶୋଇ ପଡିଥିଲା ଗହନ ନିଦରେ  । ସେ ଜାଣେ ନାହିଁ, ଆସନ୍ତା କାଲି ତା ପାଇଁ କଣ ହେବ ? ସେ ଜାଣେ ନା,ଦୁନିଆରେ ଫୁଲ ପରି ହସି ପାରିବ ନା ବାସନାକୁ ସୁରଭିତ କରି ପାରିବ ? ହୁଏତ  ଗରିବ ଜୀବନର ଗରିବୀ ବୁଲ ଡ୍ରୋଜରରେ, ତାର ସ୍ବପ୍ୱ ସବୁ ଧୁଳିସାତ୍ ହୋଇଯିବ   । ରାସ୍ତା  କଡର ଜରି, ଫଟା ପେଟି ଗୋଟାଉ ଗୋଟାଉ, ଦିନକର ଖାଇବା  ମୂଲ୍ୟକୁ ହିସାବ କରିବ, କେତେ ଓଜନର ମାଲ୍ ହେଲେ, ପେଟକୁ ମୁଠାଏ ଖାଇ ପାରିବ ?  ନତୁବା ହୋଟେଲ୍  ବୟ ଫୋପାଡି ଦେଇଥିବା ଅଇଁଠା ପତରର ବଳକା ଖାଦ୍ୟ, ତା  ପେଟ ପାଇଁ ମହାର୍ଘ ଭୋଜନ ହେବ  । ଏମିତି ଭାବନା ମଧ୍ୟରେ ଚମକି ପଡିଲା ମିତୁ ।
-କଣ ହେଲା ବାବୁ  ।
- କିଛି ନାହିଁ , ଆଛା ତମେ ଏଠି କଣ କରୁଛ  ।
- ଏଇଠି ରହୁଛୁ ବାବୁ, କାଳେ କିଏ ଆମକୁ କଣ ଦବ  ।
- ତମେ ଖାଇଚ ?
- ନାଇଁ ବାବୁ, ଗୋଟାଏ ବୋଲି କଂସାଟେ । ସେ ଖାଉଛି  । ସେ ଖାଇ ସାରିଲା ପରେ ମୁଁ ଖାଇବି  ।
- ଏ ଛୁଆ କ ଣ ଖାଇଲା ?
- କଣ ଆଉ ଖାଇବ ? ମୋ ଦେହରୁ ଯାହା ଟିକେ ଝୁଣିଥିଲା  (ସ୍ତନ୍ୟପାନ କରାଇବା)  । ହେଲେ ଏ ଦେହରେ ତ କିଛି ନାହିଁ । କଣ ସେ ଖାଇଥିବ  । ଏ ଯେଉଁ କରନା ଆଇଚି, ଭିକ ମାଗି  ପାରୁନି  । କିଏ ଗୋଟେ ବିସୁକୁଟ ଦେଇଥିଲା  । ତାକୁ  ପାଣିରେ ବତୁରେଇ ଖାଇବାକୁ ଦେଇଛି  । ଦେଖୁନ ବାବୁ, କେମିତି ଚୁପ୍ ଚାପ୍ ଶୋଇ ପଡିଛି  ।
                ମିତୁ ଦେଖୁଥିଲା ଉକ୍ତ ମହିଳା ଜଣଙ୍କୁ  । ମାତୃତ୍ୱର ମମତ୍ୱ ବୋଧରେ ଝଲ ମଲ ହୋଇ ଉଠୁଥିଲା ତାର ମୁଖ ମଣ୍ଡଳ  ।ଦାରିଦ୍ରର କଷାଘାତ ତାକୁ ବଶ କରି ପାରି ନ ଥିଲା  । କରୋନା ଜ୍ୱଳନରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକ ଛାଡୁଥିବା ସମୟରେ,  ମହିଳାଙ୍କ ମୁଖ ମଣ୍ଡଳରୁ ବାରି ହୋଇ ପଡୁଥିଲା ଚେନାଏ ହସ  । ସତରେ ଆଜି ପର୍ଯ୍ୟନ୍ତ  ସ୍ବାର୍ଥନ୍ୱେଷୀ ସମାଜ କେବେ  ବୁଝିଛି ଏକ ମାଆକୁ  ନା ତାର ମମତ୍ୱବୋଧକୁ  । ଏତେ ଦୁଃଖ ଯନ୍ତ୍ରଣା ମଧ୍ୟରେ ଥାଇ ମଧ୍ୟ, ଜଣେ ମାଆ ଏତେ ସୁନ୍ଦର ହସଟେ ହସି ପାରେ, ମୁଁ ବିବଶ ହୋଇ ପଡୁଥିଲି  ।
- କଣ  ଏମିତି ଚାହିଁଚ ବାବୁ,  ଆପଣ ସାମ୍ବାଦିକ ବୋଧେ  । କାହିଁକି ଆମ ପଛରେ ପଡିବ ?  ଆଜି ବହୁତ ଖରା ହଉଛି  । ଆପଣ ଖାଇ ନ ଥିବେ  । ଘରକୁ ଯାଆନ୍ତୁ  । ଆପଣଙ୍କ ମାଆ ବି ଖୋଜୁଥିବେ ଆପଣଙ୍କୁ   । ଭୋକ ହେବଣି  ।  ଯାଆନ୍ତୁ  ବାବୁ  ।
ଏଇ କେଇ ପଦ କଥାରେ ଭାବ ପ୍ରବଣ ହୋଇ ଉଠିଲା ମିତୁର  । ଗରିବ ଅବସ୍ଥା ମାନବ ଜୀବନ ପାଇଁ ଅଭିଶାପ ହୋଇ ପାରେ  । କିନ୍ତୁ ଏକ ନାରୀ ହୃଦୟରେ ସାରା ସଂସାର ପାଇଁ ଥାଏ ଏପରି ମମତ୍ୱବୋଧ  ।  ଯାହାର ପରଶରେ ଶିଳା ବି ଶାଳଗ୍ରାମ ହୋଇଯାଏ, ମାଟି ବି ଚନ୍ଦନ ହୋଇଯାଏ ଆଉ ନିଦାଘର ଚଇତାଳି ଫଗୁଣର ଫଲଗୁ ହୋଇ ସାରା ହୃଦୟକୁ କିଲ୍ ବିଲ୍ କରିଦିଏ  । ସତରେ ମାଆ,ତାତେ କୋଟି କୋଟି ପ୍ରଣାମ  । ମିତୁର ହୃଦୟଟା ବତୁରି  ଗଲା ଏମିତି କେଇ ପଦ କଥାରେ । ସେ ଆଖି ମିଶାଇ ପାରୁ ନ ଥିଲା  ବିଶ୍ରାମଗାରର ଥିବା ମହିଳାଙ୍କ ଆଖିରେ  । ଆଖିରେ ଲୁହ ଜକେଇ ଆସୁଥିଲା  । ଶେଷରେ  ଜଣେ ଦରଦୀ ମଣିଷ  ଭାବରେ ଅନ୍ୟମନସ୍କ ଭାବରେ ଶୋଇଥିବା କୁନି ପିଲା ହାତରେ  ଯତ୍ କିଂଚିତ୍ ନିଜ ସାଧ୍ୟ ମୁତାବକ....  । ବାସ୍  । ପଛକୁ  ଟିକେ ଚାହିଁ ଛୁଟାଇ ଦେଲା ମୋଟର ସାଇକେଲ ନିଜର ଘର ଅଭିମୁଖେ  । ହେଲେ ଲୁହ ଜାଲୁ ଜାଲୁ ଆଖି ଆଗରେ ନାଚି ଯାଉଥିଲା, ସେଇ ମାଆର  ମମତାବୋଳା କେଇପଦ କଥା  ଆଉ କୁନି ଶିଶୁଟିର ନିଷ୍ପାପ ମୁହଁ  ।  ସତରେ ମାଆ, ଆଜି ତୋତେ କୋଟି କୋଟି ପ୍ରଣାମ  । 

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........