ଆମେ ବୋଧେ ଶେଷ ପିଢ଼ି।


★ଆମେ ହେଉଛୁ ସେହି ଶେଷ ପିଢ଼ି ଯିଏ ନଡ଼ା ଛପର ତିଆରି ମାଟି ଘରେ ବଢିଛେ । ଅଜା, ଆଇ, ଜେଜେମା, ଜେଜେବାପାଙ୍କ ଠାରୁ ପରିରାଇଜ ରାଜକୁମାରୀ, ବୁଢ଼ୀ ଅସୁରୁଣୀ, ଭୁତ ପ୍ରେତ ର ଗପ ଶୁଣିଛେ, ଆଉ ଗିନା କିମ୍ବା ଥାଳିଆରେ ତାଙ୍କ ଠାରୁ ଚା ଟିକିଏ ମାଗିକି ପିଇଛେ.......।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, କବାଡି, ନଟୁ, ବୋହୁଚୋରି, କିତିକିତି ,ଗୁଚିତାଣ୍ଡୁ, ଦାଣ୍ଡିଆ, ଦାହିକି ମାଙ୍କଡ, କଉଡି ଭଳି ପଥର ଟେକା ଭଳି ଅନେକ ଖେଳ ଖେଳିଛେ ।
★ଆମେ ହିଁ ସେହି ଶେଷ ପିଢ଼ି, ଯିଏ ଗାଁ ଦାଣ୍ଡରେ, ସାଇକେଲ ର ପୁରୁଣା ଟାୟାର ଓ ରିମକୁ ଗଡାଇ ପ୍ରତିଯୋଗିତା କରିଛେ , ତେଲ ଟିଣ କୁ ପିଟି ପିଟି ବାଜା ବଜାଇଛେ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଡିବିରୀ, ଲେମ୍ଫ ଓ ଲଣ୍ଠନ ର ମିଞ୍ଜିମିଞ୍ଜି ଜଳୁଥିବା ଆଲୁଅରେ ପାଠ ପଢ଼ିଛେ , କାଚ ଭାଂଗିଗଲେ ରସୁଣ ଅଠା ଲଗାଇ ଯୋଡିଚେ । କିରାସିନି ବୋତଲରେ ସୋଲ ଠିପି ଲଗାଇଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ନିଜର ମନ କଥା ଦୂର ସମ୍ପର୍କ ଲୋକଙ୍କୁ କହିବା ପାଇଁ ପୋଷ୍ଟ କାର୍ଡ ରେ ଅନେକ ଚିଠି ଲେଖିଛେ। ମନି ଅଡରରେ ଟଙ୍କା ଗ୍ରହଣ କରିଛେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ଫେନ, କୁଲର,ଏସି ଓ ରୁମ ହିଟର ବିନା ବରଡା ବିଞ୍ଚଣ।ରେ ପବନ ଖାଇ ଆରାମରେ ଶୋଇ ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ ସୋରିଷ, ନଡିଆ, ରାଶି ତେଲ ମୁଣ୍ଡରେ ଲଗେଇ ଗାଧୋଇ ପଖାଳ ଖାଇ ସ୍କୁଲ ଯାଉଥିଲେ। 101 ହେଉ କିମ୍ବା 505 ଭଳି ଲମ୍ବା ଲମ୍ବା ସାବୁନ ରେ ଲୁଗା ସଫା କରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଯିଏ କଲମରେ କାଳି ପୁରାଇ ହାତ ଓ ପେଣ୍ଟ, ସାର୍ଟ କଳା କରୁଥିଲେ।
ପରୀକ୍ଷା ଦିନତ 3 , 4 ଟି କଲମ ନେଇ ସ୍କୁଲକୁ ଯାଉଥିଲେ ଓ ରାସ୍ତାରେ ସବୁ ଗୁରୁଜନ ଓ ମନ୍ଦିରରେ ନିଶ୍ଚିତ ମୁଣ୍ଡିଆ ମାରି ଯାଉଥିଲେ ।
★ଆମେ ତ ସେଇ ଶେଷ ପିଢ଼ି ଯିଏ ଶିକ୍ଷକ ଙ୍କ ଠାରୁ ମାଡ ଖାଉଥିଲେ ଆଉ ସେ କଥା ଘରେ ଆସି କହିଲେ ଘରେବି ପୁଣି ବାପା ମା ମାରୁଥିଲେ।
★ଆମେ ହିଁ ସେଇ ଶେଷ ପିଢ଼ି ଦୁଷ୍ଟାମୀ କରୁଥିବା ବେଳେ ବୟୋଜ୍ୟେଷ୍ଠ ଲୋକଙ୍କୁ ଦେଖିଲେ ଦୌଡ଼ି ଯାଇ ଗାଁ ଶେଷରେ କେଉଁଠି ଲୁଚି ଯାଉଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ସାଇକଲଟେ ପାଇଲେ ଫ୍ରେମ ଭିତରେ ଗୋଡ଼ ପୁରାଇ ଚଲାଉ ଥିଲେ ଓ ସ୍ଵର୍ଗରେ ଉଡିଲା ଭଳି ଭାବୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯେଉଁମାନଙ୍କୁ ଖାଇବାପାଇଁ ଜଳଖିଆ ହିସାବରେ ମୁଢି କିମ୍ବା ଚୁଡା ମିଳୁଥିଲା ଯଦି କେବେ ଛତୁଆ କିମ୍ବା ଖଇ ଉଖୁଡା ମିଳିଗଲା ତେବେ ଆନନ୍ଦରେ ଫାଟି ପଡୁଥିଲେ ।
★ଆମେ ହିଁ ସେଇ ଶେଷ ପିଢି ଯିଏ ଶୀତ ଦିନରେ ହାଣ୍ଡି କାଞ୍ଜି , ନିମ୍ବ ପିତା , କଖାରୁ ଫୁଲ ବରା, ପୋଡା ସାରୁ ଆଦି ଖାଦ୍ୟ ଖାଇ ବହୁତ ଖୁସି ହେଉଥିଲେ । ଯଦି କେବେ ମାଛ କିମ୍ବା ମାଂସ ତରକାରି ହେଲେ ଅଧିକଥର ଭାତ ମାଗୁଥିଲେ।ସାହି ପଡିଶାର ଭୋଜିଭାତ ହେଲେ ଖାଇବାକୁ ଯିବାକୁ ବ୍ୟସ୍ତ ହୋଇ ରହୁଥିଲେ।
★ଆମେ ସେହି ଶେଷ ପିଢି ଯିଏ ଦୀପାବଳୀରେ ଫୁଟି ନଥବା ବାଣ ସବୁକୁ ଆଉଥରେ ନିଆଁ ଲଗାଇ ଖୁସିରେ ନାଚୁଥିଲେ । ସ୍କଲରେ ଖେଳଛୁଟି ହେଲେ ସ୍କୁଲ ପଛପଟ ବଣବୁଦାରୁ କୋଳି ତୋଳି ଖାଉଥିଲେ।
★ଆମେ ସେହି ଶେଷ ପିଢି ଯିଏ ଆମ୍ବଗଛରୁ କଞ୍ଚା ଆମ୍ବ ଏବଂ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ତୋଳି ଲୁଣ,ଲଙ୍କା ସହ ଆନନ୍ଦରେ ସାଙ୍ଗମାନଙ୍କସହ ଖାଉଥିଲେ ।
★ଆମେ ସେହି ଶେଷ ପିଢି ଯିଏ ବର୍ଷାଦିନେ କଙ୍କି ଧରି ତା' ଲାଙ୍ଗୁଡରେ ସୁତାବାନ୍ଧି ଉଡାଉଥିଲେ ଏବଂ ସାରୁ ପତ୍ର ୨ଟାରେ ତାକୁ ଧରୁଥିଲେ। ନାଲି ଟୁକୁଟୁକୁ ସାଧବବୋହୁକୁ ଧରି ଖାଲି ଦିଆସିଲି ଖୋଳ ରେ ପୁରାଇ ରଖୁଥିଲୁ ।
★ଆମେ ହିଁ ସେହି ଶେଷ ପିଢି ଯିଏ ଖେଳଛୁଟିରେ ବୁଟ , ବାଦାମ, ଖାଟାମିଠା ଚୁଚୁମା , କମଳା ଚୁଚୁମା , ଖଡ଼ି ଚୁଚୁମା କିଣି ଖାଉଥିଲେ । ଇମିତି ଅନେକ ଅନେକ କଥା।
ସତରେ କେତେ ଭଲଥିଲା ସେଇ ଦିନସଵୁ ।କେତେ ଭଲ ଥିଲା ଆମ ପିଢ଼ି ଆଉ ଆମ ମାନଙ୍କ ପରିବାର ଆଉ ପରିବେଶ .....
*ହଁ ଆମେ ସେହି ଶେଷ ପିଢ଼ିର ଲୋକ । କେତେ ଖୁସି ଲାଗେ ସେହି ପିଲାଦିନର କଥା ଭାବି ଭାବି । ଏମିତି ବି ଇଚ୍ଛା ହୁଏ ପୁଣିଥରେ ସେହି ଦିନମାନ ଫେରିଆସି ଆଜିର ଏହି ଅଶାନ୍ତ ଦୁନିଆରେ ଶାନ୍ତି ଫେରାଇ ଆଣନ୍ତା କି । ଏମିତି ଆହୁରି କେତେ----* । Those memorable days never forget
❤️❤️❤️❤️❤️

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଐତିହାସିକ ଗୋବିନ୍ଦପୁର ଥାନାର ଏକ ଅନାଲୋଚିତ ଇତିହାସ :ବିଳମ୍ବରେ ଉନ୍ନୀତ ମାନ୍ୟତା

                       ଭୌଗଳିକ ଦୃଷ୍ଟି କୋଣରୁ ଗୋବିନ୍ଦପୁର ଥାନା ଏକ ଐତିହାସିକ ଥାନା
କହିଲେ ଅତ୍ୟୁକ୍ତି ହେବ ନାହିଁ  ।   ଏହାର ଅବସ୍ଥିତି ଦୃଷ୍ଟି କୋଣରୁ  ଥାନାଟି ଦେବୀ ନଦୀ କୂଳରେ ଅବସ୍ଥିତ  । ଯେଊଁଠି ସାପର ଜିହ୍ୱା ପରି ଦୁଇଫାଳ ହୋଇ ଯାଇଛି  । ଅପରପାଶ୍ୱର୍ରେ ଶଙ୍ଖାରି ସାହିର ଉପକଂଠରେ  ବିଲୁଆ ଖାଇ ନଦୀ   ବହିଯାଇଛି  ।   ଯାହାର ନଦୀ ପଠାରେ ଅଶୀ ଦଶକର ସାମ୍ବାଦିକ ନବକିଶୋର ଦାସଙ୍କର ଧର୍ମପତ୍ନୀ ଛବିରାଣୀଙ୍କୁ ଗଣ ଦୁଷ୍କର୍ମ କରି ମାରି ଦିଆ ଯାଇଥିଲା  ।   ସେହିପରି ଦେବୀ ନଦୀର  ପ୍ରାଚୀନ ଗାଥା କୁ ଅବଲକୋନ କଲେ, ଇଂରେଜ ଶାସନ ସମୟରେ ଏହା ବହୁତ ଘଂଚ  ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା  । ଏପରି କି ଏହି ନଦୀ ପଠାରେ ହ୍ରିଂସ ଜନ୍ତୁଙ୍କ ଚଳ ପ୍ରଚଳ ଥିଲା ।  ମୋର ମନେ ଅଛି, ୧୯୮୩ ମସିହାରେ ମାମୁଁ ଘର ନୂଆ ଗାଁ ଏବଂ ମାଉସୀ ଘର ଶଙ୍କାରୀ ସାହି  ଦୃଷ୍ଟିରୁ, ମାମୁଁ ଘର ଜେଜେଙ୍କ ସହିତ ପ୍ରାୟ ସମୟ ଲୁଗା ବିକ୍ରି କରିବା ପାଇଁ ବିରିଡି ହାଟକୁ   ଯାଇଛି  । ସେତେବେଳେ ଏହି ଗୋବିନ୍ଦପୁର ଥାନା ନିକଟସ୍ଥ ଡଙ୍ଗା ଘାଟରେ ଡଙ୍ଗା ପାରି ହୋଇ ଯିବା ପାଇଁ ହୋଇଥାଏ  । ଆମକୁ ପ୍ରାୟ ସନ୍ଧ୍ୟା ପୂର୍ବରୁ ଫେରିବା ପାଇଁ  ହୁଏ  ଏବଂ ଏକାଠି ପାଂଚ ଛଅ ଜଣ  ସାଥୀ ହୋଇ ଫେରିବା ପାଇଁ ପଡିଥାଏ  । ନତୁବା ବେଳେ ବେଳେ ବିଲୁଆ ଖାଇ ନଦୀ ପଠା ହେଉ  କିମ୍ବା ଦେବୀ ନଦୀ ପଠା ହେଉ, ଏଠାରେ ପ୍ରାୟ ବେପାରୀମାନେ ଲୁଟପାଟର ଶିକାର  ହୋଇଥାନ୍ତି  । ଅତୀତରେ  ଏହି ଦେବୀ ନଦୀ ପଠାରେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏଠାରେ ଏକ ବୈଷ୍ଣବ ମଠ ଥିଲା । ଜାତି ବର୍ଣ୍ଣ ଧର୍ମ  ନିର୍ବିଶେଷରେ  ବହୁ  ସାଧୁ ସନ୍ଥଙ୍କର ସମାବେଶ  ହୋଇଥିଲା  ଏବଂ ଏଠାରେ ବହୁତ ଲୋକ ବୈଷ୍ଣବ ଧର୍ମରେ ଦିକ୍ଷୀତ ହୋଇଥିଲେ । ବର୍ତମାନ ତାହା ନଦୀ ଗର୍ଭରେ ବିଲୀନ ହୋଇଯାଇଛି ।  
     ଗୋବିନ୍ଦପୁର ଥାନାର ଇତିହାସ ଅତ୍ୟନ୍ତ ପ୍ରାଚୀନ  ।  ବ୍ରିଟିଶ ଶାସନ ସମୟରେ ଭୌଗଳିକ ଦୃଷ୍ଟିକୋଣରୁ ଗମନାଗମନାର ସୁବିଧା ନଥିଲା।ବାଣିଜ୍ୟିକ କାରବାର ଦୃଷ୍ଟିରୁ ଛତ୍ର  ବକାର  ଠାରୁ ତାଳ ଦଣ୍ଡା କେନାଲକୁ ମାଧ୍ୟମ କରି ବିଭିନ୍ନ ସ୍ଥାନକୁ  ଡଙ୍ଗା ଏବଂ ଭେଳା ମାଧ୍ୟମରେ ମାଲ ପରିବହନ କରାଯାଉଥିଲା । ଯାହା ମହାନଦୀର ଯୋବ୍ରା ଠାରୁ  ଏକ ବାଣିଜ୍ୟିକ ଉତ୍ସ ଥିଲା ଏବଂ ଗମନା ଗମନର ମାଧ୍ୟମ ଥିଲା ।  ମହାନଦୀର  ଯୋବ୍ରା ଠାରେ ଗମନା ଗମନ ଏବଂ ବାଣିଜ୍ୟିକ କାରବାର ଦୃଷ୍ଟିରୁ ଅତୀତରେ ଏହି ଯୋବ୍ରା ଠାରେ ଇଂରେଜ ଶାସନ ସମୟରେ ଜର୍ଜ ଫକନରଙ୍କ ଦ୍ୱାରା ଏକ ଜାହାଜ ନିର୍ମାଣ କାରଖାନା କରାଯାଇଥିଲା  । ଜର୍ଜ  ଫକନର ବିଷୟରେ ଏତିକି କହିବି, ସେ ଇଂଲଣ୍ଡର ଅଧିବାସୀ ହୋଇଥିଲେ ମଧ୍ୟ ଭାରତ ବର୍ଷ  ତାଙ୍କ ପାଇଁ ଦ୍ୱିତୀୟ ମାତୃଭୂମି ଥିଲା । ସେ କୋଡିଏ ବର୍ଷ ବୟସ ରେ ମେକାନିକାଲ୍ ଇଂଜିନିଅରିଂ ତାଲିମ୍ ନେଇ   ଏକ ଜଳ ସେଚନ କଂପାନୀରେ   କାର୍ୟ୍ୟାରମ୍ଭ କରିଥିଲେ । ଓଡିଶା ଆସିଲା ପରେ, ବାଣିଜ୍ୟିକ କାର ବାର ପାଇଁ ତିନୋଟି ବଡ କେନାଲ ଖୋଳିଥିଲେ ।   ସେ ଜଳ ସେଚନ ବିବାଗର ଅନେକ କାର୍ୟ୍ୟ ତାଙ୍କରି ତତ୍ୱାବଧାନରେ ହେଉଥିଲା ।ସେ ଜୋବ୍ରାକୁ ନିଜ ଢଙ୍ଗରେ  ଶାସନ କରିବା ସହିତ ଜୋବ୍ରା ଠାରେ ଧାଡି ଧାଡି ପୁରୁଣା  ଜାହାଜ କାରଖାନା ଘର ଗୁଡିକ,ତାଙ୍କ  ଉଲ୍ଲେଖନୀୟ  କୃତିତ୍ୱକୁ ଆଜି ବି ତାଙ୍କର କାର୍ୟ୍ୟ ଦକ୍ଷତାର ସ୍ମୃତି ବହନ କରେ  ।ଏହି ସମୟରେ  କଟକର ଜିଲ୍ଲା ପାଳ ଜନ ବିମ୍ସ ଥିଲା ବେଳେ , ଫକନରଙ୍କର କୃତିତ୍ୱକୁ ତାଙ୍କର ରଚିତ "ଜଣେ ଶାସକର ସ୍ମୃତି" ପୁସ୍ତକରେ ଅତ୍ୟନ୍ତ ସୁନ୍ଦର ଭାବରେ ଲେଖି ଯାଇଛନ୍ତି ।ଆଜି ବି ସେହି ସ୍ମୃତିର ସନ୍ତକ ଭାବରେ  ଯୋବ୍ରା ଠାରେ ଏହି ଜାହାଜ ନିର୍ମାଣ କାରଖାନାଟି “ନୌ ବାଣିଜ୍ୟ ସଂଗ୍ରହଳାୟ” ଭାବରେ ବିଦ୍ୟମାନ ଏବଂ ଦୁଇଟି ବତୀଘର ଅତୀତ ଇତିହାସର ମୁକ ସାକ୍ଷୀ ରହିଛି  ।ଏହି ସମୟରେ ଚୋର, ଖଂଟ ଏବଂ ଅସାମାଜିକ ବ୍ୟକ୍ତିମାନଙ୍କର ଦୌରାତ୍ମ୍ୟ ପ୍ରବଳ ଭାବରେ ବୃଦ୍ଧି ପାଉଥିଲା  ।   ଏତଦ୍ ବ୍ୟତୀତ   ଇଂରେଜ ଶାସନ ସମୟରେ ସାରା ଭାରତ ବର୍ଷରେ ସ୍ବାଧୀନତା ସଂଗ୍ରାମ ଚାଲିଥିଲା ବେଳେ ଗୋବିନ୍ଦପୁର ମାଟିରେ  ସ୍ବାଧୀନତା ପ୍ରାପ୍ତି ପାଇଁ ଜନ ମାନସରେ   ଇଂରେଜମାନଙ୍କ ପ୍ରତି ପ୍ରତିହିଂସାର ବହ୍ନି ଜଳୁଥିଲା  । ଯାହାଫଳରେ ବ୍ରିଟିଶ ସରକାର ଏଠାରେ  ଏକ ଥାନା ସ୍ଥାପନ ପାଇଁ   ବାଧ୍ୟ ହୋଇଥିଲା  । ସାରା ଭାରତ ବର୍ଷରେ ଶାସନ ଖସଡା ଏବଂ ନ୍ୟାୟିକ ବ୍ୟବସ୍ଥା ପାଇଁ ୧୮୫୭ ପାଇକ ବିଦ୍ରୋହ ପରେ ପରେ ବ୍ରିଟିଶ ହାଉସ୍ ଅଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତ କମିଶନ ଗଠନ କରାଯାଇଥିଲା । କମିଶନରଙ୍କ ନିଷ୍ପତି କ୍ରମେ ପୋଲିସ ଆକ୍ଟ  ୧୮୬୧ (ଭି) ଅନୁଯାୟୀ ୧୮୬୨ ମସିହାରେ ଓଡିଶାରେ ଅନେକ ସ୍ଥାନରେ ଥାନା ଗୁଡିକ ସ୍ଥାପିତ ହେଲା ବେଳେ ଗୋବିନ୍ଦପୁର ଥାନା ସ୍ଥାପନ କରାଯାଇଥିଲା । ଏହି ସମୟରେ ବ୍ରିଟିଶ୍ ପୋଲିସ କର୍ମଚାରୀମାନେ ଲାଲ ପଗଡି ପିନ୍ଧି  ଦେବୀ ନଦୀର ଜଳ ପଥରେ ଆସୁଥିଲେ ଏବଂ ଘୋଡା ଦ୍ୱାରା ବିଭିନ୍ନ ଅଂଚଳକୁ  ଯାତାୟତ କରୁଥିଲେ ।୧୯୩୬ ମସିହାରେ  ଓଡିଶା ପ୍ରଦେଶ ଗଠନ କରାଗଲା  । ପରେ ପରେ ପ୍ରାୟ ୪୦୦୦ ପୋଲିସମାନଙ୍କୁ ନେଇ ଓଡିଶା ପୋଲିସ ଗଠନ ହେଲା ।ଏହି ୪୦୦୦ ପୋଲିସମାନଙ୍କୁ ତିନି ଭାଗରେ ଓଡିଶା-ବିହାର ପୋଲିସ୍,ମାଡ୍ରାସ ପ୍ରେସିଡେନ୍ସି ଏବଂ ସେଂଟ୍ରାଲ ପ୍ରୋଭିନ୍ସ ଭାବରେ ବିଭକ୍ତ କରାଯାଇଥିଲା ।  ଏହି ପୋଲିସ ବାହିନୀର ପ୍ରଥମ  ଆଇ.ଜି.: ଇ.ଏ.ଓ. ପର୍କିନ୍  ଏବଂ  ସହକାରୀ ଆଇ.ଜି.: ଆଇ.ସି. ମ୍ୟାକନେଲ୍ (ସି.ଆଇ.ଡି) ଥିଲେ  ।୧୯୩୭ ମସିହାରେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା । ଏହି ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ଦଳ ୬୬  ଆସନରୁ ୩୬ଟି ଆସନ ଅକ୍ତିଆର କରିଥିଲା ।  ଗୋବିନ୍ଦପୁର ଥାନା ଅଧିନରେ ଥିବା୧୪ଟି ଗ୍ରାମ ପଂଚାୟତ  ଓଡିଶା ପୋଲିସର ଅଧିନସ୍ଥ ହେଲା ।  ପୂର୍ବରୁ ନିଆଳୀ  ଥାନା ଏବଂ ଓଲଟପୁର ଥାନା  ଗୋବିନ୍ଦପୁର ଥାନା ଅଧିନରେ ଥିଲେ ମଧ୍ୟ  ପରେ ପରେ  ମାତ୍ର ତିନି ଗୋଟି ପଂଚାୟତକୁ ୨୦୦୯ ମସିହା ଫେବୃୟାରୀ ୨୮ ତାରିଖରେ ଗଠିତ ହେଲା  ।  ପ୍ରଥମେ ଓଲଟପୁର ଥାନାଟି  ଓଲଟପୁରର ପୁରୁଣା ଡାକ ଘରେ ଚାଲୁଥିଲା । ବର୍ତମାନ କଂଟାପଡା ବ୍ଲକ କାର୍ୟ୍ୟାଳୟ ପରିସରରେ କାର୍ୟ୍ୟ କରୁଅଛି  । ଏହାର ସ୍ଥାୟୀ ପରିସ୍ଥାନକୁ ନେଇ ଅନେକାଂଶରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ  ନିଆଳୀ ଥାନା ପ୍ରଥମେ ଇନସପେକ୍ଟର ସ୍ତରୀୟ ହେଲା ପରେ ପରେ  ଓଲଟପୁର ଥାନା ମଧ୍ୟ ଇନସପେକ୍ଟର ସ୍ତରୀୟ ମାନ୍ୟତା ପାଇଥିଲା । ତେବେ ଗୋବିନ୍ଦପୁର  ଥାନାଟି ବ୍ରିଟିଶ୍ ଅମଳ ହେଲା ବେଳେ  ଏହି ଥାନା ପ୍ରତି ସରକାରଙ୍କ ବୈମାତୃକ ଭାବ ଅନେକ ବୁଦ୍ଧିଜୀବିମାନଙ୍କୁ ବ୍ୟଥିତ କରିଥିଲା  । ବିଶେଷ କରି ଏହି ଅଂଚଳରେ ଆଇନ୍ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଥିବା ସମୟରେ ଗରିବ ଲୋକ ସଠିକ୍  ଭାବରେ ନ୍ୟାୟ ପାରୁ ନ ଥିଲେ । ଏପରିକି ଏହି ଥାନା ଅନେକ ମୌଳିକ ସୁବିଧାରୁ ବଂଚିତ ହୋଇଥିଲା । କାର୍ୟ୍ୟାଳୟ ପାଇଁ ଭଲ ଘର ନ ଥିଲା । ପ୍ରଥମେ ଗୋବିନ୍ଦପୁର ଥାନାଟି ଇଂରେଜ ଅମଳର ପୁରୁଣା  ଗୃହରୁ ଅନ୍ୟ ନୂତନ ଘରକୁ ସ୍ଥାନାନ୍ତରିତ ହୋଇଥିଲା ।  ତେବେ କର୍ମଚାରୀଙ୍କ ପାଇଁ  ବାସୋପଯୋଗୀ ଗୃହ ନ ଥିଲା ।  ତେବେ  କଛପ  ଗତିରେ , ରାଜ୍ୟ ସରକାରଙ୍କ ଦ୍ୱାରା ଥାନାର ଭିତିଭୂମି ପାଇଁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରାଗଲା , ଯାହାଦ୍ୱାରା  ଆଜି ଗୋବିନ୍ଦପୁର ଥାନା  ଏକ ଭବ୍ୟ ରୂପ ନେଇଛି।

             ଏହି ପରିପ୍ରେକ୍ଷୀରେ ଗୋବିନ୍ଦପୁର ଥାନା ପ୍ରତି ସରକାରଙ୍କ  ବୈମାତୃକ ଭାବ ପୋଷଣ କରୁଥିଲା ବେଳେ , ଅନେକ ସାମାଜିକକର୍ମୀଙ୍କୁ ଚିନ୍ତିତ କରିଥିଲା ।  ଗୋବିନ୍ଦପୁରର  ଅଗ୍ରଣୀ ସଂଗଠନ ଯୁବ ଦଳିତ ସଂଘ,ଓଡିଶା ଏହି ପରିପ୍ରେକ୍ଷୀରେ ବାରମ୍ବାର ଦାବୀପତ୍ର ଦ୍ୱାରା  ସରକାରଙ୍କୁ ଅବଗତ କଲାପରେ,ପ୍ରଶାସନ ନୀରବ ରହିବାରୁ ଶେଷରେ ୨୦୧୪ ମସିହା ଜାନୁୟାରୀ ୨୬ ତାରିଖରେ ତିନି ଦଫା ଦାବୀରେ ଆମରଣ ଅନଶନ ଏବଂ ଗଣ ଧାରଣାର ମଇଦାନକୁ   ଅବତୀର୍ଣ୍ଣ ହୋଇ ଥିଲା  । ସେତେ ବେଳେ  ଏହି ସଙ୍ଗଠନର ସଂଗ୍ରାମୀ ସାଥୀ ଅଭିମନ୍ୟୁ ମଲ୍ଲିକ୍ ,ମାଧବାନନ୍ଦ ଭୋଇ ସାଧାରଣ ସଂପାଦକ ଏବଂ ନିର୍ମଳ କୁମାର ଭୋଇ, ମୁଖ୍ୟ ସଂଯୋଜକ  ଥିଲେ । ପରିତାପର ବିଷୟ ଏହ କି, ପୂର୍ବରୁ ଆମରଣ ଅନଶନ ଏବଂ ଗଣ ଧାରଣା ସଂପର୍କରେ ଅବଗତ କରିଥିଲେ ମଧ୍ୟ, ଏହି ସମୟରେ  ଉକ୍ତ ଥାନାର ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଅନୁପସ୍ଥିତ ରହିବା ଆମକୁ ଦ୍ୱନ୍ଦରେ ପକାଇ ଥିଲା  । ବିଶେଷତଃ  ଆମର ତିନି ଦଫା ଦାବୀ ଭାବରେ, ପ୍ରଥମତଃ  ଗୋବିନ୍ଦପୁର ଥାନାକୁ ଇନିସପେକ୍ଟର ପାହ୍ୟା ମାନ୍ୟତା ପ୍ରଦାନ କରିବା ସହିତ ଥାନାର କାର୍ୟ୍ୟାଳୟ ଓ ପୋଲିସ କର୍ମଚାରୀଙ୍କ ବାସଗୃହକୁ ନବୀକରଣ ଥିଲା । ଦ୍ୱିତୀୟତଃ  ଥାନରେ ଦଳିତ ସେଲ୍ କରାଯାଉ  ଏବଂ ତୃତୀୟରେ ମହିଳା ଏବଂ ଶିଶୁ ଡେସ୍କ ସ୍ଥାପନ କରିବା ପାଇଁ ଦାବୀ ଥିଲା  ।  ପରିଶେଷରେ ଦୁଇ ଦିନ ପର୍ୟ୍ୟନ୍ତ ଅନଶନ ଏବଂ ଧାରଣାରେ ବସିଲା ପରେ କଟକ ସଦର ଉପଖଣ୍ଡ କାର୍ୟାଳୟର ଉପଖଣ୍ଡ ଅଧିକାରୀ ଗୁପ୍ତ ମହାକୁଡ  ଏବଂ ଗ୍ରାମାଂଚଳ ସହକାରୀ ଆରକ୍ଷୀ ଅଧିକ୍ଷ କୃଷ୍ଣ ଚନ୍ଦ୍ର ସାମଲ ପୂର୍ବାହ୍ନରେ ଆମ ଠାରୁ ଦାବୀ ପତ୍ର ଗ୍ରହଣ କରିଥିଲେ ।  ତେବେ ୨୦୧୪ ମସିହାରୁ ଆଜି ପର୍ୟ୍ୟନ୍ତ ଏକ ବିରାଟ ବ୍ୟବଧାନ  । ଅନେକ ଘଟଣା ଘଟି  ଯାଇଛି  । ଆମର ଦାବୀ ପତ୍ର ପ୍ରଦାନ ପରେ ପ୍ରଶାସନ  ୨ଟି ଦାବୀପୂରଣ କଲା ସତ, କିନ୍ତୁ ପ୍ରଥମ ଦାବୀ ଭାବରେ ଆମର ଗୋବିନ୍ଦପୁର ଥାନା ଇନସପେକ୍ଟର ପାହ୍ୟାକୁ ଉନ୍ନୀତ ହୋଇ ନ ଥିଲା ।  ଜଣେ ସାମାଜିକକର୍ମୀ  ଭାବରେ ମନରେ ଅନେକ କ୍ଷୋଭ ଏବଂ ଗ୍ଲାନି ଆସୁଥିଲା ।  ଆଜି ତାହା ଦୂରୀଭୁତ ହୋଇଯାଇଛି  ।

 ଆଜି ଗୋବିନ୍ଦପୁରର   ଥାନାର ଇତିହାସରେ ନୂତନ ଅଧ୍ୟାୟ ସଂଯୋଗ ହୋଇଛି . ଅଧୁନା ସମୟରେ ଗ୍ରାମାଂଚଳ   ଆରକ୍ଷୀ ଅଧିକ୍ଷକ ଭାବରେ ଯୁଗଳ କିଶୋର ବନୋଟ ଥିବା ସମୟରେ ପ୍ରଥମ ଭାର ପ୍ରାପ୍ତ ନିରୀକ୍ଷକ ଭାବେ ଅନାମ ଚରଣ ନାୟକ ଯୋଗଦାନ କରିଛନ୍ତି  । ଶ୍ରୀଯୁକ୍ତ ନାୟକ କେନ୍ଦୁଝର ଜିଲ୍ଲା ତୁରୁମଙ୍ଗ ଥାନା ଅଧିନସ୍ଥ ବନମାଳୀପୁରର ପିତା ସ୍ବର୍ଗତ ଭ୍ରମରବର ନାୟକ ଏବଂ ମୋତି ଦେବୀଙ୍କର ସୁଯୋଗ୍ୟ ସନ୍ତାନ ଅଟନ୍ତି  ।  ଶ୍ରୀଯୁକ୍ତ ନାୟକ  ତା:୧୭/୦୬/୧୯୬୫ରିଖରେ ଜନ୍ମ ଗ୍ରହଣ କରି  ଜନୈକ ପୋଲିସ ଅଧିକାରୀ ଭାବରେ ତା:୨୭/୦୮/୧୯୮୯ ମସିହାରେ କାର୍ୟ୍ୟାରମ୍ଭ କରିଥିଲେ । ସେ ଜଣେ ଅଭିଜ୍ଞ,ସରଳ ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ।  ତାଙ୍କର ତା:୨୯/୦୪/୨୦୨୧ରିଖରେ ପଦୋନ୍ନତି କ୍ରମେ ପୂର୍ବରୁ ଓଲଟପୁର ଥାନାରେ ଜଣେ ବରିଷ୍ଠ ଉପ ଅଧିକାରୀ ଭାବେ କାର୍ୟ୍ୟ କରୁଥିଲେ ।ଶ୍ରୀଯୁକ୍ତ ନାୟକଙ୍କ ତା:୩୦/୦୬/୨୦୨୫ରିଖରେ ଅବସର  ଜୀବନ ଆରମ୍ଭ । ଏଠାରେ ରାଜନୀତିର ଚକ୍ରବୁ୍ୟହକୁ ଭେଦ କରି ଆଗାମାୀ ଦିନରେ ଜନ ସାଧାରଣଙ୍କୁ  ନ୍ୟାୟ ପ୍ରଦାନ କରିବା ସହିତ  ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିବେ ବୋଲି ଜନ ସାଧାରଣ ଆଶା କରିଛନ୍ତି । ଯାହା ସମୟ ହିଁ ପରିପ୍ରକାଶ କରିବ  ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ନିଆଳୀ ବିଧାୟକଙ୍କ ବୈମାତୃକ ମନୋଭାବ କଣ ପାଇଁ ?



ଚଳିତ ବର୍ଷ  କଟକ ଜିଲ୍ଲା କଂଟାପଡା ବ୍ଲକ୍ ଅଧିନସ୍ଥ ବଡ ପାଟସୁନ୍ଦରପୁର ଗ୍ରା.ପରେ  ପଂଚ ଦଶ ଅର୍ଥ କମିଶନ ଅନୁଦାନ ଜରିଆରେ ରାସ୍ତା  ମରାମତି କାମ ହେଉଛି, ମାତ୍ର ଦୁଃଖର ବିଷୟ  ରାଜନୀତିକରଣ  ଦୃଷ୍ଟିରୁ ଅନେକ ସ୍ଥାନରେ ମରାମତିର ଆବଶ୍ୟକତା ନ ଥାଇ ସେଠାରେ ମରାମତି କାର୍ଯ୍ୟ କରା ଯାଉଛି ।ଉଦାହରଣତଃ  କାଗଜାତପତ୍ରରେ ରାସ୍ତାର ଦୈର୍ଘ୍ୟ  ୨୦୦ ସ୍ଥାନରେ ୧୫୦ର କାମ କରାଯାଇ, ଅବଶିଷ୍ଟ ଅର୍ଥକୁ ହରିଲୁଟ୍ କରାଯାଉଛି  । ଚଂଚକତା ଭାବରେ  ବିଲ୍ କରିବା ପାଇଁ ଫଳକକୁ ଦୁଇଥର ଲେଖା ଯାଉଛି  । ଏପରି ଏକ ଘଟଣା ନିକଟରେ ବଡ ପାଟସୁନ୍ଦରପୁରରସ୍ଥିତ  ବେହେରା  ସାହିରେ ପରିଲକ୍ଷିତ ହୋଇ ଏକ ଚାପା ଉତେଜନା ସୃଷ୍ଟି ହୋଇଥିଲା । ହେଲେ ଭୋଦଳର ବେହେରାସ୍ଥିତ ରାସ୍ତା ପ୍ରତି ବିଧାୟକଙ୍କ ବୈମାତୃକ ଭାବ କଣ ପାଇଁ?  ଏଠାରେ ଢଳେଇ  ରାସ୍ତା ଥିଲେ ମଧ୍ୟ ବେଙ୍ଗ ମୁତିଲା ବର୍ଷାରେ  ଜନ ସାଧାରଣ  ଗମନାଗମନ କରିବା ପାଇଁ ହନ୍ତସନ୍ତ ହେଉଛନ୍ତି କଣ ପାଇଁ ? ଏହାର ଉତର ନିଆଳୀ ବିଧାୟକ ଦେବା ପାଇଁ ଅନୁରୋଧ  । କିନ୍ତୁ ମୁଁ ଜାଣିଛି ଏହାର ଉତର  ଏଠାକାର କୁଜି ମାନଙ୍କ ନିକଟରେ ନ ଥିବ  । କାରଣ ସେମାନେ ବିଶେଷ କରି ଗ୍ରାମାଂଚଳରେ ଚେେଙ୍ଗଡାମାନଙ୍କୁ  ନାଲି ପାଣି ଆମ କୁକୁଡା ମାଂସ ଦେଇ ମୋହରା ବନେଇ ସାରିଲେଣି  । ସେମାନେ କେବଳ ପର ଘର ଭଙ୍ଗା ନୀତି ଜାଣିଛନ୍ତି  । ସରାକାରୀ ଟଙ୍କା କିପରି ହରିଲୁଟ୍ ହେବ ସେ ବିଦ୍ୟା ଭଲ ଭାବରେ ଜଣା  । ପୂର୍ବରୁ ଏହି ପଂଚାୟତରେ ଷ୍ଟ୍ରିଟ୍ ଲାଇଟରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଛି  । ଲୋକାୟୁକ୍ତରେ ମାମଲାରେ ହୋଇ ଭିଜିଲାନ୍ସ ତଦନ୍ତ ପର୍ଯ୍ୟନ୍ତ  ଯାଇଛି ।  ପରିତାପର ବିଷୟ ଏହି କି ଯେ, ଏଠାରେ ଏକ ଜନ ସେବା କେନ୍ଦ୍ର ଥିଲେ ମଧ୍ୟ ସଂରପଂଚ ମହୋଦୟ ଷ୍ଟ୍ରୀଟ୍ ଲାଇଟ୍ ମଧ୍ୟ ଲଗାଇ ପାରିଲେ ନାହିଁ  । ଯାହାକି ପୂର୍ବରୁ ଏହି ଲାଇଟ୍ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରାଯାଇଥିଲା  । ମାତ୍ର ରାଜନୀତି କରଣ କରାଇ ଅନ୍ୟ ସ୍ଥାନରେ ଲାଇଟ୍ ଲଗାଗଲା । ଏପରିକି ଲାଇଟର ମୁହଁ  ଦଳୀୟ ଭିତିରେ  ଦଳୀୟ ଲୋକ ଘର ଆଡକୁ ବୁଲାଇ ଦିଆଗଲା  । ଏପରି ହୀନ ମନୋବୃତି ବିଧାୟକଙ୍କର ନା, ତାଙ୍କ ଚାମଚାଙ୍କର  । ଦୟାକରି ଏପରି ମନୋବୃତିରୁ କ୍ଷାନ୍ତ ରୁହନ୍ତୁ  । ନ ତୁବା ଆଗାମୀ ଦିନରେ ଜନ ଆନ୍ଦୋଳନର ତୀବ୍ର ରୂପ ନେବ  । ଜୟ ସମାଜ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ମାତୃ ସାଧନା



               ଅଢେଇ ଦିନିଆ ଜୀବନରେ କଣ ଅଛି  । ତୁମେ ମୋର ଆଉ ମୂଁ ତୁମର  । ମୋତେ  ତୁମେ ଚାହଁ, ମୋ ଆଖିରେ ଆଖି ମିଶାଅ  ।   ନିଜକୁ ସମର୍ପଣ କରିଦିଅ  । ଦେଖ, ମୂଁ ତୁମ  ମଧ୍ୟରେ କିଛି ଦୂରତା ନାହିଁ  ।  ଆମେ ପରା ଜନ୍ମ ଜନ୍ମାନ୍ତର ସାଥୀ  । ମୂଁ ଯାହା , ତୁମେ ବି ସେଇଆ  । ଦେହର ମୋହ ତୁଟାଇ ନିଜ ହୃଦୟ ମନ୍ଦିରରେ ଦେହୀକୁ  ଅନୁଭବ କର . ଅନ୍ୟର ଆଖିରେ ନିଜକୁ ଦେଖିବା ପାଇ ଚେଷ୍ଟା କର  । ଅଧୁନା ସମାଜ  ଗୁରୁ ପ୍ରାପ୍ତି ଆଶାରେ କିଛି ପାଇବା ଆଶା କରୁଛି  ।  ସ୍ବାାର୍ଥର ଲାଳସା ରଖୂଛି  । ସେପରି କର ନାହିଁ  । ପରମେଶ୍ୱର ସର୍ବତ୍ର ବିଦ୍ୟମାନ  । ଦୁଃଖୀ ନିଷ୍ପେସିତ ମଣିଷମାନଙ୍କୁ ଭଲ ପାଅ ଆଉ ସେମାନଙ୍କର ସେବା କର  ।ସେମାନଙ୍କ ଆଖିରେ ନିଜକୁ ଦେଖ  ।   ଦଶ  ବରଷର ଛୁଆଟେ ଭିକ ମାଗୁଛି  ।  ସେ ଯଦି ତୁମ ନିଜର  କେହି ହୋଇଥାନ୍ତା, ତମେ ତାକୁ ଭିକ ନଦେଇ  କୋଳେଇ ଆଣିଥାନ୍ତ ନା  ।    ପରିବାର ହେଉଛି, ରେଳଗାଡିରେ ଯାତ୍ରା କଲା ଭଳି  । ଯାହାର ଯାତ୍ରା ,  ଯେଉଁଠି ସରିଲା । ସେ ଚାଲିଗଲା  । ଏତେ ମୋହ କାହିଁକି  । ଏତେ ଗର୍ବ କଣ କଣ ପାଇଁ ? ମଣିଷମାନଙ୍କୁ ଭଲପାଇବା ଏବଂ ସେବା ପାଇଁ ନିଜକୁ ସମର୍ପଣ କରିଦିଅ ।  ନିଜର ପରିବାର ପ୍ରତି କର୍ତବ୍ୟ କରିବା ସହିତ ସମାଜ ପାଇଁ ନିଜକୁ ସମର୍ପଣ କରିଦିଅ । ମୁଁ ଜାଣେ, ଏଥିପାଇଁ ଅନେକ  କଷ୍ଟ ହେବ  । ଦୁଃଖ ପାଇବ  । କିନ୍ତୁ ପରମେଶ୍ୱର ଯାହାକୁ ଭଲ ପାଆନ୍ତି, ଯିଏ ମଣିଷମାନଙ୍କୁ ଭଲ ପାଏ  । ଆମେ ନିମିତ ମାତ୍ର ବାବା, ଯାହା କିଛି ଭୁଲ୍  ଠିକ ହେବ  । ସେ ସବୁକିଛି ଠିକ କରିଦେବେ  । ମୁଁ  କରୁଛି ବୋଲି ଅହଙ୍କାର ତୁଟିଯିବ  । ପ୍ରକୃତି ପରୁଷ ଭାବରେ ନିଜକୁ ତାଙ୍କରି ଚରଣ ଦାସୀ କରି ସମର୍ପଣ କରିଦିଅ  । ମୁହିଁ ତାଙ୍କରି ଚରଣ ଦାସୀଲୋ, ଚାହିଁ ତାଙ୍କୁ  ହୋଇଥିବି ଖୁସି  ଭାବରେ  ନିଜର ହୃଦ ସିଂହାସନରେ ବସାଇ  ବ୍ୟାକୁଳତାର ସହିତ ଆଖିର ଛଳ ଛଳ ଲୁହରେ  ତାଙ୍କ  ଚରଣ ପଖାଳି ଦିଅ   । ଏହା ହିଁ ଜୀବନରେ ପ୍ରକୃତ ପୂଜା ହେବ  ।  ବାହ୍ୟ ଆଡମ୍ବର ପୂଜାପାଠ କେବଳ  ଲୋକ ଦେଖାଣିଆ ବ୍ୟତୀତ ଆଉ କିଛି ନୁହେଁ  । ଯେଉଁମାନେ ମଣିଷର ସେବା ଭଲପାଇବା ଭୁଲି ଏପରି ପୂଜାପାଠ, ସଂକୀର୍ତନ ଏବଂ ଲୋକମାନଙ୍କୁ ଖାଇବାକୁ ଦିଅନ୍ତି, ଏଥିରେ ଏକ  ଟଙ୍କାର ବି ଲାଭ ହୋଇ ନ ଥାଏ  । ତମେ ସେପରି କର ନାହିଁ  ।  ନିଜର ଜୀବନ ପାତ୍ରକୁ ଏପରି ସଜାଡି ଦିଅ, ପରମେଶ୍ୱରଙ୍କ କରୁଣାର ବାରିଧାରା ତୁମରି ମଥା ପରେ ସିଂଚି ହୋଇଯିବ  ।  ମଣିଷ କେତେ ଦିନ ବଂଚିଲା, ଏମିତି ଦିନ ଗଣି ଗଣି ଜୀଇଁଲେ କିଛି ଲାଭ ନାହିଁ  ।  କିନ୍ତୁ  ଜୀବନରେ ତୁମରି କର୍ମ ହିଁ ତୁମର ପରିଚୟ ସୃଷ୍ଟି କରିବ  ।  କିଏ ଜାଣେ ଜୀବନର ସଂଜ କେତେବେଳେ  ନଇଁଯିବ  । ତୁମେ ହସି ହସି ସଂସାରରୁ ଚାଲିଯାଉଥିବ  । କିନ୍ତୁ  ସବୁରି  ହୃଦୟରେ ତୁମେ ଶୂନ୍ୟ ସ୍ଥାନଟିଏ ଛାଡି ଚାଲିଯିବ  ।  କେବଳ ଆଉ ଏକ କଥା କହୁଛି, ତୁମର ଶରୀର ଆଉ ମନ ପାଇଁ ଦୈନନ୍ଦିନ ପ୍ରାର୍ଥନା, ଧ୍ୟାନ ଏବଂ ପ୍ରାଣାୟମଗୁଟିକର ଆବଶ୍ୟକ ରହିଛି  ।  ଏହା ବିଜ୍ଞାନ ସମ୍ମତ ଅଟେ  । ଅଭ୍ୟାସ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନକୁ ନିୟନ୍ତ୍ରିତ କରିବ  ।  । ଏହା ହିଁ  ତୁମ ପାଇଁ ଗୁରୁମନ୍ତ୍ର , ମୁଁ ଆଉ କିଛି କହିବି ନାହିଁ  ।
                                 ମୁଁ ଗୁରୁଦେବଙ୍କୁ ଅପଲକ ନୟନରେ  ଚାହିଁ ରହିଥିଲି । କି ଖରାପ ଧାରଣା ଥିଲା ତାଙ୍କ ପ୍ରତି ?  ସେ ମୋ ଜୀବନ ଦର୍ଶନକୁ କେମିତି ପଢିନେଲେ? ଆଜି ଜୀବନରେ ମୁଁ ଠିକ୍ କରୁଛି କି ଭୁଲ କରୁଛି,ଆଜିଯାଏ ମୁଁ  ଜାଣିନି  । ବେଳେ ବେଳେ ଜୀବନରେ ଭୁଲ ହୁଏ । ସେତେବେଳେ ମନର ରାଇଜରେ ଅଜଣା   ଜଗୁଆଳିଟିଏ ଆସି ବାଡି ଉଁଚାଏ  । ଚେତାଇଦିଏ  ।   ଡ୍ରଇଁ ରୁମରେ ଟଙ୍ଗାହୋଇଥିବା ଫଟୋକୁ ଚାହେଁ  ।  ଲାଜରେ ଆଖି ନଇଁଯାଏ, କେତେବେଳେ ତ ଆଖି ଛଳ ଛଳ ହୋଇଯାଏ  । କିନ୍ତୁ କେବେ ବି ତାଙ୍କୁ ଭୁଲିପାରେନି  । ମୂଁ ସିନା ଜାଣେନା ପ୍ରେମ କି ଦରବ, ତୁମେ ତ  ପ୍ରେମିକ ନାଗରହେ ବୋଲି ସେ ମୋ ପାଇଁ ପ୍ରେମାଚାର୍ଯ୍ୟ  । ପରୋପକାର ପୁଣ୍ୟ, ପର ହିଂସା ମହାପାପ  । ପରଟି  ପରମେଶ୍ୱର, ପର ତୋର ମାଆ ବାପ ନ୍ୟାୟରେ ମୋ ପାଇଁ ଦିଗ୍ ଦର୍ଶକ  । ଏମିତି କେତେ କଣ ତାଙ୍କୁ ଚାହିଁ ଭାବିଯାଉଥିଲି  । ଅଜାଣତରେ କେଇ ଟୋପା ଲୁହ ଆଖିରୁ ଝରିପଡିଲା  ।
ଡିଙ୍ଗ୍ ଡଙ୍ଗ ... ... ଡିଙ୍ଗ୍ ଡଙ୍ଗ । ଜନ ସେବା କେନ୍ଦ୍ରର କଲିଂ ବେଲ୍  ବାଜି ଉଠିଲା  । ଭିତରକୁ  ଆସ ବୋଲି କହିଲି  । ଘର ଭିତରକୁ ଧିରେ ଧିରେ ୭୦/୮୦ ବର୍ଷର ବିଧବା ମହିଳା ଜଣକ ପ୍ରବେଶ କଲେ  ।  ମଥାରେ ଧୋବ  ଫର ଫର ବାଳ . ହାତରେ ଗୋଟେ ମଇଳା ଜରିଟେ  । ହାତରେ ବାଡିଟିଏ ଧରିଥାନ୍ତି । ଜରିରେ କିଛି କାଗଜ ପତ୍ର ଥିବ ବୋଧ ହୁଏ  । କୌଣସି ଆଧାର କାମ ପାଇଁ ଆସିଛନ୍ତି  । ରବିବାର ହେତୁ  ପ୍ରସ୍ତୁତ ହୋଇ ନ ଥିଲି ।  ।  ଦିନ ୧୧ଟି ବାଜିଲାଣି  । ଜଣକ ପାଇଁ  ଅଯଥା ପରିଶ୍ରମ ହେବ ବୋଲି ମନଟା ଖଟା ହୋଇଗଲା  । ତା ପରେ ବି  ଅଧିକ ବୟସ ହେତୁ ହାତର ଆଙ୍ଗୁଠି ଗୁଡିକ ମେସିନରେ ନେବା ପାଇଁ  ମଧ୍ୟ କଷ୍ଟ ହେବ  ।  ଏହା ପରେ ବି ମେସିନର ପୂର୍ବ ଡାଟାଗୁଡିକ  ପଠା ହେଲାପରେ, ଜି.ପି.ଏସ୍ ଟ୍ରାକିଙ୍ଗ୍ କରାଯାଇ ଲୋକେସନ୍ ସ୍ଥିର କରାଯିବ , ଯାହା  ମୋ ପାଇଁ ଏକ ଘଂଟାର କାମ ଥିଲା ।  
-କଣ ହେଲା ମାଆ, କାମ  କଣ ଅଛି  ।
- ବହୁତ ଦୂରରୁ ତମ କଥା ଶୁଣି ଆସିଛି  । ରାସନ୍ ଡିଲର ମେସିନରେ ଆଧାର ନମ୍ବର ଦେବାରୁ ମୋ ଟିପ ଚିହ୍ନ ନେଉ ନାହିଁ । ଡିଲର ମୋତେ ଚାଉଳ ଦେଉନାହିଁ  । ସରକାରୀଆ କ୍ୟାଂପକୁ ଯାଇଥିଲି ଯେ, ବୁଢୀ ଲୋକ ବୋଲି ଫେରାଇ ଦେଲେ  । କଣ ନା ମୋ ଆଂଗୁଠି ଯିବନି  ।
- ତା ହେଲେ ଏଠି କି ଆସିଲ କଣ ପାଇଁ, ଆଜି ବି ରବି ବାର ଅଛି  ।  ଛୁଟି ମୋର , କାମ ଆଜି ମୁଁ କରି ପାରିବିନି  ।
- ନାଇଁରେ ବାପା. ତମର ଧରମ ହେବ  । ବୁଢୀ ଲୋକ ମୂଁ । ତମେ କରି ପାରିବ ବୋଲି ମୂଁ ଆସିଚି  ।
- ତମ ସହିତ କିଏ ଆସିଚି ମା, ତମେ ଫେରିଯାଅ  ।ଆଜି ମୂଁ କାମ କରି ପାରି ବିନି ।
                    ମନ ଭଲ ଲାଗୁ  ନ ଥିଲା  ।  ଏପରି ପରିସ୍ଥିତିରେ କଣ ବା କରାଯାଇ ପାରିବ ? ଏମିତି  ମନଟା ଗୁଣୁ ଗୁଣୁ ହେଲା ବେଳେ , ମାଆଟିର ସୁଁ ସୁଁ କାନ୍ଦଣାରେ  ନିଜକୁ ଅସହଜ ମନେକଲି  । ମାଆଟିର ମୁହଁକୁ ଚାହିଁଥିଲି  ।  ଧାର ଧାର ଲୁହରେ ମୁହଁଟି ପଖଳା ହୋଇ ସାରିଥିଲା  ।   ମାଆଟିର   ଡାହାଣ ହାତ ପାପୁଲିଟିକୁ  ଧରି  ଧିରେ ଧିରେ ଆଉଁସିବାରେ ଲାଗିଲି  ।  ଆଖି ଦୁଇଟି ବୟସ ସଂଜରେ ନଇଁ ନଇଁ ଆସିଲେ ବି ଦେଖି ପାରୁଥିଲି , ଆଖି ଦୁଇଟିରେ  କାଇଁ କେତେ ଯୁଗର ଦୁଃଖ ନିରାଶାର ଚିହ୍ନ  । ଛାତିରେ ଚାପି ରଖିଛନ୍ତି ଅସୁମାରୀ କୋହ  । 
 -କ ଣ ହେଲା ମାଆ. କାନ୍ଦିଲ କଣ ପାଇଁ ?
- ସେ କଥା ବାପା କୁହନି  । ଦି ଦିନ ହେଲା ମୁଁ ଭଲରେ ଖାଇନି  । ଆଧାର ପାଇଁ ଏତେ ନାଟ ? ଟିପ ଚିହ୍ନ  ଯୋଗୁ ଡିଲର ଚାଉଳ  ଦେଲାନି  । ବୋହୁ ମୋ ଉପରେ ଖପା  । ଘରେ ବସେଇ ଖାଇବାକୁ ଦବନି  ।  ଦି ଦିନ ହେଲା   ଭାତକୁ ଆଳୁ ଚକଟା କରି ଥୋଇ ଦେଉଛି  । ଏ ମାସର ଚାଉଳ ନ ମିଳିଲେ ଭିକ ମାଗିବାକୁ ଯା ବୋଲି ଗାଳି ମନ୍ଦ କରୁଛି  । ଏଗୁଡାକ କେମିତି ସହିବି ବାପା । ଦଶ ଦିନ ଦଶ ମାସ ଧରି ଯାହାକୁ ଜନମ କରିଥିଲି  । ସିଏ ବି  ତା କଥାରେ ବାଇ ... କଣ କରିବି ବାପା? 
                ଓଃ, କି ସ୍ବାର୍ଥପର ଦୁନିଆ  । ମଣିଷ କଣ ପାଇଁ ହୁଏ ଏତେ ସ୍ବାର୍ଥପର ? ସଂପର୍କର ଚୌହଦୀରେ ଭୁଲିଯାଏ  ମାଆକୁ  ।  ମାଆ  ମୋର- ଯିଏ ମାଟିରୁ ପରିବ୍ୟାପ୍ତ ଆକାଶର ନୀଳିମାଯାଏଁ  । ଯାହାର ପଣତରେ ବିଂଚି ହୋଇଯାଏ ମମତାର  ଫୁଲ  ।ଜୀବନ ସାରା ଅନ୍ୟ ପାଇଁ ଖଟି ଖଟି  ସରୁ ନହକା ହୋଇ ମଣିଷଟିଏ ହେଲେ ବି , ତ୍ୟାଗ, ପ୍ରେମ, ଦୟା ଆଉ କରୁଣାର ପ୍ରତିମୂର୍ତି  । ଜୀବନର ସଂଜ ନଇଁଲେ ବି ସବୁ ବେଳେ ମନେ ପଡେ  । ଫେରିଆସନ୍ତା ନି ମୋର ପିଲା ଦିନ  । ସଂସାରର ସବୁ ଦୁଃଖ,ତା’ର ପଣତରେ ଅଜାଡି   ମୁହଁ ଗୁଂଜି ି କୋଳରେ ଶୋଇ ପଡନ୍ତି  । ଆଃ କି ଶାନ୍ତି  । ଏମିତି ଗୁଣୁ ଗୁଣୁ ହୋଇ ମେସିନ ଗୁଡିକୁ ଠିକ୍ ଠାକ୍ କରିବାରେ ଲାଗିଗଲି । ମାଆ ଜଣକ ଗୋବିନ୍ଦପୁରରୁ ଆସିଥିଲେ ।  ମାଳତୀ ବେହେରା । ଗାଁରେ ମାଳ ବୋଲି ଡାକନ୍ତି । ଘରେ ପୁଅ ବୋହୁ ଆଉ ନାତି ନାତୁଣୀ ଅଛନ୍ତି । ପୁଅ କଂପାନୀରେ ଚାକିରୀ କରେ  ।  ଆଜି ରବିବାର ଛୁଟି ଥିଲାରୁ ମାଆକୁ ବାଇକରେ ଆଣିଥିଲା ।  କାମ ବାହାନାରେ କିଛି ସମୟ ପରେ ଆସିବ କହି, ମୋ ଜନ ସେବା କେନ୍ଦ୍ର ପାଖରେ ବୁଢୀ ମାଆଟିକୁ ଛାଡି ଛୁଉ ମାରିଥିଲା ।ବୟସାଧିକ ହେତୁ  ମାଆଟିର ହାତ  ଅଧିକ ଶୁଷ୍କ ଥିବାରୁ ବାୟୋମେଟ୍ରିକ ମେସିନ୍  ଟିପ ଚିହ୍ନ ଗୁଡିକୁ ନେଉ ନଥିଲା । ହାତରେ ଫେସିଆଲ୍ କ୍ରିମ୍ ସହିତ ଲେମ୍ବୁ  ରସ  ମାରିବାରୁ ଟିକେ ସହଜ ହେଲା  । 
                 ଏମିତି ପ୍ରାୟ ଚାଳିଶ ମିନିଟ୍ ଲାଗିଗଲା । ବାରମ୍ବାର ଏମିତି ମାଆର ହାତଟିକୁ ଛୁଇଁବା ଆଉ କଥା ବାର୍ତା ହେଉ ହେଉ, ସେ ମୋ ସହିତ ନିଜର ଆତ୍ମୀୟ ପରି କଥା ହେଉଥିଲେ । ସକାଳୁ ଉଠି ଘର ଦ୍ୱାର ଓଳାଇବା, ଗୋରୁ ଗୁହାଳ ପୋଛିବା ସହିତ ନାତି ନାତୁଣୀକୁ ଅଙ୍ଗନବାଡିରେ ଛାଡିବା ସହିତ ଅନେକ କାମ କରୁଥିଲେ ମଧ୍ୟ ବୋହୁ ସବୁବବେଳେ ଗର ଗର ହେଉଥିଲା । ପୁଅ ମଧ୍ୟ ବୋହୁ କଥାରେ  ନାଚୁଥିଲା । ସ୍ବାମୀ ତ ଆଠ ବର୍ଷ ପୂର୍ବରୁ ଚାଲି ଯାଇଥିଲେ । ତଥାପି ପୁଅ ମୁହଁକୁ ଚାହିଁ ମାଆଟି ସବୁ କିଛି ସହି ଯାଉଥିଲେ । ହେଲେ ଏ ଟିପ ଚିହ୍ନ ପାଇଁ ଦୁଇ ମାସ ହେଲା କଂଟ୍ରୋଲ୍ ଚାଉଳ ବନ୍ଦ ହୋଇ ଯାଇଥିଲା  । ବୋହୁ ସାଆନ୍ତାଣୀ   ଆହୁରି ରାଗି ଯାଇଥିଲା ମାଆଟି ଉପରେ । ବିଚରାର ଦୋଷ ବା କଣ ? ସାଧାରଣତଃ ଲୋକମାନଙ୍କର ଟିପ ଚିହ୍ନ କ୍ୟାପଚର୍ ନ ହେଲେ କିମ୍ବା ଆଧାର ନମ୍ବର ଅଚଳ ସୂଚାଇଲେ, ସେହି ସମୟରେ ପୁଣି ବାୟୋମେଟ୍ରିକ୍ ଅପ୍ ଡେଟ୍ କଲାପରେ ଏହା ଠିକ୍ ଠାକ୍ ହୋଇଯାଇଥାଏ । କାମ ସରିଗଲା ପରେ ପ୍ରାପ୍ତି ସ୍ବୀକାର ରସିଦଟେ ମାଆର ହାତକୁ ବଢାଇଦେଲି  ।
                ମାଆଟିର ଓଠରେ ହସ ଚିକ୍ ମିକ୍ ହୋଇ ଝଲସୁଥିଲା । ଏହାପରେ ମାଆ ଜଣକ ଆଣିଥିବା ଜରିରୁ ଏକ ପାନ ବଟୁଆ କାଢି ମୋ ହାତରେ ଶହେଟି ଟଙ୍କା ଗୁଂଜିଦେଲେ  । ସମସ୍ତ ଘଟଣା ଜାଣିଲା ପରେ ମାଆଟି ହାତରୁ ଶହେ ଟଙ୍କା ନେବା ମୋତେ କଷ୍ଟ ଲାଗୁଥିଲା ।  ଗତ ମାସରେ ଭତା ଟଙ୍କାରୁ ମାଆ ଜଣକ ନିଜର ପାନ ଗୁଆ ଖର୍ଚ୍ଚ ବନ୍ଦ କରି ସଂଚିତ ଶହେ ଟଙ୍କା, ମୋ ପାଇଁ   ମହାର୍ଘ ସଂପତି ପରି ଲାଗୁଥିଲା ।  ଫେରାଇବା ପାଇଁ ଯେତେ  ମନା କଲା ପରେ ବି ସେହି ଟଙ୍କାଟିକୁ ମାଆ ହାତରେ ଜବରଦସ୍ତ  ଗୁଂଜିଦେଲି  । ମିଛରେ ଆଧାରକୁ  ନାକଚ କରିଦେବି ବୋଲି ଧମକ ଦେଲି  । ମାଆ ଜଣକ  ଏହାପରେ ଆହୁରି  ନିଜର ନିଜର ହୋଇ ମୋର ହୃଦୟ ଭିତରକୁ ପଶିଆସୁଥିଲେ । ପ୍ରଥମେ ଆପଣେ, ତା ପରେ ତମେ ଆଉ ଶେଷରେ ତୁ ସମ୍ଭୋଧନ କରିବା ଆରମ୍ଭ କରିଦେଇଥିଲେ । ମୋତେ ବି ବହୁତ ମଜା ଲାଗୁଥିଲା । ସତରେ ବସ୍ତୁବାଦୀ ସମାଜରେ ମଣିଷ ଠୁ ନିରୋଳା ଭଲ ପାଇବା ଆଉ ଆତ୍ମୀୟତା  ମିଳିବା  ବହୁତ ଦୁର୍ଲଭ  । ହଠାତ୍  ମୋତେ ଆକଟିବା ଛଳରେ ଗୋଟେ କଥା ପଚାରିବା ଆରମ୍ଭ କରିଦେଲେ ।
-ବାପା, ଗୋଟେ କଥା ପଚାରିବି ।
- କୁହ ମାଆ
- ଆରେ ବାପା, ତୋ ମୂଣ୍ଡ ଉପରେ ଏ ପିତଳ କାଳୀ ମୂର୍ତିଟା  କାହିଁକି ରଖିଛୁ ।ଘରେ ଏହାକୁ ରଖିଲେ ଭଲ ନୁହେଁ । ସାଧନା ଫାଦନା କରିଛୁ ନା କଣ ।  କାଳୀ ସାଧକଟା କିରେ  । ମୋ ଉଗ୍ରଚଣ୍ଡୀ ବୋହୁଟିକୁ ସଜାଡି ଦିଅନ୍ତୁ ନାହିଁ  ।
               ମୁଁ ବହୁତ ଜୋରରେ ଠୋ ଠୋ ହୋଇ ହସି ଉଠିଲି  । ମାଆ ଜଣକ ଚାହିଁ ରହିଥିଲେ ମୋ ମୁହଁକୁ  । ମୋ ହସରେ ଚମକି ପଡିଲେ ଯେପରି । ସମାଜରେ ଅନେକ ଅନ୍ଧ ବିଶ୍ୱାସ ଭରି ରହିଥାଏ  । ମୂର୍ତି ପୂଜାର ଉପାସକ  ହେବା ଅପେକ୍ଷା ଜୀବନରେ ଜୀଅନ୍ତା ମଣିଷର ଉପାସକ ହେବା ଉଚିତ  । ଜୀବନରେ ଦୁଃଖୀ ମଣିଷର ଆଖିରୁ ଲୁହ ପୋଛିବା ହିଁ ସାଧକ ପାଇଁ ଉପାସ୍ୟ ହେଉ ।  ଜଡ ମୂର୍ତିରେ ଆଦ୍ୟାଶକ୍ତିଙ୍କୁ ଆରାଧନା କରିବା ଅପେକ୍ଷା ସାଧକର ଚକ୍ଷୁରେ ସମଗ୍ର ନାରୀ ସମାଜ ମାତୃବତ୍ ହେଉ ।ଏହା ହିଁ ମାତୃ ସାଧନାର ବୀଜ ମନ୍ତ୍ର ଅଟେ ।ଜଗତ୍ ଜନନୀ  ସଦା ସନ୍ତାନ ବତ୍ସଳା ଅଟନ୍ତି । ମମତାମୟୀ ଅଟନ୍ତି ।  ସେ ପାପୀ ପାଇଁ ସଂହାରକାରିଣୀ  ହୋଇ ପାରନ୍ତି । କିନ୍ତୁ  ସ୍ନେହ କାଙ୍ଗାଳ ସନ୍ତାନ ପାଇଁ ନୁହେଁ  । ଏପରି  କଥା ଶୁଣି ମାଆ ଜଣକ ଚୁପ୍ ଚାପ୍ ହୋଇଯାଇଥିଲେ  ।  ଏହାପରେ ତାଙ୍କୁ ଏଜ ସପ୍ତାହାନ୍ତେ ଆସିବା ପାଇଁ କହି ବିଦା କରିଦେଲି  । 
                  ପ୍ରାୟ ଦଶ ଦି ପରେ ମାଆ ଜଣଙ୍କ ମୋର ଜନ ସେବା କେନ୍ଦ୍ରକୁ ଆସିଲେ । ବହୁତ ଖୁସି ଜଣା ପଡୁଥିଲେ ।ଆଧାର ଅପଡେଟ୍ ପରେ ଘରେ ସବୁ ଠିକ୍ ଠାକ୍ ଚାଲିଥିଲା  । ବୋହୁର ବ୍ୟବହାରରେ ପରିବର୍ତନ ମଧ୍ୟ ହୋଇ ସାରିଥିଲା । ମାଆ ଜଣଙ୍କର ଆଧାର ବାୟୋମେଟ୍ରିକ୍ ମଧ୍ୟ ଅପଡେଟ୍ ହୋଇ ଯାଇଥିଲା । ଗୋଟେ ଆଧାର ପ୍ରିଂଟ୍ ଆଉଟ୍ କରି ମାଆଙ୍କ ହାତରେ ଧରାଇଦେଲି  ।  ପ୍ରତିବଦଳରେ ମାଆ ଜଣକ ମୋ ହାତକୁ ଏକ ଘିଅ ବୋତଲ ଧରାଇଦେଲେ ।
- ଏ ଘିଅ କଣ  କାଳୀ ମାଆ ନିକଟରେ ଦୀପ ଜଳା ହେବ ନାଁ କଣ ?  ହଉ ନବ ରାତ୍ରି ଆସୁଛି  । ଭଲ ହବ ।
- ହେ ବଗୁଲିଆ ପିଲାଟା  । ସେ ଦିନ ତୁ ଏତେ  କଥା କହିଲୁ  । ଆଜି ଏମିତି କଣ କହୁଛୁ ।
- ମାନେ ???
- ତୁ ତ ଜାଣିଚୁ ଆମର ଗୋପାଳ ଘର  । ତୋ ପାଇଁ ମୁଁ ଏ  ଦେଶୀ ଘିଅଟିକେ ଆଣିଛି । ଭାତରେ ପକାଇ ଖାଇବୁ । ଭଲ ଲାଗିବ  । ମୁଁ କଣ ତୋର ମାଆ ନୁହେଁ  । ଗରିବ ମାଆଟା ତୋତେ ଆଉ କଣ ଦେଇଥାନ୍ତା କିରେ ?
                           ମାଆଟିର ଏଇ କଥା ପଦକରେ ଆତ୍ମୀୟତା ଭରି ରହିଥିଲା ।ତାଙ୍କ ମୁହଁକୁ ଚାହିଁ ରହିଥିଲି । ସତେ ଯେପରି ଜନ୍ମ ଜନ୍ମ ପିଆସୀ ସାଜି ମମତାମୃତ ପାନ କରିବା ପାଇଁ ମୋର ପ୍ରାଣ ବ୍ୟାକୁଳିତ ହୋଇଉଠୁଥିଲା ।  ଆଖି ଛଳ ଛଳ ହୋଇ ମୋ ଅଜାଣତରେ କେଇ ଟୋପା ଲୁହ ଠସ୍ ଠସ୍ ହୋଇ ଖସି ପଡିଲା  ।   ପର ମୁହୂର୍ତରେ ମାଆଟି ପଣତରେ ମୋ ଲୁହ ଗୁଡିକୁ ପୋଛି ଦେଇ, ତାଙ୍କର ଛାତିରେ ମୋ ମୁଣ୍ଡକୁ ଚାପି ଧରିଥିଲେ । ଜାଣେନା ଏ ଘଟଣା ପରେ କେତେ ବର୍ଷ ବିତି ଯାଇଛି  । ହେଲେ ସେ ଘିଅ ବୋତଲଟି ମୋ ପାଇଁ ଏକ ଅମୁଲ୍ୟ ରତ୍ନ ପାଲଟି ଯାଇଛି । ହୋଇ ଯାଇଛି ଅଭୁଲା ସନ୍ତକ । ସେ ବୋତଲର ଘିଅ ଖାଇବା ପାଇଁ ମୋର ସାହାସ ହୋଇ ନାହିଁ । ସେମିତି ରଖି ଦେଇଛି ସେ କାଳୀ ମୂର୍ତି ନିକଟରେ  । ମୁଁ ଜାଣେ ଆଜି ପର୍ଯ୍ୟନ୍ତ ମୋର ମାତୃ ସାଧନା ସରି ନାହିଁ  ।  ମୋ ଆଖିରେ ଯେ ପର୍ଯ୍ୟନ୍ତ ସମଗ୍ର ନାରୀ ସମାଜ ମାତୃବତ୍ ହୋଇ ନ ପାରିଛି, ନିଜକୁ ଶ୍ରେଷ୍ଠ ସାଧକ ଭାବରେ ଅଭିହିତ କରିପାରିବି କିପରି ?
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଓଲଟପୁର ଆହାର କେନ୍ଦ୍ରରେ ନିମ୍ନ ମାନର ଆହାର

           

ଆଜି ସତର ୦୪ ୨୦୨୧ । ସମୟ ଦିନ ଏଗାର ଘଟିକା ।    ପ୍ରିଂଟର୍ ଆଣିବା ପାଇଁ  ଭୁବନେଶ୍ୱର ଯିବା ପାଇଁ ଥିଲେ ମଧ୍ୟ  କୋଭିଡ୍ ପରିପ୍ରେକ୍ଷୀରେ ଓଲଟପୁରସ୍ଥିତ ଏସ୍.ଭି. ନିରତାର( ଏସିଆ ମହାଦେଶର ପ୍ରସିଦ୍ଧ ଅସ୍ଥି ଶଲ୍ୟ ଚିକିତ୍ସାଳୟ) ଯିବା ପାଇଁ ଆଗ୍ରହାନ୍ୱିତ ହୋଇ ବାଇକ୍ ବୁଲାଇଲି  । ଅଧୁନା ସମୟରେ ଆମ ଅଂଚଳରେ କୋଭିଡ ପଜିଟିଭ୍  ବୃଦ୍ଧି ପାଉଥିବା ସ୍ଥଳେ ମେଡିକାଲର ସ୍ଥିତାବସ୍ଥା ଜାଣିବାକୁ ଇଛା ଥିଲା ।  ସତରେ ମେଡିକାଲ ଶୁନ୍ ଶାନ୍ ଲାଗୁଥିଲା । ପ୍ରାୟ ଛାତ୍ରୀ/ଛାତ୍ର ଦେଖା ଯାଉନଥିବା ସ୍ଥଳେ ବିଶେଷ ରୋଗୀମାନେ ମଧ୍ୟ ଦେଖା ଯାଉ ନ ଥିଲେ । ଆହାର କେନ୍ଦ୍ର ସଂଗଠନ, ପୁରୀର ଏକ ବଂଟନ ଗାଡି, ଏସ୍.ଭି. ନିରତାରର ମେଡିକାଲ ଆହାର କେନ୍ଦ୍ର ସମ୍ୁଖରେ ଠିଆ ହୋଇଥିଲା  । ପ୍ରାୟ ୩୦/୪୦ ଜଣ ଖାଦ୍ୟ ସଂଗ୍ରହ ପାଇଁ  ମହିଳା / ପୁରୁଷ ଠିଆ ହୋଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବର୍ତମାନ ମହିଳା ମିଶନ ଶକ୍ତି ମାଧ୍ୟମରେ  ଟୋକନ ପିଛା ପାଂଚ  ଟଙ୍କାରେ ଏକ ମଗ ଭାତ, ଅଧ ମଗ ଡାଲି ଓ ଚା ଚାମୁଚରେ ଏକ  ଚାମୁଚ୍ ଆଚାର ଦିଆ ଯାଇଥାଏ  ।  ଯାହାକୁ  ଖାଦ୍ୟ ବଂଟନ କରୁଥିବା ସଂସ୍ଥା  ମିଲ୍ ପିଛା ସହଯୋଗୀ ରାଶି ପାଂଚ ଟଙ୍କା ବଦଳରେ  ତିରିଶ୍ ଟଙ୍କା ବିଲ୍ କରିଥାଏ  ।ପ୍ରାୟ ଆହାର କେନ୍ଦ୍ରରେ ଗୋଟିଏ ଟୋକନରେ ପେଟ ପୁରୁ ନ ଥିବା ହେତୁ  ପ୍ରାୟ  ଶତକଡା ୬୦ ଭାଗ ଲୋକ  ପାଂଚ ଟଙ୍କିଆ ଡବଲ୍ ଟୋକନ  କିଣିଥାନ୍ତି । 
କିଛି ସମୟ ପରେ ଆହାର କେନ୍ଦ୍ରରେ ପ୍ରବେଶ କଲି । କେନ୍ଦ୍ରର ପାରିପାଶ୍ୱିର୍କ ଅବସ୍ଥା ବିଶେଷ ସନ୍ତୋଷଜନକ ନ ଥିଲା ।  ଦୀର୍ଘ ଦିନ ଧରି ଏକ ଫ୍ୟାନ୍ ଖରାପ ହୋଇ ରହିଥିଲା । ତେବେ ଖାଦ୍ୟ ବଂଟନ ସମୟରେ ଖାଦ୍ୟ ବାବଦରେ ଭାତର ମାନ  ଚଳନୀୟ ହେଲେ ମଧ୍ୟ ଡାଲମା ଅତ୍ୟନ୍ତ ନିମ୍ନମାନର ଥିଲା । ଯାହା ମୁଁ ଉଠାଇଥିବା ଫଟୋରୁ ଆପଣ ଅନୁମାନ କରିପାରୁଥିବେ । ଏପରି ବୃହତମ ତଥା ପ୍ରସିଦ୍ଧ ଡାକ୍ତରଖାନାରେ ,ଦୀନ ଦୁଃଖୀଙ୍କ ପାଇଁ ଖାଦ୍ୟ ବଂଟନ କରୁଥିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଖାଦ୍ୟ ବିତରଣ ସଂସ୍ଥା, ଡାଲମାରେ ହରଡ ବଦଳରେ କାନ୍ଦୁଲ ଡାଲି ବ୍ୟବହୃତ ହୋଇଛି ବୋଲି ଅନୁମେୟ କରାଯାଉଥିଲା । ବର୍ତମାନ ସମୟରେ ପନିପରିବା ବହୁତ ଶସ୍ତା ଥିଲେ ମଧ୍ୟ ସେଥିରେ କେବଳ ଆଳୁ ପଡିଥିଲା ।   ଯାହା ଫଳରେ  ସେଠାରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ଏସଂପର୍କରେ ବଂଟନ କରୁଥିବା ମାଆମାନଙ୍କୁ ପଚାରିଲେ , ସେ ବାଂଟିବା ଲୋକ, ଖାଇବା ଜିନିଷ ଭଲ ହେଲା କି ମନ୍ଦ ହେଲା କହିପାରିବେ ନାହିଁ  । ଆପଣ ମାନେ ଭାବୁଥିବେ ଯେ, ପାଂଚ ଟଙ୍କାରେ କଣ ସରକାର ଏମାନଙ୍କୁ ମଟନ୍ ଚିକେନ୍ ଦେଇଥାନ୍ତା  ବୋଲି ପ୍ରଶ୍ନ କରି ପାରନ୍ତି ।ଏଠି ଏଲ/ସି/ଡି ପରଦାରେ  ମୁଖ୍ୟମନ୍ତ୍ରୀଙ୍କ ମୁଚୁକୁନ୍ଦା ହସ  ଏବଂ  ଖାଦ୍ୟ ପାଇଁ ଆଇ.ଏସ.ଆଇ. ପ୍ରମାଣପତ୍ର  ଦେଖିଲେ ଏହା ଏକ ପ୍ରହସନ ଲାଗେ । କିନ୍ତୁ   ଏଠାକୁ ବର୍ହି ରାଜ୍ୟରୁ ଆସୁଥିବା ରୋଗୀ ଏବଂ ତାଙ୍କର ସହଯୋଗୀମାନେ  ଏପରି ଖାଦ୍ୟ ଖାଇବା ଦ୍ୱାରା ଓଡିଶା ପ୍ରତି କେଉଁ ମନୋଭାବ ଅନୁଭବ କରୁଥିବେ, ଏହାକୁ ଖାଦ୍ୟ ବିତରଣ କରୁଥିବା ସଂସ୍ଥା ଆତ୍ମ  ସମୀକ୍ଷା କରିବା ଆବଶ୍ୟକ  । ଟୋକନ ପିଛା ପାଂଚ  ଟଙ୍କାରେ ଏକ ମଗ ଭାତ, ଅଧ ମଗ ଡାଲି ଓ ଚା ଚାମୁଚରେ ଏକ  ଚାମୁଚ୍ ଆଚାର ହେଲେ ମଧ୍ୟ  ବିଲ୍ ମାଧ୍ୟମରେ ସ୍ଥିରୀକୃତ ମୂଲ୍ୟ ୩୦ ଟଙ୍କା ଅଟେ ।  ଏପରି ନିମ୍ନ ମାନର ଖାଦ୍ୟ  ଓଲଟପୁର ମେଡିକାଲରେ ବଂଟନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକÿ  ଅଟେ । ଯାହା ନିର୍ଦ୍ଦେଶକ ସମେତ ପ୍ରଶାସନ ଦୃଷ୍ଟି ପ୍ରଦାନ କରିବା ସହିତ ବିହିତ ପଦକ୍ଷେପ ନେବା ଆବଶ୍ୟକ ।





ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ପଣା ସଂକ୍ରାନ୍ତି

ମାଧବାନନ୍ଦ ଭୋଇ


                                   ଆଜି ପଣା ସଂକ୍ରାନ୍ତି ଥିଲେ ମଧ୍ୟ ଘରେ ଆମର କିଛି ସେମିତି ମାହୋଲ ନ ଥିଲା । ପ୍ରତି ଦିନ ପରି ମୋର  ଜନ ସେବା କେନ୍ଦ୍ର ଖୋଲିବା ସହିତ  ଅନ୍ ଲାଇନ୍ ଫାଇଲ୍  କାମ ଉପରେ ଆଖି ବୁଲାଇ ଆଣିଲି । କାରଣ ଛୁଟି ଦିନରେ ପ୍ରାୟ ଲୋକ ସେମିତି କାମ ପାଇଁ ଆସନ୍ତି ନାହିଁ  । ସମୟ ପ୍ରାୟ ଆଠଟା ବାଜିଗଲା  । ଏହି ସମୟରେ  ଧଳା ଲୁଗା ପିନ୍ଧି ଜନୈକ ଭଦ୍ର ମହିଳା ମୋ ଅଫିସ୍ ଭିତରକୁ ଆସିଲେ  । ହାତରେ  କୌଣସି ଶାଢୀ ଦୋକାନର  ମଇଳା ଜରି  ଖଣ୍ଡେ  । ପିନ୍ଧିଥିବା ଏକମାତ୍ର ଶାଢୀ ଖଣ୍ଡକ ପରିଷ୍କାର ନ ଥିବା ସ୍ଥଳେ ଲୁଗା ଚିରା ଥିଲା । ହାତରେ ପିତଳ କାଚ ଦୁଇ ପଟ ବୈଧବର ସୂଚନା ବି ଦେଊଥିଲା ।  ଶାରୀରିକ ଦୃଷ୍ଟିକୋଣରୁ ମାଆ ଜଣକ ଅଶୀ ବର୍ଷରୁ ଅଧିକ ଜଣା ପଡୁଥିଲେ । ନଇଁ ନଇଁ ଚାଲୁଥିଲେ । ଆଖି ଦୁଇଟି ଛଳ ଛଳ ଲାଗୁଥିଲା । ଏହା ମଧ୍ୟରେ ମୋର  କଂପୁ୍ୟଟର ସ୍ପିକରରେ ଶ୍ରୀ ଚରଣ ମହାନ୍ତିଙ୍କ କଂଠରେ “ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ” ଗୀତର ସ୍ବର ପରିବେଶକୁ ଆହୁରି ଭାବ ଗମ୍ଭୀର କରୁଥିଲା ।
- କଣ ହୋଇଛି ମାଆ
- କଣ କରିବି ବାପା, ବୟସ ଅଧିକା ହୋଇଗଲାଣି  ୫୦୦ ଟଙ୍କା ଭତାରେ ମୁଁ କଣ ଚଳି ପାରିବି ?ଆଧାର କାର୍ଡଟା ହଜି ଯାଇଛି  । ଜେରକ୍ସ ଅଛି  । ସେଇଟା ବାହାର କରିଦେବୁ ଆଉ ଭୋଟର କାର୍ଡଟା ତୋ ପାଖରେ ରଖିଥିବୁ ।
- ତମର ଏ ଅରଜିନାଲ କାର୍ଡ ନେଇ ମୁଁ କଣ କରିବି  ।
- ନାଇଁରେ  । ଏ ଅରଜିନାଲ ଭୋଟର କାର୍ଡ ପଂଚାୟତ ଅଫିସରେ ଥିଲା ବୋଲି ପାଇଲି  । ନ ହେଲେ ବୋହୁ ମୋତେ ହଇରାଣ କରିବାରୁ ଝିଅ ଘରକୁ ଯାଇଥିଲି  । ଦି ମାସ ରହି କାଲି ଆସିଲି  । ହେଲେ ମୋ ଟ୍ରଙ୍କରେ ରଖିଥିବା କାଗଜ ପତ୍ର   ଯାହା ଥିଲା, ସବୁ ସେ ବୋହୁ ଲୁଚାଇ ଦେଇଥିବ ନ ହେଲେ କଣ କରିଥିବ ?
- ଏମିତି କାହିଁକି କହୁଚ ତାଙ୍କ ନାଆଁରେ... ...
- ବା... ...ପା,ପର ଝିଅ ନାମରେ କଣ ମିଛ କହିବି ? ଭେଣ୍ଡିଆ ପୁଅ ଚାଲି ଗଲା ପରେ ଏ ବୋହୁ ମୋତେ ବହୁତ ହଇରାଣ କରୁଛି । ଖାଇବାକୁ ଦି ବେଳା ଦଉନାହିଁ  । ମାସ ଶେଷକୁ ଭତା ଆସିଲେ ଛଡେଇ ନେଇଯିବ । ହେଲେ ଶୁଆସ ବେଳେ ବେଳେ ବାହାରୁଛି, ତା ପାଇଁ ଓଷଧ ଦରକାର ହେଲେ ପଇସାଟେ ଦବ ନାହିଁ  । ପର ଲୋକ ଠୁ ମାଗି  ଯାଚି ଓଷଧ ଆଣି ଖାଇବି  । କହିଲୁ ଧରମ ସହିବ । ମୋ ବିପିଏଲ ଚାଉଳ ମିଳୁଛି  । ଭତା ମିଳୁଛି  । ମୋ ଜାଗାରେ ଥାଇ ସବୁ ଖାଉଚି । ହେଲେ ମୋତେ ସବୁ ବେଳେ କନ୍ଦଊଛି କାହିଁକି କହିଲୁ ପୁଅ  ।
         ଏହା କହି ମୋ ହାତକୁ  ଏକ ଜେରକ୍ସ ଆଧାର କାର୍ଡ  ଓ ଏକ ଅରଜିନାଲ ଭୋଟର କାର୍ଡ ମାଆ ଜଣକ  ବଢାଇ ଦେଲେ । ଚେଆରରେ ବସିବାକୁ କହିଲେ ମଧ୍ୟ  ତଳେ ବସି  କାନିରେ ଆଖି ପୋଛି ସୁଁ ସୁଁ ହୋଇ କାନ୍ଦିବାରେ ଲାଗିଲେ  । କାର୍ଡ  ଦୁଇଟିକୁ ଚେକ୍ କରୁଥିଲି  ।  ମାଆ ଜଣଙ୍କୁ ଶାରିରୀକ ଦୃଷ୍ଟିରୁ ଅଶୀ ବର୍ଷ ହୋଇଥିଲେ ମଧ୍ୟ ଏନ.ଭି.ଏସ. ପି ପୋର୍ଟାଲରେ ଚେକ୍ କଲାପରେ ୭୫ ବର୍ଷ ଦେଖାଉଥିଲା ବେଳେ ବେଳେ ଜନ ସାଧାରଣଙ୍କ ଭତା କାମ କଲା ବେଳେ ଶାରିରୀକ ଦୃଷ୍ଟିରୁ ସେମାନଙ୍କୁ ଭତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ହିତାଧିକାରୀ ଭାବରେ ସର୍ବ ନିମ୍ନ ୬୦ ବର୍ଷ ହୋଇଥିଲେ  ମଧ୍ୟ ସେମାନେ ଭତା ପାଇ  ନଥାନ୍ତି  ।ଏହି କାରଣ ହେତୁ ବହୁତ ଗରିବ ବ୍ୟକ୍ତି ଏଥିରୁ ବଂଚିତ ହୋଇ ବହୁତ ଅନାଟନ ମଧ୍ୟରେ କଟାଇଥାନ୍ତି  । ଏତଦ୍ ବ୍ୟତୀତ ଅଶୀ ବର୍ଷରୁ ଅଧିକ ବ୍ୟକ୍ତି ୮୦୦ ଟଙ୍କା ପାଇଥାନ୍ତି । ତେବେ ଡାକ୍ତରଙ୍କ ଓସିଫିକେସନ ସାର୍ଟିଫିକେଟ ମାଧ୍ୟମରେ, ଯୋଗ୍ୟ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରଶାସନ ଏବଂ  ରାଜନେତାଙ୍କ ଆନ୍ତରିକତା ବିହୀନରୁ ଏହା ହୋଇ ପାରି ନ ଥାଏ । ପରେ ପରେ ମାଆ ଜଣକ ଆଧାର କାର୍ଡରେ ମୋବାଇଲ୍ ନଂ ନ ଥିବା ହେତୁ  ପୋର୍ଟାଲରେ ପ୍ରିଂଟ୍ ଅର୍ଡର ମାଧ୍ୟମରେ କାମ ହୋଇ ପାରିବ  ବୋଲି ସ୍ଥିର କରି ନେଲି  ।
ତେବେ ଭୋଟର କାର୍ଡରେ ତାଙ୍କ ସ୍ବାମୀଙ୍କ ନାମ  ଆଉ ଠିକଣା ଦେଖି ଚମକି ପଡିଲି  । ୟେ ତ ଆମ ପଡୋଶୀ ଗାଁ  ଜଗୁ  ବଡ ବାପାଙ୍କ ସ୍ତ୍ରୀ ବୋଧ ହୁଏ  । ଭୋଟର କାର୍ଡ ଫଟୋର ଅସ୍ପଷ୍ଟ ଚେହେରାରୁ ସେ ବୀଣା ବଡ ବୋଉ ବୋଲି ମୋତେ ଅଛପା ରହିଲାନି  । କାହିଁକି କେଜାଣି ପିଲା ଦିନର ବହୁତ କଥା ମନେ ପଡୁଥିଲା । ଜଗୁ ବଡ ବାପା  । କଳା ରଙ୍ଗର ଛଅ ଫୁଟିଆ ମଣିଷଟିଏ । ଗାଁରେ ସବୁବେଳ ନୀଳ ଲୁଙ୍ଗିଟିଏ ପିନ୍ଧିଥିବେ । ସେ ଏକ ବେସରକାରୀ  ଛାତ୍ରାବାସରେ  ରୋଷେଇଆ ଭାବରେ ଚାକିରୀ କରିଥିଲେ । ଗାଁରେ ତାଙ୍କର ତେଜରାତି ଦୋକାନ  । ବଡ ବାପା ଛାତ୍ରାବାସରେ ଥିବାରୁ ମଝିରେ ମଝିରେ ଡାଲି ,ଚାଉଳ ମସଲାଦି ସବୁ ହଡପ କରି ତାଙ୍କ ତେଜରାତି ଦୋକାନ ସଉଦା ସହିତ ମିଶାଇ ବେଶ୍ ହାତ ଚିକ୍କଣ କରିଥାନ୍ତି  । ଆଉ ବି ସେ କଟକରେ ଥିବାରୁ ପିଲାମାନଙ୍କ ପାଇଁ ଭଲ ଖେଳଣା ଆଣିଥାନ୍ତି  । ତାଙ୍କ ଦୋକାନରେ   ଟିକିଲି ଏବଂ ଲତା ଗୁଳି ମିଳୁଥିବାରୁ ସବୁ ଛୁଆଙ୍କର  ମାଡ ସେଇଠି  । ବଡ ବୋଉ ଦୋକାନରେ ବସନ୍ତି  ।
                           ଖରା ଦିନରେ  ଖରା ବେଳେ ଗୁଳି କିଣିବା ଅଭିଯାନ ଆରମ୍ଭ ହୁଏ । ସମସ୍ତଙ୍କ ଆଖିକୁ ଫାଙ୍କି କରି ବୀଣା ବଡ ବୋଉଙ୍କ ଦୋକାନରୁ ଗୁଳି କିଣିବା ପ୍ରତିଯୋଗିତା ହୁଏ ।   ତିନି ଟଙ୍କିଆ ବନ୍ଧୁକକୁ; ଟିକିଲି ଗୁଳି ଦଶ ପଇସା ଆଉ ଲତା ଗୁଳି  ପଚିଶି ପଇସା  । କିଣିଲା ବେଳେ ଯିଏ ଧରା ପଡିଲା, ସିଏ ଘର ଲୋକଙ୍କ ଠୁ ଛେଚା ଖାଇଲା । ହେଲେ ବଡ ବୋଉ ସମସ୍ତଙ୍କୁ ବୁଝାଇ ଦିଅନ୍ତି  । ଏକଦା  ଜଗୁ ବଡ ବାପା ଡାଇରିଆରେ ଚାଲି ଗଲେ । ଦୁଇ ଭଉଣୀରେ ମାଟ୍ରିକ୍ ପାସ କରିଥିବା ଜିତୁ ଭାଇ ପୁଣି ସେ ଛାତ୍ରା ବାସ ଦାୟିତ୍ୱ ନିଅନ୍ତି  । ପରେ ପରେ ଜିତୁ ଭାଇକୁ ବାହା ହୋଇ ଆସିଲେ ରୀନା ଭାଉଜ । ହେଲେ ଜିତୁ ଭାଇ ବଡ ବାପାଙ୍କ ପ୍ରକୃତି ଛାଡିଲେ ନାହିଁ  । ବଡ ବାପା ଛୋଟ ଚୋରୀ କରୁଥିଲେ,ଜିତୁ ଭାଇ ବଡ ଚୋରୀ କଲେ  । ଛାତ୍ରାବାସରୁ ତଡା ଖାଇଲେ । କିଛି ଦିନ ପରେ ଝିଅଟିଏ ଜନ୍ମ ହେଲା । ଝିଅ ଜନ୍ମ ହେତୁ ଆରମ୍ଭ ହୋଇଗଲା ରୀନା ଭାଉଜଙ୍କ ଉପରେ ମାଡ ପିଟ୍ । ଶେଷକୁ ଭାଉଜ କାନ୍ଦି କାନ୍ଦି ଘର ଛାଡି ଚାଲିଗଲେ  । ଦୁଇ ବର୍ଷ ପରେ ପୁଣି ଜିତୁ ଭାଇ ବିବାହ କଲେ । ପୁଅକୁ ଅପେକ୍ଷା କରୁ କରୁ ରାନୁ ଭାଉଜଙ୍କର ତିନି ଝିଅ ଆଉ ଗୋଟେ ପୁଅ । ଗାାଁରେ ଆସି ଜମି ବାଡି କିଣା ବିକାରେ ଦଲାଲ ଗିରି କରି ଚଳିଲେ ।  ସରକାରୀ କାର୍ଯରେ ମଧ୍ୟ ଦଲାଲ ଗିରି କରୁଥିଲେ । ଏହା ପରେ ମୁଁ କିଛି ଖବର ରଖି ନ ଥିଲି ।
ଦିନେ ଶୁଣିଲି ଜିତୁ ଭାଇ ବ୍ଲଡ କ୍ୟାନସରରେ ଚାଲି ଯାଇଛନ୍ତି । ମରିବା ପୂର୍ବରୁ ବହୁତ କରଜ କରିଛନ୍ତି ଆଉ  ଲୋକମାନଙ୍କୁ ବହୁତ ଠକିଛନ୍ତି । ବିଭିନ୍ନ ଫାଇନାସ୍ କଂପାନୀ କର୍ମଚାରୀ ଘରକୁ ଆସୁଥିଲେ ।ଏପରିକି ନିଜ ବଡ ଝିଅ ପୁଆଣି  ହୋଇ ଆସିଥିଲା ବେଳେ, ତାହାର ଅଳଙ୍କାର ଗୁଡିକ ମଧ୍ୟ ଜିତୁ ଭାଇ ବିକି ଦେଇଥିଲେ । ଯାହା ଫଳରେ ବାପା ଝିଅ ସଂପର୍କରେ ସବୁ ଦିନ ପାଇଁ ଡୋରୀ ବନ୍ଧା ହୋଇଯାଇଥିଲା । ବିଚରା ରୀନା  ଭାଉଜ ଚାରୋଟି ଛୁଆଙ୍କୁ ଧରି ଏକା  ଏକା  । ଦରଦାମ୍ ହୁ ହୁ ହୋଇ ବଢି ଚାଲିଥିଲା ବେଳେ ଦୁଇ ଜଣଙ୍କର ବିଧବା ଭତା ୧୦୦୦ ଟଙ୍କା ଆଉ ତିରିଶ କେଜି ବିପିଏଲ ଚାଉଳରେ ଛଅ ଜଣ ପରିବାର କିପରି ଚଳିବ ?  
ଏହା ପରେ  ରାନୁ ଭାଉଜଙ୍କ ପାଇଁ ବିଭିନ୍ନ ଗୁଜବର ଅୟମାରମ୍ଭ  ।  ଘର ଆଗରେ ଅଧିକ ରାତିରେ ଗାଡି ଲାଗିବା ଠାରୁ   ବିଭିନ୍ନ ହୋଟେଲରେ ରାତି କଟାଇବା କଥା ରାନୁ ଭାଉକଙ୍କ ନାମରେ ଶୁଣିବା ପାଇଁ  ମିଳେ  ।ଏମିତି କି ଫେସବୁକରେ   ଭାଉଜଙ୍କ ବିଅର ପିଇବା ଫଟୋ ଘୁରି ବୁଲୁଥିଲା । ଏହାପରେ ବଡ ବୋଉ ଅସହାୟ ହୋଇ ପଡିଥିଲେ । ଖାଇବାକୁ ଦୁଇ ବେଳା ମିଳୁ ନଥିବାରୁ ଅନେକ ସମୟ ଝିଅ ଘରେ ରହୁଥିଲେ ।  ବେଳେ ବେଳେ ରାନୁ ଭାଉଜ ବୀଣା ବଡ ବୋକୁ ପିଟୁଥିଲେ । ତାଙ୍କର ଦେହ ବି ଭଲ ରହୁ ନ ଥିଲା ।
ହଠାତ୍ ବଡ ବୋଉଙ୍କ ଡାକରାରେ ଚମକି ପଡିଲି  । କେତେ ସମୟ ଆଉ ଲାଗିବ ବୋଲି ପଚାରୁଥିଲି । କାର୍ଡ ଦୁଇଟି   ଫାଇଲରେ ରଖି ଅନ୍ୟାନ କାମ ସାରିବା ସହିତ  ବଡ ବୋଉଙ୍କୁ ଯିବା ପାଇଁ କହିଲି ।  ହେଲେ ବଡ ବୋଉ ନ ଛଡୋ ବନ୍ଧା  ।  “ ଆରେ ସେ ବୋହୁଟା ମୋ କାଗଜ ପତ୍ର ନେଇ ଯାଇଛି, ସେ ସଂପତି ସବୁ ମୋର ନେଇ ବିକ୍ରି କରି ଦେବ ନି ତ”  ବୋଲି ଫିସ୍ ଫିସ୍ ହୋଇ ବଡ ବୋଉ ନଇଁ ନଇଁ  ଚାଲିଗଲେ । ହେଲେ  ସମୟାନୁକ୍ରମେ ପରିସ୍ଥିତିର ଦାସ ହୋଇ ମଣିଷ କେତେ ଅସହାୟ ହୋଇ ଯାଏ? ବୟସର ସଂଜ ବେଳେ ନିଜର ସାହାରା ପାଇଁ ଆଶା ବାଟିଟିକୁ ହରାଇଲା ପରେ ଆଉ କଣ ବା ଥାଏ ।
ସଂପାଦକ:ଉଦୟ ଭାନୁ,ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ:୦୧୮,ସଂପର୍କ:୯୨୩୮୫୮୯୧୦୦
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କୋଇଡାର ଭୋକ

ମାଧବାନନ୍ଦ ଭୋଇ
ପେଟର ଭୋକ ଅନେକ ସମୟରେ ମଣିଷକୁ ଅସହାୟ କରିଦିଏ  । ପେଟ ପାଇଁ ତ ସବୁ ନାଟ  । ୟେ ତ ଅଜ୍ଞାନ ମାଆ ଛେଉଣ୍ଡ  ଅଢେଇ ବର୍ଷର ଶିଶୁର କଥା ।  ତା ପେଟର ବ୍ୟଥା । କିଛି ଦିନ ପୂର୍ବେ ଭୋକ ସମ୍ଭାଳି ନ ପାରି  ସେ ଏକ ବିବାହ ଭୋଜିର ଅଇଁଠା ଖଲି ପତ୍ରକୁ ଚାଟିବା   ଜନ ମାନସରେ ଆଲୋଡନ ସୃଷ୍ଟି କରିପାରେ  । ମାତ୍ର ଏ ଘଟଣା ସୁନ୍ଦରଗଡରେ ଘଟିଥିଲେ ମଧ୍ୟ ସାରା ଓଡିଶାର ପ୍ରତି କୋଣ ଅନୁକୋଣରେ ନ ଘଟୁଛି ବୋଲି କିଏ କହିବ ? କାରଣ ଗରିବ ହିଁ ସବୁବେଳେ ଗରିବ  । ଏହି ପରିପ୍ରେକ୍ଷୀରେ ମୋର କବିତା କୋଇଡାର ଭୋକ ପାଠ କରି ମତାମତ ଦେବା ପାଇଁ ପ୍ରିୟ ପାଠିକା/ପାଠକଙ୍କୁ ଅନୁରୋଧ ।
କାଜଲ ପାଇଁ କି କଙ୍କଡା ଝୋଳ,
ଓଡିଶାରେ ହେଲା ବଡ ଖବର,
ଭୋକ ବିକଳରେ ଗରିବ ପିଲା,
ଅଇଁଠା ଖଲି ପତର ଚାଟିଲା । ।
ମାଆ ଛେଉଣ୍ଡ  ତା ବାପା ମୁରୁଖ,
କାଠକୁ ବିକିଲେ ପୂରଇ ପେଟ ।
ଘରେ ହାଣ୍ଡି ମାଙ୍କଡ ଚିତ୍  ମାରୁଛି,
ଖାଲି ପେଟରେ; ନାହି ଡେଉଁଛି । ।
 ଭୋକର ବେଦନା କିଏ ବୁଝିବ ?
ଗରିବ ଲୁହକୁ କିଏ ପୋଛିବ ।
ତେଲିଆ ମୁଣ୍ଡରେ ତେଲ ଭାଇ ସିନା,
ନୁଖୁରା ବାଳକୁ କିଏ ଚାହିଁବ ?
ଗରିବୀ ଭୋଟରେ ଜିତୁଛି ନେତା.
ଗାନ୍ଧୀ ଟୋପି ପିନ୍ଧି କାଟଇ ଫିତା,
ଉପରେ ଯୋଜନା ମାଳକୁ ମାଳ,
ଉପର ସୁନ୍ଦର ଭିତର ଖୋଳ । ।
ପେଟ ପୋଡିଗଲେ ନିଦ ଆସଇ,
ଲୁହ ପିଇ ପିଇ ଶୋଷ ମରଇ,
ଓଳିଏ ଖାଇଲେ  ଓଳିଏ ଉପାସ,
ଛିଣ୍ଡା ଲୁଗା ପିନ୍ଧେ ଲାଜ ଲୁଚାଇ । ।
ସେର ପୁରିଗଲେ,କାଳ ସରିବ,
ପଡି ପଡି କେବେ ଜୀବନ ଯିବ ?
ଆସିଛୁ ଲଙ୍ଗଳା,ଯିବୁ ତୁ ଫୁଙ୍ଗୁଳା,
ଭୋକିଲା ପେଟରେ ଦିନ ସରିବ  । ।
ସଂପାଦକ:ଉଦୟ ଭାନୁ, ସା:ଭୋଦଳ,ପୋ:ପାଟସୁନ୍ଦରପୁର,ବ୍ରାହ୍ମଣ ସାଇଲୋ,କଟକ-୦୪୮,ସଂପର୍କ:୯୨୩୮୫୮୯୧୦୦


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ରକତ ହୋଲି

“ରକତ ହୋଲି” କବିତାଟି ପ୍ରିୟ ସୂଚନାଧିକାରକର୍ମୀ ଭାଇ/ଭଉଣୀମାନଙ୍କ ପାଇଁ ,କିନ୍ତୁ ୟେ କବିତା ଅନେକଙ୍କୁ ବିରକ୍ତବୋଧ ହୋଇ  ପାରେ  । କଣ ନା ସାହିତ୍ୟରେ ରାଜନିତୀ କଲା । ମାତ୍ର ଯାହା ଲେଖିଛି,ସତ ଲେଖିଛି । ଗତ ଦୁଇ ଦିନ ପୂର୍ବେ ଶାସକଗୋଷ୍ଠୀ ପୋଷାଗୁଣ୍ଡାଙ୍କ ବୋମାମାଡରେ  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସୂଚନାଧିକାରକର୍ମୀ ସର୍ବେଶ୍ୱର ବେହେରା ଆହତ ହୋଇ ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ସେ ସୂଚନା ଅଧିକାର ଆଇନ୍ ମାଧ୍ୟମରେ  ଶାସକ ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ଅନେକ ଦୁର୍ନୀତିର  ପର୍ଦ୍ଦାଫାଶ  କରି ଲୋକ ଲୋଚନକୁ ଆଣିଥିଲେ ।ଏପରିକି ଏହି ଦୁର୍ନିତୀ ଗୁଡିକୁ  ନେଇ  ଲୋକାୟୁକ୍ତରୁ ସୁପ୍ରିମକୋର୍ଟ  ପର୍ଯନ୍ତ ମାମଲା ରୁଜୁ କରିଥିଲେ ।ବିଶେଷ କରି ସୁଚନା ଅଧିକାର ଆଇନକୁ ବ୍ୟବହାର କରି ସର୍ବେଶ୍ୱର ଧର୍ମଶାଳା ବ୍ଲକରେ ଅନେକ ଦୁର୍ନୀତିର ଖୋଲାସା ସହ , ଲୋକାୟୁକ୍ତଙ୍କ ନିକଟରେ ଅନେକ ଅଭିଯୋଗ ଦାଖଲ କରିଛନ୍ତି । ବିଛାଖଣ୍ଡି ଓ ଡଙ୍କାରି ପାହାଡରେ ଖଣିଜ ଦ୍ରବ୍ୟର ହରିଲୁଟ , ପୋଲିସ , ସ୍ଥାନୀୟ ପ୍ରଶାସନ ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ବେଇନ କଳାପଥର ଲୁଟ , ପ୍ରଶାସନ ସହାୟତାରେ ବେଆଇନ କ୍ରଶର ଚାଲିବା, ପିଡ଼ିଏସ ସାମଗ୍ରୀର ଲୁଟ , ଗତ ବନ୍ୟାରେ କେଳୁଅ ନଦୀର ବନ୍ଧକୁ ଡିନାମାଇଟ ଲଗେଇ ଉଡେଇଦେବା ସମ୍ପର୍କରେ ତଦନ୍ତ ପାଇଁ ସେ ଲୋକାୟୁକ୍ତଙ୍କ ନିକଟରେ କେଶ କରିଛନ୍ତି । ପ୍ରାୟ ସମସ୍ତ କେଶରେ ଲୋକାଯୁକ୍ତ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ, ଉକ୍ତ ଆକ୍ରମଣର ଉଛସ୍ତରୀୟ ତଦନ୍ତ  ଓ ସର୍ବେଶ୍ୱର ପରିବାରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ଆମ୍ଭେ ଦାବି କରୁଛୁ ।
ଶୁଣ ହେ ନବୀନ୍ ସରକାର,
କେତେ  ଆଉ ରକତ ଦରକାର ।
ସଂଗ୍ରାମୀ  ଖେଳିବ ରକତର  ହୋଲି
ସରିବ ତୋ ରାଜନୀତି ପଶାପାଲି ।
ଜନତାର ହେବ ଜୟକାର । ।

ଅହିଂସା କହୁଛୁ,ହିଂସା କରୁଛୁ,
ଅନୀତି କରିଣ ନୀତି କହୁଛୁ,
ଖୋଲିଅଛୁ ଦୁର୍ନୀତି ଗନ୍ତାଘର .
ତୁ ବଡ ବାହାପିଆ ସରକାର । ।

ବୋମା  ବନ୍ଧୁକର ପିଚକାରୀ.
ଖେଳିଲୁ ନିତି ରକତ ହୋଲି.
ଦୁର୍ନୀତିର ମୁଖା ଯିଏ ଖୋଲିଲା,
ପୋଷା ଗୁଣ୍ଡା ହାତେ ଜୀବନ ଗଲା । ।

ସୂଚନାକର୍ମୀ କରିଛି ପଣ,
ଲଭୁ ସେ ଧମକ ଆଉ ମରଣ;
ଦୁର୍ନୀତି ତରୁର ଉପôାଟନ ଯାଏ,
ଲଢୁଛି ଲଢିବ ମରିବା ଯାଏ ।
କାନ୍ ଖୋଲକର ଶୁଣ୍ ସରକାର୍
ସୂଚନା ଆଇନର ହେବ ଜୟକାର । ।


ବିଳମ୍ବିତ୧୦୮ ଆମ୍ବୁଲାନ୍ସ ସେବା କାହା ପାଇଁ ???

ଗତ କାଲିର ଦୁର୍ଘଟଣା । ତାରିଖ:୨୬/୦୩/୨୦୨୧,ସମୟ ପ୍ରାୟ ତିନି ଘଟିକା  । 


 ବାଗଲପୁର – ଝାରପଡା ରାସ୍ତାର  ପ୍ରଥମେ କେନାଲ ବନ୍ଧ ଅତିକ୍ରମ କଲା ପରେ ପରେ ପୋଖରୀ ପୂର୍ବରୁ ଦୁଇଟି ବଣୁଆ ଗଛ । ଏଠାରେ ଏକଦା ବହୁ ବର୍ଷ ପୂର୍ବେ ଢାବାରୁ ଖାଇ-ପିଇ ଫେରିଲାବେଳେ ମଧ୍ୟ ରାତ୍ରୀ ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା ।ଦୁଇ ଜଣ ଯୁବକଙ୍କର ମୃତୁ୍ୟ ଘଟିଥିଲା । ଆଜି ପୁଣି ସେ ସ୍ଥାନରେ ଦୁର୍ଘଟଣା  । ଦାମୋଦରପୁର ଗ୍ରାମର ଜନୈକ ଯୁବକ  ବାଗଲପୁର ଦିଗରୁ ମୋଟର ସାଇକେଲ (ଓଡିଶା-୦୫ /ଏଚ୍  ୭୩୫୦)ରେ ଆସୁଥିବା ସମୟରେ  ଭାର ସାମ୍ୟ ହରାଇ ଘୋଷାଡି ହୋଇ ପଡିବା ଅତ୍ୟନ୍ତ ଦୁଃଖ ଦାୟକ ଥିଲା  । ମୁହଁର ଏକ ପାଶ୍ୱର୍ ସଂପୂର୍ଣ୍ଣ ଭାବରେ  ଲହୁ ଲୁହାଣ ହୋଇ ପଡିଥିଲା  । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ପାଟିରୁ ଏକ ପ୍ରକାର ଫେଣ ବାହାରୁଥିଲା କହିଲେ ଚଳେ । ଦୁର୍ଘଟଣା ସମୟରେ ଆମେ ପ୍ରାୟ ଚାରି/ପାଂଚ ଜଣ ଥିଲୁ  ।   ବିଚରା ଯୁବକଟି ଗୁରୁତର ଭାବରେ ପଡିଥିବା ସମୟରେ, ଡାକ୍ତରଖାନା ପଠାଇବା ପାଇଁ  ୧୦୮କୁ ଫୋନ୍ କରିବା ପାଇଁ ଲାଗି ପଡିଲୁ । ଦୁଃଖର ବିଷୟ, କଂଟ୍ରୋଲ୍ ରୁମର ସୂଚନା ଅନୁଯାୟୀ ଅଡଶପୁର ଏବଂ ନିଆଳୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ  ନଥିଲା ।  ମହୀଧରପଡା ସ୍ବାସ୍ଥ୍ୟ କେନ୍ଦ୍ରରୁ ଆମ୍ବ୍ୁଲାନସ୍ ପଠାଗଲା  । କିନ୍ତୁ ଗାଡି କାହିଁ ?  ଦୁର୍ଘଟଣାର ସମ୍ମୁଖୀନ ହୋଇଥିବ ଯୁବକଙ୍କୁା  ମୋଟର ସାଇକେଲରେ ଆଉଜାଇବା ପରେ ଜନୈକ ଭଦ୍ରବ୍ୟକ୍ତି ଦେଇଥିବା ଗାମୁଛାରେ ଘୋଡାଇଦେଇଥିଲୁ । ଧିରେ ଧିରେ ଲୋକଙ୍କର ଭିଡ ଜମୁଥିଲା । ହେଲେ ୧୦୮ ଆମ୍ବୁଲାନ୍ସ ପାଇଁ  ଆମେ ଦୁଇ ତିନି ଜଣଙ୍କ ମୋବାଇଲରୁ କଲ୍ କରି,  ପ୍ରତି ପାଂଚ/ଦଶମିନିଟରେ କସରତ ଚାଲିଥିଲା  ।
                 ଏମିତି  ଫୋନ୍ କରି କରି ପ୍ରାୟ ଚାଳିଶ ମିନିଟ୍ ଚାଲିଗଲା । କିନ୍ତୁ ଆମ୍ବୁଲାନ୍ସର ଦେଖାନାହିଁ  । ଧିରେ ଧିରେ ଉକ୍ତ ଯୁବକର ଘର ଲୋକ ଆସି ପହଁଚିଲେ ।  ପୁନଃ ପନ୍ଦର ମିନିଟ ଚାଲିଗଲା । ଦାମୋଦରପୁରରୁ ଆସିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ମୋଟର ସାଇକେଲରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନା ନେବା ପାଇଁ ବାହାରିଲେ ।  କିନ୍ତୁ ଯୁବକର ଶାରିରୀକ ଅବସ୍ଥା ଗୁରୁତର ହେତୁ, ଆମେ ମନା କଲୁ  । ଦୁଃଖର ବିଷୟ, ଏଇ କାରଣ ହେତୁ, ପିଲାମାନଙ୍କର ଆମକୁ ଦି ପଦ ଦୋଅକ୍ଷରୀ ଶ୍ରବଣରେ ମନ ସନ୍ତୋଷ ହୋଇଗଲା । ସର୍ବଶେଷରେ ଘର ଲୋକଙ୍କ ଜିଦ୍ ଏବଂ ସଂକଟାପନ୍ନ ଅବସ୍ଥା ହେତୁ  ମୋଟର ସାଇକେଲରେ ବୁହା ହୋଇ ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନିଆଗଲା  । ଅଡଶପୁର ସ୍ବାସ୍ଥ୍ୟ କେନ୍ଦ୍ର ନେବା ପରେ, ଯୁବକଟି ବାନ୍ତି କରୁଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ପଠାଗଲା  ।  ଯଦି କୌଣସି ଦୁର୍ଘଟଣା ପାଇଁ ୧୦୮କୁ  ଆମ୍ବୁଲାନ୍ସ ପାଇଁ ଫୋନ୍  କଲେ,  ପ୍ରାୟ ଦଶ କିଲୋମିଟର ରାସ୍ତା ପାଇଁ ଚାଳିଶ /ପଇଁଚାଳିଶ୍ ମିନିଟ୍ ଲାଗୁଛି  ଏବଂ ଦୁର୍ଘଟଣାସ୍ଥଳରେ ୧୦୮କୁ  ଆମ୍ବୁଲାନ୍ସ ପହଂଚି ପାରୁନାହିଁ,ଗୁରତର ରୋଗୀମାନଙ୍କୁ ଏହି ସେବା କେତେ ଦୂର ଫଳପ୍ରଦ ହେବ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ଅଟେ  । ଅନେକ ସମୟରେ ଠିକ୍ ସମୟରେ ଆମ୍ବୁଲାନ୍ସ ନ ପହଂଚିବା ହେତୁ ଅନେକ ରୋଗୀ ପ୍ରାଣ ହରାଇଛନ୍ତି  । ଯଦି ଏହିପରି ଭାବରେ ସରକାର ଜନ ସାଧାରଣଙ୍କୁ  ବିଳମ୍ବିତ ୧୦୮  ଆମ୍ବୁଲାନ୍ସ ସେବା ପ୍ରଦାନ କରନ୍ତି , ହୁଏତ ଦୁର୍ଘଟଣାସ୍ଥଳରେ ଯମପୁରକୁ ଆଡ୍ଭାନ୍ସ ଟିକେଟ ମିଳିଯିବ  ।    


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜାଳ ଜଞ୍ଜାଳ

            ମାଧବାନନ୍ଦ ଭୋଇ       
   
ସମୟ ବାର  ଘଟିକା ତିରିଶ୍ ମିନିଟ୍  । କିଛି କାଗଜାତପତ୍ର କାମ   ପାଇଁ କଟକ  ବାହାରିଲା ମାନୁ । ଫୁଲ ନଖରା ଛକ  ।   କିଛି ଲୋକଙ୍କ ଗହଳି ଦେଖି ଚମକି ଗଲା ମାନୁ । କଣ   ହୋଇଥାଇପାରେ ?  ଟ୍ରାଫିକ୍ ଥାନାକୁ ଲାଗି ବରଗଛ  । ବର ଗଛ ତଳେ ଏକ ସୋଡା ଗାଡି । ଦୁଇ ତିନୋଟି କାକୁଡି ବାଲା  ।   ରାସ୍ତାରେ ପଡିଛି ଶୁଖିଲା ବାଉଁଶ କଣିିର ବିଡା ସହିତ ବାଉଁଶ କଣିର ନଗିଟେ । ପ୍ରାୟ ସତୁରୀ ବାସ୍ତରୀ ବୟସର ମାଆ କଣକ ମୁଣ୍ଡରେ  ହାତଦେଇ ଜୁଳୁ ଜୁଳୁ ହୋଇ ଚାହିଁ ରହିଥାନ୍ତି  । ସ୍କୁଟି ସହିତ ଦୁଇ ଉଦ୍ଭ୍ରାନ୍ତ ଯୁବକଙ୍କୁ  ଟ୍ରାଫିକ୍ ପୋଲିସ୍ ଜଣକ  ବିରକ୍ତ ହୋଇ ବିଡ୍ ବିଡ୍ ହୋଇ ବକୁଥାନ୍ତି । ଘଟଣା ଥିଲା ଏହି ପରି; ବୁଢୀ ମାଆ ଜଣକ ଜାଳ କରିବା ପାଇଁ ଯାଇଥିଲେ । ଭୋଡାଫୋନ୍ ଗୋଦାମ ପାଖରେ ଗଛ ଗୁଡିକ ଛୋଟିଆ ବଣ  । 

ପ୍ରାୟ ପାହାଳ ପର୍ଯ୍ୟନ୍ତ ଲମ୍ବି ଯାଇଛି । ବିଚାରୀ  ଜାଳ  ସଂଗ୍ରହ କରି ଧଇଁ ସଇଁ ହୋଇ ଫେରୁଥିଲେ ବୁଢୀ ମାଆ ଜଣକ । ଦୁଇ ଜଣକ ଯୁବକ ଏକ ସ୍କୁଟିରେ କଟକ ଯାଉଥିବା  ସମୟରେ ବୁଢୀ ମାଆ ଜଣକ ସହିତ ଦୁର୍ଘଟଣା  ଘଟିଲା ।  ପଡି ଯାଇଥିଲେ ମାଆ ଜଣକ ।  କିଛି ଖଣ୍ଡିଆ ଖାବରା ନ ହୋଇ ଥିଲେ ମଧ୍ୟ  ତାଙ୍କର ପିଠି ମାଡ ହୋଇଥିଲା ।
 କାହିଁକି କେଜାଣି ଶ୍ରଦ୍ଧାରେ ଆଉଁସି ଦେଲା ମାଆଟିର ପିଠିକୁ । ଆଃ ବୋଲି କହି  ମାଆ ଜଣକ ଏକ ଲମ୍ବା ନିଶ୍ୱାସ ମାରିଲେ । ଆକଟିବା ଆଳରେ ମାନୁ   ମାଆଟିର ମୁହଁକୁ ଚାହିଁ କହିଲା “ମାଆ, ବୟସ  ଗଡି ଗଲାଣି  । ଏ ବୟସରେ ଖରାରେ ଜାଳ ଗୋଟାଇବା ପାଇଁ ଯାଉଛ” । ବୁଢୀ ଥମ୍ ହୋଇ ଚାହିଁଲା ମାନୁକୁ  । ପରେ ପରେ  ମାଆଟି ନିଷ୍ପ୍ରଭ ଆଖିରେ ଜୁଳୁ ଜୁଳୁ ହୋଇ ଚାହିଁ ରହିଲେ ମାନୁକୁ  । ମାନୁ ପୁଣି ସେ କଥା ପଚାରି ମାଆର ପିଠିକୁ ଆଉଁସିଲା ପରେ ମଥାକୁ ଆଉଁସି ଦେଲା କେଉଁ ଏକ ମମତ୍ୱବୋଧରେ  । ସତରେ ଭଲ ପାଇବାର ସ୍ପର୍ଶରେ ପଥରରେ ବି ପ୍ରାଣ ସଂଚାର ହୋଇଯାଏ । ହା ହୁତାଶର  ସନ୍ତାପିତ ପ୍ରାଣରେ, ଟିକେ ଆଦରର ସ୍ପର୍ଶ ବାଜିଲେ ପ୍ରାଣ ଯେପରି ଗଦ୍ ଗଦିତ ହୋଇଯାଏ  । ନିଜର ନିଜର ଲାଗେ । 
              କିଛି ସମୟ ପରେ ମାନୁ ତାର ହାତଟିକୁ ମାଆର ଡାହାଣ ହାତରେ ଥୋଇଦେଲା  । ପାଣି ବୋତଲକୁ  ବଢାଇଦେଲା ପିଇବା ପାଇଁ । ଢକ୍ ଢକ୍ ହୋଇ ପିଇଗଲେ ମାଆ ଜଣକ । ମାନୁ ପୁଣି ପୁରୁଣା କଥା ଦୋହରାଇ ମାଆ ଜଣକୁ ଆକଟିଲା । ବିଚାରୀ ଟିକେ ଭାବ ପ୍ରବଣ ହୋଇଗଲା  ।  “କଣ କରିବିରେ ବାପ,  ଭତା ମୋତେ ମିଳୁଛି ବୋଲି ରକ୍ଷା ଅଛି । ନ ହେଲେ ବୋହୁ ସାଆନ୍ତାଣୀ ମୋତେ ଘରେ ରଖେଇ ଦିଅନ୍ତା ନାହିଁ  । ଜାଳ କଲି ନାହିଁ ବୋଲି  ମୋର ଗୋଡ ହାତ ଜାଳି  ରୋଷେଇ କରିଦେବା ପାଇଁ କହୁଛି  ।  ନହଲେ ଖାଇବାକୁ ଠିକ୍ ଭାବେ ଦେବ ନାହିଁ” । ଏଇମିତି ମାଆ ଜଣକ ଘର କଥା କହି  ଚାଲିଥିଲେ । ଘରେ ଦୁଇ ପୁଅ । ବାହା ହୋଇ ନାତି ନାତୁଣୀ ଦେଖିଲେଣି । ପୁଅ ଦିଟା ରାଜମିସ୍ତ୍ରୀ କାମ କରନ୍ତି । ଦିନେ କାମ କଲେ ଦି ଦିନ ବନ୍ଦ  ।  ନିତି ଆସିକା ଫର୍ଟି ମଦ ନ ହେଲେ ଚଳିବ ନାହିଁ  । ଖାଇବା ବନ୍ଦ ହେବ ପଛେ ମଦ ବନ୍ଦ ହେବ ନାହିଁ । ଘରେ ସବୁ ଦିନେ କଥା କଥାକେ ମହା ଭାରତ । ରାତିରେ  ବେଳେ ବେଳେ ଜୁଲି ଅଜଳା ରହେ । ମାଆର ଶ୍ୱାସ ହେତୁ  ରାତିରେ ନାଲି ଚା ପିଇ ଶୋଇ ଯାଏ । ଦିନେ ଜାଳକୁ ନଗଲେ କି କାମ ନକଲେ  ବୋହୁମାନେ ଗାଳି କରନ୍ତି ।
କିଛି ସମୟ ମାଆ ସହିତ କଥା ହେଉ ହେଉ ପୁଅ ବୋହୁ ଆସି ପହଂଚିଲେ  ।  ପ୍ରଥମେ ପୁଅ କଟମଟ ହୋଇ ମାଆ ଜଣକୁ ଅନାଇଲା । ଏହାପରେ ବୋହୁ ଜଣକ ମାଆଟି ଉପରେ ବର୍ଷିଗଲେ । “ତୋତେ ବାରମ୍ବାର କହୁଛି ଦିହ ଭଲ ନାହିଁ, କୁଆଡେ ଯାଆ ନାହିଁ  । ଜାଳ ପାଇଁ ଆସି ରୋଅଲ କରୁଛି । ଚାଲ୍ ଯିବା” । ମାଆଟିକୁ ବୋହୁ ଭିଡି ଭିଡି ନିଜର ଘରକୁ ନେବା ପାଇଁ ଲାଗିଲେ  । ମାଆଙ୍କୁ ଅନାଇଲି  । ମାଆଟିର ଆଖି ଛଳ ଛଳ ହୋଇ ଆସୁଥିଲା ।  “ଦେଖିଲୁ ତ ବାପ, ମଣିଷର କେତେଟା ରୂପ ? ଯାଆ ବାପା, ମୁଁ ଯାଉଛି”  । ମାଆ ଜଣକ ମାନୁକୁ  ଧିମା ସ୍ବରରେ କହି ଚାଲିଗଲେ । ଅରଗଳିକୁ ବଳି ଦେବା ପାଇଁ ନେଲା ପରି ବୋହୁ ଜଣକ ଶାଶୁଙ୍କୁ ଭିଡି ଭିଡି ନେଇ ଯାଉଥିଲା ।  ସତରେ ବୟସ ବଢିଗଲେ,ବଳ କମିଗଲେ ଆଉ ରୋଜଗାର ନଥଲେ ମଣିଷ ଅଲୋଡା ହୋଇଯାଏ । ଆଜି ଉଚ୍ଚ ବିତ ପରିବାରରେ ବାପା ମାଆଙ୍କୁ ଜରାଶ୍ରମରେ ଛାଡି ଦେଇ ଆସିବା ସମୟରେ ନିମ୍ନ ବିତ ପରିବାରରେ ଥିବା ବୁଢା ବାପା /ବୁଢୀ ମାଆ ଆକାଶକୁ ଅନାଇ ଆଖି ପାଣି ଆଖିରେ ମାରିବା ବ୍ୟତୀତ ଆଉ କିଛି ନ ଥାଏ । ନିମ୍ନବିତ ପରିବାରରେ ରୋଗରେ ସଢୁଥିବା ମଣିଷର ଔଷଧ ପାଇଁ  ଟଙ୍କା  ନଥାଏ । ଖାଇବା ପାଇଁ ଦାନା ବି  ନିଅଂଟ ହୁଏ । ଶୋଇବା ପାଇଁ ଛିଣ୍ଡା ସପ ନତୁବା ବ୍ୟବହୃତ ପଲିଥିନରେ ଶୋଇ ଶୋଇ  ଦେହ ହାତ ଶିଝି ଯାଏ  । ଏଇତ ହିିଁ ଜୀବନ  । ଛାଡ ।  ଡେରି ହୋଇଯିବ  । ବହୁତ କାମ ଅଛି  ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କଟକ ଜିଲ୍ଲା ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକା


              ରାଜ୍ୟ ସରକାର ଦୁର୍ନିତୀ ପାହାଡର ଉଚ୍ଚତା ଦିନକୁ ଦିନ ବଢି ଚାଲିଛି  ।  “ଏତେ ଖାଇ ଖାଇ ନ ପୁରେ ପେଟ, ବିରି ଓଳିଆରେ ମାଇଲା ଥଂଟ” ନ୍ୟାୟରେ, ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ/ଛାତ୍ରଙ୍କୁ ମିଳୁଥିବା ମାଗଣା ପୋଷାକରେ ଦୁର୍ନିତୀ ଗନ୍ଧ ଭଣ ଭଣ ହୋଇ ଗନ୍ଧେଇଲାଣି  ।  ଏ କଥା ଆମେ ମନ ଗଢା କରି କହୁନାହୁଁ । ଏହା ସରକାରଙ୍କ ସୂଚନା ଅଧିକାର ଆଇନ  ଦ୍ୱାରା ପ୍ରଦତ ତଥ୍ୟ କହୁଅଛି  ।ଚଂଚକତାର ସହିତ ଛାତ୍ରୀ/ଛାତ୍ରମାନଙ୍କ ପୋଷାକ କିଣାରେ  ମା ତାରେଣୀ ଇଂଟରପ୍ରାଇଜ୍  ସଂସ୍ଥା ନାମରେଗୋଟିଏ ଇନ୍ ଭଏସ୍ ୧୪୦ ନମ୍ବରରେ ତିନୋଟି ରସିଦ୍ କରାଯାଇ,୩ଟି ବିଦ୍ୟାଳୟକୁ ପୋଷାକ ବିକ୍ରି କରାଯାଇଛି । ସବୁଠାରୁ ଦୁଃଖର କଥା, ସର୍ବ ଶିକ୍ଷା ଅଭିଯାନରେ ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ର/ଛାତ୍ରୀନିମନ୍ତେ ୪୦୦ ଟଙ୍କା ମୂଲ୍ୟରେ ୨ ହଳ ପୋଷାକ,୨୦୦ ଟଙ୍କା ମୂଲ୍ୟରେ ୧ହଳ ଜୋତା ଓ ୨ ହଳ ମୋଜା ଭାବରେ ୬୦୦ ଟଙ୍କା ସ୍ଥିରୀକୃତ ହୋଇଥିବା ସ୍ଥଳେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଅତି ନିମ୍ନମାନର ପୋଷାକ ବଂଟନ କରୁଛନ୍ତି । ବଂଟନ କରାଯାଉଥିବା ପୋଷାକ ବଜାରରେ ପ୍ରାୟ୧୨୦ ଟଙ୍କା ମୂଲ୍ୟରେ ୧ ଟି ଫ୍ରକର ମୂଲ୍ୟ ୧୨୦ ଟଙ୍କା,୧ ହଳ ପ୍ୟାଂଟ୍ ସାର୍ଟର ମୂଲ୍ୟ ଟ୧୪୦.୦୦,ଏକ ହଳ ଚୁଡିଦାରର ମୂଲ୍ୟ ୧୫୦.୦୦,ଏକ ହଳ ଜୋତା ଓ ୨ ହଳ ମୋଜାର ମୂଲ୍ୟ ଟ୧୬୦.୦୦ଙ୍କା ଥିବା ବେଳେ,ବିଭାଗୀୟ ଅଧିକାରୀ ଏହାକୁ ପ୍ରତ୍ୟେକ ଟ୨୦୦.୦୦ରେ ବିକ୍ରି କରି ବାକି ଅର୍ଥ ହରିଲୁଟ୍ କରୁଛନ୍ତି ।ପ୍ରାୟ ୫,୦୦୦ ଅଧିକ ପୋଷାକ ଓ ଜୋତା ରାଶି ଜମା ଜମା ହୋଇଥିବା  ବିଦ୍ୟାଳୟ ଯୋଗାଣ ସଂସ୍ଥାକୁ ସଂସ୍ଥା ନାମରେ ଚେକ୍ ଭାବରେ ଦେୟ ପ୍ରଦାନ ବ୍ୟବସ୍ଥା ଥିବା ବେଳେ କେତେକ ବିଦ୍ୟାଳୟ ଏହି ନିୟମରେ ବ୍ୟତିକ୍ରମ ହୋଇଛି । ଯାହାଦ୍ୱାରା ଜି.ଏସ୍.ଟି  ବାବଦ ୫%  ଟିକସହାନୀ ଘଟିଛି  ।  ଯାହାଫଳରେ କଟକ ଜିଲ୍ଲାରେ ସର୍ବ ଶିକ୍ଷା ଅଭିଯାନର ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ପୋଷାକ ଯୋଗାଣ ଓପୋଷାକ ରସିଦରେ ଜାଲିଆତି ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରାଯାଇ,ଆଜି ଓଡିଶା ସୂଚନା ଅଧିକାର ଅଭିଯାନ,କଟକ ଜିଲ୍ଲା ତରଫରୁ ଜିଲ୍ଲାପାଳ,କଟକଙ୍କ କାର୍ଯୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  । ପରେ ପରେ ପୋଷାକ ଯୋଗାଣରେ ବ୍ୟାପକ ଅନିୟମିତତା,ଯୋଗାଣସଂସ୍ଥା ଓ ବିଦ୍ୟାଳୟର କତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ପୋଷାକ ଯୋଗାଣ ଓ ପୋଷାକ ରସିଦରେ ଜାଲିଆତି ଡେପୁଟି କଲେକ୍ଟର(ଜୁଡିସିଆଲ୍) ପ୍ରିୟଦର୍ଶିନୀ ଜେନାଙ୍କ ସହିତ ଆଲୋଚନା କରାଯାଇ ଉଚ୍ଚ ସ୍ତରୀୟ ଦାବୀରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁପେନ୍ଦ୍ର ସିଂ ପୁନିଆ,ଓପେପାକୁ ଦାବୀପତ୍ର ପ୍ରଦାନ କରାଯାଇଥିଲା










ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଅଭିଯୋଗ କଲେ ଗିରଫ ହେବାର ଧମକ

#କହିବାକୁ_ଲାଜ_ସରକାରୀ_ଅଫିସ୍_କାହା_ପାଇଁ #ଅଭିଯୋଗ_କଲେ_ଗିରଫ_ହେବାର_ଧମକ #କଟକ_ଜିଲ୍ଲାପାଳଙ୍କ_କାର୍ଯ୍ୟାଳୟର_ଗୋଟିଏ_ଚିଠିରେ_ଦୁଇଟି_ତାରିଖ । ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ
ଫାଇଭ୍ ଟି ଶାସନର ନମୁନା ଦେଖିବା ପାଇଁ ମିଳିଲା । ଆଜି ତା୨୨/୦୩/୨୦୨୧ରିଖ । ସମୟ ଦିନ ୧୨ ଘଟିକା ୩୦ ମିନିଟ୍ । କୃଷକମାନଙ୍କ ସାତ ଦଫା ଦାବୀକୁ ଭିତି କରି ବିକ୍ଷୋଭ ପ୍ରଦର୍ଶନ ସମାପନ ପରେ ଦାବୀ ପତ୍ର ଦେବା ପାଇଁ , ପତିତ ପାବନ କୃଷକ ସଂଘର ଆବାହକ ବସନ୍ତ ଭାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକ ବିଭାଗରେ ପହଂଚିଲେ । ଦାବୀପତ୍ରଟିକୁ ଡାକ ବିଭାଗ ରଖିବା ପରେ, ପ୍ରାପ୍ତି ସ୍ବୀକାର ଭାବରେ ଅନ୍ୟ ଏକ ଜେରକ୍ସ ଦାବୀ ପତ୍ରରେ ଜନୈକ ଅଧିକାରୀ ୨୨ ତାରିଖର ଦସ୍ତଖତ କରି ଫେରାଇ ଦେଲେ । ମାତ୍ର ଏଥିରେ କାର୍ଯ୍ୟାଳୟର ସିଲ୍ ନ ଥିଲା । ସିଲ୍ ନଥିବା ଦେଖି ବସନ୍ତ ଭାଇ ପୁନଃ ଜିଲ୍ଲା କାର୍ଯ୍ୟାଳୟର ଡାକ ବିଭାଗକୁ ଗଲେ । ସମୟ ପ୍ରାୟ ଏକ ଘଟିକା ଥିବା ସମୟରେ ଜନୈକ ଅଧିକାରୀ ଏକ ପାସ୍ ରେ ଯାଇଥିଲା । ପନ୍ଦର/କୋଡିଏ ମିନିଟ ଅପେକ୍ଷା କଲା ପରେ ଅଧିକାରୀ ଜଣକ ପୁନଃ ଦାବୀ ପତ୍ରରେ ସିଲ୍ ମାରିଲେ । ମାତ୍ର ପରିତାପର ବିଷୟ ଏହି ସିଲ୍ ରେ ୨୨ ତାରିଖ ପରିବର୍ତେ ୧୯ ତାରିଖ ଉଲ୍ଲେଖ ହୋଇଥିଲା । ବସନ୍ତ ଭାଇ ଏହାର ପ୍ରତିବାଦ କଲେ । ମାତ୍ର କଟକ ଜିଲ୍ଲାରେ ଏ ସବୁ ଚଳେ ବୋଲି ଅଧିକାରୀ ଜଣକ ସଫେଇ ଦେଲେ । ସିଲରେ ତାରିଖ ପରିବର୍ତନ କରିବା ପାଇଁ ମନା କରିଦେଲେ ଅଧିକାରୀ ଜଣକ । ମାତ୍ର ଏହା ଠିକ୍ ନୁହେଁ ବୋଲି ବସନ୍ତ ଭାଇ କହିବା ପରେ ଯୁକ୍ତି ତର୍କ ଆରମ୍ଭ ହୋଇଗଲା, ଯାହାକୁ ବସନ୍ତ ଭାଇ ଭିଡିଓ ରେକର୍ଡିଙ୍ଗ୍ ଆରମ୍ଭ କଲେ । ଏହା ପରେ ଜିଲ୍ଲା ପାଳଙ୍କ କାର୍ଯର୍ର୍୍ୟାଳୟର ଦ୍ୱିତୀୟ ମହଲାରେ ଥିବା କିଛି ଅଧିକାରୀମାନେ ଉତକ୍ଷିପ୍ତ ହୋଇ ଉଠିଲେ । ବସନ୍ତ ଭାଇଙ୍କ ହାତରୁ ଦାବୀ ପତ୍ର ଛଡାଇବାକୁ ଚେଷ୍ଟା କଲେ ପ୍ରମାଣ ପତ୍ର ନଷ୍ଟ କରିଦେବା ପାଇଁ । ଯାହା ଫଳରେ ଦାବୀ ପତ୍ର ବି ଚିରିଗଲା । ଏଥିରେ ଏହାର ପରିସମାପ୍ତି ଘଟିଲା ନାହିଁ । ଜନୈକ ଅଧିକାରୀ ଗର୍ଜି ଉଠି ଯାହା ଇଛା ଗାଳି ଦେଇଗଲେ । ଥାନାରେ କେସ୍ ଦେଇ ଗିରଫ କରିବା ପାଇଁ ଧମକ ଦେଲେ ଜନୈକ ଆଂଚଳିକ ସାମ୍ବାଦିକଙ୍କୁ ଡାକି । ବସନ୍ତ ଭାଇଙ୍କର ଉଚ୍ଚ ରକ୍ତ ଚାପ ଏବଂ ହୃଦ ରୋଗ ଥିବା ହେତୁ, ମୁଁ ଯୁକ୍ତି ତର୍କରୁ ବିରତ କରିବା ସହିତ , ସେଠାରୁ ଆସିବା ପରେ ଆମେ ବାଧ୍ୟ ହୋଇ ,ପୁନଃ ଅନ୍ୟ ଏକ ଅଭିଯୋଗ ପତ୍ର ଡାକ ଦ୍ୱାରା ଜିଲ୍ଲାପାଳଙ୍କ ନିକଟକୁ ପଠାଇଲୁ । ତେବେ ଦୁଃଖର କଟଜ ଜିଲ୍ଲା ପ୍ରଶାସନରେ କୌଣସି ପ୍ରାପ୍ତି ସ୍ବୀକାର ପାଇଁ ଦସ୍ତଖତରେ ଗୋଟିଏ ତାରିଖ ଥିବା ସମୟରେ ସିଲରେ ଅନ୍ୟ ଏକ ତାରିଖ ଉଲ୍ଲେଖ କରିବା କେତେ ଦୂର ଯୁକ୍ତି ଯୁକ୍ତ,ତାହା ବୁଦ୍ଧିଜିବୀମାନେ ବିଚାର କରିବା ଏକାନ୍ତ ଆବଶ୍ୟକ । କିନ୍ତୁ କୌଣସି ଅଧିକାରୀର ଅପିସ୍ , କାହାର ବୋପା ଅଫିସ୍ ନୁହେଁ । ଲୋକମାନଙ୍କ ଅର୍ଥରେ କାର୍ଯ୍ୟାଳୟ ଚାଲୁଛି, କିନ୍ତୁ କୌଣସି ଅଧିକାରୀଙ୍କ ପୈତୃକ ସମ୍ପତିରେ ନୁହେଁ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ,ଜିଲ୍ଲାପାଳଙ୍କ ଦର୍ଶନ ମିଳୁନାହିଁ । ଏପରିକି ସୋମବାର ଦିନ ଅଭିଯୋଗ ଶୁଣାଣୀ ଥିଲେ ମଧ୍ୟ କରୋନା ଆଳରେ , ଜିଲ୍ଲାପାଳ ଆଉ ଦର୍ଶନ ଦେଉ ନାହାନ୍ତି । ତାଙ୍କର ଡାକରେ କୌଣସି ଚିଠି ଦେଲେ, କିଛି ଦିନ ପରେ ଚିଠି ନଂ ପାଇଁ ଗଲେ, ତାହା ମିଳୁ ନାହିଁ । କଣ ନା ଜିଲ୍ଲାପାଳଙ୍କ ଚିଠି ରେଜିଷ୍ଟର ବିଭିନ୍ନ ବିଭାଗ ବୁଲୁଛି । କେତେ ବେଳେ ଡାକକୁ ଆସିବ, ଆମେ ଜାଣି ନାହୁଁ ବୋଲି କର୍ମଚାରୀ ସଫେଇ ଦେଉଛନ୍ତି । ତେବେ ବର୍ତମାନ ପରିସ୍ଥିତିରେ, ରାଜ୍ୟର କୌଣସି କାର୍ଯ୍ୟାଳୟ ଠିକ୍ ଭାବରେ ଚାଲିବା ମୋ ନଜରକୁ ଆସୁନାହିଁ । ଭକୁଆ ଜନତା ଖାଲି ଦଉଡିବା ସାର ହେବ । ଧନ୍ୟରେ ସରକାର ।




ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

ଜୀବନ ରେଖା

ଶୂନ୍ୟତା  ନଥିଲେ ଅନୁଭବରେ ମଜା କାହିଁ ? ଜୀବନରେ ଶୂନ୍ୟତା  ନଥିଲେ ବଂଚିବାରେ  ମଜା ନାହିଁ  । ତଥାପି  ବଂଚିବାକୁ ହେଲେ,ଅସଜଡା  "ଜୀବନ ରେଖା"କୁ କବିତାରେ ସଜାଡି ହେବ  । ମୋର ଏହି କବିତା ପାଠ ପୂର୍ବକ ପ୍ରଦାନ କରିବାକୁ ଅନୁରୋଧ ।
ଜୀବନ ଯୁଦ୍ଧରେ ପରାଜିତ ଆଜି
ଫେରିଯାଏ ଖାଲି ହାତେ ।
ହିସାବ ରଖିନି ଜିତିଛି ମୁଁ କେତେ,
ହାରିଛି ମୁଁ ଆଜି କେତେ ।
ନିଜେ ମୁଁ ଜଳଛି ଆଲୋକ ଦେଇଛି
ବୁଝିନି ପୁଣ୍ୟ କି ପାପ ।
ତେଲ ସରିଲାଣି, କେମିତି ମାପିବି 
ଜୀବନର ମାଟିଦୀପ । ।
ଜୀବନ ଆକାଶେ ବେଳ ରତ ରତ
ସଞ୍ଜ ଆସେ ନଇଁ ନଇଁ ।
ମଶାଣି ଭୂଇଁରେ ଜୀବନ ସଜଡା,
ମୋହ ଲାଗେ କାହା ପାଇଁ ?
ଜୀବନର ରଙ୍ଗ,କବିତାର ରେଙ୍ଗ,
ତଥାପି ଜୀବନ ଫିକା ।
ଜୀବନ ସରିଲେ,ଜୀବନ କବିତା 
ହୋଇଯାଏ ଅଧା ଲେଖା । ।



ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

କେବଳ ତୁମର

ପ୍ରତିଶ୍ରୁତି ଏବଂ ପ୍ରତାରଣା ମଧ୍ୟରେ ଜୀବନ  । ଅତୀତର ଦସ୍ତାବିଜକୁ ଘାଂଟି ଚକଟି ହୋଇ ନିଜେ ସନ୍ତୁଳି ହେବା ସହିତ ସେଥିରେ ନିଜକୁ ଖୋଜିବା ଏକ ପାଗଳାମୀ ନୁହେଁ ତ ଆଉ କଣ ? ପୁଣି ପ୍ରିୟ ପାଠିକା/ପାଠକମାନଙ୍କ ପାଇଁ ଏ କବିତା “କେବଳ ତୁମର”ପାଠ କରି ମତା ମତାମତ ଦେବା ପାଇଁ  ଅନୁରୋଧ ।
ଜହ୍ନ ଯେପରି କଇଁର,ମୁଁ ସେହିପରି  ତୁମର,
ଲହରୀ ଯେମିତି ସାଗରର,ମୁଁ ବି ସେମିତି ତୁମର । ।
ସପନ ଯେପରି ନିଦର,ମୁଁ ସେହିପରି ତୁମର,
ଫୁଲ ଯେମିତି ଭଅଁରର,ମୁଁ ବି ସେମିତି ତୁମର । ।
ସିନ୍ଦୁର ଯେମିତି ମଥାର, ମୁଁ ସେହିପରି  ତୁମର, ।
ରଙ୍ଗ ଯେମିତି ଫଗୁଣର,ମୁଁ ବି ସେମିତି ତୁମର । ।
ବରଷା ଯେପରି ଶ୍ରାବଣର, ମୁଁ ସେହିପରି  ତୁମର,
ଜଳ  ଯେମିତି ମୀନର,ମୁଁ ବି ସେମିତି ତୁମର । ।
ମନ୍ଦିର ଯେପରି ଦେବତାର, ମୁଁ ସେହିପରି  ତୁମର,
ପଥ ଯେ ପଥିକର,ମୁଁ ବି ସେମିତି ତୁମର । ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...