କରୋନା ଲକ୍ ଡାଉନ୍ ପ୍ରଭାବରେ ହନ୍ତ ସନ୍ତ ଦୃଷ୍ଟି ବାଧିତ କଂଠ ଶିଳ୍ପୀ

  କରୋନା ଲକ୍ ଡାଉନ୍ ପ୍ରଭାବରେ  ହନ୍ତ ସନ୍ତ ଦୃଷ୍ଟି ବାଧିତ  କଂଠ ଶିଳ୍ପୀ
IYA NEWS (କଂଟାପଡା)  ତା:୦୯/୦୪/୨୦୨୦ ଜୀବ ଥାଉ  ଥାଉ ଭଜ ନାମ ବ୍ରହ୍ମକୁ  । ଜିଣିବ ନିଶ୍ଚୟ କାମ କର୍ମକୁ  ।  ହାର୍ମୋନିୟମର  ମିଠା ଧୁନ୍  ସହିତ ସନ୍ଥ ବାହୁଡାଙ୍କ ରଚିତ ଏକ ଭଜନର ସ୍ବକୀୟ ସୁରେ ସୁରେ ତଲ୍ଲୀନ ହୋଇ ଯାଉଥିଲେ ଦୃଷ୍ଟି ବାଧିତ କଂଠ ଶିଳ୍ପୀ  ପ୍ରଭାସିନୀ । ଧିରେ ଧିରେ ଆତ୍ମସ୍ଥ ହୋଇଯାଉଥିଲେ ପ୍ରିୟ ପରମଙ୍କ  ପଦାରବିନ୍ଦରେ ନିଜର ଆତ୍ମ ସମର୍ପଣ ପାଇଁ  । ଆଜି  ମହାମାରୀ କରୋନାର ଲକ୍ ଡାଉନ ପ୍ରଭାବରେ  ଅଭାବ ଅନାଟନରେ କ୍ଷୁଧାର ଜ୍ୱାଳା  ତୀବ୍ର ହେଲେ  ବି, ବିଭୁଙ୍କ  ଭଜନ ଗାଇଲା ବେଳେ କିଛି ଉପଶମ ମିଳେ  ବୋଲି ଲହ ଛଳ ଛଳ କଂଠରେ ଉକ୍ତି ବାଢିଥିଲେ କଂଟାପଡା ବ୍ଲକ୍ ଝାରପଡା ଗ୍ରାମ ପଂଚାୟତ,ଚଉପଡା ଗ୍ରାମସ୍ଥ ମନ୍ଦର ଭୋଇଙ୍କ  କନ୍ୟା ପ୍ରଭାସିନୀ ଭୋଇ (୨୫ ବର୍ଷ )  । ବାଲ୍ୟ କାଳରୁ ସେ ଜଣେ ଦୃଷ୍ଟି ବାଧିତ ହୋଇ ଥିଲେ ବି, ସପ୍ତମ ଶ୍ରେଣୀ ପର୍ଯର୍୍ୟନ୍ତ ପୁରୀସ୍ଥିତଏକ ଦୃଷ୍ଟି ହୀନ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ  । ଏହାପରେ  ପ୍ରଭାସିନୀ ଗାଁକୁ ଫେରିବା ପରେ ନିଜକୁ ସାମିଲ କରିଦେଲେ ବାପାଙ୍କ ଧୁଡୁକି ନାଚରେ  ।  ପରିବାର ପ୍ରତିପୋଷଣ ପାଇଁ ଗାଁ ଗାଁ ବୁଲି କେତେବେଳେ ବାପାଙ୍କ ସହିତ ଧୁଡିକି ନାଚରେ ଗୀତ ଗାଇଲେ ତ କେତେବେଳେ ଘୋଡା ନାଚରେ ଗୀତ ଗାଉଥିଲେ  ।  ଧିରେ ଧିରେ  ଗ୍ରାମାଂଚଳରୁ ପାରମ୍ପରିକ କଳା କମିଗଲା ପରେ, ପ୍ରଭାସିନୀ ଗାଁ ଗାଁ ବୁଲି ଭଜନ କାର୍ଯ୍ୟକ୍ରମ କଲେ  ।  ହାର୍ମୋନିୟମ ଧୁନ ସହିତ ତାଙ୍କର ସୁଲଳିତ କଂଠରେ ପରିବେଷଣ କରୁଥିଲେ ପଂଚସଖା, ସନ୍ଥ ବାହୁଡା, ସନ୍ଥ ଭୀମ ଭୋଇ,ସନ୍ଥ ଅଭିରାମ ଏବଂ ସନ୍ଥ ମଧୁ ଦାସ ପ୍ରମୁଖଙ୍କର ଶରୀର ତତ୍ୱ ତଥା ଭାବ ତତ୍ୱ ଭଜନକୁ । ହେଲେ ଗ୍ରାମାଂଚଳରେ ଏକ କାର୍ଯ୍ୟକ୍ରମ କଲେ ତାଙ୍କୁ ମିଳେ ଚାରି ଶହରୁ ପାଂଚ ଶହ ଟଙ୍କା ମାତ୍ର । ପ୍ରଭାସିନୀଙ୍କର ବାପା ଜଣେ ଆଂଶିକ ପକ୍ଷାଘାତ ରୋଗୀ ହେଲେ ବି ,ପରିବାରର ପାଂଚ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ୱ ପ୍ରଭାସିନୀଙ୍କ ମୁଣ୍ଡ ଉପରେ ନ୍ୟସ୍ତ ଥାଏ  । ପ୍ରଭାସିନୀଙ୍କ ଏହି ଦଳିତ ପରିବାରକୁ ମୁଣ୍ଡ ପିଛା ପାଂଚ କି.ଗ୍ରା. ଚାଉଳ ଏବଂ ଭତା ବ୍ୟତୀତ ଆଉ କିଛି ମିଳେ ନାହିଁ  । ତେବେ, ଲକ୍ ଡାଉନ୍ ପାଇଁ  ସରକାରଙ୍କ ତରଫରୁ ଝାରପଡା ଗ୍ରାମ ପଂଚାୟତରେ   ଖାଦ୍ୟ ବିତରଣ କେନ୍ଦ୍ରରେ ଅସହାୟମାନଙ୍କୁ  ଦୁଇ ବେଳା ଖାଦ୍ୟ ବିତରଣ ବ୍ୟବସ୍ଥା ଥିଲେ ମଧ୍ୟ, ଏପରି ପରିବାରକୁ  ରନ୍ଧନ ଖାଦ୍ୟ ନ ମିଳିବା ଅତ୍ୟନ୍ତ ପରିତାପର ବିଷୟ ଅଟେ  । ଏତଦ୍ ବ୍ୟତୀତ ଏଠାରେ ଅନେକ ଦିବ୍ୟାଙ୍ଗ ପରିବାର  ଥିଲେ  ମଧ୍ୟ, ଲକ୍ ଡାଉନ୍   ସମୟରେ ଦୈନନ୍ଦିନ  ପରିବାର ପ୍ରତିପୋଷଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।  ପରିଶେଷରେ ଲକ୍ ଡାଉନ୍ ପାଇଁ  ପ୍ରଭାସିନୀ କାର୍ଯ୍ୟକ୍ରମ କରି ନ ପାରୁଥିବାରୁ, ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ଚଳାଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି  ।  ଯଦି  ପ୍ରଶାସନ ସରକାରୀ ସହାୟତା ସହିତ ଏକ କଳାକାର ଭତା  ପ୍ରଦାନ କରିପାରନ୍ତେ, ତେବେ ତାଙ୍କ ଜୀବନରେ ଟିକେ ଖୁସି ଆସି ପାରନ୍ତା ବୋଲି, ପ୍ରଭାସିନୀ ଆମର  ଭାରତୀୟ ଯୁବ ସଂଗଠନର ସମ୍ବାଦ ଦାତାଙ୍କ ସମ୍ମୁଖରେ ପରିପ୍ରକାଶ କରିଛନ୍ତି  ।


ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........