ବୋଉଲୋ ବୋଉ

କିଛି ସ୍ମୃତି ଅନୁଭୂତି: ମୋର ଜନ୍ମ ଦିନ ଇଂରାଜୀ ମାସ ଚାରି ତାରିଖ ଥିଲା ବେଳେ, ହେଲେ ବୋଉ ମୋର  ପାରମ୍ପାରିକ ନୀତି ଧରି ଅଦ୍ୟାବଧି ନକ୍ଷତ୍ର ଅନୁସାରେ ମୋର ଜନ୍ମ ଦିନ ଠିକ୍ କରିଦିଏ  । ସତରେ ବୋଉ ପାଇଁ ମୁଁ ଭାଗ୍ୟବାନ, ଆଜି ପର୍ଯ୍ୟନ୍ତ ମୋର ଦୁଇଟି ଜନ୍ମ ଦିନ  । ଆପଣଙ୍କ ଆଶୀଷ କାମନା କରି ବୋଉ ଉଦ୍ଦେଶ୍ୟରେ ମୋର କବିତା “ବୋଉଲୋ ବୋଉ”  ଏବଂ ଆପଣମାନଙ୍କୁ ମଧ୍ୟ ଶ୍ରଦ୍ଧାର ସହ । 

ବୋଉଲୋ ବୋଉ,

ତୋ ଛାତିରେ, ଟିକେ ମୁଣ୍ଡ ଗୁଂଜି ଦେଲେ,
ମୋ ଛାତି ଦରଜ ସରି ଯାଏ ସିନା,
ହୃଦୟରେ ତୁହି, ଝରାଉ ମହୁ ;
ବୋଉଲୋ ବୋଉ । ।

ଜୀବନରେ ଯେତେ ଝଡ ଆସିଛି,
ମୋ ଆଖିରୁ ଲୁହ ଦେଇଛୁ ପୋଛି ।                              
ପଥର ହୋଇଛି ପତର ପରି,
ବାନ୍ଧିଛୁ ମୋ ସାଥେ ସଂସାର ଡୋରୀ ।
ମୁହିଁ ନରାଧମ, ବୁଝିବି କାହୁଁ?
ବୋଉଲୋ ବୋଉ । ।

ଆପଦେ ବିପଦେ ତୋ ହାତ ଧରି,
ବାହି ଚାଲିଛି ମୋ ସଂସାର ତରୀ ।
ଜୀବନ ଡଙ୍ଗାରେ ତୋ ମୋ ନାଉରୀ,
ପାରି କରିଦେବୁ ଏ ଭବ ତରୀ । ।
ତୋ ଆଶୀଷ ଛଡା, ନାହିଁ ତ ଆଉ ?
ବୋଉଲୋ ବୋଉ । ।

ଆସିଛି ଏକା ମୁଁ , ଯିବି ମୁଁ ଏକା,
ଆର ଜନମକୁ ହେବଲୋ ଦେଖା । ।
ବିଭୁ ପଦେ ମୋର ଏତିକି ଅଳି,
ଜୀବନଟା ଯେବେ ଯିବ ଲୋ ସରି । ।
ମୋ ତନ ମନ ଧନ, ତୋ ପଦେ ଥାଉ,
ବୋଉଲୋ ବୋଉ । ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........