କରୋନାରେ ଅର୍ଥ ସଂକଟ, ଚିନ୍ତାରେ ଜୀବନ ହାରିଲେ ଚାଷୀ

କରୋନାରେ ଅର୍ଥ ସଂକଟ, ଚିନ୍ତାରେ ଜୀବନ ହାରିଲେ ଚାଷୀ
IYA NEWS(କଂଟାପଡା) ତା୨୯/୦୭/୨୦ରିଖ ଜମିରେ ପାଣି ନାହିଁ । ରୁଆ ହେବ କେମିତି  । ରୁଆଳିମାନେ ବି ମାଗଣାରେ କାମ କରିବେ ନାହିଁ  । ପଇସା ଆସିବ କେଉଁଠୁ  ।  ୟେ କରୋନା ଆସିଲା ନି ତ, ମୋ ଜୀବନକୁ ପୁରା କୋରି ଦେଲା  । ମୋ ପିଲା ଛୁଆ ବଂଚିବେ କେମିତି  ।  ଏ ଜୀବନ ରଖି ଲାଭ କଣ ? ଏମତି ବାଉଳି ହୋଇ ଗପି ଚାଲିଥିଲେ  ଗତ ମଙ୍ଗଳବାର ଦିନ ସକାଳେ କଂଟାପଡା ବ୍ଲକ୍ ଅଧିନସ୍ଥ ବଡ ପାଟସୁନ୍ଦରପୁର ଗ୍ରାମ ପଂଚାୟତ ଭୋଦଳ ଗ୍ରାମର ଉମାକାନ୍ତ ବେହେରା (୫୧ ବର୍ଷ) ।  ହେଲେ କିଏ ଜାଣି ଥିଲା  ସତକୁ ସତ ଚାଷ ପାଇଁ ରଖିଥିବା ଘାସ ମରାକୁ ନିଜେ ପିଇଦେବେ ବୋଲି  । ଏହା ପରେ ପ୍ରାୟ ଦିନ ଗୋଟାଏ ବେଳକୁ ତାଙ୍କୁ ବାଇକରେ ନେଇ ଯାଇଥିଲେ ସ୍ଥାନୀୟ ଡାକ୍ତରଖାନାକୁ  ।  କିନ୍ତୁ ଶ୍ରୀବେହରାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ  ବଡ ମେଡିକାଲ୍ ସ୍ଥାନାନ୍ତରଣ କରାଯାଇଥିଲା  । ହେଲେ ଦୁର୍ଭାଗ୍ୟବଶତଃ ଆଜି ସକାଳ ଦଶଟା ସମୟରେ ଶ୍ରୀ ବେହେରାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ।ଅନୂସୁଚିତ ବର୍ଗର ଉମାକାନ୍ତ ବେହେରାଙ୍କ ସସ୍ତ୍ରୀକ ସହିତ ପୁଅ ଲକ୍ଷ୍ମୀଧର (୧୫ ବର୍ଷ)ଏବଂ ଝିଅ ରୋଜାଲିନ୍(୧୭ ବର୍ଷ)ଙ୍କୁ ନେଇ ସଂସାର  । ପୁଅ ଏ ବର୍ଷ ମାଟ୍ରିକ୍ ପାସ୍ କରିଥିବା ବେଳେ ଝିଅ ରୋଜାଲିନ୍ ମଧ୍ୟ ଏ ବର୍ଷ  +୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି  । ନିଜର କୌଳିକ ବୃତି ଭାବରେ  ଅନ୍ୟ ଗଛରୁ ନଡିଆ ପାରିବା, ତାଳ ପତ୍ରରୁ ବିଭିନ୍ନ ଗୃହୋପକରଣ କରି ବିକ୍ରି କରିବା ସହିତ  ଚାଷ କରିଥାନ୍ତି  ।  ମାତ୍ର ପରିତାପର ବିଷୟ ମହାମାରୀ କରୋନା ହେତୁ ଲକ ଡାଉନ୍ ପାଇଁ ନିଜର କୌଳିକ ବୃତି ବନ୍ଦ ହେବା ସହିତ ହାତ  ବାନ୍ଧି ବସିଥିବା ବେଳେ  ପିଲାମାନଙ୍କର ପାଠ ପଢା ଖର୍ଚ୍ଚ , ଘର ଚଳାଇବା ଏବଂ ଚାଷ ପାଇଁ ଅର୍ଥର ଆବଶ୍ୟକତା ହେତୁ  ଚିନ୍ତାଶୀଳ ହୋଇ ପଡୁଥିଲେ  ଉମାକାନ୍ତ  । ଏତଦ୍ ବ୍ୟତୀତ  ଜମିର ପୂର୍ବ ପାଶ୍ୱର୍ରେ କେନାଲ ବନ୍ଧ ଥଲେ ମଧ୍ୟ ଅନେକ ବର୍ଷ ହେଲା କେନାଲ ସହିତ କାଡା କେନାଲ ବନ୍ଦ ହୋଇ ଯାଇଥିବାରୁ  ଜମିରେ ମଧ୍ୟ ପାଣି ମାଡି ପାରୁ ନଥିଲା ଉମାକାନ୍ତଙ୍କର  । ଘର ଚଳାଇବା  ଏବଂ  ଚାଷ କରିବା ପାଇଁ ଅର୍ଥ ନ ଥିବାରୁ ତାଙ୍କର ହାଲ୍ ବେହାଲ ହୋଇଯାଇଥିଲା  ।  ୟା ପାଖରେ, ତା ପାଖରେ ଟଙ୍କା ପାଇଁ ହାତ ପତାଉ ଥିଲେ ମଧ୍ୟ ଅତ୍ୟନ୍ତ ନିରାଶ ପଡିଥିଲେ ଉମାକାନ୍ତ  ।  ତେବେ ବିଗତ କିଛି ବର୍ଷ ପୂର୍ବେ ସ୍ଥାନୀୟ କୋପରେଟିଭ୍ ସୋସାଇଟରୁ ପ୍ରାୟ ଆଠ ହଜାର ଟଙ୍କା ଋଣ କରିଥିଲେ  ।  ଏପରି କି ଜଣେ କ୍ଷୁଦ୍ର ଚାଷୀ ଭାବରେ ରାଜ୍ୟ ସରକାରଙ୍କ  କାଳିଆ ଯୋଜନାରୁ ଦୁଇଟି କିସ୍ତି ଭାବରେ ଦଶ ହଜାର ଟଙ୍କା ଏବଂ ପି.ଏମ୍. କିସାନ ଯୋଜନା ମାଧ୍ୟମରେ ପାଂଚୋଟି କିସ୍ତି ବାବଦରେ ଦଶ ହଜାର ଟଙ୍କା ପାଇଥିଲେ ।   ପରିତାପର ବିଷୟ ବିଭିନ୍ନ ସମସ୍ୟା ସହିତ  ଜଡିତ ହୋଇପଡିଥିବା ଜୀବନ ଯୁଦ୍ଧରେ ଲଢେଇ ନ କରି ପାରି ଅବଶ ହୋଇ ପଡିଥିଲେ ଉମାକାନ୍ତ  ।ଶେଷରେ  ଆତ୍ମ ହତ୍ୟାର  ବାଟ ବାଛି ନେଇଥିଲେ ଉମାକାନ୍ତ ।  ଆଜି ଶ୍ରୀ ବେହେରାଙ୍କ ଶବ ବଡ ମେଡିକାଲରେ ପି.ଏସ୍.ୟୁ.ଡି କେସ୍ ନଂ ୧୨୬୬/୨୦୨୦ ହେବା ସହିତ  ଶବ ବ୍ୟବଛେଦ  କରା ଯାଇଛି  । ଆଜି ସନ୍ଧ୍ୟା ସୁଦ୍ଧା ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବା ସହିତ ଶ୍ରୀ ବେହେରା ପରିବାରର ଏକମାତ୍ର  ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାରଟି ସଂପୂର୍ଣ୍ଣ ବେସାହାର ହୋଇଯାଇଛି କହିଲେ ଅତୁ୍ୟକ୍ତ ହେବ ନାହିଁ  । ଏହି ପରିବାରକୁ ଯଥା ସମ୍ଭବ ସାହାଯ୍ୟ ସହାନୁଭୂତି ଯୋଗାଇଦେବା ପାଇଁ ବୁଦ୍ଧିଜିବୀମାନେ ମତ ବ୍ୟକ୍ତ କରିଛନ୍ତି ।

ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...

No comments:

Post a Comment

ହୃଦୟର ଶରଧା ସହିତ...........