ତୁମେ କି ଜାଣନା, ହେ ଗୁରୁ ଅନ୍ତର୍ଯ୍ୟାମୀ
ପ୍ରିୟତମ ! ତୁମର କଥା ଲେଖିବା ପାଇଁ ମନରେ ଅନେକ ଥର ଭାବିଛି । ହେଲେ ଅନେକ ବର୍ଷ, ଅନେକ ମାସ ବିତି ଯାଇଛି ସତ । ମୁଁ ଆଜି ପର୍ଯ୍ୟନ୍ତ ଲେଖି ପାରିନି କାହିଁ କି ପ୍ରିୟ, ମୁଁ ଜାଣେନା । ଏ ଦୀନ ଭିକାରୀ ତୁମ ନିକଟକୁ ଗୁହାରୀ କରିବା ପାଇଁ ଯାଇଛି ସତ! ପର ମୂହୂର୍ତରେ ତୁମ ଆଖିରେ ଆଖି ମିଶିଗଲା ପରେ ସବୁ କିଛି ଭୁଲି ଯାଇଛି । ଲୁହ ଭର୍ତି ଆଖିରେ ତୁମକୁ ଦେଖୁ ଦେଖୁ, କେବେ କେବେ ଭାବ ପ୍ରବଣରେ ଭୋ ଭୋ ହୋଇ କାନ୍ଦିଛି । କେବେ କେବେ ସମୟ ସରିଗଲା ବୋଲି, ପଛରେ ତୁମକୁ ଚାହିଁ ଚାହିଁ, ଲୋତକାପ୍ଲୁତ ନେତ୍ରରେ, କମନୀୟ ମନ୍ଦିରର କାନ୍ଥକୁ ଆଉଜି, କିଛି ମୁଁ ମାଗି ପାରିଲିନି ବୋଲି ଦୀର୍ଘ ଶ୍ୱାସ ଛାଡିଛି । କଣ ବା ମାଗିବି ଯେ, ବୟସ ଅୟମାରମ୍ଭରେ ବୋଉ ମୋର କୁନି ହାତ ଧରି ଯେବେ ତୁମକୁ ଡାକିବା କଥା କୁହେ, ଡାକି ସାରିଲା ପରେ, ସେ କଣ କୁହେ ତମେ ଜାଣିଛ । ଭଲ ବୁଦ୍ଧି ଦିଅ, ଭଲ ପାଠ ଦିଅ ଆଉ ସଂସାରର ଦୁଃଖ ଦୂର କରିଦିଅ । ଆଜି ବି ତୁମ ପାଖକୁ ଗଲେ, ସେଇ କଥା କାହିଁକି ଆପେ ଆପେ ବାହାରି ଯାଏ, ମୁଁ ବି ଜାଣିନି । ହେଲେ ମନ କଥା କହିବା ପାଇଁ, ଅନ୍ତର୍ଯ୍ୟାମୀଙ୍କ ନିକଟରେ ସତରେ କଣ କହିବାକୁ ପଡେ ? ହେ ପ୍ରିୟତମ,ମୁଁ ଆଜି ଯାଏ ଜାଣିନି । କାରଣ ମୁଁ ତୁମକୁ ବହୁତ ଭଲ ପାଏ । ଜୀବନର ପ୍ରତିଟି ସକାଳ କାହିଁକି ତୁମ ପାଇଁ ଏ ପ୍ରାଣ ସ୍ପନ୍ଦିତ ହୁଏ, କାହିଁକି ଏ ହୃଦୟ ଗଦ୍ ଗଦିତ ହୁଏ ? କାହାର ବିରହରେ ଏ ମନ ଆନମନା ହୁଏ,ତୁମେ ତ ଜାଣିଛ । ଆଜି ବି ଏ କଥା ଲେଖିଲା ବେଳେ, ମୋର ପ୍ରତଟିି ଅଶ୍ରୁ ଟୋପା ଅର୍ଘ୍ୟ ପରି ତୁମରି ପଦାବ୍ଚରେ ସମ୍ମିଳୀତ ହୋଇ ପରମ ସୁଖ ପ୍ରାପ୍ତ ହେବ, ସେଇ ପରିକଳ୍ପନାରେ ଲେଖାର ପ୍ରତିଟି ଅକ୍ଷର ତୁମ ପାଇଁ ହେଉ ।
କେଉଁ ବର୍ଷ, କେଉଁ ମାସ ମୁଁ ଜାଣିନାହିଁ । ହେଲେ ସେଇ ବର୍ଷ ତୁମର ଯାତ୍ରା
ଚାଲିଥାଏ । ସଂଘ ପରିବାର ତରଫରୁ ରଥ କାର୍ଯ୍ୟ ପାଇଁ ବିଜୟ ଭାଇ ସୂଚନା ଦେଲେ । ଆମେ କଂଟାପଡା ବ୍ଲକ୍ ତରଫରୁ ଚାରି ପାଂଚ ଜଣ ଗଲୁ । ପଠାଣି ଭାଇ ମଧ୍ୟ ଯାଇଥାନ୍ତି । ରଥ ଯାତ୍ରା ପୂର୍ବରୁ ଆମକୁ ପୁରୀସ୍ଥିତ ଏକ ସରସ୍ବତୀ ଶିଶୁ ମନ୍ଦିରରେ ରହିବା ପାଇଁ ପଡିଲା । ପ୍ରଥମ ଦିନ ବୈଠକରେ କଟକ ଜିଲ୍ଲା ଭାଇମାନଙ୍କୁ ନନ୍ଦିଘୋଷ ରଥର ଦାୟିତ୍ୱ ନେବା ପାଇଁ ସ୍ଥିରୀକୃତ ହେଲା । ରାତି ପାହିଲେ ରଥ ଯାତ୍ରା । ସକାଳ ହେଲା ପରେ, ଆମର ମାନସ ଭାଇଙ୍କ ଦ୍ୱାରା ମକ୍ ଡ୍ରିଲ୍ ଆରମ୍ଭ ହେଲା । ୟୁନିଫର୍ମ ଚେକିଂ ହେଲା । ଆମର ୟୁନିଫର୍ମ ବାବଦରେ ଧଳା ଫୁଲ୍ ସାର୍ଟ, ମାଟିଆ ହାଫ୍ ପ୍ୟାଂଟ୍, ବେଲ୍ଟ, କଳା ଟୋପି ଏବଂ ଡୋରି ବାଲା ଜୋତା ଥିଲା । ମାତ୍ର ମୋର ଡୋରି ବାଲା ଜୋତା ନ ଥିବାରୁ ରଥ କାର୍ଯ୍ୟରୁ ବାଦ୍ ପଡିଲି । ଯାହା ମୋତେ ଅତ୍ୟନ୍ତ ଦୁଃଖ ଦେଇଥିଲା । ଏମିତି କି ମୁଁ ପ୍ରାତଃ ଜଳଖିଆ ମଧ୍ୟ ଖାଇଲି ନାହିଁ । ଭାବିଲି ଭାଇମାନେ ରଥ କାର୍ଯ୍ୟ ପାଇଁ ବାହାରିଗଲା ପରେ ଚୁପ୍ ଚାପ୍ ଘରକୁ ଚାଲିଯିବି । ଯେଉଁ କାର୍ଯ୍ୟ ପାଇଁ ଆସିଥିଲି, ତାହା ତ କରି ପାରିଲି ନାହିଁ, ହୁଏତ ଲୁଚି କରି ଚାଲିଯିବା ହିଁ ଶ୍ରେୟସ୍କର ଭାବି, ଶିଶୁ ମନ୍ଦିରର ଦ୍ୱିତୀୟ ମହଲାର ଏକ କୋଠରୀରେ କାନ୍ଦିବାକୁ ଲାଗିଲି । ପ୍ରାୟ ଅଧ ଘଂଟା ପରେ କାହାର ଆବାଜରେ ମୁଁ ପ୍ରକୃତିସ୍ଥ ହୋଇ ପଡିଲି । ସ୍ବରଟି ଗମ୍ଭୀର ଏବଂ ଅଚିହ୍ନା ହେଲେ ବି ଆପଣାର ଲାଗୁଥିଲା । ଆରେ ମାଧ ଭାଇ, ନନ୍ଦିଘୋଷ ରଥ କାମ ନ ହେଲେ ନାଇଁ, ତୁମେ ସୁଭଦ୍ରା ରଥ ପାଇଁ ରହିବ । ତଳକୁ ଆସ, ମନ ଦୁଃଖ କର ନାହିଁ । ମୁଁ ଲୋତକାପ୍ଲୁତ ନେତ୍ରରେ, ଲୁଚି ଲୁଚି ଲୁହ ପୋଛି, ପଛକୁ ଲକ୍ଷ କରେ ତ, ମୋ ପଛରେ କେହି ନ ଥିଲେ । ବରଂ କିଛି କ୍ଷଣ ମଧ୍ୟରେ ଆଗନ୍ତୁୁକ ଜଣଙ୍କ ମୋତେ ଏ କଥା କହି, ଅପ୍ରକଟ ହୋଇଯିବା ମୋତେ କାହିଁକି କେମିତି କେମିତି ଲାଗିଲା । ସତରେ ଏ କଣ ତାର କିମିଆଁ କି ? ତଳେ ଆମର ପ୍ୟାରେଡ୍ ଚାଲିଥାଏ । ସଂଗେ ୟୁନିଫର୍ମ ପିନ୍ଧି, ନିର୍ଦ୍ଦେଶାନୁଯାୟୀ ରଥ କାର୍ଯ୍ୟରେ ଯୋଗ ଦେଲି । ଏହା ପରେ ଏହାର ଅବଣ୍ଣନୀୟ ଅନୁଭୂତି କାଗଜ କଲମରେ ଲେଖିବା ପାଇଁ ମୁଁ ଅସମର୍ଥ । ଦୀପର ଶିଖା ଉଦ୍ଧ୍ୱର୍ ଗତି ହୋଇ ଯେପରି ସକଳ ଶକ୍ତିର ଆଧାର ସୂର୍ଯ୍ୟାଭିମୂଖୀ ହୋଇଥାଏ,ସେହିପରି ଆତ୍ମାର ଗତି ଉଦ୍ଧ୍ୱର୍ରେତା ହୋଇ ପରମାତ୍ମାଙ୍କ ସହିତ ମିଶିବା ପାଇଁ ପରମାଭିମୁଖୀ ହୋଇଥାଏ । ଫଳତଃ ଜୀବାତ୍ମାକୁ ଆତ୍ମାନନ୍ଦ ମିଳିଥାଏ । ଯାହାର ଅନୁଭବ ଅବ୍ୟକ୍ତ ଏବଂ ଅନୁପମ ଅଟେ ।
ପ୍ରିୟତମ ! ଏମିତି ଅନେକ ଘଟଣା ଘଟିଥିଲେ ମଧ୍ୟ ଏଇ ବି ଅନ୍ୟ ଏକ ଘଟଣା ।ବର୍ଷକ ପୂର୍ବେ ଛବିରାଣୀର କାହାଣୀ ଲେଖିବା ସମୟରେ ରାମ ବଳରାମ ମଠ ସଂପର୍କରେ ଜାଣିବା ପାଇଁ ଆବଶ୍ୟକ ହେଲା । କାରଣ ମୋ କାହାଣୀର ନାୟିକା ଛବିରାଣୀର ଜନ୍ମ ସ୍ଥାନ ରାମ ବଳରାମ ମଠ ହିଁ ଥିଲା । ସେଠାରୁ କିଛି ତଥ୍ୟ ମିଳିବା ଆଶାରେ ପୁରୀ ଚାଲିଲି । ଅରୁଣ ସ୍ତମ୍ଭ ଠାରେ ପ୍ରଣାମ କରି, ରାମ ବଳରାମ ମଠ ଖୋଜିବା ପାଇଁ ଲାଗିଲି । ସମୟ ବାର ଘଟିକା ହେବ । ବହୁତ ଖରା ହେଉଥାଏ । ମଟର ସାଇକେଲ ବି ନେଇ ନଥିଲି । ପ୍ରାୟ ଦୁଇ ଘଂଟା ମଧ୍ୟରେ ସାତ ଆଠ କିଲୋମିଟର ଚାଲିବା ପରେ କୌଣସି ଲାଭ ହେଲା ନାହିଁ । ବହୁତ ଲୋକମାନଙ୍କୁ ପଚରା ଉଚରା କଲି ।ମାତ୍ର ଆଜିର ପୁରୀ ଗସ୍ତ ସଂପୂର୍ଣ୍ଣ ବିଫଳ ହେବ ବୋଲି ଭାବିନେଲି । ଦୀର୍ଘ ବର୍ଷ ପୂର୍ବେ ଛବିରାଣୀ ରାମ ବଳରାମ ମଠରେ ଜନ୍ମ ହେବା ପରେ ପରେ, ଏହି ସ୍ଥାନରେ ଜଗତସିଂହପୁରସ୍ଥ ବାରେଡିଆ ଗ୍ରାମର ନବ କିଶୋର ମହାପାତ୍ର ସଂସ୍କୃତ ପଢିବା ପାଇଁ ଆସି, ଏଠାରେ ଭଡା ଘରେ ରହି ଛବିରାଣୀର ପ୍ରେମରେ ପଡିବା ବିଷୟକୁ ନେଇ, ପଚାଶ ବର୍ଷର ଘଟଣାକୁ ଛାନ୍ ଭିନ୍ କରିବା ନିହାତି ମୋ ପାଇଁ ଏକ ପାଗଳାମୀର ବିଷୟ ଥିଲା । ପରିଶେଷରେ ଥକା ହୋଇ, ଗୋଟେ ଆଇସିକ୍ରିମଟେ ପାଟିରେ ପୁରାଉ ପୁରାଊ, ସବୁ ତୋରି ଇଛା, ସତରେ କଣ ତୋ ଦୂଆରକୁ ଆସି ଖାଲି ହାତରେ ଫେରିଯିବି ବୋଲି ଦୀର୍ଘ ଶ୍ୱାସଟେ ବାହାରି ଆସିଲା । ଆଖିରେ ବି ଲୁହ ଆସିଗଲା ।
ଜନୈକ ଦୋକାନର କାନ୍ଥକୁ ଆଉଜି ଆଇସିକ୍ରିମ୍ ଖାଉ ଖାଉ, ସମ୍ମୁଖରେଏକ ସରକାରୀ ଭାଙ୍ଗ ଦୋକାନ ଉପରେ ନଜର ପଡିଲା । ମୋର ପ୍ରାୟତଃ ପୂର୍ବରୁ ପୁରୀ ଭାଙ୍ଗ ପ୍ରତି ଦୁର୍ବଳତା ଥିଲା । ମାତ୍ର ସେଠାରେ ଶହେ ଗ୍ରାମ ପ୍ରତି ପଚାଶ ଟଙ୍କାରେ ଭାଂଗ କିଣିବା ପରେ ଆଉ ଏକ ଟେନସନ୍ ଥିଲା । ଘରେ ନେଇ ତାକୁ ଗୁଣ୍ଡ କରିବା ଅର୍ଥ ଧରା ପଡିବା ନିଶ୍ଚିତ ସହିତ ଶ୍ରୀମତୀଙ୍କ ଗାଳିକୁ ହଜମ କରିବା ସମ୍ଭବ ନୁହେଁ ଭାବି ଦୋକାନୀକୁ ଫେରାଇ ଦେଲି । ମାତ୍ର ସଂଯୋଗ ବଶତଃ ସେଠାରେ ଏକ ଚମକ୍ରାର ଘଟିଲା । ଶୁଭ୍ର ସାର୍ଟ/ପ୍ୟାଂଟ୍ ପରିହିତ ଜନୈକ ଭଦ୍ର ଲୋକଙ୍କ ପ୍ରଶ୍ନ ବାଣରେ ହଡ ବଡେଇ ଗଲି ।
- ଆପଣ ସାମ୍ବାଦିକ ବୋଧହୁଏ ?
- ହଁ, କାହିଁକି କଣ ହେଲା ?
- କାହାକୁ ଖୋଜିଲା ପରି ଲାଗୁଛ ।
- ହଁ ଭାଇ, ମୁଁ ଏକ କାମରେ ପୁରୀ ଆସିଛି ?
- ମାନେ ?
- ଭାଇ ଟିକେ ମୋତେ ସାହାଯ୍ୟ କରିବ । ରାମ ବଳରାମ ମଠ କେଉଁଠି ?
- ସେଠାରେ କାମ କଣ ଯେ ?
- ହଁ ଭାଇ. ଆପଣ ଜାଣିଥିବେ,ଦୀର୍ଘ ପଚାଶ ପୂର୍ବେ ଅବିଭକ୍ତ କଟକ ଜିଲ୍ଲାର ବିଲୁଆ ଖାଇ ନଇ ପଠାରେ ଜନୈକ ସାମ୍ବାଦିକର ସ୍ତ୍ରୀ ଛବିରାଣୀଙ୍କୁ ଗଣ ଦୁଷ୍କର୍ମ କରାଯାଇ, ମାରିଦିଆ ଯାଇଥିଲା । ଏହାପରେ ସେଠାରୁ ଉକ୍ତ ସାମ୍ବାଦିକ ତାଙ୍କର ଆଠ ମାସର ଶିଶୁ ପୁତ୍ରଙ୍କୁ ଧରି ପ୍ରାଣ ବିକଳରେ ପଳାଇ ଯାଇଥିଲେ । ସେଇ ଛବିରାଣୀର ଜନ୍ମ ସେ ମଠରେ । ଆପଣ ଜାଣିଛନ୍ତି କି?
- ହଁ, ଆପଣ ଗୋଟେ କାମ କରନ୍ତୁ । କାମାକ୍ଷା ମନ୍ଦିର ସହିତ ଗୌଡିୟ ମଠର ରାସ୍ତା ସ୍ବର୍ଗ ଦ୍ୱାରରେ ବାହାରିଛି । ଆପଣ ସେଇ ରାସ୍ତାରେ ପାଇଯିବେ ।
ଏହାପରେ ମୁଁ ଉକ୍ତ ଆଗନ୍ତୁକଙ୍କ ମୁଖ ମଣ୍ଡଳ ଅବଲୋକନ କଲି । ତାଙ୍କ ଓଠରେ ଏକ ରହସ୍ୟମୟ ହସ ସହିତ ଦିପ୍ତୀମୟ ମୁଖରେ ଏକ ନିର୍ଲିପ୍ତତା ଭାବ ବାରି ହୋଇପଡୁଥିଲା । ଧିରେ ଧିରେ ଭାଙ୍ଗ କିଣିବା ପାଇଁ ଅନ୍ୟ ବ୍ୟକ୍ତିମାନେ ଆସିଲେ । ପରିଶେଷରେ ତାଙ୍କୁ ପ୍ରଣାମ କରି, ମୋ କାମରେ ଆଗେଇଗଲି । ସବୁ କିଛି ଠିକ୍ ଠାକ୍ ହୋଇଗଲା । ସତରେ ଜୀବନରେ ଅନେକ ରହସ୍ୟମୟ ଘଟଣା ଘଟେ । କିନ୍ତୁ ଘଟଣାର ପ୍ରଛଦପଟ୍ଟ ଚରିତ୍ର ଭାବରେ ଏକ ଅଦୃଶ୍ୟ ଶକ୍ତିର ହାତ ରହିଛି, ତାହା କେବେ ଅସ୍ବୀକାର କରି ହେବ ନାହିଁ । ଜୀବନରେ ଅନେକ କଥା ଥିଲେ ବି, ମୋର ଏ ଲେଖାକୁ ବାମପନ୍ଥୀ ଭାଇ/ଭଉଣୀମାନେ ସମାଲୋଚନା କରିପାରନ୍ତି । ମାତ୍ର ଅନୁଭବୀ ମଣିଷର ଅନୁଭବକୁ ଅସ୍ବୀକାର କରି ହେବ ନାହିଁ ।କାରଣ ଆମର ନିକଟରେ ଅନେକ ଅଦୃଶ୍ୟ ଶକ୍ତି ଘୁରି ବୁଲୁଛନ୍ତି । ଯେତେବେଳେ ଆମେ ପରମ କାରୁଣିକଙ୍କ ଆଶୀର୍ବାଦ ସହିତ ଆମର ତୃତୀୟ ନେତ୍ରକୁ ଜାଗ୍ରତ କରି ପାରିବା, ବେତାରର ବୈଦୁତିକ ତରଙ୍ଗ ପରି ମହାଜାଗତିକ ଦୁନିଆଁରେ ଏ ମାନବ ଅବତୀର୍ଣ୍ଣ ହେବ, ଏଥିରେ ସନ୍ଦେହ ନାହିଁ ।
ଭୁଲିବନି କେବେ ମୋତେ,ପୁଣି ତୁମରି ଅପେକ୍ଷାରେ...